Unknown

 

 

 

 

 

 

 

 

 

କୋଣାର୍କ ୧୬୧ତମ ସଂଖ୍ୟା

ଓଡ଼ିଶା ସାହିତ୍ୟ ଏକାଡେମୀ

 

କୋଣାର୍କ

ତ୍ରୈମାସିକ ସାରସ୍ୱତ ମୁଖପତ୍ର

 

ଉପଦେଷ୍ଟା :

ଡକ୍ଟର ରାମଚନ୍ଦ୍ର ବେହେରା

 

ସମ୍ପାଦକ ମଣ୍ଡଳୀ :

ଶ୍ରୀ ଗିରି ଦଣ୍ଡସେନା

ଡକ୍ଟର ବିଜୟାନନ୍ଦ ସିଂହ

ଶ୍ରୀ ବିଜୟ କୁମାର ନାୟକ

 

ସୌଜନ୍ୟ/ସମ୍ପାଦକ :

ଶ୍ରୀ ଗୁରୁକଲ୍ୟାଣ ମହାପାତ୍ର

 

ପ୍ରକାଶକ :

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ

ସୂଚୀ

୧.

ସ୍ମୃତିର ଚିତ୍ରପଟରେ ଶତାବ୍ଦୀ ସାଧକ ନିତ୍ୟାନନ୍ଦ

 

ମହାପାତ୍ର ବ୍ରଜନାଥ ରଥ

୨.

ଜୀବେତ୍‌ ଶରଦଃ ଶତମ୍‌

 

ଫନୀ ମହାନ୍ତି

୩.

ଶତାବ୍ଦୀ ସାଧକ ନିତ୍ୟାନନ୍ଦ ମହାପାତ୍ର :

କିଛି ସ୍ମୃତିର ଝଲକ ଓ ସୃଷ୍ଟିର ମହକ

 

ରବିନାରାୟଣ ସେନାପତି

୪.

ଶତାୟୁ ସ୍ରଷ୍ଟା ନିତ୍ୟାନନ୍ଦ ମହାପାତ୍ର : ଏକ ଅନୁଶୀଳନ

 

ହୁସେନ୍‌ ରବିଗାନ୍ଧୀ

୫.

ନିତ୍ୟାନନ୍ଦଙ୍କ ଉପନ୍ୟାସକଳାର ବୈଚିତ୍ର୍ୟ

 

ବିଜୟ କୁମାର ଶତପଥୀ

୬.

ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସ :

ଭିତ୍ତିଭୂମି ଓ ଭାବଭୂମି

 

ଶଶଧର ଦାସ

୭.

ନିତ୍ୟାନନ୍ଦଙ୍କ ଉପନ୍ୟାସରେ ସ୍ଵାଧୀନୋତ୍ତର

ସ୍ଵପ୍ନଭଙ୍ଗ ଓ ସାମାଜିକ ଅବକ୍ଷୟ ଚିତ୍ର

 

ରଙ୍ଗାଧର ନାୟକ

୮.

ଉର୍ବର ତ୍ରିକୋଣଭୂମିର ଉପନ୍ୟାସତ୍ରୟୀ ଏବଂ

ମାଟି ମନସ୍କ ମଣିଷର ମୁହଁ

 

ଦେବାଶିଷ ପାତ୍ର

୯.

ମାଟିର ବୁନିଆଦି ଓ ଔପନ୍ୟାସିକ ନିତ୍ୟାନନ୍ଦ

 

ହୃଦାନନ୍ଦ ପାଣିଗ୍ରାହୀ

୧୦.

ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ର

 

ପ୍ରଭାକର ସ୍ୱାଇଁ

୧୧.

ନିତ୍ୟାନନ୍ଦ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ : ଏକ ଦୃଷ୍ଟିପାତ

 

ରବୀନ୍ଦ୍ର କୁମାର ବେହୁରିଆ

୧୨.

ହାସ୍ୟସ୍ରଷ୍ଟା : ନିତ୍ୟାନନ୍ଦ

 

ବିଜୟାନନ୍ଦ ସିଂହ

୧୩.

ଭାବନାର ପରିଧାନ : ନିତ୍ୟାନନ୍ଦଙ୍କ ଗଳ୍ପ

 

କଇଳାଶ ପଟ୍ଟନାୟକ

୧୪.

ଡଗର ସମ୍ପାଦକ ନିତ୍ୟାନନ୍ଦ ମହାପାତ୍ର

 

ଦୁର୍ଗାପ୍ରସନ୍ନ ପଣ୍ଡା

୧୫.

ସମ୍ପାଦନା କଳା - କୁଶଳତା ଓ ଯଶସ୍ୱୀ

ସମ୍ପାଦକ ନିତ୍ୟାନନ୍ଦ

 

ଅପୂର୍ବ ରଞ୍ଜନ ରାୟ

୧୬.

ନିତ୍ୟାନନ୍ଦଙ୍କ ବୈଶିଷ୍ଟ୍ୟ : ସୃଷ୍ଟି ଓ ଦୃଷ୍ଟିରେ

 

ଗୁରୁକଲ୍ୟାଣ ମହାପାତ୍ର

୧୭.

କଳାର କୌଶିକ ଓ କଳ୍ପନାର କାରିଗର

 

ନାରାୟଣ ପଣ୍ଡା

୧୮.

ନିତ୍ୟାନନ୍ଦ ମହାପାତ୍ରଙ୍କ କବିତା : ନିରପେକ୍ଷ ଦୃଷ୍ଟିପାତ

 

ନିତ୍ୟାନନ୍ଦ ଶତପଥି

୧୯.

କବି ପ୍ରିୟାସୁ ଓ ପ୍ରେମର ନିୟତି ଏକନିଷ୍ଠ ପରିକ୍ରମା

 

ପ୍ରମୋଦ କୁମାର ମହାନ୍ତି

୨୦.

କବି ନିତ୍ୟାନନ୍ଦ ମହାପାତ୍ର

 

ମନୋରମା ବିଶ୍ଵାଳମହାପାତ୍ର

 

ସମାଚାର ପଞ୍ଜୀକରଣ (କେନ୍ଦ୍ରୀୟ) ନିୟମ ୧୯୫୬ ଅଷ୍ଟମ ଅଧିନିୟମ ଅନୁଯାୟୀ ମୁଦ୍ରଣ ଓ ପୁସ୍ତକ ଅଧିନିୟମର ୧୯ଡି ଧାରା-ବି ଅନ୍ତର୍ଗତ ‘କୋଣାର୍କ’ ନାମକ ସାରସ୍ୱତ ପତ୍ରିକାର ସ୍ୱତ୍ୱ ଆଦି ସମ୍ୱନ୍ଧୀୟ ବିବରଣୀ ।

 

ଚତୁର୍ଥ ପ୍ରପତ୍ର (ନିୟମ-୮ ଦ୍ରଷ୍ଟବ୍ୟ)

 

୧.

ପତ୍ରିକାର ନାମ

କୋଣାର୍କ

୨.

ପଞ୍ଜୀକରଣ ସଂଖ୍ୟା

ଆର.ଏନ୍.୪୦୪୭/୫୮

୩.

ଭାଷା

ଓଡ଼ିଆ

୪.

ପ୍ରକାଶନର ଆବର୍ତ୍ତତା

ତ୍ରୈମାସିକ

୫.

ମୂଲ୍ୟ

ଟ ୩୦/-

୬.

ପ୍ରକାଶକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪

୭.

ମୁଦ୍ରାକରଙ୍କ ନାମ

ଶ୍ରୀ ଜଗଦୀଶ ପଣ୍ଡା

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ-୨

୮.

ସମ୍ପାଦକଙ୍କ ନାମ

ଶ୍ରୀ ବିଜୟ କୁମାର ନାୟକ

 

ରାଷ୍ଟ୍ରୀୟତା

ଭାରତୀୟ

 

ଠିକଣା

ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ୱର-୧୪

୯.

ମୁଦ୍ରଣ ସ୍ଥାନ

ଓଡ଼ିଶା ପ୍ରିଣ୍ଟିଂ ୱାର୍କ ମହମଦିଆ ବଜାର, କଟକ

୧୦.

ସ୍ଵତ୍ୱ

ଓଡ଼ିଶା ସାହିତ୍ୟ ଏକାଡେମୀ

ସଂସ୍କୃତି ଭବନ, ରାଜ୍ୟ ସଂଗ୍ରହାଳୟ ପରିସର ଭୁବନେଶ୍ୱର-୧୪

 

ମୁଁ ଡକ୍ଟର ହରପ୍ରସାଦ ପରିଛା ପଟନାୟକ, ସଚିବ, ଓଡ଼ିଶା ସାହିତ୍ୟ ଏକାଡେମୀ ଏତଦ୍ଦ୍ୱାରା ଘୋଷଣା କରୁଛି ଯେ ଉପରୋକ୍ତ ବିବରଣୀ ମୋର ଜ୍ଞାନ ଓ ବିଶ୍ୱାସମତେ ସତ୍ୟ ଅଟେ-।

 

ଶ୍ରୀ ବିଜୟ କୁମାର ନାୟକ

ସଚିବ

ଓଡ଼ିଶା ସାହିତ୍ୟ ଏକାଡେମୀ

 

ସମ୍ପାଦକୀୟ

ଅନୁଭବ ଓ ଅନୁଭୂତି ସାରସ୍ଵତ ସୃଷ୍ଟିର ଦୁଇ ପ୍ରଧାନ ଉତ୍ସ ଭାବରେ ବିବେଚିତ ହୋଇଥାଏ । ଯେଉଁ ଲେଖକଙ୍କର ଅନୁଭବ ଯେତେ ସାନ୍ଧ୍ର, ଅନୁଭୂତି ଯେତେ ବ୍ୟାପକ, ତାଙ୍କ ରଚନା ସେହି ପରିମାଣରେ ମାର୍ମିକ ଓ ଜୀବନାଭିମୁଖୀ । ଶତାବ୍ଦୀ ସାଧକ ନିତ୍ୟାନନ୍ଦ ମହାପାତ୍ରଙ୍କ ଅନୁଭବର ଗଭୀରତା ଅକଳନୀୟ, ପୁଣି ତାଙ୍କ ଅନୁଭୂତିର ବ୍ୟାପ୍ତି ଅସୀମ ।

 

ଏକ ସଂଭ୍ରାନ୍ତ ଅଥଚ ସଂଗ୍ରାମୀ ଓ ସାରସ୍ଵତ ପରିବାରରେ ତାଙ୍କର ଜନ୍ମ । ତାଙ୍କ ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଜଣେ ଦରଦୀ ଓ ବିଦଗ୍ଧ କବି ଭାବରେ ସୁବିଦିତ । ସେହିପରି ତାଙ୍କ ପିତାମହ ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ପ୍ରାକ୍ ସ୍ଵାଧୀନତା କାଳର ଜଣେ ସୁଯୋଗ୍ୟ ଲୋକପ୍ରତିନିଧି । ସେଥିଲାଗି ବୋଧହୁଏ ନିତ୍ୟାନନ୍ଦଙ୍କଠାରେ ଉଭୟ କବିତ୍ୱ ଓ ନେତୃତ୍ୱର ଅପୂର୍ବ ସମନ୍ଵୟ ଘଟିଛି ।

 

ଭଦ୍ରକ ହାଇସ୍କୁଲରେ ପାଠ ପଢ଼ୁଥିଲାବେଳେ ସ୍କୁଲର ଶୈକ୍ଷିକ ଶୃଙ୍ଖଳକୁ ଡେଇଁ ସେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିଲେ । ସ୍ଵତନ୍ତ୍ରତା ସେନାନୀ ଭାବରେ ଜନଜୀବନ ସହିତ ତାଙ୍କର ଥିଲା ଆବେଗିକ ସଂପର୍କ । ଛାତ୍ରଜୀବନରୁ ବୟସ୍କହେବା ପର୍ଯ୍ୟନ୍ତ ସେ ଅନେକ ଥର କାରାବରଣ କରିଥିଲେ । ସ୍ୱାଧୀନ ଭାରତରେ ସେ ଏକାଧିକ ବାର ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ; ମନ୍ତ୍ରୀପଦ ମଣ୍ଡନ କରିଥିଲେ ମଧ୍ୟ । ଜନଜୀବନ ସହିତ ସଂପୃକ୍ତି ତାଙ୍କ ଅନୁଭୂତିକୁ କରିଥିଲା ବିସ୍ତାରିତ । ପୁନଶ୍ଚ ବୈଷ୍ଣବୀୟ ଚେତନା ତାଙ୍କ ଅନୁଭବକୁ କରିଥିଲା ପ୍ରଗାଢ଼ ଓ ଅନ୍ତର୍ମୁଖୀ ।

 

ଏହି ଅନନ୍ୟତା ନିତ୍ୟାନନ୍ଦଙ୍କ ସାହିତ୍ୟକୁ କରିଛି ଶତତ ରଦ୍ଧିମନ୍ତ । ନିତ୍ୟାନନ୍ଦ ମାଟିର କଥା କହିଛନ୍ତି, କିନ୍ତୁ ତାଙ୍କର ଚେତନା ମାଟିରୁ ଆକାଶ ପର୍ଯ୍ୟନ୍ତ ପରିବ୍ୟାପ୍ତ । ନିତ୍ୟାନନ୍ଦ ସମାଜର ଗାଥା ଶୁଣାଇଛନ୍ତି, କିନ୍ତୁ ତାଙ୍କ ଗାଥା ନିର୍ଦ୍ଦିଷ୍ଟ ଏକ ସମାଜର ସୀମା ମଧ୍ୟରେ ଆବଦ୍ଧ ନୁହେଁ, ତାହା ବିଶ୍ଵଜନୀନ । ନିତ୍ୟାନନ୍ଦ ଏକ କାଳଖଣ୍ଡର ଚିତ୍ର ଆଙ୍କିଛନ୍ତି ତାଙ୍କ ସୃଷ୍ଟିସମୂହରେ, କିନ୍ତୁ ସେସବୁଥିରେ ମହାକାଳକୁ ବାନ୍ଧି ରଖିବାର ପ୍ରବଣତା ସ୍ପଷ୍ଟ ।

 

ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ବେଶ୍‌ ଦକ୍ଷତାର ସହିତ ଲେଖନୀ ଚାଳନା କରିଛନ୍ତି ନିତ୍ୟାନନ୍ଦ । କବି ଭାବରେ ସେ ପ୍ରଚଣ୍ଡ ଜୀବନବାଦୀ ଓ କ୍ରାନ୍ତିକାରୀ । ସେ ଏକା ସିନା ଲେଖିପାରନ୍ତି -

 

‘‘ଜୀବନ ମୋର, ଅତି ଆପଣାର

ହାତେ ଧରି ନିତି ଦେଖେଁ ବାରବାର

x       x       x       x

କେବେ ବା ଉଶ୍ୱାସ କେବେ ଗୁରୁଭାର

ଏ ଜୀବନ ମୋର ଅତି ଆପଣାର.... ।’’

 

ତାଙ୍କର କାବ୍ୟ କବିତା ମଧ୍ୟରେ ରହିଛି, ମରମ, ଦରଦ, ପରଶ, ପାଞ୍ଚଜନ୍ୟ, କାଳରଡ଼ି, ଭୂମହାତ୍ମ୍ୟ, ପରୀକ୍ଷା, ଶତଦୂତ ଓ କବି ପ୍ରିୟାସୁ ଇତ୍ୟାଦି ।

 

ସେହିପରି ଶତାଧିକ ଗଳ୍ପର ସେ ସଫଳ କଥାକାର । ମାଉସୀ, କଳାଗାର ଧଳାଗାର, ଏଗାରଟା, କ୍ଷଣିକା, ଆଖି ନାହିଁ କାନ ନାହିଁ ଓ ରାଜକନ୍ୟା ଆଦି ତାଙ୍କ ଗଳ୍ପଗ୍ରନ୍ଥ ସର୍ବାଦୌ ଉଲ୍ଲେଖନୀୟ । ତାଙ୍କ ଉପନ୍ୟାସର ସୂଚୀ ମଧ୍ୟ ସୁଦୀର୍ଘ- ଭୁଲ, ଜୀଅନ୍ତା ମଣିଷ, ପୀରତି ପଥ ଖସଡ଼ା (ଖସଡ଼ା ବାଟ), ଜୀବନର ଲକ୍ଷ୍ୟ, ସୁଖର ସନ୍ଧାନେ, ଜଳନ୍ତା ନିଆଁ, ହିଡ଼ମାଟି, ଭଙ୍ଗାହାଡ଼, ଘରଡ଼ିହ, ଇନ୍ଦ୍ର ଓ ଇନ୍ଦ୍ରାଣୀ, ନାହଂ ତିଷ୍ଠାମି ବୈକୁଣ୍ଠେ । ଏହିସବୁ ଉପନ୍ୟାସରେ ସାମାଜିକ ପ୍ରତିବଦ୍ଧତା, ମନୋବିଶ୍ଲେଷଣ, ଗ୍ରାମ୍ୟ ଜୀବନର ନିରୁତା ଚିତ୍ର, ଗ୍ରାମୀଣ ଶବ୍ଦର ପ୍ରୟୋଗ ଓ ସାମାଜିକ ପରିବର୍ତ୍ତନର ଧାରା ଆଦି ନିଖୁଣ ଭାବରେ ପରିସ୍ଫୁଟ ।

 

ଲଳିତ ନିବନ୍ଧ ଓଡ଼ିଆ ସାହିତ୍ୟର ଏକ ନବୀନ ସଂଯୋଜନା । ନିତ୍ୟାନନ୍ଦଙ୍କ ‘ପତ୍ର ଓ ପ୍ରତିମା’ ଓଡ଼ିଆ ଲଳିତ ନିବନ୍ଧର ପଥପ୍ରଦର୍ଶକ ବୋଲି ସମାଲୋଚକମାନେ ଯଥାର୍ଥରେ ମତପୋଷଣ କରିଛନ୍ତି । ପତ୍ର ମାଧ୍ୟମରେ ଲିଖିତ ଏହି ଲଳିତ ରଚନା ଓଡ଼ିଆ ସାହିତ୍ୟରେ ସୃଷ୍ଟିକରିଛି ଅପୂର୍ବ ପ୍ରାଣ ପ୍ରତିମା । ନାଟକ, ପ୍ରବନ୍ଧ ଓ ଅନୁବାଦ କ୍ଷେତ୍ରରେ ମଧ୍ୟ ନିତ୍ୟାନନ୍ଦ ନିଜସ୍ଵ ମୌଳିକତା ପ୍ରତିପାଦନ କରିଛନ୍ତି ।

 

‘ସଂପାଦନା’, ସାହିତ୍ୟର ଅନ୍ୟ ଏକ ବଳିଷ୍ଠ ଦିଗ । ଏ ଦିଗରେ ମଧ୍ୟ ନିତ୍ୟାନନ୍ଦଙ୍କ କଲମର କାଉଁରୀ ସ୍ପର୍ଶ ଅନେକଙ୍କୁ ଅଭିଭୂତ କରେ । ତାଙ୍କ ସଂପାଦିତ ‘ଡଗର’ ଏକଦା ଥିଲା ସାହିତ୍ୟ ଓ ରାଜନୀତିର ସମାଲୋଚନାମୂଳକ ଚମତ୍କାର ଏକ ମୁଖପତ୍ର । ଶାଣିତ ବ୍ୟଙ୍ଗର ଶାଳୀନ ଅଭିବ୍ୟକ୍ତି ଏହି ପତ୍ରିକାକୁ ବେଶ୍‌ ଜନାଦୃତ କରିଥିଲା ।

 

ନିତ୍ୟାନନ୍ଦଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟର ମୂଲ୍ୟାୟନ ଏକ ଦୁରୂହ ବ୍ୟାପାର । ତେବେ ନିତ୍ୟାନନ୍ଦ ଯେ କରୁଣା ଓ କଟାକ୍ଷ, ବୌଦ୍ଧିକତା ଓ ସାବଲୀଳତା, ବୈଷ୍ଣବଭାବ ଓ ରସିକତା ଏବଂ ସର୍ବୋପରି ଅନୁରାଗ ଓ ବିରାଗର ସମ୍ୟକ ସନ୍ତୁଳନ, ଏହା ନିଃସଙ୍କୋଚରେ କୁହାଯାଇପାରେ ।

 

ଶତ ଶରତରେ ପଦାର୍ପଣ କରିଛନ୍ତି ନିତ୍ୟାନନ୍ଦ । ଏହା ତାଙ୍କ ପାଇଁ ଯେତେନୁହେଁ, ଓଡ଼ିଆ ସାହିତ୍ୟ ପାଇଁ ତତୋଽଧିକ ଗୌରବର ବିଷୟ । ତାଙ୍କ ବ୍ୟକ୍ତିତ୍ୱ ଓ ସାହିତ୍ୟ ସଂପର୍କିତ ଲେଖା ଆଧାରରେ ‘କୋଣାର୍କ’ର ଏକ ବିଶେଷ ସଂଖ୍ୟା ପ୍ରକାଶ କରି ଓଡ଼ିଶା ସାହିତ୍ୟ ଏକାଡେମୀ ଏହି ଶତାୟୁ ସାହିତ୍ୟିକଙ୍କୁ ବିନମ୍ର ପ୍ରଣତି ଜ୍ଞାପନ କରିବା ସଙ୍ଗେସଙ୍ଗେ ନିଜକୁ ଗୌରବାନ୍ୱିତ ମନେ କରୁଛି । ଯେଉଁ କୃତୀ ଲେଖକମାନଙ୍କ ରଚନାରେ ‘କୋଣାର୍କ’ର ଏହି ସଂଖ୍ୟା ଶ୍ରୀମୟ ହୋଇଛି, ସେମାନଙ୍କୁ ଅଜସ୍ର ସାଧୁବାଦ ।

 

 

ସଂପାଦକ ମଣ୍ଡଳୀ ତରଫରୁ

ବିଜୟ କୁମାର ନାୟକ

 

 

ସ୍ମୃତିର ଚିତ୍ରପଟରେ ଶତାବ୍ଦୀ ସାଧକ ନିତ୍ୟାନନ୍ଦ ମହାପାତ୍ର

ବ୍ରଜନାଥ ରଥ

 

୧୯୫୨ ମସିହାରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ସେତେବେଳେ ବାଲେଶ୍ଵର ଓ ଭଦ୍ରକ ମିଶି ଗୋଟିଏ ଦ୍ଵୈତ ଲୋକସଭା ନିର୍ବାଚନ ମଣ୍ଡଳୀ ଥାଏ । ଜଣେ ସାଧାରଣ ବର୍ଗରୁ ଓ ଅନ୍ୟଜଣେ ଅନୁସୂଚିତ ବର୍ଗରୁ ନିର୍ବାଚିତ ହେବାର ସ୍ଥିର ହୋଇଥାଏ । ନିତ୍ୟାନନ୍ଦ ମହାପାତ୍ର ସ୍ଵାଧୀନ ପ୍ରାର୍ଥୀ ଭାବେ ସାଧାରଣ ବର୍ଗରୁ ଠିଆ ହୋଇଥାନ୍ତି । ତାଙ୍କର ପ୍ରତିଦ୍ଵନ୍ଦୀ ଥାନ୍ତି ଉଦ୍ରକର କଂଗ୍ରେସ ନେତା ଭାଗବତ ସାହୁ । ଆଜି ଭଳି ସେତେବେଳେ ନିର୍ବାଚନ ଏତେ ତୀବ୍ର ହେଉନଥିଲା, କିମ୍ବା ସେଥିରେ ଏତେ ଅର୍ଥବ୍ୟୟ ହେଉ ନଥିଲା । ମୋର ମନେ ଅଛି, ପାଦରେ ଚାଲି ଚାଲି ଦିନେ ନିତ୍ୟାନନ୍ଦବାବୁ ଆସି ଆମଘରେ ପହଞ୍ଚିଲେ । ବାପାଙ୍କୁ ଦେଖା କରି କହିଲେ- ‘ମୁଁ ଗାନ୍ଧିଜୀଙ୍କ ନୀତିରେ ବିଶ୍ଵାସ କରେ । ସେ କହୁଥିଲେ କଂଗ୍ରେସ ଏକ ସେବାଦଳ ଭାବରେ ସାଧାରଣ ନେତାର ସେବା କରୁ । କ୍ଷମତା ରାଜନୀତିରେ ଅଂଶ ଗ୍ରହଣ ନ କରୁ । କିନ୍ତୁ ଗାନ୍ଧିଜୀଙ୍କ ହତ୍ୟାପରେ ତାଙ୍କ ନୀତି ଓ ଆଦର୍ଶକୁ ହତ୍ୟା କରାଯାଉଛି । ତେଣୁ ମୁଁ କଂଗ୍ରେସର ସଭ୍ୟ ହେଲେ ମଧ୍ୟ ଦଳୀୟ ଟିକେଟ୍‌ରେ ନଲଢ଼ି ସ୍ଵାଧୀନ ଭାବରେ ଲଢ଼ୁଛି । ଆପଣ ପ୍ରତ୍ୟେକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ନୀତିଗତ ଭାବରେ ମୋତେ ସମର୍ଥନ ଦେବେ ।’’ ତାଙ୍କର ସେହି ସାଧାରଣ ବେଶଭୂଷା ଓ ଅମାୟିକ ବ୍ୟବହାର ଦେଖି ମୁଁ ଆଚମ୍ବିତ ହୋଇଥିଲି । ସେତେବେଳେ ମୁଁ ମେଟ୍ରିକ୍‌ ପାଶ୍‌ କରି ଫକୀରମୋହନ କଲେଜର ଆଇ.ଏ. ପ୍ରଥମ ବର୍ଷର ଛାତ୍ର । ମୋ କବିତା ‘ଡଗର’ରେ ପ୍ରକାଶ ପାଇଥାଏ । ଆମ ଘରକୁ ଜଣେ ଏତେବଡ଼ ସାହିତ୍ୟିକ ନିଜପାଇଁ ଭୋଟ ପ୍ରଚାର କରିବାକୁ ଆସିବା କଥା ଏବେ ବି ମୋ ସ୍ମରଣରେ ଅଛି । ଅବଶ୍ୟ ସେ ଲୋକସଭା ପାଇଁ ହୋଇଥିବା ନିର୍ବାଚନରେ ଜିତି ନଥିଲେ । ସ୍ଵାଧୀନ ଭାବରେ ଲଢ଼ି, ପାଦରେ ଓ ସାଇକେଲରେ ବୁଲି ଏବଂ ସାମାନ୍ୟ କିଛି ଅର୍ଥ ଖର୍ଚ୍ଚଚରି ନିର୍ବାଚନରୂପୀ ମହାଦୁସ୍ତର ତପ୍ତବୈତରଣୀ ପାରିହେବାର ତାଙ୍କର ଅଦ୍ଭୁତ ସାହସ ଦେଖି ମୁଁ ବିସ୍ମିତ ହୋଇଥିଲି ସେଦିନ । ଏହା କେବଳ ସ୍ଵାଧୀନତା ସଂଗ୍ରାମୀ, ଆଜନ୍ମ ନୀତିବାଦୀ ଓ ସ୍ଵାଭିମାନୀ ନିତ୍ୟାନନ୍ଦ ମହାପାତ୍ରଙ୍କ ପକ୍ଷରେ ସମ୍ଭବ । ପରେ ଅବଶ୍ୟ ସେ ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନିଥର ସ୍ଵାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ ଏବଂ ସ୍ଵତନ୍ତ୍ର ଜନକଂଗ୍ରେସ ମିଳିତ ମନ୍ତ୍ରୀମଣ୍ଡଳୀ ବେଳେ ସଂସ୍କୃତି ଓ ଯୋଗାଣ ବିଭାଗର ମନ୍ତ୍ରୀ ହୋଇଥିଲେ । ସେତେବେଳେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ।

 

ଏହି ସମୟରେ ନିତ୍ୟାନନ୍ଦ ବାବୁ ସଂସ୍କୃତି ବିଭାଗ ସହାୟତାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ୱରଠାରେ ଏକ ସର୍ବଭାରତୀୟ ଲେଖକ ସମ୍ମିଳନୀ ମହାସମାରୋହରେ କରିବାର ଆଶାପୋଷଣ କରି ପ୍ରସ୍ତୁତି କମିଟି ଗଠନ କରିଥିଲେ । କମିଟିର ବୈଠକ ମଧ୍ୟ ଥରେ ଦୁଇଥର ତାଙ୍କ ସଭାପତିତ୍ୱରେ ବସିଥିଲା । ମୁଁ ସେହି କମିଟିର ଜଣେ ସଦସ୍ୟ ଭାବରେ ବୈଠକରେ ଯୋଗ ଦେଇଥିଲି । କାର୍ଯ୍ୟ ଆଗ ରଖିଥିଲାବେଳେ ବିଧାନସଭା ଭାଙ୍ଗିଗଲା, ମନ୍ତ୍ରୀମଣ୍ଡଳ ଇସ୍ତଫା ଦେଲେ ଏବଂ ନିତ୍ୟାନନ୍ଦବାବୁଙ୍କ ଆଶା ସେହି ଆଶାରେହିଁ ରହିଗଲା ।

 

ଏହି ପରିପ୍ରେକ୍ଷୀରେ ମୋର ମନେ ପଡ଼ୁଛି ୧୯୫୭ ମସିହା, ଡିସେମ୍ବର ଶେଷ ସପ୍ତାହରେ କୋଲକତାର ମହାଜାତି ସଦନରେ ଅନୁଷ୍ଠିତ ନିଖିଳ ଭାରତ ଲେଖକ ସମ୍ମିଳନୀ କଥା । ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ - ପଣ୍ଡିତ ଜବାହରଲାଲ ନେହେରୁ ଓ ଶିକ୍ଷା- ସଂସ୍କୃତିମନ୍ତ୍ରୀ ପ୍ରଫେସର ହୁମାୟୁନ କବିର । ଉଭୟେ ଥିଲେ ଲେଖକ, ସାହିତ୍ୟିକ ଓ ସଂସ୍କୃତିପ୍ରେମୀ ରାଜନୀତିଜ୍ଞ-। ନେହେରୁଙ୍କ ପରାମର୍ଶ ଓ କବୀରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନି.ଭା. ଲେଖକ ସମ୍ମିଳନୀର ପ୍ରଥମ ଅଧିବେଶନ ଦିଲ୍ଲୀରେ ୧୯୫୬ରେ ଅନୁଷ୍ଠିତ ହୋଇଥିଲାବେଳେ ଦ୍ୱିତୀୟ ଅଧିବେଶନ ତିନିଦିନ ଧରି (ଡିସେମ୍ବର ୨୫ରୁ ୨୭) କୋଲକତାରେ ଆୟୋଜିତ ହୋଇଥିଲା । ସାରା ଭାରତବର୍ଷରୁ ସେ ସମୟର ବିଖ୍ୟାତ କବି- ଲେଖକମାନେ ଏଥିରେ ଯୋଗଦେଇଥିଲେ । ପାଖ ହୋଇଥିବାରୁ ଓଡ଼ିଶାରୁ ବହୁ ସାହିତ୍ୟିକ ପ୍ରତିନିଧି ଭାବରେ ଯୋଗ ଦେଇଥିଲେ । ସେତେବେଳେ ପଣ୍ଡିତ ନୀଳକଣ୍ଠ ଦାସ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଏବଂ ଅଧ୍ୟାପକ ରାଜକିଶୋର ରାୟ ସଂପାଦକ ଥାନ୍ତି । ପ୍ରତିନିଧି ଦଳରେ ଥାନ୍ତି ଗୋଦାବରୀଶ ମହାପାତ୍ର, ଅନନ୍ତ ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର, ସରଳା ଦେବୀ, ନନ୍ଦିନୀ ଶତପଥୀ, ଉପେନ୍ଦ୍ର ତ୍ରିପାଠୀ, ମନୋଜ ଦାସ, ଗୋରାଚାନ୍ଦ ମିଶ୍ର, ଅଧ୍ୟାପକ ଗୋପାଳଚନ୍ଦ୍ର ମିଶ୍ର, ସାମ୍ବାଦିକ ଗୋପାଳ ମିଶ୍ର ଇତ୍ୟାଦି ଅନେକ । ବାଲେଶ୍ୱରରୁ ଯଦୁନାଥ ଦାଶ ମହାପାତ୍ର ଓ ମୁଁ ମଧ୍ୟ ଯାଇ ସମ୍ମିଳନୀରେ ଯୋଗ ଦେଇଥିଲୁ । ଆମେ ପ୍ରତିନିଧିମାନେ କଲିକତା ବିଶ୍ଵବିଦ୍ୟାଳର ଆଶୁତୋଷ ହଷ୍ଟେଲରେ ରହୁଥିଲୁଁ । ଗୋଟିଏ ଖୁବ୍‌ ବଡ଼ ରୁମ ଆମ ଲାଗି ଦିଆହୋଇଥିଲା, ଯେଉଁଠି ଆମେ ଥିଲୁ, ଆଠଜଣ । ଆଠଟି ଖଟ ସେହି କୋଠରିରେ ଥିଲା ଏବଂ ସାଥିରେ ନେଇଥିବା ବେଡ଼ିଂ ବିଛାଇ ଆମେ ରାତିରେ ବିଶ୍ରାମ ନେଉଥିଲୁଁ । ଯେଉଁ ରୁମ୍‌ରେ ମୁଁ ରହୁଥିଲି ସେଠାରେ ନିତ୍ୟାନନ୍ଦବାବୁ ମଧ୍ୟ ରହୁଥିଲେ । ଆଉ ରହୁଥିଲେ ଅଧ୍ୟାପକ ଗୋପାଳ ମିଶ୍ର, ସାମ୍ବାଦିକ ଗୋପାଳ ମିଶ୍ର, କବି ଅନନ୍ତ ପଟ୍ଟନାୟକ, ସାମ୍ବାଦିକ ଗୋରାଚାନ୍ଦ ମିଶ୍ର, ବନ୍ଧୁ ମନୋଜ ଦାସ ଓ ଯଦୁନାଥ ଦାଶ ମହାପାତ୍ର । ସେଠାରେ ଗୋଟାଏ ସକାଳର ସ୍ମୃତି ଏବେବି ମୋର ମନେ ଅଛି ।

 

ନିତ୍ୟାନନ୍ଦବାବୁ ସବୁଦିନ ଭୋରରୁ ଉଠି ଯୋଗ ଓ ପ୍ରାଣାୟାମ କରନ୍ତି । ଏହା ତାଙ୍କର ବହୁଦିନର ଅଭ୍ୟାସ । ଆମେ ରହିବା ଭିତରେ ଦିନେ ସକାଳୁ ସେ ତାଙ୍କ ଖଟ ଉପରେ ବସି ଯୋଗ କରୁଥାନ୍ତି । ଯୋଗ ସରିଗଲାପରେ ମନୋଜବାବୁ ଅଧ୍ୟାପକ ଗୋପାଳ ମିଶ୍ରଙ୍କୁ ଲକ୍ଷ୍ୟ କରି ନିତ୍ୟାନନ୍ଦବାବୁଙ୍କୁ ପଚାରିଲେ- ‘‘ନିତେଇ ଭାଇ ! ‘ଡଗର’ରେ ଗୋପାଳବାବୁ ଯେଉଁ ଦୁଇଟି ବୋମା’ କବିତା ଲେଖିଥିଲେ, ଯାହାକୁ ନେଇ ଏତେ ଝଡ଼ ଉଠିଲା, ଆଉ ଆପଣ ସଂପାଦକ ଭାବରେ ଯେଉଁ ସଫେଇଦେଲେ, ତାହା କଣ ପ୍ରକୃତରେ ସେ । କବିତାର ମର୍ମାର୍ଥ ଓ ଗୂଢ଼ାର୍ଥ ? ନା ଗୋପାଳବାବୁଙ୍କୁ ବଞ୍ଚାଇବା ପାଇଁ ଆପଣ ଏମିତି ସଫେଇ ଦେଇଛନ୍ତି ?’’ ନିତ୍ୟାନନ୍ଦବାବୁ ହସିଲେ, ଗୋପାଳ ମିଶ୍ର ବି ହସିଲେ । ଆମେ ସମସ୍ତେ ‘ଡଗର’ରୁ ସେ କବିତାରୁ ପଢ଼ିଥିଲୁ ପୂର୍ବରୁ (୧୩ଶ ବର୍ଷ- ୨୦ଶ ସଂଖ୍ୟାରୁ) ତେଣୁ ଗୋପାଳବାବୁଙ୍କ କବିତାର ଅର୍ଥ ବୁଝିଥିଲୁ । ସେ ଲେଖିଥିଲେ- ‘‘ବୋମା ଦୁଇଗୋଟି ଦେଇଗଲି ନାରୀ, ତୁମରି କରେ/ ଆଦରେ ଏହାକୁ ସାଇତି ରଖି ଗୋ ଛାତି ଭିତରେ ।’’ ଏ କବିତାଟି ପ୍ରକାଶ ପାଇଥିବା ପରେ ଡ. ମାୟାଧର ମାନସିଂ ସମ୍ପାଦକଙ୍କୁ ଚିଠି ଲେଖି ଏଭଳି ଅଶ୍ଳୀଳ କବିତା ପ୍ରକାଶ କରିବା ଦ୍ଵାରା ‘ଡଗର’ ତାର ମର୍ଯ୍ୟାଦା- ହରାଇଛି ଏବଂ କବି ମିଶ୍ରଙ୍କ ଅସୁସ୍ଥ ଓ ବିକୃତ ମନର ପରିଚୟ ମିଳିଛି ବୋଲି ଅଭିଯୋଗ କରିଥିଲେ । ଏହାର ଉତ୍ତର ଦେବାକୁ ଯାଇ ସମ୍ପାଦକ ନିତ୍ୟାନନ୍ଦବାବୁ ୧୪ଶ ବର୍ଷ ୪ର୍ଥ ସଂଖ୍ୟାରେ ଲେଖିଥିଲେ- ‘‘ମଣିଷର ରୁଚି ଯେତେବେଳେ ଦୁଃସ୍ଥ ହୋଇଯାଏ, ବାସ୍ତବିକ୍‌ ସେ ଏହିଭଳି ଅର୍ଥକୁ ଅନର୍ଥ କରେ ।........ କବି ଏ ବୋମାର ପ୍ରକୃତ ଗୂଢ଼ଅର୍ଥକୁ କଳା ଦୃଷ୍ଟିରୁ ଗୋପନ କରିଥିଲେ ମଧ୍ୟ ସୂଚନା ଯଥେଷ୍ଟ ଦେଇଛନ୍ତି ଓ ବୋମା ଦୁଇଟିକୁ ‘ସ୍ନେହ ଶ୍ରୀଫଳ’ ଆଖ୍ୟା ଦେଇଛନ୍ତି । × × × ପ୍ରଣୟୀ ଓ ପ୍ରଣୟିନୀଙ୍କ ସ୍ନେହର ଦୁଇଟି ଅଂଶ- ପ୍ରଣୟ ଓ ବିଶ୍ଵାସ । କୁଚଲୋଭୀର ଆଖି ସଜଳ ହୁଏନାହଁ । ଲାଳସାଦୀପ୍ତ ହୋଇଥାଏ । ବାସ୍ତବିକ୍‌ ପ୍ରଣୟ ଓ ବିଶ୍ଵାସ ଯେତେ ଆନ୍ତରିକ ହୁଏ, ସେତେ ଶକ୍ତିଶାଳୀ ଓ ମଧୁର ହୋଇଥାଏ । ଏମିତି ଏକ ସଫେଇ ଦେଇ ସମ୍ପାଦକ ନିତ୍ୟାନନ୍ଦ ମହାପାତ୍ର କବି ତଥା ଅଧ୍ୟାପକ ଗୋପାଳ ଚନ୍ଦ୍ର ମିଶ୍ରଙ୍କୁ ଅଶ୍ଳୀଳତାର ଅଭିଯୋଗରୁ ମୁକ୍ତ କରିବାକୁ ଉଦ୍ୟମ କରିଥିଲେ । ସେଦିନ ସକାଳୁ ସକାଳୁ ଅତୀତର ସେହି ରସାଳ ସ୍ମୃତିକୁ ଖୋଲି ବସିଲା ବେଳେ ଆମେ ସମସ୍ତେ ଏକ ସାରସ୍ଵତ ରସିକତାର ରସବୋଧରେ ଉଲୁସି ଉଠିଥିଲୁଁ ।

 

୧୯୫୭ର ସେହି ସର୍ବଭାରତୀୟ ଲେଖକ ସମ୍ମିଳନୀ ବେଳେ ଘଟିଥିବା ଆଉ ଗୋଟିଏ ଘଟଣାର, ସ୍ମୃତି ଏବେ ବି ମୋର ସ୍ପଷ୍ଟ ମନେଅଛି । ‘ରାଷ୍ଟ୍ର ଓ ସାହିତ୍ୟ’ ସଂପର୍କୀୟ ଏକ ଆଲୋଚନାଚକ୍ର ଆମ ଭାଷା - ସାହିତ୍ୟର ମୁର୍ଦ୍ଧନ୍ୟ ଲେଖକ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଉଥାଏ । ସେହି ଅଧିବେଶନରେ ମୁଖ୍ୟ ଅତିଥି ଥାନ୍ତି ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ । ଜାତୀୟ ତଥା ଆନ୍ତର୍ଜାତୀୟ କ୍ଷେତ୍ରରେ ନେହେରୁ ସେତେବେଳେ ଜଣେ ଅଗ୍ରଗଣ୍ୟ ରାଷ୍ଟ୍ରନାୟକ । ଲେଖକ ଭାବରେ ମଧ୍ୟ ତାଙ୍କର ଖ୍ୟାତି ଥାଏ ସୁଦୂରପ୍ରସାରୀ କ୍ଷମତା ଓ ଖ୍ୟାତିରେ ସେ ସେତେବେଳେ ଶୀର୍ଷ ସୋପାନରେ । ତେଣୁ ତାଙ୍କୁ ଦେଖିବା ଓ ଶୁଣିବା ପାଇଁ ସେହି ଅଧିବେବେଶନରେ ଲେଖକ ପ୍ରତିନିଧିମାନଙ୍କ ସମେତ ବହୁ ବିଶିଷ୍ଟ ସାହିତ୍ୟିକ ଓ ରଖିବାକୁ ନିର୍ଦ୍ଦେଶ ଦେଇଥାନ୍ତି । ପଣ୍ଡିତ ନେହେରୁ ଆସି ମଞ୍ଚ ମଣ୍ଡନ କରିବା ପରେ ପରେ ସଭାପତି କାଳିନ୍ଦୀବାବୁ ନିତ୍ୟାନନ୍ଦ ମହାପାତ୍ରଙ୍କୁ ତାଙ୍କ ବକ୍ତବ୍ୟ ପ୍ରଦାନ କରିବାକୁ ଡାକିଲେ । ନିତ୍ୟାନନ୍ଦବାବୁ ସେତେବେଳେ କଂଗ୍ରେସର ଘୋର ବିରୋଧୀ । ‘ଡଗର’ର ସମ୍ପାଦକୀୟ ଓ ‘ବିଲୁଆ ବିଚାର’ ସ୍ତମ୍ଭରେ ସେ ଧାରାବାହିକ ଭାବରେ ଓଡ଼ିଶାରେ ତଥା କେନ୍ଦ୍ରରେ ଶାସନ କରୁଥିବା କଂଗ୍ରେସୀ ନେତାମାନଙ୍କ ବିରୋଧରେ ଲେଖିଥାନ୍ତି । ରାଷ୍ଟ୍ର କିଭଳି ପ୍ରାନ୍ତୀୟ ଭାଷା- ସାହିତ୍ୟକୁ ବୁଦ୍ଧିଜୀବୀଙ୍କର ମଧ୍ୟ ସମାବେଶ ଘଟିଥାଏ । ମହାଜାତି ସଦନର ସଭାଗୃହ ପୂର୍ଣ୍ଣ ହୋଇଯାଇଥାଏ । ‘ରାଷ୍ଟ୍ର ଓ ସାହିତ୍ୟ’ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହୋଇଥିବାରୁ, ଏହି ଆଲୋଚନାରେ ଅଂଶ ଗ୍ରହଣ ପାଇଁ ବହୁ ସାହିତ୍ୟିକ ସେମାନଙ୍କ ନାମ ପଠାଇଥାନ୍ତି ସଭାପତିଙ୍କ ପାଖକୁ । ସଭାପତି ପ୍ରତ୍ୟେକଙ୍କୁ ମାତ୍ର ପାଞ୍ଚମିନିଟ୍‌ ମଧ୍ୟରେ ସେମାନଙ୍କ ବକ୍ତବ୍ୟ ସୀମିତ କବଳିତ କରିବାକୁ ଚେଷ୍ଟା କରୁଛି ଏବଂ ରାଷ୍ଟ୍ରଭାଷା ନାମରେ ହିନ୍ଦୀକୁ ଲଦିଦେବାକୁ ଉଦ୍ୟମ କରୁଛି, ଏହାକୁ ସେ ଅତି ସମୟର ସ୍ଵଳ୍ପତା ଦୃଷ୍ଟିରୁ ସାହସର ସହିତ ଚମତ୍କାର ଭାବରେ ଉପସ୍ଥାପନ କଲେ ଇଂରାଜୀରେ । ନେହେରୁ ବସି ଶୁଣୁଥାନ୍ତି । ମଞ୍ଚପାଖରୁ ଦୁଇ-ତିନି ଧାଡ଼ି ଛାଡ଼ି ମୁଁ ଦର୍ଶକ ଗହଣରେ ବସି ଲକ୍ଷ୍ୟ କରୁଥାଏ ନେହେରୁଙ୍କୁ । ସେ ଖୁବ୍‌ ଗମ୍ଭୀର ଓ ରାଗାନ୍ଵିତ ଜଣାପଡ଼ୁଥାନ୍ତି । କାଶ୍ମିରୀ ଗୋଲାପ ପରି ତାଙ୍କ ମୁଖମଣ୍ଡଳ ରୋଷ କଷାୟିତ ହୋଇଯାଇଥାଏ । ନିତ୍ୟାନନ୍ଦବାବୁ ମଞ୍ଚରୁ ନିଜ ଆସନକୁ ଫେରିଯିବା ପରେ ପରେ ଅନ୍ୟ କୌଣସି ବକ୍ତାଙ୍କୁ ସୁଯୋଗ ନଦେଇ ପଣ୍ଡିତ ନେହେରୁ ମାଇକ ପାଖକୁ ହଠାତ୍‌ ଉଠିଯାଇ ପ୍ରାୟ ଏକଘଣ୍ଟା କାଳ ଯେଉଁ ଭାଷଣ ଦେଇଥିଲେ, ତାହା ମୁଖ୍ୟତଃ ଥିଲା ନିତ୍ୟାନନ୍ଦବାବୁ ଦେଇଥିବା ବକ୍ତବ୍ୟର ଉତ୍ତର । ନେହେରୁଙ୍କ ଭାଷଣ ସରିବା ସଙ୍ଗେ ସଙ୍ଗେ ସେ ଅଧିବେଶନ ଶେଷ ହେଲା । କାଳିନ୍ଦୀବାବୁ ତାଙ୍କ ସଭାପତି ଅଭିଭାଷଣ ପ୍ରଥମରୁ ଦେଇ ସାରିଥିଲେ । ବାହାରକୁ ବାହାରି ଆସିବା ପରେ ପରେ ପ୍ରତିନିଧିମାନଙ୍କ ମଧ୍ୟରୁ ଅନେକେ ଆସି ନିତ୍ୟାନନ୍ଦବାବୁଙ୍କୁ ସଙ୍ଖୋଳିଲେ । ଭାରତର ପ୍ରଧାନମନ୍ତ୍ରୀଙ୍କୁ ମୁହାଁମୁହଁ ସମାଲୋଚନା କରିବାର ସାହସ ଯୋଗୁଁ ତାଙ୍କୁ ଖୁବ୍‌ ତାରିଫ କଲେ । ମୋର ମନେ ଅଛି, ମୋ ପାଖରେ ବସିଥିବା ବିଖ୍ୟାତ ବଙ୍ଗୀୟ ଲେଖକ ଓ ଅନୁବାଦକ ନରେନ୍ଦ୍ରଦେବ ଓ ତାଙ୍କ ଲେଖିକାପତ୍ନୀ ରାଧାରାଣୀ ଦେବୀ ନିତ୍ୟାନନ୍ଦବାବୁଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରି ଅଭିନନ୍ଦନ ଜଣାଇଥିଲେ । ଜଣେ ଓଡ଼ିଆ ଲେଖକ ନିର୍ଭୀକ ଭାବରେ ନେହେରୁଙ୍କୁ ସମାଲୋଚନା କରି ତାଙ୍କ ଉପସ୍ଥିତିରେ ଭାଷଣ ଦେବା ସେଦିନ ଲେଖକ ପ୍ରତିନିଧିମାନଙ୍କ ମଧ୍ୟରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଥିଲା । ଆମେ ବି ଖୁବ୍‌ ଗର୍ବ ଅନୁଭବ କରିଥିଲୁ ତାଙ୍କ ପାଇଁ ।

 

ନିତ୍ୟାନନ୍ଦବାବୁ ନିଜ ସ୍ମୃତି ଚାରଣ କରିବାକୁ ଯାଇ କହିଛନ୍ତି- ‘‘ମୋ ପାଇଁ ଜେଲଥିଲା ଦ୍ୱିତୀୟ ଘର । ମୋ ଯୌବନର ବହୁ ମୂଲ୍ୟବାନ ସମୟ ସେଇଠି ବିତିଛି । ସେହି ଜେଲଜୀବନ ବି ମୋତେ ଅନେକ କିଛି ଦେଇଛି । × × × ପ୍ରିମ୍‌ ରୋଜ ନାମରେ ଜଣେ ଆୟରଲାଣ୍ଡ୍‌ ନିବାସୀ ବ୍ୟକ୍ତି କୌଣସି ଠକାମି କେଶରେ ଦଣ୍ଡିତ ହୋଇ ସେତେବେଳେ ଆସି ବ୍ରହ୍ମପୁର ଜେଲରେ ରହୁଥାଆନ୍ତି । ତାଙ୍କ ସହ ସଂପର୍କ ମୋତେ ସାରାଜୀବନ ଋଣୀ କରିଦେଇଛି । କାରଣ ସେଇ ଜେଲରେ ତାଙ୍କଠୁ ମୁଁ ଇଂରାଜୀ କହିବା ଶିଖିଲି । × × × ଆମସାଙ୍ଗରେ ଭଦ୍ରକର ମହମ୍ମଦ ହନିଫ ମଧ୍ୟ ସେଠି ଜେଲରେ ରହୁଥିଲେ । ସେ ଜଣେ ସଚ୍ଚା ସଂଗ୍ରାମୀ ଥିଲେ । ପରେ ସେ ଭଦ୍ରକର ଏମ୍‌.ଏଲ୍‌.ଏ. ଓ ପରେ ଓଡ଼ିଶା ବିଧାନସଭାର ଉପବାଚସ୍ପତି ହୋଇଥିଲେ । ହନିଫବାବୁଙ୍କ ଠାରୁ ମୁଁ ପ୍ରତିଦିନ ଉର୍ଦ୍ଦୁ ଶିଖୁଥିଲି । × × ସେଇ ଜେଲରେ ଥିଲାବେଳେ ମୁଁ ସଂସ୍କୃତ ପଢ଼ିଲି । ଅଠରବର୍ଷ ବୟସରେ ପ୍ରଥମଥର ଜେଲଗଲାବେଳେ ‘ବନ୍ଦୀର ଆତ୍ମକଥା’ ମର୍ମରେ ‘ବନ୍ଦୀର ଚିନ୍ତା’ ବୋଲି ଗୋଟିଏ ପଦ୍ୟ ଲେଖୁଥିଲି । ସେଇଟିକୁ କିନ୍ତୁ ପୋଲିସ୍‌ ଜବତ କରି ଘେନିଗଲେ । ପରେ ଜେଲ୍‌ରେ ଥିଲାବେଳେ କାଳିନ୍ଦୀଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ‘ମାଟିର ମଣିଷ’ର ହିନ୍ଦୀ ଅନୁବାଦ ବି କରିଥିଲି । ୧୯୪୨-୪୩ରେ । ପରେ ସେ ବହିକୁ ସାହିତ୍ୟ ଏକାଡେମୀ ଛାପିଲେ । ମୋର ୧୨ ପୃଷ୍ଠାରେ ଖଣ୍ଡିଏ ଚଟିବହି ‘ସ୍ୱରାଜପାଲା’ ମଧ୍ୟ ସେଇ ଜେଲ ଭିତରେ ଥିଲାବେଳେ ଲେଖାଯାଇଥିଲା । ତାହା ଥିଲା ଇଂରେଜ ସରକାରଙ୍କ ବିରୋଧରେ ଆକ୍ରମଣ । ବହିଟିର ପ୍ରକାଶକ ଥିଲେ ହ୍ରରେକୃଷ୍ଣ ମହତାବ । ବହିକୁ ଇଂରେଜ ସରକାର ବାଜ୍ୟାପ୍ତ କରିଥିଲେ । × × × ‘ମାଉସୀ ମୋର ପ୍ରଥମ ଗପ । ବେଶ୍‌ ବଡ଼ଗପଟିଏ । ସେତେବେଳେ ଇଂରେଜ ସରକାରଙ୍କ ଦ୍ୱାରା ତାହା ମଧ୍ୟ ବାଜ୍ୟାପ୍ତ ହୋଇଥିଲା । ସଂକ୍ଷେପରେ କହିଲେ, ଏଇ ଜେଲ ଜୀବନ କାଳରେ ହିଁ ମୋର ସାହିତ୍ୟ ସୃଷ୍ଟିର ଅୟମାରମ୍ଭ ।’’ (‘ମୋ କଥା’- ଶହେଟି ଶରତ- ପୃ: ୧୦)

 

୧୯୦୩ରୁ ୧୯୪୬ ମସିହା- ଏହି ୧୬ ବର୍ଷ ସମୟ ସୀମା ମଧ୍ୟରେ ସେ ସର୍ବମୋଟ ସାତଥର ଜେଲ ଯାଇଛନ୍ତି । ଅର୍ଥାତ୍‌ ଜୀବନର ସର୍ବଶ୍ରେଷ୍ଠ ବୟସ ୧୮ରୁ ୩୪ ସେ କଟାଇଛନ୍ତି କାରାଗାର ମଧ୍ୟରେ । ମେଟ୍ରିକ୍‌ ପରୀକ୍ଷା ଦେଇପାରିନାହାନ୍ତି । କିନ୍ତୁ ସେଥିପାଇଁ ଅବଶୋଶ୍‌ କରି ନାହାନ୍ତି । ବରଂ ଏହି ଜେଲ ଏ ଜୀବନହିଁ ତାଙ୍କ ସାରସ୍ଵତ ପ୍ରତିଭାର ଉନ୍ମେଷରେ ଯଥେଷ୍ଟ ସହାୟକ ହୋଇଛି ବୋଲି ସେ ସ୍ୱୀକାର କରିଛନ୍ତି । ଉର୍ଦ୍ଦୁ ଓ ସଂସ୍କୃତ ଭାଷା ଶିକ୍ଷାକରିଛନ୍ତି । ଇଂରାଜୀରେ ବାକ୍ୟାଳପ କହିବାର ଅଭ୍ୟାସ ତାଙ୍କର ହୋଇଛି ଏହି ସମୟରେ, ଯାହାଫଳରେ କଲିକତା ଲେଖକ ସମ୍ମିଳନୀରେ ସେ ଇଂରାଜୀରେ ଭାଷଣ ଦେଇ ନେହେରୁଙ୍କ ଦୃଷ୍ଟି ଆକର୍ଷଣ କରିପାରିଛନ୍ତି-
 

୧୯୩୧ ମସିହାରେ ହରେକୃଷ୍ଣ ମହତାବ ବାଲେଶ୍ଵରରେ ଫକୀରମୋହନଙ୍କ ମଲ୍ଲିକାଶପୁରସ୍ଥ ଘରେ ‘କର୍ମ ମନ୍ଦିର’ ନାମରେ ଏକ ତାଲିମ କେନ୍ଦ୍ର ଖୋଲିଥିଲେ । ଅଧାପାଠ ପଢ଼ିଥିବା ବା ପାଠଛାଡ଼ି ସ୍ଵାଧୀନତା ସଂଗ୍ରାମରେ ଝାସ ଦେଇଥିବା ଯୁବକମାନଙ୍କୁ ପାଠ ପଢ଼ାଇ ଉପଯୁକ୍ତ କରାଇବା ଲକ୍ଷ୍ୟରେ ସେ ଏହା ପ୍ରତିଷ୍ଠା କରିଥିଲେ । ଏହି ‘କର୍ମମନ୍ଦିର’ରେ ଜେଲରୁ ଆସି ଆଉଥରେ ଜେଲରେ ଯିବା ମଝିରେ ଯୋଗ ଦେଇଥିଲେ ବୋଲି ନିତ୍ୟାନନ୍ଦ ବାବୁ ଲେଖିଛନ୍ତି ତାଙ୍କ ସ୍ମୃତିକଥାରେ । ସେଠାରେ ବିଶେଷ କରି ଇଂରାଜୀ, ଅର୍ଥଶାସ୍ତ୍ର ଓ ରାଜନୀତି ବିଜ୍ଞାନ ଶିକ୍ଷା ଦିଆଯାଉଥିଲା । ଏହି ‘କର୍ମମନ୍ଦିର’ରେ ରହଣି ତାଙ୍କ ପାଇଁ ଆଉ ଏକ ଦୃଷ୍ଟିରୁ ଥିଲା ଖୁବ୍‌ ଗୁରୁତ୍ଵପୂର୍ଣ୍ଣ । କାରଣ ସେଠାରେ ଥିଲାବେଳେ ହିଁ ସେ ଗପଲେଖା ଆରମ୍ଭ କରିଥିଲେ ଏବଂ ତାଙ୍କର ପ୍ରଥମ ଗପ ସେତେବେଳେ ବାଲେଶ୍ଵରରୁ ହରେକୃଷ୍ଣ ମହତାବଙ୍କ ପ୍ରତିଷ୍ଠିତ ‘ପ୍ରଜାତନ୍ତ୍ର’ରେ ପ୍ରକାଶ ପାଇଥିଲା । ଯାହାର ନାମ ତାଙ୍କର ସ୍ମରଣରେ ନାହିଁ ବୋଲି ସ୍ଵୀକାର କରିଛନ୍ତି ।

 

ପ୍ରଥମେ ସେ ପଦ୍ୟରଚନା ପ୍ରତି ଅଧିକ ଅନୁରାଗୀ ଥିଲେ । କିନ୍ତୁ ସେଥିରେ ସେ ସନ୍ତୁଷ୍ଟ ହୋଇପାରିଲେ ନାହିଁ । ତେଣୁ ପ୍ରକାଶର ମାଧ୍ୟମ ଭାବେ ଗଳ୍ପ, ଉପନ୍ୟାସକୁ ଗ୍ରହଣ କଲେ । ସେ ଲେଖିଛନ୍ତି - ‘କଥାବସ୍ତୁ ମୁଁ ମୋ ପରିପାର୍ଶ୍ଵରୁ ସଂଗ୍ରହ କରିଛି । ପ୍ରତିଟି ଲେଖା ମୋର ଅଙ୍ଗେନିଭା କଥା । ମୋ ନିଜସ୍ୱ ଶୈଳୀରେ ମୁଁ ଲେଖେ । ଏଇଠି ଗୋଟିଏ କଥା କହିବି- ‘ପତ୍ର ଓ ପ୍ରତିମା’ ର ଜୀବନ୍ତ ଚରିତ୍ର ମୋ ଶାଳୀ । ତାଙ୍କ ବିବାହ ପୂର୍ବରୁ ତାଙ୍କୁ ସେ ଚିଠିଗୁଡ଼ିକ ଲେଖୁଥିଲି ।’’

(‘ମୋକଥା’- ଶହେଟି ଶରତ- ପୃ. ୧୧)

 

ସେ ପୁଣି କହିଛନ୍ତି- ‘‘ମୁଁ ତ ଗୋଟିଏ ନୁହେଁ- ସହସ୍ର । ମୋ ଭିତରର କବି, କଥାକାର, ସମାଲୋଚକ, ସମସ୍ତେ ଅଲଗା ଅଲଗା । ମୁଁ କାନ୍ଦିଛି, ଆଉ ହସିଛି । କିନ୍ତୁ ଏତିକି କହିବି, ମୁଁ ଯେତିକି କାନ୍ଦିଛି, କେବଳ ମୋତେ କନ୍ଦାଇବା ପାଇଁ, କନ୍ଦାଇ ସୁଖ ପାଇବା ପାଇଁ । × × × ଯେତିକି ହସିଚି- ସେ କେବଳ ଆପଣଙ୍କୁ ହସାଇବା ପାଇଁ ।’’ (ମୁଁ କାହିଁକି ଲେଖେ?)

 

ଏହି ସ୍ଵୀକାରୋକ୍ତିରୁ ଶତାବ୍ଦୀ ସାଧକ ନିତ୍ୟାନନ୍ଦଙ୍କୁ ଜାଣିବାରେ ଓ ବୁଝିବାରେ ଅସୁବିଧା ହେବନାହିଁ । ତଥାପି ସେ ଅତି ନମ୍ର ଭାବରେ କହନ୍ତି- ‘‘ମୁଁ ଜାଣେ ସାଧନା ପାଇଁ ଯଥେଷ୍ଟ ଶକ୍ତି ମୋର ନାହିଁ । ତଥାପି ମୁଁ ସାଧୁଛି । ମୁଁ ବେଳେବେଳେ କଳ୍ପନାରେ ସାଧକ ବା ସିଦ୍ଧିର ଆସନରେ ନିଜକୁ ବସାଇ ଦେଖେ ମୋର ପ୍ରକୃତ ଆସନ କେତେ ତଳେ ସତେ ! ମୁଁ ଭାବେ, କବି ବୋଧେ ସିଦ୍ଧିଲାଭ କରିବାକୁ ଜନ୍ମିନାହିଁ । କବି ଅଭିଶପ୍ତ ତ୍ରିଶଙ୍କୁ ।’’ କିନ୍ତୁ ମୁଁ ତାଙ୍କୁ ‘ଅଭିଶପ୍ତ’ ବା ‘ତ୍ରିଶଙ୍କୁ’ କହିବି ନାହିଁ । ବରଂ ମୋ ଦୃଷ୍ଟିରେ ସେ ଜଣେ ସଫଳ ସାରସ୍ଵତ ସାଧକ, ଯିଏ ଶତବର୍ଷର ଜୀବନକାଳକୁ ଦେଶ, ଜାତି ଓ ସାହିତ୍ୟର ସେବାରେ ନିରନ୍ତର ନିୟୋଜନ କରି ନିଜ ଜୀବନକୁ ଧନ୍ୟ କରିଛନ୍ତି । ଆଉ ଧନ୍ୟ କରିଛନ୍ତି ଆମକୁ ଆମ ଭଳି ଅଗଣିତ କବି, ଲେଖକ ଓ ପାଠକଙ୍କୁ ।

 

ମୋର ମନେପଡ଼େ, ୧୯୮୮ ମସିହା ଜାନୁଆରୀ ମାସରେ ଯେତେବେଳେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବ୍ୟାସକବି କଥା ସମ୍ରାଟ ଫକୀରମୋହନଙ୍କ ଜୟନ୍ତୀ ଅବକାଶରେ ଗୋଟିଏ ଦିନ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଜନ୍ମଶତବାର୍ଷିକୀ ପାଳନ କରାଯିବା ପାଇଁ ଆମେ ସ୍ଥିରକଲୁଁ, ସେତେବେଳେ ଉକ୍ତ ଅନୁଷ୍ଠାନର ସଭାପତି ଭାବରେ ମୁଁ କାନ୍ତକବିଙ୍କ ସୁଯୋଗ୍ୟପୁତ୍ର ନିତ୍ୟାନନ୍ଦଙ୍କୁ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ନିମନ୍ତ୍ରଣ କରିଥିଲି । ସେ ନିମନ୍ତ୍ରଣ ରକ୍ଷା କରି ନିଜ ପଡ଼ୋଶୀ ସାହିତ୍ୟିକ ଡ. ଭାବଗ୍ରାହୀ ମିଶ୍ର (ଆଚାର୍ଯ୍ୟ ଭାବାନନ୍ଦ)ଙ୍କୁ ସାଙ୍ଗରେ ଧରି ଆସି ୧୬.୧.୧୯୮୮ରେ ଭକ୍ତ ଶତବାର୍ଷିକୀ ଉତ୍ସବରେ ଯୋଗଦେଇଥିଲେ । ଏହାର ଅଳ୍ପଦିନ ଆଗରୁ ୧୯୮୭ ମସିହା ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷିତ ହୋଇଥାଏ, ଏବଂ ‘ଘରଡ଼ିହ’ ଉପନ୍ୟାସ ପାଇଁ ଶ୍ରୀ ମହାପାତ୍ର ସେ ବର୍ଷର ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଯାନ୍ତି । ଅବଶ୍ୟ ତାଙ୍କ ପୂର୍ବରୁ ତାଙ୍କଠାରୁ ବୟସ ଓ ସାଧନାରେ ବଳିଷ୍ଠ ଓ ତାଙ୍କ ସମ୍ପାଦିତ ‘ଡଗର’ ପତ୍ରିକାରୁ ସାହିତ୍ୟିକ ଜୀବନ ଆରମ୍ଭ କରିଥିବା ଅନେକ କବି- ଲେଖକ ଏହି ପୁରସ୍କାର ଲାଭର ଗୌରବ ଅର୍ଜନ କରିସାରିଥାନ୍ତି । ତେଣୁ ତାଙ୍କ ମନରେ କିଛି ପରିମାଣରେ ଗ୍ଳାନି ଥିବାର ମୁଁ ଲକ୍ଷ୍ୟ କରିଥିଲି । ଏହା ସହିତ ଆଉ ମଧ୍ୟ ଲକ୍ଷ୍ୟ କରିଥିଲି - ତାଙ୍କ ହାତଗଢ଼ା ସାରସ୍ଵତ ସ୍ରଷ୍ଟାମାନେ ଏହି ସମ୍ମାନର ଅଧିକାରୀ ହୋଇଥିବାରୁ ସେ ଆନନ୍ଦ ଓ ସନ୍ତୋଷ ଲାଭ କରିଛନ୍ତି । ଏହା ମଧ୍ୟ ତାଙ୍କର ନିଜର ଗୌରବ ବୋଲି ସେ କହୁଥିଲେ ।

 

ସେଦିନର ସଭାରେ ମୁଁ ସଭାପତିତ୍ୱ କରିଥିଲି । ସମ୍ମାନିତ ଅତିଥି ଭାବରେ ଭାବଗ୍ରାହୀବାବୁ ଏବଂ ସମ୍ମାନିତ ବକ୍ତା ଭାବରେ ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇଥିଲେ । ଏହି ଅବସରରେ ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ନିତ୍ୟାନନ୍ଦବାବୁଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିବାର ଦୁର୍ଲଭ ସୌଭାଗ୍ୟ ମୋର ହୋଇଥିଲା । ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ ସେ କହିଥିଲେ- ‘ଯଦି ଫକୀରମୋହନ ନଥାନ୍ତେ ତାହେଲେ ମୁଁ (ନିତ୍ୟାନନ୍ଦ ମହାପାତ୍ର) ଏ ସଂସାରକୁ ଆସିପାରି ନଥାନ୍ତି । ଅନେକେ ହଠାତ୍‌ ତାଙ୍କର ଏକଥାର ମର୍ମ ବା ତାତ୍ପର୍ଯ୍ୟ ବୁଝି ନ ପାରିବାରୁ ସେ ବକ୍ତବ୍ୟକୁ ସ୍ପଷ୍ଟ କରିବାକୁ ଯାଇ ତାଙ୍କ ପୂଜ୍ୟପିତା କାନ୍ତକବିଙ୍କ ଲିଖିତ ‘ମୋ ଜୀବନ ଉପରେ ଦାଢ଼ିର ପ୍ରଭାବ’ ଲେଖାକୁ ଉଲ୍ଲେଖ କରିଥିଲେ । ବହୁବର୍ଷ ତଳେ ବ୍ୟାସକବି ଫକୀରମୋହନ ମଧ୍ୟସ୍ଥିର ଭୂମିକା ତୁଲାଇ କାନ୍ତକବି ଲକ୍ଷ୍ମୀକାନ୍ତକ ତରୁଣବୟସରେ ସୁନହଟ ନିବାସୀ ଜମିଦାର ଲାଲମୋହନ ଦାସଙ୍କ କନ୍ୟା ଲବଙ୍ଗଲତାଙ୍କ ସହ ତାଙ୍କ ବିବାହ ସଂପନ୍ନ କରାଇଥିଲେ । ଏହା ଫଳରେ ସାହିତ୍ୟିକ ନିତ୍ୟାନନ୍ଦଙ୍କ ଜନ୍ମ ସମ୍ଭବ ହୋଇପାରିଥିଲା । ଲକ୍ଷ୍ମୀକାନ୍ତଙ୍କ ଔରସରେ ଲବଙ୍ଗଲତାଙ୍କ ଗର୍ଭରୁ ପ୍ରଥମ ସନ୍ତାନ ରୂପେ ନିତ୍ୟାନନ୍ଦ ଭୂମିଷ୍ଠ ହୋଇଥିଲେ ଶହେବର୍ଷ ତଳେ । ୧୯୯୧ ମସିହା ଜୁନ୍‌ ୧୭ ତାରିଖରେ । ତେଣୁ ସେଦିନ ସେ ଫକୀରମୋହନଙ୍କୁ ସ୍ମରଣ କରିଥିଲେ ଏହି ମଧୁର ସ୍ମୃତି ମାଧ୍ୟମରେ । ଏହି ମଧୁର ସ୍ମୃତି ମଧ୍ୟରେ । ଏହା ବ୍ୟତୀତ ସଂବର୍ଦ୍ଧନାର ଉତ୍ତରରେ ସେ ଆଉ ମଧ୍ୟ କହିଥିଲେ- ‘‘ଏହି ପୁରସ୍କାରକୁ ମୁଁ ଖୁବ୍‌ ଉଚିତ ମନେ କରୁନାହଁ, ଏବଂ ସଂପ୍ରତି ପୁରସ୍କାର ପାଇବାର ବିଚାର ଯେପରି, ସେଥିରେ ମୁଁ ଜୀବଦଶାରେ ତାହା ପାଇବି ବୋଲି ଆଶା କରୁ ନ ଥିଲି । × × × ଜାତୀୟ ଆନ୍ଦୋଳନ ସମ୍ପର୍କରେ ଆମ ଓଡ଼ିଆ ଉପନ୍ୟାସ ନୀରବ ରହୁଥିଲା । ମୁଁ ‘ଘରଡ଼ିହ’ରେ ୧୯୬୨ ମସିହା ପର୍ଯ୍ୟନ୍ତ ଓଡ଼ିଶାର ଗ୍ରାମ୍ୟ ଜୀବନର ନିଚ୍ଛକ ତଥା ବାସ୍ତବ ରୂପ ସଂପର୍କରେ ବର୍ଣ୍ଣନା କରିବାକୁ ଯତ୍‌ପରୋନାସ୍ତି ଉଦ୍ୟମ କରିଛି, ଘଟଣାପ୍ରବାହ ହିଁ ଏହି ଉପନ୍ୟାସର ମୁଖ୍ୟ ନାୟକ ଏ ପ୍ରକାର ଉପନ୍ୟାସ ଲେଖିବାର ପାଞ୍ଚବର୍ଷ ପରେ ଜଣେ ୟୁରୋପୀୟ ସାହିତ୍ୟିକ ନର୍‌ୱେନ୍‌ ଜୀବନଧାରା ଉପରେ ଆଧାରିତ ଉପନ୍ୟାସ ପାଇଁ ନୋବେଲ୍‌ ପୁରସ୍କାର ପାଇଥିଲେ । ତେଣୁ ଏ ପୁରସ୍କାର ଗୌରବ ମୁଁ ନିଜକୁ ନିଜେ ନେବି ସିନା, ଅନ୍ୟ କେହି ତାହା ମୋତେ ଦେଇ ପାରିବେ ନାହଁ ।’’ (ରିପୋର୍ଟ୍‌- ପ୍ରଜାତନ୍ତ୍ର ୨୬/୧/୧୯୮୮)

 

ସେଦିନର ସମ୍ମାନିତ ଅତିଥି ଭାବଗ୍ରାହୀ ମିଶ୍ର ନିତ୍ୟାନନ୍ଦ ବାବୁଙ୍କ ସୃଷ୍ଟି ସଂର୍ପକରେ ମତପ୍ରକାଶ କରିବାକୁ ଯାଇ କହିଥିଲେ- ‘‘ନିତ୍ୟାନନ୍ଦ ବାବୁ ରାଜନୀତିରେ ପ୍ରବେଶ କରି ସାହିତ୍ୟିକ ସତ୍ତା ହରାଇଛନ୍ତି ବୋଲି ଯେଉଁମାନେ କହୁଛନ୍ତି, ସେମାନେ ଜାଣିବା ଆବଶ୍ୟକ ଯେ ସାହିତ୍ୟିକ ନିତ୍ୟାନନ୍ଦ ରାଜନୀତିରେ ପ୍ରବେଶ କରିନଥିଲେ ‘ଘରଡ଼ିହ’ ଉପନ୍ୟାସ ସୃଷ୍ଟିହୋଇ ପାରିନଥାନ୍ତା । ଏହା ଅନେକାଂଶରେ ସତ୍ୟବୋଲି ମୋର ମଧ୍ୟ ମନେହୁଏ ।’’

 

ଅଳ୍ପ କେତେବର୍ଷ ତଳେ ଓଡ଼ିଶାର ପ୍ରାଚୀନତମ ସାହିତ୍ୟାନୁଷ୍ଠାନ ‘ଉତ୍କଳ ସାହିତ୍ୟ ସମାଜ’ ପକ୍ଷରୁ ତାଙ୍କୁ ‘ଉତ୍କଳଶ୍ରୀ’ ସମ୍ମାନରେ ଭୂଷିତ କରିବାର ସିଦ୍ଧାନ୍ତ ନିଆଗଲା । ସେତେବେଳେ ମୁଁ ସାହିତ୍ୟ ସମାଜର କାର୍ଯ୍ୟକାରୀ ସମିତିର ସଦସ୍ୟ ଥାଏ । ନିତ୍ୟାନନ୍ଦବାବୁ ବୟସାଧିକ୍ୟ ଯୋଗୁଁ ଚଳାଚଳ କରିବାକୁ ଅସମର୍ଥ ଥିବାରୁ ତାଙ୍କୁ କଟକ ଆଣିବାକୁ ମଙ୍ଗୁନଥାନ୍ତି ତାଙ୍କ ପୁଅ ମହାଭାବପ୍ରକାଶ । ତେଣୁ ସାହିତ୍ୟ ସମାଜର ସମ୍ପାଦକ ମୋତେ ଦାୟିତ୍ଵ ଦେଇଥିଲେ ତାଙ୍କ ପୁଅକୁ ବୁଝାଇବାକୁ । ମୁଁ ଆଗଦିନ ଭୁବନେଶ୍ୱର ବାସଭବନରେ ନିତ୍ୟାନନ୍ଦବାବୁଙ୍କୁ, ଭେଟିବାରୁ ସେ ଖୁବ୍‌ ଖୁସିହେଲେ ଏବଂ ଆସିବାକୁ ଇଚ୍ଛାପ୍ରକାଶ କଲେ, କିନ୍ତୁ ପୁଅ ସମ୍ମତ ହେଲେ ଆସିବେ ବୋଲି କହିଲେ । ଯା’ ହେଉ ଶେଷରେ ଉତ୍ସବଦିନ କାରରେ ତାଙ୍କୁ ‘ଶତାବ୍ଦୀ ଭବନ’କୁ ଅଣାଯାଇଥିଲା । ସେ କିନ୍ତୁ ସଭାମଣ୍ଡପ ଉପରକୁ ଯାଇପାରିଲେ ନାହିଁ । ମୁଖ୍ୟଅତିଥି ତଳକୁ ଓହ୍ଲାଇ ଆସି ତାଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ତାଙ୍କୁ ସମ୍ବର୍ଦ୍ଧନା ଉତ୍ତରରେ କିଛି କହିବାକୁ ଅନୁରୋଧ କରାଯିବାରୁ ସେ କହିଥିଲେ- ଏକଦା କେତେକ ସାହିତ୍ୟାନୁରାଗୀ ବନ୍ଧୁଙ୍କ ଅନୁରୋଧ ଏଡ଼ାଇ ନପାରି ସେ ଏହି ଅନୁଷ୍ଠାନର ସଭାପତି ପଦପାଇଁ ପ୍ରାର୍ଥୀ ହୋଇଥିଲେ । ତାଙ୍କର ଯିଏ ପ୍ରତିଦ୍ଵନ୍ଦୀ ଥିଲେ, ସେ ଜଣେ ସାହିତ୍ୟପ୍ରେମୀ କିନ୍ତୁ ସେଭଳି ବିଶେଷ ଲେଖାଲେଖି ବା ସାହିତ୍ୟସାଧନା ତାଙ୍କର ନଥିଲା । କିନ୍ତୁ ସେ ସଦସ୍ୟମାନଙ୍କୁ ନାନାଭାବରେ ପ୍ରଭାବିତ କରି ନିର୍ବାଚନରେ ଜିତିଲେ । ନିତ୍ୟାନନ୍ଦବାବୁ ହାରିଲେ । ସେହିଦିନଠାରୁ ସେ ଅଭିମାନ ଓ କ୍ଷୋଭରେ ସାହିତ୍ୟ ସମାଜର ସଭାକୁ ଆସୁନଥିଲେ । ଏତେବର୍ଷ ପରେ ସେହି ଅନୁଷ୍ଠାନ ତାଙ୍କର ଆଜୀବନ ସାଧନା ପାଇଁ ତାଙ୍କୁ ‘ଉତ୍କଳଶ୍ରୀ’ ସମ୍ମାନରେ ଭୂଷିତ କରୁଥିବାରୁ ସେ ଏହାକୁ ଇତିହାସର ବିଡ଼ମ୍ବନା ବୋଲି କହିଥିଲେ ।

 

ନିତ୍ୟାନନ୍ଦବାବୁ ଜଣେ ସାହିତ୍ୟ ସାଧକ ଓ ସ୍ଵାଧୀନତା ସଂଗ୍ରାମୀ । ଭିନ୍ନ ଭାବରେ କହିଲେ ସେ ଜଣେ ସାହିତ୍ୟ- ସଂଗ୍ରାମୀ ମଧ୍ୟ । ‘ଡଗରକୁ ଆୟୂଧ କରି, କଲମକୁ ମାଧ୍ୟମ କରି ସେ ନାନା ଅପଶକ୍ତିଙ୍କ ବିରୋଧରେ ଆଜୀବନ ସଂଗ୍ରାମ କରିଛନ୍ତି । ମହା ମହା ରଥୀଙ୍କ ଆଗରେ ଦମ୍ଭର ସହ ଠିଆ ହୋଇଛନ୍ତି । ସ୍ଥଳ ବିଶେଷରେ ନିଜେ କ୍ଷତାକ୍ତ ହେଲେ ମଧ୍ୟ ନିଜର ଟାଣପଣରୁ ବିରତ ହୋଇ ନାହାନ୍ତି । ସେ ନିତ୍ୟା ଆନନ୍ଦ -ଲୋକରେ ବିଚରଣ କରି ନିତ୍ୟାନନ୍ଦ ନାମକୁ ସାର୍ଥକ କରିଛନ୍ତି । ବୈଷ୍ଣବଜନୋଚିତ ବିନୟ ଗୁଣରେ ଅନ୍ୟମାନଙ୍କୁ ମୋହିତ କଲେ ମଧ୍ୟ ଅନ୍ୟାୟ ଅନୀତି ଆଗରେ ନତ ମସ୍ତକ ହୋଇନାହାନ୍ତି । ଲଘୁହାସ୍ୟ, ଶାଣିତବ୍ୟଙ୍ଗ ଓ ବୈଦଗ୍ଧ୍ୟରେ ମଣ୍ଡିତ ତାଙ୍କର ସମଗ୍ର ସରସ୍ଵତ ସୃଷ୍ଟି । ଗୋଟିଏ ସମୟଖଣ୍ଡର ଗ୍ରାମୀଣ ଜନଜୀବନକୁ ରୂପାୟିତ କରିବାକୁ ଯାଇ ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଓ ‘ଘରଡ଼ିହ’ ନାମରେ ଯେଉଁ ଉପନ୍ୟାସ ତ୍ରୟୀ ରଚନା କରିଛନ୍ତି, ତାହାର ସାରସ୍ୱତ ଆବେଦନ ଅନନ୍ୟ । ଆମ ଓଡ଼ିଆ ସାହିତ୍ୟକ୍ଷେତ୍ରରେ ସେହିଁ ବୋଧହୁଏ ଏକମାତ୍ର ଯଶସ୍ଵୀସ୍ରଷ୍ଟା ଯିଏ ଶହେଟି ଶରତ ଦେଖିବାର ସୌଭାଗ୍ୟ ଲାଭ କରିଛନ୍ତି । ଏବେବି ତାଙ୍କର ସ୍ମରଣଶକ୍ତି ଅନେକାଂଶରେ ଅତୁଟ ରହିଛି । ଗତ ଜୁନ୍‌ ୧୭ ତାରିଖରେ ତାଙ୍କ ଶତବର୍ଷ ଜୟନ୍ତୀ ଉପଲକ୍ଷେ ତାଙ୍କ ଭୁବନେଶ୍ୱରସ୍ଥ ବାସଗୃହରେ ଆମେ ଯେତେବେଳେ ତାଙ୍କୁ ଅଭିନନ୍ଦନ ଜଣାଇ ପୁଷ୍ପଗୁଚ୍ଛ ପ୍ରଦାନ କଲୁ ସେ ଆନନ୍ଦରେ ତାହା ଗ୍ରହଣ କରିଥିଲେ ଏବଂ ଜଣ ଜଣ କରି ସମସ୍ତଙ୍କୁ ଚିହ୍ନି ନାମଧରି ଡାକିଥିଲେ । ଏହି ଅନନ୍ୟ ସାଧକଙ୍କ ସ୍ନେହମମତା (ବିଶେଷ କରି ତରୁଣ ଲେଖକମାନଙ୍କ ପ୍ରତି) ଭୁଲିବାର ନୁହେଁ । ମୋର କବିତା ପ୍ରଥମେ ସେ ‘ଡଗର’ରେ ପ୍ରକାଶ କରି ଷାଠିଏ ବର୍ଷ ତଳେ ମୋତେ ଯେଉଁ ପ୍ରେରଣା ଦେଇଥିଲେ, ତାହାରି ଫଳଶ୍ରୁତି ସ୍ଵରୂପ ମୁଁ ଆଜି ସାହିତ୍ୟ କ୍ଷେତ୍ରରେ କିଛି ସ୍ଵୀକୃତି ଓ ସମ୍ମାନ ପାଇପାରିଛି । ମୁଁ ଏକା ନୁହେଁ, ଅନେକେ ଏହା ମୁକ୍ତକଣ୍ଠରେ ସ୍ଵୀକାର କରିବେ ।

 

ସେ ଲେଖିଛନ୍ତି ‘‘ଦୂବଠାରୁ ଦାରୁ ଯାଏଁ ସମସ୍ତଙ୍କ ସାର୍ଥକତା ମୁଁ ଦେଖେ । କାହାକୁ ବୀର × × (Hero) କରି ବା କାହାକୁ ଭୀରୁ କରିପାରୁ ନାହିଁ ଆଜିକାଲି ।’’ (‘ନାୟକ’- ପତ୍ର ଓ ପ୍ରତିମା)

 

ଏହି ସମଦର୍ଶୀ ଶତାୟୁ ସାରସ୍ଵତ ସାଧକଙ୍କୁ ମୁଁ ମୋର ଶତାବ୍ଦୀ ପ୍ରଣାମ ଜଣାଇ ତାଙ୍କର ଆଶୀର୍ବାଦ କାମନା କରୁଛି । ସେ ନିରୋଗ ରହି ଏବଂ ଆଉ କିଛିବର୍ଷ ଜୀବିତ ରହି ଆମ ପ୍ରେରଣାର ଆଲୋକସ୍ତମ୍ଭ ହୁଅନ୍ତୁ ଏହି ଆଶା ମଧ୍ୟ ପୋଷଣ କରୁଛି ।

 

 

ବ୍ରଜନାଥ ରଥ

ସୁନହଟ- ବାଲେଶ୍ଵର - ୨ ।

 

ଜୀବେତ୍‌ ଶରଦଃ ଶତମ୍‌

ଫନୀ ମହାନ୍ତି

 

ବିଭୁ କୃପାରୁ କ୍ୱଚିତ୍‌ ଭାଗ୍ୟବାନ ମଣିଷ ୟେ’ ଧରାଧାମରେ ଜନ୍ମ ନେଇଥାନ୍ତି ଯେଉଁମାନେ ଶହେଟି ଶରତ ନିଷ୍କଳଙ୍କ ଭାବେ ଜୀଇଁ ରହି ମା’ ମାଟି ଓ ମଣିଷର ସୁଖଦୁଃଖରେ ସେବା କରିଥାନ୍ତି, ନିଜ ଭାଷା ଓ ସଂସ୍କୃତିର ଭୂୟୋବିକାଶରେ ଆତ୍ମୋତ୍ସର୍ଗ କରି ନିଜ ମାତୃଭୂମିକୁ ଗୌରବାନ୍ୱିତ କରିବାରେ ସଫଳ ହୋଇଥାନ୍ତି । କାଳକାଳ ପାଇଁ ସେଇମାନେ ହିଁ ଜାତିସ୍ମର ଆଖ୍ୟା ପାଇଥାନ୍ତି । ବିଶିଷ୍ଟ ଔପନ୍ୟାସିକ, ପ୍ରଖ୍ୟାତ ଗାଳ୍ପିକ ଧୂରୀଣ ସାମ୍ବାଦିକ ଓ ନିରଂହକାରୀ ରାଜନେତା ସମ୍ମାନସ୍ପଦ ନିତ୍ୟାନନ୍ଦ ମହାପାତ୍ର ସେହିପରି ଜଣେ ଇତିହାସ ପୁରୁଷ ଯିଏ ଉତ୍କଟ ଦାରିଦ୍ର୍ୟ ଓ ବହୁବିଧ ଘାତପ୍ରତିଘାତ ଭିତରେ ଜଣେ ନିଷ୍କାମ କର୍ମଯୋଗୀ ପରି ଜୀବନକୁ ଜୀବନ ଭଳି ବଞ୍ଚାଇ ଦେଶ ମାତୃକାର ସେବାରେ ଏ ଯାବତ ନିଜକୁ ତଲ୍ଲୀନ କରି ରଖିଛନ୍ତି । ତାଙ୍କ ସର୍ଜନାତ୍ମକ ଜୀବନ ବୃକ୍ଷରେ ନାନା ରଙ୍ଗବେରଙ୍ଗର ସଜଫୁଟା ଫୁଲ ଯାହା ବିଦଗ୍ଧ ପାଠକପାଠିକାଙ୍କ ଦୃଷ୍ଟି ଆକର୍ଷଣ ଅଚିରେ କରିଥାଏ । ପୁରସ୍କାର ପ୍ରୋତ୍ସାହନ, ମାନପତ୍ର ଓ ସମ୍ବର୍ଦ୍ଧନା ପ୍ରତି ବିମୁଖ ଏଇ ମହାନ୍‌ କାଳଜୟୀ ସାରସ୍ଵତ ସାଧକ ସର୍ଜନ କିୟାର ପ୍ରାୟ ସବୁ ବିଭାଗରେ ଲେଖନୀ ଚାଳନା କରି ନିଜର ପାଣ୍ଡିତ୍ୟ ଓ ପାରଦର୍ଶିତା ପ୍ରମାଣିତ କରିଛନ୍ତି । ମାଟି ମନସ୍କ ମଣିଷର ସୁଖଦୁଃଖ ଅଭାବ ଅସୁବିଧା, ଆଶାନିରାଶା ଓ ଅର୍ନ୍ତଦାହକୁ ସେ ଯେପରି ସଫଳଭାବେ ଆବଶ୍ୟକ ଭାଷାରେ ରୂପ ଦେଇ ଜନଗଣଙ୍କର ମନହରଣ କରିବାକୁ ସମର୍ଥ ହୋଇଛି ତାହା ତାଙ୍କ ସମସାମୟିକ ସ୍ରଷ୍ଟାମାନଙ୍କ ରଚନାରେ କ୍ଵଚିତ୍‌ ଦେଖିବାକୁ ମିଳେ । ସରଳ ନିରଳସ ଜୀବନଯାପନର ପ୍ରଣାଳୀ ଭିତରେ ସେ ନିଜର ସ୍ଥିରୀକୃତ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ଜୀବନସାରା ସଂଗ୍ରାମ କରି ଆସିଛନ୍ତି । ଅନ୍ୟାୟ ଅନୀତି ସହିତ ସାଲିସ କରି ନାହାନ୍ତି, କାହାରି ପଦଲେହନ କରି ନାହାଁନ୍ତି । ସୀମିତ ସ୍ୱାର୍ଥ ହାସଲ ପାଇଁ କେବେ ମଥା ଅବନତ କରି ନାହାନ୍ତି କାହାରି ପାଖେ ।

 

ଏକ ମପାଚୁପା ରୁଟିନୀୟ ଜୀବନ ଭିତରେ ଅକୁତୋଭୟଭାବେ ସେ ନିଜର କର୍ତ୍ତବ୍ୟ ସମ୍ପାଦନା କରି ଆସିଛନ୍ତି । ନିଜ ଲକ୍ଷ୍ୟ ଓ ଆଦର୍ଶରୁ ପଥଚ୍ୟୁତ ହୋଇ ନାହାଁନ୍ତି । ତାଙ୍କୁ ଦେଖିଲେ ପ୍ରଥମ ଦେଖାରେ ମନେ ହୁଏ ସେ ଜଣେ ସିଦ୍ଧଯୋଗୀ, ଦୃଢ଼ ସଙ୍କଳ୍ପ କର୍ମବୀର । ବୟସର ପ୍ରାବଲ୍ୟ ତାଙ୍କୁ ନିଷ୍କ୍ରିୟ କରି ପାରି ନାହଁ ଯେଉଁଥିପାଇଁ ଶହେଟି ଶରତ ନିବିଘ୍ନରେ ଜୀଇଁଲା ପରେ ବି ସେ କର୍ମସନ୍ନ୍ୟାସ ପ୍ରଥାକୁ ଅବଲମ୍ବନ କରି ନାହାଁନ୍ତି ଏ ଯାବତ୍‌ । ଶତାୟୁ ଶ୍ରୀ ମହାପାତ୍ରଙ୍କୁ ସମ୍ବର୍ଦ୍ଧନା ଜଣାଇବାକୁ ଏକାଡେମୀ ସଚିବଙ୍କ ଅନୁରୋଧକ୍ରମେ ବହୁ ପ୍ରଥିତଯଶା ସାରସ୍ଵତ ସାଧକଙ୍କ ଗହଣରେ ଏହି ଅକିଞ୍ଚନ ସେଦିନ ତାଙ୍କ ବାସଭବନରେ ତାଙ୍କୁ ଭେଟି ନିଜର ଭକ୍ତି ନିବେଦନ କରିବାର ସୁଯୋଗ ପାଇଥିଲା । କିନ୍ତୁ ମହାନ୍‌ ସିଦ୍ଧପୁରୁଷ ମତେ ଚିହ୍ନି ପାରି ନ ଥିଲେ । ବୟସାଧିକ୍ୟ ହେତୁ ତାହା ଯେ ହୋଇଥିବ ଏଥିରେ ସନ୍ଦେହର ଅବକାଶ ନାହିଁ, କାରଣ ବହୁବାର ତାଙ୍କର ୟୁନିଟ-୩ ବାସଭବନରେ ମୁଁ ଶ୍ରଦ୍ଧେୟ ଗୁରୁକଲ୍ୟାଣ ଓ ପ୍ରଭୁକଲ୍ୟାଣଙ୍କ ଗହଣରେ ତାଙ୍କୁ ଭେଟିଛି । ତାଙ୍କ ସହ ଭାବ ବିନିମୟ କରିବାର ସୁଯୋଗ ପାଇଛି । ତାଙ୍କର ନିରୋଗ ସୁସ୍ଥ କର୍ମମୟ ଜୀବନ ପାଇଁ ମୁଁ ସାଇଙ୍କୁ ପ୍ରାର୍ଥନା କରୁଛି ଏବଂ ଆଶା କରୁଛି ନିମ୍ନୋକ୍ତ ଆପ୍ତବାକ୍ୟର ଯୋଗ୍ୟ ଉତ୍ତରାଧିକାରୀ ହୋଇ ସେ ମହନୀୟ ସ୍ରଷ୍ଟା ଆମମାନଙ୍କ ଗହଣରେ ଯାବତ୍‌ ଚନ୍ଦ୍ରାକେ ରହିଥାନ୍ତୁ ଆମ ଚେତନାରେ, ଆମ ସ୍ମୃତିରେ ।

 

ଜୀବେତ୍ ଶରଦଃ ଶତମ୍‌

ରୀବେତ୍ ଶରଦଃ ଶତମ୍‌

ଭବେମ ଶରଦଃ ଶତମ୍‌

ଭୂୟସୀ ଶରଦଃ ଶତମ୍‌ ॥

 

ପୁଷ୍ପଧନୁ, ବମିଖାଲ,

ଭୁବନେଶ୍ୱର- ୧୦

***

 

ଶତାବ୍ଦୀ ସାଧକ ନିତ୍ୟାନନ୍ଦ ମହାପାତ୍ର : କିଛି

ସ୍ମୃତିର ଝଲକ ଓ ସୃଷ୍ଟର ମହକ

ରବିନାରାୟଣ ସେନାପତି

 

ସେ ହେଉଛନ୍ତି ଶହେଟି ଶରତ ଅତିକ୍ରମ କରିଥିବା ଶତାବ୍ଦୀ ପୁରୁଷ । ଜୀବନର ଶହେଟି ସୋପାନ ଆରୋହଣ କରିଥିବା ଜଣେ ସାର୍ଥକ ଜୀବନ ଶିଳ୍ପୀ । ସାହିତ୍ୟର ପ୍ରତିଟି ବିଭାଗରେ ନିଜ ସାଧନାର ଅମ୍ଳାନ ସ୍ଵାକ୍ଷର ଛାଡ଼ିଥିବା ଓଡ଼ିଆ ସାହିତ୍ୟର ବରେଣ୍ୟ ସାରସ୍ଵତ ସାଧକ । ଜଣେ ନିଃସ୍ଵାର୍ଥପର ଦେଶପ୍ରେମୀ, ସଂଗ୍ରାମୀ ଜନସେବକ, ସ୍ଵନାମଧନ୍ୟ ‘ଡଗର’ ପତ୍ରିକାର ନିର୍ଭୀକ ସମ୍ପାଦକ, ପ୍ରଜ୍ଞାଦୀପ୍ତ, ନିରନ୍ତର ଜ୍ଞାନତପସ୍ଵୀ, ସର୍ବୋପରି ଜଣେ ସରଳ, ସ୍ଵାଭିମାନୀ ନିରହଂକାର ସ୍ରଷ୍ଟା ଆମ ସମସ୍ତଙ୍କର ଚିର ନମସ୍ୟ ନିତ୍ୟାନନ୍ଦ ମହାପାତ୍ର । ଜୀବନ ଅନୁରାଗୀ ସଂସାର ବୈରାଗୀ ସାହିତ୍ୟ ସାଧକ ନିତ୍ୟାନନ୍ଦଙ୍କ ଗୀତର ଦୁଇଧାଡ଼ି ମନେପଡ଼େ- ‘ଜୀବନ ମୋର ଅତି ଆପଣାର, ହାତେ ଧରି ନିତି ଦେଖେ ବାରବାର । ସେ ଜଣେ ସାର୍ଥକ ଜୀବନ ଶିଳ୍ପୀ । ନିତ୍ୟାନନ୍ଦ ମହାପାତ୍ରଙ୍କର ଜନ୍ମ ଜମିଦାର ବଂଶରେ ଭଦ୍ରକ ଜିଲ୍ଲାର ତାଳପଦା ଗ୍ରାମରେ । ମୋ ଗାଁ ବାଲିଝରୀର ସମୀପବର୍ତ୍ତୀ ଗାଁ । ତାଙ୍କ ତାଳପଦାସ୍ଥିତ ବାସଭବନରେ ମୋର ପିଲାଦିନେ ବହୁ ସମୟ ଅତିବାହିତ ହୋଇଛି । ତାଳପଦାରେ ପ୍ରତିଷ୍ଠିତ କାନ୍ତ ସାହିତ୍ୟ ସଂସଦର ସମ୍ପାଦକ ଭାବରେ ଛାତ୍ର ଜୀବନରେ ମୁଁ କାର୍ଯ୍ୟନିର୍ବାହ କରିଛି । କାନ୍ତକବିଙ୍କର ଦ୍ୱିତୀୟ ପୁତ୍ର ତଥା ନିତ୍ୟାନନ୍ଦଙ୍କର ଅନୁଜ ପ୍ରଖ୍ୟାତ ସ୍ଵାଧୀନତା ସଂଗ୍ରାମୀ, ଶିକ୍ଷାବିତ୍‌ ଏବଂ ସାହିତ୍ୟିକ ଶ୍ରୀଯୁକ୍ତ ଗୌରଚନ୍ଦ୍ର ମହାପାତ୍ର ଏବଂ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କର ସ୍ନେହରେ ମୁଁ ଅନୁବନ୍ଧିତ । ସେତେବେଳେ ନିତ୍ୟାନନ୍ଦ ମହାପାତ୍ର ଥିଲେ ଓଡ଼ିଶା ସରକାରଙ୍କର ଯୋଗାଣ ଏବଂ ସାଂସ୍କୃତିକ ବ୍ୟାପାର ବିଭାଗର କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ । ମୁଁ ହାଇସ୍କୁଲ ଛାତ୍ର ଥିଲାବେଳେ ଶ୍ରୀଯୁକ୍ତ ଗୌରଚନ୍ଦ୍ରଙ୍କ ସୁପୁତ୍ର ଗୁରୁକଲ୍ୟାଣ ମହାପାତ୍ରଙ୍କ (ବର୍ତ୍ତମାନ ଜଣେ ବିଶିଷ୍ଟ ପତ୍ରକାର ଏବଂ ଲେଖକ) ସହିତ ମନ୍ତ୍ରୀଙ୍କ ଭୁବନେଶ୍ୱର କ୍ଲବ୍‌ ନିକଟରେ ଥିବା ସରକାରୀ ନିବାସକୁ ଆସିଥିଲି । ପରବର୍ତ୍ତୀ କାଳରେ ଖାରବେଳ ନଗରସ୍ଥିତ ତାଙ୍କ ନିବାସକୁ ବହୁବାର ଯାଇଛି ଏବଂ ନିତ୍ୟାନନ୍ଦ ମହାପାତ୍ରଙ୍କ ପରିବାର ସହ ନିବିଡ଼ ସଂପର୍କରେ ଆସିଛି । ତାଙ୍କ ପରିବାରର ସ୍ନେହ ଓ ଶ୍ରଦ୍ଧା ଲାଭ କରିଛି । କେତେକ ପାରିବାରିକ ଉତ୍ସବରେ ସେ ମୋତେ ଡାକିଥାନ୍ତି ଆସିବାକୁ । ମୁଁ ବିଭିନ୍ନ ସମୟରେ ଯୋଗ ଦେଇଛି । କେତେକ ସମୟରେ ଯୋଗଦେବା ସମ୍ଭବ ହୋଇନାହିଁ । ଏସବୁ ସଂପର୍କ ଭିତରେ ମୁଁ ଲକ୍ଷ୍ୟ କରିଛି ଓଡ଼ିଶା ମାଟିର ସୁଯୋଗ୍ୟ ସନ୍ତାନ ନିତ୍ୟାନନ୍ଦ ମହାପାତ୍ରଙ୍କ ଅତି ନିକଟରୁ । ସେ ଯେତିକି ନିବିଡ଼, ସେତିକି ନିରାସକ୍ତ । ବୈଷ୍ଣବ ଜୀବନଧାରାରେ ଅତୁଟ ବିଶ୍ଵାସ ତାଙ୍କୁ ସଦାସର୍ବଦା ପରିଚାଳିତ କରିଛି । ଜୀବନ ପଥରେ । ଜୀବନସାରା ସେ ଜଣେ ଜ୍ଞାନୀ ତପସ୍ୱୀ ଭାରବରେ ସାଧନା ମଗ୍ନ ।

 

ମନେ ପଡ଼ୁଛି ୧୯୬୯ ମସିହାର କଥା । ଦୋଳସାହି ରାମନାରାୟଣ ଉଚ୍ଚ ବିଦ୍ୟାଳୟର ରୌପ୍ୟଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥାନ୍ତି ତତ୍କାଳୀନ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ବିଭାଗର ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର । ଅନ୍ୟତମ ଅତିଥି ଭାବରେ ଉତ୍ସବରେ ଉପସ୍ଥିତ ଥାଆନ୍ତି ତତ୍କାଳୀନ କୃଷି ମନ୍ତ୍ରୀ ଶ୍ରୀଯୁକ୍ତ ରାଜବଲ୍ଲଭ ମିଶ୍ର । ମୁଁ ସ୍କୁଲର ପୁରାତନ ଛାତ୍ର ହିସାବରେ ଉତ୍ସବରେ ଜଣେ ଆୟୋଜକ ଭାବରେ ଉପସ୍ଥିତ ଥିଲି । ନିତ୍ୟାନନ୍ଦ ଆରମ୍ଭ କଲେ ତାଙ୍କ ବକ୍ତୃତା । କହିଲେ-ମୋର ସହକର୍ମୀ କୃଷି ମନ୍ତ୍ରୀ ଏବଂ ମୁଁ କୃଷି ମନ୍ତ୍ରୀ ଅର୍ଥାତ୍‌ ସଂସ୍କୃତି ମନ୍ତ୍ରୀ । ତା’ପରେ ତାଙ୍କର ଓଜସ୍ଵିନୀ ଭାଷଣ ସମସ୍ତଙ୍କୁ ମନ୍ତ୍ରମୁଗ୍‌ଧ କରିଥିଲା । ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ଜନସେବାକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିଲେ । ତାଙ୍କର ପରିଧାନ ଥିଲା ଖଣ୍ଡିଏ ଧୋତି ଏବଂ ଚାଦର । ଶୁଭ୍ର ଧୋତି ଏବଂ ଚାଦର ପରିହିତ ନିତ୍ୟାନନ୍ଦ ମହାପାତ୍ର ଥିଲେ ଶୁଦ୍ଧତା ଏବଂ ତ୍ୟାଗର ମୂର୍ତ୍ତିମନ୍ତ ପୁରୁଷ । ନିଜର ଭାବଗମ୍ଭୀର ଭାଷଣରେ ସେ ସେଦିନ ଉପସ୍ଥିତ ଛାତ୍ର ଛାତ୍ରୀ, ଶିକ୍ଷକ ଏବଂ ଜନସାଧାରଣଙ୍କ ମନକୁ ଗଭୀର ଭାବରେ ପ୍ରଭାବିତ କରିଥିଲେ ।

 

ନିତ୍ୟାନନ୍ଦଙ୍କ ତାଳପର୍ଦାସ୍ଥିତ ବାସଭବନରେ ପ୍ରତିବର୍ଷ ଦୁର୍ଗାପୂଜା ଅବସରରେ ପାରମ୍ପରିକ ପୂଜା ଅନୁଷ୍ଠିତ ହୁଏ । ଏହି ପୂଜାରେ ନିତ୍ୟାନନ୍ଦ ମହାପାତ୍ର ନିଜେ ସମସ୍ତ ପୂଜାଅର୍ଚ୍ଚନା କର୍ତ୍ତାଭାବରେ ସମ୍ପାଦନା କରିଥାଆନ୍ତି । ଉପବାସ ରହି ମା’ ଦୁର୍ଗାଙ୍କର ନିଷ୍ଠାପର ପୂଜା କଲାବେଳେ ସେ ପାଲଟି ଯାଆନ୍ତି ଜଣେ ଶକ୍ତି ଉପାସକ । ଜଣେ ଅହରହ ନାମ ଜପ କରୁଥିବା ଭକ୍ତ ଶକ୍ତି ଉପାସନାରେ ନିବିଷ୍ଟ ରହି ବୈଷ୍ଣବରୁ ଶାକ୍ତ ଭାବରେ ରୂପାନ୍ତରିତ ହୋଇଯାଆନ୍ତି । ମୁଁ ଦେଖିଛି ତାଙ୍କୁ ନିକଟରୁ । ସେତେବେଳେ ମନ୍ତ୍ରୀ ନିତ୍ୟାନନ୍ଦ ଏବଂ ସଂଗ୍ରାମୀ ନିତ୍ୟାନନ୍ଦ ମା’ଙ୍କ ଭକ୍ତିରେ ବିଭୋର । ସେହି ସମୟରେ ତାଙ୍କ ଘରେ ବନ୍ଧୁ, ବାନ୍ଧବ, ଆତ୍ମୀୟସ୍ଵଜନଙ୍କର ଭିଡ଼ ଜମେ । ଗାଁ ଏବଂ ଘର ହୋଇଉଠେ ଉତ୍ସବମୁଖର ।

 

ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର ସଂସ୍କୃତି ମନ୍ତ୍ରୀ ଥିବାବେଳେ ତାଙ୍କ ଗ୍ରାମ ତାଳପଦାରେ ପ୍ରତିଷ୍ଠିତ କାନ୍ତକବି ପାଠାଗାରପାଇଁ କିଛି ସରକାରୀ ଆର୍ଥିକ ସହାୟତା ମଂଜୁର କରିଥିଲେ । ପାଠାଗାର ପାଇଁ କିଛି ନୂତନ ବହି କ୍ରୟ କରାଯିବା ସହିତ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସ୍ମୃତି ପ୍ରତି ଶ୍ରଦ୍ଧା ନିବେଦନ ସ୍ଵରୂପ ଏକ ସ୍ମରଣିକା ପ୍ରକାଶିତ ହୋଇଥିଲା ୧୯୭୦ ମସିହାରେ । ସେହି ସ୍ମରଣିକାର ସମ୍ପାଦନା ଥିଲା ମୋ ହାତରେ । ସ୍ମରଣିକାଟିର ମୁଦ୍ରଣ କଟକର ଡଗର ପ୍ରେସ୍‌ରେ କରାଯାଇଥିଲା ଖୁବ୍‌ କମ୍‌ ଖର୍ଚ୍ଚରେ । ଏଥିରେ ‘ଡଗର’ ପତ୍ରିକାର ସମ୍ପାଦକ ତଥା ପରିଚାଳକ ହାସ୍ୟ ସାହିତ୍ୟ ସ୍ରଷ୍ଟା ଫତୁରାନନ୍ଦ ବିଶେଷ ସହଯୋଗ କରିଥିଲେ । ସ୍ମରଣିକା ଏକ ଉପାଦେୟ ପୁସ୍ତକ ଭାବରେ ସ୍ଵୀକୃତ ହୋଇଛି ଏବଂ ଏହା ସମ୍ଭବ ହୋଇଥିଲା ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କର ସହାୟତା ଏବଂ ପୃଷ୍ଠପୋଷକତା ପାଇଁ ।

 

ମନ୍ତ୍ରୀପଦ ଗଲାପରେ ନିତ୍ୟାନନ୍ଦ ସମାଜସେବାରେ ନିଜକୁ ନିୟୋଜିତ କରିଆସିଛନ୍ତି । ରାଜନୀତିରେ ଉତ୍‌ଥାନ ପତନ ସ୍ୱାଭାବିକ । ମୁଁ ରେଭେନ୍ସା କଲେଜରେ ପଢ଼ୁଥିବାବେଳେ କଟକରୁ ଭୁବନେଶ୍ଵର ଆସୁଥାଏ । ରେଳ ଷ୍ଟେସନରେ ତାଙ୍କ ସହ ଦେଖା ହେଲା । ପାଦ ଛୁଇଁ ପ୍ରଣାମ କଲି । ସବୁଥର ଭଳି କହିଲେ- ‘‘ତୁମେ ବ୍ରାହ୍ମଣ ପିଲା, ପାଦ ଛୁଇଁ ପ୍ରଣାମ କରନାହିଁ ।’’ ତାପରେ ହସି ଦେଇ କହିଲେ - ‘‘ମୋତେ ତୁମ ସାଙ୍ଗରେ ଭୁବନେଶ୍ଵର ନେଇଚାଲ ।’’ କଥାରେ ବିନମ୍ରତା ଖୁବ୍‌ କମ୍‌ ଲୋକଙ୍କ ପାଖରେ ଦେଖିବାକୁ ମିଳେ । ଏଥିରେ ଲୋକଦେଖାଣିଆ ସ୍ଵଭାବ ନଥିଲା । ଅନ୍ୟକୁ ଆପଣେଇ ନେବାର ଯେଉଁ ଆନନ୍ଦ, ତାହା ତାଙ୍କର ସ୍ୱଭାବସୁଲଭ ଥିଲା । ବର୍ଷର କେତେକ ସମୟରେ ସେ ନିଜ ଗାଁକୁ ଯାଆନ୍ତି । ସେହି ସମୟରେ ଯଦି ଖବର ମିଳେ ମୋ ମା’ ଗାଁରେ ଅଛନ୍ତି, ତେବେ ସେ ଆମ ଗାଁକୁ ଯାଇ ମୋ ମା’ଙ୍କ ସହ ଦେଖାକରି ଦି’ପଦ କଥାହୋଇ ଫେରିଆସନ୍ତି । ଏଭଳି ମହାନୁଭବତା ଖୁବ୍‌ କମ୍‌ ବିଶିଷ୍ଟ ବ୍ୟକ୍ତିଙ୍କଠାରେ ପରିଲକ୍ଷିତ ହୁଏ

 

ସ୍ରଷ୍ଟା ଓ ସାଧକ ନିତ୍ୟାନନ୍ଦ

ନିତ୍ୟାନନ୍ଦ ଓଡ଼ିଆ ସାହିତ୍ୟରେ ଜଣେ ଅମ୍ଳାନ ସ୍ରଷ୍ଟା । ସାରସ୍ଵତ ସୃଷ୍ଟି କ୍ଷେତ୍ରରେ ଜଣେ ନିରବଚ୍ଛିନ୍ନ ସାଧକ । ତାଙ୍କର ସାହିତ୍ୟ ସୃଷ୍ଟିର ଆରମ୍ଭ ପିଲାଦିନରୁ । ସେ ନିଜେ କହିଛନ୍ତି ‘ଛଅ ସାତବର୍ଷ ବୟସ ବେଳେ ମୁଁ ପ୍ରଥମ କବିତା ଲେଖିଥିଲି । ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥାଏ - ଲେଖିଥିଲି ସାବିତ୍ରୀ ସତ୍ୟବାନ ଉପାଖ୍ୟାନ । କୁଆଡ଼େ ଗଲାଣି ସେ ।’’ ପରବର୍ତ୍ତୀକାଳରେ ସେ ବହୁ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ, ରମ୍ୟରଚନା ଲେଖି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛନ୍ତି । ନିତ୍ୟାନନ୍ଦଙ୍କ ସାହିତ୍ୟର ପ୍ରକୃତ ମୂଲ୍ୟାଙ୍କନ ହୋଇପାରିନାହିଁ ବୋଲି ମୋର ମତ । ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରି ଜଣେ ରାଜନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିବା ଫଳରେ ସାହିତ୍ୟ କ୍ଷେତ୍ରରେ ହୁଏତ ମାନ୍ୟତା ମିଳିପାରି ନଥିଲା । ରାଜନୀତିରୁ ପ୍ରାୟତଃ ଅବସର ନେଲା ପରେ ସେ ୧୯୮୦ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହେଲେ । ସେତେବେଳକୁ ତାଙ୍କ ପରେ କଲମ ଧରିଥିବା କେତେକ ସ୍ରଷ୍ଟା ଏହି ପୁରସ୍କାର ପାଇ ସାରିଥିଲେ । ସେହିପରି ୧୯୮୭ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ ଏବଂ ସେହି ସମୟକୁ ସେ ପଞ୍ଚସ୍ତରୀ ବର୍ଷରେ ପଦାର୍ପଣ କରିଥିଲେ । ଯଦିବା ଏକାଡେମୀ ପୁରସ୍କାର ପ୍ରାପ୍ତି କୌଣସି ଲେଖନୀୟ ପ୍ରତିଭାର ପ୍ରକୃତ ପରିଚୟ ନୁହେଁ, ସେ ତିରିଶ ଦଶକରୁ ପାଠକୀୟ ଆଦୃତି ଏବଂ ସ୍ଵୀକୃତି ଲାଭ କରି ସାରିଥିଲେ । ଆମଭଳି ଛାତ୍ରମାନେ ସ୍କୁଲ ଜୀବନରେ ତାଙ୍କର ଗଳ୍ପ ‘ଅନ୍ୱେଷଣ’ ପଢ଼ୁଥିଲୁ ଏବଂ ଏହି ଗଳ୍ପଟି ଏତେ ଚମତ୍କାର ଥିଲା ଯେ ତାହା ସେ ସମୟରେ ଆମର କିଶୋର ମନରେ ଗଭୀର ପ୍ରଭାବ ପକାଇଥିଲା । ସାହିତ୍ୟ ସ୍ରଷ୍ଟା ନିତ୍ୟାନନ୍ଦଙ୍କ ସୃଷ୍ଟି ମୁଖ୍ୟତଃ ଚାରୋଟି ବିଭାଗରେ ଆଲୋଚନା କରାଯାଇପାରେ- (୧) ଉପନ୍ୟାସ (୨) ଗଳ୍ପ (୩) କାବ୍ୟକବିତା (୪) ରମ୍ୟରଚନା । ତାଙ୍କ ସୃଷ୍ଟିର ଦିଗଦିଗନ୍ତ ସୁଦୂର ପ୍ରସାରିତ । ଭାଷା, ଭାବ ଏବଂ ଶୈଳୀରେ ନିପୁଣତା ସ୍ପଷ୍ଟଭାବେ ପରିଲକ୍ଷିତ ହୁଏ ।

 

ଉପନ୍ୟାସରେ ନିତ୍ୟାନନ୍ଦ

ବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକର ପ୍ରାରମ୍ଭକାଳରେ ତାଙ୍କର ଜନ୍ମ । ପୁଣି ଜନ୍ମ ଏକ ସମ୍ଭ୍ରାନ୍ତ ଜମିଦାର ବଂଶରେ । ଛାତ୍ର ଅବସ୍ଥାରୁ ସ୍ୱଦେଶ ପ୍ରେମରେ ଉଦ୍‌ବୁଦ୍ଧ ହୋଇ ସ୍ଵାଧୀନତା ସଂଗ୍ରାମରେ ଭାଗନେଇ କାରାବରଣ କରିଥିଲେ ନିତ୍ୟାନନ୍ଦ । ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଏକାଧାରରେ ପ୍ରଖ୍ୟାତ କବି, ଗାଳ୍ପିକ, ସଂଗୀତଜ୍ଞ, ଔପନ୍ୟାସିକ, ବ୍ୟଙ୍ଗକାର ଏବଂ ଗୀତିନାଟ୍ୟ ରଚୟିତା । ନିତ୍ୟାନନ୍ଦଙ୍କ ସାହିତ୍ୟ ସୃଷ୍ଟିରେ କାନ୍ତକବିଙ୍କ ରଚନାର ପ୍ରଭାବ ରହିବା ସ୍ଵାଭାବିକ । ମାତ୍ର କାନ୍ତକବି ଖଣ୍ଡିଏ ଅସଂପୂର୍ଣ୍ଣ ଉପନ୍ୟାସ (କଣାମାମୁଁ) ରଚନା କରିଥିବା ବେଳେ ନିତ୍ୟାନନ୍ଦ ରଚନା କରିଯାଇଛନ୍ତି ବହୁ ଉପନ୍ୟାସ । ଏହି ଉପନ୍ୟାସ ଗୁଡ଼ିକ ହେଲା- ଭୁଲ (୧୯୩୬), ଜୀବନର ଲକ୍ଷ୍ୟ (୧୯୪୭), ହିଡ଼ମାଟି (୧୯୪୭), ଭଙ୍ଗାହାଡ଼ (୧୯୪୭), ପୀରତି ପଥ ଖସଡ଼ା (୧୯୪୯), ଖସଡ଼ାବାଟ (୧୯୫୨), ସୁଖର ସନ୍ଧାନେ (୧୯୫୫), ଜୀଅନ୍ତା ମଣିଷ (୧୯୬୬), ଇନ୍ଦ୍ର ଓ ଇନ୍ଦ୍ରାଣୀ (୧୯୭୯), ଘରଡ଼ିହ (୧୯୮୭) ଇତ୍ୟାଦି ।

 

ସ୍ଵାଧୀନତା ପୂର୍ବରୁ ଏବଂ ସ୍ୱାଧୀନୋତ୍ତର ଭାରତବର୍ଷ, ବିଶେଷ ଭାବରେ ଓଡ଼ିଶାର ସାମାଜିକ, ରାଜନୈତିକ ଓ ସାଂସ୍କୃତିକ ବ୍ୟବସ୍ଥା ତଥା ତଜ୍ଜନିତ ସମସ୍ୟା, ସଂଘାତ ଏବଂ ସମ୍ଭାବନା ପ୍ରତି ଜଣେ ଲେଖକର ଦୃଷ୍ଟିନେଇ ସେ ଉପନ୍ୟାସଗୁଡ଼ିକ ରଚନା କରିଛନ୍ତି । ଜଣେ ରାଜନୈତିକ କର୍ମୀ ଏବଂ ସମାଜ ସଂସ୍କାରକ ଭାବେ ଉପନ୍ୟାସର ବିଭିନ୍ନ ଚରିତ୍ରମାନଙ୍କ ମାଧ୍ୟମରେ ସେ ନିଜର ଦୃଷ୍ଟିକୋଣ ସ୍ପଷ୍ଟଭାବେ ଉପସ୍ଥାପନ କରିଛନ୍ତି । ମହାତ୍ମାଗାନ୍ଧୀଙ୍କ ନେତୃତ୍ୱରେ ପରିଚାଳିତ ସ୍ଵାଧୀନତା ଆନ୍ଦୋଳନରେ ଝାସଦେଇ ସେ କାରାବରଣ କରିଥିଲେ । ଔପନ୍ୟାସିକ ପାଟନା ଜେଲରେ ବନ୍ଦୀ ଜୀବନ ଅତିବାହିତ କରୁଥିବାବେଳେ ତାଙ୍କର ଉପନ୍ୟାସ ‘ଭୁଲ’ ରଚିତ ହୋଇଥିଲା-। ଏହି ଉପନ୍ୟାସ ଏକ ପ୍ରଣୟଭିତ୍ତିକ ଉପନ୍ୟାସ । ଭୁଲ କରିବା ଏକ ସ୍ଵାଭାବିକ ଘଟଣା, ମାତ୍ର ଭୁଲର ସଂଶୋଧନ କରି ଭଲ ମାର୍ଗରେ ପରିଚାଳିତ ହେବା ଏକ ସଦ୍‌ଗୁଣ । ମଣିଷ ଭିତରେ ସଦ୍‌ଗୁଣର ବିକାଶ କରାଇବା ଲେଖକଙ୍କର ଲକ୍ଷ୍ୟ । ତାଙ୍କର ଉପନ୍ୟାସ ‘ଜୀବନର ଲକ୍ଷ୍ୟ’ ଏବଂ ‘ସୁଖର ସନ୍ଧାନେ’ ଇତ୍ୟାଦି ଉପନ୍ୟାସମାନଙ୍କରେ ସ୍ଵାଭାବିକ ଦୋଷ, ଦୁର୍ବଳତା ସତ୍ତ୍ୱେ ଏକ ଭଲମଣିଷ ସୃଷ୍ଟି କରିବାର ପ୍ରୟାସ ରହିଛି । ପ୍ରେମ, ପ୍ରଣୟ ଆଦି ବିଷୟ ଉପରେ ଆଧାରିତ ଉପନ୍ୟାସମାନଙ୍କରେ ସେ ସମାଜ ଚେତନା, ଶ୍ରେଣୀ ଚେତନା ଏବଂ ସମାଜରେ ସଂଘଟିତ ବିରୋଧାଭାସ ପ୍ରକଟ କରିଛନ୍ତି । ହିଡ଼ମାଟି, ଘରଡ଼ିହ ଏବଂ ଭଙ୍ଗାହାଡ଼ ଆଦି କୃତିଗୁଡ଼ିକ ସଫଳ ରଚନାର ସ୍ୱାକ୍ଷର ବହନ କରେ । ପଲ୍ଲୀ ଜୀବନର ଚିତ୍ର ଏଥିରେ ପ୍ରତିଫଳିତ । ତାଙ୍କ ରଚନାରେ ବିଶେଷତ୍ୱ ମଧ୍ୟରେ ରହିଛି ଲୋକଭାଷୀ ଓ ପଲ୍ଲୀ ଜୀବନ ଶୈଳୀର ପ୍ରତିଫଳନ । ଗ୍ରମୀଣ ଜୀବନ ଉପରେ ଗୁରୁତ୍ୱ ଦେଇ ସେ କହିଛନ୍ତି - ‘‘ଲୋକଭାଷା ଓ ଲୌକିକ ଶୈଳୀର ପ୍ରୟୋଗ ଫଳରେ ଲେଖା ଅଧିକ ହୃଦ୍‍ବୋଧ ହୋଇଥାଏ ତଥା ପାଠକୀୟ ସ୍ଵୀକୃତି ପାଇଥାଏ । କାରଣ ଓଡ଼ିଶା ହେଉଛି ଗାଆଁ ସହରର ରାଜ୍ୟ, ସାଧାରଣ ଲୋକଙ୍କର ରାଜ୍ୟ । ତେଣୁ ଗ୍ରାମ୍ୟଭିତ୍ତିକ ସାହିତ୍ୟ ସବୁବେଳେ ରଚନା ହେବା ଉଚିତ୍‌ ।’’ ମୋଟାମୋଟି ଭାବରେ କହିବାକୁ ଗଲେ ଔପନ୍ୟାସିକ ନିତ୍ୟାନନ୍ଦ ନିଜ ସମୟର ଚଳନ୍ତି ପ୍ରବାହରେ ଭାସି ନଯାଇ ବିଭିନ୍ନ ସମସ୍ୟାର ଅନୁଶୀଳନ ତଥା ମନସ୍ତାତ୍ତ୍ୱିକ ବିଶ୍ଳେଷଣ ଭିତରେ ଏକ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି । ଓଡ଼ିଆ ସାହିତ୍ୟର ଜଣେ ସଫଳ ଉପନ୍ୟାସ ସ୍ରଷ୍ଟା ଭାବରେ ସେ ଚିରସ୍ମରଣୀୟ ହୋଇ ରହିବେ, ଏଥିରେ ସନ୍ଦେହ ନାହିଁ ।

 

ଗଳ୍ପରେ ନିପୁଣ ନିତ୍ୟାନନ୍ଦ

ସ୍ରଷ୍ଟା ନିତ୍ୟାନନ୍ଦ ଓଡ଼ିଆ କଥା ସାହିତ୍ୟରେ ଜଣେ ନିପୁଣ ଶିଳ୍ପୀ । ତାଙ୍କ ଲେଖନୀମୁନରେ ଅନେକ ଗଳ୍ପ ସୃଷ୍ଟି ହୋଇଛି । କେତେକ ଗଳ୍ପ ମଧ୍ୟ ସଂକଳିତ ପୁସ୍ତକରେ ସ୍ଥାନ ପାଇବାର ସୁଯୋଗ ପାଇପାରିନାହିଁ । ତେବେ ପ୍ରକାଶିତ ଗଳ୍ପପୁସ୍ତକ ଗୁଡ଼ିକ ହେଲା- ଏଗାରଟା (୧୯୪୭), କ୍ଷଣିକା, ଧଳାଗାର (୧୯୫୯), ଆଖିନାହଁ କାନନାହଁ (ବ୍ୟଙ୍ଗଧର୍ମୀ ଗଳ୍ପ), ରାଜକନ୍ୟା (୨୦୧୧) । ଗଳ୍ପ ରଚନାରେ ନିତ୍ୟାନନ୍ଦ ଥିଲେ ନିପୁଣ । ତାଙ୍କ ଗଳ୍ପଗୁଡ଼ିକ ବାସ୍ତବଧର୍ମୀ ଏବଂ ମାନବବାଦର ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଗଳ୍ପ ରଚନାରେ ସେ ନିଜ ପିତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପଦାଙ୍କ ଅନୁସରଣ କରିଥିଲେ ମଧ୍ୟ ସ୍ଵୀକାର କରିଛନ୍ତି - ‘‘କେତେ ଗଳ୍ପ ଲେଖିଚି, ଉପନ୍ୟାସ ବି ଲେଖିଛି, ହେଲେ ବାପାଙ୍କର ଗୋଟିଏ ଗପ ‘ବୁଢ଼ା ଶଙ୍ଖାରୀ’କୁ କେହି ସରି ହେଲେନି ।’’

 

କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ‘ବୁଢ଼ା ଶଙ୍ଖାରୀ’ ଗଳ୍ପଟିର ପ୍ରଭାବ ଓଡ଼ିଆ ସାହିତ୍ୟର ପାଠକମାନଙ୍କୁ ବିଶେଷ ଭାବରେ ଅନୁପ୍ରାଣିତ କରିଥିଲା । ଏ ସଂପର୍କରେ ନିତ୍ୟାନନ୍ଦଙ୍କର ‘ଦୋକାନଦାର’ ଗଳ୍ପ ଉଲ୍ଲେଖଯୋଗ୍ୟ । ଏହି ଗଳ୍ପରେ ଏକ ମୁସଲମାନ ଜୋତାଦୋକାନୀର ହିନ୍ଦୁ ଘରର ଏକ ଦଶବର୍ଷର ଝିଅ ସହିତ ଗଢ଼ିଉଠିଥିବା ଭାଗବତ ସଂପର୍କ ଓ ମମତ୍ୱବୋଧ ଗଳ୍ପଟିକୁ ପ୍ରାଣବନ୍ତ କରିଛି ।

 

ନିତ୍ୟାନନ୍ଦ ଗଳ୍ପ ସାହିତ୍ୟର ଜଣେ ଧୂରୀଣ ସ୍ରଷ୍ଟା । ତାଙ୍କର ଗଳ୍ପମାନଙ୍କରେ ସାମାଜିକ ସଂଘର୍ଷ, ଜୀବନବୋଧ, ଦେଶପ୍ରୀତି ସହିତ ମଣିଷ ଜୀବନର ସ୍ନେହ, ପ୍ରେମ, ହର୍ଷ, ବିଷାଦ ପ୍ରତିଫଳିତ ହୋଇଛି । ଐତିହାସିକ ପୃଷ୍ଠଭୂମିରେ ସେ ମଧ୍ୟ କେତୋଟି ଗଳ୍ପ ରଚନା କରିଛନ୍ତି । ତାଙ୍କ ରଚିତ ‘ଅନ୍ଵେଷଣ’ ଗଳ୍ପ ଏକ ସଫଳ କୃତି । ଏଥିରେ ଗଳ୍ପଟି ସଂଳାପଧର୍ମୀ ଏବଂ ପ୍ରାଣବନ୍ତ ମର୍ମବେଦନା ସମ୍ବଳିତ । ଏହି ଗଳ୍ପଟି ଭିନ୍ନ ଶୈଳୀରେ ରଚିତ ହୋଇଥିବାରୁ ତାହା ପାଠକର ମନ ଓ ହୃଦୟକୁ ସ୍ପର୍ଶ କରିଥାଏ । ନିତ୍ୟାନନ୍ଦଙ୍କର ଗଳ୍ପଗୁଡ଼ିକ ସମ୍ୟକଭାବେ ଆଲୋଚିତ ହୋଇନାହିଁ, ଯାହାଫଳରେ ଗାଳ୍ପିକ ନିତ୍ୟାନନ୍ଦ ପ୍ରକୃତ ଆଲୋଚନାର ପରିଧି ବାହାରକୁ ଚାଲିଯାଇଛନ୍ତି । ମାତ୍ର ଏହି ପ୍ରତିଭାଦୀପ୍ତ ଗାଳ୍ପିକ ଓଡ଼ିଆ ସାହିତ୍ୟର ଜଣେ ଉଜ୍ଜ୍ୱଳ ସ୍ରଷ୍ଟାଭାବେ ଆଦୃତ ହୋଇ ରହିବେ ।

 

କାବ୍ୟ କବିତାରେ ଦରଦୀ ନିତ୍ୟାନନ୍ଦ

କଥାସାହିତ୍ୟରେ ନିତ୍ୟାନନ୍ଦଙ୍କ ପ୍ରତିଭା ପ୍ରସ୍ଫୁଟିତ ହୋଇ ବହୁ ଗଳ୍ପ ଏବଂ ଉପନ୍ୟାସ ରୂପ ନେଲାବେଳେ ତାଙ୍କର କବିପ୍ରାଣ ଚଳଚଞ୍ଚଳ ହୋଇ ଉଠିଥିଲା । ସେଥିରୁ ଝରି ଆସିଥିଲା କେତେକ କାବ୍ୟ ଓ କବିତା । ଏହି ସବୁ କବିତା ପ୍ରକାଶିତ ପୁସ୍ତକ ମରମ (୧୯୩୯), ପାଞ୍ଚଜନ୍ୟ (୧୯୪୭) ଏବଂ କାଳରଡ଼ି (୧୯୫୪) ସଂକଳିତ ହୋଇଥିଲା । ‘ମରମ’ କବିତା ପୁସ୍ତକରେ ସଂକଳିତ କବିତା ଯୌବନଦୀପ୍ତ ସ୍ରଷ୍ଟାମାନସର ସ୍ଫୁରଣ ବହନ କରେ । ସେଥିରେ ସ୍ୱାଭାବିକ ଭାବେ ତାରୁଣ୍ୟର ପ୍ରେମ ଓ ବିରହ ପ୍ରତିଫଳିତ । ‘ପାଞ୍ଚଜନ୍ୟ’ ପୁସ୍ତକରେ ଭାରତୀୟ ମୁକ୍ତି ସଂଗ୍ରାମର ଆହ୍ୱାନ ଓ ଉଚ୍ଛ୍ୱାସ ପ୍ରତିଫଳିତ । ନିଜେ ଜଣେ ସ୍ଵାଧୀନତା ସଂଗ୍ରାମୀ ହୋଇଥିବାରୁ ସ୍ଵଭାବତଃ ତାଙ୍କର କବିମାନସ ମୁକ୍ତିର ମନ୍ତ୍ର ଉଚ୍ଚାରଣ କରିଛି ଏହି କବିତାମାନଙ୍କରେ । ତାଙ୍କ ରଚିତ ନିମ୍ନୋକ୍ତ ପଂକ୍ତି ଦେଶାତ୍ମବୋଧର ବଳିଷ୍ଠ ସ୍ଵାକ୍ଷର ବହନ କରେ ।

 

‘‘ଏଇ ଶୁଣ ଶୁଭେ ମନ୍ଦ୍ର ଗଭୀର

ମୁକତି-ପାଞ୍ଚଜନ୍ୟ

ମୁକ୍ତ ଭାରତ ଆକାଶର ତଳେ

ଲୋକେ ଆଜି ଲୋକାରଣ୍ୟ ।

ଆଶାର ଆଲୋ ଉଠେ ଆଜି ଜାଗି,

ମନ୍ଦ୍ରିତ ତାର ସ୍ପନ୍ଦନ ଲାଗି,

ଜାଗ୍ରତ ଆଜି ଜଗତ ପୃଷ୍ଠେ

ଏ ଦେଶ ଅଗ୍ରଗଣ୍ୟ;

ଏଇଶୁଣ ଶୁଭେ ଗରଜି ଉଠଇ

ମୁକତି-ପାଞ୍ଚଜନ୍ୟ ।’’

 

‘କାଳରଡ଼ି’ ପୁସ୍ତକରେ ସଂକଳିତ କବିତାମାନଙ୍କରେ ସ୍ଵାଧୀନତା ପରବର୍ତ୍ତୀ ସମାଜ ବ୍ୟବସ୍ଥାର ଚିତ୍ର ପ୍ରତିଫଳିତ । ବ୍ରିଟିଶ ଶାସନରେ କୁପ୍ରଭାବକୁ ପ୍ରତିହିତ କରିବାପାଇଁ ସେ ଆହ୍ୱାନ କରିଛନ୍ତି ନିଜ କବିତାରେ । ଗାନ୍ଧିଜୀଙ୍କ ଦର୍ଶନରେ ଅନୁପ୍ରାଣୀତ ଏବଂ ଗାନ୍ଧୀମାର୍ଗରେ ପରିଚାଳିତ କବି ତାଙ୍କର ‘କାଳରଡ଼ି’ ମାଧ୍ୟମରେ ସମାଜରେ ସଂସ୍କାର ଆଣିବାକୁ ଚେଷ୍ଟା କରିଛନ୍ତି ।

 

କଥାକାର ନିତ୍ୟାନନ୍ଦ କବି ନିତ୍ୟାନନ୍ଦଙ୍କ ଅପେକ୍ଷା ଅଧିକା ଆଦୃତ ହୋଇଛନ୍ତି ପାଠକମାନଙ୍କ ନିକଟରେ । ମାତ୍ର ନିତ୍ୟାନନ୍ଦ ରାଜନୀତି ସହ ସମନ୍ଵୟ ସ୍ଥାପନ କରି କବିତା ରଚନା କରି ନିଜର ସୃଷ୍ଟିକୁ ରୁଦ୍ଧିମନ୍ତ କରିଛନ୍ତି, ଏଥିରେ ସନ୍ଦେହ ନାହଁ ।

 

ରମ୍ୟରଚନାରେ ନିତ୍ୟାନନ୍ଦ

ନିତ୍ୟାନନ୍ଦ ମହାପାତ୍ରଙ୍କ ଦ୍ଵାରା ରଚିତ ରମ୍ୟରଚନା ପୁସ୍ତକ ‘ପତ୍ର ଓ ପ୍ରତିମା’ ପ୍ରଥମେ ୧୯୫୬ ମସିହାରେ ପୋଥିପୀଠ, ପିଠାପୁର, କଟକଙ୍କ ଦ୍ଵାରା ପ୍ରକାଶିତ ହୋଇଥିଲା । ଓଡ଼ିଆ ସାହିତ୍ୟର ଏହା ଏକ ଦୁର୍ଲଭ ପୁସ୍ତକ । ଛାତ୍ରଜୀବନରେ ଏହି ପୁସ୍ତକ ପାଠ ହେବାର ସୁଯୋଗ ମିଳିଥିଲା । ବିଶ୍ଵବିଦ୍ୟାଳୟ ସ୍ତରରେ ଏହି ପୁସ୍ତକ ପାଠ୍ୟକ୍ରମରେ ପ୍ରଚଳିତ ଥିଲା । ଏଥିରେ ସଂକଳିତ ଲଳିତ ନିବନ୍ଧ ଗୁଡ଼ିକ ରମ୍ୟଚରନା ପଦବାଚ୍ୟ । ପତ୍ର ମାଧ୍ୟମରେ ରଚିତ ଏହି ରଚନା ଗୁଡ଼ିକ ଅତ୍ୟନ୍ତ ମନୋଜ୍ଞ ଏବଂ ପ୍ରାଣସ୍ପର୍ଶୀ ହୋଇପାରିଛି । ପାଠକର ମନ ଓ ହୃଦୟକୁ ଆଲୋଡ଼ିତ କଲାଭଳି ଏହି ରମ୍ୟରଚନା ପୁସ୍ତକ ଓଡ଼ିଆ କଥା ସାହିତ୍ୟରେ ଏକ ମାଇଲ ଖୁଣ୍ଟ ଭାବ, ଅନୁଭୂତି, ଜୀବନଦର୍ଶନ ଏବଂ ଭାଷାର ଲାଳିତ୍ୟ ରମ୍ୟରଚନା ପର୍ଯ୍ୟାୟ ରଚନାଗୁଡ଼ିକୁ ରସସିକ୍ତ କରିଥାଏ । ‘ପତ୍ର ଓ ପ୍ରତିମା’ରେ ସଂକଳିତ ରଚନାଗୁଡ଼ିକ ଖୁବ୍‌ ହୃଦୟଗ୍ରାହୀ । ‘ପ୍ରେମ’ ଶୀର୍ଷକ ଲେଖାରେ ସେ ବ୍ୟକ୍ତ କରିଛନ୍ତି- ‘‘ଜୀବନରେ ଯେଉଁ ଜଣକ ମୋତେ ନିବିଡ଼ ଭଲ ପାଇଛି, ସେ ଏ ମନଟାକୁ ଏମିତି ବାନ୍ଧି ରଖିଛି ଯେ, କାହାରି ଅମଙ୍ଗଳ ବାଟରେ ସେ ଯିବାକୁ ଛାଡ଼ିଦିଏ ନାହଁ ମୋତେ ।’’ (ପ୍ରେମ -‘ପତ୍ର ଓ ପ୍ରତିମା’, ପୃ-୧୫୧)

 

‘ପତ୍ର ଓ ପ୍ରତିମା’ ନିତ୍ୟାନନ୍ଦଙ୍କର ଏକ ସଫଳ ସୃଷ୍ଟି । ଏହି ଅନନ୍ୟ ପୁସ୍ତକ ପାଇଁ ଓଡ଼ିଆ ସାହିତ୍ୟରେ ସେ ଅଜସ୍ର ଯଶର ଅଧିକାରୀ ।

 

‘ଡଗର’ ସମ୍ପାଦନାରେ ନିତ୍ୟାନନ୍ଦ

ଶତାୟୁ ସାଧକ ନିତ୍ୟାନନ୍ଦଙ୍କ ସଂପର୍କରେ ଆଲୋଚନା କଲାବେଳେ ‘ଡଗର’ ପତ୍ରିକାର ସୁଯୋଗ୍ୟ ସମ୍ପାଦକ ଭାବରେ ନିତ୍ୟାନନ୍ଦ ଯେଉଁ କର୍ତ୍ତବ୍ୟନିଷ୍ଠା, କର୍ମତତ୍ପରତା ଓ କୁଶଳତା ପ୍ରଦର୍ଶନ କରିଥିଲେ, ସେ ସମ୍ପର୍କରେ ଆଲୋକପାତ ନକରିଲେ ତାଙ୍କ କର୍ମମୟ ଜୀବନ ସଂପର୍କରେ ପୂର୍ଣ୍ଣାଙ୍ଗ ଧାରଣା କରିହେବ ନାହିଁ । ‘ଡଗର’ ପତ୍ରିକା ଓ ନିତ୍ୟାନନ୍ଦ ଉଭୟ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିଲେ । ଏହି ପତ୍ରିକାର ପ୍ରାଣ ପ୍ରତିଷ୍ଠାତା ଥିଲେ କାନ୍ତକବି ଲକ୍ଷ୍ମୀକାନ୍ତ । ମାତ୍ର ସମ୍ପାଦକ ଭାବରେ ପ୍ରଥମ ସଂଖ୍ୟାଠାରୁ ଏହାକୁ ସମୃଦ୍ଧ ଓ ରୁଚିବନ୍ତ କରିବାରେ ନିତ୍ୟାନନ୍ଦ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ପ୍ରଥମେ ୧୯୩୭ ମସିହାରେ ଏହି ପତ୍ରିକା ଭଦ୍ରକ ସହରରେ ଆତ୍ମପ୍ରକାଶ କରିଥିଲା । ଏହି ପତ୍ରିକାର ଆଭିମୁଖ୍ୟ ଥିଲା- ଆନନ୍ଦ, ଆଲୋକ ଓ ଅଗ୍ରଗତି । ଏହା ହାସ୍ୟ ଓ ବ୍ୟଙ୍ଗରସ ପରିବେଷଣ କରିବା ସହିତ ସାହିତ୍ୟ କ୍ଷେତ୍ରରେ ଗଳ୍ପ, କବିତା ଇତ୍ୟାଦି ସ୍ଥାନିତ କରି ଓଡ଼ିଶାରେ ଏକ ଲୋକପ୍ରିୟ ପତ୍ରିକା ଭାବରେ ପାଠକୀୟ ସ୍ଵୀକୃତି ପାଇଥିଲା । ଏହି ପତ୍ରିକାରେ ନୂତନ ଲେଖକମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା । ବହୁ ଲେଖକଙ୍କୁ ସୃଷ୍ଟି କରିବାରେ ଏହି ପତ୍ରିକାର ଭୂମିକା ଅନସ୍ଵୀକାର୍ଯ୍ୟ । ‘ଡଗର’ ପତ୍ରିକାରେ ନିତ୍ୟାନନ୍ଦ ମହାପାତ୍ର ଉପାଦେୟ ସଂପାଦକୀୟ ଲେଖିବା ସହିତ ଛଦ୍ମ ନାମରେ ଅନେକ ଲେଖା ପ୍ରକାଶ କରୁଥିଲେ । ନିଜେ କାର୍ଟୁନ ଚିତ୍ର କରି ପତ୍ରିକାରେ ପ୍ରକାଶ କରୁଥିଲେ । ସ୍ଵାଧୀନତା ପୂର୍ବ ସମୟରେ ନିଜେ କାରାବରଣ କରିବା ଫଳରେ ‘ଡଗର’ ପତ୍ରିକାର ପରିଚାଳନା ତାଙ୍କର । ପିତା କାନ୍ତକବି ଏବଂ ଅନ୍ୟମାନଙ୍କ ଉପରେ ନ୍ୟସ୍ତ ରହୁଥିଲା । ସ୍ଵାଧୀନତା ପରବର୍ତ୍ତୀ ସମୟରେ ରାଜନୀତି ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହିଥିଲେ ମଧ୍ୟ ‘ଡଗର’ ପତ୍ରିକାର ପରିଚାଳନା କଥା ନିଜେ ବୁଝୁଥିଲେ । ସମ୍ପାଦନାରେ ଫତୁରାନନ୍ଦ, ଡକ୍ଟର କୃଷ୍ଣଚରଣ ବେହେରା ପ୍ରମୁଖଙ୍କ ସହଯୋଗ ରହୁଥିଲା । ‘ଡଗର’ ପତ୍ରିକା ତାଙ୍କ ଜୀବନ କାହାଣୀର ଏକ ଅନବଦ୍ୟ ଅଂଶ । ମାତ୍ର ପରିତାପର ବିଷୟ ଏହି ପତ୍ରିକାର ନିୟମିତ ପ୍ରକାଶନ ସମ୍ଭବ ହୋଇପାରିନାହିଁ ।

 

ନିତ୍ୟାନନ୍ଦ ମହାପାତ୍ର ଆଜି ଜଣେ ଶତାୟୁ ପୁରୁଷ । ଶହେବର୍ଷ ଜୀବନକାଳ ମଧ୍ୟରେ ସେ ମୁଖ୍ୟତଃ ଜଣେ ସଂଗ୍ରାମୀ । ଜୀବନର ବହୁ ବର୍ଷ ଦେଶମାତୃକାର ମୁକ୍ତି ପାଇଁ ସଂଗ୍ରାମ କରି ନିର୍ଯ୍ୟାତନାକୁ ଜୀବନ ସାଥୀ ଭାବରେ ବରଣ କରିଥିଲେ । ତ୍ୟାଗ ଓ ସାଧନାର ପୃଷ୍ଠଭୂମିରେ ଜଣେ ନିଷ୍ଠାପର ସୈନିକର ଭୂମିକା ନିର୍ବାହ କରି କାରାବରଣ କରିଥିଲେ ବହୁବାର । ସ୍ଵାଧୀନତା ପ୍ରାପ୍ତି ପରେ ଜଣେ ବିଧାୟକ ଏବଂ ପରେ ମନ୍ତ୍ରୀଭାବରେ ନିଜର କର୍ତ୍ତବ୍ୟ ସୁଚାରୁରୂପେ ତୁଲାଇଛନ୍ତି । ଦେଶମାତୃକାର ସେବା କରିବା ସଙ୍ଗେ ସଙ୍ଗେ ସେ ସାରସ୍ୱତ ସାଧନାରେ ଲିପ୍ତ ରହି ଅନେକ ରଚନାରେ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛନ୍ତି । ବହୁ ବର୍ଷ ‘ଡଗର’ ପତ୍ରିକାର ସମ୍ପାଦକ ଭାବରେ କାର୍ଯ୍ୟକରି ସେ ଏକ ସଫଳ ସମ୍ପାଦକର ଦାୟିତ୍ୱ ନିର୍ବାହ କରିଛନ୍ତି । ତାଙ୍କ ପ୍ରତିଭା କିମ୍ବା ସାରସ୍ଵତ ସୃଷ୍ଟିର ସମ୍ପୂର୍ଣ୍ଣ ଆକଳନ ଏ ପର୍ଯ୍ୟନ୍ତ ଅସଂପୂର୍ଣ୍ଣ ରହିଛି । ଏହି ବିରଳ ପ୍ରତିଭାଙ୍କ ପ୍ରତି ମୋର ଭକ୍ତି ଓ ଶ୍ରଦ୍ଧା ନିବେଦନ କରିବା ଅବସରରେ ଆଶା କରୁଛି ଯେ ତାଙ୍କ ଆଦର୍ଶ ଓ ନିଷ୍ଠା ଓଡ଼ିଆ ଜାତିପାଇଁ ପଥପ୍ରଦର୍ଶନ କରୁଥାଉ । ସେ ଜଣେ ନିରଳସ ଜୀବନଶିଳ୍ପୀ । ତାଙ୍କରି ଭାଷାରେ-

 

ଜୀବନ ମୋର ଅତି ଆପଣାର

ହାତେ ଧରି ନିତି ଦେଖେ ବାରବାର ॥

କେତେ ଫୁଲ ଫୁଟି ବାସ ଯାଏ ଉଡ଼ି

ବଉଦ ଆକାଶେ ଆସେ ମାଡ଼ି ମାଡ଼ି

କେବେ ବା ଉଶ୍ଵାସ କେବେ ଗୁରୁଭାର ।

ଏ ଜୀବନ ମୋର ଅତି ଆପଣାର ॥’’

 

ଏହି ଶତାୟୁ ସାରସ୍ଵତ ସ୍ରଷ୍ଟାଙ୍କୁ ମୋର ଶତଶତ ପ୍ରଣାମ । ତାଙ୍କର ନିରାମୟ ଜୀବନ ଆମର ଏକାନ୍ତ କାମ୍ୟ ।

 

 

ଉନ୍ନୟନ କମିଶନର୍‌ ତଥା

ଅତିରିକ୍ତ ମୁଖ୍ୟ ଶାସନ ସଚିବ,

ଭୁବନେଶ୍ୱର

 

***

 

Unknown

ଶତାୟୁ ସ୍ରଷ୍ଟା ନିତ୍ୟାନନ୍ଦ ମହାପାତ୍ର : ଏକ ଅନୁଶୀଳନ

ହୁସେନ୍‌ ରବିଗାନ୍ଧୀ

 

ଉତ୍କଳୀୟ ସାରସ୍ଵତ ଅଶ୍ମିତାର ଅନ୍ୟନାମ ଜାଜ୍ଜ୍ୱୁଲ୍ୟମାନ ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଔରସରୁ ଆଜିକୁ ଠିକ୍‌ ଏକଶତ ବର୍ଷ ତଳେ ୧୯୧୨ ଖ୍ରୀଷ୍ଟାବ୍ଦ ଜୁନ ୧୭ ତାରିଖ ଦିନ ଭଦ୍ରକ ସହରରେ ଜନ୍ମଲାଭ କରିଥିଲେ ଆମ ସମୟର ଅନନ୍ୟ କଥାକାର, ଯଶସ୍ୱୀ ଔପନ୍ୟାସିକ, ବିଶିଷ୍ଠ କବି, ନାଟ୍ୟକାର, ଅନୁବାଦକ ଓ ଜଣେ ସଫଳ ସମ୍ପାଦକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର । ତାଙ୍କର ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଥିଲେ ଅଧୁନା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ତିହିଡ଼ି ମଣ୍ଡଳାଧୀଶ ତାଳପଦାର ଜମିଦାର । କାନ୍ତକବି ଲକ୍ଷ୍ମୀକାନ୍ତ ପ୍ରାଚୁର୍ଯ୍ୟ ଭିତରେ ଥାଇ ବି ଅତ୍ୟନ୍ତ ଦୁଃଖୀ ମଣିଷଟିଏ ଥିଲେ ନିଜର ଶାରୀରିକ ଅସୁସ୍ଥତା କାରଣରୁ । କିନ୍ତୁ ନିଜର ସନ୍ତାନମାନଙ୍କୁ ମଣିଷପରି ମଣିଷଟିଏ କରି ଗଢ଼ି ତୋଳିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିଥଲେ । ପିଲାମାନଙ୍କର ଶିକ୍ଷା, ଦୀକ୍ଷା, ସଂସ୍କାର ଓ ଉନ୍ନତ ଚାରିତ୍ରିକ ସ୍ୱଭାବ ଗଠନ କରିବା ପାଇଁ କାନ୍ତକବି ଯତ୍‌ପରୋନାସ୍ତି ଚେଷ୍ଟା କରିଥିଲେ ।

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏକାଧାରରେ ଥିଲେ କବି, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ଏହାର ପ୍ରଭାବ ଜ୍ୟେଷ୍ଠପୁତ୍ର ନିତ୍ୟାନନ୍ଦଙ୍କ ଉପରେ ପଡ଼ିଥିଲା । ଫଳରେ ମାତ୍ର ୭ ବର୍ଷ ବୟସରେ ବାଳକ ନିତ୍ୟାନନ୍ଦ କବିତା ରଚନା ଆରମ୍ଭ କରିଥିଲେ । ନିତ୍ୟାନନ୍ଦ ବାବୁ କେବଳ ସାହିତ୍ୟରେ ନିଜକୁ ସୀମିତ କରି ରଖି ନ ଥିଲେ । ସେ ସମୟରେ ଗାନ୍ଧିଜୀଙ୍କ ନେତୃତ୍ୱରେ ଭାରତର ସ୍ୱାଧୀନତା ପାଇଁ ଚାଲିଥିବା ଅସହଯୋଗ ଆନ୍ଦୋଳନରେ ମଧ୍ୟ ସେ ଅଂଶ ଗ୍ରହଣ କରିଥିଲେ । ଜଣେ ଗାନ୍ଧୀବାଦୀ ଭାବରେ ନିଜର ଜୀବନ ଦର୍ଶନକୁ ସେ ଏତେ ସୁନ୍ଦର ଭାବରେ ଗଢ଼ିତୋଳି ଥିଲେ ଯେ, ପ୍ରାଚୁଯ୍ୟ ଭିତରେ ଜନ୍ମିତ ନିତ୍ୟାନନ୍ଦ ଜଣେ ଗୃହୀ ସନ୍ନ୍ୟାସୀରେ ରୂପାନ୍ତରିତ ହୋଇଯାଇଥିଲେ।

 

ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ସେ ଦୁଇଥର ସ୍ଵାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ୧୯୬୭ରେ ସେହି ଭ୍ରଦକରୁ ଡକ୍ଟର ହରେକୃଷ୍ଣ ମହତାବଙ୍କ ଦ୍ୱାରା ପ୍ରତିଷ୍ଠିତ ଜନକଂଗ୍ରେସ ଦଳର ପ୍ରାର୍ଥୀ ଭାବେ ତୃତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ସେହି ବର୍ଷ ପାଟଣା ମହାରାଜା ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ନେତୃତ୍ଵରେ ପରିଚାଳିତ ସ୍ଵତନ୍ତ୍ର ଦଳ ଓ ଡ. ମହତାବଙ୍କ ଜନ କଂଗ୍ରେସ ଦଳ ମିଳିତ ଭାବେ ଓଡ଼ିଶାରେ ଏକ ଅଣ କଂଗ୍ରେସ ସରକାର ଗଠନ କରିଥିଲେ । ଏହାକୁ ‘ସ୍ଵତନ୍ତ୍ର ଜନକଂଗ୍ରେସ’ ମିଳିତ ସରକାର ବୋଲି କୁହାଯାଏ । ଏହି ସରକାରର ମୁଖ୍ୟମନ୍ତ୍ରୀ ଥିଲେ ଶ୍ରୀଯୁକ୍ତ ରାଜେନ୍ଦ୍ର ନାରାୟଣ ସିଂହଦେଓ । ନିତ୍ୟାନନ୍ଦ ବାବୁ ଏହି ସରକାରରେ ଯୋଗାଣ ଓ ସାଂସ୍କୃତିକ ବ୍ୟାପାର ବିଭାଗର (ଯେଉଁଥିରେ ସଂସ୍କୃତି, ପର୍ଯ୍ୟଟନ, ଯୁବ ଓ କ୍ରୀଡ଼ା ବିଭାଗ ଅନ୍ତର୍ଭୁକ୍ତ ଥିଲା) ଦାୟିତ୍ୱ ବହନ କରି କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିଲେ । ମନ୍ତ୍ରୀପଦ ସହିତ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ପଦ ମଧ୍ୟ ଗ୍ରହଣ କରିଥିଲେ ।

 

କବିତା ଓ ନାଟକ ଅପେକ୍ଷା ସ୍ରଷ୍ଟା ନିତ୍ୟାନନ୍ଦ ମହାପାତ୍ର ଗଳ୍ପ-ଉପନ୍ୟାସରେ ଅଧିକ ଯଶସ୍ୱୀ ହୋଇ ପାରିଛନ୍ତି । ତାଙ୍କଦ୍ଵାରା ରଚିତ ଉପନ୍ୟାସ ‘‘ନାହଂ ତିଷ୍ଠାମି ବୈକୁଣ୍ଠେ’’ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା । ଏହାର କିଛି ବର୍ଷ ପରେ ତାଙ୍କର ଅନ୍ୟତମ ସଫଳ ଉପନ୍ୟାସ ‘‘ଘରଡ଼ିହ’’ ୧୯୮୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥଲା, ଯାହା ତାଙ୍କୁ ୧୯୮୮ରେ ତାଙ୍କ ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଜନ୍ମ ଶତବାର୍ଷିକୀ ଉତ୍ସବ ଅବସରରେ ପ୍ରଦାନ କରାଯାଇଥିଲା । ନିଜ ପିତାଙ୍କ ଜନ୍ମଶତବାର୍ଷିକୀ ଅବସରରେ କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଅଥବା ଯେ କୌଣସି ଶୀର୍ଷସ୍ଥ ପୁରସ୍କାର ଲାଭ କରିବାରେ ବୋଧହୁଏ, ଆମ ରାଜ୍ୟରେ ନିତ୍ୟାନନ୍ଦ ବାବୁଙ୍କ ପରି ଭାଗ୍ୟବାନ ଆଉ କେହି ନାହାନ୍ତି । ଅସଂଖ୍ୟ ଗଳ୍ପ କବିତା ଓ କେତେକ ଉତ୍କୃଷ୍ଟ ନାଟକର ରଚୟିତା ନିତ୍ୟାନନ୍ଦ ବାବୁ କିନ୍ତୁ ଜଣେ ଉପନ୍ୟାସକାର ଭାବରେ ବେଶ୍‌ ପ୍ରତିଷ୍ଠା ଲାଭ କରିଛନ୍ତି । ଏହା ସହିତ ସେ ଯେ ଜଣେ ସଫଳ ସମ୍ପାଦକ, ଏହା ପ୍ରାୟତଃ ଅନେକେ ଜାଣନ୍ତି ନାହିଁ । ତାଙ୍କର ପିତା କାନ୍ତକବି ଲକ୍ଷ୍ମୀକାନ୍ତ ‘ଡଗର ପ୍ରେସ’ ପ୍ରତିଷ୍ଠା କରି ‘ଡଗର’ ନାମରେ ଏକ ସମ୍ଭ୍ରାନ୍ତ ହାସ୍ୟବ୍ୟଙ୍ଗ ପତ୍ରିକା ପ୍ରକାଶ କରୁଥିଲେ-। ନିଜର ରାଜନୀତିକ ଓ ସାମାଜିକ କାର୍ଯ୍ୟକଳାପ ସହିତ ନିତ୍ୟାନନ୍ଦ ବାବୁ ପିତାଙ୍କ ଅନ୍ତେ ‘ଡଗର’ର ସମ୍ପାଦନା ସହିତ ‘ଡଗର ପ୍ରେସ’ର ପରିଚାଳନା ଦାୟିତ୍ୱ ମଧ୍ୟ ବହନ କରିଥିଲେ । ଦୀର୍ଘବର୍ଷ ପର୍ଯ୍ୟନ୍ତ ଏହାକୁ ସୂଚାରୁରୂପେ ସେ ଚଳାଇଥିଲେ ମଧ୍ୟ । ଯେତେବେଳେ ରାଜନୀତିକ ଓ ସାମାଜିକ କାର୍ଯ୍ୟର ଚାପ ନିତ୍ୟାନନ୍ଦ ବାବୁଙ୍କ ଉପରେ ଅତ୍ୟଧିକ ହୋଇ ପଡ଼ିଲା, ସେତେବେଳେ ସେ ‘ଡଗର’ର ସମ୍ପାଦନା ଦାୟିତ୍ୱ ଓଡ଼ିଶାର ଅନ୍ୟତମ ସଫଳ ବ୍ୟଙ୍ଗ ସାହିତ୍ୟିକ ଫତୁରାନନ୍ଦଙ୍କ ଉପରେ ନ୍ୟସ୍ତ କରିଥିଲେ । ସତ କହିବାକୁ ଗଲେ ଫତୁରାନନ୍ଦଙ୍କର ଅମ୍ଳାନ ସାରସ୍ଵତ ବ୍ୟକ୍ତିତ୍ୱ । ‘ଡଗର’ ପରିସରରେ ହିଁ ବିକଶିତ ହୋଇଥିଲା । ଫଳରେ ଓଡ଼ିଆ-ଭାଷା ସାହିତ୍ୟ ଫତୁରାନନ୍ଦଙ୍କୁ ଲାଭ କରି ହାସ୍ୟବ୍ୟଙ୍ଗ ବିଭାଗରେ ଅତ୍ୟନ୍ତ ସମୃଦ୍ଧ ଓ କାଳଜୟୀ ହୋଇପାରିଛି ।

 

ନିତ୍ୟାନନ୍ଦ ବାବୁ ନିଜେ ମଧ୍ୟ ଖିବୁ ଚମତ୍କାର ବ୍ୟଙ୍ଗ ଗଳ୍ପ ଓ କବିତା ଲେଖିଛନ୍ତି । ସାମାଜିକ ଓ ରାଜନୀତିକ କଟାକ୍ଷ ତଥା ତୀକ୍ଷ୍ମ ଆଲୋଚନା ଦ୍ୱାରା ତାଙ୍କର ହାସ୍ୟବ୍ୟଙ୍ଗ ସାହିତ୍ୟ ରସାଳ ହୋଇପାରିଛି । ପରବର୍ତ୍ତୀ ସମୟରେ ତାଙ୍କର ହାସ୍ୟବ୍ୟଙ୍ଗ ସାହିତ୍ୟ ଅନେକ ସାରସ୍ଵତ ସାଧକଙ୍କୁ ହାସ୍ୟବ୍ୟଙ୍ଗ ସାହିତ୍ୟ ସୃଷ୍ଟି କରିବାରେ ବିଶେଷ ପ୍ରୋତ୍ସାହନ ଦେଇଛି ।

 

ନିତ୍ୟାନନ୍ଦ ବାବୁ ଆସନ୍ତା ଜୁନ୍‌ ୧୭, ୨୦୧୨ରେ ଏକଶତ ବର୍ଷ ପୂର୍ଣ୍ଣ କରିବେ । ସେ ଶହେବର୍ଷ ତଳେ ଯେଉଁଦିନ ଜନ୍ମ ନେଇଥିଲେ, ତାହା ଥିଲା ଶ୍ରୀ ଶ୍ରୀ ଜଗନ୍ନାଥଙ୍କର ନବକଳେବର ଦିବସ । ତାଙ୍କ ଶତତମ ଜନ୍ମଜୟନ୍ତୀ ଅବକାଶରେ ସେହି ଚିର ସବୁଜ ସ୍ରଷ୍ଟା, ଆମ ଭାଷା ସାହିତ୍ୟକୁ ଏକ ନବ କଳେବରର ସ୍ଵରୂପ ପ୍ରଦାନ କରିବାରେ ସଫଳ ହୋଇପାରିଥିବାରୁ ଆଗାମୀ ସହସ୍ରାବ୍ଦ ଯାଏଁ ନମସ୍ୟ ହୋଇ ରହିଥିବେ । ଈଶ୍ଵର ତାଙ୍କୁ ଆହୁରି ଦୀର୍ଘାୟୁ କରନ୍ତୁ ଓ ତାଙ୍କର ବିରାଟ ବୋଧିଦ୍ରୁମସମ ସାରସ୍ଵତ ବ୍ୟକ୍ତିତ୍ଵ ଅନେକ ବାଣୀସାଧକଙ୍କୁ ଏକତ୍ରିତ ଭାବେ ସାଧନାରତ ହୋଇ ବୁଦ୍ଧତ୍ଵ ପ୍ରାସ୍ତ ହେବାରେ ମାଧ୍ୟମ ହୋଇ ରହିଥାନ୍ତୁ ।

 

 

ପୂର୍ବତନ ସଭାପତି

ଓଡ଼ିଶା ସାହିତ୍ୟ ଏକାଡେମୀ,

ଅମିନ୍‌ ହାଉସ୍‌,

(ପ୍ୟାରୀମୋହନ ଏକାଡେମୀ ସାମ୍ନାରେ),

ଆଜମ୍‌ ଖାନ୍‌ ବଜାର, କଟକ- ୧

***

 

ନିତ୍ୟାନନ୍ଦଙ୍କ ଉପନ୍ୟାସକଳାର ବୈଚିତ୍ର୍ୟ

ବିଜୟ କୁମାର ଶତପଥୀ

 

ଓଡ଼ିଆ ଉପନ୍ୟାସର ଗତିପଥରେ ଯଶସ୍ୱୀ କଥାଶିଳ୍ପୀ ନିତ୍ୟାନନ୍ଦଙ୍କ ଉପନ୍ୟାସଗୁଡ଼ିକ ସ୍ଵତନ୍ତ୍ର ଆସନର ଅଧିକାରୀ । ମନଗହନର ବୈଚିତ୍ର୍ୟ ସନ୍ଧାନ ପୁଣି ସମାଜ ମନସ୍କତା ତାଙ୍କର ଉପନ୍ୟାସ ଦିଗନ୍ତକୁ ବୈଚିତ୍ର୍ୟମଣ୍ଡିତ କରିଛି । ପ୍ରଥମ ବିଶ୍ଵ ଯୁଦ୍ଧଠାରୁ ଆରମ୍ଭ କରି ଦ୍ୱିତୀୟ ବିଶ୍ୱଯୁଦ୍ଧ ଓ ସ୍ଵାଧୀନତା ପ୍ରାପ୍ତି ପର୍ଯ୍ୟନ୍ତ ଉତ୍କଳୀୟ ସମାଜ ଜୀବନର ଘନଘଟା, ରୂପାନ୍ତର ଏଗୁଡ଼ିକରେ ଯେପରି ରୂପ ପାଇଛି ତାହା ଲକ୍ଷ୍ୟ କରିବାର କଥା । ବିଭକ୍ତ ବ୍ୟକ୍ତିସତ୍ତାର ଦ୍ୱନ୍ଦ୍ୱ ଓ ବିରୋଧ ମଧ୍ୟରେ ପୀଡ଼ିତ ତାଙ୍କ ଉପନ୍ୟାସର ଚରିତ୍ରଗଣ କେତେବେଳେ ସମାଜର ପାରମ୍ପରିକତା ବିରୁଦ୍ଧରେ, ପୁଣି କେତେବେଳେ ଜୀବନର ପ୍ରଥାବଦ୍ଧତା ବିରୁଦ୍ଧରେ ବିଦ୍ରୋହର ସ୍ଵର ଉଚ୍ଚାରଣ କରିଛନ୍ତି ।

 

ଶ୍ରୀଯୁକ୍ତ ମହାପାତ୍ର ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ ଓ ପ୍ରାବନ୍ଧିକ । ୧୯୩୨ ମସିହା ପରଠାରୁ ସେ ସାହିତ୍ୟ ଜଗତରେ ପ୍ରବେଶ କରନ୍ତି । ତାଙ୍କର ପ୍ରଥମ ଗଳ୍ପ ‘ମାଉସୀ’ ୧୯୩୨ ମସିହାରେ । ଲିଖିତ ହୋଇ ୧୯୩୪ରେ ପ୍ରକାଶ ପାଇଥିଲା । ତାଙ୍କର ପ୍ରଥମ ଉପନ୍ୟାସ ‘ଭୁଲ’ ୧୯୩୬ ମସିହାରେ ନବଭାରତ ପତ୍ରିକାରେ ପ୍ରକାଶ ପାଇଥିଲେ ମଧ୍ୟ ପରେ ପୁସ୍ତକାକାରରେ ପ୍ରକାଶ ପାଇଥିଲା ୧୯୪୫ ମସିହାରେ । ଯେତେବେଳେ ନବଭାରତରେ ଏହି ‘ଭୁଲ’ ଉପନ୍ୟାସଟି ପ୍ରକାଶ ପାଇଲା ସେତେବେଳେ ତରୁଣ ମହଲରେ ଗୋଟିଏ ଚମକ ଖେଳିଗଲା । ଔପନ୍ୟାସିକ ‘ଭୁଲ’ ଲେଖିଥିଲେ ନିହାତି ତରୁଣ ବୟସରେ । ପାଟଣାର ଲୁହା ତାରବେଢ଼ା ଜେଲ ମଧ୍ୟରେ ଏହାର ଜନ୍ମ । ଏହି ଉପନ୍ୟାସର ବିଶେଷତ୍ୱ ହେଲା ନିଜର ଦୂରାବସ୍ଥାକୁ ନ ସୁଧାରି ନିଜ ଜାଗାରେ ନିଜେ ଦୃଢ଼ ନ ହୋଇ ଆଉ ପାଞ୍ଚ ଆଡ଼ିକି ହାତ ବଢ଼େଇବାଠାରୁ ବଡ଼ ଭୁଲ ଆଉ କଣ ଅଛି ? ମଣିଷ ଯେଉଁ ଅବସ୍ଥାରେ ଥାଉ ସେଇ ଅବସ୍ଥାକୁ ଗୌରବମୟ କରି ନେବାରେ ଠିକ୍‌, ଆଉ ସବୁ ଭୁଲ୍‌ । ତାଙ୍କର ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଉପନ୍ୟାସ ୧୯୪୬ ମସିହାରେ ପରିକଳ୍ପିତ ହୋଇ ୧୯୪୮ରେ ଆତ୍ମପ୍ରକାଶ କରିଥିଲା । ବିଶ୍ୱଯୁଦ୍ଧକାଳୀନ ଉତ୍କଳର ସାମାଜିକ ଚିତ୍ର, ଗାନ୍ଧୀଙ୍କର ଅସହଯୋଗର ଆନ୍ଦୋଳନର ଛାୟା ଏବଂ ବ୍ୟକ୍ତିସତ୍ତା ସହ ସମାଜର ସଂଘର୍ଷ ଏ ଉପନ୍ୟାସ ଦୁଇଟିର ମୂଳକଥା । ‘ଜୀଅନ୍ତା ମଣିଷ’ ଭପନ୍ୟାସରେ ଚପଳା, ବିଭୂତି, ଭିକାରୀ ଏହି ତିନିଗୋଟି ଚରିତ୍ର ମାଧ୍ୟମରେ ସେ ଜୀବନର ସତ୍ୟ ଉଦ୍‌ଘାଟନ କରିଛନ୍ତି । ତାହା ହେଲା ମଣିଷ ଜୀବନ ଯୌନକୈନ୍ଦ୍ରିକ । ଜୀବନର ଅନ୍ୟନାମ ଛଳନା-। ତାଙ୍କ ଭାଷାରେ ‘‘ସେଇ ଛଳନାକୁ ନେଇ-ସେଇ ମଲା ଜୀବନଟାକୁ ନେଇ ମଣିଷ ଜୀଅନ୍ତା ମଣିଷ । ନିଜକୁ ମଲାବୋଲି କହିବାକୁ, ସତକୁ ସତ ବୋଲି କହିବାକୁ ଯା’ର ସାହସ ନାହିଁ ସେଇ-ତାରି ନାଁ- ଜୀଅନ୍ତା ମଣିଷ ।’’ ‘ସୁଖର ସନ୍ଧାନେ’ ଉପନ୍ୟାସଟି ୧୯୫୫ ମସିହାରେ ଲିଖିତ ହୋଇ ପ୍ରକାଶ ପାଇଥିଲା ୧୯୫୮ ମସିହାରେ । ଏହା ଏକ କଳ୍ପନା ପ୍ରଧାନ ଉପନ୍ୟାସ । ଏଥିରେ ବାସ୍ତବ ପରିବେଶ ଓ ଜୀବନ୍ତ ଚରିତ୍ରର ଏକାନ୍ତ ଅଭାବ । ତତ୍ତ୍ୱ‌ ଓ ଦର୍ଶନର ଆରୋପ ଉକ୍ତ ଉପନ୍ୟାସଟିରେ ପରିଲକ୍ଷିତ ହୁଏ । ସମସ୍ତ ସାଂସାରିକ ଭୋଗଲାଳସା ତ୍ୟାଗ କରି ସୁଖର ସନ୍ଧାନର ଯଦି କେହି ବ୍ରତୀ ହୁଏ ସେ ସୁଖର ସନ୍ଧାନ ପାଏ ନାହିଁ । ଜୀବନରେ ନିର୍ବିକାର ହେବାକୁ ପଡ଼ିବ । ଭୋଗ ବାସନା ଶୂନ୍ୟହେବାକୁ ପଡ଼ିବ । ‘ଜୀବନର ଲକ୍ଷ୍ୟ’ ଉପନ୍ୟାସ ୧୯୪୫ରେ ଲିଖିତ ହୋଇ ୧୯୬୪ରେ ପ୍ରକାଶ ପାଇଥିଲା । ଏହା ଏକ ପ୍ରେମଚିତ୍ର ଶୂନ୍ୟ ଦର୍ଶନ ତତ୍ତ୍ୱ ସମ୍ବଳିତ ଉପନ୍ୟାସ । ‘‘ପରିକଳ୍ପିତ ଶାନ୍ତି ସଂଭୋଗ ଓ ଆକାଂକ୍ଷାର ଅପୂରଣରେ ଜୀବନର ବ୍ୟର୍ଥତା, ସଂସାର ଜଞ୍ଜାଳ ବିମୁଖୀ ଯେଉଁ ପ୍ରତିନିବୃତ୍ତି ଓ ପଳାୟନର ସ୍ଵର ତୋଳେ ସେଥିରେ ଥାଏ ବ୍ୟକ୍ତିର ବଞ୍ଚି ରହିବା ପ୍ରତି ଭୟ । ଅଥଚ ମରିବାକୁ ସାହସର ଅଭାବ । ବ୍ୟକ୍ତିର ଏହି ନ ଯଯୌ ନ ତସ୍ଥୌ ଅବସ୍ଥାର ମାନସିକ ବ୍ୟାଧିକୁ ଉକ୍ତ ଉପନ୍ୟାସରେ ରୂପକ ଶୈଳୀରେ ଦର୍ଶାଯାଇଛି । (୧) ୧୯୪୯ ମସିହାରେ ତାଙ୍କର ପ୍ରକାଶ ପାଇଥିଲା ଉପନ୍ୟାସ ‘ପୀରତି ପଥ ଖସଡ଼ା’, ସାଧାରଣ ମଣିଷ କିପରି ପ୍ରେମର ମହତ୍ୱ ବୁଝିବା ପାଇଁ ଅକ୍ଷମ, ଦେହଜ ଲାଳସା ଦୃଷ୍ଟିରୁ ସେ କେବଳ ପ୍ରେମର ମହତ୍ୱ କଳ୍ପନା କରେ, ତାହା ସେ ଉକ୍ତ ଉପନ୍ୟାସଟିରେ ଦର୍ଶାଇଛନ୍ତି । ସେ ମଧ୍ୟ ଦର୍ଶାଇଛନ୍ତି ଏ ଯୁଗର ଯୁବକ ଯୁବତୀଙ୍କର ଭଲ ପାଇବାରେ ଆତ୍ମାର ପ୍ରତିଧ୍ଵନି ନାହିଁ । ଔପନ୍ୟାସିକ ସୁମିତ୍ରା ଚରିତ୍ର ମାଧ୍ୟମରେ ନିଜର ଏହି ଦୃଷ୍ଟିକୋଣକୁ ସ୍ପଷ୍ଟ କରିଛନ୍ତି ।

 

(୧).

ଓଡ଼ିଆ ଗଦ୍ୟ ସାହିତ୍ୟ-ବୈକୁଣ୍ଠନାଥ ରଥ ପୃଷ୍ଠା- ୪୪

 

ଏଠାରେ ଏକଥା କହିବା ପ୍ରୟୋଜନ ଯେ ଶ୍ରୀଯୁକ୍ତ ମହାପାତ୍ରଙ୍କର ଉପନ୍ୟାସଗୁଡ଼ିକରେ ପାଠକ ଏକ Panoromic view ପାଇବା ପରିବର୍ତ୍ତେ ପାଏ ଏକ cynic view ଏବଂ ଏହାକୁ ପ୍ରସ୍ଫୁଟିତ କରିବା ଦିଗରେ ସେ ନିଜର ଶକ୍ତିଶାଳୀ ପ୍ରତିଭାର ପରିଚୟ ଦେଇଛନ୍ତି । ‘ଭଙ୍ଗାହାଡ଼’ ଓ ‘ହିଡ଼ମାଟି’ ଉପନ୍ୟାସ ଦ୍ଵୟର କଥାବସ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ ଗ୍ରାମର ପରିସୀମାକୁ କେନ୍ଦ୍ରକରି ଗଢ଼ି ଉଠିଛି । ଗୋଟିଏ ଗାଁର ଦୁର୍ବଳ ସବଳ ଗୋଷ୍ଠୀ, ଥିଲା ନ ଥିଲା ମଧ୍ୟରେ ସୃଷ୍ଟି ହୋଇଥିବା ପାର୍ଥକ୍ୟ । ଗାଁର ଦୁର୍ବଳ ସବଳଗୋଷ୍ଠୀ, ଥିଲା ନ ଥିଲା ସୃଷ୍ଟି ହୋଇଥିବା ପାର୍ଥକ୍ୟ । ଦାରିଦ୍ର୍ୟ ପୀଡ଼ିତ ଜନତାର ଦୈନନ୍ଦିନ ଜୀବନ । ଇଂରାଜୀ ଶିକ୍ଷାକୁ କେନ୍ଦ୍ରକରି ଜନମାନସରେ ଗଢ଼ି ଉଠିଥିବା ବଦ୍ଧମୂଳ ଧାରଣା, ଗ୍ରାମ୍ୟଜୀବନରେ ଅନୁଭୂତ ହୋଇଥବା ବିଶ୍ୱଯୁଦ୍ଧର କରାଳ ଛାୟା, ବିଂଶ ଶତକର ବସ୍ତୁତନ୍ତ୍ରର ପ୍ରାଧାନ୍ୟ ଫଳରେ ପାରମ୍ପରିକତାର ବିଲୋପ ସାଧନା, ସର୍ବୋପରି ଜମିଦାରୀର - ପତନ ଓ ଏକ ନୂଆ ଧନିକ ଗୋଷ୍ଠୀର ଉତ୍‌ଥାନ ପ୍ରଭୃତିକୁ ନିଖୁଣ କଳାକୁଶଳତାର ସହ ଔପନ୍ୟାସିକ ଉକ୍ତ ଉପନ୍ୟାସ ଦୁଇଟିରେ ଆଙ୍କିଛନ୍ତି । ଯେଉଁ ନିର୍ଦ୍ଦିଷ୍ଟ ଗାଁର ଚିତ୍ର ଏ ଉପନ୍ୟାସରେ ଦିଆଯାଇଛି ସେଥିରୁ ସହଜରେ ସ୍ୱାଧୀନତା ପୂର୍ବରୁ ବିଶ୍ଵଯୁଦ୍ଧକାଳୀନ ସମୁଦାୟ ଉତ୍କଳୀୟ ଗ୍ରାମ୍ୟ ଜୀବନର ନିଛକ ଚିତ୍ର ସହଜରେ ଅନୁଭୂତ ହୋଇଥାଏ । ସେହିପରି ତାଙ୍କର ‘ଜୀଅନ୍ତା ମଣିଷ’ର ପୃଷ୍ଠଭୂମି ଗୋଟିଏ ମଧ୍ୟବିତ୍ତ ପରିବାରକୁ କେନ୍ଦ୍ରକରି ଗଢ଼ି ଉଠିଛି । ଭିକାରୀ, ଚପଳା ଏହି ତିନିଗୋଟି ଚରିତ୍ରର ମାନସିକ ଆନ୍ଦୋଳନର ରୂପାୟନ ଉପନ୍ୟାସରେ ସଂଘଟିତ ହୋଇଅଛି । ଉପନ୍ୟାସ ମଧ୍ୟରେ କଲିକତାର ଏକ ବେଶ୍ୟାଳୟର ପରିବେଶ ଓ ଭିକାରୀ ସହ ବେଶ୍ୟା ମଲ୍ଲୀର ସମ୍ପର୍କ ବର୍ଣ୍ଣିତ ହୋଇଥିଲେ ମଧ୍ୟ ତାହା ଘଟଣାର ବ୍ୟାପକତା ସୃଷ୍ଟି କରିବା ପରିବର୍ତ୍ତେ ଭିକାରୀ ଚରିତ୍ରକୁ ଅଧିକ ସ୍ପଷ୍ଟତର କରିପାରିଛି । ସେହିପରି ‘ଭୁଲ’ ଉପନ୍ୟାସର ଘଟଣା ପ୍ରବାହ ଗଢ଼ି ଉଠିଛି କିଶୋର, ଗେହ୍ଲୀ ଓ ତାର ସ୍ଵାମୀ ମଧ୍ୟରେ । ଗେହ୍ଲୀକୁ କେନ୍ଦ୍ର କରି ଏ ଦୁହେଁ ଘୁରି ବୁଲିଛନ୍ତି ଠିକ୍‌ ଯେମିତି ଚପଳାକୁ କେନ୍ଦ୍ରକରି ଘୁରି ବୁଲିଛନ୍ତି ଭିକାରୀ ଓ ବିଭୂତି । ‘ସୁଖର ସନ୍ଧାନେ’ ଠିକ୍‌ ସେମିତି ‘ଜୀବନର ଲକ୍ଷ୍ୟ’ ଉପନ୍ୟାସରେ ଜୀବନର ରହସ୍ୟ ଓ ଲକ୍ଷ୍ୟ ଭେଦ କରିଥିବା ଏକ ଚରିତ୍ରର ଅଭିଜ୍ଞତା ସମ୍ପର୍କରେ ବର୍ଣ୍ଣନା କରାଯାଇଛି । ଉପନ୍ୟାସରେ ସୁଖର ସନ୍ଧାନ ପାଇଁ ବହିର୍ଗତ କନକାଦତ୍ୟର ଭିନ୍ନ ଭିନ୍ନ ଅନୁଭୂତିର ଚିତ୍ରପଟଟିଏ ଦିଆଯାଇଛି । ସେ ଅଭିଜ୍ଞତା ହେଲା- ‘‘ଉଚ୍ଚ ଆଶା ରଖି, କିନ୍ତୁ ବିଫଳତାରେ ନିରାଶ ହୁଅ ନାହିଁ । ତମର ବିଫଳତା ଅନୁଗାମୀ ଯୁଗର ଅଭିଜ୍ଞତା । କାରଣ ଜୀବର ନାଶ ଥାଇ ପାରେ ଜୀବନର ନାଶ ନାହିଁ ।’’

 

‘ସୁଖର ସନ୍ଧାନେ’, ‘ଜୀବନର ଲକ୍ଷ୍ୟ’, ‘ଭୁଲ’ ଏହି ତିନୋଟିକୁ ଉପନ୍ୟାସ କହିବା ଅପେକ୍ଷା ଖୁବ୍‌ ଦୀର୍ଘ ତିନିଗୋଟି ଗଳ୍ପ କହିବା ଯୁକ୍ତିଯୁକ୍ତ ଏ ତିନୋଟି ଚରିତ୍ର ଚିତ୍ରଣ ବଳିଷ୍ଠତା ଓ ଘଟଣାର ବହୁମୁଖୀନତା, ପରିସରର ବ୍ୟାପକତା ଅପେକ୍ଷା ଏକକତା ଅଧିକ ପରିମାଣରେ ସୁରକ୍ଷିତ । ଗଳ୍ପର ଘଟଣା ପ୍ରବାହ ପରି ଏହା ପୁଣି ଦ୍ରୁତ ଗତିରେ ପରିଣତି ଅଭିମୁଖୀ । ‘ସୁଖର ସନ୍ଧାନେ’, ‘ଜୀବନର ଲକ୍ଷ୍ୟ’ ଏ ଦୁଇଟିକୁ ରୂପକ ଗଳ୍ପ କହିଲେ ସତ୍ୟର ଅପଳାପ ହେବ ନାହିଁ । ଔପନ୍ୟାସିକ ଏ ଦୁଇଟି ମଧ୍ୟରେ ଦୁଇଟି ଚିରନ୍ତନ ସତ୍ୟର ଅବତାରଣା କରିଛନ୍ତି । ରୂପକରେ ବାସ୍ତବତା ଅପେକ୍ଷା କଳ୍ପନାର ପ୍ରାଧାନ୍ୟ ଅଧିକ, ମାତ୍ର ଏହାର ପଶ୍ଚାତ୍‌ ଭାଗରେ ଥାଏ ଏକ ନୀତିର ଅବତାରଣା ଯାହର ଆବେଦନ ସାର୍ବଜନୀନ ଓ ସର୍ବକାଳିକ । ଆମେ ପଞ୍ଚତନ୍ତ୍ର ହିତୋପଦେଶ ପ୍ରଭୃତିରେ ସନ୍ନିବେଶିତ ଗଳ୍ପଗୁଡ଼ିକୁ ଏ ଆଖ୍ୟା ଦେଇ ପାରିବା । ଉପରୋକ୍ତ ଉପନ୍ୟାସ ଦୁଇଟିର ମହତ୍ୱ ତାର ଅବାସ୍ତବ ଚରିତ୍ର ବା ଚିତ୍ରଣ ଘଟଣା ପ୍ରବାହ ଉପରେ ନିର୍ଭର କରେ ନାହିଁ ବରଂ ନିର୍ଭର କରେ ତା ମଧ୍ୟରେ ଅନ୍ତର୍ନିହିତ ମାନବିକ ସତ୍ୟର ଉଦବୋଧନ ଉପରେ । ରୂପକର ଆଙ୍ଗିକରେ ଲିଖି‌ତ ଏ ଦୁଇଟି ଆଧୁନିକ ମଣିଷର ବସ୍ତୁବାଦୀ ଚେତନା ପ୍ରତି ଚରମ ଆକ୍ଷେପ ଓ ବ୍ୟଙ୍ଗ । ‘ସୁଖର ସନ୍ଧାନେ’ ଉପନ୍ୟାସର ନାୟକ କନକାଦିତ୍ୟ ଯେପରି ବିଂଶ ଶତକର ମଣିଷ ମଧ୍ୟରେ ଆତ୍ମଗୋପନ କରିଛି ଆଧୁନିକ ମଣିଷ ସେଇ ସୁଖର ସନ୍ଧାନରେ । ମାତ୍ର ତା କାହିଁ ? ମରୀଚିକାର ସ୍ଵପ୍ନ ? ମନୁଷ୍ୟ ଭାଗ୍ୟରେ କେବଳ ବିଫଳତାର ଅଜସ୍ର କାରୁଣ୍ୟ । ‘‘ତେଣୁ ମନୁଷ୍ୟର ଚିରଦିନ ବଞ୍ଚିବାର ଇଚ୍ଛା ଯେପରି ହାସ୍ୟାସ୍ପଦ କଥା । ବିଫଳତାର ମନୋବୃତ୍ତି ନେଇ ମରିବାର ପ୍ରୟାସ ମଧ୍ୟ ସେହିପରି ପରିହାସ ଯୋଗ୍ୟ । ସ୍ଵସୁଖ୍ୟାତିର ବାସନା ଯେଉଁ ଭଳି ଅନ୍ୟାୟ ଅକାରଣ ଅଭିମାନରେ ଆତ୍ମଗୋପନର ଅଭିଳାଷ ମଧ୍ୟ ତଦ୍ରୂପ ଅର୍ଥଶୂନ୍ୟ । ସମୟର କୀଟ ତମେ ମନୁଷ୍ୟ । ନିଜ କ୍ଷମତାରେ ସମୟକୁ ଜୟ କରିବାର ପ୍ରୟାସ କର ନାହିଁ । ସମୟର ସଦୁପଯୋଗ କରି ମାନବିକ ଜୀବନ ଧାରାର ବିଜୟ ଘୋଷଣା କର । ସେଇଥିପାଇଁ ହିଁ ସମୟର ପରାଜୟ । ଯେତିକିରେ ତମର ଅଧିକାର ତାହା ହିଁ ତମର କର୍ତ୍ତବ୍ୟ ।’’ (ଜୀବନର ଲକ୍ଷ୍ୟ ନୂତନ ସଂସ୍କରଣ ପୃ-୭୭)

 

ଉପନ୍ୟାସ ‘ସୁଖର ସନ୍ଧାନ’ରେ ଘରଦ୍ୱାର ଓ ପୁତ୍ରକଳତ୍ର ପରିତ୍ୟାଗ କରି କନକାଦିତ୍ୟ ସୁଖର ସନ୍ଧାନରେ ଚାଲିଛି । ସମସ୍ତ ଉପନ୍ୟାସଟି ସାତଗୋଟି ପରିଚ୍ଛେଦରେ ବିଭକ୍ତ । ଔପନ୍ୟାସିକ ପ୍ରଥମ ପରିଚ୍ଛେଦରେ କନକାଦିତ୍ୟର ପରିବାରି ଓ ଅନିମେଷା ସହ ତାର ପରିଚୟ ଓ ପରିଣୟର ସୂଚନା ଦେଇଛନ୍ତି । ଦ୍ୱିତୀୟ ପରିଚ୍ଛେଦ ପରଠାରୁ ଉପନ୍ୟାସର ଶେଷଯାଏ ସେ ବୈରାଗୀ । ଶାସକ, ଧନଶାଳୀ, ବୈଜ୍ଞାନିକ, ଯୋଗୀ-ପ୍ରଭୃତିଙ୍କ ନିକଟକୁ ଯାଇ ସୁଖର ସଂଜ୍ଞା ଖୋଜିଛି । ମାତ୍ର ତାର ପରିତୃପ୍ତି କାହିଁ ? ଶେଷରେ ସେ ଭଗବାନ ମଧ୍ୟ ହୋଇଛି । ମାତ୍ର ତଥାପି ସୁଖ ନାହିଁ । ସେ ଚିତ୍‌କାର କରି କହିଛି ଭୂତ ଭଗବାନଙ୍କ ଉଦ୍ଦେଶ୍ୟରେ ରକ୍ଷା କର, ରକ୍ଷାକର, ଭଗବାନ ତମେ ଯଦି ମୋତେ ପୂର୍ବରୁ ତମ ଭଗବତ୍ତାର ବିଷମ ସମସ୍ୟା ସମ୍ବନ୍ଧରେ ସାମାନ୍ୟ ସୂଚନା ଦେଇଥାନ୍ତ ତେବେ ମୁଁ କଦାପି ଏ ବର ପାଇଁ ଲାଳାୟିତ ହୋଇ ନ ଥାନ୍ତି- ଫେରାଇ ନିଅ-ଫେରାଇ ନିଅ ତମର ଭଗବତ୍ତା, ମୋତେ ରକ୍ଷା କର । ନିତ୍ୟାନନ୍ଦ ମହାପାତ୍ରଙ୍କର ଉପନ୍ୟାସଗୁଡ଼ିକର ଅନ୍ୟତମ ବିଶେଷତ୍ଵ ହେଲା ସେଗୁଡ଼ିକରେ ବ୍ୟକ୍ତିସତ୍ତା ତୁମୁଳ ସଂଘର୍ଷ କରିଛନ୍ତି ସମାଜ ସହିତ ସମାଜଗଢ଼ା ନିୟମ କାନୁନ୍‌ ସହିତ । ସମାଜ ବୁକୁରେ ଯୁଗ ଯୁଗ ଧରି ସଂଚିତ ହୋଇ ରହିଥିବା ମଣିଷ ଗଢ଼ା ନୀତିନିୟମ, ପରମ୍ପରା ଯାହା ହାତରେ ମଣିଷ ଖେଳଣା ପରି ରହିଛି ତା ବିରୁଦ୍ଧରେ ଏ ଯେଉଁ ପ୍ରତିବାଦ ଆମେ ତାଙ୍କର ଭଙ୍ଗାହାଡ଼, ହିଡ଼ମାଟି, ଭୁଲ, ଜୀଅନ୍ତା ମଣିଷ ଉପନ୍ୟାସରେ ଦେଖିବାକୁ ପାଉ ।

 

ବିଶେଷ କରି ୧୯୪୦ ଠାରୁ ୧୯୫୦ ମସିହା ଭିତରେ ସେତେବେଳକାର ଅନଗ୍ରସର ଓଡ଼ିଶା ରାଜ୍ୟରେ ସମାଜ ବିରୋଧରେ ଯେଉଁ ତୀବ୍ର ପ୍ରତିକ୍ରିୟା ନିତ୍ୟାନନ୍ଦ ମହାପାତ୍ରଙ୍କର ନାରୀ ଚରିତ୍ରମାନେ ପ୍ରକାଶ କରିଛନ୍ତି ତାହା ଔପନ୍ୟାସିକଙ୍କର କମ୍‌ ବଡ଼ ସାହସିକ ପଦକ୍ଷେପ ନୁହେଁ, ଅନ୍ତତଃ ସେ ସମୟର ମୂଲ୍ୟବୋଧ ଦୃଷ୍ଟିରୁ ‘ଭୁଲ’ର ଗେହ୍ଲୀ ଓରଫ ସୁଲକ୍ଷଣା ଏବଂ ‘ହିଡ଼ମାଟି’ର ରତନୀ ନିଧିଆ ବୋଉ, ପୁଣି ‘ଜୀଅନ୍ତା ମଣିଷ’ର ଚପଳା ଏମାନଙ୍କର ଯେଉଁ ଚାରିତ୍ରିକ ସ୍ଖଳନ ଔପନ୍ୟାସିକ ଦର୍ଶାଇଛନ୍ତି ସେଥିପାଇଁ ସେମାନଙ୍କର ପାରିପାର୍ଶ୍ଵିକ ସମାଜ ହିଁ ବିଶେଷ ଭାବରେ ଦାୟୀ । ସେଥିପାଇଁ ଗେହ୍ଲୀ ଅନୁଭବ କରିଛି ମୁଁ ବାହା ହେଇଥିଲି ନାଁ ମୋତେ ବାହା କରି ପକେଇଥିଲେ-ଯଉବନ ଯେତେବେଳେ ଆଶାର କୁହୁକ କାହାଣୀ ଶୁଣାଇବାକୁ ଆରମ୍ଭ କରିଥିଲା ଶେଷ କରି ପାରି ନାହିଁ ସେତିକିବେଳେ । ବସନ୍ତ ହାଉଆ ତା’ରି ଭଳି ଭଳି ଫୁଲ ଗନ୍ଧ ଆଣି ପ୍ରାଣଟାକୁ କିପରି ପ୍ରତିକ୍ଷଣରେ ନୂଆ ନୂଆ ପୁଲକରେ ସରସ ସତେଜ କରି ଦେଇଯାଏ ସେ ଅନୁଭବ ହେଲା ମୋରଆଜି-ବାହା ହବାର ଏତେଦିନ ପରେ । ଯୁବକ ଯୁବତୀଙ୍କର ଜୀବନ ଯେତେବେଳେ କେତେ ରୋମାଞ୍ଚକର ମିଳନ ସୁଖର ଆନନ୍ଦ ପଛରେ ଉନ୍ମତ୍ତ ଅନୁସରଣ କରିଚାଲେ ମୋ ହାତ ଗୋଡ଼ରେ ଜଞ୍ଜିର ଲାଗିଗଲା ଠିକ୍‌ ସେତିକିବେଳେ--(୩)

 

(୩).

ଭୁଲ୍‌ - ପ୍ରଥମ ସଂସ୍କରଣ - ପୃଷ୍ଠା- ୪୬ ।

 

‘ଭଙ୍ଗାହାଡ଼’ ଓ ‘ହିଡ଼ମାଟି’ରେ ଦୁଃଖୀଦାଶ, ରତନୀ, ନିଧିବୋଉ ଏମାନେ ପ୍ରଚଳିତ ସମାଜର ଆଇନକାନୁନ୍‌ ବିରୋଧରେ ସ୍ଵର ଉତ୍ତୋଳନ କରିଛନ୍ତି । ନିଧି ବୋଉ ପରପୁରୁଷ ନିକଟରେ ଦେହ ବିକିଲେ ମଧ୍ୟ ତା’ର ମନ କଳୁଷିତ ନୁହେଁ, ସେ ତାକୁ ଅପରାଧ ବୋଲି ବିଚାରି ନାହିଁ । ସମାଜର ପ୍ରଚଳିତ ନିୟମ ଅନୁଯାୟୀ ସେ ଦୋଷୀ ହୋଇପାରେ ସେଥିପାଇଁ ନିଧି ବୋଉର ଖାତିର ନାହିଁ । ବଡ଼ ସ୍ପଷ୍ଟ ବିଦ୍ରୋହୀ ଏ ଚରିତ୍ରଟି । ବିଶିଷ୍ଟ ଐତିହାସିକ କାହ୍ନୁଚରଣଙ୍କର ଉପନ୍ୟାସର ନାରୀ ଚରିତ୍ରମାନେ ସେମାନଙ୍କର ଇନ୍ଦ୍ରିୟ ଲାଳସା ଚରିତାର୍ଥ ପାଇଁ ଦେହ ଦାନ କରିଥିଲେ ମଧ୍ୟ ଅପରାଧ ବୋଧର ତାଡ଼ନାରେ ସନ୍ତୁଳି ହୋଇଛନ୍ତି । ସେମାନଙ୍କର ଚିତ୍ତ ବିକ୍ଷୋଭଣ ମଧ୍ୟ ଜାତ ହୋଇଛି । ମାତ୍ର ନିଧିଆ ବୋଉ ତାର ଆତ୍ମଦୃଷ୍ଟିରେ ନିର୍ମଳ, ପବିତ୍ର । ତା’ର ଯୁକ୍ତି ହେଉଛି- ‘‘ଜାତି ? ମୋର କି ଜାତି ? ମୋ ଗାଁଯାକ ସମସ୍ତେ ମିଳି ଜାତିରୁ କାଢ଼ି ଦେଇଛନ୍ତି । ମୁଁ ବି ସେମିତି ଗାଁ ଯାକକୁ ଜାତିରୁ କାଢ଼ି ଦେଇଛି । ତଫାତ ଏତିକି ମୁଁ ମୋ ଜାତି ନେଇ ପଡ଼ିଥାଏ-ଗାଁ ଆଗକୁ ଭଲ ମନ୍ଦରେ ଯାଏ ନାହିଁ । ପଛକେ ଗାଁର ଅଧେ ତିନିପାଲୋକ ଏଇ ଅଜାତି ପାଖକୁ ଦଉଡ଼ି ଆସନ୍ତି । ଜାତି ମାରୁଛନ୍ତି ? ଦେଖିନାହିଁ ୟାଙ୍କ ଜାତି ? ଜାତି କାହାର ଅଛି ? କି ଜାତି ନ ଦେଇଛି ୧? ଆଉ ମୁଁ ରାଣ୍ଡ ମାଇପିଟିଏ ବୋଲି ମୋରି ଦେହରେ ଅଠା ଲାଗିଯାଉଛି । ଛୋଟୀ ବିରାଡ଼ି ଅସରପାକୁ ବାଇ । (୪) ଜୀଅନ୍ତା ମଣିଷ ଉପନ୍ୟାସରେ ଚପଳାର ମନ ବିଦ୍ରୋହ କରି ଉଠିଛି ସମାଜ ବିରୁଦ୍ଧରେ । ‘‘ମଣିଷ-ଜୀଅନ୍ତା ମଣିଷ, ଯାହା ସତ, ଯାହା ସୁନ୍ଦର ଆଖି ଆଗରେ, ହାତ ପାଆନ୍ତାରେ ଯାହା ଥୁଆ ହୋଇଛି । ଏଡ଼େ ସହଜରେ ଆଜି ଯାହାକୁ-କେତେ ଅସାଧ୍ୟ ସାଧନା ପରେ ଆପଣାର କରି ହେଉଛି । ତାକୁ ମନେ ରଖାଯାଇପାରେ- ମନେ ମନେ ତାକୁ ଶ୍ରଦ୍ଧା କରାଯାଇପାରେ- ଭଲ ବୋଲି କୁହାଯାଇପାରେ - ଜୀଅନ୍ତା ମଣିଷ ପାଖରେ ତା’ର ସେତିକି ସିନା ଦାବି-ତା ବୋଲି ସେଇ ମିଛଟା ପାଇଁ ମଣିଷ ଏତେ ବଡ଼ ଜୀବନଟାକୁ-ଜୀବନର ସତ୍ୟଟାକୁ ଦହଗଞ୍ଜ କରିବ କାହିଁକି ସେଇଟା କଣ ନ୍ୟାୟ ?’’

 

(୪).

ହିଡ଼ମାଟି-ଚତୁର୍ଥ ସଂସ୍କରଣ - ପୃଷ୍ଠା - ୫୭ ।

 

‘ଜୀଅନ୍ତା ମଣିଷ’, ‘ଭୁଲ’ ଓ ‘ଜୀବନର ଲକ୍ଷ୍ୟ’ରେ ଔପନ୍ୟାସିକ ପ୍ରଥମ ପୁରୁଷରେ ନାୟକ ନାୟିକାମାନଙ୍କୁ ରଖି ସେମାନଙ୍କର ବକ୍ତବ୍ୟକୁ ତାଙ୍କ ମୁହିଁରେ କୁହାଇଛନ୍ତି । ‘ଭୁଲ’ ଉପନ୍ୟାସରେ ସୁଲକ୍ଷଣା ଆରମ୍ଭରୁ ଶେଷଯାଏ ଗଳ୍ପଟି ପାଠକମାନଙ୍କୁ କହିଛି, ଏବଂ ଆତ୍ମସମୀକ୍ଷା କରିଛି ମଧ୍ୟ । ଜୀବନର ଲକ୍ଷ୍ୟ ଉପନ୍ୟାସରେ ଔପନ୍ୟାସିକ ଠିକ୍‌ ଏହି ରୀତି ଅବଲମ୍ବନ କରିଛନ୍ତି । ‘ଜୀଅନ୍ତା ମଣିଷ’ ଉପନ୍ୟାସଟି ତିନିଭାଗରେ ବିଭକ୍ତ । ଦେହ, ମନ, ପ୍ରାଣ । ପ୍ରଥମଟିରେ ବିଭୂତି, ଦ୍ୱିତୀୟରେ ଚପଳା ଓ ଶେଷ ପର୍ଯ୍ୟାୟରେ ଭିକାରୀ ସେମାନଙ୍କର ବକ୍ତବ୍ୟ ପାଠକ ସମ୍ମୁଖରେ ବାଢ଼ିଛନ୍ତି । ନିତ୍ୟାନନ୍ଦ ବାବୁଙ୍କର ନାରୀ ଚରିତ୍ରମାନେ ସେମାନଙ୍କର ଇନ୍ଦ୍ରିୟ ସୁଖ ପରିତୃପ୍ତି ନିମିତ୍ତ କାମନା କରିଛନ୍ତି ଅନ୍ୟ ପୁରୁଷର ସଂଗ । ମାତ୍ର ଏଥିପାଇଁ ସେମାନଙ୍କୁ ଦୋଷ ଦେଇ ହେବ ନାହିଁ । ଔପନ୍ୟାସିକ ମଧ୍ୟ ତାଙ୍କର ଏହି ପତନ ପାଇଁ ସେମାନଙ୍କୁ ଦାୟୀ ନ କରି ପରିବେଶ ଓ ପରିସ୍ଥିତିକୁ ଦାୟୀ କରିଛନ୍ତି । ‘ହିଡ଼ମାଟି’ରେ ଶୁକୁରା କଲିକତା ଚାଲିଗଲା ପରେ ବିଚରା ରତନୀ ଆଉ କରନ୍ତା କ’ଣ ? ପେଟର ଭୋକ, ମନର ଭୋକ ତାକୁ ଗ୍ରାସ କରିଛି । ପେଟର ଭୋକକୁ ବରଂ ସମ୍ଭାଳି ନେଇ ହୁଏ । କାହା ଘରେ ଧାନକୁଟି କିମ୍ବା ମୂଲ ଲାଗି । ମାତ୍ର ମନର ଯେଉଁ ସର୍ବଗ୍ରାସୀ ଦୁରନ୍ତ କ୍ଷୁଧା ? ସେଥିରୁ ପରିତ୍ରାଣ କାହିଁ ? ପ୍ରଥମେ ରତନୀ ଭାଗୁ ମହାନ୍ତି ଉପରେ ବିରକ୍ତ ହେଉଥିଲା । ଏ ବୟସ୍କ ଲୋକଟିର ପ୍ରେମ ନିବେଦନ, ମୁରୁକି ହସା, ତେରେଚ୍ଛା ଚାହାଣୀ ଯେଉଁ ରତନୀ ପ୍ରତ୍ୟାଖ୍ୟାନ କରିଥିଲା ପୁଣି କେମିତି ସେ ସବୁ ଆରେଇ ନେଲା । ସହି ନେଲା ମଧ୍ୟ ରାଉତ ଘର ଟୋକାର ଆଚରଣକୁ । ସେହିପରି ‘ଜୀଅନ୍ତା ମଣିଷ’ରେ ଚପଳା ସ୍ୱାମୀର ମୃତ୍ୟୁପରେ ବିଭୂତି, ଭିକାରୀକୁ କେନ୍ଦ୍ର କରି ବଞ୍ଚିବାର ଅବଲମ୍ବନ ଖୋଜିଛନ୍ତି । ଯାତ୍ରା ଟୋକା ଭିକାରୀକୁ ପାଇ ଭୁଲିଯିବା ପାଇଁ ଚାହିଁଛନ୍ତି ସ୍ଵାମୀଙ୍କ ସହ ତାଙ୍କର ବିଗତ ଦିନର ସ୍ମୃତିମାନଙ୍କୁ ।

 

‘ଭୁଲ’ ଉପନ୍ୟାସରେ ଅସମଞ୍ଜସ ବିବାହର ଚିତ୍ରଟିଏ ଦିଆଯାଇଛି । ସୁଲକ୍ଷଣା ତା’ର ଦାମ୍ପତ୍ୟ ଜୀବନରେ ସୁଖୀ ହୋଇ ପାରିନି । ତା’ ସ୍ଵାମୀର ସାଙ୍ଗ କିଶୋର ତା ମନରାଜ୍ୟରେ ଆସନ ପାତି ପାତି ରହିଛି । ସେଇଥିପାଇଁ ସେ କହିଛି- ‘‘ମୋର କାହିଁକି କ୍ରମେ ଏଟା ବେଶି ମନେହେଲା ଯେ ମୋ ବାହାଘରଟା ପ୍ରତି ଗୋଟାଏ ଜବରଦସ୍ତି, ସେଥିପାଇଁ ଅନ୍ୟାୟ ଅତ୍ୟାଚାର, ତମେ ତାକୁ ଭଲ କୁହ ବା ମନ୍ଦ କୁହ ।’’ (୧)

 

ନୀତି ଆଦର୍ଶ ନିକଟରେ ଲଗାମଛଡ଼ା ମନ ବଶ୍ୟତା ସ୍ଵୀକାର କରେ ନାହିଁ । ନିଷ୍ଠୁର ବାସ୍ତବତା ନିକଟରେ ଲୋକ ଗଢ଼ା ନିମୟର ମାନେ କିଛି ନାହିଁ । ନାହିଁ ମଧ୍ୟ ଧର୍ମ ପୁରାଣର ନାଲି ଆଖି । ଯେଉଁଠି ଏସବୁର ଭୟ ଦେଖାଇ ମନୁଷ୍ୟ ଭିତରେ ଥବା ସ୍ୱାଭାବିକ ପ୍ରବୃତ୍ତିକୁ ହତ୍ୟା କରାଯାଏ, ଜୀଅନ୍ତା ମଣିଷକୁ ଅସ୍ୱୀକାର କରାଯାଏ, ନିଷ୍ଠୁର ଭାବରେ ସେଠାରେ ଜୀବନ ପୀଡ଼ିତ, ନିର୍ମମ ଯନ୍ତ୍ରଣାକାତର । ନିତ୍ୟାନନ୍ଦ ବାବୁଙ୍କର ଚରିତ୍ରମାନେ ଏହାକୁ ସ୍ଵୀକାର କରି ନାହାଁନ୍ତି । ‘‘ତମେ ଯେତେ ସତୀ ସୀତାଙ୍କ କଥା ବୁଝାଅ ପଛେ ମଣିଷର ଦିହ ବହି ସେ ରୂପ କଥାର ଅନୁରୂପ ହେବ କିଏ ? ସେଗୁଡ଼ାକ ଖାଲି କଥାର କଥା-ବୋଧହୁଏ ନାରୀ ହୃଦୟର ବହୁଦୂରରେ ଥିବା ନିଷ୍ଠୁର ପୁରୁଷର ଉପନ୍ୟାସ ଲେଖା କିମ୍ବା ନାରୀ ଜାତିଟାକୁ ନିବିଡ଼ ଭାବରେ ଉପଭୋଗ କରିବା ପାଇଁ ମିଥ୍ୟା ଆଦର୍ଶ କଳ୍ପନା ।’’ (୨) ଔପନ୍ୟାସିକ ନିତ୍ୟାନନ୍ଦ ମାନବିକତାର ପୂଜାରୀ । ମଣିଷ ସତ୍ୟ । ସେ ସତ୍ୟ-ମଣିଷର ଜୟଗାନ ସେ କରିଛନ୍ତି ତାଙ୍କ ଉପନ୍ୟାସଗୁଡ଼ିକରେ । ନିବୃତ୍ତିରେ ସେ ଜୀବନର ସତ୍ୟ ଖୋଜି ନାହାନ୍ତି । ପ୍ରବୃତ୍ତିରେ ଜୀବନର ସତ୍ୟ ନିହିତ । ଏ କଥା ପ୍ରମାଣ କରିଛନ୍ତି ରତନୀ, ସୁଲକ୍ଷଣା, ନିଧିବୋଉ, ଚପଳା ପ୍ରଭୃତି ଚରିତ୍ର ମାଧ୍ୟମରେ । ନିଷ୍ଠୁର ବାସ୍ତବତାଠାରୁ ପଳାୟନ କରି କେହି କେବେ ସୁଖର ସନ୍ଧାନ ପାଇନି । ପାଇନି ମଧ୍ୟ କନକାଦିତ୍ୟ । ‘ଜୀବନର ଲକ୍ଷ୍ୟ’ ଉପନ୍ୟାସରେ ମଧ୍ୟ ଠିକ୍‌ ଏହି କଥା ପ୍ରତିଧ୍ୱନିତ ।

 

ନିତ୍ୟାନନ୍ଦ ମହାପାତ୍ରଙ୍କର ଉପନ୍ୟାସ ଶୈଳୀର ଅନ୍ୟତମ ବିଶେଷତ୍ୱ ହେଲା ସେ ତାଙ୍କ ଚରିତ୍ର ମଧ୍ୟରେ । inner man କୁ ଖୋଜିଛନ୍ତି । ମନୁଷ୍ୟର ବ୍ୟକ୍ତିତ୍ଵ ବହୁଧା ବିଭକ୍ତ । ଏବେ ଯାହା ଜୀବନର ସବୁଠୁ ବଳି ଆପଣାର ମନେହୁଏ, ସତ୍ୟ ମନେହୁଏ, ଯାହା ନମିଳିଲେ ଜୀବନ ଯେ ଛାରଖାର ହୋଇଯିବ ଏ ଧାରଣା ମନ ମଧ୍ୟରେ ଆସେ, ତାହା ପୁଣି ଦିନେ ବଦଳିଯାଏ ସମୟର ସୁଅରେ । ‘ଜୀଅନ୍ତା ମଣିଷ’ ଉପନ୍ୟାସରେ ଚପଳା ନିଜର ଦୁର୍ବଳ ମନକୁ କେତେବେଳେ ବିଭୂତି ପୁଣି କେତେବେଳେ ଭିକାରୀ ପଛରେ ଦଉଡ଼ାଇଛନ୍ତି । ‘ଭଲ’ ଉପନ୍ୟାସରେ ସୁଲକ୍ଷଣା ଚାହିଁଛି ପାଶୋରି ଦେବ କିଶୋର ବାବୁଙ୍କୁ ଓ ସ୍ଵାମୀ ଦେବତାଙ୍କର ସୁହାଗ ନେଇ ସଂସାର କରିବ ମାତ୍ର ପାରିନି । ପତନ ଯେପରି ଅନିବାର୍ଯ୍ୟ ତା ଜୀବନରେ । ପତନ, ସ୍ଖଳନ ବି ଉପଭୋଗ୍ୟ ହୋଇପାରେ । ‘ହିଡ଼ମାଟି’ରେ ଶୁକୁରାର ସ୍ମୃତି ରତନୀକୁ ଖଉବ୍ ଉଦ୍‌ବେଳିତ କରି ପକାଇଛି, ପୁଣି ଯେତେବେଳେ କ୍ଷଣିକ ସୁଖ ତା ନିକଟରେ ବଡ଼ ହୋଇ ଦେଖାଦେଇଛି ସେ ଦେହଦାନ କରିଛି ଅନ୍ୟକୁ । ‘ପୀରତି ପଥ ଖସଡ଼ା’ ଓ ‘ଜଳନ୍ତା ନିଆଁ’:- ଏ ଦୁଇଟି ପ୍ରେମ ପ୍ରଧାନ ଉପନ୍ୟାସରେ ନିତ୍ୟାନନ୍ଦ ରୋମାଣ୍ଟିକ୍‌ ଦୃଷ୍ଟିଭଙ୍ଗୀ ଆଦରି ନେଇଛି କାବ୍ୟିକ ଶୈଳୀକୁ ।

 

‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଓ ‘ଘରଡ଼ିହ’ (କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ) ଉପନ୍ୟାସରେ ରୂପାୟିତ Pastoral element ଚମତ୍କାର । ଗ୍ରାମ୍ୟ ଜୀବନର ନିଖୁଣ ଚିତ୍ର, ଏହାର ଚଳଣୀ ପୁଣି ଗ୍ରାମ୍ୟ ଜୀବନ ଧାରାକୁ ଆବୋରି ବସିଥିବା ସଂକୀର୍ଣ୍ଣତା, ସ୍ଵାର୍ଥପରତା, ଈର୍ଷାକାତର ମନୋଭାବକୁ ନିପୁଣତାର ସହ ଆଙ୍କିଛନ୍ତି ଔପନ୍ୟାସିକ । ଶୁକୁରା କଲିକତା ଯିବାକୁ ଚାହିଁନି କେବଳ ମାଟିର ମାୟାଯୋଗୁ, ତା’ର ସାତ ପୁରୁଷର ରକ୍ତ ଏଥିରେ ମିଶିଛି । ଯେଉଁ ମାଟିରେ ପହିଲି ଅସରା ବର୍ଷାପାଣି ନାକରେ ଆଣିଦିଏ ଭୂଇଁର ଉଷୁମ ଓ ମନମତାଣିଆ ଗନ୍ଧ ଓ ମନରେ ଆଙ୍କି ଦେଇଯାଏ ଆସନ୍ତା ଫସଲ ଅମଳର ସ୍ୱପ୍ନକୁ । ଯେଉଁଠି ନାଲି ନାଲି ଧାନଶିଷା ଶିଖାଟେକି ଉପରକୁ ଚାହିଁ ଥାଏ ସେଇ ମାଟିର ମମତା ତାର ପରିଚିତ ବାସ୍ନା ଯାହା ବିଭୋର କରେ ଶୁକୁରାକୁ । ତାକୁ ଛାଡ଼ିଯିବାକୁ ସେ ଜମା ଚାହିଁନି, ତା ଦୃଷ୍ଟିରେ ଏ ମାଟି ତାର ତୀର୍ଥ । ‘‘ବାପା ଦାଦାଙ୍କର ଆତ୍ମା ବୁଲୁଚି ଏଠି । ତାଙ୍କ ବଂଶରେ ଯିଏ ଅଧର୍ମ କରି ବସେ ଆତ୍ମା-ସେ ଦେବତା ସତେ ଯେମିତି ବଜ୍ର ଚଡ଼କ ପକେଇବା ପାଇଁ ସବୁବେଳେ ଜାଗତା ହୋଇ ଠିଆ ହୋଇଛନ୍ତି । ସେଇ ବାପା, ଦାଦା, ଅଜା, ଗୋସାପା, ଆଜି ଯେମିତି ଉଚ୍ଚ ଉଚ୍ଚ ନିଛାଟିଆ, ତାଳଗଛର ଶୁଖିଲା ପତର ଉପରୁ ରଡ଼ି ଛାଡ଼ିଛନ୍ତି ଧର୍ମଗଲା - ଧର୍ମଗଲା ।

 

ଶୁକୁରା ଯିବା ପାଇଁ ବାଧ୍ୟ ହୋଇଛି ମାଟି ଛାଡ଼ି । ଆଖିରେ ତାର ଲୁହ ଆସିଛି । ଦୁଃଖରେ ଛାତି କରତି ହୋଇଯାଇଛି । ତେବେ ସେ ଯାଇଛି ଯେ ଯାଇଛି, ଜମା ଫେରିନି । କେତେ ପେପେଇ ଅମେଇସାମାନଙ୍କରେ ପଇଁଆ ଖାଡ଼ି ଜାଳି ଗାଁ ଲୋକେ ବଡ଼ ବଡ଼ୁଆଙ୍କୁ ଡାକିଛନ୍ତି, କାଳୀ ମୂର୍ତ୍ତି ଗଢ଼ା ହୋଇ ବୋଦା ବଳି ପଡ଼ିଛନ୍ତି । ମନେ ହୋଇଛି ଧର୍ମ ଯେମିତି ଅଛି । ତଥାପି ଫେରିନି ଶୁକୁରା । ଭାଗୁ ମହାନ୍ତି ପରଧନରେ କୋଠା ପିଟିଛି । ରସିକ ପଟ୍ଟନାୟକଙ୍କର ଉଜୁତିରୁ ଉଜୁଡ଼ି ହୋଇଛି । ଗାଁ ଉପରକୁ ମାଡ଼ି ଆସିଛି ବିଶ୍ଵଯୁଦ୍ଧକାଳୀନ ଘନଘଟାର ଦାରୁଣ ଛାୟା । ରତନୀ ପରି କେତେ ନାରୀଙ୍କ ଥନରୁ କ୍ଷୀର ଶୁଖିଯାଇଛି । ଏଇମିତି ଶୁକୁରା ପରି କେତେ ହଜିଯାଇଥିବେ କଲିକତା ଓ ରେଙ୍ଗୁନରେ କିଏ ତା’ର ହିସାବ ରଖିଛି ? ଚିଦାନନ୍ଦ ନିତ୍ୟାନନ୍ଦ ଏଇ ମାଟି ପାଣି ପବନର ଭାଷା ଶୁଣିଛନ୍ତି, ଏଇ ମାଟି ପୁଅର ହୃଦୟ ବେଦନାକୁ ଅନୁଭବ କରିଛନ୍ତି । ସେ ଉପଲବ୍ଧି କରିଛନ୍ତି - ‘‘ଏମିତି କେତେକଥା ଏ ଦୁନିଆରେ ଅକୁହା ରହିଯାଏ- ଏଇ ମାଟି ତଳେ ଅୟୂତ ଅୟୂତ ଶବ ପୋତି ହେଲାପରି । ସମାଧିବି ତୋଳା ହୁଏ ନାହିଁ । ଏଇ ମାଟିର ଗନ୍ଧ ଯେ କେଡ଼େ କଟୁ ଅନୁଭୂତି ସତେ ! ଏଇ ଗାଁର ମୁଲିଆ ମାଟି ହାଣି ଟେଳା ଟେଳା ଗଡ଼େଇ ଦେଇଯାଏ । ଏଇ ଗାଁର କମାର ତାକୁ ଦିଏ ତା ଶାଳରୁ ଲଙ୍ଗଳ ଫାଳ - ସେଇଥିରେ ସେ ମାଟିର ବୁକୁ ଚିରି ଚାଲିଯାଏ- ସେଇମାଟି- ସେଇ ଯେଉ ମାଟି-ଏଇ ସେ ମାଟି-ଏଇ ହିଡ଼, ତଳି ମାଟିରେ-କେତେ ଆତ୍ମାର-କେତେ ଅମର ଆତ୍ମାର ବେଦନା ଆଉ ଆର୍ତ୍ତନାଦ ଜମାଟ ବାଧି ରହି ନଥିବ:। ତାକୁ କେହି ଶୁଣେ ନାହିଁ, ବୁଝେ ନାହିଁ ।’’ (ହିଡ଼ମାଟି)

 

‘ଘରଡିଅ’ ଉପନ୍ୟାସରେ ସମାଜ ବିବର୍ତ୍ତନର ରୂପରେଖ ବେଶ ସ୍ପଷ୍ଟ । ଔପିନ୍ୟାସିକଙ୍କ ସମାଜ ଦୃଷ୍ଟି ଏଠାରେ ମଧ୍ୟ ଖୁବ୍‌ ନିବିଡ଼ । ଏ ସମ୍ପର୍କରେ ଆମ ସମୟର ପ୍ରଥିତଯଶା କବି ଓ ଅନୁଭବୀ ସମାଲୋଚକ ଡକ୍ଟର ସୀତାକାନ୍ତ ମହାପାତ୍ର ଯଥାର୍ଥରେ କହନ୍ତି- ‘ହିଡ଼ମାଟି’ ଓ ‘ଘରଡ଼ିହ’ ସତେ ଯେମିତି ଗୋଟିଏ ସୂତ୍ରରେ ଗ୍ରଥିତ ସାହିତ୍ୟ ମାଳାଟିଏ । ଗ୍ରାମ୍ୟ ଜୀବନ କେମିତି ବଦଳୁଛି, ମୂଲ୍ୟବୋଧର ବିପର୍ଯ୍ୟୟ ଘଟି ଚାଲିଛି, ତା’ର ନିଖୁଣ ବର୍ଣ୍ଣନା ଉଭୟ ଉପନ୍ୟାସରେ । ତାଙ୍କ ‘ଘରଡ଼ିହ’ ବେଶ୍‌ ବଡ଼ ଉପନ୍ୟାସ, ୫୦୦ ପୃଷ୍ଠାରୁ ଉର୍ଦ୍ଧ୍ୱ । ଦୁଇ ଭିନ୍ନ ଆଦର୍ଶର ପ୍ରତିଭୂ ଯୋଡ଼ିଏ ଚରିତ୍ର । ଦୁଃଖୀ ଗାନ୍ଧିଜୀଙ୍କ ଆହ୍ୱାନରେ ଜେଲ ଯାଇଥିଲା । ପରେ ଗାଁକୁ ଫେରିଛି ସେଇ ଆଦର୍ଶ ନେଇ ବଂଚିବାକୁ । ଶୁକୁରା ପୂର୍ବତନ ଆଜାଦ ହିନ୍ଦ୍‌ ସୈନିକ, ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ- ସେ ବି ଫେରିଛି ଗାଆଁକୁ । ଉଭୟଙ୍କ ଜୀବନଯାତ୍ରା ଗାଆଁରେ । ଉଭୟ. ଚେଷ୍ଟିତ କେମିତି ସାମାଜିକ ବିଭାଜନ ମୂଲ୍ୟବୋଧର ଅବକ୍ଷୟ ଏ ସବୁକୁ ପ୍ରତିରୋଧ କରିବେ । ଶୁକୁରୀର ଚିନ୍ତା ଉପନ୍ୟାସ ଏମିତି : ‘‘ଆଜି ସେ ସପ୍ତାଘର ନାହିଁ । ସେ ବନ୍ଧ ନାହିଁ । ସଂଜୀବତୀ ପଡ଼ୁନି ଆଉ ସେଠି-। ସବୁ ଯାଇଛି, କର୍ପୂର ଯାଇଛି, କନା ଯାଇଛି । ଶୁକୁରା ଢିମା ଢିମା ଆଖିରେ ଅନେଇଲା ଚାରି ଆଡ଼କୁ ତା’ ପିଲାଦିନର ଡାଳ ବାଗୁଡ଼ି ଖେଳର ବରଗଛରୁ ଓହଳଗୁଡ଼ା ସେମିତି ଲମ୍ବି ଆସି ମାଟି ସାଙ୍ଗରେ ଚେରିଧରିଗଲା ପରି ଲାଗୁଛି । ଏ କ’ଣ ସେ ଗାଆଁ ।’’ (ସେଇ ଅସାଧାରଣ ସାଧାରଣ ମଣିଷଟି, ସୀତାକାନ୍ତ ମହାପାତ୍ର, ଶହେଟି ଶରତ, ପୃଷ୍ଠା- ୪୯, ପ୍ରକାଶକ- ଆମ ଓଡ଼ିଶା, ସମ୍ପାଦକ- ସୌମ୍ୟରଞ୍ଜନ ପଟ୍ଟନାୟକ)

 

ନିଜର ସମକାଳୀନ ସମାଜ ବ୍ୟବସ୍ଥା ଓ ସମସ୍ୟାମାନଙ୍କର ନିପୁଣ ରୂପକାର ହେଉଛନ୍ତି ଔପନ୍ୟାସିକ ନିତ୍ୟାନନ୍ଦ । ସ୍ୱାଧୀନତା ପରବର୍ତ୍ତୀ ଆମର ସାମାଜିକ ସ୍ଥିତି, ଗୋଷ୍ଠୀଗତ ବାଦାନୁବାଦ, ଜାତୀୟ ମୁକ୍ତି ଆନ୍ଦୋଳନ, ଗ୍ରାମ୍ୟ ଜୀବନର ମତାନ୍ଧତା, ଦରିଦ୍ର ଜନସାଧାରଣଙ୍କର ଅସହାୟତା ଏସବୁର ସ୍ପଷ୍ଟ ଚିତ୍ର ଦେବାରେ ସମର୍ଥ: ହୋଇଛି ତାଙ୍କର ‘ଭଙ୍ଗାହାଡ଼’ ଓ ‘ହିଡ଼ମାଟି’ ଉପନ୍ୟାସ ଦୁଇଟି । ଏ ଉପନ୍ୟାସ ଦ୍ୱୟକୁ ତେଣୁ ତାଙ୍କର ବଳିଷ୍ଠ ସମାଜ ଚେତନା ସମ୍ବଳିତ ଉପନ୍ୟାସ ଓ କ୍ରାନ୍ତିକାରୀ ଘଟଣା ଆଧାରିତ ଉପନ୍ୟାସ ନାମରେ ଅଭିହିତ । ସାମାଜିକ ସ୍ତରର ଓଲଟ ପାଲଟକୁ ରୂପ ଦେଇଥିବା ସାହିତ୍ୟ ସାହିତ୍ୟ ସମୀକ୍ଷକମାନଙ୍କର ନଜରକୁ କିପରି ଆସୁନି ସେ ସମ୍ପର୍କରେ ଖେଦ ପ୍ରକାଶ କରି ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ର କହନ୍ତି ‘‘ଏତେବଡ଼ ବିପ୍ଳବ ଘଟିଗଲା ଏ ଦେଶରେ । ଭୌଗୋଳିକ, ରାଜନୈତିକ ବା ଐତିହାସିକ ଓଲଟ ପାଲଟ ହେଲା । ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶ ହେଲା । ଭାରତ ବିଦେଶୀ ଶାସନରୁ ମୁକ୍ତ ହେଲା । ଏଥିପାଇଁ ଯେଉଁ ସାହିତ୍ୟ ଦାୟୀ ଏହି ଜାତୀୟ ଗୌରବବୋଧରୁ ଯେଉଁ ସାହିତ୍ୟ ପ୍ରସୂତ ତାକୁ ଦୃଷ୍ଟି ପଥାରୂଢ଼ କରିବା ଦିଗରେ କେତେଜଣ ସମାଲୋଚକ ପ୍ରୟାସୀ ହୋଇଛନ୍ତି ? ଏହି ଆତ୍ମ ପ୍ରକାଶ ଚିରନ୍ତନରେ ଯେଉଁ ସ୍ୱାତନ୍ତ୍ର୍ୟ ଅଛି ତାହା କ’ଣ ଏକାବେଳେକେ ହେୟ !’’ (ନିତ୍ୟାନନ୍ଦ ମହାପାତ୍ର-ଚିଠି ସମ୍ପାଦନା - ଅଧ୍ୟାପକ ବିଶ୍ଵରଞ୍ଜନ)

 

ଲୋମହର୍ଷଣକାରୀ ବିଶ୍ୱଯୁଦ୍ଧର ଘନଘଟା ଯାହା ଗ୍ରାମ୍ୟ ଜୀବନରେ ଆଣିଥିଲା ଆତଙ୍କ ଓ ଆଶଙ୍କା ପୁଣି ଗ୍ରାମ୍ୟ ଜୀବନର ବୁକୁରେ ଲେଖି ଦେଇଥିଲା ନାନା ପରିବର୍ତ୍ତନର ଇସ୍ତାହାର ତାର ଚିତ୍ରପଟ ଧରି ରଖିଛି ‘ହିଡ଼ମାଟି’ ଉପନ୍ୟାସ । ବିଂଶ ଶତକର ଆଦ୍ୟପାଦଠାରୁ ସ୍ୱାଧୀନତା ପର୍ଯ୍ୟନ୍ତ ଉତ୍କଳୀୟ ସମାଜ ଜୀବନର ଘାତ ପ୍ରତିଘାତ, ଦ୍ୱନ୍ଦ୍ୱ, ବିରୋଧ ପ୍ରଭୃତିର ଚିତ୍ରପଟ ମିଳେ ଉପରୋକ୍ତ ଉପନ୍ୟାସରେ । ଦୁଇଟି କ୍ରାନ୍ତିକାରୀ ଘଟଣା-ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ପୁଣି ବିଶ୍ୱଯୁଦ୍ଧର ଘନଘଟା- ଏହାର ସଚେତନ ରୂପକାର ଭାବରେ ବିଦିତ ଓଡ଼ିଆ ସାହିତ୍ୟରେ ନିତ୍ୟାନନ୍ଦ । ଏ ଦୃଷ୍ଟିରୁ ଦୁଃଖୀ ଦାଶ ତାଙ୍କର ଏକ ଅନୁପମ ଚରିତ୍ର । ଗାନ୍ଧୀବାଦର ମୂର୍ତ୍ତିମନ୍ତ ପ୍ରତୀକ ସେ । ସେ ଆପଣାର ପରିବାରକୁ ଉପେକ୍ଷାକରି ଅନ୍ୟର ସେବା ପାଇଁ ଉତ୍ସର୍ଗ କରିଛି । ଜୀବନକୁ ।

 

ବିଶ୍ଵଯୁଦ୍ଧ ହେଲା କେଉଁଠି ? ନାଗାସାକି ଓ ହିରୋସୀମା ଉପରେ ବୋମା ପଡ଼ିଲା । ମାତ୍ର ତାର ଧକ୍କା ବାଜିଲା ଓଡ଼ିଶାର ପଲ୍ଲୀ ଭୂଇଁରେ । ଯୁଦ୍ଧ ବଜାରରେ ଦରଦାମ ହୁ ହୁ ହୋଇ ବଢ଼ି ଉଠିଲା । ବଡ଼ ମାର୍ମିକ ଭାବରେ ଔପନ୍ୟାସିକ ଏହି ଯୁଦ୍ଧର ଘନଘଟାକୁ ବର୍ଣ୍ଣନା କରିଛନ୍ତି ।

 

‘‘ଯୁଦ୍ଧ ଲାଗିଛି । ମଣିଷ ମଣିଷର ଯୁଦ୍ଧ- ଗୋଳାବାରୁଦର ଯୁଦ୍ଧ- ପେଟ ପେଟର ଯୁଦ୍ଧ-ଆତ୍ମା ଆତ୍ମାର ଯୁଦ୍ଧ ଚାରିଆଡ଼େ ଯୁଦ୍ଧ ଲାଗିଛି । ଜିନିଷ, ଲୁଗାପଟା, ଧାନଚାଉଳ, ସବୁରି ଦର ବଢ଼ି ଚାଲିଛି । କାଉଁରି କାଠି ଛୁଇଁ କିଏ ଯେମିତି ହରଣଚାଳ କରିନେଉଛି ସବୁ ଗାଁର ଭଣ୍ଡାର ଘରୁ । ସବୁ ଯେମିତି ଉଭେଇ ଗଲାଣି କୁଆଡ଼େ ।’’ (ଭଙ୍ଗାହାଡ଼-ପୃଷା ୧୫ )

 

ଭାଷା ଓ ଶୈଳୀ ଦୃଷ୍ଟିରୁ ଆଲୋଚନା କଲେ ନିତ୍ୟାନନ୍ଦ ମହାପାତ୍ର ତାଙ୍କ ଉପନ୍ୟାସଗୁଡ଼ିକରେ ନିଜସ୍ଵ ଶୈଳୀର ଛାପ ଛାଡ଼ି ଦେଇ ଯାଇଛନ୍ତି । ଅନ୍ୟଦ୍ୱାରା ପ୍ରଭାବିତ ହେବା ଓ ଅନୁକରଣ କରିବାକୁ ସେ ଗୋଲାମଗିରି ନାମରେ ଅଭିହିତ କରନ୍ତି । ତାଙ୍କ ମତରେ ‘‘ଯେଉଁମାନେ ପରମ୍ପରାକୁ ଉପେକ୍ଷା କରି ସ୍ଵଧର୍ମ ଛାଡ଼ି ପରଧର୍ମ ଆଶ୍ରୟ କରନ୍ତି ସେମାନଙ୍କୁ ଗୀତା କହନ୍ତି ବର୍ଣ୍ଣସଙ୍କରା । ସେହି ଦୃଷ୍ଟିରୁ ମୁଁ ଗୋଲାମ ଯୁଗ ବୋଲି କହିଛି । ତେଣୁ ସେଭଳି ଶବ୍ଦ ମୁଁ ପ୍ରୟୋଗ କରିବା ନିତାନ୍ତ ଅଯୌକ୍ତିକ ନୁହେଁ । ଭାରତ ଇତିହାସରେ ଦାସ ବଂଶ ଭଳି ଆମ ଓଡ଼ିଆ ସାହିତ୍ୟର ଇତିହାସରେ ଏବେବି ଦାସତ୍ୱର ପ୍ରଭାବ ଅକ୍ଷୁର୍ଣ୍ଣ । ମୌଳିକତା କେତୁଗ୍ରସ୍ତ ଦିନମଣି । (୧) ଶ୍ରୀଯୁକ୍ତ ମହାପାତ୍ର ଜଣେ କବି ତେଣୁ ତାଙ୍କ ଉପନ୍ୟାସରେ ସ୍ଥଳ ବିଶେଷରେ କବିତ୍ୱର ଛଟା ଓ ଆବେଗ ଲକ୍ଷ୍ୟ କରାଯାଏ । ବେଳେବେଳେ ସେ ଖୁବ ଭାବପ୍ରବଣ ମଧ୍ୟ ହୋଇ ପଡ଼ିଛନ୍ତି ଓ ଉପନ୍ୟାସର ଘଟଣାକୁ କବିତ୍ୱରେ ଆର୍ଦ୍ର କରି ଦେଇଛନ୍ତି । ପାଠକ ତାଙ୍କ ଉପନ୍ୟାସରେ ଏଇ Lyrical impulse କୁ ଲକ୍ଷ୍ୟ କରେ । ‘‘ଏଇ ପ୍ରଳୟଟା ପାଇଁ- ଛୋଟ ଖଣ୍ଡେ ଗାଁର ଛୋଟ ଖଣ୍ଡେ କୁଡ଼ିଆ ଭିତରେ ଛୋଟ ଗୋଟିଏ ମଣିଷ, ପୁଣି ମାଇପି ଜାତି-ତା ମନ ଭିତରେ ଆଜି ଯେଉଁ ଓଲଟ, ଏଥିପାଇଁ ଗାଁର ମଶାଣୀ ବି ଚେଇଁ ଉଠିଥାନ୍ତା । କିନ୍ତୁ କାହିଁ କେହି କିଛି ପାଟିତୁଣ୍ଡ କରି ନାହିଁ-। ଗାଁଟା ସରବ ସହଣୀ ହୋଇ ପଡ଼ିଛି । ସବୁ ପାପ, ସବୁ ଅନାଚାର ସହି ସେ କେବଳ ମାଟି ଗୋଡ଼ି ହୋଇ ପଡ଼ିରହିଚି ସେଇ ଗ୍ରାମ ଦେବତୀର ସିନ୍ଦୂରଲିପା ଆଖି କାନ ପରି । ବଡ଼ ‘‘ଭୀଷଣ ଅଥଚ ନୀରବ ନିର୍ଜୀବ । ସେ ବଡ଼ ପିଣ୍ଡ ଜୀଅନ୍ତା ମଣିଷକୁ ବି ଯେମିତି ଅସ୍ୱୀକାର କରୁଛି- ମାନୁ ନାହିଁ ।’’ ‘ସୁଖର ସନ୍ଧାନେ’, ‘ଜୀବନର ଲକ୍ଷ୍ୟ’ ଉପନ୍ୟାସର ଭାଷା ଶୈଳୀ ପ୍ରବନ୍ଧର ନିକଟବର୍ତ୍ତୀ । ଏଥିରେ ଭଙ୍ଗାହାଡ଼ କିମ୍ବା ଜୀଅନ୍ତା ମଣିଷ ପରି ପ୍ରାଣ ପ୍ରାଚୁର୍ଯ୍ୟ ନାହିଁ । ତାହା ନୀରସ ଶୁଷ୍କ ଓ ପୁଣି ତତ୍ତ୍ୱ ଦର୍ଶନର ପ୍ରୟୋଗରେ ଭାରାକ୍ରାନ୍ତ । କିନ୍ତୁ ଏ ଦୁଇଟିରେ ପରିଲକ୍ଷିତ ଦୀର୍ଘଦୃଷ୍ଟି ଓ ଦୂରଗାମୀ ଚିନ୍ତାଶକ୍ତିକୁ ପ୍ରଶଂସା ନ କରି ରହି ହେବନି ।

 

ଔପନ୍ୟାସିକ ବହୁ ଦେଶଜ ଶବ୍ଦର ପ୍ରୟୋଗ କରିଛନ୍ତି ଉପନ୍ୟାସଗୁଡ଼ିକୁ ଜୀବନଧର୍ମୀ କରିବା ପାଇଁ ଅଥିର, ଦିପଟି, ମାଇପ, ହଲ୍ଲା, ଭୂରିଭୋଜ, ଆଞ୍ଚ, ଉପୁଜାଇ, ସଞ୍ଚା, ଘିନି, ତୁଚ୍ଛା, ବଖତ, ନାଗିବା, ନଟ ଆଲୁବାଲୁ, ଗୁମାନ, ପହିଲୁ ବିନସୁଦ, ମଥାନ, ଧପକିନି ପ୍ରଭୃତି ଏହାର ଉଦାହରଣ ।

 

ଅବଶ୍ୟ ‘ଭଙ୍ଗାହାଡ଼’, ‘ହିଡ଼ମାଟି’, ’ଜୀଅନ୍ତା ମଣିଷ’ ପ୍ରଭୃତି ତାଙ୍କର ଉପନ୍ୟାସଗୁଡ଼ିକ Loose plot ଉପରେ ଆଧାରିତ । କେତେଗୋଟି ଚରିତ୍ରମାନଙ୍କୁ ସ୍ପଷ୍ଟ କରିବା ପାଇଁ ସେ ବିଭିନ୍ନ ଘଟଣାର ସମାବେଶ । ତାଙ୍କର ଭପନ୍ୟାସ ମଧ୍ୟରେ କରିଛନ୍ତି । ‘ଭଙ୍ଗାହାଡ଼’, ‘ହିଡ଼ମାଟି’ ଓ ‘ଘରଡିହ’ ଏହି ତିନୋଟି ଉପନ୍ୟାସ ସ୍ମରଣୀୟ ହୋଇ ରହିବେ ଏଥିରେ ରୂପପାଇଥିବା ସମାଜ ଜୀବନର ନାନା ଘାତ ପ୍ରତିଘାତ ଓ ଘଟାନ୍ତର ଯୋଗୁ । ବିଶ୍ଵଯୁଦ୍ଧ ଓ ଯୁଦ୍ଧୋତ୍ତର ସମାଜ ଜୀବନ, ଏହା ସହିତ ସ୍ଵରାଜ ଆନ୍ଦୋଳନ ଓ ଗାନ୍ଧୀ ଦର୍ଶନର ଚିତ୍ରପଟକୁ ଧରି ରଖିବାରେ ସମର୍ଥ ହୋଇଛି ଉପରୋକ୍ତ ଉପନ୍ୟାସତ୍ରୟୀ । ମୋଟ ଉପରେ ନିତ୍ୟାନନ୍ଦଙ୍କ ଉପନ୍ୟାସ ସମୂହର କଳାତ୍ମକ ପରିପାଟୀ ଗଢ଼ି ଉଠିଛି ତାଙ୍କର ସମ୍ବେଦନଶୀଳ ମରମୀପ୍ରାଣ ଓ ସମାଜନିଷ୍ଠ ଦୃଷ୍ଟିଭଙ୍ଗୀକୁ ନେଇ।

 

 

ଓଡ଼ିଆ ବିଭାଗ

ଉତ୍କଳ ବିଶ୍ଵବିଦ୍ୟାଳୟ

ବାଣୀବିହାର, ଭୁବନେଶ୍ୱର

 

***

 

ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସ :

ଭିତ୍ତିଭୂମି ଓ ଭାବଭୂମି

ଶଶଧର ଦାସ

 

ଫକୀରମୋହନ ସେନାପତିଙ୍କ ପରେ ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ଯେଉଁ ଲେଖକମାନେ ସେମାନଙ୍କ କାଳଜୟୀ ସୃଷ୍ଟିରେ ସମୃଦ୍ଧ ଓ ବିକଶିତ କରିଛନ୍ତି ସେମାନଙ୍କ ମଧ୍ୟରେ ବିଂଶ ଶତାବ୍ଦୀର ଆଦ୍ୟପାଦରେ ଜନ୍ମଗ୍ରହଣ କରିଥିବା ଚୌଧୁରୀ ନିତ୍ୟାନନ୍ଦ ସାମନ୍ତରାୟ ମହାପାତ୍ର ଅନ୍ୟତମ । ଏହି ଶତାୟୁ ସାରସ୍ଵତ ସାଧକ ହେଉଛନ୍ତି ନିତ୍ୟାନନ୍ଦ ମହାପାତ୍ର । ତାଙ୍କ ପୂର୍ବପୁରୁଷର ସାଙ୍ଗିଆ ଥିଲା ଚୌଧୁରୀ ସାମନ୍ତରାୟ ମହାପାତ୍ର । ତାଙ୍କ ଜେଜେ ବାପା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର । ପରବର୍ତ୍ତୀ ସମୟରେ ପୂର୍ବ ସାଙ୍ଗିଆ ପରିବର୍ତ୍ତିତ ହୋଇ କେବଳ ମହାପାତ୍ରରେ ସୀମିତ ରହିଥିବା ହେତୁ ଔପନ୍ୟାସିକ ନିତ୍ୟାନନ୍ଦ ଓଡ଼ିଆ ସାହିତ୍ୟରେ ନିତ୍ୟାନନ୍ଦ ମହାପାତ୍ର ନାମରେ ପରିଚିତ ହେଲେ । ଭଦ୍ରକର ଐତିହାସିକ ଭାଗବତ ଭବନରେ ୧୯୧୨ ମସିହା ଜୁନ ମାସ ୧୭ ତାରିଖରେ ତାଙ୍କର ଜନ୍ମ । ଏକ ଖ୍ୟାତି ସମ୍ପନ୍ନ ପରିବାରର ଉତ୍ତରଦାୟାଦ ଭାବରେ ସେ ପରିବାରର ସଂସ୍କୃତି, ପରମ୍ପରା, ସାହିତ୍ୟ ଓ ରାଜନୀତି ଦ୍ୱାରା ବାଲ୍ୟକାଳରୁ ହିଁ ପ୍ରଭାବିତ ହୋଇଥିଲେ । ସମାଜସେବା, ଦେଶସେବା ଓ ସାହିତ୍ୟ ସାଧନା ଥିଲା ଏହି ଶତାୟୁ ସାଧକଙ୍କ ଜୀବନର ତିନୋଟି ମହାମନ୍ତ୍ର । ତିନିପୁରୁଷ ଧରି ତାଙ୍କ ପରିବାରରେ ଦେଶପ୍ରେମ, ସ୍ୱାଧୀନତା ସଂଗ୍ରାମ, ସାହିତ୍ୟ କର୍ମର ଏକ ସୁସ୍ଥ ତଥା ଅନୁକୂଳ ପରିବେଶ ଥିବାରୁ ନିତ୍ୟାନନ୍ଦ ବାଲ୍ୟକାଳରୁ ହିଁ ଏହିସବୁ କାର୍ଯ୍ୟରେ ଅଭିମନ୍ତ୍ରିତ ହୋଇଥିଲେ । ଭଦ୍ରକ ହ୍ରାଇସ୍କୁଲରେ ଛାତ୍ରଥିବା ବେଳେ ଜାତୀୟ କଂଗ୍ରେସର ଆଦର୍ଶ ଓ ମହାତ୍ମାଗାନ୍ଧୀଙ୍କ ବ୍ୟକ୍ତିତ୍ୱ ପ୍ରତି ଆକର୍ଷିତ ହୋଇ ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ସମୟରେ ପାଠରେ ଡୋରିବାନ୍ଧି ଆନ୍ଦୋଳନରେ ଯୋଗଦେଲେ । ସେହି ଆନ୍ଦୋଳନରେ ତାଙ୍କର ସତୀର୍ଥ ଥିଲେ ପଣ୍ଡିତ ନୀଳକଣ୍ଠ ଦାସ, ଆଚାର୍ଯ୍ୟ ହରିହର, ହରେକୃଷ୍ଣ ମହତାବ ଓ ନନ୍ଦ କିଶୋର ଦାସ । ସ୍ୱାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଯୋଗଦାନ ହେତୁ ଓଡ଼ିଶାର ବ୍ରହ୍ମପୁର, ଭଦ୍ରକ, ବାଲେଶ୍ଵର, କୋରାପୁଟ ଇତ୍ୟାଦି ଜେଲ୍‌ ସହିତ ପାଟଣା କ୍ୟାମ୍ପଜେଲ୍‌ରେ ମଧ୍ୟ ଦୀର୍ଘଦିନ କାରାବାସ ଭୋଗ କରିଥିଲେ । ଦେଶ ସ୍ୱାଧୀନ ହେବା ପରେ ୧୯୫୨ ମସିହାରୁ ସେ ସ୍ୱାଧୀନ ଭାରତର ଗଣତାନ୍ତ୍ରିକ ରାଜନୀତିରେ ସକ୍ରିୟ ଭାବରେ ଯୋଗଦେଇ କିଛି ବର୍ଷ ପାଇଁ ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ତାପରେ ରାଜନୀତିରେ ତାଙ୍କର ଆଦର୍ଶଗତ ମତଭେଦ ହେବାରୁ ସେ ସବୁଦିନ ପାଇଁ ରାଜନୀତିରୁ ସନ୍ନ୍ୟାସ ନେଇ କେବଳ ସାହିତ୍ୟ ସାଧନାରେ ନିଜକୁ ନିୟୋଜିତ କଲେ ।

 

ଉପନ୍ୟାସ ସମୂହର ଭିତ୍ତିଭୂମି : ଓଡ଼ିଆ ଭପନ୍ୟାସରେ ନିତ୍ୟାନନ୍ଦଙ୍କ ଆବିର୍ଭାବ ୧୯xx ମସିହାରେ, ତାଙ୍କର ପ୍ରଥମ ଉପନ୍ୟାସ ‘ଭୁଲ୍‌’ରଚନା କରିବା ପରେ ପରବର୍ତ୍ତୀ ସମୟରେ ସେ ‘ଘରଡ଼ିହ’, ‘ଭଙ୍ଗାହାଡ଼’, 'ଜୀଅନ୍ତା, ମଣିଷ, “ପୀରତି ପଥ ଖସଡ଼ା', ଇତ୍ୟାଦି ଉପନ୍ୟାସ ରଚନା କରିଥିଲେ । କବି ଶେଖର ଚିନ୍ତାମଣି ମହାନ୍ତି (ଟଙ୍କାଗଛ, ରୂପାଚୁଡ଼ି, ଯୁଗଳମଠ), ନନ୍ଦକିଶୋର ବଳ (କନକଲତା), ରାମଚନ୍ଦ୍ର ଆଚାର୍ଯ୍ୟ (କମଳକୁମାରୀ, ବୀରଓଡ଼ିଆ, ପଦ୍ମିନୀ, ବୀରାଙ୍ଗନା, ପୀୟୁଷ ପ୍ରବାହ) ତାରିଣୀ ଚରଣ ରଥ (ଅନ୍ନପୂର୍ଣ୍ଣା), କୁନ୍ତଳା କୁମାରୀ ସାବତ (କଳିହୁଡ଼ି, ନଅତୁଣ୍ଡୀ, ରଘୁ ଅରକ୍ଷିତ), ଗୋଦାବରୀଶ ମିଶ୍ର (ଅଭାଗିନୀ), ବୈଷ୍ଣବଚରଣ ଦାସ (ମନେମନେ), କମଳାକାନ୍ତ ଦାସ (ବୋଉ), ଚକ୍ରଧର ମହାପାତ୍ର (ଅପୂର୍ବ ପ୍ରେମ, ଗୋବର ଗୋଟେଇ) ଅନନ୍ତ ପ୍ରସାଦ ପଣ୍ଡା (ଭାଗ୍ୟଚକ୍ର‌), କାଳିନ୍ଦୀଚରଣ ପାଣିଗ୍ରାହୀ (ମାଟିର ମଣିଷ), ଗୋଦାବରୀଶ ମହାପାତ୍ର (ରାଜଦ୍ରୋହୀ, ବନ୍ଦୀର ମାୟା, ପ୍ରେମପଥେ, ବିଦ୍ରୋହ), କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର (କଣାସାହୁ), ପ୍ରାଣକୃଷ୍ଣ ସାମଲ (ନୀଳକମଳ), ସଚ୍ଚିଦାନନ୍ଦ ରାଉତରାୟ (ଚିତ୍ରଗ୍ରୀବ) ଇତ୍ୟାଦି ରଚିତ ହୋଇ ପାଠକୀୟ ଆଦୃତି ଓ ସ୍ଵୀକୃତି ଲାଭ କରିଥିଲା । ଓଡ଼ିଆ ଉପନ୍ୟାସର ଏହି ସୁଦୃଢ଼ ଭିତ୍ତିଭୂମି ଉପରେ ନିତ୍ୟାନନ୍ଦ ତାଙ୍କ ଉପନ୍ୟାସ ସାହିତ୍ୟର ଭାବ ଓ ଭୂତି ସଂରଚନା କରି ଏ କ୍ଷେତ୍ରରେ ଏକ ସ୍ଵତନ୍ତ୍ର ତଥା ମହତ୍ୱପୂର୍ଣ୍ଣ ଆସନର ଅଧିକାରୀ ହୋଇ ପାରିଥିଲେ ‘ଭୁଲ’ (୧୯୩୬) ଉପନ୍ୟାସର ସ୍ରଷ୍ଟା ହେଉଛନ୍ତି ତରୁଣ ନିତ୍ୟାନନ୍ଦ ଏବଂ ଏହାର ଏନ୍ତୁଡ଼ିଶାଳ ହେଉଛି ପାଟଣା ଜେଲ୍‌-। ଏହା ତାଙ୍କର ତରୁଣ ଜୀବନର ଲେଖା ହୋଇଥିବାରୁ ଏଥିରେ ପରକୀୟା ପ୍ରେମ ଓ ଭାବପ୍ରବଣତା ଅଧିକ ରହିବା ସ୍ଵାଭାବିକ । ମାତ୍ର ପରବର୍ତ୍ତୀ ଉପନ୍ୟାସଗୁଡ଼ିକରେ ସମାଜ, ସଂସ୍କୃତି, ରାଜନୀତି ଓ ଇତିହାସ ପ୍ରତି ତାଙ୍କର ଲେଖକୀୟ ଅନୁଗତ୍ୟ ଥିବାର ଲକ୍ଷ୍ୟ କରାଯାଏ ।

 

ଇଂରାଜୀ ଶିକ୍ଷାର କୁପରିଣତି, ବିଶ୍ୱଯୁଦ୍ଧର ବିଷମୟ ପ୍ରଭାବ ତଥା ପ୍ରାକ୍‌ ସ୍ଵାଧୀନତା କାଳର ଭାରତୀୟ ଜନଜୀବନର ସମସ୍ୟାବହୁଳ ଘଟଣା ହିଁ ନିତ୍ୟାନନ୍ଦଙ୍କ ସମକାଳୀନ ଉପନ୍ୟାସ ସୃଷ୍ଟିକୁ ଅଧିକ ଉପାଦାନ ପ୍ରଦାନ କରିଛି । ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତିର ପ୍ରଭାବରେ ଦେଖାଦେଇଥିବା ନୂତନ ମାନସିକ ଅଭ୍ୟୁଦୟ, ସ୍ଵାଧୀନ ଚିନ୍ତା ଚେତନା, ଜାତୀୟତାବୋଧ ଓ ବାସ୍ତବବାଦୀ ଦୃଷ୍ଚିକୋଣ ଓଡ଼ିଆ ଉପନ୍ୟାସରେ କ୍ରମଶଃ ଲକ୍ଷ୍ୟ କରାଗଲା । ଏହି ସମୟର ଉପନ୍ୟାସରେ ଓଡ଼ିଶାର ମାଟି ଓ ମଣିଷ ହିଁ କଥାବସ୍ତୁର ମୂଳପିଣ୍ଡ ଭାବରେ ଗୃହୀତ ହୋଇଛି । ପରାଧୀନ ଉତ୍କଳର ଦୁଃସ୍ଥିତି, ଆର୍ଥନୀତିକ ବୈଷମ୍ୟ ଶୋଷଣ, ଅତ୍ୟାଚାର, ଲୁଣ୍ଠନ ସହିତ ଅତୀତ ଉତ୍କଳର ଗୌରବମୟ ଇତିହାସର ସ୍ମରଣ ଏହି ସମୟରେ ରଚିତ ଉପନ୍ୟାସରେ ଦେଖିବାକୁ ମିଳେ । ବଡ଼କଥା ହେଉଛି ଆମ ସାହିତ୍ୟରେ ଉପନ୍ୟାସ ରଚନା କରିବା ପାଇଁ ବ୍ୟାପକ ପରିବେଶ ସୃଷ୍ଟି ହେବା ସାଙ୍ଗକୁ ଲେଖକମାନଙ୍କର ବ୍ୟାକୁଳତା ମଧ୍ୟ ପ୍ରକାଶ ପାଇଥିଲା । ବିଷୟବସ୍ତୁ ନିର୍ବାଚନ ଓ ପରିବେଷଣ ଶୈଳୀର ନୂତନତା ଦୃଷ୍ଟିରୁ ଏଇ ସମୟରେ ରଚିତ ଅଧିକାଂଶ ଉପନ୍ୟାସ ସମକାଳୀନ ଭାରତୀୟ ଉପନ୍ୟାସର ସମକକ୍ଷ ହୋଇ ପାରିଥିଲା ।

 

ଯେତେବେଳେ କୌଣସି ରାଷ୍ଟ୍ରର ଶାସନସୂତ୍ର ଗୋଟିଏ ଶକ୍ତି ହାତରୁ ଅନ୍ୟ ଏକ ଶକ୍ତି ନିକଟକୁ ହସ୍ତାନ୍ତରିତ ହୁଏ, ସେତେବେଳେ ସେ ରାଷ୍ଟ୍ରରେ ବିପୁଳ ପରିବର୍ତ୍ତନ ସଂଘଟିତ ହୁଏ । ଏହି ପରିବର୍ତ୍ତନ ବିଶେଷ କର ସେହି ରାଷ୍ଟ୍ର ବା ଦେଶର ଜନଜୀବନ, ସମାଜ, ରାଜନୀତି, ସଂସ୍କୃତି ତଥା ସାହିତ୍ୟ କ୍ଷେତ୍ରକୁ ପ୍ରଭାବିତ କରିଥାଏ । ମୋଗଲ ସାମ୍ରାଜ୍ୟର ପତନ ପରେ ଯେତେବେଳେ ଭାରତୀୟ ଶାସନକଳ ଏକ ବିଦେଶୀ ବଣିକ ଇଂରେଜ ଜାତି ନିକଟକୁ ହସ୍ତାନ୍ତରିତ ହେଲା, ସେତେବେଳେ ଭାରତ ଏକ ନୂତନ ଅବସ୍ଥାରେ ଉପନୀତ ହେଲା । ଶାସନ ତନ୍ତ୍ରର ଏହି ପରିବର୍ତ୍ତନ ସହିତ ଭାରତୀୟ ବିଚାରଧାରା ଉପରେ ପାଶ୍ଚାତ୍ୟର ପ୍ରଭାବ ବୃଦ୍ଧି ପାଇଲା । ଇଂରାଜୀ ଶିକ୍ଷାପ୍ରାପ୍ତ ଭାରତୀୟ ଜନଜୀବନର ସାମାଜିକ ଆଚାର ବିଚାରରେ ପରିବର୍ତ୍ତନ ଦେଖାଦେଲା । ଇଂଲଣ୍ଡ ରାଜଛତ୍ରର ଇଙ୍ଗିତରେ ଇଣ୍ଡିଆନ କାଉନସିଲ୍‌ର ସହାୟତାରେ ଭାରତରେ ନୂତନ ଶାସନ ବ୍ୟବସ୍ଥା ପ୍ରତିଷ୍ଠିତ ହୋଇଥିଲେ ହେଁ, ଜନଗଣର ଆର୍ଥିକ ଅବସ୍ଥା କ୍ରମଶଃ ଖରାପ ହେବାରେ ଲାଗିଲା । ସାମାଜିକ ବିକାଶ ନାମରେ ସାରା ଦେଶରେ ଇଂରେଜ ସରକାର ରେଳ, ଡାକ-ତାର, କେନାଲ ଓ ସଡ଼କ ନିର୍ମାଣ କରି ଏକ ନୂଆଯୁଗର ଅୟମାରମ୍ଭ କଲେ । ଗମନାଗମନ ଓ ପରିବହନର ସୁବିଧା ସାଙ୍ଗକୁ ଶିଳ୍ପ ବିଜ୍ଞାନର ବିକାଶ ସାଧିତ ହେଲା । ସାହିତ୍ୟିକ ଓ ସ୍ୱାଂସ୍କୃତିକ ବିଚାରଧାରାରେ ଭାବର ଆଦାନପ୍ରଦାନ ସମ୍ଭବ ହେଲା । ଫଳରେ ପାଶ୍ଚାତ୍ୟରାଷ୍ଟ୍ରର ବିଦ୍ୱାନ୍ ଓ ସାହିତ୍ୟିକମାନେ ଭାରତୀୟ ସଭ୍ୟତା, ସଂସ୍କୃତି ଓ ସାହିତ୍ୟ ସମ୍ପର୍କରେ ତୁଳନାତ୍ମକ ଅଧ୍ୟୟନ କଲେ ଏବଂ ଭାରଦୀୟ ବିଦ୍ଵାନ୍‌ମାନଙ୍କ ଦୃଷ୍ଟିରେ ପାଶ୍ଚାତ୍ୟ ଜଗତର ସାହିତ୍ୟ, ସଂସ୍କୃତି ଓ ସଭ୍ୟତାର ଏକ ସ୍ଥୂଳ ରୂପ ପ୍ରତିଭାତ ହେଲା ।

 

ଓଡ଼ିଶାର ତତ୍‍କାଳୀନ ଐତିହାସିକ ପୃଷ୍ଠଭୂମି ମଧ୍ୟ ଏହି, ଦୃଷ୍ଟିରେ ବିଚାର କରାଯାଇପାରେ । ଦୀର୍ଘ ପଚାଶ ବର୍ଷରୁ ଉର୍ଦ୍ଧ୍ୱକାଳ ବଙ୍ଗଳାରେ ଶାସନ ଚଳାଇବା ପରେ. ଇଂରେଜମାନେ ବିଳମ୍ବରେ (୧୮୦୩) ଓଡ଼ିଶା ଜୟ କରି ଏହି ପ୍ରଦେଶରେ ନିଜ ଶାସନର କାୟାବିସ୍ତାର କରିଥିଲେ । ନୂଆ ଶାସନତନ୍ତ୍ର ସହିତ ନିଜକୁ ଖାପଖୁଆଇ ପାରୁ ନ ଥିବା ଓଡ଼ିଆ ଜାତିର ମନରେ ଅସନ୍ତୋଷର ବହୁ କୁହୁଳିବାରେ ଲାଗିଲା । ଅଣଓଡ଼ିଆ ଶାସକବର୍ଗ ଏହି ପ୍ରଦେଶର ମଙ୍ଗଳସାଧନ ପରିବର୍ତ୍ତେ ଲାଞ୍ଚନା, ଅତ୍ୟାଚାର ଓ ଶୋଷଣ ଆରମ୍ଭ କଲେ । ଶାସନର ସୁବିଧା ନିମିତ୍ତ ନୂଆ ସହରମାନ ଗଢ଼ାହେବା ଫଳରେ ସହର ଓ ଗ୍ରାମ ମଧ୍ୟରେ ସମ୍ପର୍କଜନିତ ଦୂରତ୍ୱ ସୃଷ୍ଟି ହେଲା । ସମାଜର ପ୍ରତ୍ୟେକ ଶ୍ରେଣୀରେ ନୈତିକତା ହ୍ରାସ ପାଇଲା ଏବଂ ବ୍ୟକ୍ତି- ବୌଦ୍ଧିକତାର ବିନାଶ ହେଲା । ବିଶ୍ୱବ୍ୟାପକତା ଆଳରେ ବ୍ୟକ୍ତି ଜୀବନରୁ ରାଷ୍ଟ୍ରୀୟ ଭାବନା ଦୂରେଇଗଲା । ଏହି ସମୟର ଏକ ଉଲ୍ଲେଖନୀୟ ଘଟଣା ହେଉଛି ନାରୀ ଜାଗରଣ । ନାରୀମାନେ ସେମାନଙ୍କର ସାମାଜିକ ସ୍ଥିତି ଓ ଅଧିକାର ପାଇଁ ସୁସଂଗଠିତ ହେଲେ ଏବଂ ନାରୀଶିକ୍ଷାର ପ୍ରସାର ନିମିତ୍ତ ସ୍ୱତନ୍ତ୍ର ବ୍ୟବସ୍ଥା ଆରମ୍ଭ ହେଲା । ଉଚ୍ଚଶିକ୍ଷା ପ୍ରତି ଓଡ଼ିଶାର ଜନସାଧାରଣଙ୍କର ଆଗ୍ରହ ଦେଖି ଇଂରେଜ ସରକାର ଏ ଦିଗରେ ବ୍ୟାପକ ଉଦ୍ୟମ କରିଥିଲେ ।

 

ଉପନ୍ୟାସ ସୃଷ୍ଟିର ଭାବଭୂମି :

ଓଡ଼ିଆ ସାହିତ୍ୟରେ ଉପନ୍ୟାସର ସୃଷ୍ଟି ଭାରତୀୟ ସାହିତ୍ୟ ତୁଳନାରେ ବିଳମ୍ବରେ ହେଲେ ହେଁ ଆଜିର ଉପନ୍ୟାସ ସମକାଳୀନ ଭାରତୀୟ ଉପନ୍ୟାସ ସହିତ ସମକକ୍ଷ ହୋଇପାରିଛି-। କାଳ୍ପନିକ ଓ ଧାର୍ମିକ କାବ୍ୟର ସୁଦୀର୍ଘ ଭିତ୍ତି ଭୂମି ଉପରେ ଉପନ୍ୟାସ ପ୍ରତିଷ୍ଠିତ । ଅତଏବ ଓଡ଼ିଆ ଉପନ୍ୟାସ ସମାଜର ଚିତ୍ର ଓ ଚରିତ୍ର । ଏହି ପରିବେଶ ଓ ପରିସ୍ଥିତିର ଏନ୍ତୁଡ଼ିଶାଳର ଚତୁପାର୍ଶ୍ୱରେ ଘେରି ରହିଥିବା ଭାରତୀୟ ଊନବିଂଶ ଶତାବ୍ଦୀ ହେଉଛି ଏହାର ଜନ୍ମଲଗ୍ନ । ଏହି ସମୟର ଉପନ୍ୟାସ ଓଡ଼ିଆ ଉପନ୍ୟାସର ଜନ୍ମ ଓ ପ୍ରାଣପିଣ୍ଡ ଏବଂ ଅଧିକାଂଶ ଉପନ୍ୟାସର କଥାବସ୍ତୁରେ ଇତିହାସ ସହ ରୋମାନ୍‌ସର ଇତିହାସ ହିଁ କଥାବସ୍ତୁର କରାଯାଏ । କେତେକ ଉପନ୍ୟାସରେ ନ’ଅଙ୍କ ଦୁର୍ଭିକ୍ଷର କରୁଣ ଚିତ୍ର ମଧ୍ୟ ଅଙ୍କିତ ହୋଇଛି ବଳୟ ଲକ୍ଷ୍ୟ ମୁଖ୍ୟତଃ ଦୁଇଟି ଶ୍ରେଣୀରେ ବିଭକ୍ତ କରାଯାଏ । କେତେକ ଉପନ୍ୟାସରେ ନ’ଅଙ୍କ ଦୁର୍ଭିକ୍ଷର କରୁଣ ଚିତ୍ର ମଧ୍ୟ ଅଙ୍କିତ ହୋଇଛି-। ଅନ୍ୟଟି ଅତ୍ୟାଚାରର ପ୍ରତିରେ କରୁଥିବା ମଣିଷମାନେ । ଜୀବନର ସହଜ, ସରଳ ଓ ସ୍ଵାଭାବିକ ପ୍ରବାହ ଏହ ରୋମାନ୍‌ସ୍‌ରେ ଥିବାରୁ ଇତିହାସ ଭଳି ନିଚ୍ଛୁକ ବାସ୍ତବତା ସହିତ ରୋମାନ୍‌ସର ସମନ୍ୱୟ କରି ଉପନ୍ୟାସକୁ ଅଧିକ ଲୋକପ୍ରିୟ କରିବା, ପାଠକ ସୃଷ୍ଟି କରିବା ଓ ପାଠକୀୟ ଆଦୃତି ଲାଭ କରିବା ଥିଲା ଏହି ଶ୍ରେଣୀର ଉପନ୍ୟାସର ମୂଳଲକ୍ଷ୍ୟ ।

 

ଏହାଛଡ଼ା ପ୍ରଥମ ବିଶ୍ଵଯୁଦ୍ଧ ପରେ ସମଗ୍ର ବିଶ୍ଵ ସାମାଜିକ ଜୀବନରେ ନୈତିକତା ଓ ଆଦର୍ଶବାଦରେ ବିପୁଳ ପରିବର୍ତ୍ତନ ସଂଘଟିତ ହେଲା । ସଂଘାତମୟ ଜୀବନରେ ବ୍ୟକ୍ତିଠାରୁ ଆରମ୍ଭ କରି ବ୍ୟଷ୍ଟି ପର୍ଯ୍ୟନ୍ତ ସାମାଜିକ ଜୀବନ ସଂଘାତ ଓ ସଂଘର୍ଷ ମଧ୍ୟରେ ଗତିକଲା । ଦୁଃଖ, ଦୁର୍ଦ୍ଦଶା ପୀଡ଼ିତ ଯୁଦ୍ଧୋତ୍ତର ମାନବାତ୍ମାକୁ ଆଶଙ୍କା ଓ ଅଭିଶାପରୁ ମୁକ୍ତ କରିବା ପାଇଁ ପୃଥିବୀର ବନ୍ଧୁ ଚିନ୍ତା ନାୟକ ଓ ଦାର୍ଶନିକ ନୂତନ ମାର୍ଗ ନିରୂପଣ କଲେ । ଫଳରେ ସିଗ୍‌ମଣ୍ଡ ଫ୍ରୟେଡ଼୍‌ କାର୍ଲମାର୍କସ, ଜେମସ୍‌ ଜୟେସ୍‌, ଆଲବର୍ଟ କାମ୍ୟୁ, ଆଇନ୍‌ଷ୍ଟାଇନ୍‌ଙ୍କ ନୂଆ ଚିନ୍ତା, ଓ ଚେତନାରେ ବ୍ୟକ୍ତି ଓ ସମାଜ ଜୀବନ ପ୍ରଭାବିତ ଓ ପରିବର୍ତ୍ତିତ ହେବାରେ ଲାଗିଲା । ଅଥନୈତିକ ଶ୍ରେଣୀ ବୈଷମ୍ୟ ସୃଷ୍ଟି ହେବା ଯୋଗୁଁ ‘ସଂଘର୍ଷ’ ଲାଗି ରହିଲା । ମାନସିକ ସ୍ତରରେ ମଧ୍ୟ ବ୍ୟକ୍ତି ଅନ୍ତଦ୍ୱନ୍ଦ୍ୱର ସମ୍ମୁଖୀନ ହେଲା । ଧନକୁ କେନ୍ଦ୍ର କରି ଥିବାବାଲା ଓ ନ ଥିବାବାଲା (Have’s and Havenot’s) ମଧ୍ୟରେ ଶ୍ରେଣୀ ସଂଘର୍ଷ ସାଙ୍ଗକୁ ମନକୁ କେନ୍ଦ୍ର କରି ମାନସିକ ଅନ୍ତଦ୍ୱନ୍ଦର ଫଳରେ ଏକ ନୂତନ ସାମାଜିକ ଭାବତରଙ୍ଗ ସମକାଳୀନ ଗଳ୍ପ, ଉପନ୍ୟାସ ତଥା ସାହିତ୍ୟର ବିଭିନ୍ନ ବିଭାଗକୁ ପ୍ରଭାବିତ କଲା । ଏଥିରୁ ଜନ୍ମନେଲା କାର୍ଲମାର୍କସଙ୍କ ସାମ୍ୟବାଦୀ ଦର୍ଶନ ଓ ସିଗ୍‌ମଣ୍ଡ ଫ୍ରୟେଡ଼୍‌ଙ୍କ ଚେତନା ପ୍ରବାହ ଧାରା । ଉପନ୍ୟାସ ସାହିତ୍ୟରେ ଏହି ଦୁଇଦର୍ଶନର ସ୍ଵର ଅଧିକ ସ୍ପଷ୍ଟ ଶାଣିତ ହେବାର ଲକ୍ଷ୍ୟ କରାଗଲା । ଫଳରେ ଆଦର୍ଶ ଓ ବାସ୍ତବତା, ପ୍ରାପ୍ତି ଓ ଅପ୍ରାପ୍ତି, ଆଭିଜାତ୍ୟ ଓ ଦାରିଦ୍ର୍ୟ ମଧ୍ୟରେ ଏକ ସଂଘର୍ଷ ଲାଗି ରହିଲା । ଏହି ସମୟର ଓଡ଼ିଆ ଉପନ୍ୟାସରେ ଚେତନାପ୍ରବାହ ପଦ୍ଧତିର ସଫଳ ପ୍ରୟୋଗ ହୋଇଥିଲା । ଉପନ୍ୟାସର କଥାବସ୍ତୁରେ ବୌଦ୍ଧିକତା ଓ ଦାର୍ଶନିକତା ସ୍ଥାନ ପାଇଲା । ଅନେକତ୍ର ସାମାଜିକ ନୀତି, ଆଚାର ବିଚାର ପ୍ରତି ବିଦ୍ରୋହ । ବିବିଧ ସାମାଜିକ ମୂଲ୍ୟବୋଧର ଅବକ୍ଷୟ ବିରୋଧରେ ପ୍ରତିକ୍ରିୟା ତଥା ସାମାଜିକ ପରମ୍ପରା ବିରୋଧରେ । ବୈପ୍ଳବିକ ଭାବନା ପରିଲକ୍ଷିତ ହେଲା । ସମକାଳୀନ ଯୁଗ ପ୍ରବୃତ୍ତିର ପ୍ରଭାବ ସ୍ୱରୂପ ବହୁ ନବୀନତର ତତ୍ତ୍ୱର ଅନ୍ତଃରୀଣ ସମାବେଶ ଓଡ଼ିଆ ଉପନ୍ୟାସର ଭାବଭୂମିକୁ ଅଧିକ ସମୃଦ୍ଧ କରିବାରେ ଲାଗିଲା । ଏହି ସମୟର ଉପନ୍ୟାସରେ ନୈତିକତାର ବିଚାର ସଂଶୟାଚ୍ଛନ୍ନ ଓ ବିବାଦଗ୍ରସ୍ତ ହେବା ଯୋଗୁଁ ଆମ ଉପନ୍ୟାସରେ ନୈତିକତାର ଯେଉଁ ଶାସ୍ତ୍ରୀୟ ବା ପଞ୍ଚତନ୍ତ୍ରୀୟ ସଂଜ୍ଞା ଥିଲା ତାହା ପରବର୍ତ୍ତିତ ହୋଇ ‘ନବନୈତିକତା ବାଦ’କୁ ଗ୍ରହଣ କରିନେଲା । ଅବଶ୍ୟ ଏକଥା ସତ ଯେ ‘ନୈତିକତୀ’ ବା ‘ନୈତିକ ମୂଲ୍ୟବୋଧ’, ଦେଶ, କାଳ, ପାତ୍ର ଭେଦରେ ଯୁଗେଯୁଗେ ପରିବର୍ତ୍ତିତ ହୋଇଥାଏ । ସମୟର ଅଖଣ୍ଡ ପ୍ରବାହରେ ‘ନୀତିବୋଧ’ ନୂତନ ରୂପରେଖ ଗ୍ରହଣ କରେ । ଉପନ୍ୟାସ ଏକ ସାମାଜିକ ଆବେଦନଧର୍ମୀ ଗଣ ସାହିତ୍ୟ ହୋଇଥିବାରୁ ଏହି ନୈତିକତାବୋଧକୁ ଅଚିରେ ଗ୍ରହଣ କରି ନେଇଥାଏ । ଅତଏବ ସମାଜ ଯେତେବେଳେ ଯେଉଁ ନୈତିକ ସଂକଟର ସମ୍ମୁଖୀନ ହୋଇଛି, ଔପନ୍ୟାସିକ ତା’ର ଚରିତ୍ରମାନଙ୍କ ମାଧ୍ୟମରେ ସମାଜ ଓ ବ୍ୟକ୍ତି ଜୀବନକୁ ସେହି ସଂକଟରୁ ଉଦ୍ଧାର କରିବା ପାଇ ‘ନୀତବୋଧ’ର ନୂତନ ରୂପ ସମାଜ ନିକଟରେ ଉପସ୍ଥାପିତ କରିଆସିଛି ।

 

ନିତ୍ୟାନନ୍ଦଙ୍କ ଉପନ୍ୟାସ ଜଗତ :

ଉପରୋକ୍ତ ଭିତ୍ତିଭୂମି ଓ ଭାବସମ୍ପଦ ଆଧାରରେ ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସଗୁଡ଼ିକର ଆକଳନ କରାଯାଇପାରେ । ଜୀବନର ବହୁବିଧ ଅନୁଭୂତି ହିଁ ତାଙ୍କ ଉପନ୍ୟାସ ସମୂହର ଆଧାର ଶିଳା । ଜୀବନର ବୈଚିତ୍ର୍ୟକୁ ସେ ତାଙ୍କ ଉପନ୍ୟାସଗୁଡ଼ିକରେ ସଠିକ୍‌ ଭାବରେ ପରିବେଷଣ କରିଛନ୍ତି । ସ୍ଵାଧୀନତା ଆନ୍ଦୋଳନରେ କାରାବରଣ କରି ପାଟଣା ଜେଲ୍‌ରେ କଏଦୀର ଜୀବନ ଭୋଗୁଥିବାବେଳେ ତାଙ୍କର ପ୍ରଥମ ଉପନ୍ୟାସ ‘ଭୁଲ୍‌’ (୧୯୩୬) ରଚିତ ହୋଇଥିଲା । ଏହା ତତ୍କାଳୀନ ‘ନବଭାରତ’ ପତ୍ରିକାରେ ପ୍ରକାଶିତ ହେଉଥିଲା ଏବଂ ପରେ ୧୯୪୫ ମସିହାରେ ପୁସ୍ତକ ଆକାରରେ ପ୍ରକାଶିତ ହେଲା । ତରୁଣ ସ୍ରଷ୍ଟା ନିତ୍ୟାନନ୍ଦ ଏହି ଉପନ୍ୟାସରେ ସୁଲକ୍ଷଣା ନାମ୍ନୀ ଏକ ନାରୀ ଚରିତ୍ରର ଜୀବନର ଭୁଲ୍‌କୁ ବ୍ୟକ୍ତ କରିଛନ୍ତି । କନ୍ୟାର ମତାମତ ଗ୍ରହଣ ନ କରି ପିତାମାତା କନ୍ୟା ପାଇଁ ବରପାତ୍ର ସନ୍ଧାନ କରିବା ଫଳରେ ବୈବାହିକ ଜୀବନରେ ଅଶାନ୍ତିର ଝଡ଼ ବହିଯାଏ । ନାୟିକାସୁଲକ୍ଷଣା ଜୀବନର ଏହି ଝଡ଼ ହିଁ ଉପନ୍ୟାସର ମୁଖ୍ୟ କାହାଣୀ । ସେ ବୈବାହିକ ଜୀବନରେ ସୁଖୀ ହୋଇ ପାରି ନାହିଁ । ପିତାମାତାଙ୍କ ନିର୍ବାଚିତ ବରକୁ ସେ ନାପସନ୍ଦ କରିପାରି ନାହିଁ । ପିଲାଦିନେ ସେ ବାପଘରେ ଗେହ୍ଲୀ ନାମରେ ପରିଚିତ ଥିଲା, ବାହାଘର ପରେ ତା’ର ସବୁ ଗେହ୍ଲୀପଣ ସତେ ଯେମିତି ଚୁଲିକୁ ଯାଇଛି । ଏକ ମିଛିମିଛିକା ଧୂଳିଘରର ଘରଣୀ ସାଜି ସେ ଶାଶୁଘର ଯାଇଛି ସତ ସ୍ୱାମୀର ଆର୍ଥିକ ଅସ୍ଵଚ୍ଛଳତା ସହ ସେ ଖାପ ଖୁଆଇ ପାରି ନାହିଁ । ଏହି କାହାଣୀର ଖିଅ ହିଁ ଉପନ୍ୟାସଟିର କଥାବସ୍ତୁକୁ ଏବଂ ତା’ର ଘଟଣା ପ୍ରବାହକୁ ଗତିଶୀଳ କରାଇଛି । ନାରୀ ସବୁବେଳେ ପୁରୁଷର ପ୍ରତିଭା ଖୋଜେ । ପ୍ରତିଭାର ପୂଜା କରେ । ସ୍ୱାମୀର ଦରିଦ୍ର ପଣିଆ, ଅଯୋଗ୍ୟତା, ଭଦ୍ରତା କିମ୍ବା ସୌଜନ୍ୟ ସବୁ ଯେମିତି ନାରୀ ନିକଟରେ ତୁଚ୍ଛ ହୋଇଯାଏ । ଏହି ମାନସିକ ଅନ୍ତନ୍ଦ୍ୱର୍ନ୍ଦ୍ୱରେ ସୁଲକ୍ଷଣା ଭାଙ୍ଗିପଡ଼ିଛି । ପିଲାଦିନେ ଏକ ଆର୍ଥିକ ସ୍ୱଚ୍ଛଳ ପରିବାରରେ ବଢ଼ି ଆସିଥିବା ଗେହ୍ଲୀ ତା’ର ଗେହ୍ଲବସରର ଦିନଗୁଡ଼ିକୁ ଭୁଲି ପାରି ନାହିଁ । ଏହି ମାନସିକ ବିକୃତିର ଶିକାର ହୋଇ ନିଜେ ସୁଲକ୍ଷଣା କହିଛି- ‘‘ମୋର ସବୁବେଳେ ଗୋଟିଏ ଏଇ ଧାରଣା ରହିଲା ଯେ ମୁଁ ଆସି ଯେମିତି ଏ ଘରଟାକୁ ଉଜ୍ଵଳ କରିଛି, ମୋ ବାପାମାଆ ଏଠି ମୋତେ ବିଭାଦେଇ ଏମାନଙ୍କୁ ଯେପରି କୃତାର୍ଥ କରିଛନ୍ତି । ମୁଁ ଇ ଯେମିତି ଏ ଘରର ଲକ୍ଷ୍ମୀ ଉଦୟ ହୋଇଛି । ଲୋକଙ୍କର ପ୍ରଶଂସା, ବରଙ୍କର ଶରଧା, ତାଙ୍କର ସ୍ନେହପ୍ରୀତି ସବୁ ମୋର ଏ ଧାରଣାକୁ ଆହୁରି ଦୃଢ଼ୀଭୂତ କରି ଦେଇଥିଲା । ମୁଁ ଭାବୁଥିଲି ଏ ସବୁ ୟା’ଙ୍କର କୃତଜ୍ଞତା ପ୍ରକାଶ ନୁହେଁ ତ କ’ଣ ?’’ (ଭୁଲ୍‌-ପୃ-୧୦୩)

 

‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଏବଂ ‘ଘରଡ଼ିହ’ ଉପନ୍ୟାସତ୍ରୟ ସମାଜ ଜୀବନର ନିଚ୍ଛକ ପ୍ରତିଛବି ବହନ କରେ । ଏହା ଐତିହାସିକ ଆଧାର ଉପରେ ଠିଆ ହୋଇଛି ସତ ମାତ୍ର ଏଥିରେ ସମକାଳୀନ ରାଜନୀତିର ଚିତ୍ର ପ୍ରତିଫଳିତ ହୋଇଛି । ସମ୍ଭ୍ରାନ୍ତ ପରିବାରର ତଥାକଥିତ ଆଭିଜାତ୍ୟକୁ ନେଇ ଗର୍ବ କରୁଥିବା ମଣିଷଙ୍କ ବିରୋଧରେ ଲେଖକଙ୍କ ମନରେ ଯେଉଁ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ତାହା ଏହି ଉପନ୍ୟାସ ତ୍ରୟରୁ ଦେଖିବାକୁ ମିଳେ । ଗ୍ରାମ୍ୟ ସମାଜରେ ବସବାସ କରୁଥିବା ସାଧାରଣ ଜନତାର ଦୁଃଖଦୁର୍ଦ୍ଦଶା, ଅଭାବ-ଅନଟନ, ଅନ୍ଧବିଶ୍ଵାସକୁ ଲେଖକ ଚିହ୍ନିବାରେ ଯେତିକି ସକ୍ଷମ ହୋଇଛନ୍ତି ତାହାକୁ ଉପନ୍ୟାସର ଚିତ୍ର ଓ ଚରିତ୍ର ମାଧ୍ୟମରେ ପ୍ରକାଶ କରାଇବାରେ ତାଙ୍କର ଲେଖକୀୟ ସାମର୍ଥ୍ୟ ଅଧିକ ପ୍ରକଟିତ ହୋଇଛି । ରାଜନୈତିକ, ଐତିହାସିକ ଓ ସାମାଜିକ ଉପାଦାନରେ ଏହି ଉପନ୍ୟାସତ୍ରୟ ଅଧିକ ସୁଖପାଠ୍ୟ ଓ ମନୋଜ୍ଞ । ନିତ୍ୟାନନ୍ଦଙ୍କ ବ୍ୟକ୍ତିଗତ ଜୀବନ ସ୍ଵାଧୀନତା ସଂଗ୍ରାମ/ଦେଶପ୍ରେମ ଓ ସମାଜସେବାରେ ଯେତେବେଳେ ଉତ୍ସର୍ଗୀକୃତ, ତାଙ୍କର ଲେଖକୀୟ ଦୃଷ୍ଟି ଓ ଦର୍ଶନ ସେତେବେଳେ ସମକାଳୀନ ସମାଜତତ୍ତ୍ୱକୁ ଅନୁଶୀଳନ କରିବାରେ ଅଧିକ ଯତ୍ନଶୀଳ ଓ ମଗ୍ନ । ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ (୧୯୪୬) ସମେତ ‘ଘରଡ଼ିହ’ ଉପନ୍ୟାସରେ ଉତ୍କଳୀୟ ଗ୍ରାମ୍ୟ ଜୀବନର ସମାଜତାତ୍ତ୍ୱିକ ରୂପ ବେଶ୍‌ ନିଛକ ଭାବରେ ସ୍ଥାନିତ । ଗ୍ରାମ୍ୟ ମଣିଷ ଅର୍ଥ ରୋଜଗାର ପାଇଁ ସହରାଭିମୁଖୀ ହୋଇଛି । ନିଜ ହିଡ଼ମାଟିକୁ ଭୁଲି ଗାର ମୋହ ତୁଟାଇଛି । ଅର୍ଥ ସର୍ବସ୍ୱ ମଣିଷ ପାଇଁ ମହାତ୍ମାଗାନ୍ଧୀଙ୍କ ପ୍ରଦର୍ଶିତ ‘ଆଦର୍ଶ ଗ୍ରାମ୍ୟ’ କେମିତି ଶ୍ରୀହୀନ ହୋଇପଡ଼ିଛି । ଗାଁର ଧନୀ, ଜମିଦାର ଓ ଅଭିଜାତ ବର୍ଗର ଶୋଷଣ, କଷଣ ବଢ଼ି ଯାଇଛି । ଗାଁ ମାଟିରେ ଟଙ୍କା ଫଳିବ ନାହିଁ, କେବଳ ସହରୀ ସଭ୍ୟତାରେ ଶ୍ରମ କରି ଅନ୍ନସଂସ୍ଥାନ ଯୋଗାଡ଼ କରିହେବ ବୋଲି ଏକ ଦୃଢ଼ ଧାରଣା କେମିତି ଗାଁର ମଣିଷମାନଙ୍କୁ ଦିଗ୍‌ଭ୍ରଷ୍ଟ କରିଛି । ଲେଖକଙ୍କ ଭାଷାରେ- ‘‘ଘରର ମୋହ ନାହିଁ- ମାଟିର ମୋହ ନାହିଁ- ଗାଁର ମୋହ ନାହିଁ- ମଣିଷ ଜୀବନର ଏକକର ମୋହ କେବଳ ଗୋଟିଏ ବୋଲି ମୋହ- ସେ ହେଉଚି ଟଙ୍କା ।’’ (ହିଡ଼ମାଟି-ପୂ-୩୭) । ଏସବୁ ଦେଖିବା ପରେ ସଂଗ୍ରାମୀ ନିତ୍ୟାନନ୍ଦଙ୍କ ଲେଖକ ସୁଲଭ ମନ ବିଦ୍ରୋହ କରି ଉଠିଛି । ଗାଁର ଅର୍ଥନୀତି ମୁଷ୍ଟିମେୟ ବିତ୍ତଶାଳୀ ପରିବାର ନିକଟରେ କେନ୍ଦ୍ରୀଭୂତ ହୋଇଛି । ଫଳରେ ପୁଞ୍ଜବାଦୀ ଅର୍ଥନୀତି ଗ୍ରାମ୍ୟ ଜୀବନରେ ଅର୍ଥନୈତିକ ଶ୍ରେଣୀ ସଂଘର୍ଷ ସୃଷ୍ଟି କରିଛି । ସୁସ୍ଥ ସମାଜବାଦରେ ଆସ୍ଥା ରଖିଥିବା ଲେଖକ ନିତ୍ୟାନନ୍ଦ ବିଭିନ୍ନ ଚରିତ୍ର ଓ ଘଟଣା ପ୍ରବାହ ମାଧ୍ୟମରେ ଏହାର ତୀବ୍ର ବିରୋଧ କରିଛନ୍ତି । ଲେଖକ ଜଣେ ସ୍ୱାଧୀନତା ସଂଗ୍ରାମୀ ତଥା ଗାନ୍ଧିବାଦୀ ନେତା ହୋଇଥିବାରୁ ତାଙ୍କର ଉପନ୍ୟାସରେ ଗାନ୍ଧୀଦର୍ଶନ ଓ ବିଚାରଧାରା ପ୍ରତିଫଳିତ ହେବା ସ୍ଵାଭାବିକ । ଗାନ୍ଧିଜୀଙ୍କ ବିଚାରଧାରାରେ (ଭାରତର ଆତ୍ମା ଗ୍ରାମ୍ୟ ଜୀବନରେ ଉପଲବ୍ଧ) ସେ ବହୁ ଭାବରେ ଅନୁପ୍ରାଣିତ ହୋଇ କୃଷିଭିତ୍ତିକ ଅର୍ଥନୀତିର ବିକାଶ ଓ ଗାନ୍ଧିଜୀଙ୍କ ରଚନାତ୍ମକ କାର୍ଯ୍ୟ ମାଧ୍ୟମରେ ଗ୍ରାମ୍ୟ ଜୀବନର ପୁନର୍ବିନ୍ୟାସ ସମ୍ପର୍କରେ ନିଜ ଉପନ୍ୟାସଗୁଡ଼ିକରେ ବହୁ ଇଙ୍ଗିତ ଦେଇଛନ୍ତି । ସମାଜରେ ଅର୍ଥନୈତିକ ଶ୍ରେଣୀ ସଂଘର୍ଷ ସାଙ୍ଗକୁ ଜାତିଗତ ବିଭେଦ ଗ୍ରାମ୍ୟ ଜୀବନକୁ ହତଶ୍ରୀ କରିଦେଲା । କାର୍ଲମାକ୍ସଙ୍କ ସାମ୍ୟବାଦୀ ଦର୍ଶନ ଓ ମହାତ୍ମାଗାନ୍ଧୀଙ୍କ ଶ୍ରେଣୀହୀନ ସମାଜବାଦ ମଧ୍ୟରୁ ସମାଜବାଦୀ ତତ୍ତ୍ୱକୁ ଅଧିକ ଆପଣେଇ ନେଇଥିଲେ ନିତ୍ୟାନନ୍ଦ । ତେଣୁ ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଓ ‘ଘରଡ଼ିହ’ ଉପନ୍ୟାସ ଜରିଆରେ ଏକ ସୁସ୍ଥ, ସୁନ୍ଦର ତଥା ନୂତନ ସମାଜର ସ୍ଵପ୍ନ ଦେଖିଛନ୍ତି । ସେ ସାମନ୍ତବାଦର ବିରୋଧ କରିଛନ୍ତି । ବ୍ରିଟିଶ ଶାସନ ପରେ ଆମ ସ୍ଵାଧୀନ ସମାଜରେ ଯେଉଁ ସାମନ୍ତତନ୍ତ୍ରର ଛିଟା ରହିଯାଇଥିଲା ତାହା କେତେକାଳ ଧରି ଗ୍ରାମ୍ୟ ଜୀବନରେ ଧନ, କ୍ଷମତା ଓ ଶାସନବ୍ୟବସ୍ଥାର କେନ୍ଦ୍ରସ୍ଥଳ ରୂପେ ବିବେଚିତ ହେଉଥିଲା । ଆମ ସମାଜରେ ସାମଜତନ୍ତ୍ରର ଜନ୍ମ କେଉଁ ଯୁଗରୁ । ଲେଖକ ନିତ୍ୟାନନ୍ଦ ନିଜେ ସାମନ୍ତ ପରିବାର ଆଭିଜାତ୍ୟରେ ଜନ୍ମଗ୍ରହଣ କରିଥିଲେ ହେଁ ସାମନ୍ତତନ୍ତ୍ରର ଘୋର ବିରୋଧ କରି ଆସିଛନ୍ତି ଉପରୋକ୍ତ ତିନୋଟି ଉପନ୍ୟାସର ବିଭିନ୍ନ ଚରିତ୍ର ମାଧ୍ୟମରେ । ଅନେକ ସମୟରେ ନିଜେ ଉପନ୍ୟାସର ଚରିତ୍ର ଭାବରେ ଆତ୍ମପ୍ରକାଶ କରି କହିଛନ୍ତି - ‘‘ଖଦଡ଼ ଲୁଗା, ଖଦଡ଼ ପଞ୍ଜାବୀ, ଖଦଡ଼ ଚାଦର, ଟୋପିଟିଏ ବି ଅଛି । ଗାନ୍ଧୀ ଟୋପି । କଲେକ୍ଟର କି ମନ୍ତ୍ରୀ ଆସିଲେ ବାହାରେ । ଭାଗୁ ମହାନ୍ତି ଏବେ ଚିତାକଟା ଛାଡ଼ି ସୂତାକଟା ଧରିଲାଣି । ରାଧେକୃଷ୍ଣ ସୀତାରାମ ଛାଡ଼ି ଏବେ ଗାନ୍ଧୀ ନାମ ଭଜିଲାଣି ।’’ (‘ଘରଡ଼ିହ’- ପୃଷା- ୬୨) ନିତ୍ୟାନନ୍ଦ ତାଙ୍କର ଏହି ଉପନ୍ୟାସ ତ୍ରୟରେ ଗ୍ରାମ୍ୟ ଜୀବନରେ ସ୍ନେହ, ମମତା, ମୈତ୍ରୀ ଓ ଭ୍ରାତୃତ୍ୱର ବନ୍ଧନ ଏବଂ ଗାନ୍ଧିବାଦର ଭିତ୍ତି ସ୍ଥାପନ ପାଇଁ ଯଥେଷ୍ଟ ସଂକେତ ପ୍ରଦାନ କରିଛନ୍ତି । ଏଥିରେ କଳ୍ପନାର ସ୍ପର୍ଶ ନାହିଁ ? ନିଛକ ବାସ୍ତବତା ଉପରେ ଏହାର କାହାଣୀ ଆଶ୍ରିତ । ଲେଖକ ସମକାଳୀନ ସମାଜର ଘଟଣା ପ୍ରବାହରୁ କଥାବସ୍ତୁ ଆହରଣ କରିଛନ୍ତି ଏବଂ ସେସବୁକୁ ପରବର୍ତ୍ତୀ ସମୟରେ ନିଜ ଆଦର୍ଶ ଓ ରୁଚି ଅନୁଯାୟୀ ଉପନ୍ୟାସର ଚରିତ୍ର, ଘଟଣା ପ୍ରବାହ ଭାଷାଶୈଳୀ ଓ ବିଷୟବିନ୍ୟାସ ଇତ୍ୟାଦିରେ ରୂପରେଖ ପ୍ରଦାନ କରିଛନ୍ତି । ଏହି ତିନୋଟି ଉପନ୍ୟାସ ସମକାଳୀନ ସମାଜ ଓ ଜୀବନର ଆଲେଖ୍ୟ ବହନ କରି ନିତ୍ୟାନନ୍ଦଙ୍କୁ ଜଣେ ଔପନ୍ୟାସିକର ସମ୍ମାନ ଓ ସ୍ଵୀକୃତି ପ୍ରଦାନ କରିଥିଲା । ଏହି ଉପନ୍ୟାସ ତ୍ରୟର କଥାବସ୍ତୁ କେବଳ ଓଡ଼ିଶା କିମ୍ବା ଭାରତର ସମାଜଜୀବନର କଳାତ୍ମକ ଅଭିବ୍ୟକ୍ତି ନୁହଁ ବରଂ ସମଗ୍ର ବିଶ୍ଵର, ମାନବ ଜାତିର, ସଭ୍ୟତା ଓ ସମୟର ଏକ ଅବିକୃତ ଚିତ୍ରଲିପି ।

 

‘ଜୀଅନ୍ତା ମଣିଷ’ ଓ ‘ପୀରତି ପଥ ଖସଡ଼ା’ ଦୁଇଟି ମନସ୍ତାତ୍ତ୍ୱିକ ଉପନ୍ୟାସ । ଏହା ପୂର୍ବରୁ ଓଡ଼ିଆ ଉପନ୍ୟାସରେ ମନସ୍ତାତ୍ତ୍ୱିକ ଉପନ୍ୟାସ ରଚନାର ସୂତ୍ରପାତ ହୋଇ ସାରିଥିଲା । ବିଭୂତି, ଚପଳା, ଭିକାରୀ ଇତ୍ୟାଦି ଚରିତ୍ର ମାଧ୍ୟମରେ ମଣିଷର ମନଗହୀରର ଗୋପନକଥାକୁ ଲେଖକ ଆବିଷ୍କାର କରିଛନ୍ତି । ଚରିତ୍ରମାନେ କେବଳ ଫଟୋଗ୍ରାଫିକ୍‌ ସ୍କେଚ ନୁହନ୍ତି । ବାହ୍ୟ ଶରୀର ଭିତରେ ମନଜଗତର ଯେଉଁ ଚିତ୍ର ରହିଛି ତାହାକୁ ଧରି ରଖିବା ପାଇଁ ଫ୍ରୟେଡୀୟ ଚେତନା ପ୍ରବାହ ଧାରାର ପ୍ରୟୋଗ କରାଯାଇଛି । ପ୍ରେମ ନିକଟରେ ସବୁକିଛି ହାର ମାନେ । ଦେହ ଓ ମନର କ୍ଷୁଧା କିଛି ବାରଣ ମାନେ ନାହିଁ । ଏକ ସମ୍ଭ୍ରାନ୍ତ କରଣ ପରିବାରର ବିଧବା ବୋହୂ ଚପଳା, ସେହି ପରିବାରରେ ଜଣେ ଆଶ୍ରିତ ଯୁବକ ଭିକାରୀ ପ୍ରତି ଆକୃଷ୍ଟ ହୋଇଛି । ମାନସିକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଛି ଚପଳା । ଏକ ପକ୍ଷରେ ରୋଗଯନ୍ତ୍ରଣାରେ ପୀଡ଼ିତ ସ୍ଵାମୀ, ଅନ୍ୟ ପକ୍ଷରେ ଯୁବକ ଭିକାରୀ ପ୍ରତି ତା’ ମନରେ ଦୁର୍ବଳତା । ସେ କହିଛି, ‘‘କିନ୍ତୁ ସେଦିନ ? ସେଦିନ ମୁଁ କିଛି ଅପରାଧ କରି ନାହିଁ । ମୋର ଏଇ ହୃଦୟଟା ମୋତେ ପ୍ରତାରିତ କରିଛି । ସତ କହୁଛି ଭଗବାନଙ୍କୁ ସାକ୍ଷୀ ରଖି କହୁଛି । ମୁଁ ତା ଚାହିଁ ନାହିଁ ।’’ (ଜୀଅନ୍ତା ମଣିଷ) ସେହିପରି ‘ପୀରତି ପଥ ଖସଡ଼ା’ରେ ପ୍ରେମର ସଂଜ୍ଞା ଓ ସ୍ଵରୂପ ଦର୍ଶାଇଛନ୍ତି । ମଣିଷ ପ୍ରେମର ପ୍ରକୃତ ଅର୍ଥ ନ ବୁଝି କେବଳ ଦୈହିକ କାମନା ଓ ପ୍ରବୃତ୍ତିକୁ ଚରିତାର୍ଥ କରିବା ପ୍ରେମର ବୋଲି ବୁଝିଥାଏ । ଉପନ୍ୟାସର ‘ଉତ୍ସର୍ଗ’ ପୃଷ୍ଠାରେ ଲେଖକ ଏ ସମ୍ପର୍କରେ ନିଜର ଅଭିବ୍ୟକ୍ତି ବାଢ଼ି କହିଛନ୍ତି - ‘ଏ ଯୁଗର ଯୁବକ ଯୁବତୀଙ୍କର ଭଲ ପାଇବା ଆଉ ଆତ୍ମା ଚିହ୍ନେ ନାହିଁ - ଦେହ ତ ଗୋଟାଏ ନୁହେଁ, ଅନେକ ଗୋଟିଏ ବା ଅନେକ ଦେହ ସେ ବାଟରେ ହାବୁଡ଼ନ୍ତି ।’’ (ପୀରତି ପଥ ଖସଡ଼ା)

 

ଲେଖକ ନିତ୍ୟାନନ୍ଦ ମଣିଷ ଜୀବନର ଆଦର୍ଶବାଦ ଓ ଆଶାବାଦର ପ୍ରସଙ୍ଗ ଅବତାରଣା କରିବାକୁ ଯାଇ ‘ଜୀବନର ଲକ୍ଷ୍ୟ’ ଉପନ୍ୟାସର ପରିକଳ୍ପନା କରିଛନ୍ତି । ଏହାର କଥାବସ୍ତୁ ତାଙ୍କର ଅନ୍ୟ ଉପନ୍ୟାସଠାରୁ ସମ୍ପୂର୍ଣ୍ଣ ପୃଥକ୍‌ । ଜୀବନର ଲକ୍ଷ୍ୟ ସମ୍ପର୍କରେ ଲେଖକ ଜୀବନର ଆଦର୍ଶ କଥା କହିବାକୁ ଯାଇ ସୂଚନା ଦେଇଛନ୍ତି ଯେ ମଣିଷ ବ୍ୟକ୍ତିଗତ ଜୀବନ ଜୀଏଁ ସତ ସେ ଆତ୍ମକୈନ୍ଦ୍ରିକ ହୋଇଯାଏ । ଏହାଦ୍ୱାରା ସେ ଲକ୍ଷ୍ୟ ପଥରୁ ବିଚ୍ୟୁତ ହୋଇଯାଏ । ସୁଖ ଓ ଦୁଃଖ ହିଁ ମଣିଷର ମାନସିକ ସ୍ଥିତିର ପ୍ରତିଫଳନ । ମଣିଷ ଘରସଂସାର ଭିତରେ ଯେଉଁ ଜୀବନ ବଞ୍ଚେ, ନିଜ ଜୀବନକୁ ବିଭିନ୍ନ ଉପାୟରେ ଗୌରବାନ୍ୱିତ କରାଏ ତାହା ପ୍ରକୃତ ସୁଖ ବା ପ୍ରକୃତ ଗୌରବ ନୁହେଁ-। ସେହିପରି ‘‘ସୁଖର ସନ୍ଧାନେ’’ ଉପନ୍ୟାସରେ ଜୀବନର ପ୍ରକୃତ ସୁଖର ସନ୍ଧାନ ପାଇଁ ଲେଖକ ପରାମର୍ଶ ଦେଇଛନ୍ତି । ଏହି ଦୁଇଟି ଉପନ୍ୟାସ ବିଷୟବସ୍ତୁ ଦୃଷ୍ଟିରୁ ପ୍ରାୟତଃ ସମଧର୍ମୀ ମାତ୍ର ‘ସୁଖର ସନ୍ଧାନ’ ଉପନ୍ୟାସରେ କନକାବିତ୍ୟ ଚରିତ୍ର ମାଧ୍ୟମରେ ବ୍ୟକ୍ତିଜୀବନର ବୃତ୍ତି ଓ ପ୍ରବୃତ୍ତି, ତ୍ୟାଗ- ଭୋଗ, ଉଦାରତା, ସହିଷ୍ଣୁତା ଓ ସଂଯମର ଅବତାରଣା କରିଛନ୍ତି । ‘ଜଳନ୍ତା ନିଆଁ’ ଉପନ୍ୟାସରେ ନିଆଁକୁ ପ୍ରେମର ପ୍ରତୀକାତ୍ମକ ଚିତ୍ର ଭାବରେ ସ୍ଥାନ ଦେଇଛନ୍ତି । ଏହି ଉପନ୍ୟାସର କଥାବସ୍ତୁ ପ୍ରେମାଶ୍ରିତ ହେଲେ ହେଁ ନାରୀ ହିଁ ଏହାର କେନ୍ଦ୍ରବିନ୍ଦୁ । ଲଳିତା ଏହାର ନାୟିକା । ବାପାଙ୍କ ସହ କଲିକତାରେ ଅବସ୍ଥାନ କରୁଥିବା ସମୟରେ ବିପତ୍ନୀକ ପ୍ରଫେସର ମହାନ୍ତିଙ୍କ ସମେତ ସେ ବହୁ ପୁରୁଷଙ୍କ ସାନ୍ନିଧ୍ୟରେ ଆସିଛି । ଦୈହିକ ପ୍ରେମରେ ପଡ଼ି ସେ ସମାଜ, ପରିବାର, ମାନସମ୍ମାନ, ମର୍ଯ୍ୟାଦା ସବୁକିଛି ଭୁଲି ଯାଇଛି । ପ୍ରେମର ନିଆଁରେ ଯେମିତି ତାର ଦେହ ଜଳିଯାଉଛି । ଏହି ଉପନ୍ୟାସକୁ ଏକ ପ୍ରେମାଖ୍ୟାନ କହିଲେ ଅତ୍ୟୁକ୍ତି ହେବ ନାହିଁ ।

 

ଆଧ୍ୟାତ୍ମିକ ପରିବେଶ, ସାଂସ୍କୃତିକ ପରିମଣ୍ଡଳ, ସାହିତ୍ୟିକ ପରିବାର ଓ ରାଜନୀତି ସଚେତନ ସମାଜସେବା ତଥା ଦେଶଭକ୍ତିର ସମୃଦ୍ଧ ପରମ୍ପରାରେ ଜନ୍ମଗ୍ରହଣ କରିଥିବା ଔପନ୍ୟାସିକ ନିତ୍ୟାନନ୍ଦ ଉପନ୍ୟାସ ମାଧ୍ୟମରେ ଓଡ଼ିଶାର ଜନଗଣର ହୃଦୟରେ ନୂତନ ସ୍ପନ୍ଦନ ସୃଷ୍ଟି କରିପାରିଥିଲେ । ସେ କେବଳ ନୀତିବାଗୀଶ ନ ହୋଇ ନୀତି ଓ ଆଦର୍ଶର ପ୍ରତିଷ୍ଠା କରିଥିଲେ । ସେ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ନିଜର ଲେଖା ସମ୍ପର୍କରେ ‘ଡଗର’ ପତ୍ରିକାରେ ପ୍ରକାଶିତ ‘ମୁଁ କାହିଁକି ଲେଖେ’ ଶିରୋନାମାରେ ସେ କହିଥିଲେ ଯେ ଲେଖନୀ ହିଁ ତାଙ୍କ ହସଲୁହ ଭରା ପ୍ରାଣର ଏକମାତ୍ର ବନ୍ଧୁ । ତାଙ୍କୁ ଓ ତାଙ୍କର ଜୀବନଧାରାକୁ ଚିହ୍ନିବାକୁ ହେଲେ ତାଙ୍କର ବିଶାଳ ସାରସ୍ଵତ ଜଗତକୁ ପଢ଼ିବା ଓ ଚିହ୍ନିବା ନିହାତି ଜରୁରୀ । ଯଥାର୍ଥରେ ନିତ୍ୟାନନ୍ଦ ହିଁ ଜଣେ ଚିନ୍ତାଶୀଳ, ମନୀଷୀ ସାହିତ୍ୟିକ ।

 

 

ଅବସରପ୍ରାପ୍ତ ଅଧ୍ୟାପକ

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ,

(ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ)

ଜଗନ୍ନାଥପୁର, ଭଦ୍ରକ-୭୫୬୧୦୦

 

ସହାୟକ ଗ୍ରନ୍ଥସୂଚୀ :

୧)

ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ - ସଂ. ପଠାଣି ପଟ୍ଟନାୟକ ଓ ଭୋଳାନାଥ ରାଉତ ।

୨)

ଉପନ୍ୟାସ ସାହିତ୍ୟ ସମ୍ପର୍କରେ- ଅଧ୍ୟାପିକା ଲାବଣ୍ୟ ନାୟକ

୩)

ଆଧୁନିକ ଓଡ଼ିଆ ସାହିତ୍ୟ-ଡ. ଜାନକୀ ବଲ୍ଲଭ ମହାନ୍ତି ।

୪)

ଉପନ୍ୟାସ ସାହିତ୍ୟର ପରିଚୟ-ଡ. ଗଙ୍ଗାଧର ବଳ ।

୫)

ଓଡ଼ିଆ ସାହିତ୍ୟର ସୃଷ୍ଟି ସମ୍ପଦ- ପ୍ରଫେସର ଡ. ବାସୁଦେବ ସାହୁ ।

୬)

ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟ- ପ୍ରଫେସର ଡ. ଶ୍ରୀନିବାସ ମିଶ୍ର ।

୭)

ଓଡ଼ିଆ ସାହିତ୍ୟର ଇତିହାସ-ଡ. ନଟବର ସାମନ୍ତରାୟ ।

୮)

ଚଳିତ ଶତାବ୍ଦୀର ଭାରତୀୟ ସାହିତ୍ୟ- ପ୍ରଫେସର ଡ. ଗୋପାଳଚନ୍ଦ୍ର ମିଶ୍ର ।

୯)

ସାମ୍ପ୍ରତିକ ସାହିତ୍ୟ-ଡ. ବିଭୂତି ପଟ୍ଟନାୟକ ।

୧୦)

ଇସ୍ତାହାର (ପତ୍ରିକା) - ପୂଜା ବିଶେଷାଙ୍କ, ୧୯୭୮ ।

୧୧)

ନବପତ୍ର (ପତ୍ରିକା) - ଏକାଦଶ ବର୍ଷ, ୩ୟ ସଂଖ୍ୟା ।

୧୨)

ଝଙ୍କାର (ପତ୍ରିକା) - ୧୯୭୪, ନଭେମ୍ବର ସଂଖ୍ୟା ।

 

***

 

ନିତ୍ୟାନନ୍ଦଙ୍କ ଉପନ୍ୟାସରେ ସ୍ୱାଧୀନୋତ୍ତର

ସ୍ଵପ୍ନଭଙ୍ଗ ଓ ସାମାଜିକ ଅବକ୍ଷୟ ଚିତ୍ର

ରଙ୍ଗାଧର ନାୟକ

 

ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ର ବିଂଶ ଶତାବ୍ଦୀର ସାମାଜିକ ଜୀବନର ଜଣେ ବାସ୍ତବ ରୂପକାର । ଓଡ଼ିଆ ଉପନ୍ୟାସ ସାହିତ୍ୟକୁ ତାଙ୍କ ଅବଦାନ ଅତୁଳନୀୟ । ସାମାଜିକ ଅନୁଭୂତି ତଥା ବ୍ୟକ୍ତିଗତ ଅନୁଭୂତିର ସୁମଧୁର ସମନ୍ୱୟ ମଧ୍ୟରେ ତାଙ୍କର ଉପନ୍ୟାସଗୁଡ଼ିକ ପାଠକଙ୍କୁ ନୂତନ ସ୍ଵାଦ ଆଣିଦିଏ । ନିତ୍ୟାନନ୍ଦଙ୍କ ଉପନ୍ୟାସ ସୃଷ୍ଟିର ସମୟ ହେଉଛି ଏକ ସନ୍ଧିକାଳ । ୧୯୩୦ ମସିହାରୁ ତାଙ୍କର ଲେଖିବା ଆରମ୍ଭ ହୋଇ ୧୯୪୭ ନାରେ ଅର୍ଥାତ ସ୍ଵାଧୀନତା ପରବର୍ତ୍ତୀ କାଳ ପର୍ଯ୍ୟନ୍ତ ପ୍ରସାରିତ ହୋଇଥିଲା । ପ୍ରାକ୍‌-ସ୍ଵାଧୀନତାକାଳ ଓ ସ୍ୱାଧୀନତା ପରବର୍ତ୍ତୀ ସମୟର, ସାମାଜିକ ଜୀବନ-ରାଜନୀତିକ ଜୀବନ ଓ ସାଂସ୍କୃତିକ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଦେଖାଯାଏ ।

 

ସ୍ୱାଧୀନତା ପୂର୍ବବର୍ତ୍ତୀ କାଳ ବା ସ୍ଵାଧୀନତା ପ୍ରସ୍ତୁତି କାଳରେ ଭାରତୀୟ ସାମାଜିକ ଜୀବନରେ ଯେଉଁ ଆଭିମୁଖ୍ୟ ପରିଲକ୍ଷିତ ହେଉଥିଲା ସ୍ୱାଧୀନତା ପ୍ରାପ୍ତି ପରେ ସବୁକ୍ଷେତ୍ରରେ ସେ ପରିବର୍ତ୍ତନ କେବଳ ଦେଖା ଦେଲା ନାହିଁ ସମାଜର ଗତି ହୋଇଛି ଭିନ୍ନମୁଖୀ । ଯାହାକୁ ଆମେ ଅବକ୍ଷୟମୁଖୀ କହି ପାରିବା । ପ୍ରଥମେ ଆମକୁ ବିଚାର କରିବାକୁ ପଡ଼ିବ ପ୍ରାକ୍‌ ସ୍ଵାଧୀନତା କାଳରେ ଭାରତୀୟ ସମାଜରେ କି ପ୍ରକାର ଆଭିମୁଖ୍ୟ ଦେଖିବାକୁ ମିଳିଥଲା ଓ କାହିଁକି ଦେଖା ଯାଇଥିଲା । ଏହି ବିଚାରରେ ପ୍ରଥମେ ଆସେ ସ୍ଵାଧୀନତା ଆନ୍ଦୋଳନର ଲକ୍ଷ୍ୟ, ଲୋକମାନଙ୍କ ଆନ୍ତରିକ ସଂପୃକ୍ତି ନୂତନ ଆଶା, ନୂତନ ଜୀବନ ପ୍ରତି ଅତ୍ୟଧିକ ଭାବ ପ୍ରବଣତା । ଦ୍ୱିତୀୟରେ ଦେଖିବା ମହାତ୍ମାଗାନ୍ଧୀଙ୍କ ଆଦର୍ଶବୋଧ ତଥା ସାମାଜିକ ଅଭିମୁଖ୍ୟର ସ୍ପଷ୍ଟ ଚିତ୍ର । ଯେଉଁ ଔପନ୍ୟାସିକ ବା ଗାଳ୍ପିକମାନେ ପ୍ରାକ୍‌ ସ୍ୱାଧୀନତା କାଳରେ ଉପନ୍ୟାସ ବା ଗଳ୍ପ ଲେଖିଲେ ସେମାନଙ୍କ ରଚନାରେ ସାମାଜିକ ଚିତ୍ର ଯେପରି ଭାବେ ପ୍ରକାଶ ପାଇଥିଲା ତାହା ଥିଲା ଏକ ସୁସ୍ଥସୁନ୍ଦର ସମୃଦ୍ଧଶୀଳ ସମାଜର ପରିକଳ୍ପନା ବା ସ୍ୱପ୍ନ । ଗାନ୍ଧିଜୀଙ୍କ ନେତୃତ୍ୱ ଭାରତୀୟ ସ୍ଵାଧୀନତା ଆନ୍ଦୋଳନକୁ ଯେତିକି ପ୍ରଭାବଶାଳୀ କରିପାରିଥିଲା ତା’ଠାରୁ ତାଙ୍କର ଦୃଷ୍ଟି ଓ ଦର୍ଶନ, ଆଚାର ଓ ବିଚାର ଭାରତୀୟ ଜନମାନସକୁ ସେତିକି ପ୍ରଭାବିତ କରିଥିଲା । ପଲ୍ଲୀଠାରୁ ସହର ପର୍ଯ୍ୟନ୍ତ, ଶ୍ରମିକ, ମୂଲିଆ, କୃଷକଠାରୁ ଜମିଦାର ବା ସାମନ୍ତବର୍ଗର ଲୋକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଗାନ୍ଧୀଙ୍କ ସମୃଦ୍ଧ ଦେଶ ଓ ଲୋକହିତକର ଯୋଜନା ପ୍ରଭାବିତ କରିଥିଲା । ବିଶେଷ କରି ଲେଖକମାନେ ଗାନ୍ଧୀଙ୍କ ବିଚାରବୋଧ ଓ ଯୋଜନାକୁ ଅଧିକ ଅନୁଭବ କରି ଲୋକମାନସକୁ ଅଧିକରୁ ଅଧିକ ଆଲୋଚିତ ଳରି ଅଭୂତପୂର୍ବ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବାର ପ୍ରୟାସ କରି ଗଳ୍ପ ଉପନ୍ୟାସ, କାବ୍ୟକବିତା, ନାଟକ ଓ ପ୍ରବନ୍ଧମାନ ରଚନା କଲେ । ୧୯୨୧ ମସିହାରେ ଅସହଯୋଗ ଆନ୍ଦୋଳନ, ୧୯୩୦ ମସିହାରେ ଲବଣ ସତ୍ୟାଗ୍ରହ ପରି ଆନ୍ଦୋଳନ ଯେଉଁ ରୂପ ନେଇଥିଲା ତାହା ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିବା କର୍ମୀ ଏବଂ ଜନସାଧାରଣ ବହୁ ଭାବରେ ଉଦ୍‌ବୁଦ୍ଧ ହୋଇଥିଲେ ଏବଂ ସ୍ୱପ୍ନ ଦେଖିଥିଲେ ଯେ ସ୍ୱାଧୀନତା ପ୍ରାପ୍ତି ପରେ ଭାରତରେ ରାମରାଜ୍ୟ ପ୍ରତିଷ୍ଠା ହେବ । ମାତ୍ର ସ୍ଵାଧୀନତା ପ୍ରାପ୍ତିର ଅଳ୍ପ କେତୋଟି ବର୍ଷପରେ ସେ ପରିକଳ୍ପନା, ସେ ସ୍ଵପ୍ନ ଭାରତୀୟମାନଙ୍କର ଧୂଳିସାତ ହେଲା । ସବୁକ୍ଷେତ୍ରରେ ଅବକ୍ଷୟର ମୃଦୁ ପଦଧ୍ଵନି ଶୁଣିବାକୁ ମିଳିଲା-। ଆସ୍ତେ ଆସ୍ତେ ଅରାଜକତା, ଭ୍ରଷ୍ଟାଚାର, ଦୁର୍ନୀତି ସାମାଜିକ ଜୀବନକୁ କ୍ରମଶଃ ପଙ୍ଗୁ କରିଦେଲା । ଏଭଳି ନାଟକୀୟ ପରିବର୍ତ୍ତନର ସ୍ଵର ଓ ସ୍ୱରୂପ ଆମେ ଦେଖିବାକୁ ପାଇବା ସ୍ଵାଧୀନତା ପରବର୍ତ୍ତୀ ଲେଖକମାନଙ୍କ ସାହିତ୍ୟ ସୃଷ୍ଟିରେ । ପ୍ରାକ୍-ସ୍ଵାଧୀନତା କାଳରେ ଯେଉଁ ଲେଖକମାନେ ଭାରତୀୟ ଜନତା ମନରେ ନୂଆସ୍ଵପ୍ନ , ନୁଆ ସମ୍ଭାବନା ଓ ନୂତନ ଆଶା ସଂଚାର କରିଥିଲେ, ସେମାନଙ୍କ ଲେଖନୀ ସ୍ଵାଧୀନତା ପରବର୍ତ୍ତୀ କାଳରେ ସମାଜ ଓ ବ୍ୟକ୍ତିମାନସର କପଟତା, ସ୍ୱାର୍ଥପରତା, ଅମାନୁଷିକତା ଓ ଦୁର୍ନୀତିଖୋର ରୂପକୁ ଆଙ୍କିଲେ ସେମାନଙ୍କ ସୃଷ୍ଟି ଦର୍ପଣରେ ।

 

ପ୍ରାକ୍‌-ସ୍ଵାଧୀନତା ଓ ସ୍ଵାଧୀନତା ପରବର୍ତ୍ତୀ କାଳ ମଧ୍ୟରେ ଆମେ ଅନେକ ଓଡ଼ିଆ ଲେଖକଙ୍କ ସୃଷ୍ଟି ସମ୍ଭାର ଦେଖିବାକୁ ପାଇବା, ଯେଉଁ ଲେଖକମାନେ ପ୍ରାକ୍‌ ସ୍ଵାଧୀନତା କାଳରେ ଲେଖା ଆରମ୍ଭ କରିଥିଲେ ଏବଂ ସ୍ଵାଧୀନୋତ୍ତର କାଳରେ ମଧ୍ୟ ଲେଖନୀ ଚାଳନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁଥିଲେ ସେମାନଙ୍କ ମଧ୍ୟରେ ଥିଲେ କାଳିନ୍ଦୀଚରଣ ପାଣିଗ୍ରାହୀ ଡ. ହରେକୃଷ୍ଣ ମହତାବ, କାହ୍ନୁ ଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ସୁରେନ୍ଦ୍ର ମହାନ୍ତି, ଲକ୍ଷ୍ମୀଧର ନାୟକ, ରାଜକିଶୋର ପଟ୍ଟନାୟକ, ନିତ୍ୟାନନ୍ଦ ମହାପାତ୍ର ସଚ୍ଚି ରାଉତରାୟ, ଜ୍ଞାନୀନ୍ଦ୍ର ବର୍ମା ପରି ଅନେକ ଲେଖକଗଣ । ଏ ସମସ୍ତ ଲେଖକଙ୍କ ସୃଷ୍ଟିରେ ଆମେ ଉଭୟକାଳର ଲେଖକୀୟ ଅଭିବ୍ୟକ୍ତିର ତଫାତ୍‌ ଦେଖିବାକୁ ପାଇବା ।

 

ନିତ୍ୟାନନ୍ଦ ମହାପାତ୍ର ପ୍ରାକ୍‌ ସ୍ଵାଧୀନତା କାଳରୁ ଉପନ୍ୟାସ ରଚନା ଆରମ୍ଭ କରିଥିଲେ ମଧ୍ୟ ସ୍ୱାଧୀନୋତ୍ତର କାଳରେ ଅନେକ ଉପନ୍ୟାସ ରଚନା କରିଛନ୍ତି । ତାଙ୍କୁ ପ୍ରାକ-ସ୍ଵାଧୀନତା ଓ ସ୍ୱାଧୀନୋତ୍ତର କାଳର ଉପନ୍ୟାସର ସଂଯୋଗ- ସେତୁ କୁହାଯାଇପାରେ । ୧୯୩୦ ମସିହାରୁ ନିତ୍ୟାନନ୍ଦ ମହାପାତ୍ର ଲେଖିବା ଆରମ୍ଭ କରିଥିଲେ । ତାଙ୍କ ରଚିତ ଉପନ୍ୟାସଗୁଡ଼ିକ ମଧ୍ୟରେ ଅଛି ଭୁଲ, ଜୀଅନ୍ତାମଣିଷ, ପୀରତିପଥ ଖସଡ଼ା, ଜୀବନର ଲକ୍ଷ୍ୟ, ସୁଖର ସନ୍ଧାନେ, ଜଳନ୍ତାନିଆଁ, ହିଡ଼ମାଟି, ଭଙ୍ଗାହାଡ଼ ଓ ଘରଡ଼ିହ । ହିଡ଼ମାଟି ଓ ଭଙ୍ଗାହାଡ଼ ୧୯୪୮ ମସିହାରେ ଆତ୍ମପ୍ରକାଶ କରିଥିଲାବେଳେ ୧୯୫୮ ମସିହା ମଧ୍ୟରେ ‘ସୁଖର ସନ୍ଧାନେ’ ଓ ଜୀବନର ଲକ୍ଷ୍ୟ ଉପନ୍ୟାସ ଦୁଇଟି ପ୍ରକାଶଲାଭ କରିଥିଲା । ୧୯୪୮ ମସିହାରେ ହିଡ଼ମାଟି ଓ ଭଙ୍ଗାହାଡ଼ ଉପନ୍ୟାସ ଦୁଇଟି ଆତ୍ମପ୍ରକାଶ କରିଥଲେ ମଧ୍ୟ ଏହାର ପ୍ରସ୍ତୁତି ଓ ଷୃଷ୍ଠଭୂମି ହେଉଛି ପ୍ରାକ୍‌ ସ୍ଵାଧୀନତା କାଳ । ୧୯୮୦ ମସିହାରେ ତାଙ୍କର ଘରଡ଼ିହ ଉପନ୍ୟାସ ପ୍ରକାଶଲାଭ କରିଥିଲା ।

 

ମାନବବାଦୀ ଚିନ୍ତାଧାରା ଓ ଗାନ୍ଧୀବାଦଦ୍ଵାରା ନିତ୍ୟାନନ୍ଦ ମହାପାତ୍ର ପ୍ରଭାବିତ ହୋଇ ତାଙ୍କ ଜୀବନ କେବଳ ଅତିବାହିତ କରି ନ ଥଲେ, ତାଙ୍କ ଉପନ୍ୟାସରେ ଏହାର ବାସ୍ତବ ପ୍ରତିଫଳନ କରାଇବାକୁ ସେ କେବେ ଭୁଲି ନାହାନ୍ତି । ତେଣୁ ପ୍ରାକ୍‌ସ୍ଵାଧୀନତାକାଳୀନ ପରିସ୍ଥିତି ଓ ପରିବେଶ କିପରି ନିତ୍ୟାନନ୍ଦଙ୍କୁ ହିଡ଼ମାଟି ଓ ଭଙ୍ଗାହାଡ଼ ଉପନ୍ୟାସ ରଚନା କରିବାକୁ ପ୍ରଭାବିତ କରିଥିଲା, ତାହାର ଅନୁଧ୍ୟାନ କରିବା ଆବଶ୍ୟକ । କାରଣ ସୃଷ୍ଟି ସହିତ ସ୍ରଷ୍ଟାର ସମ୍ପର୍କ ଅତି ନିବିଡ଼ । ସୃଷ୍ଟି ଦର୍ପଣରେ ସ୍ରଷ୍ଟାର ଜୀବନାନୁଭୂତି, ଜୀବନଦର୍ଶନ ଓ ଜୀବନାଦର୍ଶ ପ୍ରତିଫଳିତ ହୋଇଥାଏ । ନିତ୍ୟାନନ୍ଦ ମହାପାତ୍ରଙ୍କ ଉପନ୍ୟାସରେ ଆମେ ଏହି ଲକ୍ଷଣ ଦେଖିବାକୁ ପାଇବା । ସେ ଯେଉଁ ପରିବାରରେ ଜନ୍ମଗ୍ରହଣ କରିଥଲେ ତାହା ଥିଲା ଓଡ଼ିଶାର ଏକ ପ୍ରମୁଖ ରାଜନୀତିକ ବ୍ୟକ୍ତିଙ୍କ ପରିବାର । ଭାରତୀୟ ସ୍ଵାଧୀନତା ଆନ୍ଦୋଳନକୁ ସେହି ପରିବାରର ଅବଦାନ ଥିଲା ଅତୁଳନୀୟ । ନିତ୍ୟାନନ୍ଦ ବାଲ୍ୟକାଳରୁ ସ୍ଵାଧୀନତା ଆନ୍ଦୋଳନ ଓ ଆନ୍ଦୋଳନକାରୀଙ୍କ ସଂସ୍ପର୍ଶରେ ଆସି ଛାତ୍ର ଜୀବନରୁ ଏଥିରେ ଲମ୍ଫ ପ୍ରଦାନ କରିଥିଲେ । ଏହି ଯୋଗଦାନ ମୂଳରେ ଥଲା ନିତ୍ୟାନନ୍ଦଙ୍କ ସେବା, ସଂଗ୍ରାମ, ସାଧନା ଓ ସର୍ବୋପରି ଜାତୀୟ ସ୍ୱାର୍ଥର ସୁରକ୍ଷା । ଅନ୍ୟ ପକ୍ଷରେ ତାଙ୍କ ପରିବାର ଥିଲା ସାହିତ୍ୟ, ସଂସ୍କୃତି ଓ ରାଜନୀତିର ଏକ ତ୍ରିବେଣୀସଂଗମ । ୧୯୩୦ ମସିହାରୁ ୧୯୪୭ ମସିହା ମଧ୍ୟରେ ନିତ୍ୟାନନ୍ଦଙ୍କ ଅଧିକାଂଶ ସମୟ କାରାଗାର ମଧ୍ୟରେ କଟିଥିଲା । ଏହି କାରଗାରରେ ଥିବା ସମୟରେ ତାଙ୍କର ଅନେକ ସୃଷ୍ଟି ରୂପ ନେଇଥିଲା । ମହାତ୍ମାଗାନ୍ଧୀଙ୍କ ଅହିଂସା ଆନ୍ଦୋଳନରେ ସେ ଅଂଶ ଗ୍ରହଣ କରି ପ୍ରାୟ ୭ ବର୍ଷ ଜେଲ୍‌ ଭୋଗିଥିଲେ । ଏହି ସମୟରେ ତାଙ୍କର ଭୁଲ, ଜଳନ୍ତାନିଆଁ, ଜୀବନର ଲକ୍ଷ୍ୟ, ଜୀଅନ୍ତାମଣିଷ ପ୍ରଭୃତି କାଳଜୟୀ ଉପନ୍ୟାସ ଜନ୍ମଲାଭ କରିଥିଲା ।

 

ପ୍ରାକ୍‌-ସ୍ଵାଧୀନତାକାଳୀନ ଅନେକ ସାମାଜିକ ଓ ରାଜନୀତିକ ଘଟଣାର ଚିତ୍ର ନିତ୍ୟାନନ୍ଦଙ୍କ ଉପନ୍ୟାସରେ ପ୍ରତିଫଳିତ ହୋଇଛି । ଏହି ସମୟରେ ଘଟିଥିବା ପ୍ରମୁଖ ଘଟଣା ମଧ୍ୟରେ ସୂର୍ଯ୍ୟାସ୍ତ ଆଇନ୍‌ ବଳରେ ଯେଉଁ ଜମିଦାର ଗୋଷ୍ଠୀ ସୃଷ୍ଟି ହେଲେ ସେମାନେ ପୂର୍ବର ଜମିଦାରଙ୍କ ପରି ଲୋକଙ୍କ ସୁଖ ଦୁଃଖ କଥା, ସେମାନଙ୍କ ଭଲମନ୍ଦ କଥା କିଛି ବୁଝିଲେ ନାହିଁ ବରଂ ବିଭିନ୍ନ କର ବସାଇ ସେମାନଙ୍କୁ ଶୋଷଣ କଲେ ଏବଂ ସେମାନଙ୍କ ସରଳତା ଓ ଅସହାୟତାର ସୁଯୋଗ ନେଇ ସେମାନଙ୍କ ଜମିବାଡ଼ି, ଘରଦ୍ୱାର, ଅପହରଣ କଲେ । କେବଳ ସେତିକି ନୁହେଁ ଗରିବ ଲୋକଙ୍କ ସ୍ତ୍ରୀ କନ୍ୟାକୁ ଯୌନ ନିର୍ଯ୍ୟାତନା ଦେବାକୁ ମଧ୍ୟ, କୁଣ୍ଠାବୋଧ କଲେ ନାହିଁ । ଫଳରେ ନୂତନ ଜମିଦାର ବା ସାମନ୍ତଗୋଷ୍ଠୀ ମଧ୍ୟରେ ଏକ ବଡ଼ ଦୂରତା ଦେଖା ଦେଲା । ଏହାର ବାସ୍ତବ ଚିତ୍ର ଏହି ସମୟରେ କିଛି ଓଡ଼ିଆ ଉପନ୍ୟାସରେ ଦେଖିବାକୁ ମିଳେ । ପ୍ରାକ୍‌ ସ୍ଵାଧୀନତା କାଳରେ ଏକ ଶୋଷଣମୁକ୍ତ ସମାଜ କିପରି ମୁଣ୍ଡଟେକି ଉଠିଥିଲା ତାହା ନିତ୍ୟାନନ୍ଦଙ୍କ ହିଡ଼ମାଟି ଓ ଭଙ୍ଗାହାଡ଼ ଉପନ୍ୟାସରେ ଦେଖିବାକୁ ମିଳେ । ଏହି ସମୟରେ ସ୍ୱାଧୀନତାପ୍ରାପ୍ତି ସହିତ ସାମୂହିକ ଭାବରେ ସମାଜର ଉନ୍ନତିର ପରିକଳ୍ପନା କରିଥିଲେ ମାହାତ୍ମାଗାନ୍ଧୀ । ଏକ ଶୋଷଣମୁକ୍ତ ସମାଜ ଗଠନପୂର୍ବକ ସମାଜବାଦ, ପ୍ରତିଷ୍ଠା କରିବା ଥିଲା ଗାନ୍ଧୀଙ୍କର ମୂଳଲକ୍ଷ୍ୟ । ଜାତିପ୍ରଥାକୁ ସେ ଘୋର ବିରୋଧ କରୁଥିଲେ । ସମାଜରୁ ବିକାଶ ସ୍ରୋତରେ ପ୍ରତ୍ୟେକ ବର୍ଗର ଲୋକଙ୍କୁ ସାମିଲ କରିବା ଗାନ୍ଧୀଜୀର ଲକ୍ଷ୍ୟ ଥିଲା । ଏହି ଅବକାଶରେ ଅସ୍ପୃଶ୍ୟ, ନିଷ୍ପେସିତ, ଅବହେଳିତ ବର୍ଗର ଲୋକମାନଙ୍କ ପ୍ରତି ଗାନ୍ଧୀଙ୍କର ଦୃଷ୍ଟିଭଙ୍ଗୀ ଓ ଯୋଜନାବଦ୍ଧ କାର୍ଯ୍ୟଧାରା ସାଧାରଣ ଲୋକଙ୍କ ମନରେ ଆଲୋଡ଼ନ ସୃଷ୍ଟି କଲା । ଏହା ଭାରତୀୟ ସାଧାରଣ ଅବହେଳିତ ଲୋକଙ୍କ ମନରେ ନୂତନ ଆଶା ସଞ୍ଚାର କଲା । ଏକ ସମନ୍ଵିତ ବିକଶିତ ସମାଜର ମାନଚିତ୍ର ଲୋକଙ୍କ ସମ୍ମୁଖରେ ସୃଷ୍ଟି ହେଲା । ଗାନ୍ଧୀଙ୍କ ଅନ୍ୟ ଏକ ପରିକଳ୍ପନା ଥିଲା ଗ୍ରାମାଭିମୁଖୀ ଯୋଜନା । ଯାହା ଫଳରେ ସବୁଠାରେ ବେଶି ଅତ୍ୟାଚାରିତ, ନିର୍ଯ୍ୟାତିତ ଓ ଶୋଷିତ ହେଉଥିବା ଗାଁ ଲୋକମାନେ ବିକାଶର ସ୍ଵାଦ ସହରୀ ଶିକ୍ଷିତଲୋକଙ୍କ ପରି ଅନୁଭବ କରିବେ । ଗାଁର ଉନ୍ନତି ଘଟିଲେ ଦେଶର ଉନ୍ନତି ହେବ, ଏକଥା ସେ ଅନୁଭବ କରି ଗ୍ରାମାଭିମୁଖୀ ଯୋଜନା କଥା ଚିନ୍ତା କରିଥିଲେ । କୃଷିର ଉନ୍ନତି ନିମନ୍ତେ ଜନଚେତନା ସୃଷ୍ଟି କରିବାକୁ ସେ ଯୋଜନା ମଧ୍ୟ କରିଥିଲେ । ସାହୁକାର, ଧନୀ ବା ଜମିଦାରଙ୍କ ଦ୍ୱାରା ଗ୍ରାମ୍ୟ ଗରିବ, କୃଷକ, ଶ୍ରମିକମାନେ ଶୋଷିତ ନ ହୁଅନ୍ତୁ ଏହା ଗାନ୍ଧୀଙ୍କ ମୁଖ୍ୟ ଆଭିମୁଖ୍ୟ ଥଲା । ଆତ୍ମନିର୍ଭରଶୀଳତା ଓ ଗ୍ରାମ୍ୟ ଅର୍ଥନୀତିର ବିକାଶ ପାଇଁ ସେ ଗୁରୁତ୍ୱ ଆରୋପ କରୁଥିଲେ । ଗ୍ରାମ୍ୟ ପୁନର୍ଗଠନ ମାଧ୍ୟମରେ କୁଟୀର ଶିଳ୍ପ ଓ କୃଅଷିର ଉନ୍ନତି ହେଲେ ଭାରତର ଅର୍ଥନୀତିକ ମାନଦଣ୍ଡ ଯେ ସୁଦୃଢ଼ ହୋଇପାରିବ, ଏଥିପାଇଁ ଅଧିକ ମନୋନିବେଶ କରୁଥିଲେ ।

 

ତେଣୁ ପ୍ରାକ୍‌ ସ୍ଵାଧୀନତା କାଳରେ ଭାରତୀୟମାନଙ୍କ ମନରେ ଗାନ୍ଧୀଙ୍କ ଦୃଷ୍ଟି ଓ ଦର୍ଶନ, ତଥା କାର୍ଯ୍ୟଶୈଳୀ ଯେଉଁ ନୂତନ ସ୍ୱପ୍ନ ସୃଷ୍ଟି କରିଥିଲା, ତାହା ପ୍ରାକ୍‌ ସ୍ଵାଧୀନତା କାଳରେ ଓଡ଼ିଆ ଔପନ୍ୟାସିକମାନଙ୍କ ଉପନ୍ୟାସରେ ପ୍ରତିଫଳିତ ହୋଇଥଲା । କାହ୍ନୁ ଚରଣ ମହାନ୍ତିଙ୍କ ‘ହା-ଅନ୍ନ’ ଓ ‘ଶାସ୍ତି’ ଉପନ୍ୟାସର ସମକାଳୀନ ସାମାଜିକ ଜୀବନର ବାସ୍ତବ ଚିତ୍ର ସହିତ ଏକ ନୂତନ ସମୃଦ୍ଧ ସାମାଜିକ ଜୀବନର ଇଙ୍ଗିତ ରହିଥିଲା । ସାମାଜିକ କୁସଂସ୍କାର, ଅନ୍ଧବିଶ୍ଵାସ, ଛୁଆଁ ଅଛୁଆଁ ଭେଦଭାବକୁ ଦୂରକରିବା ଲକ୍ଷ୍ୟରେ କାହ୍ନୁ ଚରଣ ଏସବୁ ଘଟଣାବଳୀକୁ ରୂପ ଦେଇଥିଲେ । ନିତ୍ୟାନନ୍ଦ ମହାପାତ୍ରଙ୍କ ହିଡ଼ମାଟି ଓ ଭଙ୍ଗାହାଡ଼ ଉପନ୍ୟାସରେ ଅନୁରୂପ ସାମାଜିକ ସମସ୍ୟା ଓ ସ୍ୱାଧୀନତା ସଂଗ୍ରାମର ଚିତ୍ର ଅଙ୍କିତ ହୋଇଛି । ହିଡ଼ମାଟି ଓ ଭଙ୍ଗାହାଡ଼ ଉପନ୍ୟାସ ସ୍ଵାଧୀନତା ପୂର୍ବବର୍ତ୍ତୀ ଭାରତୀୟ ସାମାଜିକ ଜୀବନ ଓ ରାଜନୀତିକ ଅବସ୍ଥାର ଚିତ୍ର ପ୍ରଦାନ କଲାବେଳେ ସ୍ୱାଧୀନତା ପରବର୍ତ୍ତୀ ରାଜନୀତିକ ଅବକ୍ଷୟର ମୁଦ୍ରାଙ୍କ ‘ଘରଡ଼ିହ’ ଉପନ୍ୟାସରେ ଦେଖିବାକୁ ମିଳେ-। ରାଜନୀତିକ ହୀନଚକ୍ରାନ୍ତ ରାଜନୀତିକ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥଲିପ୍‌ସା ସାମାଜିକ ଜୀବନକୁ କିପରି ସ୍ଵାଧୀନୋତ୍ତର କାଳରେ କଳୁଷିତ କରିଛି ତା’ର ଚିତ୍ର ଯେପରି ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧ ଦିଗନ୍ତ’ର ଉପନ୍ୟାସରେ ଦେଖିବାକୁ ମିଳେ ସେହିପରି ଅବିକଳ ଭାବରେ ନିତ୍ୟାନନ୍ଦ ମହାପାତ୍ରଙ୍କ ‘ଘରଡ଼ିହ’ ଉପନ୍ୟାସରେ ତାହା ଚିତ୍ରିତ ହୋଇଛି।

 

ସୁରେନ୍ଦ୍ର ମହାନ୍ତିଙ୍କ ‘ଅନ୍ଧ ଦିଗନ୍ତ’ ଉପନ୍ୟାସରେ ନିଧିଦାସ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ କାରାବରଣ କରିଛି ଏବଂ ଭାରତର ସ୍ଵାଧୀନତା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ମାତ୍ର ସ୍ୱାଧୀନତା ପରବର୍ତ୍ତୀ କାଳରେ ରାଜନୈତିକ ଦୁର୍ନୀତି, ଭ୍ରଷ୍ଟାଚାର ଓ କଳୁଷିତ ବ୍ୟକ୍ତିତ୍ୱକୁ ଦେଖି ଘୃଣାରେ ନିଜକୁ ଦୂରେଇ ରଖିଛି । ସେହିପରି ଘରଡ଼ିହ ଉପନ୍ୟାସରେ ଦୁଃଖୀଦାସ ମହାତ୍ମାଗାନ୍ଧୀଙ୍କ ଡାକରାରେ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇ ବହୁବାର କାରାବରଣ କରି ସ୍ୱାଧୀନତା ଆଣିବାରେ ସାହାଯ୍ୟ କରିଛି । ସ୍ୱାଧୀନତା ପରବର୍ତ୍ତୀ କାଳରେ ରାଜନେତାଙ୍କ କଳୁଷିତ ଓ ଛଳନାପୂର୍ଣ୍ଣ ରାଜନୀତିରୁ ଦୁଃଖୀଦାସ ନିଜକୁ ଦୂରେଇ ରଖିଛି ।

 

ନିତ୍ୟାନନ୍ଦ ମହାପାତ୍ର ଛାତ୍ର ଜୀବନରୁ ସ୍ଵାଧୀନତା ସଂଗ୍ରାମୀ ସାଜି ଦେଶର ସେବା କରିବା ପାଇଁ ଜୀବନ ଉତ୍ସର୍ଗ କରିଥିଲେ । ଗାନ୍ଧୀଙ୍କ ସମାଜବାଦୀ ଦର୍ଶନ ଦ୍ଵାରା ଅନୁପ୍ରାଣିତ ହୋଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ ସେମାନଙ୍କ ମଙ୍ଗଳ ପାଇଁ କାର୍ଯ୍ୟ କରିଥିଲେ । ସ୍ୱାଧୀନୋତ୍ତର କାଳରେ ଓଡ଼ିଶାର ରାଜନୀତିରେ ପ୍ରତ୍ୟକ୍ଷଭାବେ ଅଂଶ ଗ୍ରହଣ କରି ବିଧାୟକ ଓ ମନ୍ତ୍ରୀ ହୋଇଥିଲେ । ସମାଜର ଦରିଦ୍ର, ଅବହେଳିତ ଲୋକଙ୍କ ପାଇଁ ସେ କାର୍ଯ୍ୟ କରୁଥିଲେ । ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଥିଲେ । ଦୁଃଖୀଦାସ ଚରିତ୍ର ମଧ୍ୟରେ ନିଜେ ସେ ଆତ୍ମପ୍ରକାଶ କରିଥିଲେ । ହିଡ଼ମାଟି, ଉପନ୍ୟାସରେ ଯେଉଁ ଦୁଃଖୀଦାସ ମହାତ୍ମାଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢ଼ିଛି ସେହି ଦୁଃଖୀଦାସ ‘ଘରଡ଼ିହ’ ଉପନ୍ୟାସରେ ଆଜିର ରାଜନେତାଙ୍କ ଚକ୍ରାନ୍ତ, ଶୋଷଣ, ଅନ୍ୟାୟ ଅତ୍ୟାଚାରକୁ ବରଦାସ୍ତ ନକରି ଦୂରେଇ ରହିବାକୁ ମନସ୍ଥ କରିଛି । ନିତ୍ୟାନନ୍ଦ ମହାପାତ୍ର ଦ୍ଵାରା ସୃଷ୍ଟ ଏହି କାଳଜୟୀ ଦୁଖୀଦାସ ଚରିତ୍ରକୁ ଅନୁଶୀଳନ କଲେ ପ୍ରାକ୍‌ ସ୍ଵାଧୀନତାକାଳୀନ ଭାରତୀୟ ଜନତାଙ୍କ ସ୍ଵପ୍ନ, ଆଶା, ଆକାଂକ୍ଷା କିପରି ସ୍ଵାଧୀନୋତ୍ତର କାଳରେ ଧୂଳିସାତ୍‌ ହୋଇଛି ଏବଂ ଚାରିଆଡ଼େ କିପରି ଦୁର୍ନୀତି, ଭ୍ରଷ୍ଟାଚାରର ଶାସନ ଚାଲିଛି ତା’ର ବାସ୍ତବ ରୂପ ଆମେ ଆକଳନ କରିପାରିବା । ଏହି ଦୁଃଖୀଦାସ ହେଉଛନ୍ତି ନିଜେ ଲେଖକ ନିତ୍ୟାନନ୍ଦ ମହାପାତ୍ର । ସମାଜରେ ଶୋଷଣ ରହିବ ନାହିଁ, ଧନୀ-ଗରିବ ମଧ୍ୟରେ ପ୍ରଭେଦ ରହିବ ନାହିଁ, ନାରୀ ଯୌନ ଶିକାରରୁ ମୁକ୍ତ ହୋଇ ସମାଜର ବିକାଶ ସ୍ରୋତରେ ନିଜକୁ ସାମିଲ କରିବ, ପଲ୍ଲୀଭିତ୍ତିକ ଅର୍ଥନୀତି ଉପରେ ଗୁରୁତ୍ୱ ଦିଆଯିବ ଏହିଭଳି ଅନେକ ପରିକଳ୍ପନାରେ ନିତ୍ୟାନନ୍ଦଙ୍କ ପ୍ରାକ୍‌ ସ୍ଵାଧୀନତାକାଳୀନ ରଚିତ ଉପନ୍ୟାସର ମୁଖ୍ୟ ସ୍ଵର ଥିଲା । ମାତ୍ର ଲୋକଚରିତ୍ରର ଦ୍ରୁତ ପରିବର୍ତ୍ତନ, ବିଶେଷ କରି ରାଜନେତାଙ୍କ କଳୁଷିତ ରଜାନୀତି ପ୍ରାକ୍‌ ସ୍ଵାଧୀନତା କାଳୀନ ସମସ୍ତ ସ୍ୱପ୍ନକୁ ଭାଙ୍ଗି ଚୂରମାର କରିଦେଲା । ପରିଣତି ସ୍ୱରୂପ ସ୍ୱାର୍ଥଳାଳସା ସମସ୍ତଙ୍କୁ ବିପଥଗାମୀ କଲା, ଗାନ୍ଧୀଙ୍କ କଳ୍ପିତ ସାମାଜିକ ଜୀବନ କଳୁଷିତ ହେଲା ଏବଂ ସାମାଜିକ ଅବକ୍ଷୟତା କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଲା-

 

‘ହିଡ଼ମାଟି’ ଉପନ୍ୟାସରେ ନିତ୍ୟାନନ୍ଦ ମହାପାତ୍ର ନାରୀ ଜାତି ପ୍ରତି ସମ୍ମାନବୋଧ ପ୍ରଦର୍ଶନ କରିବାକୁ ଆହ୍ୱାନ ଜଣାଇଛନ୍ତି । ମାତ୍ର ସ୍ଵାଧୀନତା ପରବର୍ତ୍ତୀ କାଳର ସମାଜରେ ନାରୀ ନିଜକୁ ନିରାପଦ ମଣୁ ନାହିଁ । ପ୍ରତିଦିନ ରାଜରାସ୍ତାରେ ଧର୍ଷିତା ହେଉଛି । ସେଥିପାଇଁ କାହାର ସଂବେଦନା ନାହିଁ । ଔପନ୍ୟାସିକଙ୍କର ଏକ ନିର୍ଦ୍ଦିଷ୍ଟ ସାମାଜିକ ଆଭିମୁଖ୍ୟ ଥିଲା । ସାମାଜିକ ବୈଷମ୍ୟ, ଶୋଷଣ, ଅନ୍ୟାୟ, ଜାତିଗତ ବିଭେଦ, ନାରୀର ଅସହାୟତା, ରାଜନୀତିକ ଭ୍ରଷ୍ଟାଚାର, ଛଳନା ପ୍ରତାରଣା ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବା ପାଇଁ ନିତ୍ୟାନନ୍ଦ ମହାପାତ୍ର ଅନେକ ଚରିତ୍ର ସୃଷ୍ଟି କରି ସେମାନଙ୍କ ମୁଖରେ ଏଥିପ୍ରତି ବିଦ୍ରୋହର ସ୍ଵର ଉତ୍ତୋଳନ କରିଛନ୍ତି । ଆଜି ସାମାଜିକ ପ୍ରଗତି ନାମରେ ସ୍ୱେଚ୍ଛାଚାରିତା, ଦୁର୍ନୀତି ପ୍ରବଣତା ଯେଭଳି ଭାବରେ କାୟା ବିସ୍ତାର କରିଚାଲିଛି, ତାହାକୁ ଅନୁଧ୍ୟାନ କଲେ ପ୍ରାକ୍‌-ସ୍ୱାଧୀନତାକାଳୀନ ଲେଖକଙ୍କର ଆଭିମୁଖ୍ୟ କିପରି ସୁଦୂର ପରାହତ ତାହା ସହଜରେ ଜଣାପଡ଼େ ।

 

ହିଡ଼ମାଟି, ଭଙ୍ଗାହାଡ଼, ଘରଡ଼ିହ, ଭୁଲ ଓ ଜୀଅନ୍ତା ମଣିଷ ପ୍ରଭୃତି ଉପନ୍ୟାସରେ ନିତ୍ୟାନନ୍ଦ ମହାପାତ୍ରଙ୍କ ସାମାଜିକ ଆଭିମୁଖ୍ୟ ସ୍ପଷ୍ଟଭାବେ ପ୍ରତିଫଳିତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କହିବାକୁ ଗଲେ ହିଡ଼ମାଟି, ଭଙ୍ଗାହାଡ଼ ଉପନ୍ୟାସରେ ନିତ୍ୟାନନ୍ଦ ମହାପାତ୍ର ଗାନ୍ଧୀବାଦର ଯେଭଳି ଜୟଗାନ କରିଥିଲେ ତାହା ଆଜି ମୁର୍ଦ୍ଦାବାଦରେ ପରିଣତ ହୋଇଛି । ସମସ୍ତ ହିସାବ ଭୁଲରେ ପରିଣତ ହୋଇଛି । ଭାରତୀୟ ଜନତା କ୍ରମଶଃ ଏକ ଅନ୍ଧଗହ୍ୱର ଭିତରକୁ ଚାଲିଯାଇଛନ୍ତି, ଏକଥା ଅସ୍ୱୀକାର କରିପାରିବା ନାହିଁ । ଦୁଖୀଦାସ ଚରିତ୍ର ମାଧ୍ୟମରେ, ନିତ୍ୟାନନ୍ଦ ମହାପାତ୍ର ନିଜକୁ ଏବଂ ନିଜର ଚିନ୍ତା ଚେତନାକୁ ଯେତିକି ଆତ୍ମପ୍ରକାଶ କରିବା କଥା ସେଭଳି କରିପାରି ନାହାଁନ୍ତି ପରି ମନେହୁଏ । ଅନ୍ୟ କେତେକ ନାରୀ ଚରିତ୍ର ମଧ୍ୟରେ ସେ ନିଜ ପ୍ରତିକ୍ରିୟାକୁ ଯାହା ପ୍ରତିଧ୍ୱନିତ କରିଥିଲେ ତାହା ସ୍ୱାଧୀନୋତ୍ତର କାଳରେ କ୍ରମଶଃ କ୍ଷୀଣ ହୋଇଆସୁଥିବାର ଲକ୍ଷ୍ୟ କରାଯାଏ । ସୁରେନ୍ଦ୍ର ମହାନ୍ତିଙ୍କ ‘କାଳାନ୍ତର’ ଉପନ୍ୟାସରେ ଅନାମ ଦାସ ଚରିତ୍ର ଭିତରେ ଆତ୍ମଗୋପନ କରି ସୁରେନ୍ଦ୍ର ମହାନ୍ତି ଯେପରି ସାମାଜିକ ମୂଲ୍ୟବୋଧର ତଣ୍ଟି ଚିପୁଥିବା ବ୍ୟକ୍ତିବିଶେଷଙ୍କ ମହାପ୍ରଳୟଙ୍କରୀ ଝଡ଼ର ଆଗମନ କରାଇ ଯେଭଳି ସତର୍କ ଘଣ୍ଟି ବଜାଇବାରେ ସକ୍ଷମ ହୋଇ ପାରିଥିଲେ ନିତ୍ୟାନନ୍ଦ ମହାପାତ୍ର ସେପରି ହୋଇପାରି ନାହାନ୍ତି, ବରଂ ଆତ୍ମସଚେତନ ପାଇଁ କେବଳ ସରୁ ଆହ୍ଵାନଟିଏ ଦେଇଛନ୍ତି ।

 

 

ଓଡ଼ିଆ ବିଭାଗ, ବି.ଜେ.ବି.

ସ୍ୱୟଂଶାସିତ ମହାବିଦ୍ୟାଳୟ

ଭୁବନେଶ୍ୱର

 

***

 

Unknown

ଉର୍ବର ତ୍ରିକୋଣଭୂମିର ଉପନ୍ୟାସତ୍ରୟୀ ଏବଂ

ମାଟି ମନସ୍କ ମଣିଷର ମୁହଁ

ଦେବାଶିଷ ପାତ୍ର

 

‘‘ସବୁକଥା କହିଲେ କେତେବେଳେ ପରସ୍ପର ବିରୋଧୀ ସତ୍ୟ ଆପଣଙ୍କ ଆଗରେ ଆସି ଠିଆ ହେବ । ତା’ର କାରଣ, ମୁଁ ତ ଗୋଟିଏ ନୁହେଁ-ସହସ୍ର । ମୋ ଭିତରର କବି, କଥାକାର, ସମାଲୋଚକ ସମସ୍ତେ ଅଲଗା ଅଲଗା । ମୁଁ କାନ୍ଦିଛି ଆଉ ହସିଛି । କିନ୍ତୁ ଏତିକି କହିବି ମୁଁ ଯେତିକି କାନ୍ଦିଛି କେବଳ ମୋତେ ଇ କନ୍ଦାଇବା ପାଇଁ, କନ୍ଦାଇ ସୁଖ ପାଇବା ପାଇଁ ଆପଣଙ୍କୁ କନ୍ଦାଇବାର ଆଶଙ୍କା ମୁଁ କରିନାହିଁ-କରୁଥିଲେ ବୋଧହୁଏ ମୁଁ କିଛି ଲେଖି ପାରନ୍ତି ନାହିଁ । କିନ୍ତୁ ଯେତିକି ହସିଛି- ସେ କେବଳ ଆପଣଙ୍କୁ ହସାଇବା ପାଇଁ । ମୋର ଭିତର ହସଚି ଖୁବ୍‌ କମ୍‌ । ପ୍ରାୟ ହସି ନାହିଁ’ କହିଲେ ଚଳେ ।’’

 

ନିଜ ଲେଖକ ପଣିଆ ସଂପର୍କରେ ଏକ ଭିନ୍ନ ଢଙ୍ଗରେ ବଖାଣି ଥିବା ମାଟି ମନସ୍କ କଥାକାର ଜଣକ ହେଉଛନ୍ତି ନିତ୍ୟାନନ୍ଦ ମହାପାତ୍ର । ନିଃସଙ୍ଗ ଜୀବନର ଦରଦୀ ମଣିଷ ଭାବେ ନିଜକୁ ନିଜ ଭିତରେ ଖୋଜୁଥିବା ଜଣେ ସଫଳ ସାଧକ । ତାଙ୍କ କଥା ସାହିତ୍ୟ ଅନ୍ତର୍ନିହିତ ବାସ୍ତବତାର ନାନ୍ଦିକାର ଭାବରେ ଉଭା ହୋଇଥିଲାବେଳେ ଚରିତ୍ର ସମୂହର ଛଳନାହୀନ ଧ୍ୟାନଶୀଳତା ଯେ କୌଣସି ପାଠକକୁ ମୁଗ୍ଧ କରିଦେଇପାରେ । ତାଙ୍କ ସୃଷ୍ଟ ଚରିତ୍ର ଭିତରେ ଥାଏ ସୂକ୍ଷ୍ମ ଅବୋଧ୍ୟ ଇଲାକାର କମନୀୟ ପ୍ରତିଲିପି ।

 

ଯେଉଁଠି ଜୀବନ ଅଛି ସେଇଠି ଅଛି ଅନୁଭବର ଲମ୍ବା ପଟୁଆର । ସେଇ ଜୀବନ ଅନୁଭବ ସବୁ ଧାଡ଼ି ଧାଡ଼ି ହେଇ ଉତୁରି ଆସିଛି ଚରିତ୍ର ଭିତରେ ଅତି ସନ୍ତର୍ପଣରେ ଆଉ ମହ ମହ ହେଇ ବାସିଛି ମଣିଷ ପଣିଆର କଥା, ଦିଶି ଯାଇଛି ମାଟି ମନଷ୍କ ମଣିଷର ବ୍ୟଥା ।

 

ଔପନ୍ୟାସିକ ନିତ୍ୟାନନ୍ଦଙ୍କ ଉପନ୍ୟାସ ସଂସାର ଭିତରେ ବାରି ହୋଇ ପଡ଼ନ୍ତି ଉର୍ବର ଉପନ୍ୟାସତ୍ରୟୀ ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଓ ‘ଘରଡ଼ିହ’ କେବଳ ଶିଳ୍ପ ଚାତୁର୍ଯ୍ୟ ପାଇଁ । ନିଖୁଣ ଚରିତ୍ର ଓ ଚରିତ୍ର ସମୂହ ଜୀଉଁଥିବା ନିଚ୍ଛକ ଜୀବନ ଯେମିତି ଆପଣା ଛାଏଁ ଧସେଇ ପଶି ଆସିଛନ୍ତି ଲେଖକୀୟ ଶିଳ୍ପ ଭିତରକୁ । କେବଳ ପାଠକକୁ ଅତ୍ୟନ୍ତ ଅନ୍ତରଙ୍ଗ ଅନୁଭବ ଦେବାପାଇଁ । ତେବେ ତାଙ୍କ ପିତୃଦେବ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ କେଇଧାଡ଼ି କବିତା ଥିଲା ହିଡ଼ମାଟି’ ସୃଷ୍ଟିର ପ୍ରାରମ୍ଭିକ ପ୍ରେରଣା । କବିତାଟି ଏହିପରି- ‘‘ହିଡ଼ମାଟି ହିଡ଼ରେ ଦେଇ ଚାଲୁଥା’ ଛାତି ଫୁଲାଇ/ରାଜା ହୋଇ ମୁଡ଼ୁଥା’ ନିଶ ଆଉ କାହାକୁ ଡର୍‌/ଦାନାର ଯୋଗାଡ଼ କରରେ ଚାଷୀ, କନାର ଯୋଗାଡ଼ କର ।’’

 

‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଆତ୍ମ ପ୍ରକାଶ କରିଥିଲା ୧୯୪୫ ଓ ୧୯୪୮ରେ । ପ୍ରାକ୍‌ ସ୍ୱାଧୀନତା କାଳୀନ ପରିବେଶ ଓ ସମୟର ପ୍ରଭାବ ଏହି ଦୁଇ ଉପନ୍ୟାସର ଚରିତ୍ରମାନଙ୍କୁ ଅଙ୍ଗେ ନିଭେଇବାକୁ ପଡ଼ିଛି । ଏହି ଦୁଇ ଗ୍ରନ୍ଥର ଉତ୍ସର୍ଗପତ୍ରରୁ ଲେଖକଙ୍କର ସମାଜ ପ୍ରତି ଥିବା ଅସୂୟା ଏବଂ ବିଦ୍ରୋହୀ ମନର ପରିଚୟ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ ‘ହିଡ଼ମାଟି’ରେ ଲେଖକୀୟ ସ୍ଵୀକାରୋକ୍ତି ବି ଏହିପରି- ‘‘ଏହି ଶିକ୍ଷିତ ଅଭିଜାତ ଗୋଷ୍ଠୀ କେବଳ ଗରିବ ଅଶିକ୍ଷିତଙ୍କ ଦାନା ଶୋଷଣ କରନ୍ତି ନାହିଁ ।- ସେମାନେ ତାକୁ ପ୍ରତିବଦଳରେ ଯାହା ଦିଅନ୍ତି ସେ ଆହୁରି ନିର୍ମମ । ଦିନ ଆସିବ- ଏହାର ପ୍ରତିକ୍ରିୟାହେବ- ନିଶ୍ଚୟ ହେବ । ହୁଏତ ଶିକ୍ଷିତ ଶୋଷକ ଓ ଅଶିକ୍ଷିତ ଉତ୍ପାଦକଙ୍କ ଭିତରେ ଏକ ସଂଘର୍ଷ ହୋଇପାରେ । ସେ ସଂଘର୍ଷର ଆଭାସମାତ୍ର ଦେଇଛି ଏ ଉପନ୍ୟାସରେ ।’’

 

ଛଳନାହୀନ ଡଙ୍ଗରନଦୀ ପରି ବୋହିଯାଉଥିବା ‘ହିଡ଼ମାଟି’ର ରତନୀ ଓ ଶୁକୁରାର ସୁଖ ଜୀବନକୁ ଜାଳିଦେଇଛି ଦାରିଦ୍ର୍ୟର ଅଶୁଭ ଦୃଷ୍ଟି । ଜୀବନ ଜୀଇଁବା ପାଇଁ ଟଙ୍କାର ଆବଶ୍ୟକତା ଅନୁଭବ କରୁଥିଲାବେଳେ ଶୁକୁରା, କୁଚକ୍ରୀ ଭାଗୁ ମହାନ୍ତିର ଷଡ଼ଯନ୍ତ୍ରର ଶିକାର ହେଇ କଲିକତା ଯାଇଛି । ରତନୀ ଉପରେ ଅନେକ ଲୋଲୁପ ଦୃଷ୍ଟି । ମାନମହତ ଜଗି ପଦାକୁ ବାହାରୁ ନଥିବା ରତନୀ ଭୋକର ଦାଉ ସମ୍ଭାଳି ନପାରି ପରଘରକୁ ଧାନକୁଟି ଯାଇଛି ପୁଅ ବାଇଆକୁ କୋଳରେ ଧରି । ଥନରୁ କ୍ଷୀର, ଆଖିରୁ ଲୁହ କିଛି ବି ବାହାରୁନି ଭୋକର ତାଡ଼ନାରେ ସବୁ ଶୁଷ୍କ । ଲେଖକଙ୍କ ବର୍ଣ୍ଣନାରେ ‘‘ଯୁଦ୍ଧ ! ଭୀଷଣ ଯୁଦ୍ଧ ! ମଣିଷ ଆଉ ଭୋକ ଭିତରେ, ଏଇ ଜୀଇବା ଆଉ ଖାଇବା ଭିତରେ ଲାଗିଛି ଲଢ଼େଇ । କିଏ କାହାକୁ ଖାଇବ । ମଣିଷ ତା’ର ଆପଣାର ଖାଇବାକୁ ନଖାଇଲେ ଭୋକ ତାକୁ ଖାଁ ଖାଁ ଶୁଖୁଆ କରି ଖାଇଯିବ ।’’

 

ନିଧିଆବୋଉ ଚରିତ୍ର ଭିତରେ ଥାଇ ଲେଖକ ସମାଜର ବଡ଼ପଣ୍ଡାମାନଙ୍କର ଆତ୍ମବଢ଼ିମାକୁ ପଦାରେ ପକେଇଛନ୍ତି । ‘ଜାତି ? ଜାତି ଅଛି ପୁରୁଷପୁଅର ଅଣ୍ଟି ଭିତରେ । × × ଛୋଟ ଜାତିକି ବଡ଼ ଜାତି କରୁଛି ଏଇଟଙ୍କା- ଆଉ ବଡ଼ ଜାତିକି ଛୋଟଜାତି କରୁଛି ଏଇ ଗୋଲବନ୍ଧନୀ । ମାଇପେ ଯଦି ଟଙ୍କା କମେଇ ପାରନ୍ତେ ତ’ ତାଙ୍କ ଜାତି ଏଡ଼େ ସହଜରେ ଯା’ନ୍ତା ନାହିଁ ।’’

 

‘ହିଡ଼ମାଟି’ର ଚରିତ୍ର ସମୂହ ଭିତରେ ରହିଛି ଭାରତୀୟ ସ୍ଵାଧୀନତାର ଅପରିହାର୍ଯ୍ୟତାକୁ ଗ୍ରହଣ କରିନେବାର ମାନସିକତା । ମୁକ୍ତିର ଉଚ୍ଛ୍ୱାସ ଓ ଜାତି ଭେଦର ପ୍ରାଚୀର ଭାଙ୍ଗିବାର ସ୍ପର୍ଦ୍ଧା ସହିତ ଧାଡ଼ି ଧାଡ଼ି ହେଇ ସଜା ହେଇଛି ପ୍ରେମର ସକରୁଣ ଅନୁଭବ ଓ ସାମାଜିକ ଦାୟିତ୍ୱବୋଧ । ଅତି ପାଖଦେଖା ମଣିଷମାନଙ୍କୁ ଅନୁଶୀଳନ କରି ଲେଖକ ଯେମିତି ଭାବାବେଗର ସୋପାନକୁ ଉତ୍ତରଣ କରିବାକୁ ଚାହିଁଛନ୍ତି ।

 

‘ହିଡ଼ମାଟି’ର ରତନୀ ‘ଭଙ୍ଗାହାଡ଼’ ଉପନ୍ୟାସ ଭିତରେ ଆହୁରି ସ୍ପଷ୍ଟ ହୋଇ ଉଠିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ଯିଏ ନିଜ ଚରିତ୍ରକୁ ସାଇତି ରଖିବା ପାଇଁ କଠୋର ହେଇ ଉଠିଥିଲା, ଭୋକରେ ପୁତ୍ର ବାଇଆର ମୃତ୍ୟୁପରେ ଅସହାୟ ହୋଇ ଯାଇଛି । ଭୋକର ତ୍ରାସରୁ ନିଜକୁ ବଞ୍ଚାଇବା ପାଇଁ ସଂଗ୍ରାମ କରୁଥିଲାବେଳେ ପରିସ୍ଥିତି ତାକୁ ସଜେଇ ଦେଇଛି ନୀଳରାଉତ ଓ ଭାଗୁ ମହାନ୍ତି ହାତର କଣ୍ଢେଇ । ସମାଜ ତା’ର ମାନ ମର୍ଯ୍ୟାଦା ସୁଖ, ସ୍ଵାଚ୍ଛନ୍ଦ୍ୟ ଶୋଷଣ କରି ମଧ୍ୟ ତାକୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇନି । ଧନକୁବେରମାନେ ସୁଯୋଗର ବ୍ୟବହାର କରିଛନ୍ତି ଆଉ ଶୂନ୍ୟ ପାତ୍ରଟିକୁ ଗୋଡ଼ରେ ଆଡ଼େଇ ଦେଇ ନିଃଶବ୍ଦରେ ଚାଲି ଯାଇଛନ୍ତି ।

 

ସେପଟେ ଶୁକୁରାର ଚାରିତ୍ରିକ ସ୍ଖଳନ ଘଟିଛି କଲିକତାରେ । ତଥାପି ସେ ରତନୀକୁ ଆଉ ତା’ ଗାଁର ହିଡ଼ମାଟିକୁ ଭୁଲିପାରିନି । ଉଭୟଟି ଉପନ୍ୟାସର ଚରିତ୍ରମାନେ ଗତିଶୀଳ ହୋଇଥିବା ସତ୍ୱେ ଶେଷରେ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିପାରି ନାହାନ୍ତି, ଯାହାକି ଆଉ ଏକ ଉପନ୍ୟାସ ସୃଷ୍ଟିର ପ୍ରତୀକ୍ଷା ରଖିଛି । ଏବଂ ପରବର୍ତ୍ତୀ ଖଣ୍ଡ ପ୍ରକାଶ ପାଇଛି ‘ଘରଡ଼ିହ’ ଉପନ୍ୟାସ ଭାବରେ ।

 

ସ୍ୱୟଂଲେଖକ ଘରଡ଼ିହ ଉପନ୍ୟାସର ଉତ୍ସର୍ଗ ପତ୍ରରେ ସ୍ଵୀକାର କରିଛନ୍ତି ଯେ ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ର ତୃତୀୟ ପର୍ଯ୍ୟାୟ ‘ଘରଡ଼ିହ’ । ଘରଡ଼ିହ ଯଦିଓ ୧୯୮୬ରେ ଆତ୍ମପ୍ରକାଶ କରିଛି ତଥାପି ଏହାର ଘଟଣା ପ୍ରବାହ ୧୯୬୧ ମସିହା ଭିତରେ ସୀମିତ । ତେବେ ବିଷୟବସ୍ତୁ ଅନୁଶୀଳନରୁ କୁହାଯାଇପାରେ ଯେ ଉପରୋକ୍ତ ତିନୋଟି ଉପନ୍ୟାସର ବିଷୟବସ୍ତୁ ଓଡ଼ିଶାର ଦୁଇଦଶନ୍ଧିର ସମାଜଚିତ୍ର । ୧୯୪୧ରୁ ଆରମ୍ଭ କରି ୧୯୬୧ ମସିହା ଯାଏଁ ଗତିଶୀଳ । ସମାନ ଚରିତ୍ର ଓ ବିଷୟବସ୍ତୁର ସମ୍ୟକ ଭିନ୍ନତା ଥାଇ ପରସ୍ପର ସଂପର୍କୀତ ତିନୋଟି ଧାରାବାହିକ ଉପନ୍ୟାସ ଗ୍ରନ୍ଥ ବୋଧହୁଏ ସେ ସମୟରେ ସମଗ୍ର ଭାରତୀୟ ସାହିତ୍ୟରେ ବିରଳ ଘଟଣା । ପୁନଶ୍ଚ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦ୍ୱିତୀୟ ବିଶ୍ଵଯୁଦ୍ଧ ଠାରୁ ଭାରତ ଉପରେ ଚୀନ୍‌ର ଆକ୍ରମଣ ଘଟଣା ପର୍ଯ୍ୟନ୍ତ ସବୁକିଛିର ପ୍ରତିଫଳନ ଓଡ଼ିଶା ମାଟିରେ ଯେଉଁ ରଙ୍ଗରେ ଘଟିଛି ତାହାହିଁ ଲେଖକୀୟ ସିଦ୍ଧିକୁ ବହନ କରିଛି ।

 

‘ଘରଡ଼ିହ’ର ପ୍ରାରମ୍ଭରେ ଲେଖକଙ୍କ କ୍ଷୋଭ- ‘ଆଜି ଆଉ ସେ ସପ୍ତାଘର ନାହିଁ । ସେ ବନ୍ଧ ନାହିଁ । ସଞ୍ଜବତୀ ପଡ଼ୁନାହିଁ ଆଉ ସେଠି । × × × ସବୁ ଯାଇଛି । କର୍ପୂର ଯାଇଛି । କନା ବି ଯାଇଛି ।’’ ତଥାପି ସେଇ ଗାଁକୁ ଫେରିଛି ଶୁକୁରା ତା’ର ରତନୀକୁ ମନେପକେଇ । ‘ହିଡ଼ମାଟି’ ଉପନ୍ୟାସର ପ୍ରାରମ୍ଭରେ ଶୁକୁରା ଗାଁ ଛାଡ଼ିଥିଲା । ଦୁଇଦଶନ୍ଧିପରେ ‘ଘରଡ଼ିହ’ର ପ୍ରାରମ୍ଭ ବେଳକୁ ଶୁକୁରା ଫେରୁଛି । ହେଲେ ଶୁକୁରାର ଘରଡ଼ିହକୁ ଅନ୍ୟକୁ ନିଲାମ କରିଦେଇଛି ଭାଗୁ ମହାନ୍ତି । ରତନୀ ତା’ର ସର୍ବସ୍ୱ ହରାଇ ଅଲୋଡ଼ା ହେଇ ପଡ଼ି ରହିଛି ନୀଳ ରାଉତ ଘରେ । ଶୁକୁରା ସବୁକିଛି ଫେରିପାଇବାକୁ ଚାହିଁଛି ମାତ୍ର ତାକୁ ମିଳିନାହଁ । ସେ ଚାହିଁଛି ତାର ହକ୍‌ ଯାହା ତାକୁ ଯେମିତି ହଉ ସେ ପାଇବ । ସେଇଥିପାଇଁ ସାମ୍ୟବାଦର ସ୍ଵର ଅନୁରଣିତ ହୋଇଛି ଶୁକୁରାର କଣ୍ଠରେ ।

 

ଓଡ଼ିଶାର ରାଜନୀତି ଓ ସ୍ୱାଧୀନତା ସଂଗ୍ରାମରେ ପ୍ରତ୍ୟକ୍ଷ ଅନୁଭବ ସତ୍ୱେ ଲେଖକ ସ୍ୱାଧୀନତାର ସ୍ୱପ୍ନ ଭଙ୍ଗକୁ ଅଙ୍ଗେ ନିଭେଇଛନ୍ତି । ଆଉ ସେଇ ଅଙ୍ଗେନିଭା କଥାକୁ ଚରିତ୍ରମାନଙ୍କ କଣ୍ଠରେ ଦେବାର ସତ୍‌ସାହସ କରିଛନ୍ତି । କିଛି ଚରିତ୍ରକୁ ଆଦର୍ଶ କରିବା ଅଭିପ୍ରାୟରେ ଇତିହାସ ପୃଷ୍ଠାରୁ ମହାପୁରୁଷଙ୍କ ଉକ୍ତିକୁ ଉଦ୍ଧାରିଆଣି ସଜାଇଛନ୍ତି ସଂଳାପରେ ଆଧାରରେ । ଶୁକୁରା କଲିକତାରୁ ଯାଇ ଆଜାଦ୍‌ ହିନ୍ଦ୍‌ ଫୌଜରେ ଯୋଗଦେଇଥିଲା । ସେଇକଥା ଗାଁରେ ବଖାଣି କହିଲା- ‘ନେତାଜୀ କ’ଣ କହିଲେ ଜାଣ ? ଗାନ୍ଧିଜୀଙ୍କର ଆଇନ ଅମାନ୍ୟ ସତ୍ୟାଗ୍ରହ ଦିନେ ନା ଦିନେ ସଶସ୍ତ୍ର ବିଦ୍ରୋହର ରୂପନେବ । ସେଥିପାଇଁ ଚାଲିଚଳନ କରିବାର ଦୀକ୍ଷା ନେଇ ପ୍ରସ୍ତୁତ ହେବାକୁ ହବ । କାଲି ପରି ମନେ ପଡ଼ୁଛି ଏଇ ତେୟାଳିଶ ମସିହାର କଥା ।’

 

ନେତାଜୀ ସୁଭାଷ, ଲକ୍ଷ୍ମଣ ନାୟକ, ମହାତ୍ମାଗାନ୍ଧୀ, କାର୍ଲମାର୍କସ୍‌ ପରି ଅନେକ ମନିଷୀଙ୍କ ବକ୍ତବ୍ୟ ଓ ଆତ୍ମୋର୍ତ୍ସଗର କାହାଣୀରେ ସମୃଦ୍ଧ ହୋଇଛି ‘ଘରଡ଼ିହ’ । ଗାଁ ମାଟିରେ ସେମାନେ ଯେ ଅପହଞ୍ଚ ନୁହନ୍ତି ସେକଥା ବେଶ୍‌ ସ୍ପଷ୍ଟ କରି ଦେଇଛନ୍ତି ଲେଖକ । ବେଳେ ବେଳେ ନିଜେ ଆତ୍ମ ପ୍ରକାଶ କରି ତାଙ୍କ ସଂଗ୍ରାମର କାହାଣୀ ବଖାଣିଛନ୍ତି । ଅନେକତ୍ର ସୂତଂତ୍ର ଉତ୍କଳପ୍ରଦେଶ ଗଠନ ଏବଂ ଓଡ଼ିଶାର ସ୍ଵାଭିମାନ ଓ ସୀମା ସୁରକ୍ଷା ପ୍ରସଙ୍ଗକୁ ରାଜନୈତିକ ଭାବାବେଗ ନେଇ ପ୍ରକାଶ କରିଛନ୍ତି । ଯଦିଓ ଲେଖକଙ୍କ ଭାବାବେଗରେ ଏହି ଉପନ୍ୟାସ ସମୃଦ୍ଧ ତଥାପି ତାହାଯେ ସାର୍ବଜନୀନ ବକ୍ତବ୍ୟ ଏହା ଗ୍ରହଣ କରିବାକୁ ହେବ ।

 

କେବଳ ପୁଞ୍ଜିଭୂତ ଅଭିମାନକୁ ଆଧାର କରି ଲେଖକ ଗଣତନ୍ତ୍ରରେ ବିଶ୍ୱାସ ରଖିଲେ ହେଁ ଶୁକୁରା ପରି ଚରିତ୍ରମାନଙ୍କୁ ସାମ୍ୟବାଦ ଆଡ଼କୁ ନେବାପାଇଁ ଚେଷ୍ଟା କରିଛନ୍ତି । ରାମବାବୁ ଗାଁ ଯୁବକଙ୍କ ଉଦ୍ଦେଶ୍ୟରେ ସେହି ବକ୍ତବ୍ୟ ଖୁବ୍‌ ନିଆରାଢଙ୍ଗରେ ପ୍ରକାଶ କରିଛନ୍ତି- ‘ଭିତରେ ଯେଉଁ ସ୍ପିରିଟ୍‌ ଅଛି, ଜୋଶ୍‌ ଅଛି ତାକୁ ଏମିତି ଅପବ୍ୟବହାର କରୁଛି ? ଛି ! ତାକୁ ସାଇତି ରଖ ଦେଶ ପାଇଁ, ଜାତି ପାଇଁ, ନୀତି ପାଇଁ, ପ୍ରଗତି ପାଇଁ, ଅଗ୍ରଗତି ପାଇଁ, ଦଳିତପାଇଁ, ଶୋଷିତ ପାଇଁ ତାକୁ ସାଇତି ରଖ । ବେଳ ଆସୁଛି ଯେତେବେଳେ ତମର ଏଇ ଲାଲଝଣ୍ଡା ପାଇଁ ଯେଉଁ ପ୍ରେମ ତା’ରି ବଳରେ ଲାଲ୍‌ ହୋଇଯିବ । ଲାଲ୍‌ ସଲାମ କମ୍ରେଡ୍‌ ।’ ଗାଁ ମୁଣ୍ଡରେ ଏକତ୍ରିତ ହେଇଥିଲା ବେଳେ ରେଡ଼ିଓରୁ ଚାଇନାର ଭାରତ ଆକ୍ରମଣ କରିବାର ଖବର ପାଇଛନ୍ତି ସମସ୍ତେ । ସାମ୍ୟବାଦର ସମର୍ଥକ ରାମବାବୁ ମ୍ରିୟମାଣ ହୋଇପଡ଼ିଛନ୍ତି । କୌଣସି ସାମ୍ୟବାଦୀ ରାଷ୍ଟ୍ର କ’ଣ ପୁଞ୍ଜିପତିର ଭାବାବେଗ ନେଇ ଏକ ସାର୍ବଭୌମ ସ୍ଵାଧୀନ ରାଷ୍ଟ୍ର ଉପରେ ଆକ୍ରମଣ କରିପାରେ । ସ୍ୱପ୍ନ ଭଙ୍ଗ ହୋଇଛି ତାଙ୍କର ।

 

ରାଜନୈତିକ ଜୀବନର ଅନେକ ଉତ୍‌ଥାନ, ପତନ ଓ ସ୍ୱପ୍ନଭଙ୍ଗ ଭିତର ଦେଇ ଗତିକରିଥିବା ଲେଖକ, ଚରିତ୍ରମାନଙ୍କ ଭିତରେ ଆଦର୍ଶ ବକ୍ତବ୍ୟ ନେଇ ଉଭା ହୋଇଛନ୍ତି ମାତ୍ର ଚରିତ୍ରମାନେ’ସଫଳକାମୀ ହେବା ପୂର୍ବରୁ, ନିର୍ଦ୍ଦିଷ୍ଟ ବିନ୍ଦୁରେ ଦୃଢ଼ୀଭୂତ ହେବା ପୂର୍ବରୁ ପରାଜିତ ହୋଇଛନ୍ତି । ପୂର୍ବ ଦୁଇଟି ଉପନ୍ୟାସ ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ପରି ‘ଘରଡ଼ିହ’ରେ ବି କୌଣସି ନିର୍ଦ୍ଦିଷ୍ଟ ସମାପ୍ତି ନାହିଁ । ତଥାପି ଏହି ତିନୋଟି ଉପନ୍ୟାସ ପାଠକଲାବେଳେ ପାଠକୀୟ ସ୍ମୃତିକେନ୍ଦ୍ରକୁ ଧସେଇ ପଶନ୍ତି କାହ୍ନୁ ଚରଣଙ୍କ ‘ଶାସ୍ତି’ ଏବଂ ଗୋପିନାଥ ମହାନ୍ତିଙ୍କ ‘ପରଜା’ର ଶୋଷିତ ଚରିତ୍ରମାନେ । ତେବେ ‘ହୁଡ଼ମାଟି’ ଓ ‘ଭଙ୍ଗାହାଡ଼’ରେ ଭାଷାର ଯେଉଁ କୋମଳ ଅନୁଭବ ପାଠକ ପାଇଛି ‘ଘରଡ଼ିହ’ରେ ତାହା ଅତ୍ୟନ୍ତ । ଆଦର୍ଶବାଦୀ ଓ ଇତିହାସ ସର୍ବସ୍ଵ । ଶବ୍ଦର ଅନୁପମ ଜାଙ୍ଗଳିକତା ଏଠି ନିଅଣ୍ଟ ।

 

ଅନ୍ୟଗ୍ରନ୍ଥର ଉତ୍ସର୍ଗପତ୍ର ସବୁ ଛୋଟ କାହାଣୀ ପରି ପ୍ରତୀୟମାନ ହେଉଥିଲେ ବି ‘ଘରଡ଼ିହ’ର ଉତ୍ସର୍ଗ ପତ୍ର ଆଦୌ ଆକର୍ଷକ ନୁହେଁ । ନିଜେ ଲେଖକ ସ୍ପଷ୍ଟୋକ୍ତିରେ ତାହା ଦର୍ଶାଇଥିବାବେଳେ କ୍ଷୟିଷ୍ଣ ବୟସ ଯେ ତା’ର ପ୍ରମୁଖ କାରଣ ତାହା ପ୍ରକାଶ କରିଛନ୍ତି । ପୁନଶ୍ଚ ‘ଘରଡ଼ିହ’ର ପରବର୍ତ୍ତୀ ଖଣ୍ଡ ‘କାଳିମାଟି’ କେବଳ କଳ୍ପନା ଭିତରେ ରହିଗଲା ବୋଲି ନିଜକୁ ନିଜେ ଯେମିତି କ୍ଷମା କରିପାରି ନାହାନ୍ତି । ତେବେ ‘କୀଳିମାଟି’ ରଚନା ହୋଇଥିଲେ ହୁଏତ ଶୁକୁରା, ରତନୀ, ଭାଗୁ ମହାନ୍ତି, ଦୁଃଖୀଦାସ, ରାମଚନ୍ଦ, ଘନ, ନିଧିଆ ବୋଉ, ନୀଳରାଉତ ପରି ଚରିତ୍ରମାନେ ଧାଁ- ଦଉଡ଼ କରିବାକୁ ଆଉ ଗୋଟିଏ ପୃଷ୍ଠଭୂମି ପାଇପାରିଥାନ୍ତେ । ପୁଣି ସେସବୁ ଚରିତ୍ରର ଶେଷ ପରିଣତି ହୁଏତ ପାଠକ ପାଇପାରିଥାନ୍ତେ, ଆଉ ଅବଶୋଷ ମେଣ୍ଟି ପାରିଥାନ୍ତା ପାଠକମାନଙ୍କର ।

 

ସାମଗ୍ରୀକ ଦୃଷ୍ଟିକୋଣରୁ ଏହି ଉପନ୍ୟାସ ତିନୋଟି ହିଁ ତାଙ୍କ କଥା ସାହିତ୍ୟର ବିପୁଳ ସମ୍ଭାର ଭିତରୁ ସବୁଠୁ ନିଆରା । ନିଆରା ଏଇଥିପାଇଁ ଯେ ମାଟି ମନସ୍କ ଗ୍ରାମ୍ୟ ମଣିଷର ଚାହାଣୀ, ଚଳଣୀର ଓ ଚମକରେ ବର୍ଣ୍ଣୋଜ୍ୱଳ ହୋଇଛି ଏହି ଉପନ୍ୟାସ ତ୍ରୟି । କେବଳ ମଣିଷର କଥାକୁ ନୂଆ ଢଙ୍ଗରେ ପରଷିବା ପାଇଁ ଲେଖକ ପରମ୍ପରା, ପରିସ୍ଥିତି ଓ ପୂରୋଦୃଷ୍ଟିକୁ ବାଦ୍‌ ଦେଇ ନାହାନ୍ତି-। ବରଂ, ଭୂମି ପ୍ରତି, ମାଟିପ୍ରତି ତାଙ୍କର ନିବିଡ଼ତା ପ୍ରକାଶ କରିଛନ୍ତି ଜାତୀୟ ଓ ଅନ୍ତର୍ଜାତୀୟ ପୃଷ୍ଠଭୂମିର ଅବଲୋକନରେ । ଏହା ହିଁ ଲେଖକର ଉଦାରତା । ଯାହା ଏହି ଉପନ୍ୟାସ ତ୍ରୟୀକୁ ଉର୍ବର ତ୍ରିକୋଣ ଭୂମିରେ ପରିଣତ କରିପାରିଛି, ଆଉ ତା’ଉପରେ ଛିଡ଼ା ହୋଇ ପାଠକ ଦେଖିଛି ମାଟି ମନସ୍କ ମଣିଷର ପରିଚିତ, ଅପରିଚିତ ମୁହଁ ସବୁ ।

 

ଅଧ୍ୟାପକ, ଓଡ଼ିଆ ବିଭାଗ

ରାଜଧାନୀ କଲେଜ, ଭୁବନେଶ୍ୱର

 

ସହାୟକ ଗ୍ରନ୍ଥସୂଚୀ :

(୧)

‘ମୁଁ କାହିଁକି ଲେଖେ’ - ସମ୍ପାଦନା ବିଜୟାନନ୍ଦ ସିଂହ- ଲେଖକ ସହଯୋଗ ସମିତି, କଟକ- ୧୯୮୪

(୨)

ଓଡ଼ିଆ ଉପନ୍ୟାସ ସାହିତ୍ୟର ପରିଚୟ- ସମ୍ପାଦନା- ପଠାଣି ପଟ୍ଟନାୟକ, ଡ. ଭୋଳାନାଥ ରାଉତ- ଓଡ଼ିଶା ବୁକ୍‌ଷ୍ଟୋର, କଟକ- ୧୯୯୯

(୩)

ହିଡ଼ମାଟି-ନିତ୍ୟାନନ୍ଦ ମହାପାତ୍ର- ଗ୍ରନ୍ଥମନ୍ଦିର, କଟକ-ଷଷ୍ଠ ସଂସ୍କରଣ

(୪)

ଭଙ୍ଗାହାଡ଼- ନିତ୍ୟାନନ୍ଦ ମହାପାତ୍ର- ଗ୍ରନ୍ଥମନ୍ଦିର କଟକ-୨ୟ ସଂସ୍କରଣ

(୫)

ଘରଡ଼ିହ-ନିତ୍ୟାନନ୍ଦ ମହାପାତ୍ର- ମୟୂର ପବ୍ଲିକେସନ୍‌ସ୍‌-ଭୁବନେଶ୍ଵର-୧ମ ସଂସ୍କରଣ

 

***

 

ମାଟିର ବୁନିଆଦି ଓ ଔପନ୍ୟାସିକ ନିତ୍ୟାନନ୍ଦ

ହୃଦାନନ୍ଦ ପାଣିଗ୍ରାହୀ

 

ଉପନ୍ୟାସ ଆଧୁନିକ ସମୟଖଣ୍ଡର ଏକ ମହାକାବ୍ୟିକ ଦଲିଲ । ଏଥିରେ ସମାଜ ଜୀବନର ଯଥାର୍ଥ ରୂପାୟନ ଘଟିଥାଏ । ସାହିତ୍ୟର ଅନ୍ୟାନ୍ୟ ବିଭାଗଠାରୁ ଏହାର ଭୂମିକା ସ୍ଵତନ୍ତ୍ର-। ଜୀବନ ଆଉ ସମାଜର ସାର୍ଥକ ପ୍ରତିଫଳନ ଘଟାଇବାରେ ଉପନ୍ୟାସକାର ଏକ ବୃହତ୍‌ ପରସର ପାଇଥାନ୍ତି । ସମାଜର କଳାତ୍ମକ ରୂପାୟନ ସହିତ ବର୍ଣ୍ଣନାଧର୍ମୀ ଶୈଳୀ ଏହାର ବିଶେଷତ୍ଵ-। ସ୍ରଷ୍ଟାର କଳ୍ପନା, ଅଭିରୁଚି, ସୁଖଦୁଃଖ, ସ୍ଵପ୍ନ ଦୁଃସ୍ଵପ୍ନ, ଆବେଗ ଉଚ୍ଛ୍ୱାସ, ଆଶା ଆଶଙ୍କା, ରୋମାଞ୍ଚ ପୁଲକ ସବୁକୁ ସାର୍ଥକ ଭାବେ ଚିତ୍ରଣ କରିବାର ପ୍ରକୃଷ୍ଟ ସୁଯୋଗ ଏଥିରେ ଥାଏ-। ସମାଜର ରୁଚିଭଙ୍ଗୀରେ ପରିବର୍ତ୍ତନ ଆଣିବାରେ ଏହାର ଦାୟିତ୍ଵ ମଧ୍ୟ ଅଧିକ । ସମୂହ ମାନସିକତାର ପରିବର୍ତ୍ତନ କ୍ଷେତ୍ରରେ ଉପନ୍ୟାସକାର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥାନ୍ତି । ପ୍ରଚଳିତ ମୂଲ୍ୟବୋଧର ପ୍ରତିଫଳନ ସହିତ ଜୀବନଜଗତର ବୈଶିଷ୍ଟ୍ୟ ଏଥିରେ ପ୍ରତିପାଦିତ ହୋଇଥାଏ । ଏଥିରେ ସ୍ଵାଭାବିକ ମୁକ୍ତିଧାରାଟିଏ ଧାଏ । ସୁବିସ୍ତୃତ ପରିସର ଏହାର ଚରାଭୂଇଁ ।

 

ଆମ ଓଡ଼ିଆ ସାହିତ୍ୟରେ ଉପନ୍ୟାସର ଆରମ୍ଭ ସୌଦାମିନୀ (୧୯୭୮)ରୁ, ଯଦିଓ ଏହା ଏକ ଅସମ୍ପୂର୍ଣ୍ଣ ଉପନ୍ୟାସ । ଅନ୍ୟାନ୍ୟ ଜାତୀୟ ଭାଷାତୁଳନାରେ ଆମ ସାହିତ୍ୟରେ ଉପନ୍ୟାସ ରଚନା କିଞ୍ଚିତ୍‌ ବିଳମ୍ବରେ । ଆମ ଭାଷା ସାହିତ୍ୟର ପ୍ରଥମ ଔପନ୍ୟାସିକ ରାମଶଙ୍କର ରାୟ, ଯେ କି ପ୍ରଥମ କରି ଏ କ୍ଷେତ୍ରରେ ନୂଆ ଦିଗନ୍ତଟିଏ ଉନ୍ମୋଚନ କରେ । ରମେଶ ଚନ୍ଦ୍ର ସରକାରଙ୍କ ‘ପଦ୍ମମାଳୀ’ (୧୮୮୮) ଉପନ୍ୟାସ ପାଖକୁ ଆସିବା ବେଳକୁ ଆମେ ଯଥାର୍ଥରେ ଉପନ୍ୟାସର ଅସଲ ଅସ୍ମିତା ଓ ସମ୍ପୂର୍ଣ୍ଣତାକୁ ହିଁ ଭେଟିଲୁ ।

 

ଏହି ବିଜୟ ଯାତ୍ରାରେ ଚମକ ସୃଷ୍ଟିକରି ପ୍ରତିଭାତ ହୁଅନ୍ତି ଫକୀର ମୋହନ ସେନାପତି । ତାଙ୍କର ‘ଛଅମାଣ ଆଠଗୁଣ୍ଠ’ (୧୮୯୭) ପରି କାଳଜୟୀ ଉପନ୍ୟାସର ଆବିର୍ଭାବ ଓଡ଼ିଆ ସାହିତ୍ୟ ଇତିହାସରେ ନୂତନ ସଂଭାବନାଟିଏ ଯୋଡ଼ିଦେଲା । ଏହାର ଆବେଦନ କଳାତୀତ । ଫକୀର ମୋହନ ହିଁ ଯଥାର୍ଥରେ ଆଧୁନିକ ଓଡ଼ିଆ ଉପନ୍ୟାସର ଜନକ । ଜମି, ଜମିଦାରୀ, କୃଷିଭିତ୍ତିକ ସମାଜରେ ଶୋଷଣ ବିଷଣର ଚିତ୍ର ସବୁର ସାର୍ଥକ ସମାବେଶ ଏଥିରେ ଘଟିଛି । ସେହିପରି ପୁଞ୍ଜିବାଦୀ ବ୍ୟବସ୍ଥା, ସମ୍ପତ୍ତି, ପ୍ରତିପତ୍ତି ବିରୁଦ୍ଧରେ ଦୃଢ଼ସ୍ଵର ଏଥିରେ ଉତ୍ତୋଳିତ ହୋଇଛି । ତାଙ୍କ ‘ଲଛମା’ (୧୯୦୧), ‘ମାମୁ’ (୧୯୧୩), ‘ପ୍ରାୟଶ୍ଚିତ’ (୧୯୧୫) ଉପନ୍ୟାସମାନଙ୍କରେ ଜନଜୀବନର ସ୍ଵର ପ୍ରଖର ଭାବେ ପ୍ରବାହିତ । ପୁଣି ୧୮୯୮ ମସିହାରେ ‘ଭୀମାଭୂୟାଁ’ ଉପନ୍ୟାସ ଆଧୁନିକ ଜୀବନଧାରାର ଏକ ନୂଆ ଦିଶା । ମାଟି, ମଣିଷ ଓ ପ୍ରକୃତିକୁ ଉତ୍ସ ଭାବରେ ଗ୍ରହଣ କରି ଯେଉଁ ଆଧୁନିକ ଓଡ଼ିଆ ଉପନ୍ୟାସର ସୂତ୍ରପାତ ହେଲା, ନାନା ବାଙ୍କବୁଲାଣି ଭିତରେ ସେ ଧାରା ଅନିର୍ବାପିତ ହୋଇ ରହିଛି । ଆଜିର ଔପନ୍ୟାସ ସେହି ମାଟିର ମହକରେ ବିଭୋର । ସମସ୍ୟା ବିଜଡ଼ିତ ଜୀବନର ଭାଷ୍ୟକାର । ‘ଛଅମାଣ ଆଠଗୁଣ୍ଠ’ରୁ ‘ମାଟିର ମଣିଷ’ ଦେଇ ‘ମାଟି ମଟାଳ ଓ ମଗ୍ନ ମାଟି’ ଯାଏଁ ପ୍ରଲମ୍ବିତ ସେ ସ୍ଵର ।

 

‘‘ସେନାପତି ସୃଷ୍ଟିର କଳା ଓ କାରିଗରୀ ‘ମାଟିର ମଣିଷ’ ଦେଇ ‘ମାଟି ମଟାଳ’ ତଥା ‘ମଗ୍ନ ମାଟି’ ପର୍ଯ୍ୟନ୍ତ ପରିବ୍ୟାପ୍ତ ।’’ (କଳାକଳ୍ପନାର ଲୋକାନୁଭୂତି : ଏକ ଅନୁଧ୍ୟାନ- ଡ. ଦେବୀପ୍ରସନ୍ନ ପଟ୍ଟନାୟକ)

 

ନିତ୍ୟାନନ୍ଦଙ୍କ ଉପନ୍ୟାସରେ ଆମ କୃଷିକାରୀ ସଂସ୍କୃତି, ଗ୍ରାମୀଣ ମଣିଷର ସମସ୍ୟା, ପ୍ରେମପ୍ରଣୟ ଶ୍ରେଣୀ ସଂଘର୍ଷ ରାଜନୀତିକ ହଟଚମଟର ଚିତ୍ର ପ୍ରତିଫଳିତ ହୋଇଛି । ପ୍ରକୃତିର ଶାନ୍ତସ୍ନିଗ୍‌ଧ ରୂପ, ମଣିଷର ମଗ୍ନ ଚୈତନ୍ୟ ଓ ଉତ୍କଳୀୟତାର ନିର୍ମଳ ସ୍ଵାକ୍ଷର ଏଥିରେ ସୁଲଭ ।

 

ତାଙ୍କର ‘ଘରଡ଼ିହ’ ଉପନ୍ୟାସରେ ମାଟିର ଐତିହ୍ୟ ଉପରେ ଗୁରୁତ୍ୱାରୋପ ଘଟିଛି । ପଲ୍ଲୀ ଜୀବନର ସଜଳ ଆଲେଖ୍ୟ ଫୁଟିଛି । ସ୍ଵାଧୀନତା ପ୍ରାକ୍‌କାଳରେ ଯେଉଁ ସ୍ୱପ୍ନଥିଲା, ତା’ କ୍ରମଶଃ ଭୁଲୁଣ୍ଠିତ ହେଲା । ଜୀବନର ଉର୍ଦ୍ଧ୍ୱାୟନ ପରିବର୍ତ୍ତେ ପତନ ଆରମ୍ଭ ହେଲା । ବଢ଼ିଗଲା ଜୀବନର ଦୁଃଖ ଦୁର୍ଦ୍ଦଶା । ମଣିଷ କ୍ରମଶଃ ଯାନ୍ତ୍ରକ ଓ ହୃଦୟହୀନ ହେବାକୁ ଲାଗିଲା । ଏହି ସମସ୍ୟା ଚିତ୍ରଣରେ ନିତ୍ୟାନନ୍ଦଙ୍କ ଲେଖନୀ ମୁଖର । ତାଙ୍କ ଉପନ୍ୟାସ ସ୍ଵଭାବତଃ ଶିକ୍ଷାପ୍ରଦ ଓ ସଂସ୍କାରଧର୍ମୀ ।

 

ଦକ୍ଷଶିଳ୍ପୀ ନିତ୍ୟାନନ୍ଦଙ୍କ ସମ୍ମୁଖରେ ଉଭା ଥିଲା ଆମ ମାଟି, ପାଣି, ପବନର ବିଶାଳ ବୁନିଆଦି । ସେ କାଳର ପ୍ରତ୍ୟକ୍ଷ ସମସ୍ୟା ଓ ଆମ ସମାଜର ନିଖୁଣ ଚିତ୍ର ତାଙ୍କ ଉପନ୍ୟାସରେ ପରିଦୃଷ୍ଟ । କେବଳ ସେତିକି ନୁହଁ, ଅନ୍ୟାୟ, ଅନୀତି, କୁକର୍ମ ବିରୁଦ୍ଧରେ ଦୃଢ଼ ସ୍ଵର ପ୍ରତିଫଳିତ ହୋଇଛି । ତାଙ୍କ ରଚିତ ଉପନ୍ୟାସଗୁଡ଼ିକ ସମୟଭିତ୍ତିକ ଓ ତଥ୍ୟପୂର୍ଣ୍ଣ । ସବୁଠୁ ଉଲ୍ଲେଖନୀୟ କଥା ଯେ ଅତିରଞ୍ଜିତ କରି ଲେଖକ ତାଙ୍କ କଥା ସାହିତ୍ୟକୁ ଭାରାକ୍ରାନ୍ତ କରନ୍ତି ନାହିଁ ।’’ (ଭଦ୍ରକର ସାରସ୍ୱତ ସାଧକ, ପୃଷ୍ଠା- ୧୧୪, ଅପୂର୍ବରଞ୍ଜନ ରାୟ)

 

‘ଭୁଲ୍‌’ ନିତ୍ୟାନନ୍ଦ ମହାପାତ୍ରଙ୍କ ପ୍ରଥମ ଉପନ୍ୟାସ । ପାଟଣା କାରଗାର ହିଁ ଏହାର ଏନ୍ତୁଡ଼ିଶାଳ । ଦୀର୍ଘ କାହାଣୀ ଧର୍ମିତାରେ ଉପନ୍ୟାସଟି ଗତିଶୀଳ । ଏହାର ମୂଳପିଣ୍ଡ, ଭାବବସ୍ତୁଟି ହେଲା ନାୟିକାର ‘ଭୁଲ’ । ବିପଥଗାମୀ ଜୀବନର ପରିଣତିକୁ ଏଥିରେ ଦର୍ଶାଯାଇଛି । ସାମାଜିକ ତାଡ଼ନା ଓ ପରକୀୟା ଭାବନାର ପରିଣତିକୁ ସୂଚେଇ ଦେବା ସହ ଚାରିତ୍ରିକ ଦିଗଟି ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଛି । ସମାଜ ଜୀବନର ସୂକ୍ଷ୍ମ ଅନୁଶୀଳନ ବେଶ୍‌ ଚମତ୍କାର । ଜୀବନ ଓ ସମାଜ ପ୍ରତି ଗଭୀର ଦରଦି ରହିଛି ତାଙ୍କ ଦୃଷ୍ଟିଭଙ୍ଗୀରେ ।

 

ଜାତୀୟଭାବନା, ଦେଶାତ୍ମବୋଧ ଆହ୍ୱାନ ରହିଛି ତାଙ୍କ ‘ଘରଡ଼ିହ’ (୧୯୫୬) ଉପନ୍ୟାସରେ । ଏଥିରେ ଅଛି ତ୍ୟାଗ ଓ ନିଷ୍ଠାର ସାର୍ଥକ ପରିପ୍ରକାଶ । ସ୍ଵାଧୀନତା ପାଇଁ ଦେଖିଥିବା ସ୍ଵପ୍ନସବୁ ସାକାର ହୋଇ ନ ପାରି ବିଡ଼ମ୍ବିତ ହୋଇଛି । ‘ଭଙ୍ଗାହାଡ଼’ ଉପନ୍ୟାସରେ ସ୍ଥିତିବାଦୀ ଚେତନା ଧାରା ପ୍ରକଟିତ ହୋଇଛି । ମଣିଷ ନିଜ ସୁଖ ସନ୍ଧାନରେ ବ୍ୟସ୍ତ । ତା’ର ପାପବୋଧ, ଜଟିଳ ଜୀବନସ୍ଥିତିକୁ ନେଇ ନାନା ପ୍ରଶ୍ନ ଓ ନାନା ସଂକଟ । ସେହି ଆବେଗିକ ମୂଲ୍ୟବୋଧକୁ ଦର୍ଶାଯାଇଛି ଏ ଉପନ୍ୟାସରେ ।

 

‘ହିଡ଼ମାଟି’ (୧୯୪୬), ‘ଭଙ୍ଗାହାଡ଼’ (୧୯୫୬) ଓ ‘ଘରଡ଼ିହ’ (୧୯୮୬) ଉପନ୍ୟାସମାନଙ୍କରେ ମୂଳତଃ ମାଟିର ଐତିହ୍ୟ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏଥିରେ ରହିଛି ପଲ୍ଲୀ ଚେତନାର ଭାଷ୍ୟ । ପ୍ରାକ୍‌ ସ୍ୱାଧୀନତା ଓ ସ୍ଵାଧୀନତା ପରବର୍ତ୍ତୀ କାଳର ସମାଜର ସ୍ଵପ୍ନଭଙ୍ଗର ନିଖୁଣ ଚିତ୍ରରେ ସମୃଦ୍ଧ ତାଙ୍କର ଏ ଉପନ୍ୟାସ । ଜୀବନର ସତ୍ୟସନ୍ଧାନୀ ଦୃଷ୍ଟିଭଙ୍ଗୀଟିଏ ଥିବାରୁ ଶାଶ୍ୱତ ସତ୍ୟର ଉପଲବ୍‌ଧି ଘଟିଛି । ଅନ୍ୟ ପକ୍ଷରେ ଫକୀର ମୋହନୀୟ ନ୍ୟାୟ, ଅନ୍ୟାୟ, ପାପପୁଣ୍ୟର ବିଚାରଧାରା ତାଙ୍କ ଉପନ୍ୟାସକୁ କରିଛି ବେଶ୍‌ ଜନପ୍ରିୟ ।

 

‘‘ନିତ୍ୟାନନ୍ଦଙ୍କ ଉପନ୍ୟାସର ବିଷୟବସ୍ତୁ ମାମୁଲି ରାଜନୈତିକ ସମସ୍ୟା, ପଲ୍ଲୀଜୀବନ ଓ ପ୍ରେମ । ତାଙ୍କର ସାମାଜିକ ଚରିତ୍ରଗୁଡ଼ିକରେ ଏକ କାରୁଣ୍ୟ ମିଶ୍ରିତ । ଆଶାବାଦର ସ୍ଵର ଅନୁରଣିତ ହୁଏ । ତାଙ୍କର ସୃଷ୍ଟ ପଲ୍ଲୀର ନିରିମାଖି ରତନି, ନିଷ୍ପେସିତ ଶୁକୁରା, ବିଧବା ଚପଳା, ବିପତ୍ନୀକ ବିଭୂତି ଅଥବା ଦେହଜ ପ୍ରଣୟ ମୁଗ୍‌ଧା ସୁମିତ୍ରା ଏମାନେ ସମସ୍ତେ ଯେପରିକି ବୃହତ୍ତର ସମାଜରୁ ସୁନିର୍ବାଚିତ ଏକ ଏକ ପ୍ରତୀକ ।’’ (ଆଧୁନିକ କଥାସାହିତ୍ୟ (ଉପନ୍ୟାସ) ଡ. ନରେନ୍ଦ୍ରନାଥ ମିଶ୍ର ପୃଷ୍ଠା ୮୭)

 

‘ହିଡ଼ମାଟି’ ତାଙ୍କର ଏକ କ୍ଳାସିକଧର୍ମୀ କଳାକୃତୀ । ସମୟର ଅଖଣ୍ଡ ପ୍ରବାହ ଭିତରେ ତା’ର ସ୍ୱାତନ୍ତ୍ର୍ୟ ଓ ପ୍ରଭାବ ବେଶ୍‌ ସୁସ୍ପଷ୍ଟ । ଉଭୟ ଭିତ୍ତିଭୂମି ଓ ଭାଷା ଦୃଷ୍ଟିରୁ ଏ ଉପନ୍ୟାସ ଯଥାର୍ଥରେ ଅନନ୍ୟ । ମାଟି ମଗ୍ନତା କ୍ଷେତ୍ରରେ ଉପନ୍ୟାସଟି ଏକ ଆହ୍ୱାନ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଚାଲବାଜୀ ସ୍ୱାର୍ଥପର ମଣିଷ ଦାଉରେ ଗାଁ ଭୂଇଁର ସରଳତା ବଳି ପଡ଼ିଛି । ଗାଁ ସାଉକାର ଶୋଷଣରେ ଶୁକୁରା ଗାଁ ଛାଡ଼ିଛି । ବଳିପଡ଼ିଛି ରତନୀର ଦୁଃଖ । ଅଭାବ, ଦୈନ୍ୟ କଷଣ ଉଜାଡ଼ି ଦେଇଛି ସବୁକିଛି । ପେଟ ଦାଉରେ ବୈକୁଣ୍ଠସମାନ ଘରେ ସୃଷ୍ଟି ହୋଇଛି ବିଷର ବଳୟ ପାରିବାରିକ ବନ୍ଧନ ହୁଗୁଳିଯାଇଛି । ଜୀବନର ଏହି ଅସହାୟତା, ଅଳନ୍ଧୁ, ଅନ୍ଧାର ଭିତରେ ବଞ୍ଚିବାର କ୍ଷୀଣ ଆଲୋକ ରେଖାଟିକୁ ଖୋଜୁ ଖୋଜୁ ଅଧଃପତନର ଚକ୍ରବ୍ୟୂହକୁ ଭେଦ କରି ପାରିନାହାନ୍ତି ସେ ଦୁହେଁ । ଏହି ଧରଣର ଶୁକୁରା ଓ ରତନୀମାନେ ଏବେବି ଜୀଇଁଛନ୍ତି ଆମ ସମାଜ ଭିତରେ । ସେମାନେ ଆମ ସମାଜର ନିଷ୍ପେସିତ ମଣିଷ ଗୋଷ୍ଠୀର ପ୍ରତିନିଧି । କେତେ ଶୁକୁରା କେତେ ରତନୀଙ୍କ ଜୀବନ ଏମିତି ଅକାଳ ଝଞ୍ଜାରେ ବିକ୍ଷୁବ୍ଧ । ଏଥିରେ ରହିଛି ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଗାଁକୁ ଫେରିଯିବାର ଆବେଦନ । ଏଇ ଗାଁ ମାଟି ଯଥାର୍ଥରେ ତୀର୍ଥମାଟି । ଏହି ମାଟିରେ ଲେଖାଯାଇଥିବା ଅପଢ଼ାପାଠକୁ ପଢ଼ିବାକୁ ଓ ବୁଝିବାକୁ ପ୍ରେରଣା ଦାନ କରିଛନ୍ତି ଉପନ୍ୟାସକାର ।

 

ଆମ ସମାଜରେ ନିହିତ ଶ୍ରେଣୀଗତ ପାର୍ଥକ୍ୟ, ମଣିଷ ମଣିଷ ଭିତରେ ଥିବା ବ୍ୟବଧାନକୁ ରୂପାୟିତ କରିବା ସହ ସ୍ୱାର୍ଥସର୍ବସ୍ୱ ମଣିଷର କାରନାମାକୁ ସଫଳତାର ସହ ପ୍ରକାଶ କରିଛନ୍ତି କୁଶଳୀସ୍ରଷ୍ଟା ନିତ୍ୟାନନ୍ଦ । ଫକୀର ମୋହନ ତାଙ୍କ ଉପନ୍ୟାସରେ ଯେଉଁ ବାସ୍ତବବାଦୀ ତଥା ମାନବବାଦୀ ଆଭିମୁଖ୍ୟର ସୂତ୍ରପାତ କରିଥିଲେ, ନିତ୍ୟାନନ୍ଦଙ୍କ ଉପନ୍ୟାସରେ ତା’ର ସ୍ଥାୟିତ୍ୱ ରହିଛି-। ତାଙ୍କ ଆଧ୍ୟାତ୍ମବାଦୀ ଆଦର୍ଶ ଓ ଦରଦୀ ଉଚ୍ଛ୍ୱାସ ତାଙ୍କ ଉପନ୍ୟାସକୁ କରିଛି ଅବିନଶ୍ଵର ।

 

‘‘ଭୁଲଠାରୁ ଆରମ୍ଭ କରି ଘରଡ଼ିହ ପର୍ଯ୍ୟନ୍ତ ତାଙ୍କ ଉପନ୍ୟାସରେ ସମକାଳୀନ ସମାଜ ଓ ବ୍ୟକ୍ତି ଜୀବନର ବୈଚିତ୍ର୍ୟ ହିଁ ପ୍ରତିଫଳିତ ହୋଇଛି ।’’

 

(ମୋ ପ୍ରିୟ ଲେଖକ : ନିତ୍ୟାନନ୍ଦ ମହାପାତ୍ର-ଡ. ମିତାରାଣୀ ପ୍ରହରାଜ ସୁବର୍ଣ୍ଣଶ୍ରୀ ପ୍ରିୟ ଲେଖକ ବିଶେଷାଙ୍କ ପୃଷ୍ଠା- ୧୧୮)

 

ସ୍ରଷ୍ଟା ନିତ୍ୟାନନ୍ଦ ଜୀବନର ଔଜଲ୍ୟକୁ ବାରମ୍ବାର ପରଖିଛନ୍ତି । ସକଳ ବଂଚନା ସତ୍ତ୍ୱେ ମଣିଷକୁ ବଂଚିବାର ପ୍ରେରଣା ଦେଇଛନ୍ତି । ମଳିମୁଣ୍ଡିଆ ମଣିଷ ଭିତରେ ଜଳି ଉଠୁଥିବା ନିଆଁ କଣିକାଟି ନିକଟୁ ନିରେଖି ଦେଖିଛନ୍ତି । ପୁଞ୍ଜିପତି ଓ ସର୍ବହରାମାନଙ୍କ ଭିତରେ ଥିବା ବ୍ୟବଧାନର ରେଖାଟିକୁ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି । ଏହାବାଦ୍‌ ଜାତି ପ୍ରଥା ବିରୁଦ୍ଧରେ କେଉଁଠି ଦୃଢ଼ସ୍ୱର ତ କେଉଁଠି ମଣିଷର ସ୍ୱାର୍ଥପରତା ଓ ହୀନମନ୍ୟତା ବିରୁଦ୍ଧରେ ତାଙ୍କର ବଳିଷ୍ଠ ଚେତାବନୀ । ଏସବୁ ଭିତରେ ରହିଛି ଲେଖକଙ୍କର ଏକ ସହଜାତ ବିଦ୍ରୋହମନ ଆମ ପରମ୍ପରା, ବୁନିଆଦିକୁ ସେ କଷଟି ପଥରରେ ପରଖିଛନ୍ତି । ବାସ୍ତବରେ ତାଙ୍କ ଉପନ୍ୟାସ ଅଭିଜ୍ଞତା ଓ ଅନୁଭୂତିର ପୁଷ୍କଳ ପ୍ରକାଶ । ବିଶେଷ କରି ମାଟିମନସ୍କ ‘ହିଡ଼ମାଟି’ର ଚିରାଚରିତ ସତ୍ତା ଓ କାବ୍ୟାତ୍ମକ ମନୋରମ ଶିଳ୍ପ ସଂଗତି ଉପନ୍ୟାସଟିକୁ କାଳଜୟୀ କରି ତୋଳିଛି ।

 

 

ରିଡ଼ର, ଓଡ଼ିଆ ବିଭାଗ

ବି.ଏନ୍‌.ଏମ୍‌.ଏ, କଲେଜ,

ପାଳିଆବିନ୍ଧା, ଭଦ୍ରକ

 

***

 

ଔପନ୍ୟାସିକ ନିତ୍ୟାନନ୍ଦ ମହାପାତ୍ର

ପ୍ରଭାକର ସ୍ଵାଇଁ

 

ବିଂଶ ଶତକରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ସନ୍ଧିକ୍ଷଣରେ ଆମ ସାହିତ୍ୟର ପ୍ରଚଣ୍ଡ ପ୍ରତିଭା ଭାବରେ କଥାଶିଳ୍ପୀ ନିତ୍ୟାନନ୍ଦ ମହାପାତ୍ରଙ୍କର ଆବିର୍ଭାବ ଘଟିଥିଲା । ଭଦ୍ରକର ଏକ ପ୍ରଖ୍ୟାତ ଜମିଦାର ବଂଶରେ ୧୯୧୨ ମସିହାରେ ଜନ୍ମଲାଭ କରିଥିବା ଏହି ଶତାୟୁ ପୁରୁଷ ଜନ୍ମକାଳରୁ ଏକ ସାଂସ୍କୃତିକ ପରିବେଶ ମଧ୍ୟରେ ପରିବର୍ତ୍ତିତ । ପିତା ଲକ୍ଷ୍ମୀକାନ୍ତଙ୍କ ସ୍ନେହରୁ ବଂଚିତ ହେଲେ ମଧ୍ୟ ପରୋକ୍ଷ ଭାବରେ ଜୀବନର ପରକାଳରେ ତାଙ୍କ ଉପରେ ପିତାଙ୍କର ପ୍ରଭାବ ଖୁବ୍‌ ସ୍ପଷ୍ଟ । ସ୍ରଷ୍ଟାଙ୍କର ମହାତ୍ମାଗାନ୍ଧୀଙ୍କ ଅସହଯୋଗ ଆନ୍ଦୋଳନ ଠାରୁ ଭାରତଛାଡ଼ ଆନ୍ଦୋଳନ, ଦ୍ୱିତୀୟ ବିଶ୍ୱଯୁଦ୍ଧ ପର୍ଯ୍ୟନ୍ତ ଘଟଣାବଳୀ ସମେତ ଓଡ଼ିଶାର ଗ୍ରାମ୍ୟ ଜୀବନରେ ଦୈନନ୍ଦିନ ଘଟୁଥିବା ବଢ଼ି, ବାତ୍ୟା ଓ ମରୁଡ଼ି ଏବଂ ନିରକ୍ଷର ମାନବ ପ୍ରତି ହେଉଥିବା ଶୋଷଣ ଓ ପୀଡ଼ନର ଚିତ୍ରରେ ତାଙ୍କର ସୃଷ୍ଟି ପରିପୂର୍ଣ୍ଣ । ‘ସ୍ଵରାଜ ପାଲା’ରୁ ନିଜର ସାରସ୍ଵତ ଜୀବନର ଅୟମାରମ୍ଭ କରି ‘ହରିଜନ ମନ୍ଦିର ପ୍ରବେଶ’ ନାଟକ, ପତ୍ର ଓ ପ୍ରତିମା’, ‘କବି ପ୍ରିୟାସୁ’ ରମ୍ୟ ରଚନା ‘ଭାରତୀୟ ଦର୍ଶନ ଓ ସଂସ୍କୃତି’ ପ୍ରବନ୍ଧ ‘ନବ୍ୟ ଦରବାର’ ଲାଳିକା ‘ବମ୍ବନ ରାମାୟଣ’, ‘ମିଟିକା ପୁତ୍‌ଲା’ ପ୍ରଭୃତି ଅନୁବାଦ ରଚନାରେ ସେ ମନୋନିବେଶ କରିଥିଲେ ହେଁ ସ୍ରଷ୍ଟାଙ୍କର ସିଦ୍ଧିର ସ୍ଵାକ୍ଷର ଆମେ ତାଙ୍କର ଗଳ୍ପ ଓ ଉପନ୍ୟାସମାନରୁ ହିଁ ଲକ୍ଷ୍ୟ କରୁ । ସ୍ରଷ୍ଟାଙ୍କର ରଚିତ ଗଳ୍ପ ମଧ୍ୟରେ ପ୍ରମୁଖ ସଂକଳନଗୁଡ଼ିକ ହେଉଛି ‘ମାଉସୀ’, ‘ଧଳାଗାର କଳାଗାର’, ‘ଏଗାରଟା’, ‘କ୍ଷଣିକା’, ‘ଆଖି ନାହିଁ କାନ ନାହିଁ’ ଏବଂ ‘ରାଜକନ୍ୟା’ । ସେହିପରି ତଙ୍କ ରଚିତ ଉପନ୍ୟାସ ‘ଭୁଲ’ ଠାରୁ ଆରମ୍ଭ ହୋଇ ‘ଜୀଅନ୍ତା ମଣିଷ’, ‘ପୀରତି ପଥ ଖସଡ଼ା’ (ଖସଡ଼ା ବାଟ), ‘ଜୀବନର ଲକ୍ଷ୍ୟ’, ‘ସୁଖର ସନ୍ଧାନେ’ ‘ଜଳନ୍ତା ନିଆ, ‘ହିଡ଼ମାଟି’, ‘ଭଙ୍ଗାହାଡ଼’, ‘ଘରଡ଼ିହ’, ‘ଇନ୍ଦ୍ର ଓ ଇନ୍ଦ୍ରାଣୀ’, ‘ନାହଂ ତିଷ୍ଠାମି ବୈକୁଣ୍ଠେ’, ପର୍ଯ୍ୟନ୍ତ ପରିବ୍ୟାପ୍ତ ।

 

ସ୍ରଷ୍ଟାଙ୍କର ‘ଭୁଲ’ ଉପନ୍ୟାସ ଗ୍ରନ୍ଥାକାରରେ ପ୍ରକାଶିତ ହେବା ପୂର୍ବରୁ ପ୍ରଥମେ ‘ନବଭାରତ’ ପତ୍ରିକାରେ ୧୯୩୬ ମସିହାରେ ପ୍ରକାଶ ପାଇ ପଣ୍ଡିତ ନୀଳକଣ୍ଠଙ୍କ ଦ୍ୱାରା ବହୁ ପ୍ରଶଂସିତ ହୋଇଥିଲା । ପରବର୍ତ୍ତୀ କାଳରେ ଏହା ୧୯୪୫ ମସିହାରେ ଗ୍ରନ୍ଥାକାରରେ ପ୍ରକାଶ ପାଇଥିଲା । ଏ ସଂପର୍କରେ ସ୍ଵୟଂ ସ୍ରଷ୍ଟା ଉଲ୍ଲେଖ କରିଛନ୍ତି- ମୋର ପ୍ରଥମ ଉପନ୍ୟାସ ‘ଭୁଲ’ । ଏଟା ପ୍ରଥମ ବୋଲି କାହିଁକି କହୁଛି ନା, ‘ନବଭାରତ’ରେ ଭୁଲ ପ୍ରଥମେ କ୍ରମାନ୍ୱୟରେ ପ୍ରକାଶ ପାଇଥିଲା । ସେତେବେଳେ ଓଡ଼ିଶାର କୌଣସି ପତ୍ରିକା କ୍ରମାନ୍ଵୟରେ ଉପନାସ ପ୍ରକାଶ କରୁନଥିଲେ । ପଣ୍ଡିତ ନୀଳକଣ୍ଠ ଦାସ ମତେ ଚିହ୍ନି ନଥିଲେ । ସେ ମୋ ଦାଦା କମଳାକାନ୍ତଙ୍କ ସହ ହଜାରିବାଗ ଜେଲ୍‌ରେ ଥିଲେ । ‘ନବଭାରତ’ର ୧/୧ ସଂଖ୍ୟା, ୧୯୩୪ରେ ମୋର ଗୋଟିଏ କବିତା ପ୍ରକାଶିତ ହୋଇଥିଲା । ସେଥିରେ ଲେଖକ ଭାବରେ ମୋ ନାଁ ଦେଇ ନଥିଲି । ବାପା ମୋର ଛନ୍ମନାମ ଦେଇଥିଲେ ‘ଅବଧୂତ’ । ନୀଳକଣ୍ଠ ଦାସଙ୍କର ସେ ଲେଖା ପ୍ରତି ଏପରି ଆଗ୍ରହ ହୋଇଥିଲା ଯେ, ଲେଖକର ନାଁ ନଥିଲେ ବି ସେ ଲେଖାଟି ପ୍ରକାଶ କରିଥିଲେ । ପରେ ସେହି ‘ଅବଧୂତ’ ନାଁରେ ‘ଭୁଲ୍‌’ ଉପନ୍ୟାସ କ୍ରମାନ୍ଵୟରେ ଲେଖିଲି । × × × ସେ ଲେଖାଟି ସେତେବେଳେ ପାଠକ ପାଠିକାମାନଙ୍କୁ ଏପରି ଆକୃଷ୍ଟ କରିଥିଲା ଯେ ‘ନବଭାରତ’ର ମ୍ୟାନେଜର ଶ୍ରୀ ଚିନ୍ତାମଣି ମିଶ୍ର ନିଜ ମୁହଁରେ ମତେ ଥରେ କହିଥିଲେ- ଆପଣଙ୍କ ‘ଭୁଲ’ ଲେଖା ପ୍ରକାଶ ପରଠାରୁ ‘ନବଭାରତ’ ଦ୍ୱିଗୁଣିତ ସଂଖ୍ୟା ପ୍ରକାଶ କରିବାକୁ ବାଧ୍ୟ ହେଲା । (ଶହେଟି ଶରତ, ପୃ୧୧-୧୨)

 

ବିହାରର ପାଟଣାଠାରେ ଜେଲ ଜୀବନ ବିତାଉଥିବାବେଳେ ତାଙ୍କ ମନକୁ ଗୋଟିଏ କଥା ବାରମ୍ବାର ଘାରିଥିଲା । ଅଧ୍ୟୟନ କରିବା ଠିକ୍‌ ନା ଅଧ୍ୟୟନ ଛାଡ଼ି କାରାଗାରରେ ଜୀବନ ବିତାଇବା ଠିକ୍‌- କେଉଁଟା ଠିକ୍‌ ତାହା ସେ ଭାବିପାରୁନଥିଲେ । ସ୍ରଷ୍ଟାଙ୍କର ଏହି ପୃଷ୍ଠଭୂମି ଉପରେ ଆରମ୍ଭ ହୋଇଥିଲା ‘ଭୁଲ’ ଉପନ୍ୟାସ । ଉପନ୍ୟାସ ବର୍ଣ୍ଣିତ ନାୟକ କିଶୋର ଓ ନାୟିକା ସୁଲକ୍ଷଣା । ଉପନ୍ୟାସରେ ଉଭୟ ଉଭୟଙ୍କୁ ଭଲ ପାଇ ବସିଛନ୍ତି । ମାତ୍ର ନିଜର ସ୍ଥିତାବସ୍ଥା ନେଇ ସେମାନେ ଆଉ ସନ୍ତୋଷ ଲାଭ କରିପାରି ନାହାନ୍ତି । ବରଂ ଲକ୍ଷ୍ୟଭ୍ରଷ୍ଟ ସହିତ ପଥ ଭ୍ରଷ୍ଟ ବି ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ଲକ୍ଷ୍ୟ ଭ୍ରଷ୍ଟ ଜୀବନ ହିଁ ‘ଭୁଲ’ ଉପନସ୍ୟାସର ଭିତ୍ତି । ଜୀବନର ଏହି ‘ଭୁଲ’କୁ ନେଇ ‘ଭୁଲ’ ଉପନ୍ୟାସର ପରିକଳ୍ପନା ।

 

‘ଜୀଅନ୍ତା ମଣିଷ’ ଉପନ୍ୟାସର ଶେଷାଂଶରେ ଥିବା ‘ତଥାପି ମଣିଷ ଜୀଇଁଛି ବୋଲି ଛଳୁଥାଏ । ସେହି ଛଳନା ହିଁ ଜୀବନ- ସେହି ଛଳନାକୁ ନେଇ ମଲା ଜୀବନଟାକୁ ନେଇ ମଣିଷ, ଜୀଅନ୍ତା ମଣିଷ । ନିଜକୁ ମଲା କହିବାକୁ ସତକୁ ସତ ବୋଲି କହିବାକୁ ଯାହାର ସାହାସ ନାହିଁ, ସେଇ ତାରି ନାଁ ଜୀଅନ୍ତା ମଣିଷ’ । ଶୀର୍ଷକ ବକ୍ତବ୍ୟ ମଧ୍ୟରେ ଔପନ୍ୟାସିକ ନିତ୍ୟାନନ୍ଦଙ୍କର ଆଭିମୁଖ୍ୟ ସ୍ପଷ୍ଟ ଭାବରେ ବାରିହୋଇ ପଡ଼େ । ଏକ ମନସ୍ତାତ୍ତ୍ୱିକ ଓ ବ୍ୟଞ୍ଜନାଧର୍ମୀ ଉପନ୍ୟାସ ଭାବରେ ନିତ୍ୟାନନ୍ଦଙ୍କର ଏହି ଉପନ୍ୟାସରେ ମଣିଷର ପ୍ରବୃତ୍ତି ଓ ମାନସିକ ବୃତ୍ତି ମଧ୍ୟରେ ସଂଘର୍ଷ ଘଟିଛି । ସେହି ସଂଘର୍ଷ ମଧ୍ୟରେ ଜୀବନର ନିର୍ଯ୍ୟାସକୁ ସ୍ରଷ୍ଟା ଅନ୍ଵେଷଣ କରିଛନ୍ତି । ଯେଉଁ ଅନ୍ତଃସାରଶୂନ୍ୟ ମୂଲ୍ୟବୋଧ, ଅହେତୁକ ଆଦର୍ଶ, ମଣିଷର ହାତଗଢ଼ା ଆଇନ ମଧ୍ୟରେ ମଣିଷ ଆଜି ଆର୍ତ୍ତଚିତ୍କାର କରୁଛି, ଜୀବନବ୍ୟାପି ସେ ତହିଁରୁ ମୁକୁଳି ପାରିନାହିଁ । ବରଂ ଦିନକୁ ଦିନ ସେଥିରେ ସେ ଛନ୍ଦି ହୋଇପଡ଼ୁଛି । ଉପନ୍ୟାସର ନାୟିକା ଚପଳା ସହିତ ଭିକାରୀ ଓ ବିଭୂତି ପରି ଦୁଇଟି ଇତସ୍ତତଃ ବ୍ୟସ୍ତ ବିବ୍ରତ ଚରିତ୍ରଙ୍କ ମନୋବିଶ୍ଳେଷଣ ମଧ୍ୟରେ ସ୍ରଷ୍ଟା ଏହି କଥାକୁ ପ୍ରତିପାଦିତ କରିଛନ୍ତି । ମଣିଷ ମଣିଷକୁ ଭଲ ପାଇବା ମଧ୍ୟରେ ଜୀବନର ଶାଶ୍ଵତ ମୂଲ୍ୟବୋଧକୁ ସେ ଲକ୍ଷ୍ୟ କରିଛନ୍ତି । ସେଥିପାଇଁ ସ୍ରଷ୍ଟା ଚପଳା ମୁଖରେ କରିଛନ୍ତି ‘ପ୍ରତିଟି ମଣିଷର ଦେହ ଅଛି, ପ୍ରାଣ ଅଛି, ମନ ମଧ୍ୟ ଅଛି । ଏହି ଦେହ ପ୍ରାଣ-ମନକୁ ନେଇ ତ ଜୀବନ । ଏହି ଦେହ- ମନ- ପ୍ରାଣର ପରିଧିରେ ମଣିଷ ଆଜି ନିଜକୁ ହଜାଇବାରେ ଆତ୍ମସନ୍ତୋଷ ଲାଭ କରେ । ହୋଇପାରେ ତାହା ସାମୟିକ, ତଥାପି ସେଥିରେ ଆନନ୍ଦ ଅଛି ।’’ (ଜୀଅନ୍ତା ମଣିଷ, ପୃ୧୦୮) ।

 

ଔପନ୍ୟାସିକଙ୍କର ‘ଜୀବନର ଲକ୍ଷ୍ୟ’ ଉପନ୍ୟାସ ୧୯୪୩ ମସିହାରେ ରଚିତ ଓ ୧୯୪୫ ମସିହାରେ ପ୍ରକାଶିତ । ଔପନ୍ୟାସିକ ଜେଲ ଜୀବନ ବିତାଉଥିବାବେଳେ ସେହି ଜେଲ ପରିସରରେ ଏହା ଗଳ୍ପ ଆକାରରେ ଲେଖିଥିଲେ । ତାଙ୍କର ପିତା କାନ୍ତକବି ଲକ୍ଷ୍ମୀକାନ୍ତ ଗଳ୍ପଟି ପଢ଼ି ଖୁବ୍‌ ଖୁସି ହୋଇ ତାଙ୍କ ବନ୍ଧୁ ଗୋପାଳ ଚରଣ ପଟ୍ଟନାୟକଙ୍କୁ ତାହା ପାଠ କରି ଶୁଣାଇଥି‌ଲେ । ଗଳ୍ପଟିକୁ ଟିକିଏ ବଡ଼ କରି ପ୍ରକାଶ କରିଦେଲେ ଭଲ ହୁଅନ୍ତା ବୋଲି ପିତା ପରାମର୍ଶ ଦେବାରୁ, ପିତାଙ୍କ ପରାମର୍ଶ କ୍ରମେ ନିତ୍ୟାନନ୍ଦ ତାଙ୍କ ରଚିତ ଗଳ୍ପଟିକୁ ପରବର୍ତ୍ତୀ କାଳରେ ବଡ଼ କରି ଠିକ୍‌ ଉପନ୍ୟାସ ‘ଜୀବନର ଲକ୍ଷ୍ୟ’ ଭାବରେ ପ୍ରକାଶ କରିଥିଲେ । ମାନବ ହୃଦୟରେ ବୁଦ୍ଧି ଓ ବିବେକ ଜାଗ୍ରତ ହେବା ପରେ ନିଜର ଲକ୍ଷ୍ୟ ପଥରେ ସେ ଆଗକୁ ଆଗକୁ ମାଡ଼ିଚାଲେ । ଚଲାପଥରେ ଯିବାବେଳେ ସେ ବହୁ ତିକ୍ତ ମଧୁର ଅନୁଭୂତିର ସମ୍ମୁଖୀନ ହୋଇଥାଏ । ଜୀବନରେ ସଫଳତା ମିଳିଲେ ସେ ଖୁସିରେ ଆତ୍ମହରା ହୋଇପଡ଼େ ଓ ବିଫଳତାରେ ତା ହୃଦୟରେ ନୈରାଶ୍ୟ ସୃଷ୍ଟି ହୁଏ । ସ୍ରଷ୍ଟାଙ୍କ ମତରେ - ‘‘ଜୀବନଟାକୁ କୋଳେଇ କାଟି ମୁଁ ଯାହା ଦେଖିଛି, ତାକୁ ରାନ୍ଧି ବାଢ଼ି ପରିବେଷଣ କରିବାର ପ୍ରଣାଳୀ ମୁଁ ଦେଇଚି ଓ ଛୋଟ ମନଗଢ଼ା କଥାଟିରେ । ଏ ଜୀବନର ସଉଦାକୁ ସାବଧାନରେ ଆଣି ସାବଧାନରେ ରାନ୍ଧିବାଢ଼ି ବସିଲେ, ଖରାପ ଲାଗିବ ନାହିଁ । ରାନ୍ଧି ନଜାଣି ଚୂଲିର ଦୋଷ ଦେବା ଲୋକ ମୋ ଭଳି ଅନେକ ଥିବେ । ସେଇଭଳି ଲୋକଙ୍କର ତ ରନ୍ଧନ ଶିକ୍ଷା ଦେବା ଅଧିକାର ଥାଏ ଦୁନିଆରେ ।’’ (ଜୀବନର ଲକ୍ଷ୍ୟ, ପୃ ଗ-ଘ) ।

 

ନିତ୍ୟାନନ୍ଦଙ୍କର ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଏବଂ ‘ଘରଡ଼ିହ’- ଉପନସ୍ୟାସତ୍ରୟ ଗୋଟିଏ ରାଜନୀତିକ ପୃଷ୍ଠଭୂମିରେ ରଚିତ ହୋଇଥିବାରୁ ଏହାର ମୂଳଭିତ୍ତି ଏକ । ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଉପନ୍ୟାସରେ ସ୍ଵାଧୀନତା ସମକାଳୀନ ଭାରତବର୍ଷର ପଲ୍ଲୀ ଚିତ୍ର ରହିଥିବାବେଳେ ‘ଘରଡ଼ିହ’ ଉପନ୍ୟାସରେ ସ୍ଵାଧୀନତା ପର ଭାରତବର୍ଷ ପଲ୍ଲୀଭୂମିରେ ଅବସ୍ଥିତ ପରିବର୍ତ୍ତନ ସହିତ ପଲ୍ଲୀ ମାନବର ବିଶ୍ୱାସବୋଧ, ଅନ୍ଧବିଶ୍ୱାସ, କୁସଂସ୍କାର, ସୁଧଖୋର ଟାଉଟର ଓ ମହାଜନମାନଙ୍କର ଅହେତୁକ ଶୋଷଣ ଓ ଅତ୍ୟାଚାର, ପଲ୍ଲୀର କ୍ରମ ଅବକ୍ଷୟ ପ୍ରଭୃତି ନାନା ଚିତ୍ର ଓ ଚରିତ୍ରଙ୍କୁ ଶୋଷଣ ଓ ଅତ୍ୟାଚାର, ପଲ୍ଲୀର କ୍ରମ ଅବକ୍ଷୟ ପ୍ରଭୃତି ନାନା ଚିତ୍ର ଓ ଚରିତ୍ରଙ୍କୁ ଆମେ ସାମ୍‌ନା କରିଥାଉ । ‘ଭଙ୍ଗାହାଡ଼’ ଉପନ୍ୟାସ ମଧ୍ୟରେ ସାମ୍‌ନା କରିଥାଉ । ଶୁକୁରା ଫେରିଛି ତା’ର ଗାଁକୁ । ଢିମା ଢିମା ଆଖିରେ ସେ ଅନାଇଛି ତାର ଗାଁକୁ, ସେଇ ଗାଁ ଦୁଃଖୀ ଦାଶର ଗାଁ, ଧନୀ ମାଷ୍ଟର ଗାଁ, ଶୁକୁରାର ଗାଁ, ରତନୀର ଗାଁ, । ସେଇ ଗାଁରେ ପହଞ୍ଚି ଶୁକୁରା ଦେଖିଛି ତା’ର ଘର ନାହିଁ, ସ୍ତ୍ରୀ ନାହିଁ, ତା’ର ପୁଅ ମଧ୍ୟ ନାହିଁ । ତା’ର ପୁଅ ବାଇୟା ଆସି ଗାଁ ଲୋକଙ୍କୁ ପଚାରୁଛି ବାଇୟା କାହିଁ । ହେଲେ ଉତ୍ତର ସେ ପାଉନାହିଁ । ଗାଁରେ ସବୁ ଅଛନ୍ତି ହେଲେ କୋଡ଼ିଏ ବର୍ଷ ତଳେ ତା ସ୍ତ୍ରୀ କୋଳରେ ବକଟେନାକୁ ଛାଡ଼ି ଯାଇଥିବା ଛୁଆ ବାଇୟା ନାହିଁ । ଆଉ ତେବେ ତା’ ପାଖରେ ରହିଲା କ’ଣ ? ଆଉ ଅଛି କ’ଣ ? ଘର ଯାଇଛି, ଘର ତଳିବି ଯାଇଛି, ଘରର ଘରଣୀ ଯାଇଛି ।’’ (ଘରଡ଼ିହ, ପୃ୪)

 

ଦୀର୍ଘ କୋଡ଼ିଏ ବର୍ଷର କଲିକତାର ରହଣି କାଳରେ ଶୁକୁରା ନିଜର ଜୀବନ କାହାଣୀ ଗ୍ରାମର ସମସ୍ତଙ୍କୁ ବଖାଣିଛି । ସେ ଆଜାଦ୍‌ ହିନ୍ଦ ଫୌଜର ଫାଷ୍ଟ୍‌ ଲେପ୍‌ନାଣ୍ଟ୍‌ ଥିବା କଥା କହି ତା’ର ବାକ୍‌ସରୁ ପୋଷାକ ଓ ୟୁନିଫର୍ମ ବାହାର କରିଛି । ଅନ୍ୟପକ୍ଷରେ ଉତ୍କଳ ପରି ଶାନ୍ତିପ୍ରିୟ ପଲ୍ଲୀର ସୁଖ ଶାନ୍ତିକୁ ଭାଗୁମହାନ୍ତି ପରି ଗାଁ ଟାଉଟର ବ୍ୟାହାତ କରିଛନ୍ତି । ତା’ର ‘ଘରଡ଼ିହ’କୁ ଭାଗୁ ମହାନ୍ତି ଚିରଞ୍ଜିଲାଲ ମାରୁୱାଡ଼ିକୁ ବିକ୍ରୀ କରିଥିବା ଜମି ଉପରେ ଚିରଞ୍ଜିଲାଲ ଧାନକଳ ବସାଇବାକୁ ଠିକ୍‌ କରିଛନ୍ତି । ମାତ୍ର ଗାଁ ଲୋକମାନେ ଧାନକଳ ବସାଇ ନଦେବା ପାଇଁ ପ୍ରତିବାଦ କରିବାରୁ ସରପଞ୍ଚ ସେ ଗାଁର କିଛି ଲୋକଙ୍କୁ । ପାଞ୍ଚଶହ ଟଙ୍କା ଲେଖାଁଏ ଦେଇ ଧାନକଳକୁ ବିରୋଧ କରୁଥିବା ଲୋକମାନଙ୍କୁ ଠେଙ୍ଗାରେ ସାବାଡ଼ କରିବା ପାଇଁ ପରାମର୍ଶ ଦେଇଛନ୍ତି । (ଘରଡ଼ିହ, ପୃ୫୨୦) ବାସ୍ତବରେ ନିତ୍ୟାନନ୍ଦଙ୍କ ‘ଘରଡ଼ିହ’ ଉପନ୍ୟାସ ମଧ୍ୟରେ ସ୍ରଷ୍ଟା ଓଡ଼ିଶା ସମେତ ସମଗ୍ର ଭାରତବର୍ଷର ବାସ୍ତବ ରୂପକୁ ଖୁବ୍‌ ଚମତ୍କାର ରୀତିରେ ପ୍ରକାଶ କରିଛନ୍ତି । କ୍ଷମତାସୀନ ରାଜନୀତିକ ନେତା ଓ ମନ୍ତ୍ରୀଙ୍କ ସମେତ ବିଭିନ୍ନ ରାଜନୀତିକ ଦଳର ସ୍ଵରୂପ, ଗୋଷ୍ଠୀ କନ୍ଦଳ, ହୀନ ରାଜନୀତିର ନଗ୍ନରୂପ ଖୁବ୍‌ ଚମତ୍କାର ଭାବରେ ତାଙ୍କର ଏହି ଉପନ୍ୟାସରେ ରୂପ ପାଇଛି । ସ୍ଵାଧୀନତା ପରେ ଭାରତରେ ମୂଲ୍ୟବୋଧ ଜନିତ ଅଧୋଗତିକୁ ନେଇ ଲେଖକଙ୍କ ପ୍ରାଣରେ ସୃଷ୍ଟ ଉଦ୍‌ବେଳନ ହିଁ ସ୍ରଷ୍ଟାଙ୍କୁ ‘ଘରଡ଼ିହ’ ପରି ଉପନ୍ୟାସ ଲେଖିବା ପାଇଁ ପ୍ରେରଣା ଦେଇଛି ।

 

ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଏହି ସଂସାରରେ ବାସ କରି ମାନବ ସଂସାର ପ୍ରତି ମୋହମୁକ୍ତ ହୋଇପଡ଼େ । ମାତ୍ର ସଂସାର ସୁଖ ବାସ୍ତବ ସୁଖ ନୁହେଁ । ଭଗବାନଙ୍କ ସାନ୍ନିଧ୍ୟଲାଭ ହିଁ ବାସ୍ତବ ସୁଖର ମୂଳ ହେତୁ । ଔପନ୍ୟାସିକ ନିତ୍ୟାନନ୍ଦଙ୍କର ସୁଖର ସନ୍ଧାନେ ଉପନ୍ୟାସ ମଧ୍ୟରେ ଆମେ ଏହା ହି ଲକ୍ଷ୍ୟ କରୁ । ଉପନ୍ୟାସର ନାୟକ କନକାଦିତ୍ୟ ଓ ନାୟିକା ଅନିମେଷାଙ୍କ ମଧ୍ୟରେ ପ୍ରଣୟ ଓ ସଂସାର ବୈରାଗ୍ୟ ସହିତ ବାସ୍ତବ ସୁଖ ଅନ୍ୱେଷଣ ହେଉଛି ଉପନ୍ୟାସର ମୂଳ ଭିତ୍ତି । ସ୍ରଷ୍ଟା ନିତ୍ୟାନନ୍ଦଙ୍କର ନାୟକ ବାସ୍ତବ ସୁଖ ଲାଭ ନିମିତ୍ତ ସଂସାର ବନ୍ଧନ ମଧ୍ୟରେ ବାନ୍ଧି ହୋଇ ନଯାଇ ଏକ ବୃହତ୍ତର ଦିଗ୍‌ବଳୟ ଦିଗରେ ନିଜର ହସ୍ତ ପ୍ରସାରିତ କରିଛନ୍ତି, ସୁଖର ସନ୍ଧାନ ପାଇଁ ଗୃହତ୍ୟାଗ କରିଛନ୍ତି । ସେ ଅନୁଭବ କରିଛନ୍ତି ଭୋଗରେ ସୁଖନାହିଁ, ତ୍ୟାଗରେ ହିଁ ସୁଖ । ଅଳୀକ ସୁଖରେ ବିଶ୍ଵାସୀ ନହୋଇ ଉପନ୍ୟାସ ନାୟକ କନକାଦିତ୍ୟକୁ ବୃହତ୍ତର ସୁଖ ଅନ୍ୱେଷଣ କରିବା ପାଇଁ ପ୍ରବର୍ତ୍ତାଇଛନ୍ତି ।

 

୧୯୫୨ ମସିହାରେ ଜୀବନର ମହାର୍ଘ୍ୟ ପ୍ରେମକୁ ନେଇ ସ୍ରଷ୍ଟାଙ୍କର ରଚିତ ‘ପୀରତି ପଥ ଖସଡ଼ା’ ପରବର୍ତ୍ତୀ କାଳରେ ୧୯୮୦ ମସିହାରେ ‘ଖସଡ଼ାବାଟ’ ଉପନ୍ୟାସ ଭାବରେ ପୁନଃ ପ୍ରକାଶିତ ହୋଇଅଛି । ଉପନ୍ୟାସ ନାୟିକା ସୁମିତ୍ରା ଜଣେ ମାନସିକ ରୋଗୀ । ଶାରୀରିକ ରୋଗଠାରୁ ତା’ର ମାନସିକ ରୋଗ ଅଧିକ । ଶାରୀରିକ ରୋଗ ପାଇଁ ଔଷଧ ସିନା ଆବଶ୍ୟକ । ମାତ୍ର ମାନସିକ ରୋଗ ପାଇଁ ଔଷଧ ଅପେକ୍ଷା ତା’ର ମାନସିକ ସତ୍ତା ଅନ୍ଵେଷଣ ବଡ଼ କଥା । ମାନସିକ ବିକାର ଅନ୍ୱେଷଣ କରି ନ ହେଲେ ଚିକିତ୍ସା ଅସମ୍ଭବ ବ୍ୟାପାର । ଉପନ୍ୟାସ ବର୍ଣ୍ଣିତ ଡାକ୍ତର ଚରଣ ମାନସିକ ରୋଗାକ୍ରାନ୍ତ ସୁମିତ୍ରାର ଘରକୁ ଯିବା ତାଙ୍କୁ ତା’ର ମାନସିକ ରୋଗରୁ ମୁକ୍ତ କରିବାରେ ସାହାଯ୍ୟ କରିବା ମଧ୍ୟରେ ସେହି ରୋଗୀର ପ୍ରେମରେ ପଡ଼ିଯାଇଥିଲେ । ଉପନ୍ୟାସର ଦ୍ଵିତୀୟ ପର୍ଯ୍ୟାୟରେ ଉପନ୍ୟାସ ନାୟିକା ସୁମିତ୍ରାର ଶୋଚନୀୟ ମୃତ୍ୟୁ ମଧ୍ୟରେ ତା’ର ବୈବାହିକ ଜୀବନର ବିଫଳତା, ପ୍ରେମରେ ପିଚ୍ଛିଳତା ଓ ଭଟ୍ଟା ହିଁ ବର୍ଣ୍ଣିତ । ଏହି ଭଟ୍ଟାର ସମ୍ମୁଖୀନ ହୋଇଛନ୍ତି ଉପନ୍ୟାସ ବର୍ଣ୍ଣିତ ସୁମିତ୍ରା, ନିରଞ୍ଜନ ଓ ଡାକ୍ତର ପ୍ରଭୃତି ଚରିତ୍ରମାନେ । ସୁତରାଂ ମଣିଷ ଜୀବନର ଏହା ଉତ୍‌ଥାନ ପତନ ଭରା ପ୍ରେମ କାହାଣୀକୁ ନେଇ ସ୍ରଷ୍ଟାଙ୍କର ‘ଖସଡ଼ାବାଟ’ ଉପନ୍ୟାସ ପରିକଳ୍ପିତ ।

 

ସ୍ରଷ୍ଟାଙ୍କର ‘ଜଳନ୍ତା ନିଆ’ ପ୍ରଣୟ କାହାଣୀ ଭିତ୍ତିରେ ରଚିତ ଏକ କ୍ଷୁଦ୍ର ଅଥଚ ସଫଳ ଉପନ୍ୟାସ । ଉପନ୍ୟାସର ପୃଷ୍ଠଭୂମି ସଂପର୍କରେ ସ୍ରଷ୍ଟା ପ୍ରକାଶ କରିଛନ୍ତି ଅନେକ ଦିନ ତଳେ ପାଟନାରେ ମୁଁ ନିମଅପା କି ବସିଥାଉଁ । ତୁ ମେଡ଼ିକାଲ କଲେଜରୁ ଫେରିଲୁ । ନିମଅପା ଲଗେଇଥାଏ ମୋତେ ବାହାହେବାକୁ ରାଜି କରିବା ପାଇଁ । ସେତେବେଳକୁ ମୁଁ ଗୁହାଳବୁଢ଼ା ହୋଇନଥାଏ ସେମିତି - ୧୯୪୧ ମସିହା ତ ? ତଥାପି ମୁଁ ଭାବୁଅଛି ମୋର ବୟସ ବଢ଼ିଗଲାଣି । ତୁ ତା’ର ପ୍ରତିବାଦ କରି କହିଲୁ - ଶୁଣ ଭାଇ, ଆମ କଲେଜର ଜଣେ ପଚାଶ ବରଷର ବୁଢ଼ା ପ୍ରଫେସର ସାଙ୍ଗରେ ଷୋଳ ବରଷର ଛାତ୍ରୀଟିଏ ପଳେଇଲା । ଦୁଇଦିନ ପରେ ଶୁଣିଲୁ ସେମାନେ ବିଭା ହୋଇଛନ୍ତି । ତୁ ମୋତେ ଆଶ୍ଚର୍ଯ୍ୟ କରିଦେବାକୁ ଚାହିଁଥିଲୁ । ମୁଁ ଅତି ସରଳଭାବେ କଥାଟିକୁ ଗ୍ରହଣ କରିଥିଲି । ସେତେବେଳେ କିନ୍ତୁ ତାର ପ୍ରଭାବ ମୋ ଭିତରେ କେମିତି ଅର୍ଦ୍ଧ ଚେତନାରେ ରହିଯାଇଥିଲା । ଠିକ୍‌ ତା’ର କେତେଦିନ ପରେ ଦୀର୍ଘ ଚାରିବର୍ଷ ଜେଲରେ କଟେଇବା ପାଇଁ ପଡ଼ିଲା । ବେଳେ ବେଳେ ଏକୁଟିଆ ବସି ହାତରେ ରେଖା ଗଣେ । କୋରାପୁଟ ଜେଲରେ ମୁଁ ଏକା ଥାଏ, ସେତିକିବେଳେ ସେହି କଥାଟା ମୋ ଆଗରେ ବଡ଼ ହୋଇ ଠିଆହେଲା । ସେତେବେଳେ ମୁଁ ତା’ର କାରଣ ଖୋଜିଲି । ପାଇଲାପରି ଲାଗିଲା, ସେଇଠୁ ଆରମ୍ଭ ହେଲା ଏ ଉପନ୍ୟାସ ।’ (ନିତ୍ୟାନନ୍ଦ ପରିକ୍ରମା, ପୃ୧୦୦)

 

ଉପନ୍ୟାସ ବର୍ଣ୍ଣିତ ଏହି ନିଆଁ ହେଉଛି ମଣିଷର ଅନ୍ତଃ ରାଜ୍ୟରେ ଚିର ପ୍ରଜ୍ୱଳିତ ନିଆଁ ଏ ଯାହାକୁ ଦେଖାଇ ନୁଏ ନାହିଁ ବା ଦେଖି ହୁଏ ନାହିଁ । ବାହ୍ୟ ଜଗତର ପ୍ରଜ୍ଜଳିତ ନିଆଁକୁ ସମସ୍ତେ ଦେଖିପାରନ୍ତି ମାତ୍ର ମନର ନିଆଁକୁ କେହି ଦେଖିପାରନ୍ତି ନାହିଁ ବା କାହାକୁ ଦେଖାଇପାରନ୍ତି ନାହଁ । ମାନବର ମନୋଭାବରେ ଚିର ପ୍ରଜ୍ଜ୍ୱଳିତ ଏହି ନିଆଁକୁ ମନର ନିଆଁ ଭାବରେ ସ୍ଵୀକାର କରି ଉପନ୍ୟାସର ବର୍ଣ୍ଣିତ ନାୟିକା ଚପଳା ମଧ୍ୟରେ ସ୍ରଷ୍ଟା ମଣିଷର ସେହି ଭାବନାକୁ ପ୍ରକଟିତ କରିଛନ୍ତି-। ଏ ସଂପର୍କରେ ସ୍ରଷ୍ଟା ଉଲ୍ଲେଖ କରିଛନ୍ତି - ମଣିଷ ଦେହରେ ଗୋଟାଏ ନିଆଁ ଥାଏ, ହଁ ନିଆଁ । ସେ ନିଆଁ କେଉଁଠି ଜଳେ କେହି ଦେଖିନାହିଁ । ସେ ନିଆଁର ଧାସଟା ଏକା ଛାତିକୁ ଲାଗେ । ମଣିଷ ବେଳେ ବେଳେ ଚିହିଁ ଉଠେ, ତା ଚିଆଁରେ । ସେ ନିଆଁରୁ ନିଆଁ ନେଇ ଶହେ କି ହଜାରେ ନିଆଁ ଜଳି ଉଠେ, ତଥାପି ସେ ନିଆଁ ସରିଯାଏ ନାହିଁ, ଘୋରିଯାଏ ନାହିଁ, ସେ ନିଆଁ ସେମିତି ଜଳୁଥାଏ । ମଣିଷ ଦେହରୁ, ମନରୁ କ’ଣ ଶୋଷି ଶୋଷି ଗରଭ ଜଳିଯାଏ । ଖାଲି ରହେ ପାଉଁଶ- ତୁଚ୍ଛା ପାଉଁଶ ।’’ (ଜଳନ୍ତା ନିଆଁ, ପୃ- ୯) ।

 

ସ୍ରଷ୍ଟାଙ୍କର ରଚିତ ଏକ ପୌରାଣିକ ଉପନ୍ୟାସ ହେଉଛି ଇନ୍ଦ୍ର ଓ ଇନ୍ଦ୍ରାଣୀ । ଏହା ୧୯୭୭ ମସିହାରେ ପ୍ରକାଶିତ । ସଚ୍ଚି ଓ ଇନ୍ଦ୍ରଙ୍କର ପ୍ରେମ କାହାଣୀକୁ କେନ୍ଦ୍ରକରି ବହୁ ମାନବୀୟ ଓ ସ୍ଵର୍ଗୀୟ ଚରିତ୍ରର ସମାବେଶ ଏହି ଉପନ୍ୟାସ ମଧ୍ୟରେ ଲକ୍ଷଣୀୟ । ବିଶେଷ କରି ସଚ୍ଚି ଓ ଇନ୍ଦ୍ରଙ୍କ ମଧ୍ୟରେ ଥିବା ଅଭେଦ୍ୟ ପ୍ରୀତିକୁ ପୌରାଣିକ ଆଖ୍ୟାନ ମାଧ୍ୟମରେ ସ୍ରଷ୍ଟା ଆମ ସମାଜର ସାଧାରଣ ମଣିଷର ବାସ୍ତବ ରୂପକୁ ପ୍ରକଟିତ କରିଛନ୍ତି । ଏହି ବର୍ଷ ଅର୍ଥାତ୍‌ ୧୯୭୭ ମସିହାରେ ଯବନ ହରିଦାସଙ୍କର ଜୀବନୀ ଭିତ୍ତିରେ ସ୍ରଷ୍ଟାଙ୍କର ଅନ୍ୟ ଏକ ସଫଳ ପ୍ରକାଶିତ ଉପନ୍ୟାସ ହେଉଛି ‘ନାହଂ ତିଷ୍ଠାମି ବୈକୁଣ୍ଠେ’ । ଏହା ଏକ ଚରିତୋପନ୍ୟାସ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ । ବୈଷ୍ଣବୀୟ ଭାବଧାରା ଦ୍ଵାରା ପ୍ରଭାବିତ ସ୍ରଷ୍ଟା ଉପନ୍ୟାସ ମଧ୍ୟରେ ଭଗବାନଙ୍କ ମୁଖରେ ଦେବର୍ଷୀ ନାରଦକୁ ସୂଚନା ପ୍ରଦାନ ମଧ୍ୟରେ କହିଛନ୍ତି- ‘‘ମୁଁ ବୈକୁଣ୍ଠରେ ନଥାଏ କି ଯୋଗୀଜନ ହୃଦୟ କନ୍ଦରରେ ନଥାଏ, ମୋର ଭକ୍ତଗଣ ଯେଉଁଠି ମୋର ନାମ ଗାନ କରୁଥାନ୍ତି, ମୁଁ ସେଇଠି ଥାଏ ।’ ମହାଭାରତୀୟ ପ୍ରେକ୍ଷାପଟ୍ଟରେ ଯବନ ହରିଦାସ ଏକ ବହୁ ଚର୍ଚ୍ଚିତ ନାମ । ସେ ପୁଣି ଭଗବାନ ଶ୍ରୀକୃଷ୍ଣଙ୍କର ଶ୍ରେଷ୍ଠ ଭକ୍ତ । ମାତ୍ର ନୀଚକୂଳରେ ଜାତ ହୋଇଥିବାରୁ ଦିଅଁ ଦର୍ଶନରୁ ସେ ଚିର ବଂଚିତ । ଏକ ଆଖ୍ୟାୟିକା ପରି ପ୍ରତୀୟମାନ ହେଉଥିଲେ ହେଁ, ହରିଦାସଙ୍କ ଜୀବନର ବାସ୍ତବତାକୁ ନେଇ ସ୍ରଷ୍ଟା ଖୁବ୍‌ ଚମତ୍କାର ଭାଷା ଓ ରୀତିରେ ପ୍ରକାଶ କରିଛନ୍ତି ଏହି ଜୀବନୀଭିତ୍ତିକ, ଉପନ୍ୟାସ ‘ନାହଂ ତିଷ୍ଠାମି ବୈକୁଣ୍ଠେ’ । ଉପନ୍ୟାସଟି ପାଠକରେ ପାଠକର ପ୍ରାଣ ଭକ୍ତି ଭାବରେ ଆର୍ଦ୍ର ହୋଇଯାଏ ।

 

ସ୍ରଷ୍ଟା ନିତ୍ୟାନନ୍ଦ ଆମ ସାହିତ୍ୟର ସମସ୍ତ ବିଭାଗରେ ଲେଖନୀ ଚାଳନା କରିଥିଲେ ହେଁ ତାଙ୍କର ସଫଳତା ଉପନ୍ୟାସ ମଧ୍ୟରେ । ସ୍ୱାଧୀନତା ସମକାଳୀନ ଓ ସ୍ଵାଧୀନତା ପରେ ଭାରତବର୍ଷର ସମାଜ ବ୍ୟବସ୍ଥା ସହିତ ଓତଃପ୍ରୋତ ଜଡ଼ିତ ହୋଇ ସେ ତାଙ୍କର ପ୍ରତ୍ୟେକଟି ଉପନ୍ୟାସରେ ସେହି ସ୍ଵରକୁ ପ୍ରତିପାଦିତ କରିଛନ୍ତି । ‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଓ ‘ଘରଡ଼ିହ’ ଉପନ୍ୟାସ ମଧ୍ୟରେ ଓଡ଼ିଆ ମାଟିର ମହକକୁ ସେ ଯେପରି ଅଭିନବ ଭାଷା ଓ ଚମତ୍କାର ରୀତିରେ ପ୍ରତିପାଦିତ କରିଛନ୍ତି - ତାହା ସମଗ୍ର ଭାରତୀୟ ସାହିତ୍ୟରେ ଅତୁଳନୀୟ । ସ୍ରଷ୍ଟା ଆଜି ଏକଶତ ବର୍ଷରେ ଉପନୀତ । ଏହି ଶତାୟୁ ଆମ ସାରସ୍ଵତ ଭୂମିକୁ ଆହୁରି ସୁରଭିତ ଓ ରସାଣିତ କରିଥାନ୍ତୁ - ଏତିକି କାମନା ।

 

 

ସଂପାଦକ

ସାରଳା ସାହିତ୍ୟ ସଂସଦ କଟକ

 

***

 

Unknown

ନିତ୍ୟାନନ୍ଦ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ : ଏକ ଦୃଷ୍ଟିପାତ

ରବୀନ୍ଦ୍ର କୁମାର ବେହୁରିଆ

 

ଆଧୁନିକ ଓଡ଼ିଆ କ୍ଷୁଦ୍ରଗଳ୍ପ ରଚନା କ୍ଷେତ୍ରରେ ନିତ୍ୟାନନ୍ଦ ମହାପାତ୍ରଙ୍କ ଅବଦାନ ସର୍ବାଦୌ ସ୍ମରଣୀୟ । ସ୍ଵାଧୀନତା ପୂର୍ବରୁ ସେ ଓଡ଼ିଆ ଗଳ୍ପ ରଚନା କରି ଆସିଅଛନ୍ତି ଏବଂ ସେହି ଧାରାକୁ ସେ ସ୍ୱାଧୀନତା ଲାଭର ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ଅକ୍ଷତ ରଖିପାରିଛନ୍ତି । ସେ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକୁ ମନୋଜ୍ଞ ଶୈଳୀରେ ପ୍ରକାଶ କରିଅଛନ୍ତି । ଆଙ୍ଗିକରେ ଯେପରି ଅଛି ନାଟକୀୟ ଚମକ, ଆତ୍ମିକରେ ସେହିପରି ଅଛି ଗଭୀର ମନନଶୀଳତା । ଏକ ନୈର୍ବ୍ୟକ୍ତିକ ଦୃଷ୍ଟିଭଙ୍ଗୀ ନେଇ ସେ ମଣିଷ ଜୀବନକୁ ନ ଦେଖି ଏକ ବୟକ୍ତିକ ଦୃଷ୍ଟିଭଙ୍ଗୀ (subjective view) ନେଇ ସେ ଜୀବନକୁ ଦେଖିଛନ୍ତି ଏବଂ ନିଜକୁ ଗଳ୍ପ ଭିତରେ ଚରିତ୍ର କରି ଛିଡ଼ା କରାଇ ଦେଇଛନ୍ତି । ‘ଏଗାରଟା’, ‘କ୍ଷଣିକା’, ‘ଧଳାଗାର କଳାଗାର’, ‘ଆଖି ନାହିଁ କାନ ନାହଁ’ ଆଦି ବିଭିନ୍ନ ଗଳ୍ପ ପୁସ୍ତକ ମଧ୍ୟରୁ ଏହି କଥାଶିଳ୍ପୀଙ୍କର ଯଥାର୍ଥ ପ୍ରତିଭାର ପରିଚୟ ମିଳିଥାଏ । ବିଶେଷତଃ ୧୯୩୨ ମସିହାର ଲବଣ ସତ୍ୟାଗ୍ରହଠାରୁ ଭାରତୀୟ ତଥା ଉତ୍କଳୀୟ ଜନଜୀବନରେ ଯେଉଁ ରାଜନୀତିକ- ସାମାଜିକ ସାଂସ୍କୃତିକ ବିବର୍ତ୍ତନ- ପରିବର୍ତ୍ତନ- ବିକ୍ଷୋଭଣ ଦେଖାଯାଇଥିଲା, ସେହି ଭାବଧାରାକୁ ଗାଳ୍ପିକ ନିତ୍ୟାନନ୍ଦ ତାଙ୍କର ଉପନ୍ୟାସ ଓ କ୍ଷୁଦ୍ରଗଳ୍ପମାନଙ୍କରେ ପ୍ରକାଶ କରିଅଛନ୍ତି । ସ୍ଥୂଳବସ୍ତୁ ସତ୍ତା ମଧ୍ୟଦେଇ ସୂକ୍ଷ୍ମ ମାନସିକ ଭାବାବେଗକୁ ରୂପାୟନ କରି ଓଡ଼ିଆ କ୍ଷୁଦ୍ରଗଳ୍ପ କ୍ଷେତ୍ରରେ ଏକ ନିର୍ଦ୍ଦିଷ୍ଟ ଭୂମିକା ଗ୍ରହଣ କରିବାକୁ ସମର୍ଥ ହୋଇଅଛନ୍ତି । ଅଧ୍ୟାପକ ଚିନ୍ତାମଣି ବେହେରା ନିତ୍ୟାନନ୍ଦ ମହାପାତ୍ରଙ୍କ କ୍ଷୁଦ୍ରଗଳ୍ପ ଉପରେ ଆଲୋଚନା କରି ମତ ଦେଇଛନ୍ତି - ‘‘ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ସ୍ଥୁଳତଃ ରୋମାଣ୍ଟିକ ଶିଳ୍ପୀ ଓ ଭାବପ୍ରବଣତାର ଉପାସକ । ମନସ୍ତାତ୍ତ୍ୱିକ ବ୍ୟଞ୍ଜନାର ସ୍ପର୍ଶ ଦେବାରେ ତାଙ୍କର ତୂଳୀ ଅଧିକ ନିପୁଣତାର ପରିଚାୟକ । କେତେକ ଆଧୁନିକ ଗଳ୍ପରେ ଯୁଗର ସଂଘର୍ଷମୟ ବାତାବରଣର ଚିତ୍ର ଅବଶ୍ୟ ତାଙ୍କର ପରିଲକ୍ଷିତ କିନ୍ତୁ ସେଗୁଡ଼ିକରେ ମଧ୍ୟ ତାଙ୍କର ରୋମାଣ୍ଟିକ ଦୃଷ୍ଟିଭଙ୍ଗୀ ଉପଭୋଗ୍ୟ ଏବଂ ତାଙ୍କର ଶିଳ୍ପସିଦ୍ଧି ଭାବଧର୍ମୀ ଗଳ୍ପଗୁଡ଼ିକରେ ହି ସୁଦୃଶ୍ୟ ।’’

 

କଥାକାର ନିତ୍ୟାନନ୍ଦ ମହାପାତ୍ର ସ୍ରଷ୍ଟା ଜୀବନର ଆଦ୍ୟ ଭାଗରେ ରୋମାଣ୍ଟିକ ବ୍ୟାକୁଳତାକୁ ପ୍ରକାଶ କରୁଥିଲେ ହେଁ କ୍ରମେ ସେ ଭାବପ୍ରବଣତାକୁ ପରିତ୍ୟାଗ କରି ସମାଜ ସଚେତନତାକୁ ପ୍ରକାଶ କରିଅଛନ୍ତି । ଏ ପ୍ରସଙ୍ଗରେ ସମାଲୋଚକ ସୁରେନ୍ଦ୍ର ମହାନ୍ତି ଲେଖିଛନ୍ତି - ‘‘କ୍ଷୁଦ୍ରଗଳ୍ପ ରଚନାରେ ନିତ୍ୟାନନ୍ଦଙ୍କ ସିଦ୍ଧି ଓ କୁଶଳତାର ପରିମାଣ ଉପନ୍ୟାସ ରଚନାରେ ନାହିଁ । X X X ନିଚ୍ଛକ ଭାବ ପ୍ରବଣତାକୁ ବର୍ଜନ କରି ସମାଜ ସଚେତନତାର ସ୍ପର୍ଶ ଏବେ ତାଙ୍କ କଥାସାହିତ୍ୟରେ ପ୍ରକାଶ ପାଉଥିବା ଆଶା ଓ ଆନନ୍ଦର ବିଷୟ ।’’ ଏଗାରଟା, ଖୁଡ଼ୀ, ପରିବର୍ତ୍ତନ, ରୁକ୍‌, ଗରିବର ଦେବତା, ଦୂର ଓ ନିକଟ, ବସଷ୍ଟାଣ୍ଡ ଆଦି ଗଳ୍ପରୁ ଲେଖକଙ୍କର ସାମାଜିକ-ସଚେତନତା ଦେଖିବାକୁ ମିଳେ ।

 

୧୯୩୨ ମସିହାର ଲବଣ ସତ୍ୟାଗ୍ରହର ପୃଷ୍ଠଭୂମିକୁ ଅବଲମ୍ବନ କରି ଲେଖକ ରଚନା କରିଛନ୍ତି ‘ଏଗାରଟା’ କ୍ଷୁଦ୍ରଗଳ୍ପ ଜନସାଧାରଣଙ୍କର ଲୁଣ ମାରିବା ସ୍ଵାଧୀନତାକୁ ଇଂରେଜ ସରକାର ପ୍ରତ୍ୟାହାର କରି ନେଇଥିବାରୁ ମହାତ୍ମାଗାନ୍ଧିଙ୍କ ଆହ୍ୱାନରେ ସାରା ଭାରତ ବର୍ଷରେ ଲବଣ ସତ୍ୟାଗ୍ରହ ଚାଲୁଥାଏ ଓଡ଼ିଶାରେ ମଧ୍ୟ ଏହି ସମୟରେ ବାଲେଶ୍ଵରଠାରେ ଲୋକମାନଙ୍କ ମଧ୍ୟରେ ଲୁଣ ମାରିବାର ପାଇଁ ପ୍ରବଳ ଆଗ୍ରହ ସୃଷ୍ଟି ହୋଇଥାଏ । ଲେଖକ ନିଜ ସତ୍ୟାଗ୍ରହୀମାନଙ୍କୁ ପରିଚାଳିତ କରୁଥାନ୍ତି । ଇଂରେଜ ସରକାରଙ୍କର ସଶସ୍ତ୍ର ପୋଲିସ ବାହିନୀ ନିରୀହ ସତ୍ୟାଗ୍ରହୀଙ୍କ ଉପରେ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥାନ୍ତି । ଲେଖକ ସେହି ଅତ୍ୟାଚାରିତ ଜନତାକୁ ଉଦ୍‌ବୋଧନ ଦେଉଥାନ୍ତି “ମର ପଛେ ଛାଡ଼ ନାହିଁ ।’’ ପୋଲିସର ଲାଠି, ଘୁସା, ଜୋତାମାଡ଼ ସେମାନଙ୍କୁ ହଟାଇ ପାରିଲା ନାହିଁ ସମସ୍ତଙ୍କ କଣ୍ଠରୁ ସୃଷ୍ଟି ହେଉଥାଏ ମହାତ୍ମାଗାନ୍ଧୀଙ୍କ ଜୟ - ଭାରତ ମାତାକି ଜୟ- ଲବଣ ସତ୍ୟାଗ୍ରହ କି ଜୟ ମରଣ ସେମାନଙ୍କୁ ଲକ୍ଷ୍ୟଚ୍ୟୁତ କରାଇ ପାରିଲା ନାହିଁ । ଲେଖକ ସେହି ସମୟର ପରିସ୍ଥିତିକୁ ଅନୁଭବ କରି ଲେଖିଛନ୍ତି - ‘‘ମନୁଷ୍ୟ ଜୀବନରେ ଏପରି ମଧ୍ୟ ଗୋଟାଏ ଗୋଟାଏ ମୁହୂର୍ତ୍ତ ଆସେ, ଯେତେବେଳେ ମରଣ ମଧ୍ୟ ତା’ ପକ୍ଷରେ ଗୋଟାଏ କୌତୁକ ଆଉ କୌତୁହଳର କାରଣ ହୋଇପଡ଼େ ।” ଦେଶପ୍ରେମରେ ପୁଣି ଭଟ୍ଟା ପଡ଼ିଲା-। ସତ୍ୟାଗ୍ରହୀମାନେ ଆଉ ଜେଲକୁ ଗଲେ ନାହିଁ ତେଣୁ ରହିମ କହିଛି- ‘‘ଦେଶପ୍ରେମଟା ମଧ୍ୟ କେବଳ ଗୋଟାଏ ଶଠତା-ପ୍ରତାରଣା ! ହାୟରେ ହତଭାଗା ଦେଶ ! ଏ ଦେଶ କ’ଣ ସ୍ଵାଧୀନ ହେବ ନାହିଁ, ମହାପାତ୍ର ?” ସାମାଜିକ ଜୀବନରେ ଏହି ରାଜନୀତିକ ସଚେତନତାକୁ ଲେଖକ ଉକ୍ତ ଗଳ୍ପରେ ଜୀବନ୍ତ ଭାବରେ ପ୍ରକାଶ କରିଅଛନ୍ତି ।

 

‘ଖୁଡ଼ୀ’ ଗଳ୍ପରେ ଲେଖକ ଜନୈକା ନାରୀର ବାପା ମାଆ ଛେଉଣ୍ଡ ପିଲା ପ୍ରତି ଅନାଦର ଭାବକୁ ପ୍ରକାଶ କରିଅଛନ୍ତି ନାରୀ,ନିଜର ସନ୍ତାନ ପ୍ରତି ଯେତିକି ସ୍ନେହ ଓ ଆଦର ଦେଖାଏ ଅନ୍ୟ ପିଲାଙ୍କ ପ୍ରତି ସେତିକି ସ୍ନେହ ଦେଖାଏ ନାହିଁ ପିତୃମାତୃହୀନ ନିଜର ପୁତୁରା ପ୍ରତି ମଧ୍ୟ ନାରୀ ସମ୍ବେଦନା ପ୍ରକାଶ କରି ନାହିଁ । ସାମାଜିକ ଜୀବନର ଏହି ଭାବସତ୍ୟକୁ ଲେଖକ ଉକ୍ତ ଗଳ୍ପରେ ପ୍ରକାଶ କରିଅଛନ୍ତି ।

 

‘ରୁକ’ ଗଳ୍ପରେ ସମାଜରେ ନାରୀ ନିର୍ଯ୍ୟାତନାକୁ ଲେଖକ ହୃଦୟସ୍ପର୍ଶୀ ଭାବରେ ରୂପଦେଇ ମାନବିକ ସମ୍ବେଦନା ସୃଷ୍ଟି କରିଅଛନ୍ତି । ଏକଦା ଊନବିଂଶ ଶତାବ୍ଦୀରେ ଆମର ସାମାଜିକ ବ୍ୟବସ୍ଥା ନାରୀଶିକ୍ଷାକୁ ପ୍ରଶୟ ଦେଇ ନ ଥିଲା ଫକୀରମୋହନ ସେନାପତି ‘ରେବତୀ’ ଗଳ୍ପରେ ଜେଜୀମା ଚରିତ୍ର ଅବଲମ୍ବନରେ କହିଥିଲେ- “ପାଠ କ’ଣ ଲୋ ? ମାଇକିନିଆ ଝିଅଟା ପାଠ କ’ଣ ? ରନ୍ଧାବଢ଼ା ପିଠାପଣା କରି ଶିଖ, ଝୋଟିଦିଆ ଶିଖ, ଦହିମୁହାଁ ଶିଖ, ପାଠ କ’ଣ ?” ଏହି ଉକ୍ତିର ପ୍ରତିଧ୍ଵନି ନିତ୍ୟାନନ୍ଦ ମହାପାତ୍ରଙ୍କ ‘ରୁକ' ଗଳ୍ପରେ ଦେଖିବାକୁ ମିଳେ ରୁକ୍ମିଣୀ ଯେତେବେଳେ ପାଠ ପଢ଼ିବାକୁ ମନେକରେ ତା’ର ମା’ କହେ- ‘‘ଛିଆ, ଝଇଅଟା ପୁଣି ଗୋଟାଏ ପାଠ ପଢ଼ିବ କଅଣ ଲୋ ମା ! ରାଇଜ ଲକ୍ଷ୍ମୀଛଡ଼ା କଥା ଶୁଣିବ ଏଇଠି ।’’ ପୁଅକୁ ଭଲ ଖାଇବାକୁ ଓ ପିନ୍ଧିବାକୁ ଦିଆଯାଉଥିବାବେଳେ ଝିଅକୁ ଦିଆଯାଏ ନାହିଁ । ‘‘ମା’- କହନ୍ତି, ମାଇକିନିଆ ଝିଅଟା ଅଏସରେ ବଢ଼ିବ ଗୋଟାଏ କ’ଣ ମ ।’’

 

‘ଗରିବର ଦେବତା’ ଗଳ୍ପରେ ଲେଖକ ଗ୍ରାମ୍ୟ ଜୀବନର ଭାବ-ସତ୍ୟକୁ ପ୍ରକାଶ କରିଅଛନ୍ତି-। ତାଙ୍କ ଭାଷାରେ- “ଆଉ ଯେଉଁଠି ଯେତେ ଅଘି ଲାଗୁପଛେ, ଗାଁ ଅଘି ନ ଜାଳିଲେ ଅଗ୍ନି ଦେବତୀ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଗାଁ ଅଘି ପୂଜା ସେ ଅଗ୍ନି ଦେବତା ସତ ସତ ପାଆନ୍ତି- ଅଗ୍ନି ଦେବତା ସେଠି ବିଜେ ହୁଅନ୍ତି । ଗାଁ ଅଘିରୁ ଦରପୋଡ଼ା ବାଇଗଣ ଖାଇଲେ ଛୁଆଙ୍କୁ ବରଷକ ଯାକ କାଛୁକୁଣ୍ଡିଆ ହୁଏ ନାହିଁ । ବର୍ଷେ ଗାଁର ଲୋକେ ଦୁଇ ଫାଙ୍କ ହୋଇ ଦୁଇ ଜାଗାରେ ଅଭି ଜାଳିଲେ ସେ ବରଷ ଯେଉଁ ଘରପୋଡ଼ି ହେଲା, ସେମିତି ବିତ୍‌ପାତ ଖୁବ୍‌ ବୁଢ଼ା ବୁଢ଼ା ଲୋକ ବି ତାଙ୍କ ଦିହକରେ କେବେ ଦେଖି ନ ଥିଲେ ବୋଲି କହିଲେ । ତହିଁ ଆର ବର୍ଷଠାରୁ ଗାଁ ଭିତରେ ଯେତେ ବାଦ ବିବାଦ ଥାଉ ପଛେ ଅଘି ଦବାକୁ ଛଣ ଦେବା ପାଇଁ ମନା କରିବାକୁ କାହାର ବହପ ପାଏ ନାହିଁ । ଛଣ ସମସ୍ତଙ୍କ ଘରୁ ଆସେ କାହାରିକି ଯାଇ ଗୋଟାଇ ସାଉଁଟି ଆଣିବାକୁ ପଡ଼େ ନାହିଁ । ଯେଝାର ହିସା ଭାଗ ସେ ଆଣି ଜମା କରନ୍ତି । ଅଘି ଲାଗେ ସମସ୍ତେ ଅଗ୍ନି ଦେବତାକୁ ପୂଜା କରି ଅନାଗତ ବିପଦରୁ ରକ୍ଷା ପାଇବା ପାଇ ମନେ ମନେ ପ୍ରାର୍ଥନା କରନ୍ତି । ଦରିଦ୍ର ମୂଲିଆ ଶୁକୁରା ରୋଗରେ ପଡ଼ି ମୂଲ ଲାଗିବାକୁ ଯାଇ ପାରି ନ ଥିଲା । ଅଘି ପାଇଁ ସେ ବିଡ଼ାଏ ଛଣ ଦେଇପାରିଲା ନାହିଁ । ସେ ଭାଗ୍ୟକୁ ନିନ୍ଦା କରୁଥାଏ ଗାଁର ସମସ୍ତେ ଛଣ ଦେଲେ, ଅଥଚ ସେ ବିଡ଼ାଏ ଛଣ ଦେଇପାରିଲା ନାହିଁ । ଅଘି ଲାଗିଲା, ଘଣ୍ଟା ଘଡ଼ି, ଖୋଳ କରତାଳ, ଶଙ୍ଖ ହୁଳହୁଳିରେ ଗାଁ ଫାଟି ପଡ଼ିଲା ଟୋକାଏ ପାଳଧୁଆ କାଠରେ ନିଆଁ ଲଗାଇ ଉପରକୁ ହାବେଳି ଛାଟୁଥିଲେ । ଗୋଟାଏ କାଠ ଆସି ପଡ଼ିଲା ଶୁକୁରାର ଘରେ । ଶୁକୁରାର ଜୀର୍ଣ୍ଣ କୁଟୀର ମଧ୍ୟ ଜଳି ଉଠିଲା । ଗାଁର ଅଘି ଶୀତଳା ଗଲା ମାତ୍ର ଶୁକୁରା ଘରର ଅଘି ଅଶୀତଳା ପଡ଼ି ରହିଲା । “ସେ ନିଆଁ ଆଜି ବି ଜଳୁଛି । ସେ ଅଘି ଆଜି ବି ଜଳୁଛି ଲକ୍ଷ ଲକ୍ଷ ବୁଭୁକ୍ଷୁ ଜନତା ହୃଦୟରେ । ସେ ଅଘି କ’ଣ ସହଜରେ ଲିଭିବ-? ସେଠି ଯେ ଗରିବର ଦେବତା ପୂଜା ପାଉଛି- ଅହୋରାତ୍ର ।” ଗ୍ରାମ୍ୟ ଜୀବନର ଅଗ୍ନି ଉତ୍ସବ ଏବଂ ଦରିଦ୍ରର ବୁକୁଫଟା ବିଳାପ- ଏଇ ଦୁଇ ଭାବଧାରାକୁ ଲେଖକ ଉକ୍ତ ଗଳ୍ପରେ ପ୍ରକାଶ କରିଅଛନ୍ତି । ଦରିଦ୍ର ପ୍ରତି ଲେଖକ ପାଠକର ସହାନୁଭୂତି ଆକର୍ଷଣ କରିଅଛନ୍ତି ।

 

‘ଅନ୍ୱେଷଣ’, ‘ସଉଦାଗର’, ‘ଚକ୍ଷୁଦାନ’, ‘ଜୀବନର ମାନଦଣ୍ଡ’ ଆଦି ଗଳ୍ପଗୁଡ଼ିକରେ ରୋମାଣ୍ଟିକ ଭାବଧାରାର ପରିଚୟ ଦେଖିବାକୁ ମିଳିଥାଏ ଏଇସବୁ ଗଳ୍ପଗୁଡ଼ିକ ରାଜତନ୍ତ୍ର ପୃଷ୍ଟଭୂମି ଉପରେ ଗଢ଼ି ଉଠିଥିବା ରୋମାଣ୍ଟିକ ପ୍ରେମଭାବକୁ ପ୍ରକାଶ କରିଥାଏ । ଅବଶ୍ୟ ତତ୍‌କାଳୀନ ସାମାଜିକ ଭାବସତ୍ତାକୁ ଲେଖକ କେତେକ ପରିମାଣରେ ବ୍ୟଞ୍ଜିତ କରିଅଛନ୍ତି । ‘ବସଷ୍ଟାଣ୍ଡ’ ଓ ‘ଅନ୍ଧର ଅହମିକା’ ଗଳ୍ପରୁ ସାମାଜିକ ଜୀବନର ପରିଚୟ ମଧ୍ୟ ଦେଖିବାକୁ ମିଳେ ।

 

‘ଧଳାଗାର କଳାଗାର’ ଗଳ୍ପ ସଙ୍କଳନ ଅନ୍ତର୍ଭୁକ୍ତ ବିଭିନ୍ନ ଗଳ୍ପ ୧୯୩୬ ମସିହାରୁ ୧୯୫୭ ମସିହା ମଧ୍ୟରେ ରଚିତ ହୋଇଥିଲା ଏଥିରୁ ‘ଅନ୍ଵେଷଣ’, ‘ସଉଦାଗର’, ‘ଚକ୍ଷୁଦାନ’, ‘ଶତାର୍ଦ୍ଧ ବରଷ ପରେ’, ‘ଜୀବନର ମାନଦଣ୍ଡ’ ଆଦି ଗଳ୍ପଗୁଡ଼ିକ ଅତୀତ ରାଜତନ୍ତ୍ର ଓ ବୌଦ୍ଧଯୁଗୀୟ ପୃଷ୍ଠଭୂମି ଉପରେ ରଚିତ । ଏହି ସମସ୍ତ ଗଳ୍ପରେ ଗଭୀର ମାନସିକ ଭାବାବେଗର ପରିଚୟ ନିହିତ । ‘ଅଦ୍ଭୁତ ବ୍ୟାଧି’ ଓ ‘ମାରାତ୍ମକ ହୃଦୟ’ ମଧ୍ୟ ମନସ୍ତାତ୍ତ୍ୱିକ କ୍ଷୁଦ୍ରଗଳ୍ପ । ‘ଅନ୍ୱେଷଣ’ ଗଳ୍ପରେ କଳିଙ୍ଗ ରାଜକୁମାର ଓ ଅବନ୍ତୀ ରାଜାଙ୍କ କନିଷ୍ଠା କନ୍ୟାଙ୍କର ପ୍ରଣୟ ଓ ବିବାହକୁ ବର୍ଣ୍ଣନା କରାଯାଇଛି ‘ସଉଦାଗର’ ଗଳ୍ପରେ ମଧ୍ୟ ରାଜକୁମାର-ସଉଦାଗର ଓ କୁମ୍ଭାର କନ୍ୟାର ମାନସିକ ଭାବାବେଗକୁ ବର୍ଣ୍ଣନା କରାଯାଇଛି ‘ଚକ୍ଷୁଦାନ' ଗଳ୍ପରେ ମଧ୍ୟ ଏକ ରୋମାଣ୍ଟିକ ଭାବଧାରା ଦେଇ ମନସ୍ତାତ୍ତ୍ଵିକ ଚିନ୍ତାଧାରା ପ୍ରକଟିତ ‘ଅଦ୍ଭୁତ ବ୍ୟାଧି’ ମଧ୍ୟ ଏକ ମନସ୍ତାତ୍ତ୍ୱିକ ଗଳ୍ପ ଏଥିରେ ଜୋକେଙ୍କ ଗଳ୍ପ ଅବଲମ୍ବନରେ ସଚ୍ଚିଦାନନ୍ଦ ରାଉତରାୟ ରଚନା କରିଥବା ‘ଅଦୃଶ୍ୟକ୍ଷତ’ ଗଳ୍ପର କେତେକ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ । ‘ଏଗାରଟା' ଗଳ୍ପରେ ଲବଣ ସତ୍ୟାଗ୍ରହର ପୃଷ୍ଠଭୂମି ଓ ଭାରତୀୟ ମୁକ୍ତି ସଂଗ୍ରାମର ବିଜୟ ଉତ୍ସବ ଆଦି ସୂଚିତ ହୋଇଥିଲେ ହେଁ ରହିମ ନାମକ ଜନୈକ ବ୍ୟକ୍ତିର ଗଭୀର ମାନସିକ ଭାବାବେଗକୁ ଲେଖକ ପ୍ରକାଶ କରିଅଛନ୍ତି । ‘ଜୀବନ୍ତ ପାଷାଣ’ ଗଳ୍ପ ଯେତିକି ରୋମାଣ୍ଟକ ସେତିକି ମନସ୍ତାତ୍ତ୍ୱିକ । ଗୋଦାବରୀଶ ମିଶ୍ରଙ୍କର ‘ପାଷାଣର ଭାଷା’ ଗଳ୍ପର ମର୍ମକୁ ପାଠକ ଏହି ଗଳ୍ପରୁ ଦେଖିବାକୁ ପାଇଥାଏ । ‘ମାଙ୍କଡ଼ ଦିଆସି’, ‘ପ୍ରେମ ଓ ପ୍ରିୟା’- ଆଦି ବିଭିନ୍ନ ଗଳ୍ପରୁ ନରନାରୀଙ୍କର ମାନସିକ ଅବସ୍ଥାର ଯଥାର୍ଥ ପରିଚୟ ଦେଖବାକୁ ମିଳିଥାଏ । ମନଗହନର ଅବ୍ୟକ୍ତ ଭାବକୁ ଉଦ୍‌ଘାଟନ କରିବାକୁ ଯାଇ ଲେଖକ ଭେଟିଛନ୍ତି କେତେକ ଅସହାୟ ନରନାରୀଙ୍କୁ । ସେହି ନରନାରୀଙ୍କ ପ୍ରେମ ଜୀବନରେ ବ୍ୟର୍ଥତା- ପ୍ରାର୍ଥିବ ଜୀବନରେ ଅସହାୟତା- ଜାତୀୟ ଜୀବନରେ ପ୍ରବଞ୍ଚନା ପ୍ରଣୟ ଚେତନାରେ ବେଦନାବୋଧ ଆଦି ନାନାକଥାକୁ ଲେଖକ ପ୍ରକାଶ କରିଅଛନ୍ତି ।

 

କଥାକାର ନିତ୍ୟାନନ୍ଦ ମହାପାତ୍ର ତାଙ୍କର ‘ଖୁଡ଼ୀ’, ‘ପରିବର୍ତ୍ତନ’ ଓ ‘ଦୋକାନଦାର' ଆଦି କେତୋଟି କ୍ଷୁଦ୍ର ଗଳ୍ପରେ ଗଭୀର ବାତ୍ସଲ୍ୟବୋଧକୁ ପ୍ରକାଶ କରିଅଛନ୍ତି । ସୂକ୍ଷ୍ମ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଲେଖକ ନରନାରୀଙ୍କର ଏହି ପ୍ରବୃତ୍ତିକୁ ବିଚାର କରିଅଛନ୍ତି । ‘ଖୁଡ଼ୀ’ ଗଳ୍ପରେ ଜନୈକ ନାରୀର ଅନ୍ୟ ସନ୍ତାନ ପ୍ରତି ମମତ୍ୱବୋଧକୁ ପ୍ରକାଶ କରି ଗଳ୍ପର ଚମତ୍କାରିତା ସୃଷ୍ଟି କରିଅଛନ୍ତି । ଏତଦ୍‌ବ୍ୟତୀତ ‘ଦୋକାନଦାର’ ଗଳ୍ପ ବାତ୍ସଲ୍ୟ ମମତାର ଏକ ଅଶ୍ରୁଳ ଅଭିବ୍ୟକ୍ତି । ରବୀନ୍ଦ୍ର ନାଥ ଠାକୁରଙ୍କର ‘କାବୁଲିୱାଲା’ ଗଳ୍ପର ବା କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ‘ବୁଢ଼ା ଶଙ୍ଖାରି’ ଗଳ୍ପର ମର୍ମ ଏଥିରେ ଦେଖିବାକୁ ମିଳେ । ଜନୈକ ମୁସଲମାନ ବୁଢ଼ା ଜୋତାଦୋକାନ କରିଥାଏ । ସେ କାହାରିକୁ ଠକାଏ ନାହିଁ । ଦେହକୁ ସଫା ରଖେ । ଦୋକାନ ମଧ୍ୟ ପରିଷ୍କାର ପରିଚ୍ଛନ୍ନ । ତାର ବୟସ ଷାଠିଏ । ମାତ୍ର ପାଞ୍ଚବର୍ଷର ଛୁଆଟିକୁ ସେ ସମ୍ମାନ ଦିଏ । ଦିନେ ଗୋଟିଏ ଘୋଡ଼ାଗାଡ଼ି ଆସି ତାର ଦୋକାନ ପାଖରେ ଲାଗିଲା । ସେହି ଗାଡ଼ିରୁ ଗୋଟିଏ ଛୋଟ ଝିଅ ଓହ୍ଲାଇ ପଡ଼ି ତା’ର ଦୋକାନକୁ ଆସି ପଚାରିଲା- ‘‘ଜୋତା ଅଛି ଜୋତା ?” ଝିଅଟିକୁ ଦେଖି ବୁଢ଼ାର ଅନ୍ତର ବାତ୍ସଲ୍ୟରସରେ ପୂରି ଉଠିଲା । ଝିଅଟି କେତେ ପ୍ରଶ୍ନ ବୁଢ଼ାକୁ ପଚାରି ଯାଉଥାଏ । ବୁଢ଼ା କେତେ ଜୋତାଆଣି ଝିଅଟିର ଗୋଡ଼ରେ କହୁଥାଏ । ଝିଅଟିର ସରଳତାକୁ ଲକ୍ଷ୍ୟକରି ବୁଢ଼ା ଭାବୁଥାଏ - ‘‘ସରଳତାର ଏପରି ପବିତ୍ର ଆଭା ସେ ଆଉ କେବେ କେଉଁଠି ଦେଖି ଥିଲା କି ନାହିଁ ମନେ କରିପାରିଲା ନାହିଁ । ଏଇତ ଠାକୁର ହିନ୍ଦୁର, ମୁସଲମାନର, ସମସ୍ତଙ୍କର ।’’ ବୁଢ଼ା ସେଇ ଝିଅଟିର ଟିକି ଟିକି ପାଦରେ ଜୋତା ପିନ୍ଧାଇବାକୁ ଲାଗିଲା । ଝିଅଟି ଜୋତା ପିନ୍ଧି ଘରକୁ ଚାଲିଗଲା ଏବଂ ବୁଢ଼ାକୁ କହିଲା ତା’ଙ୍କ ଘରକୁ ଯାଇ ପଇସା ନେଇ ଆସିବାକୁ । ସେହି ଦିନରୁ କେତେ ଗାଡ଼ି ବୁଢ଼ା ଦୋକାନ ପାଖକୁ ଆସେ ମାତ୍ର ସେହି ଝିଅଟିକୁ ସେ ଦେଖିବାକୁ ପାଏ ନାହିଁ ।....ବୁଢ଼ା ଆଉ ଦୋକାନ କଲା ନାହିଁ । ସତେ ଯେପରି ତାର ସ୍ନେହର ହୃଦୟ ଉଜୁଡ଼ି ଗଲା । କଥାକାର ଉକ୍ତ ଗଳ୍ପରେ ଗଭୀର ବାତ୍ସଲ୍ୟ ମମତାର କରୁଣ ଭାବକୁ ବ୍ୟକ୍ତ କରିଅଛନ୍ତି । ଏହି ଗଳ୍ପ କଥାକାର ନିତ୍ୟାନନ୍ଦ ମହାପାତ୍ରଙ୍କର ଏକ ଅନବଦ୍ୟ ସୃଷ୍ଟି ।

 

କଥାକାର ନିତ୍ୟାନନ୍ଦ ମହାପାତ୍ରଙ୍କର ବିଭିନ୍ନ ହାସ୍ୟରସ ଧର୍ମୀ ଗଳ୍ପଗୁଡ଼ିକ ମଧ୍ୟରେ ‘ମୁଁ କିପରି ମଲି’ । ‘ରୋମାନ୍‌ସ ଓ ରୋମନ୍ଥନ’, ‘ବାଡ଼ୁଅର ବିବର୍ତ୍ତନ ବାଦ’ ଆଦି କ୍ଷୁଦ୍ର ଗଳ୍ପ ପ୍ରଧାନ । ‘ମୁଁ କିମିତି ମଲି’ । ଏକ ନିର୍ମଳହାସ୍ୟ ରସାତ୍ମକ କ୍ଷୁଦ୍ରଗଳ୍ପ । ଯୁବ ସୁଲଭ ହାସ୍ୟ ରସାତ୍ମକ ଭାବ ଏଥିରେ ବର୍ଣ୍ଣିତ । ‘ବାଡ଼ୁଅର ବିବର୍ତ୍ତନ ବାଦ’ ଗଳ୍ପରେ ଲେଖକ ଉଲ୍ଲେଖ କରିଛନ୍ତି ଯେ ଅପ୍ରାକୃତ ଉପାୟରେ ପ୍ରଜନନ ଦ୍ୱାରା ଜୀବର କେବେ ବିକାଶ ହୋଇ ପାରିବ ନାହିଁ । ବରଂ ଏହାଦ୍ୱାରା ଜୀବର ବିନାଶ ସମ୍ଭବ । ତେଣୁ ଉକ୍ତ ଗଳ୍ପରେ artificial insemination ବା କୃତ୍ରିମ ପ୍ରଜନନକୁ ମନୁଷ୍ୟୋତ୍ତର ବିକାଶ କରିବା ସଂଗେ ସଂଗେ ବୈବାହିକ ସମ୍ବନ୍ଧରେ ଥିବା ମଧୁର ସତ୍ୟକୁ ହାସ୍ୟ ରସାତ୍ମକ ଶୈଳୀରେ ପ୍ରକାଶ କରିଅଛନ୍ତି । ‘ଭୂଇଁ ଫୋଡ଼ ନେତାଙ୍କ ବନ୍ୟାଞ୍ଚଳ ଉଦବୋଧନ’ ଗଳ୍ପରୁ ଲେଖକ ଆଧୁନିକ ଯୁଗର ନେତାଙ୍କର ଚରିତ୍ରକୁ ହାସ୍ୟ ରସାତ୍ମକ ଶୈଳୀରେ ବ୍ୟଙ୍ଗ କରିଅଛନ୍ତି । ଏତଦ୍‌ବ୍ୟତୀତ ‘ଉତ୍କଳ ଗନ୍ଧର୍ବ’, ‘ଗୋବର୍ଦ୍ଧନ ଦାସ’, ‘ମଡ଼ର୍ଣ୍ଣ ସାବିତ୍ରୀ’ ଆଦି ଗଳ୍ପଗୁଡ଼ିକ ଚରିତ୍ର ପ୍ରଧାନ । ଯଶ, ସ୍ତ୍ରୀ, ଚକ୍ର, ଭୂଇଁ ଫୋଡ଼ ନେତାଙ୍କ ବନ୍ୟାଞ୍ଚଳ ଉଦବୋଧନ, ଜୁତାଖୋର, ପୁରୁଷ ନାରୀଠାରୁ ଅଧିକ ଉଦାର, ଗୋଟିକଯାକ ତୁଳସୀ’ ଆଦି ରମ୍ୟଚରନା ଧର୍ମୀ ଏହି ସମସ୍ତ ଗଳ୍ପଗୁଡ଼ିକରେ ଲେଖକ ହାସ୍ୟ ଓ ବ୍ୟଙ୍ଗକୁ ପ୍ରକାଶ କରିବା ସଂଗେ ସଂଗେ ବ୍ୟକ୍ତି ଚରିତ୍ର ସଂଶୋଧନ ପାଇଁ ପରୋକ୍ଷ ଇଂଗିତ ଦେଇଅଛନ୍ତି ।

 

ଗ୍ରାମ୍ୟ ଜୀବନଠାରୁ ଆରମ୍ଭ କରି ନଗର ଜୀବନ ପର୍ଯ୍ୟନ୍ତ ସାମାଜିକ ଜୀବନର ବହୁମୁଖୀ ଦିଗକୁ ଲେଖକ ବର୍ଣ୍ଣନା କରିବା ସଂଗେ ସଂଗେ ସମାଜ ସଚେତନତାର ପରିଚୟ ଦେଇଅଛନ୍ତି । ଏହି ସମାଜ-ସଚେତନତା, ରାଜନୀତି-ଜାତୀୟତାନାରୀ-ନିର୍ଯ୍ୟାତନା, ଦାରିଦ୍ର୍ୟ, କ୍ଷମତା ଦୃପ୍ତବ୍ୟକ୍ତିର ଛଳନା, ପ୍ରବଞ୍ଚନା, ଗ୍ରାମ୍ୟ ଜୀବନରେ ଅସହାୟତା, ଆଧୁନିକ ଜୀବନରେ ଜଟିଳତା ଆଦି ନାନା କଥାକୁ ନେଇ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଏ । ଯଦିଓ ତାଙ୍କର କଥା ସାହିତ୍ୟରେ ନୂତନତା ଅଛି ତଥାପି ଅନେକ ସମୟରେ ସେ ବୌଦ୍ଧିକ ଚେତନାକୁ ପ୍ରକାଶ କରିବାକୁ ଯାଇ ସେ ବେଳେବେଳେ ଦାର୍ଶନିକ ଦୃଷ୍ଟିସୁଲଭ ଚିନ୍ତାଧାରାକୁ ପ୍ରକାଶ କରିଅଛନ୍ତି । ତଥାପି ତାଙ୍କର କ୍ଷୁଦ୍ରଗଳ୍ପ ଓଡ଼ିଆ ସାହିତ୍ୟରେ ଯେ ଏକ ଉଲ୍ଲେଖଯୋଗ୍ୟ ଭୂମିକା ଗ୍ରହଣ କରିଛି ଏଥିରେ ସନ୍ଦେହ ନାହିଁ ।

 

 

ଚାନ୍ଦବାଲି,

ଭଦ୍ରକ- ୭୮୬୧୩୩

 

ସହାୟକ ଗ୍ରନ୍ଥସୂଚୀ :

୧.

ମିଶ୍ର, ନରେନ୍ଦ୍ର ନାଥ । ଆଧୁନିକ ଓଡ଼ିଆ କଥା ସାହିତ୍ୟ । ଭୁବନେଶ୍ଵର, ଓଡ଼ିଶା ସାହିତ୍ୟ ଏକାଡେମୀ, ୨୦୦୪, ପୃଷ୍ଠା-୮୬-୭ ।

୨.

ସାମଲ, ବୈଷ୍ଣବ ଚରଣ । କ୍ଷୁଦ୍ର ଗଳ୍ପ : ସ୍ରଷ୍ଟା ମାନସ, କଟକ, ଫ୍ରେଣ୍ଡସ୍‌, ୧୯୭୮, ପୃଷ୍ଠା : ୨୬୬-୮୮ ।

୩.

ବେହୁରିଆ, ରବୀନ୍ଦ୍ର କୁମାର । ସୁବର୍ଣ୍ଣଶ୍ରୀ : ପ୍ରିୟ ଲେଖକ ବିଶେଷାଙ୍କ, ବାଲେଶ୍ଵର ।

 

***

 

ହାସ୍ୟସ୍ରଷ୍ଟା ନିତ୍ୟାନନ୍ଦ

ବିଜୟାନନ୍ଦ ସିଂହ

 

ଆଧୁନିକ ଓଡ଼ିଆ ସାହିତ୍ୟ ନିର୍ମାଣରେ ଗାନ୍ଧିବାଦୀ ନିତ୍ୟାନନ୍ଦ ମହାପାତ୍ରଙ୍କ ଅବଦାନ ବିପୁଳ । ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀଚାଳନା କରି ସ୍ଵକୀୟ ପ୍ରତିଭାର ପରିଚୟ ପ୍ରଦାନ କରିଛନ୍ତି ସେ । ନିତ୍ୟାନନ୍ଦ ଏକାଧାରରେ ଜଣେ କବି, କଥାକାର, ଔପନ୍ୟାସିକ, ପ୍ରାବନ୍ଧିକ, ରମ୍ୟରଚନାର ଲେଖକ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ମୁକ୍ତିଯୋଦ୍ଧା ନିତ୍ୟାନନ୍ଦଙ୍କ ଜୀବନ ଥିଲା ସଂଘର୍ଷମୟ । ବାଲ୍ୟକାଳରୁ ପରାଧୀନ ଭାରତ ବର୍ଷରେ ବିଭିନ୍ନ ଅବସ୍ଥା ଓ ଓଡ଼ିଶାର ବିଭିନ୍ନ ଘଟଣାକୁ ସେ ପ୍ରତ୍ୟକ୍ଷ କରିଥିଲେ । ତାଙ୍କ ଜୀବନକୁ ମଧ୍ୟ ପ୍ରଭାବିତ କରିଥିଲା ବିଭିନ୍ନ ଘଟଣା । ପରିସ୍ଥିତି ଓ ପରିବେଶ ତାଙ୍କୁ ଲେଖକ କରି ଗଢ଼ି ତୋଳିଛି-ସେ ସ୍ଵୀକାର କରିଛନ୍ତି - ‘‘ପିଲାଦିନର କଥା କହୁଛି, ପିଲାଙ୍କର ଯେଉଁ ସ୍ଵଭାବ ସେଇ ସ୍ଵଭାବର ବଶବର୍ତ୍ତୀ ହୋଇ, ନିଚ୍ଛକ ଅନୁକରଣ ପ୍ରବୃତ୍ତି ଘେନି । ଯାତ୍ରାରେ ସାବିତ୍ରୀ-ସତ୍ୟବାନ ସୁଆଙ୍ଗ ଦେଖି ମୁଁ ଲେଖିଥିଲି । ସେଇ ପ୍ରବୃତ୍ତି ଜାଗି ଉଠିଲା ପ୍ରବଳ ହୋଇ କେବଳ କାବ୍ୟ, କବିତାରେ ନୁହେଁ ନାନା ଦିଗରେ । କିନ୍ତୁ ଗାଇବା ଓ ଲେଖିବାର ଇଚ୍ଛା ଥିଲା ଦୁର୍ଦ୍ଦାନ୍ତ ।” (‘ମୁଁ କାହିଁକି ଲେଖେ’ : ନିତ୍ୟାନନ୍ଦ ମହାପାତ୍ର)

 

ନିତ୍ୟାନନ୍ଦଙ୍କ ସାରସ୍ଵତ ଜୀବନ ସର୍ବାଧିକ ପ୍ରଭାବିତ ହୋଇଛି-ତାଙ୍କ ସୁଯୋଗ୍ୟ ପିତାଙ୍କ ଦ୍ଵାରା । ତାଙ୍କ ପିତା- ଓଡ଼ିଆ ସାହିତ୍ୟର ପ୍ରବାଦ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର । ପିତାଙ୍କ କର୍ମନିଷ୍ଠ ଜୀବନ ଓ ସାହିତ୍ୟ ସାଧନାକୁ ନିଜ ଜୀବନର ଆଦର୍ଶ ଭାବେ ଗ୍ରହଣ କରିନେଇଛନ୍ତି “ମୋର ଜନକ ବା ଜନ୍ମଦାତାଙ୍କର ପ୍ରଭାବ ଯେ ମୋ ଉପରେ ପଡ଼ିଛି ସେକଥା ସର୍ବବାଦୀ ସମ୍ମତ । ବୈଜ୍ଞାନିକ ଦୃଷ୍ଟିରୁ ମଧ୍ୟ ଏହାର ସତ୍ୟତା ପ୍ରତିପାଦିତ । ତେଣୁ ମୁଁ ବାପର ପୁଅ ବୋଲି ଯେ ଲେଖିଥିଲି, ଏତିକି ମାନିଗଲେ କାହାରି ଆପତ୍ତି କରିବାର ନ ଥିବ । ବାପା ହିଁ ମୋର ପ୍ରେରକ, ମୋର ଆଦର୍ଶ, ମୋର ସମସ୍ତ ଭାବନାର ଅବିକୃତ ନକ୍ଷତ୍ର ।” (ମୁଁ କାହଁକି ଲେଖେ : ନିତ୍ୟାନନ୍ଦ ମହାପାତ୍ର)

 

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସାରସ୍ଵତ ଜୀବନର ବୈଶିଷ୍ଟ୍ୟ - ହାସ୍ୟରସ, ବ୍ୟଙ୍ଗପୂର୍ଣ୍ଣ ରଚନା । ଓଡ଼ିଆ ସାହିତ୍ୟର ଏହି ଅବହେଳିତ ଦିଗ ପ୍ରତି ସେହିଁ ଯଥେଷ୍ଟ ଗୁରୁତ୍ଵ ଦେଇଥିଲେ । ଓଡ଼ିଆ ସାହିତ୍ୟଙ୍କ ‘କଳସା ଚଉତିଶା’ରୁ ହାସ୍ୟ ରସର ପରିଚୟ ମିଳିଥିଲେ ମଧ୍ୟ ସେନାପତି ଫକୀର ମୋହନଙ୍କ କୃତିରେ ତାହର ଯଥାର୍ଥ ବିକାଶ ହୋଇଛି । କିନ୍ତୁ କାନ୍ତକବି ଲକ୍ଷ୍ମୀକାନ୍ତ ସାହିତ୍ୟରେ ହାସ୍ୟରସକୁ ଯଥେଷ୍ଟ ପ୍ରାଧାନ୍ୟ ଦେବା ସହ ଏହାର ପ୍ରସାର ପାଇଁ ଆନୁଷ୍ଠାନିକ ଉଦ୍ୟମ କରିଛନ୍ତି । କାନ୍ତକବି ଅନେକ ଦୁଃଖଯନ୍ତ୍ରଣା, ନୈରାଶ୍ୟରେ ଜୀବନ ବିତାଇଥିଲେ ମଧ୍ୟ ସେ ଯେଉଁ ହାସ୍ୟରସ ପୂର୍ଣ୍ଣ ରଚନା ପ୍ରଦାନ କରିଛନ୍ତି ତାହାର ପଟ୍ଟାନ୍ତର ନାହିଁ । ‘ଡଗର’ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଦ୍ଵାରା ପ୍ରତିଷ୍ଠିତ ହୋଇଥିଲା । ଏଠାରେ କୁହାଯାଇପାରେ ‘ଡଗର’ର ପ୍ରଧାନ ଆଭିମୁଖ୍ୟ ଥିଲା ହାସ୍ୟରସର ପ୍ରସାର ଓ ବିକାଶ । ହାସ୍ୟ ଲେଖା ପାଠକମାନଙ୍କ ଦୃଷ୍ଟିକୁ ଆଣିବା ସହ ହାସ୍ୟ ଲେଖକମାନଙ୍କୁ ଉତ୍ସାହିତ କରିବା ଥିଲା ‘ଡଗର’ର ପ୍ରମୁଖ ଉଦ୍ଦେଶ୍ୟ ‘ଡଗର’ର ଉଦ୍ଦେଶ୍ୟ ରସସୃଷ୍ଟି । ପ୍ରତ୍ୟେକ ବିଷୟକୁ ଦୃଷ୍ଟିରେ ଦେଖି ଦଳଗତ କିମ୍ବା ବ୍ୟକ୍ତିଗତ ଦ୍ଵେଷ ରହିତ ବିଦ୍ରୂପରେ ଆନନ୍ଦ ସଞ୍ଚାର କରିବା ତାର ଉଦ୍ଦେଶ୍ୟ । (‘ଡଗର’ ସମ୍ପାଦକୀୟ, ପ୍ରଥମ ବର୍ଷ, ପ୍ରଥମ ସଂଖ୍ୟା) । ରଙ୍ଗରସ, ବିଲୁଆ ବିଚାର, ହୁକା ଭୁକା ଭୁଆ, ପାତାଳବାଣୀ ପରି ବହୁ ସ୍ତମ୍ଭ ପାଠକଙ୍କୁ ହସେଇ ହସେଇ ବେଦମ୍‌ କରୁଥିଲା- ଏହି ବିଭାଗ ସୃଷ୍ଟି କରିବା ସହ ନିୟମିତ ଭାବରେ ଏହି ବିଭାଗ ପାଇଁ ହାସ୍ୟରସପୂର୍ଣ୍ଟ ଲେଖା ନିତ୍ୟାନନ୍ଦ ହିଁ ରଚନା କରୁଥଲେ- ତାହା ପୁଣି ଭିନ୍ନ ଭିନ୍ନ ଛଦ୍ମ ନାମରେ ଯଥା ଶ୍ରୀ ଅବଧୂତ, ଶ୍ରୀ ଅନାମ, ନକଲ ନବିସ, ନଟବର, ଚୁଟିଆ ମୂଷା ଇତ୍ୟାଦି । ଏପରି ରଚନା ଓଡ଼ିଆ ସାହିତ୍ୟରେ ବିରଳ । ‘ଡଗର’ରେ ଯେଉଁସବୁ ବିଭାଗ ସୃଷ୍ଟି କରାଯାଇଥିଲା- ତାହାର ନାମକରଣ ଥିଲା ହାସ୍ୟୋଦ୍ଦୀପକ - ଉଦାହରଣସ୍ୱରୂପ- ଶିଶୁ କିଶୋରମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭାଗ ନାମ ଥିଲା- ‘ନାଗବଚା ଦଳ’ । ଡଗର, ସଂପାଦକ ନିତ୍ୟାନନ୍ଦ ଥରେ ‘ଡଗର’ରେ ଲେଖିଥିଲେ- ‘‘ଆପଣଙ୍କ ମନ ଭଲ ନାହିଁ, ତେବେ ମଜା କଥା, ହସଖୁସି ବିଭାଗ, ‘ଡଗର’ ଆପଣଙ୍କୁ ହସାଇ ହସାଇ ଭୁଲାଇ ଦେବ ।’ ନିତ୍ୟାନନ୍ଦଙ୍କ ଏହି ଦୂରଦୃଷ୍ଟି ଓଡ଼ିଆ ସାହିତ୍ୟର ଏହି ଅବହେଳିତ ଦିଗଟିକୁ ସବଳ କରାଇବାରେ ସକ୍ଷମ ହୋଇଥିଲା- ଯେଉଁଥିପାଇଁ ‘ଡଗର’ ହିଁ ସୃଷ୍ଟି କରିଥିଲା- ଓଡ଼ିଆ ହାସ୍ୟ ସାହିତ୍ୟର ବିକାଶ ପର୍ବର ପ୍ରଥମ ଅଧ୍ୟାୟ । ‘ଡଗର’ ସୃଷ୍ଟି କରିଛି ବହୁ ପ୍ରତିଭାଧାରୀ ହାସ୍ୟସ୍ରଷ୍ଟାମାନଙ୍କୁ । ଫତୁରାନନ୍ଦଙ୍କଠାରୁ ଆରମ୍ଭ କରି ଚୌଧୁରୀ ହେମକାନ୍ତ ଏପରିକି କୁଳମଣି ମହାପାତ୍ରଙ୍କ ପରି ବହୁ ପ୍ରସିଦ୍ଧ ଲେଖକଙ୍କୁ ପ୍ରୋତ୍ସାହିତ କରିବାରେ ଡଗରର ଭୂମିକା ଗୁରୁତ୍ଵପୂର୍ଣ୍ଣ । ଏହି ପତ୍ରିକାର ସୁଯୋଗ୍ୟ ସଂପାଦକ କେବଳ ନୁହଁନ୍ତି ଦିଗ୍‌ଦର୍ଶକ ଥିଲେ ନିତ୍ୟାନନ୍ଦ ମହାପାତ୍ର ।

 

ସମୟସମୟରେ ଗମ୍ଭୀର ଭଳି ଦେଖାଯାଉଥିବା ନିତ୍ୟାନନ୍ଦଙ୍କ ବ୍ୟକ୍ତିତ୍ୱ ଥିଲା-ହାସ୍ୟରସପୂର୍ଣ୍ଣ । ତାଙ୍କ ପିତାଙ୍କ ପରି ନିତ୍ୟାନନ୍ଦଙ୍କ ହାସ୍ୟରଚନା ଦ୍ଵାରା ଓଡ଼ିଆ ସାହିତ୍ୟ ହୋଇଛି ଗୌରବାନ୍ୱିତ । ଭୁଲ, ଭଙ୍ଗାହାଡ଼, ହିଡ଼ମାଟି, ଜଳନ୍ତା ନିଆଁ, ଜୀଅନ୍ତା ମଣିଷ, ଜୀବନର ଲକ୍ଷ୍ୟ, ସୁଖର ସନ୍ଧାନେ, ପୀରତି ପଥ ଖସଡ଼ା, ଉପନ୍ୟାସ- ଧଳାଗାର କଳାଗାର, ଏଗାରଟା, କ୍ଷଣିକା, ପରି ଗଳ୍ପ- ନାହଂ ତିଷ୍ଠାମି ବୈକୁଣ୍ଠେ, ଭାରତ ଭାଗ୍ୟ ବିଧାତା- ଜୀବନୀ, ହରିଜନ ମନ୍ଦିର, ପ୍ରବେଶ ନାଟକ, ମରମ, ପାଞ୍ଚଜନ୍ୟ, କାଳରଡ଼ି, ସ୍ଵରାଜ ସଂହିତା, ଭୂମାହାତ୍ମା ପରି କବିତା ରଚନା କରୁଥିବା ନିତ୍ୟାନନ୍ଦ କବିପ୍ରିୟାସୁ, ପତ୍ର ଓ ପ୍ରତିମା ପରି ରମ୍ୟରଚନା, ହାସ୍ୟପୂର୍ଣ୍ଣ ଆଖିନାହିଁ କାନ ନାହିଁ ପରି ହାସ୍ୟ ରଚନା ଲେଖି ହାସ୍ୟପୂର୍ଣ୍ଣ ବ୍ୟକ୍ତିତ୍ୱର ପରିଚୟ ଦେଇଛନ୍ତି ।

 

ନିତ୍ୟାନନ୍ଦଙ୍କ ରଚନାର ଶୈଳୀକୁ ଲକ୍ଷ୍ୟ କଲେ ଜଣାପଡ଼େ ସତେ ଯେପରି ତାଙ୍କ ରଚନା ଶୈଳୀର ଧାରେ ଧାରେ ହାସ୍ୟରସ ଭରି ରହିଛି । ଦେଶଭକ୍ତ, ସମାଜ ସେବକ ନିତ୍ୟାନନ୍ଦ ବୁଝିଥିଲେ ଜୀବନ ଓ ସମାଜକୁ ସୁନ୍ଦର କରିବାକୁ ହାସ୍ୟରସର ପ୍ରୟୋଜନ ରହିଛି । କାରଣ ଜୀବନ ସହ ଯୋଡ଼ି ହୋଇଯାଇଛି ହସ । ଜୀବନ ଆରମ୍ଭ ଅର୍ଥାତ୍‌ ଶିଶୁ ଅବସ୍ଥାରୁ ମଣିଷ ହିଁ ହସିପାରେ । ଦୁଃଖନୈରାଶ୍ୟ, ବେଦନାରୁ ମଣିଷକୁ ମୁକ୍ତ କରେ ହସ । ଅର୍ଥାତ୍‌ ହାସ୍ୟ ଆନନ୍ଦ ଓ ଆଲୋକର ବାର୍ତ୍ତା ପ୍ରଦାନ କରେ ।

 

ନିତ୍ୟାନନ୍ଦ ମହାପାତ୍ର ହାସ୍ୟ ରଚନା ଲେଖି ସାମାଜିକ କଲ୍ୟାଣ କରିବାରେ ନିଜ ଦାୟିତ୍ଵ ନିଭାଇଛନ୍ତି । ତାଙ୍କର ବର୍ଣ୍ଣନା ରୀତି ହାସ୍ୟମୟ ଓ ଅନୁଭୂତିପୂର୍ଣ୍ଣ । ସେଥିପାଇଁ ତାଙ୍କର ହାସ୍ୟ ରଚନା ପାଠକକୁ ଆନନ୍ଦିତ କରେ । ନିତ୍ୟାନନ୍ଦଙ୍କ ହାସ୍ୟରସ ରଚନାର କୌଶଳ ସ୍ଵତନ୍ତ୍ର- “ନାରାୟଣ ଟିକେ ଭାବିଲେ କହିଲେ ଲକ୍ଷ୍ମୀ- ଦ୍ୱାପର ଆଉ କଳିରେ ଭଗବାନ ଆଉ ଭକ୍ତଙ୍କର ଅଭିନୟ ବଡ଼ ଚମତ୍କାର । ମର୍ତ୍ତ୍ୟରେ ବର୍ତ୍ତମାନ କଳିର ଯୁଗ ଚାଲିଛି । ଆମ ଲୀଳା ଦେଖିବା ପାଇଁ ତେଣେ ସାରସାର ମଣିଷ ସବୁ ସ୍ତବ ସ୍ତୁତି କରି ମୋତେ ଅଥୟ କରି ପକାଇଲେଣି । ଆମକୁ ଲୀଳା ଦେଖାଇବାକୁ ହେବ । ବଇନାତ ନେଇଛୁଁ, ତାମସା ନ କଲେ ତ ରକ୍ଷା ନାହିଁ । ମୁଁ ରଜା ପଟରେ ଓହ୍ଲେଇବି, ତମେ ରାଣୀ ପଟରେ ଓହ୍ଲେଇବ । ବାକି ଗୋଟିଏ ରଜାପୁଅ ଦରକାର । ଆମ ନିଜ ଭିତରୁ ଜଣକୁ କାହାକୁ ଡାକ । ଭକ୍ତ ପାର୍ଟଟା ସେ ଭଲ କରି ମୁଖସ୍ଥ କରିନେଉ । ନ ହେଲେ ଲୀଳା ଦେଖାଇଲାବେଳେ ପଦ ହୁଡ଼ିଯିବ ତ ସବୁ ଭଣ୍ଡୁର । ଲକ୍ଷ୍ମୀ ପଚାରିଲେ-ତମେ ତ କୃଷ୍ଣ ହେବ-କେତେବେଳେ କୃଷ୍ଣ ବାସୁଦେବ କେତେବେଳେ ଗୋପ କୃଷ୍ଣ-ଆଉ କେତେବେଳେ ପାର୍ଥ ସାରଥୀ । ଭକ୍ତ ବିଚାରା ତିନିଟା ପାର୍ଟ ମୁଖସ୍ଥ କଲେ ସିନା ହେବ । ଜଣକ ଉପରେ ଭାର ଦେଲେ ଚଳିବ ନାହିଁ । ତିନିଜଣ ବାଛ । ନାରାୟଣ କହିଲେ-ଭଗବାନ ଯଦି ସହସ୍ର ରୂପ ଧରି ଗୋଟିଏ ହୋଇପାରନ୍ତି, ଭକ୍ତ ସେମିତି ସହସ୍ର ହେଲେ ବି ଗୋଟିଏ ।” (ରିହରସାଲ୍‌)

 

ନିତ୍ୟାନନ୍ଦ ହାସ୍ୟ ବ୍ୟଙ୍ଗ ଶୈଳୀର ଅପୂର୍ବ ରୂପକାର । ସାଧାରଣ ଘଟଣାକୁ ନେଇ ନିର୍ମଳ ହାସ୍ୟ ସୃଷ୍ଟି କରିବାରେ ସେ ସଫଳ ହାସ୍ୟ ଶିଳ୍ପୀ । ଆଘାତ ଦେଇ ମନଖୋଲି ହସିବା ପାଇଁ ତାଙ୍କର ଗଳ୍ପର ଯେଉଁ ପରିକଳ୍ପନା ତାହା ଅଭିନବ । ‘ରିହର୍‌ସାଲ୍‌’ ଗଳ୍ପ ଏହି ସତ୍ୟର ସଙ୍କେତ ।

 

କହୁ କହୁ ବା ପଢ଼ୁ ପଢ଼ୁ ମଣିଷ ହସି ପକାଇବ-ଅର୍ଥାତ୍‌ ସ୍ଵତଃ ମଣିଷ ହସି ପକାଉଥିବ ଏପରି ଗଳ୍ପରଚନା କରିବାର ବିଦ୍ୟା ନିତ୍ୟାନନ୍ଦ ମହାପାତ୍ରଙ୍କୁ ବେଶ୍‌ ଜଣା । ତାଙ୍କ ଗଳ୍ପର ଆରମ୍ଭ ଯେମିତି ହାସ୍ୟପୂର୍ଣ୍ଣ ଶବ୍ଦ ଚୟନ ସେମିତି ମଧ୍ୟ କୌତୁକମୟ । “ପାଠ ପଢ଼ିଲାବେଳେ-ବିଶେଷତଃ ସହ ଶିକ୍ଷା ପ୍ରଚଳିତ ହେବା ପରେ ପରୀକ୍ଷାରେ ଫେଲ୍‌ ହୋଇ ମରିବା ଲୋକଙ୍କ ସଂଖ୍ୟାଠାରୁ ପ୍ରେମରେ ଫେଲ୍‌ ହୋଇ ମରିବା ଲୋକଙ୍କ ସଂଖ୍ୟା ଯେ ଅଧିକ ଏଥିରେ ସନ୍ଦେହ ନାହିଁ । ମାତ୍ର ମୁଁ ପରୀକ୍ଷାରେ ଫେଲ୍‌ ହୋଇ ନାହିଁ କି ପ୍ରେମରେ ବି ଫେଲ୍‌ ହୋଇ ନାହିଁ ଉଭୟରେ ପାସ୍‌ କରି ମଧ୍ୟ ମୁଁ କେମିତି ମଲି ତାହା ଏକ ଗବେଷଣାର ବସ୍ତୁ । ପରୀକ୍ଷା ଓ ପ୍ରେମରେ ଫେଲ୍‌ ମାରି ମରିବା ଲୋକଙ୍କର ଯେଉଁ ରୋଗ ହୁଏ, ତାର ପ୍ରତିଷେଧକ ବି ଜାଣି ବୈଜ୍ଞାନିକମାନେ ଆବିଷ୍କାର କରି ଗୋଟାଏ କଲମକିନ, କାଗଜଲିନ ବା ଲଫାଫାଲିନ୍‌ର ପ୍ରଚଳନ କରିବେ । କିନ୍ତୁ ମୁଁ ଜାଣିଛି ମୋର ଯେଉଁ ମରଣ ହେଲା, ତା’ର ଗୋବିଜ ଟୀକା ବା ଭେକ୍‌ସିନାଶନ ଆବିଷ୍କାର ଅସମ୍ଭବ ।’’ (ମୁଁ କିମିତି ମଲି)

 

ନିତ୍ୟାନନ୍ଦ ଶବ୍ଦର ପ୍ରୟୋଗରେ ନୂତନତା ସୃଷ୍ଟି କରିଛନ୍ତି । କେତେକ ସମୟରେ ଶବ୍ଦଗୁଡ଼ିକ ଭିନ୍ନ ଉଚ୍ଚାରଣ କରି ହାସ୍ୟ ସୃଷ୍ଟି କରିଥିବାର ଜଣାଯାଏ-ଯେପରି କଲମଲିନ୍‌, କାଗଜଲିନ୍‌, ଲଫାପାଲିନ, ପ୍ରଭୃତି ଶବ୍ଦ ଏହି ଆଲୋଚନା କ୍ରମରେ ସୂଚନା ଦିଆଯାଇପାରେ । ସଂକ୍ଷିପ୍ତ ବର୍ଣ୍ଣନା ମଧ୍ୟରେ ନିତ୍ୟାନନ୍ଦଙ୍କ ବିସ୍ତାରିତ ଭାବନାର ରୂପରେଖ ଉପଲବ୍ଧି କରିହୁଏ ।

 

ନିତ୍ୟାନନ୍ଦଙ୍କ ଜୀବନ ସଂଘର୍ଷମୟ ପିଲାଟିଦିନୁ ପ୍ରତିକୂଳ ବ୍ୟବସ୍ଥା ମଧ୍ୟରେ ତାଙ୍କ ଜୀବନର ଗତି । ସ୍ଵାଧୀନତା ସଂଗ୍ରାମ, କାରାବରଣ, ରାଜନୀତି, ସମାଜ ସେବାରେ ବ୍ୟସ୍ତ ଥିବା ନିତ୍ୟାନନ୍ଦ ଉଚ୍ଚଧରଣର ହାସ୍ୟ ରଚନା ଲେଖି ତାଙ୍କ ଅନନ୍ୟ ପ୍ରତିଭାର ପରିଚୟ ଦେଇଛନ୍ତି । ବ୍ୟଥା, ବେଦନା, ସଂଘର୍ଷ, ସଂଗ୍ରାମ ଭିତରେ ଜୀବନ ବିତାଉଥିବା ମଣିଷ ହାସ୍ୟରସ ସୃଷ୍ଟି କରିପାରନ୍ତି- ଏହା ମଧ୍ୟ ପ୍ରମାଣିତ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ମତ ଏଠାରେ ଉଲ୍ଲେଖଯୋଗ୍ୟ “ମୋ ମନେହୁଏ । ରଙ୍ଗ ସ୍ରଷ୍ଟାଙ୍କ ଅନ୍ତର୍ବେଦନା ଅସୀମ । ଅତି ବ୍ୟଥାରେ ଫାଟି ନ ପଡ଼ିଲେ ବୋଧହୁଏ କୌଣସି ଲେଖକ ହାସ୍ୟରସ ସୃଷ୍ଟି କରନ୍ତା ନାହିଁ । କବିର ମର୍ମବେଦନା ଯେତେବେଳେ ତାର ସହନ ଶକ୍ତିକୁ ବହକି ଉଠେ, ବେଳା ଲଙ୍ଘନ କରେ, ସେ ହୋଇଯାଏ ପାଗଳ-। ପାଗଳାମୀର ଛଳନାରେ ସେ ରଙ୍ଗରସ ଛାୟାତଳେ ଆତ୍ମଗୋପନ ବା ଆତ୍ମପ୍ରବଞ୍ଚନା କରି ଦୁଃସହ ଦୁଃଖକୁ ଏଡ଼ି ଦେବାର ଚେଷ୍ଟା କରେ । ଏତକ ନଥିଲେ ହୁଏତ ସେ ମୃତ୍ୟୁକୁ ଆଶ୍ରୟ କରନ୍ତା । ନିରୂପାୟ, ନିରାଶ୍ରୟ, ବିଷାଦ ବିଦୀର୍ଣ୍ଣ ଚିତ୍ରକୁ କ୍ଷଣିକ ଆରାମ ଦେବା ନିମନ୍ତେ ସତେ କି ଏହା ଗୋଟିଏ ଈଶ୍ଵରଦତ୍ତ ଉପାୟ । ମରାମନକୁ ବହଳାଇ ବଞ୍ଚାଇ ରଖିବାର ଗୋଟିଏ ସହଜାତ କୌଶଳ । ହାସ୍ୟରସ ସୃଷ୍ଟିକାରୀ ଲେଖକ ଆପେ ତ ହସେନା-ଅନ୍ୟକୁ ହସାଇ ହସାଇ ନାଚି ଲୋଟେ । ନିଜେ ଦେଖଣାହାରୀ ରୂପେ ଉହାଡ଼ରେ ରହି ପରକୁ ହସାଇବାର ଯେଉଁ ଆନନ୍ଦ ତାହା ହିଁ ତାକୁ ଦିଏ କ୍ଷଣିକ ଆରାମ । ଆଉ ସାନ୍ତ୍ୱନା ।” (ମୁଁ କାହିଁକି ଲେଖେ, ନିତ୍ୟାନନ୍ଦ ମହାପାତ୍ର)

 

ମୁଁ କିପରି ମଲି, ରୋମାନ୍‌ସ ଓ ରୋମନ୍ଥନ, ବାଡୁଅର ବିବର୍ତ୍ତନବାଦ ଭୂଇଁ ଫୋଡ଼ ନେତାଙ୍କ ବନ୍ୟାଞ୍ଚଳ ଉଦବୋଧନ, ଉତ୍କଳ ଗନ୍ଧର୍ବ, ଗୋବର୍ଦ୍ଧନ ଦାସ, ମଡ଼ର୍ଣ୍ଣ ସାବିତ୍ରୀ, ସ୍ତ୍ରୀ, ଚକ୍ର, କ୍ଷଣ, ପୁରୁଷନାରୀଠାରୁ ଅଧିକ ଉଦାର, ଗୋଟିକ ଯାକ ତୁଳସୀ ପ୍ରଭୃତି ଗଳ୍ପରେ ହାସ୍ୟ ଓ ବ୍ୟଙ୍ଗ ପରିପୂର୍ଣ୍ଣ । ଏହି ଗଳ୍ପଗୁଡ଼ିକରେ ସମାଜ ସଂସ୍କାର ପାଇଁ ଲେଖକଙ୍କ ମନୋବୃତ୍ତି ସୁସ୍ପଷ୍ଟ । ବ୍ୟକ୍ତି ଚରିତ୍ର ପରିବର୍ତ୍ତନ ପାଇଁ ଲେଖକଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଉପଲବ୍ଧ ଏହି ଗଳ୍ପଗୁଡ଼ିକରୁ । ନିତ୍ୟାନନ୍ଦ ମହାପାତ୍ରଙ୍କ ବକ୍ତବ୍ୟ ହାସ୍ୟରସ ଶୈଳୀରେ ପ୍ରକଟିତ । ନିତ୍ୟାନନ୍ଦଙ୍କ ଗଳ୍ପର ଶେଷ ପୂର୍ବରୁ ପାଠକ ହସିବା ସ୍ଵାଭାବିକ- କାରଣ ତାଙ୍କ କହିବାର ଭଙ୍ଗା ରସପୂର୍ଣ୍ଣ ହସପୂର୍ଣ୍ଣ । ଉନ୍ନତଗଦ୍ୟ ଶୈଳୀ-ସେଥିରେ ହାସ୍ୟରସର ପ୍ଲାବନ- ଏହା ହିଁ ଚମତ୍କାରିତା ନିତ୍ୟାନନ୍ଦଙ୍କ ରଚନା ଶୈଳୀର ।

 

ନିତ୍ୟାନନ୍ଦଙ୍କ ଜୀବନର ଉପଲବ୍ଧି ମଧ୍ୟ ଏହିପରି କାଳେ କାଳେ ମୂଲ୍ୟବୋଧ ଭିତ୍ତିକ ଜୀବନ ବିତାଉଥିବା ମଣିଷମାନଙ୍କ ଜୀବନଚିନ୍ତା ପ୍ରାୟ ଏକ ପ୍ରକାର । ମହାନ୍‌ ସ୍ରଷ୍ଟା କାନ୍ତକବିଙ୍କ ପ୍ରାଣସ୍ପର୍ଶୀ ବକ୍ତବ୍ୟ ପାଠକକୁ ଯେମିତି ଆଲୋକିତ କରେ ସେହିପରି ନିତ୍ୟାନନ୍ଦଙ୍କ ସ୍ଵୀକାରୋକ୍ତି ମଧ୍ୟ ଆଲୋଚକଙ୍କୁ ବିସ୍ମିତ କରାଏ । ତାଙ୍କ ବକ୍ତବ୍ୟ ଏହିପରି- “ସବୁ କଥା କହିଲେ କେତେକେତେ ପରସ୍ପର ବିରୋଧୀ ସତ୍ୟ ଆପଣଙ୍କ ଆଗରେ ଆସି ଠିଆହେବ । ତା’ର କାରଣ ମୁଁ ତ ଗୋଟିଏ ନୁହେଁ ସହସ୍ର । ମୋ ଭିତରେ କବି, କଥାକାର, ସମାଲୋଚକ ସମସ୍ତେ ଅଲଗା ଅଲଗା । ମୁଁ କାନ୍ଦିଛି ଆଉ ହସିଛି କିନ୍ତୁ ଏତିକି କହିବି ମୁଁ ଯେତିକି କାନ୍ଦିଛି କେବଳ ମୋତେଇ କନ୍ଦାଇବା ପାଇଁ, କନ୍ଦାଇ ସୁଖ ପାଇବା ପାଇଁ । ଆପଣଙ୍କୁ କନ୍ଦାଇବାର ଆଶଙ୍କା ମୁଁ କରି ନାହିଁ- କରୁଥିଲେ ବୋଧହୁଏ ମୁଁ କିଛି ଲେଖିପାରନ୍ତି ନାହିଁ । କିନ୍ତୁ ଯେତିକି ହସିଚି- ସେ କେବଳ ଆପଣଙ୍କୁ ହସାଇବା ପାଇଁ ମୋର ଭିତର ହସିଚି ଖୁବ କମ୍‌ । ପ୍ରାୟ ହସି ନାହିଁ କହିଲେ ଚଳେ । କେବଳ ଆପଣମାନଙ୍କ ଆନନ୍ଦ ପାଇଁ ମୋର ହାସ୍ୟ ରସାତ୍ମକ ଆଲେଖ୍ୟର ସୃଷ୍ଟି ।” (ମୁଁ କାହଁକି ଲେଖେ, ନିତ୍ୟାନନ୍ଦ ମହାପାତ୍ର)

 

ଲେଖକ ନିଜ ପାଇଁ ନୁହେଁ ସାମଗ୍ରିକ ଭାବେ ମଣିଷ ସମାଜର କଲ୍ୟାଣ ପାଇଁ ଚିନ୍ତା କରେ-ସ୍ଵପ୍ନ ଦେଖେ- ସଂଭାବନା ସୃଷ୍ଟି କରେ । ସ୍ୱପ୍ନର ରୂପାୟନ, ସଂଭାବନାକୁ ସତ୍ୟରେ ରୂପାନ୍ତରିତ କରିବାର ପ୍ରଚେଷ୍ଟାରେ ଲେଖକଟିଏ ବିଭୋର ଥାଏ ଚିରକାଳ । ଓଡ଼ିଆ ଭାଷା ସାହିତ୍ୟର ଶତାବ୍ଦୀ ପୁରୁଷ, ନିତ୍ୟାନନ୍ଦ ମହାପାତ୍ରଙ୍କ ହାସ୍ୟ ସାହିତ୍ୟ ମଣିଷ ସମାଜର ସର୍ବବିଧ ବିକାଶର ଏକ ସୋପାନ ମାତ୍ର । ନିତ୍ୟାନନ୍ଦଙ୍କ ହାସ୍ୟରଚନାରେ ଉପଲବ୍‌ଧ ଯେତିକି, ହାର୍ଦ୍ଦିକ ଯେତିକି ନିବିଡ଼, ସେତିକି ମାର୍ମିକ ଓ ସାମାଜିକ ଦାୟିତ୍ୱ ବୋଧରେ ଭାସ୍ଵର ।

 

 

ଉପ-ସଭାପତି

ଉତ୍କଳ ସାହିତ୍ୟ ସମାଜ

କଟକ- ୭୫୩୦୦୯

 

 

***

 

ଭାବନାର ପରିଧାନ : ନିତ୍ୟାନନ୍ଦଙ୍କ ଗଳ୍ପ

କଇଳାଶ ପଟ୍ଟନାୟକ

 

॥ ୧॥

 

‘କବି- କଳାକାର- ସ୍ରଷ୍ଟା ।

ସେ ହସେ । ହଁ ସେ କବି, କଳାକାର, ସ୍ରଷ୍ଟା । ସୃଷ୍ଟିକି ଚାହେଁ ସେଠି ତ ତାରି କବିତା । କେତେ ଆଗରୁ ଲେଖିସାରିଛି କିଏ । ତାର ଗର୍ବକୁ ଚୂରିଚୂରି ଚୂନା କରିଦିଏ କିଏ-ମିଶେଇଦିଏ ଧୂଳି ସାଙ୍ଗରେ । ସେ ହସେ । ସେ କଣ କବି, ସେ କଣ କଳାକାର, ସେ କଣ ସ୍ରଷ୍ଟା ?

 

ଲୋକେ ତାର ଲେଖା ପଢ଼ନ୍ତି । ପଢ଼ି ଆନନ୍ଦ ପାଆନ୍ତି । କିଏ କାନ୍ଦେ । ଆଖିରୁ ଲୁହ ଗଡ଼ି ପଡ଼େ । ସେ ବି ଏକପ୍ରକାର ବିନୋଦନ ।' (କବି, କ୍ଷଣିକା)

 

ଏଇ ବିନୋଦନର ରୂପାୟନରେ ମତ୍ତ ଯିଏ, ସୃଷ୍ଟିକି ଚାହିଁ କବିତା ଲେଖୁଚି ଯିଏ, ଅହନିଶ ଉପାଦାନ ପାଇଁ ଜଗତ୍‌ ସଂସାରକୁ ନିରୀକ୍ଷଣ କରୁଚି ଯିଏ-ସେ ତ ଖାଲି ଗୋଟିଏ ଭାବରେ ବାନ୍ଧି ହେଇ ରହିବ ନାହିଁ । ବାନ୍ଧି ହୋଇଗଲେ ତ ଶିଳ୍ପୀର ମୃତ୍ୟୁ । ଭାବନାର ବୈଚିତ୍ର୍ୟରେ ଯେ ଶିଳ୍ପୀର ସିଦ୍ଧି- ତାର ସଫଳତା !

 

ସେଇ ସଫଳତାର ନିଦର୍ଶନ ନିତ୍ୟାନନ୍ଦ ମହାପାତ୍ର (୧୯୧୨)ଙ୍କ ଗଳ୍ପ । ପାଠକ ପାଇଁ ସେଠି ଏକ ବିରାଟ ପୃଥିବୀ ଅପେକ୍ଷା କରି ରହିଥାଏ । ସେ ପୃଥିବୀରେ ସ୍ୱପ୍ନ ଅଛି, ସେଠି ପୁଣି ଅଛି ନିର୍ମମ ବାସ୍ତବତା । କଳ୍ପନା ଉତ୍ତୁଙ୍ଗ ହେଇ ଆକାଶଚୁମ୍ବେ ତ ଆବେଗ ଗଭୀର ହେଇ ସେଠି ପାତାଳ ସ୍ପର୍ଶ କରେ ‘ବର୍ତ୍ତମାନ’ କେତେବେଳେ ବିଛେଇ ହେଇ ପଡ଼ିଥାଏ ତ କେତେବେଳେ ସହସା ଝଲସି ଯାଏ ‘ଅତୀତ’- ତାର ସମସ୍ତ ରାଜକୀୟତା ସହ ‘ବୈଚିତ୍ର୍ୟ’ ଶବ୍ଦର ଜାଲଘେରା ହେଇ ଫୁଟି ଉଠିଚି ନିତ୍ୟାନନ୍ଦଙ୍କ ଗଳ୍ପମାନଙ୍କରେ । ସେଇଥିଲାଗି ସେ ଗଳ୍ପମାନଙ୍କର ବିପୁଳ ପଟୁଆରରେ ପ୍ରତିଟି ଗଳ୍ପ ନିଜର ଔଜଲ୍ୟରେ ଭାସ୍ଵର, ନିଜସ୍ଵ କାନ୍ତିରେ ସ୍ମରଣୀୟ ।

 

ରଚନା ଯେତେବେଳେ ବହୁମୁଖୀଉପାଦାନ ଯେତେବେଳେ ବହୁଭିନ୍ନ, କଥା ଯେତେବେଳେ ବହୁଶିର- ତାର ପରିପ୍ରକାଶରେ ବି ବୈଚିତ୍ର୍ୟ ଆସିବା ସ୍ଵାଭାବିକ । ଶିଳ୍ପୀର ସେଇତ ସ୍ୱପ୍ନ ତାର ରଚନାରେ ଏମିତି ହବ ପରିପ୍ରକାଶ ଯେଉଁଠି ଠିକ ଠିକ୍‌ ଜଣାପଡ଼ୁଥିବ ସବୁ । ଯେଉଁଠି ‘ବ୍ୟଂଜନା’ ବି କହିପାରୁଥିବ ଠିକ୍‌ ଠିକ୍‌ କଥା, ଯେଉଁଠି ‘ଦର୍ଶନ’କୁ ବି ଦେଖି ହେଉଥିବ ଘୋଡ଼ଣି ଭିତରୁ, ଯେଉଁଠି ‘ଉଦ୍ଦେଶ୍ୟ’ ଆଉ କଳା ହୋଇଥିବେ ହାତ ଧରାଧରି । ପ୍ରକାଶନର ସେଇ ବୈଚିତ୍ର୍ୟ ଆଣିବା ଲାଗି- ଭାବନାକୁ ଠିକ୍‌ ଠିକ୍‌ ପରିଧାନ ଦେବା ଲାଗି ଶିଳ୍ପୀ କରି ଚାଲିଥାଏ ଅବିରତ ପ୍ରଚେଷ୍ଟା । ସେଇଥିଲାଗି ପ୍ରତି ଭାବ ଲାଗି ଅଲଗା ରୂପ, ପ୍ରତି ଆବେଗ ଲାଗି ଅଲଗା ଆବରଣ ।
 

ନିତ୍ୟାନନ୍ଦଙ୍କ ବହୁଗଳ୍ପରେ ଘଟଣା ଘଟିବା ଓ ସମାପ୍ତି ମଧ୍ୟରେ ‘ଏକଶୂନ୍ୟସ୍ଥାନ’ ତିଆରି କରାଯାଏ । ଯୋଉ ଶୂନ୍ୟସ୍ଥାନ ଯୋଗୁଁ ଆବେଗ ବର୍ଦ୍ଧିତ ହୁଏ, ଉତ୍କଣ୍ଠା ଘନୀଭୂତ ହୁଏ, କାହାଣୀରେ ମୋଡ଼ ବଦଳେ । ଗଳ୍ପ ନିଜକୁ ସାମାନ୍ୟ ଭିନ୍ନ ଭାବେ ଉପସ୍ଥାପିତ କରିଥାଏ । ଏଶୂନ୍ୟତାର ନମୁନା ‘କ୍ଷଣିକା’ ସଂକଳନର ଅପୂର୍ଣ୍ଣ, ବିସ୍ମରଣ, ଶିଳା ସତୀ କିମ୍ବା ‘ଏଗାରଟା’ ସଂକଳନର ଏଗାରଟା, ଦୋକାନଦାର, ଅଦିନ ବଉଦ ପରି ଗଳ୍ପମାନଙ୍କରେ ମିଳିପାରିବ ‘ଭିକାରୀଟି ନିତିନିତି ଆସେ । ଚାରି ଆଡ଼ୁ ବୁଲି ବୁଲି ଆସି ଶେଷରେ ଏଇ କୁଟୀର ଦୁଆରରେ ଥାଳ ପାତିଦିଏ । ସୁକୁମାରୀ ଗୋଟିଏ କୁମାରୀ ଅଞ୍ଜଳି ଭରି ଭିକ ଦେଇଯାଏ ।' ‘ଅପୂର୍ଣ୍ଣ’ ଗଳ୍ପର ଏଇ ଆରମ୍ଭରୁ ଭିକାରୀ ଓ କୁମାରୀ ଭିତରର ଆନ୍ତରିକ ସମ୍ପର୍କକୁ ସୂଚିତ କରାଯାଉଚି । ସେ ସମ୍ପର୍କ ଆବେଗର ଦେବା ଓ ନେବା ସହ ଏକ ଅବ୍ୟକ୍ତ ଭାବନାର । ହେଲେ ସେଇ ପ୍ରାତ୍ୟହିକ ବ୍ୟାପାରରେ ଆସିଚି ବ୍ୟତିକ୍ରମ । ‘ଅନେକ ଦିନ ଚାଲିଥିଲା । ଭିକାରୀ ଆସିପାରି ନ ଥିଲା । ସେ ଦିନ ସେ କୁଟୀର ଦ୍ୱାରରେ ଆସି ଠିଆ ହେଲା । ଖୁବ଼୍‌ ଧୀରେ ଧୀରେ ସେ ଗୀତ ଆରମ୍ଭ କଲା । ଭାବୁଥିଲା, କୁମାରୀ ଆସି ଅଭିମାନ କରିବ, ଏତେ ଦିନ କେଉଁଠି ଥିଲୁରେ ପାଗଳା ! ××× ସେ ଗାଇବାକୁ ଲାଗିଲା ×× କେହି ଶୁଣିଲେ ନାହିଁ ତା ଗୁହାରୀ । ତା ହୃଦୟ ଟିକି ଟିକି ହୋଇ ଝଡ଼ି ପଡ଼ୁଥିଲା, ତଥାପି କେହି ଶୁଣିଲେ ନାହିଁ ।’’ କୁମାରୀର ଅଚାନକ ନିରୁଦ୍ଦିଷ୍ଟ ହେବା ଯେମିତି ଗଳ୍ପର ଏକ ମୋଡ଼ ପରିବର୍ତ୍ତକ ଘଟଣା । ଏ ଘଟଣାରୁ ଭିକାରୀ ଘରଦ୍ୱାର ଛାଡ଼ି କୁମାରୀର ଅନ୍ୱେଷଣରେ ଲିପ୍ତ ହେଲା । ତାର ଆବେଗ କୁମାରୀକୁ କେନ୍ଦ୍ର କରି ବହୁଗୁଣିତ ହେଲା । ଭିକାରୀର ସେ ଅନ୍ୱେଷଣରେ, ସେ ଖୋଜା, ସେ କ୍ଲେଶ ଭିତରେ ବି ଲକ୍ଷ୍ୟଥାଏ ଅବିଚଳ । ‘ଖୋଜିବାର କ୍ଲେଶରେ ବି ଯେମିତି ଗୋଟାଏ ଆନନ୍ଦ ଅଛି, ସେ ଆନନ୍ଦ ଖୋଜିବାର ସାର୍ଥକତାରେ ନ ହଉ, ଖୋଜିବାର ଯଥାର୍ଥରେ ପୁଷ୍ଟ ହୁଏ ।’ ଖୋଜିବା ଯେଉଁଠି ଆନ୍ତରିକ, କ୍ଲେଶ ଯେତେବେଳେ ଅନ୍ୱେଷଣକୁ ପାରିନାହିଁ ରୋକି, ଲକ୍ଷ୍ୟ କଣ ଆଉ ଦୂରେଇ ରହନ୍ତା ? ଭିକାରୀ ଓ କୁମାରୀ ମଧ୍ୟସ୍ଥ ସେଇ ‘ଶୂନ୍ୟସ୍ଥାନ’, ଚାକ୍ଷୁସ ହୋଇ ନ ପାରିବାର ସେଇ ଅଭାବବୋଧ, ଗଳ୍ପରେ ‘ବଡ଼’ ହେଇ ସବୁକିଛିକୁ ନିୟନ୍ତ୍ରିତ କଲାବେଳକୁ ଦିନେ ରାଣୀ ବେଶରେ ଭିକାରୀ ଭେଟେ ତା କୁମାରୀକୁ । ଏଇ ‘ଶୂନ୍ୟତା’ର ପରିକଳ୍ପନା ଏକ ‘କଥା କୌଶଳ’ ଯେଉଁଠି ଘଟଣାର ଗୁରୁତ୍ୱ ବଢ଼ିଯାଏ, ନାୟକର ମାନସିକତାର ଢେଉ ଚଳନକୁ ଜାଣିହୁଏ-। ଆବେଗର ବିଚ୍ଛିନ୍ନତା ଭିତରେ ସୃଷ୍ଟିହୁଏ ଏଇ ଶୂନ୍ୟତା । ଏଗାରଟା ସଂକଳନର ‘ଦୋକାନଦାର’ ଜୋତା ଦୋକାନୀଟି ଦିନେ ଅକସ୍ମାତ୍‌ ଭେଟିଲା ଦଶବର୍ଷର ଗୁଲଗୁଲିଆ ଝିଅଟିକୁ । ତାର ଫରମାଇସ୍‌ ପୂରଣ କରିବାକୁ ବୟସ୍କ ଦୋକାନୀକୁ ଭାରି ଭଲ ଲାଗିଲା । ତା ମନମୁତାବକ ଜୋତା ନେଇ ସେ ଭାରି ଆନନ୍ଦ ପାଇଲା । ହେଲେ ତା ବାପା ପାଖକୁ ଯାଇ ଟଙ୍କା ନବାକୁ ଆଉ ଇଚ୍ଛା କଲାନି । ପ୍ରତଦିନ କେତେ ଘୋଡ଼ାଗାଡ଼ି ତା ଦୋକାନରେ ଅଟକେ । ହେଲେ ସେ ଝିଅ ଆଉ ଆସିଲାନି । ତାର ଆସିବାର ସମ୍ଭାବନାରେ ଦୋକାନୀଟି ସ୍ଥିର ହେଇ ଶାରୀରିକ ଭାବେ ରହିଥିଲେ ବି ମନେ ମନେ ହୋଇ ଉଠୁଥାଏ ଆକୁଳ, ଅସ୍ଥିର । ହେଲେ ସେ ଝିଅ ଆଉ ଆସିଲା ନାହିଁ । ଆସିଲା ନାହିଁ ସେ ଦୋକାନକୁ, ହେଲେ ଗଳ୍ପକୁ ଆସିଲା ଏକ ‘ଶୂନ୍ୟତା’ । ଏ ଶୂନ୍ୟତା ଭିତରେ ବାତ୍ସଲ୍ୟ ଝରାଉଥିବା ବୟସ୍କ ଦୋକାନୀଟିଏର ଆକୁଳତା ଚିତ୍ରିତ ହଉଥିଲା ଯେମିତି ସେଇ ‘ଶୂନ୍ୟତା’ ହିଁ ଗଳ୍ପର କେନ୍ଦ୍ରବିନ୍ଦୁ । ଦୋକାନଦାର କି ସେ ଝିଅ ସଭିଏଁ ଯେମିତି ମିଛ । ସତ ଖାଲି ଶୂନ୍ୟତା, ସେଇ ନିର୍ଦ୍ଦିଷ୍ଟ ଶୂନ୍ୟତା । ଅସ୍ଥିର ମନା ଦୋକାନୀ ସେ ଝିଅକୁ ଖୋଜିବାକୁ ଯାଇ ଯେତେବେଳେ ଜାଣିଲା ଝିଅଟି ଆଉ ଇହ ଜଗତରେ ନାହିଁ, ତାର ସବୁ ଆକୁଳତା ଥରି ଉଠିଥିଲା । ‘ବୁଢ଼ା ସେଠି ଠିଆ ହୋଇ ରହିଲା । ହଜାର ହଜାର ମାଇଲ ଦୂରରେ ତାର ଘର । ତାରି ଭିତରୁ ଦୌଡ଼ିଆସି ସେ ଯେମିତି ପଚାରୁଛି, ‘ଯୋତା ଅଛି, ଯୋତା ?’ ବୁଢ଼ୀ ଆଖିରେ ଜଳଜଳ ହୋଇ ଦିଶିଗଲା । ତହଁ ଆରଦିନ ସମସ୍ତେ ଦେଖିଲେ ବୁଢ଼ାର ଦୋକାନବନ୍ଦ । ଦିନେଗଲା, ଦୁଇ ଦିନ ଗଲା, ଚାରିଦିନ ଗଲା, ହପ୍ତାଏ ଗଲା, ପକ୍ଷେ ଗଲା, ମାସ ମାସ ବି ଗଲା- ଦୋକାନ ବନ୍ଦ ।’ - କେତେ ଗଭୀର ହେଇପାରେ ଏ ଶୂନ୍ୟତାର ପ୍ରଭାବ- କେତେ କରୁଣ ହେଇପାରେ ୟାର ପରିଣତି, ଗଳ୍ପର ଏଇ ଶେଷଧାଡ଼ିସବୁ ତାକୁ ବୁଝାଇ ଥାଆନ୍ତି । ସେଇ ଅଗଭୀର ଶୂନ୍ୟତା ସୃଷ୍ଟି କରି ଗଳ୍ପକୁ ଏକ ବିଚିତ୍ର ଉଚ୍ଚତା ଦେଇଥିବା ନିତ୍ୟାନନ୍ଦଙ୍କର ଇଏ ଏକ ଭିନ୍ନ କଥାକୌଶଳ ।

 

ଅନାବିଳ ଭଲ ପାଇବାର ଏକ ଆଶ୍ଚର୍ଯ୍ୟ କାହାଣୀ ‘କ୍ଷଣିକା’ ସଂକଳନର ‘ପାଗଳା’ । ଗଳ୍ପନାୟକକୁ ତାର ଏକମୁଖୀ ଭଲ ପାଇବାର ପାଗଳାମି ଯୋଗୁଁ ‘ପାଗଳା’ ଭାବେ ସମ୍ବୋଧନ କରାହେଇଛି । ସେ ପାଗଳାର ପ୍ରୀତି କୌଣସି ଭାବେ ବି ଊଣା ହେବାର ନୁହେଁ । ସେଇ ଏକମୁଖୀ ଭଲ ପାଇବା ଭିତରେ ପାଗଳା ଅସୁସ୍ଥ ହେଲା ଓ ଅପେକ୍ଷା କଲା ‘ତାର’ ଆସିବାକୁ । ‘‘ବହୁଦିନ ପରେ ସେ ଆସିଲା ପାଗଳ ଏକୁଟିଆ ପଡ଼ିଥାଏ । କେହି ଶୁଶ୍ରୂଷା କରିବାକୁ ନାହିଁ । ପାଗଳ ତାକୁ ଦେଖି ହସିଲା ନାହିଁ ଆଜି । କାନ୍ଦିଲା ବି ନାହିଁ ଆଜି । ଠଣା ଉପରେ ଗୋଟିଏ ବୋତଲରେ ଔଷଧ ଥିଲା । ପାଗଳ ଠାରିଲା ଦେବା ପାଇଁ । ‘ସେ’ ମନାକରି ପାରିଲା ନାହିଁ ।’’ - ଏ ସହଜ ବର୍ଣ୍ଣନା ଓ ସରଳ ଘଟଣା ପଛରେ ଲୁଚି ରହିଥିଲା ନିତ୍ୟାନନ୍ଦଙ୍କ ଭିନ୍ନ ଏକ କଥା କୌଶଳ । ସାଧାରଣ ପ୍ରତୀତ ଏ ଘଟଣା ହଠାତ୍‌ ପାଲୋଟିଗଲା ଅସାଧାରଣ, ସହଜ ବର୍ଣ୍ଣନାର ଏ ରୂପ ଭିତରେ ଘଟିଗଲା ଅଶୁଭର କି ଭୟାନକ ସଂଚରଣ ! ପାଠକର ସହଜ କଳ୍ପନାର ବାଟ ଘୂରେଇ ଦେଇ ନିତ୍ୟାନନ୍ଦ ରଖିଥିଲେ ଏକ ନିଷ୍ଣୁରତମ ବାସ୍ତବତା ! ଔଷଧ ବୋତଲ ଭିତରେ ପାଗଳା ରଖିଦେଇଥିଲା ବିଷ । ସେ ବିଷକୁ ‘ସେ’ ସହଜ ବିଶ୍ୱାସରେ ଔଷଧ ଭାବି ପାଗଳାକୁ ପିଆଇ ଦେଇଥିଲା । ପାଗଳା ‘ତା’ ବିନା ଏ ଜୀବନରେ ଲାଭ କଣର ସଂକଳ୍ପରେ ଯେ ଏମିତି କିଛି ନିଷ୍ଠୁର ପଦକ୍ଷେପ ନେଇଥିବ, କେମିତି ବା ଜାଣନ୍ତା ‘ସେ’ ? ଗଳ୍ପରେ ଏ ଯେଉଁ ଅପ୍ରତ୍ୟାଶିତ ମୋଡ଼ ପରିବର୍ତ୍ତନ ଘଟି ବିଳମ୍ବିତ ଲୟରେ ଚାଲୁଥିବା ଗଳ୍ପକୁ ପରିଣତି ପାଖକୁ ଦ୍ରୁତତମ ଗତିରେ ନେଇ ଆସିଲା, ତାହା ଓ ହେନେରୀଙ୍କ କାହାଣୀମାନଙ୍କର ସକ୍‌ ଏଫେକ୍ଟ ତୁଲ୍ୟ । ‘ଅପ୍ରତ୍ୟାଶିତ ଆଘାତ’ ତେଣୁ ନିତ୍ୟାନନ୍ଦଙ୍କ ଗଳ୍ପର ଅନ୍ୟତମ କଥାକୌଶଳ, ଯାହାଦ୍ଵାରା କାହାଣୀରେ ଫୁଟି ଉଠେ ଏକ ଅନନ୍ୟ ସ୍ତବ୍‌ଧତା ପାଠକର କଳ୍ପନା ହେଇଯାଏ ଛିନ୍ନଭିନ୍ନ । ଆନନ୍ଦର ସହଜ ଉପଲବ୍‌ଧି ହୁଏ ଭୂଲୁଣ୍ଠିତ । ପାଠକ ନିଜ ଭିତରେ ନିଜେ ସଜାଡ଼ି ନେଇ ଗଳ୍ପ ପାଖକୁ ପୁଣି ଆସିବାବେଳକୁ ସରିସାରିଥାଏ ଗଳ୍ପ ।

 

ସେମିତି ବି ହେଇଚି ଗୌରବର ସ୍ତ୍ରୀ ଜୀବନରେ । ଗାୟକ ଗୌରବ ମନେକରିଚି ତା ସ୍ତ୍ରୀ ପାଇଁ ଗାୟନତାର ହେଇପାରୁ ନାହିଁ ପ୍ରଭାବଶାଳୀ । ‘ଏଗାରଟା’ ସଂକଳନର ‘ସାଧନ’ ଗଳ୍ପରେ ସେଇ ଅନୁଭବରେ, ‘ଗୌରବ ପ୍ରକୃତରେ ପାଗଳ ହୋଇଗଲା । ତହିଁ ଆରଦିନ ସକାଳେ ସ୍ତ୍ରୀ ତାର ସ୍ନାନସାରି ସ୍ୱାମୀର ପାଦୁକା ପାନ କରିବାକୁ ଗୋଟିଏ କ୍ଷୁଦ୍ର ପାତ୍ରରେ ଜଳଭରି ନିକଟକୁ ଆସିଲା । ଗୌରବର ପାଦ ଥରି ଉଠିଲା । ବହୁ କଷ୍ଟରେ ସେ ପାଦ ବଢ଼ାଇଦେଲା । ବୃଦ୍ଧ ଆଙ୍ଗୁଠିର ଅଗ୍ରଭାଗ ଧୌତ କରି ସ୍ତ୍ରୀ ତାର ପାଦୁକା ନେଲା । ଗୌରବ ଚିତ୍କାର କରି ଉଠିଲା- ‘ସେ ଠାକୁରେ’-। ସ୍ତ୍ରୀ ଚମକି ପଡ଼ିଲା । ପଚାରିଲା, ଏପରି ହେଲ କାହଁକି ? କିନ୍ତୁ ସେତେବେଳକୁ ପାତ୍ରରୁ ଚରଣ ଉଦକ ନିଃଶେଷ ହୋଇ ସାରିଥିଲା ।’ ପତିବ୍ରତା ସ୍ତ୍ରୀଟିକୁ ମାରିଦବାଲାଗି ଗୌରବ କେଡ଼େ କୌଶଳରେ ଆଙ୍ଗୁଠିରେ ବୋଳି ରଖିଥିଲା ବିଷ ! ପାଠକ ସ୍ତମ୍ଭୀଭୂତ ହୁଏ, ମଥିତ ହୁଏ- ଅପ୍ରତ୍ୟାଶିତ ଏ ଆଘାତ ତାକୁ ଦାରୁଭୂତ କରିଦିଏ । ତାରି ଭିତରେ ପାଠକ ଛାତିର କେଉଁ ନିବୁଜ କୋଣରେ ଦାଗକାଟି ସାରିଥାଏ ଗଳ୍ପଟି ।

 

ସେଇ ସମଧର୍ମୀ କୌଶଳର ଅନନ୍ୟ ଏକ ଗଳ୍ପ ‘ଧଳାଗାର କଳାଗାର’ ସଂକଳନସ୍ଥ ‘ସଉଦାଗର’ । ମାଟିକଣ୍ଢେଇ ଗଢ଼ିଥିବା ଝିଅର ପ୍ରେମରେ ମୁଗ୍ଧ ସଉଦାଗର ତାର ପ୍ରେମ ପାଇବାକୁ ତାରି ପରି କଣ୍ଢେଇ ଗଢ଼ିବାଲାଗି ତତ୍ପର । ଦିନ ପରେ ଦିନ ବିତିଛି, ବର୍ଷ ପରେ ବର୍ଷ । ଉଜାଡ଼ି ହେଇଯାଇଚି ବାଣିଜ୍ୟ ଆଉ ତା ସାଥେ ଧନ ଦଉଲତ । ସଉଦାଗରର ଲକ୍ଷ୍ୟ କିନ୍ତୁ ଏକ । ସେଇମିତି କଣ୍ଢେଇଟିଏ ଗଢ଼ିବ- ଠିକ୍‌ ସେଇମିତି.. । ସେ ଝିଅକୁ ବାହାହବାକୁ ମନକରି ରଜାପୁଅ ମେଳା ଲଗାଇଲେ । ଭଲ କାମର କାରିଗର ପାଇବ ‘ରାଣୀ’ଙ୍କଠୁ ପୁରସ୍କାର । ଏ ଭିତରେ ସେ ସଉଦାଗର ପ୍ରାୟ ଅନ୍ଧ, ଦରିଦ୍ର । ସେ ଶିଳ୍ପକୁ ନେଇ ସଉଦାଗର ସେ ଶିଳ୍ପ ତାକୁ ଦେଇଚନ୍ତି ବୋଲି ଅନ୍ଧ ଛଦ୍ମ ସଉଦାଗର କହିବାରୁ ଅଭିମାନ କରିଚି ଝିଅ ଓ ଶିଳ୍ପରେ ଖୁଣ ବାଛିଚି । ଦୁଃଖୀ ସଉଦାଗର ସେ ଶିଳ୍ପ କଚାଡ଼ି ଭାଙ୍ଗି ଦେଇଚି । ଝିଅ ବୁଝିଚି ସେ ହିଁ ସେଇ ସଉଦାଗର । ଆନନ୍ଦ ଉତ୍ତେଜନାରେ ଚେତା ବୁଡ଼ିଗଲା ତାର । ସେ ଯେ ଏ ଭିତରେ ବରଣ କରିଚି ରାଜପୁତ୍ରଙ୍କୁ । ଦୀର୍ଘଜୀବନ ଅପେକ୍ଷା କରିଥିବା ସ୍ଵପ୍ନ ଆଉ ସଫଳ ହେବ ନାହିଁ । ପ୍ରାପ୍ତିର ଆନନ୍ଦରୁ କାହଁକି ଆସିଲା କୋହର ଏ ଅସରନ୍ତି ଧାରା ? ଦୀର୍ଘ ଅପେକ୍ଷାର ଏଇ ଅଭାବିତ ପରିଣତିରେ କାରୁଣ୍ୟର ଘନଘୋର ରୂପ ସୃଷ୍ଟି କରି ନିତ୍ୟାନନ୍ଦ ଦେଇଚନ୍ତି ତାଙ୍କର ଫିନିସିଂ ଟଚ୍‌ ‘‘ରାଜବୈଦ୍ୟ ଆସି ଦେଖିଲେ - ସବୁଶେଷ ।” ଏଇ ଶେଷ ହିଁ ପାଠକ ଛାତିରେ ସୃଷ୍ଟି କରେ ଦୀର୍ଘଶ୍ଵାସ, ମନରେ କୋହ-। ସେ କୋହ ପରୋକ୍ଷରେ ସ୍ମରଣୀୟ କରିଦିଏ ଗଳ୍ପକୁ - ଆଉ କେଉଁଠି କିଛି ବି ପାଠକ ଅନୁଭବ କରି ପାରେ ନାହିଁ, ସବୁଠି କାରୁଣ୍ୟ, ସବୁଠି ଆଘାତ, ସବୁଠି କୋହ- ‘ଏକୋରସଃ କରୁଣ ଏବସା’’-

 

କେତେବେଳେ ନିତ୍ୟାନନ୍ଦ ନିଜ ଗଳ୍ପରେ ସୃଷ୍ଟି କରନ୍ତି ଏମିତି ଏକ ଘଟଣା - ଯାର ଅନତିକ୍ରମ୍ୟ ପ୍ରଭାବରେ ଚରିତ୍ରର ବ୍ୟକ୍ତିତ୍ଵ ହୋଇଯାଏ ପରିବର୍ତ୍ତିତ । ଏଇ ସର୍ଜନା ମୂଳରେ ଚରିତ୍ରର ପରିବର୍ତ୍ତନ ସହିତ ଲେଖକଙ୍କ ଉଦ୍ଦେଶ୍ୟ ମଧ୍ୟ ହୋଇଉଠେ ସୁସ୍ପଷ୍ଟ । କେଡ଼େ କଠୋର ସେ ଖୁଡ଼ୀ- କୀଣୁବୋଲି ପୁତୁରାକୁ ଜମ୍ମାରୁ ଦେଖି ପାରୁ ନ ଥିଲେ ବି ଆଖିରେ ସବୁବେଳେ ସେ ଥିଲେ ତା ପ୍ରତି କଠୋର କଣ୍ଠ ଓ ଅନୁଦାର । କକା ମହେନ୍ଦ୍ରବାବୁଙ୍କ ସୌଖ୍ୟ ଓ ସାହଚର୍ଯ୍ୟରେ କୀଣୁ ପରି କୁନି ପିଲାଟି ଯେ କଥା ପର୍ଯ୍ୟନ୍ତ ଭଲରେ କହିପାରେ ନାହିଁ, ଚଳିଯାଏ ସେ ଘରେ କୌଣସିମତେ ‘ଏଗାରଟା’ ସଂକଳନସ୍ଥ ‘ଖୁଡ଼ୀ’ ଗଳ୍ପରେ ଦିନେ ଅପ୍ରତ୍ୟାଶିତ କୀଣୁ ଖସିପଡ଼ିଚି ଛାତରୁ ବଲ ଖେଳୁ ଖେଳୁ- କାର୍ଣିସ ଧରି ଝୁଲିପଡ଼ିଚି- ଆଉ ଚିତ୍କାରକରି ଖୁଡ଼ୀଙ୍କୁ ଡାକୁଚି । କେଉଁଠି ଥିଲା କେଜାଣି ଖୁଡ଼ୀ ଭିତରେ ବାତ୍ସଲ୍ୟ, ଅପ୍ରତ୍ୟାଶିତ କୂଳ ଲଙ୍ଘି ଚାଲିଆସିଛି ବାହାରକୁ । କୀଣୁକୁ ବଂଚାଇବାକୁ ଯାଇ ନିଜେ ପାଇଚନ୍ତି ଆଘାତ । ସେ ଆଘାତ ଭାଙ୍ଗି ଦେଇଚି ତାଙ୍କ କଠିନ ବହିଃ ଆବରଣ । ତାରି ଭିତରୁ ମା’ର ମୋହିନୀ ମୂର୍ତ୍ତି ପ୍ରତିଭାତ ହେଇଚି । କୀଣୁର ଛାତରୁ ପଡ଼ିଯିବା ଗଳ୍ପର କ୍କାଇମାକ୍‌ସ ଯା’ ପରେ ଖୁଡ଼ୀ ଚରିତ୍ରରେ ଆସିଚି ଅଭାବିତ ପରିବର୍ତ୍ତନ । ଏ ପରିବର୍ତ୍ତନ ନକାରାତ୍ମକତାରୁ ସକାରାତ୍ମକତାର- ଯୋଉଥି ପାଇଁ ଏପରି ଏକ ଘଟଣାର ଥିଲା ଆବଶ୍ୟକ । ରୁକ୍ଷ କଠିନ ବାଲୁକାର ଗର୍ଭରେ । ଖୁଡ଼ୀଙ୍କ ବାତ୍ସଲ୍ୟ ରସର ଯେଉଁ ଫଲ୍‌ଗୁ ପ୍ରବାହିତ ହେଉଥିଲା ତାକୁ ଦେଖାଇବାକୁ ଲୋଡ଼ାଥିଲା ଏମିତି ଏକ ଘଟଣା-

 

ସେମିତି ବି ‘ଏଗାରଟା’ ସଂକଳନର ଗଳ୍ପ ‘ଏଗାରଟା’ ଲବଣ ସତ୍ୟାଗ୍ରହର ପୃଷ୍ଠଭୂମିରେ ଯେଉଁଠି ଜଣେ କଂଗ୍ରେସ କର୍ମୀକୁ ପୋଲିସ କନେଷ୍ଟବଳ ନିର୍ମମ ଲାଠିମାଡ଼କୁ ରୋକି ଦବାକୁ ଅପ୍ରତ୍ୟାଶିତ ତତ୍ପର ହେଇ ଉଠେ ଜଣେ ସବ୍‌ଇନ୍‌ସପେକ୍ଟର । ମାଡ଼ ତା ଉପରେ ବାଜେ । ହେଲେ ସରକାରଙ୍କ ଅନୁଗତ ପୋଲିସ ହଠାତ୍‌ କାହଁକି କଂଗ୍ରେସକର୍ମୀ- ଲବଣ ସତ୍ୟାଗ୍ରହୀଙ୍କ ପ୍ରତି ହେବ ସହାନୁଭୂତିଶୀଳ ? କାହିଁକି ସରକାରୀ କର୍ମଚାରୀ ହେଇ ସେ ହେବ ସତ୍ୟାଗ୍ରହୀ ସାହାପକ୍ଷ ? ପାଠକ ଏ ପ୍ରଶ୍ନରେ ମଥିତ ହେଲାବେଳକୁ ଲେଖକ ସ୍ପଷ୍ଟ କରନ୍ତି ଏ ବ୍ୟକ୍ତିତ୍ୱ ପରିବର୍ତ୍ତନର କାରଣ । ଦୀର୍ଘଦିନ ପରେ ୟାର ସ୍ପଷ୍ଟୀକରଣ ସେଇ ସବ୍‌ଇନ୍‌ସପେକ୍ଟର ରହିମ ଦେଇଚି ନିଜ ଅସୁସ୍ଥ ଅବସ୍ଥାରେ ହସ୍‌ପିଟାଲ ବେଡ଼ରେ, “ମୁଁ ତମର ଚେହେରା ଦେଖି, ସେଦିନ ମୋର କାହିଁକି ମନେ ହେଲା କେଜାଣି, ଯେ ତମେ ଜଣେ ସଂସାରରୁ ବାହାର ତମେ ଭଣ୍ଡ ନୁହଁ, ପ୍ରତାରକ ନୁହଁ ତମେ ଯାହା ଅନୁଭବ କରୁଛ, ତାହା କହୁଛ- ତାହା କରୁଛ । ଭିତରେ ଦେଶପ୍ରତି ଭକ୍ତି ଥିଲେ ମଧ୍ୟ ସରକାରର ଚାକର ହୋଇ ଦେଶଦ୍ରୋହିତା କରିବା ପ୍ରତାରଣା ନୁହେଁ ତ ଆଉ କ’ଣ ? ମୁଁ ସେତେବେଳେ ନିଜକୁ ପ୍ରତାରକ ବୋଲି ମନେକରୁଥିଲି । କିନ୍ତୁ ତମେ ଯେପରି ମୋଠାରୁ ସ୍ଵତନ୍ତ୍ର । ଏହି ଦୃଷ୍ଟିରେ ମୁଁ ତମର ଜୀବନରକ୍ଷା କରିବାକୁ ଯାଇ ନିଜକୁ ବିପଦରେ ପକାଇଥିଲି ।’’ ଚରିତ୍ରପ୍ରଧାନ ଏ ଗଳ୍ପମାନଙ୍କରେ ଚରିତ୍ରର ବ୍ୟକ୍ତିତ୍ଵର ବିବର୍ତ୍ତନ ଗଳ୍ପରେ ନୂଆ ଏକ ସମ୍ଭାବନାର ଜନ୍ମଦିଏ । ଏଇ ପରିବର୍ତ୍ତନଗୁଡ଼ିକ ପ୍ରାୟତଃ ଏକ ସକାରାତ୍ମକ ଭାବନାଦ୍ଵାରା ପରିକଳ୍ପିତ ଖରାପର ଅବସାନ ଦୁଷ୍କର୍ମର ଅନ୍ତ ପାଇଁ ଲୋଡ଼ା । ମାନସିକ ପରିବର୍ତ୍ତନ । ସେଇ ପରିବର୍ତ୍ତନ ହେବ ନିର୍ଦ୍ଦିଷ୍ଟ କୌଣସି ପ୍ରଭାବଶାଳୀ ଘଟଣା ଦ୍ଵାରା । ଉପରୋକ୍ତ ଗଳ୍ପମାନଙ୍କରେ ତେଣୁ ସେଇପରି ଘଟଣାର ପ୍ରତିକ୍ରିୟାରେ ଚରିତ୍ରର ବ୍ୟକ୍ତିତ୍ୱଗତ ପରିବର୍ତ୍ତନକୁ ଏକ କଥା କୌଶଳ ଭାବେ ସଂଯୁକ୍ତ କରିଚନ୍ତି ନିତ୍ୟାନନ୍ଦ ।

 

॥୫॥

 

ନିତ୍ୟାନନ୍ଦଙ୍କ ବ୍ୟକ୍ତି ରାଜନୀତି ଓ ସାହିତ୍ୟର ଯୁଗଳବନ୍ଦୀରେ ଗଢ଼ା । ଜଣେ ନିଷ୍ଠାପର ରାଜନୀତିଜ୍ଞ, ସ୍ଵାଧୀନତା ସଂଗ୍ରାମୀ ଭାବେ ସାଧାରଣ ଲୋକଙ୍କ ସହିତ ମିଶିବାର ବିପୁଳ ସୁଯୋଗ ତାଙ୍କର ଥିଲା । ମଣିଷକୁ ପଢ଼ି ସେ କଥାସାହିତ୍ୟ ଲେଖିଚନ୍ତି । ମଣିଷର ଆଖି ଆଉ ଆତ୍ମାର ଆବିଷ୍କାରରେ ତାଙ୍କର ଲେଖା । ସେ ଲେଖାରେ ତେଣୁ ବଡ଼ ସୁନ୍ଦର ଭାବେ ମଣିଷ ମୁହଁର ଭାଷା ଦେଇ ସେ ନିଜ ଲେଖାକୁ କରିଚନ୍ତି ଜୀବନ୍ତ ।

 

ନିତ୍ୟାନନ୍ଦଙ୍କ ବହୁଗଳ୍ପରେ ଅଛି ଏକ ରାଜକୀୟ ବାତାବରଣ । ଧଳାଗାର କଳାଗାର ସଂକଳନର ‘ଅନ୍ୱେଷଣ’ତ ତାର ଭାଷିକ ଚମତ୍କାରିତା ପାଇଁ ଦାବି କରେ ଏକସ୍ଵତନ୍ତ୍ର ଆସନ । ୟାଛଡ଼ା କ୍ଷଣିକା ସଂକଳନର ବିସ୍ମରଣ, ଅପୂର୍ଣ୍ଣ, ବୀଣା, ପୂଜାରିଣୀ ଆଦିରେ ରଜକୀୟ ପୃଷ୍ଠ ଭୂମିରେ କଥା ପରିକଳ୍ପିତ । ପୃଷ୍ଠଭୂମିର ଉପଯୁକ୍ତ ଚିତ୍ରଣ ପାଇଁ ଏସବୁ ଗଳ୍ପରେ ଶାସିତ ତତ୍‌ସମ ଶବ୍ଦର ପ୍ରାଚୁର୍ଯ୍ୟ । ଏସବୁ ଗଳ୍ପକୁ ସମୟୋପଯୋଗୀ କରି ଧରି ରଖିବାରେ ହେଇଚି ସକ୍ଷମ । ‘ଅତୀତ’ ଯେତେବେଳେ ବର୍ତ୍ତମାନରେ ଉଭା ହୁଏ- ସେତେବେଳେ ଅତୀତକୁ ଅବିକଳ ଥୋଇବା ଲାଗି ‘ଭାଷା’ ତ ମାଧ୍ୟମ । ସେଇ ଭାଷାକୁ ନେଇ ଅତୀତ ରଙ୍ଗରେ ରଙ୍ଗୀନ କରି କଥା ଲେଖିଚନ୍ତି ନିତ୍ୟାନନ୍ଦ । ସେ କଥାରେ କଳିଙ୍ଗ ରାଜକୁମାର ଓ ଅବନ୍ତୀ ରାଜକୁମାରୀଙ୍କ କାହାଣୀମୂଳକ ‘ଅନ୍ୱେଷଣ’ରେ ଯେଉଁ ରାଜକୀୟତା :

 

“ପ୍ରାଙ୍ଗଣ ସଂଲଗ୍ନ ସେହି ଭୀମକାରାର ପାର୍ଶ୍ୱରେ ଗୋଟାଏ ଯୋଡ଼ାଏ ସୂର୍ଯ୍ୟମୁଖୀ

 

ଯେଉଁଠି ଝାଉଁଳି ପଡ଼ିଥାଏ, ସେଇଠି ।

 

ସନ୍ଧ୍ୟାର ଅନ୍ଧକାର ଯେତେବେଳେ ସେହି ନିର୍ମମ ପାଷାଣ ପ୍ରାଚୀରକୁ ସମ୍ପୂର୍ଣ୍ଣ

 

ଗ୍ରାସ କରିଦିଏ- ଯେତେବେଳେ ବନ୍ଦୀର ବଂଶ- ନିସୃତ ଧ୍ଵନି ଆକାଶରେ

 

ପ୍ରଥମ ପୁଲକ ସଞ୍ଚାର କରେ ସେତେବେଳେ...’ ଏଠି ତତ୍‌ସମ, ତଦ୍ଭବରେ କାବ୍ୟର ସ୍ମରଣ ଘଟିଚି ଯେମିତି । ରାଜକୀୟତାର ସ୍ପର୍ଶ ଲାଗୁଚି ସେଇଠି । ଆଉ ସେଇ ସ୍ପର୍ଶ ପାଇଁ ଏମିତି ଶବ୍ଦ ବିନ୍ୟାସ ଓ ଭାଷା ରଚନା ଯେମିତି ନିତ୍ୟାନନ୍ଦଙ୍କର ଏକ ସ୍ଵାଭାବିକ ଅଭ୍ୟାସ ।

 

ଅପର ପକ୍ଷରେ ସାଧାରଣ ଚରିତ୍ରର, ସାଧାରଣ ଘଟଣାର ବର୍ଣ୍ଣନାରେ, ବାସ୍ତବତାର ନିର୍ମମ ବର୍ଣ୍ଣନାରେ ସେଇ ଏକାଲେଖକ ଗାଉଁଲି ଭାଷାର ପ୍ରୟୋଗରେ, ଗାଉଁଲି କଥିତ ଓଡ଼ିଶାର ରୂପାୟନରେ ଅପୂର୍ବ ସିଦ୍ଧିମଧ୍ୟ ଦେଖାଇ ପାରିଚନ୍ତି । ‘ଧଳାଗାର କଳାଗାର’ ସଂକଳନର ‘ଅନ୍ଧର ଅହମିକା’ରୁ ଗୋଟିଏ ନମୁନା ନିଆଯାଇପାରେ ।

 

‘ସଉରି ପାଇକରା ସେମିତି ଖୁଣ୍ଟଟା ପରି ବସିଛି । ହୁଙ୍କୁ ନାହିଁ କି ଚିଙ୍କୁ ନାହିଁ । ଗଲା ଦୁଇ ତିନି ଦିନ ହବ ଅନବରତ ଝଡ଼ି ବରଷା ଗାଜି ଦେଇ ଯାଉଚି । ଭୋଦୁଅମାସ ଶେଷମୁଣ୍ଡରେ ଧାରା ଶ୍ରାବଣ ଅଜାଡ଼ି ହେଇ ପଡ଼ିଲା । କି ଅକାଳ କଥା । ଦାଣ୍ଡରେ ସୁଅ ଚାଲିଛି । ପୁରୁଣା ଦରମଲା ତାଳଗଛଟାଏ ତଳଆଡ଼ୁ ଫାମ୍ପରା ଧରିଥିଲା କି କ’ଣ, ଗଡ଼ି ପଡ଼ିଲା ।’

 

ଖାଲି ଏତିକି ନୁହେଁ ବିଭିନ୍ନ ଗଳ୍ପରେ ମୌଖିକ ଉଚ୍ଚାରଣ ତୁଲ୍ୟ ଶବ୍ଦ ଲେଖି ସେ ସାଧାରଣ ଲୋକ ମୁଖର ଭାଷାକୁ ଯେମିତି ଆପଣେଇ ନେଇ ଦେଖାଇଚନ୍ତି । ଏ ଚିତା କେ ଲେଖିଥିଲି (ସତୀ) / କୁଳିଙ୍କ ଘରଠୁ ଟିକିଏ ଫରାକତ (ସତୀ)/ ସୁଇଁ ଘର (ଗରିବର ଦେବତା)/ ସିନାନ ସାରି (ସଉଦାଗର)/ ଏକଧିଆନ (ସଉଦାଗର)/ ସାତୁଟା, ଆଠୁଟା (କଳ୍ପନା) ।

 

ଭାଷା ପ୍ରୟୋଗରେ ଏ ସାବ୍ୟସଚୀତ୍ୱ ଓଡ଼ିଆରେ କମ୍‌ ଲେଖକଙ୍କ ପାଖରେ ମିଳିଥାଏ । ଅପୂର୍ବ ଭାବେ ସାଧୁ ଓ ଲୌକିକର ପ୍ରୟୋଗରେ ନିଜର ସିଦ୍ଧହସ୍ତତା ଦେଖାଇଛନ୍ତି ନିତ୍ୟାନନ୍ଦ ।

 

ଭାବନାର ସଫଳ ରୂପାୟନ ପାଇଁ ପ୍ରତିଟି ଲେଖକ ଲେଖାରେ ନିଜସ୍ଵ କିଛି କାରିଗରୀ ଦେଖାଏ । ସେ କାରିଗରୀର ସାର୍ଥକତା ଆସେ ଭାବନାର ଲୋକପ୍ରିୟତାରୁ । ନିତ୍ୟାନନ୍ଦଙ୍କ କଥା- କାରିଗରୀ ଭିତରେ ତାଙ୍କର ସମର୍ଥ ବିନ୍ଧାଣୀପଣ ବାରିହେଇପଡ଼େ ।

 

ଡିଅରପାର୍କ,

ଶାନ୍ତିନିକେତନ

 

***

 

ଡଗର ସମ୍ପାଦକ ନିତ୍ୟାନନ୍ଦ ମହାପାତ୍ର

ଦୁର୍ଗାପ୍ରସନ୍ନ ପଣ୍ଡା

 

‘‘ମୁଁ ନିଜେ ବାରମ୍ବାର ଜେଲ ଭୋଗିବା କାଳ ମଧ୍ୟରେ ‘ଡଗର’ ମୋ ବୃଦ୍ଧ ପିତାଙ୍କ ଲାଳନ ପାଳନ ଦ୍ଵାରା ବଞ୍ଚିବାର ସୌଭାଗ୍ୟ ଲାଭ କରିଛି ।” ‘ଡଗର’ ୧୯୩୭ ମସିହାରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲେ ମଧ୍ୟ ନିତ୍ୟାନନ୍ଦ ମହାପାତ୍ର ବସ୍ତୁତଃ ସମ୍ପାଦନା କାର୍ଯ୍ୟରେ ଅନେକ ସମୟରେ ବ୍ୟସ୍ତ ରହୁଥିଲେ । ସେ ଲେଖିଛନ୍ତି, ‘‘ପନ୍ଦର ବର୍ଷ ତଳେ ‘ଡଗର’ ଚାଳିଶ ଟଙ୍କା ମୂଳଧନରେ ଆରମ୍ଭ ହୋଇଥିଲା । ଏହାର ଜୀବନ କାଳ ଇତିହାସ ଦେବା ଏ ସ୍ଥାନରେ ଯେତିକି ଅନାବଶ୍ୟକ, ସେତିକି ଆତ୍ମଶ୍ଲାଘା ପ୍ରକାଶର ଭୟ ଥିବାରୁ କ୍ଷାନ୍ତ ହେଲି ।” (ନିଜ ସମ୍ବନ୍ଧରେ-ନିତ୍ୟାନନ୍ଦ ମହାପାତ୍ର-ଡଗର ୧୫/୨୧-୨୨ ସଂଖ୍ୟା ୧-୫-୫୨) ନିତ୍ୟାନନ୍ଦ ମହାପାତ୍ରଙ୍କୁ ‘ଡଗର’ ପୃଷ୍ଠାରେ ସମ୍ପାଦକ ଭାବେ ୧୯୩୯ର ଆଦ୍ୟରେ ଦେଖିବାକୁ ମିଳିଲା । ତତ୍‌ ପୂର୍ବରୁ ଡଗରର କଭର ପୃଷ୍ଠାରେ ସେ ବ୍ୟଙ୍ଗଚିତ୍ର ଅଙ୍କନ କରି ତା ତଳେ କବିତାରେ ହେଉ ବା ଗଦ୍ୟରେ ହେଉ କିଛି ଲେଖୁଥିଲେ । ‘ଡଗର’ ପ୍ରକାଶନର ଠିକ୍‌ ୧୫ ବର୍ଷ ପରେ ‘ନିଜ ସମ୍ବନ୍ଧରେ’ ସେ ଯାହା କହିଛନ୍ତି ତାର ସାରାଂଶ ହେଲା, ‘ଡଗର’ ତାର ମାନବୃଦ୍ଧି କରୁ ନ ଥିବାରୁ ପାଠକମାନେ ଯେଉଁ ସବୁ ଅଭିଯୋଗ ପତ୍ର ତାଙ୍କୁ ଲେଖୁଥିଲେ ତା’ର ଜବାବ ଦେବାକୁ ଯାଇ ସେ ନିଜର ଅସୁବିଧାମାନ ଉଲ୍ଲେଖ କରିବାକୁ ଚାହିଁଛନ୍ତି । ‘ଡଗର’କୁ ଏକ ‘ଗୌରବ-ସାହିତ୍ୟ’ର ଅଗ୍ରଦୂତ ଭାବେ ଜାତିର ଦରବାରରେ ଉପସ୍ଥାପନ କରିବା ଥିଲା ତାଙ୍କର ଲକ୍ଷ୍ୟ । ଭଦ୍ରକରୁ କଟକକୁ ଡଗର ପ୍ରେସ ସ୍ଥାନାନ୍ତରିତ ହେବା ଫଳରେ ବ୍ୟୟ ବଢ଼ିଲା କିନ୍ତୁ ପାଠକ ସଂଖ୍ୟା ବଢ଼ିଲେ ନାହିଁ । ‘ଡଗର’ କ୍ଷତି ସହି ସହି ନୟାନ୍ତ ହୋଇଗଲା । ‘ଡଗର’କୁ ଏକ ଅଭିନବ ସାହିତ୍ୟ ପତ୍ରିକାରେ ପରିଣତ କରିବା ପାଇଁ ଯେଉଁ ଉଦ୍ୟମ ଆରମ୍ଭ ହେଲା ତାହା ବ୍ୟୟବାହୁଲ୍ୟର ମୂଳ କାରଣ ହେଲା । ନାନା ପ୍ରତିକୂଳ ପରିବେଶରେ ଫତୁରାନନ୍ଦ ‘ଡଗର’କୁ ବଞ୍ଚାଇ ରଖିବାକୁ ଉଦ୍ୟମ କରି ନ ଥିଲେ ‘ଡଗର’ର ସ୍ଥିତି ଲୋପ ପାଇ ଯାଇଥାଆନ୍ତା ।

 

‘ଡଗର’କୁ ଇଚ୍ଛାମତେ ସଜାଇବାକୁ ନିତ୍ୟାନନ୍ଦ ବାବୁ ଏବଂ ତାଙ୍କ ସାନ ଭାଇ ଗୌରଚନ୍ଦ୍ର ବାବୁ ବିଶେଷ ଯତ୍ନ କରୁଥିଲେ । ‘ଡଗର’ ଠିକ୍‌ ସମୟରେ ପ୍ରକାଶ ନ ପାଇବାରୁ କାନ୍ତକବିଙ୍କୁ ଗୋଟାଏ କୈଫିୟତ୍‌ରେ କହିବାକୁ ପଡ଼ିଥିଲା ଯେ ନିତ୍ୟାନନ୍ଦ “ତାଙ୍କ ମାମୁ ଘରକୁ ଚାଲିଯାଇଥିବା’’ ହେତୁ ‘ଡଗର’ ବାହାରି ପାରୁ ନାହିଁ ‘ମାମୁ ଘରକୁ’ (ଜେଲକୁ) ଗୌରବାବୁ ମଧ୍ୟ ଚାଲିଗଲେ । ‘ଡଗର’ କିଛିଦିନ ବନ୍ଦ ହୋଇଗଲା । କାନ୍ତକବି ତାଙ୍କ କୁଳ ଦେବତା ଗୋପୀନାଥଙ୍କ ଆସ୍ଥାନ ପାଖରେ ଗୋଟାଏ କାଗଜ ଥୋଇ ଦେଇଥିଲେ ଯେଉଁଥିରେ ଲେଖାଥିଲା, “ସବୁ ସମର୍ପି ତୋ ଚରଣେ ରହିଲି ଅନାଦି କାରଣେ ॥ ତୋ ଇଚ୍ଛା ଯାହା ତାହା କର । ତୋତେ ଲାଗିଲା ଚକ୍ରଧର ॥” (ମୁଁ ଦୋଳସାହିରେ ସ୍କୁଲ ଏସ୍‌.ଆଇ. ଥିବାବେଳେ ଆମ୍ଭେମାନେ କାନ୍ତ ସାହିତ୍ୟ ସଂସଦ ଗଢ଼ିଥିଲୁ । କାନ୍ତକବିଙ୍କ ଅନେକ ହାତଲେଖା କାଗଜ ବିକ୍ଷିପ୍ତ ଭାବେ ଥିଲା । ଗୌରବାବୁ ସେଗୁଡ଼ିକୁ ଗୋଟିଏ ବୁଜୁଳାରେ ବାନ୍ଧି ସାଇତି ଥିଲେ । ଦୁଇ ପୁଅ ଜେଲ ଯିବା ପରେ କାନ୍ତକବି ଅନେକ ଛିଣ୍ଡା କାଗଜରେ ଲେଖିଥିଲେ, ‘‘Lord Thy will be done, be done, be done” ସେହି ସମୟରେ ‘ଡଗର’ ଦୁର୍ଦ୍ଦିନ ଭିତରେ ଗତି କରିଥିଲା । ଗୌରବାବୁ ସାଇତି ଥିବା ବୁଜୁଳା ହୁଏତ କାଳର ଆଁ ଭିତରେ ଚର୍ଚ୍ଚିତ ହୋଇଥିବ । ସେଇ ବୁଜୁଳାଭିତରେ ଥିବା “ପାନ ମହାତ୍ମ୍ୟ”, ‘‘ବଡ଼ି ମହାତ୍ମ୍ୟ’’ ଆଦି ବ୍ୟଙ୍ଗାତ୍ମକ ରଚନା ଅଧୁନା ମିଳିବ ନାହିଁ ।)

 

ସମ୍ପାଦକ ଭାବେ ନିତ୍ୟାନନ୍ଦ ମହାପାତ୍ର ଦାୟିତ୍ୱ ନେବା ପରେ ‘ଡଗର’ରେ ଅନେକ ଛଦ୍ମ ନାମରେ ସେ ନିଜେ ଏବଂ ତାଙ୍କ ପିତା ଲକ୍ଷ୍ମୀକାନ୍ତ କିଛି ଲେଖା ପ୍ରକାଶ କରିଛନ୍ତି । ଛାତ୍ରମାନଙ୍କ କଲମରୁ, ‘ଡଗର’ ର ‘ନାବବଚ୍ଚା’ଙ୍କ କଲମରୁ କିଛି ଲେଖା ପ୍ରକାଶ ପାଇଲେ ଉଦ୍ମନାମରେ ସେଗୁଡ଼ିକର ମୂଲ୍ୟାୟନ କରାଯାଉଥିଲା ତିନି ଚାରି ଗୋଟି ବାକ୍ୟ ମଧ୍ୟରେ । ଖୁବ୍‌ ସମ୍ଭବ ନିତ୍ୟାନନ୍ଦ ବାବୁଙ୍କ ମନ୍ତବ୍ୟ ଏଥିରେ ଲିପିବଦ୍ଧ ହେଉଥିଲା । ‘ବିଲୁଆ ବିଚାର’, ‘ହୁକାହୁକାହୁଆ’, ‘ଡାରେ ଡାରେ ତାନା ତାନା’, ‘ନିଷିଷ ପ୍ରସିଦ୍ଧ’, ‘ଯଦି କିନ୍ତୁ’, ‘ଛାଞ୍ଚୁଣୀ ବନାମ କୋରଡ଼ା’, ‘ଗାନ୍ଧି ବିଚାରଧାରା’ ଏବଂ ‘ସମ୍ପାଦକୀୟ’ ଆଦିରେ ନିତ୍ୟାନନ୍ଦ ମୁଖ୍ୟତଃ ଲେଖୁଥିଲେ ମଧ୍ୟ କାନ୍ତକବି ରାଇମୋହନ, ଗୌରଚନ୍ଦ୍ର ଏବଂ ଫତୁରାନନ୍ଦ ଆଦିଙ୍କ ଅବଦାନ ଏ କ୍ଷେତ୍ରରେ କିଛି କମ୍‌ ନ ଥିଲା ।

 

।। ୨।।

 

ଜଣେ ସମ୍ପାଦକଙ୍କ ସବୁ ଲେଖା ପୁରାତନ ପତ୍ରିକା ପୃଷ୍ଠାରୁ ପଢ଼ିବା ଏକ ଅସମ୍ଭବ ବ୍ୟାପାର । ବାଲେଶ୍ଵରରେ ବ୍ରଜନାଥ ରଥଙ୍କ ବିଶ୍ୱତାରା ଗ୍ରନ୍ଥାଗାରରୁ ଯେତିକି ‘ଡଗର’ ପତ୍ରିକା ମୁଁ ପାଠ କରିବାର ସୁଯୋଗ ପାଇଛି ଏହି ପ୍ରବନ୍ଧରେ ସେଗୁଡ଼ିକର ଉପଯୋଗ କରାଯାଇଛି । ଏ ଯାବତ୍‌ ଲୋକଲୋଚନର ଅନ୍ତରାଳରେ ରହି ଆସିଥିବା ନିତ୍ୟାନନ୍ଦଙ୍କ କେତେକ ରଚନା ଏଠାରେ ଆଲୋଚନାର ପରିସରଭୁକ୍ତ କରାଯିବାର ଉଦ୍ୟମ ହୋଇଛି ।

 

।। ୩ ॥

 

ସ୍ରଷ୍ଟା ନିତ୍ୟାନନ୍ଦଙ୍କ ସାରସ୍ଵତ ପୁରୁଷକୁ ଚିହ୍ନିବାକୁ ହେଲେ ‘ଡଗର : ସାହିତ୍ୟ ବିଶେଷାଙ୍କ’ରେ ପ୍ରକାଶିତ ତାଙ୍କର କବିତା ‘ଉତ୍ତର ଦିଏ ଶୁଣ’ ପାଠ କରିବା ଆବଶ୍ୟକ । କବିତାର କେତେକ ଅଂଶ ଏହିପରି-

 

ମୁଁ ଉତ୍ତର ଦିଏ ଶୁଣ

ତମର ଏ ଦାଆ ହାତୁଡ଼ି-ଷ୍ଟାର ଓ ଷ୍ଟ୍ରାଇପ୍‌

ତମର ଏ କ୍ରସ୍‌ ଓ ଚକ୍ର, ଚନ୍ଦ୍ର ଓ ସୂର୍ଯ୍ୟ

ସେ ସବୁକୁ ମୁଁ ଦଳିମୋଡ଼ି ପୋଡ଼ି ଜାଳି ଦେବି ।

ଉତ୍ତର ଦେବି ଶୁଣ

ଧର୍ମକୁ ଯିଏ ଅହିଫେନ କହି / ଭଗବାନ୍‌ଙ୍କୁ ଭଣ୍ଡାମି ଆଖ୍ୟାଦେଇ

ନିରାକାର ଭ୍ରଷ୍ଟ ଆଉ ସାକାର ନିଶାଣ ନିଶା ଖୋଇ

ପୁରୁଷ ଗୋସେଇଁ, ରାଜମିସ୍ତ୍ରୀ, ସଭାପତିଙ୍କ ଇଙ୍ଗିତରେ

ଲକ୍ଷ ଲକ୍ଷ କୋଟି ନିରୀହ ନିର୍ବାକ୍‌ ଜନତାକୁ

ଭୀରୁ କାପୁରୁଷ ପରି ହତ୍ୟା କରିଛ/ ଅତ୍ୟାଚାର କରିଛ

ମୁଁ ସେଇ କାମଧେନୁ ଅପହାରୀ

ହୀନ କାର୍ତ୍ତବୀର୍ଯ୍ୟକୁ ଉତ୍ତର ଦିଏ ଶୁଣ ।

x            x            x

ତମେ ଯିଏ ସ୍ୱର୍ଗକୁ ଅଗ୍ନିପିଣ୍ଡ ପ୍ରମାଣ କରି

ଦେବତ୍ୱକୁ ଜଡ଼ତାର ଅଭିଶାପ ଦେଇଛ

ଅଣୁ ପରମାଣୁର ଶକ୍ତି ଅପହରଣ କରି

ମନୁପୁତ୍ରର ଅନ୍ତରାତ୍ମାକୁ

ଆର୍ତ୍ତନାଦ କରିବାକୁ ଛାଡ଼ି ଦେଇଛ

କାଳକୁ ଜୟ କରି ପାଷାଣ ହୋଇ ପଡ଼ି ରହି

ପୃଥୁଜୟୀ ରଶ୍ମୀସମ ସ୍ଵୟଂ ବିଲୀୟମାନ

ବେଗର ମିଥ୍ୟା ଅଭିମାନ ଆଗରେ

ଆବେଗକୁ ବଳିଦାନ ଦେଇଛ

ଚିତ୍ରଗୁପ୍ତର ଗୋଲାପ ହୃଦୟହୀନ ବୁଦ୍ଧିମାନ୍‌ ମାନବ,

ମୁଁ ଉତ୍ତର ଦିଏ ଶୁଣ ।

ମୁଁ ତମରି ଆଗରେ ଜଡ଼ର ନବ କଳେବର କରି

ଦେବତାର ଜୀବନ୍ୟାସ ଦେବି ।

ମଣିଷକୁ ଯନ୍ତ୍ରର ଅର୍ଗଳରୁ ଉଦ୍ଧାର କରି

କପାଳବାଦୀ କାପାଳିକର କରରୁ କରବାଳ ଛଡ଼ାଇ

ସେଇ ଦେବତାର ପାଦ ହୃଦୟ ଓ ଶିରରେ ଆରୂଢ଼ କରିବି ।

ଭକ୍ତିର ପୁଷ୍ପାଞ୍ଜଳି ଓ କରମାଲ୍ୟ ଦେଇ

କରାଳୀ କାଳୀକୁ କମନୀୟ କୃଷ୍ଣରେ ପରିଣତ କରିବି ।

ଏ ଯନ୍ତ୍ରର ତନ୍ତ୍ର ଧ୍ୱଂସ ହେଉ ଧ୍ୱଂସ ହେଉ

ହୃଦୟ ତନ୍ତ୍ରୀରେ ମନ୍ତ୍ର ଆରବରେ ।

x            x            x

ପ୍ରେମର କାଉଁରୀ ସ୍ପର୍ଶରେ/ମୁଁ ବିଷକୁ ଅମୃତ କରି

ବସ୍ତୁର ଅମୂଲ୍ୟ ମୂଲ୍ୟ ଧାରଣ କରିବି

x            x            x

ଏ କ୍ଷୁଧାର ଜନକ ଆଧୁନିକ ମାନବ ।

ତମେ ତମର ଆତ୍ମଜର ତୁଷ୍ଟି ପାଇଁ

ବିଷର ଶେଷ ନ କରି ବିଷଧରର ହବିଷାନ୍ନ କରୁଛ ।

ସେ ଗରଳ ତମର ପ୍ରଳୟର ଆବାହକ

ସମାଜର ସାମ୍ୟ ନାମରେ ଯେଉଁ ଆତ୍ମହତ୍ୟା କରିଚାଲିଛ

ସେଇ ପ୍ରେତର ପ୍ରକୋପରେ ତମର ଧ୍ଵଂସ ଅନିବାର୍ଯ୍ୟ ।

କୋଟିଏ ଜୀବର କ୍ଷୁଧା ଓ ଶୋଷଣ ଲୋପ କରି

ତମକୁ ଠିଆ ହେବାକୁ ହେବ,

ଯଶ ଓ କ୍ଷମତାର ସହସ୍ରୋଦର ସହସ୍ର ଜିହ୍ୱ ଆଗରେ ।

ସେତେବେଳକୁ ତୁମ ସମତାର ଚିତ୍କାରକୁ ବୁଡ଼ାଇ

ମୁଁ ମମତାର ଓଁ କାର ତୋଳି ଉତ୍ତର ଦେବି,

ମୁଁ କଶ୍ୟପର ପୁତ୍ର ‘କଲ୍ୟାଣ’ / ଭୂତଭବିଷ୍ୟ ବର୍ତ୍ତମାନର ନିୟାମକ ତ୍ରିୟାୟୁଷ ।

(ଡଗର- ସାହିତ୍ୟ ବିଶେଷାଙ୍କ ୨୦/୧-୨ ସଂଖ୍ୟା ୭/୮/ ୧୯୫୬)

 

ଏହି କବିତାରେ କବିପୁରୁଷଙ୍କ ନିଜସ୍ଵ ଉଚ୍ଚାରଣରେ ପ୍ରଚଣ୍ଡ ଅହଂମନ୍ୟତା ପ୍ରକାଶ ପାଇଛି-। ତାଙ୍କ ମତରେ ସାହିତ୍ୟରେ ବସ୍ତୁବାଦୀ ଚେତନା ରହିବା ଶୁଭଙ୍କର ନୁହେଁ । ବାମପନ୍ଥୀ ସାହିତ୍ୟାଦର୍ଶ ଓ ସ୍ଥିତିବାଦୀ ଚେତନା ସାହିତ୍ୟରେ ବିଳସିତ ହେବା ଉଚିତ ନୁହେଁ ବୋଲି ନିତ୍ୟାନନ୍ଦଙ୍କ ମତ ଏଥିରେ ପ୍ରକାଶ ପାଇଛି ।

 

ସାରସ୍ଵତ ପୁରୁଷ ନିତ୍ୟାନନ୍ଦ ମନେକରନ୍ତି ଯେ ଏ ବିଶ୍ଵ ଧ୍ୱଂସକାମୀମାନଙ୍କ ଆଗ୍ନେୟାସ୍ତ୍ର ଦିନେ ବିଶ୍ଵକୁ ଧ୍ୱଂସ କରିବା ସହିତ ଅସ୍ତ୍ରର ଅହଂଗ୍ରସ୍ତ ପ୍ରୟୋଗକାରୀକୁ ମଧ୍ୟ ଧ୍ୱଂସ କରିବ । ଦ୍ୱିତୀୟ ବିଶ୍ଵଯୁଦ୍ଧ ପରେ ନୋବେଲ ବିଜେତା ଉଇଲିୟମ୍‌ ଗୋଲଡ଼ିଂ ତାଙ୍କର କାଳଜୟୀ ଉପନ୍ୟାସ “Lord of the Flies”ରେ (୧୯୫୪)ରେ ଏଇ ବାର୍ତ୍ତା ଦେଇଛନ୍ତି ଯେ ଲେଖକ ସୌଖୀନ ସାହିତ୍ୟ ଲେଖି ନିଜେ ସାବାସି ନେବାରେ ସାହିତ୍ୟର କିଛି ଉପକାର ହେବ ନାହିଁ । ସେ ନିଷ୍ଠୁର ସତ୍ୟ ଲେଖୁ-। ଯେଉଁମାନେ ବିଶ୍ଵକୁ ଧ୍ଵଂସ କରିବାକୁ ଯୁଦ୍ଧ ମୁହଁକୁ ମଣିଷକୁ ଠେଲି ଦେଉଛନ୍ତି, ସେଇମାନଙ୍କ ଅପକର୍ମ ବିରୋଧରେ ଲେଖକ ଲେଖନ୍ତୁ । ଏପରି ଲେଖି ଲେଖକ ରାଜନେତାର କ୍ରୋଧରେ ଭସ୍ମୀଭୂତ ହେବା ଭଲ । ଉଦ୍ଧୃତ ନିତ୍ୟାନନ୍ଦ ମହାପାତ୍ରଙ୍କ କବିତାରେ ସେଇ ପ୍ରକାର ଚିନ୍ତା ପ୍ରତିଫଳିତ ହୋଇଛି, ଯାହା ପ୍ରଚଣ୍ଡ ଅହଂଦୀପ୍ତ ଉଚ୍ଚାରଣ ଭିତରେ ଅସ୍ପଷ୍ଟ ହୋଇଯାଇଛି ।

 

୧୯୫୧ରେ ନିତ୍ୟାନନ୍ଦ ଲେଖିଥିଲେ, ‘‘ଗାଇବା ଓ ଲେଖିବାରେ ଇଚ୍ଛାଥିଲା ଦୁର୍ଦ୍ଦାନ୍ତ । ବାପାଙ୍କ ଅପେରା ଦଳର ନାମ ଯେଉଁଦିନ ବହୁଦୂରରେ ଥାଇ ଶୁଣିଲି, ହୋଇଛି, ‘ଗୋପୀନାଥ ସଂଗୀତ ସମାଜ’, ସେ ଦିନ ମୁଁ ମୋର ନିଜ ରଚିତ ଗୀତକୁ ଏକତ୍ର କରି ତା ଉପରେ ଲେଖିଦେଲି, ‘‘ଭୂତନାଥ ସଂଗୀତ ସମାଜ’, ମୋ ଦାଦି ସେଦିନ ମୋ କାନକୁ ମୋଡ଼ି ଦେଇ କହିଲେ, ‘‘ଭୂତଟିଏ, ସେଥିପାଇଁ ଭୂତନାଥ ସଂଗୀତ ସମାଜ ଲେଖିଛୁ ।” ପାଠ ସେଇ ସ୍କୁଲରେ ମୁଣ୍ଡିମଲା, କିନ୍ତୁ କବିତା ଲେଖିବାର ଭୂତଟା ମୋତେ ସବୁବେଳେ ମାଡ଼ି ବସି ମୋ ଜୀବନକୁ ଧ୍ଵସ୍ତ ବିଧ୍ଵସ୍ତ କରି ଦେଇଛି । (ଡଗର ୧୪/୨୧) ‘ମରମ’, ପାଞ୍ଚଜନ୍ୟ’, ‘କାଳରଡ଼ି’, ‘କବିପ୍ରିୟାସୁ’ ଆଦି ତାଙ୍କର କବିତାଗ୍ରନ୍ଥ ତାଙ୍କ ‘ହିଡ଼ମାଟି’, ‘ଜୀଅନ୍ତା ମଣିଷ’, ‘ଜୀବନର ଲକ୍ଷ୍ୟ’, ‘ଭୁଲ’ ଆଦି ଉପନ୍ୟାସ ଗ୍ରନ୍ଥ ଏବଂ ‘ଏଗାରଟା’, ‘କ୍ଷଣିକା’ ଆଦି ଗଳ୍ପ ଗ୍ରନ୍ଥ ପରି ଏତେ ଲୋକପ୍ରିୟତା ଅର୍ଜନ କରିପାରି ନାହିଁ । ସେ ଜଣେ ନିଦା କଥାଶିଳ୍ପୀ । ‘ଡଗର’ ରେ ସେ ଲେଖିଥିବା ଅନେକ ସ୍ତମ୍ଭ ଗଳ୍ପପରି ଚମତ୍କାରିତାରେ ପୂର୍ଣ୍ଣ ହୋଇଛି ।

 

॥ ୪ ॥

 

‘ବିଲୁଆ ବିଚାର’ ଏବଂ ‘ହୁକା ହୁକା ହୁଆ’ ସ୍ତମ୍ଭରେ ନିତ୍ୟାନନ୍ଦ ଚଳନ୍ତି ସମୟର ନାନା କଥାକୁ ବାଙ୍‌‌ମୟ କରିଛନ୍ତି । ତାଙ୍କ ସମୟରେ ସାରା ବିଶ୍ଵରେ ଘଟୁଥିବା ଘଟଣା, ରାଜନେତାଙ୍କ ଆଚରଣ, ସାହିତ୍ୟ, ସମାଜ ଜୀବନ ପଡ଼ୋଶୀ ସାହିତ୍ୟ, ସଭା ସମିତି ଆଦି ବିଷୟରେ ‘ବିଲୁଆ ବିଚାର’ ସ୍ତମ୍ଭ ଆଲୋକପାତ କରୁଥିଲା । ଜଣେ ସମ୍ପାଦକ ଭାବରେ ନିତ୍ୟାନନ୍ଦ ନିଜର ମନ୍ତବ୍ୟ କିପରି ପ୍ରଦାନ କରିଛନ୍ତି ତାର ଗୋଟାଏ ଦୁଇଟି ଦୃଷ୍ଟାନ୍ତ ଦିଆଯାଉଛି ।

 

ଡଗରରେ ପ୍ରକାଶ ପାଇଛି, ପଣ୍ଡିତ ନେହେରୁ ୧୯୫୮ ଡିସେମ୍ବର ମାସରେ କଟକର ଗୋଟିଏ ସଭାରେ କହିଥିଲେ, ‘ଓଡ଼ିଆ ଜାତି ପରି ଜାତି ନାହିଁ, ଓଡ଼ିଆ ଛାତି ପରି ଛାତି ନାହିଁ । ଏକ ସଲାମ କହିଲେ ବିଶ୍‌ ସଲାମ ଦେଲାବାଲା । ୟାଙ୍କଠୁ ଡୁଡ଼ୁମାରୁ ଆଧାନେଇ ଆନ୍ଧ୍ରକୁ ଦେଲି-ସେଥିରେ ଏକ ସଲାମ । ବସ୍ତର ପ୍ରଭୃତି ପୂର୍ବାଞ୍ଚଳ ରାଜ୍ୟର ଓଡ଼ିଆ ଖଣ୍ଡ ମଧ୍ୟ ପ୍ରଦେଶକୁ ଦେଲି- ସେଥିରେ ବିଶ୍‌ ସଲାମ । ଷଢ଼େଇ କଳା ଖରସୁଆକୁ ନେଇ ବିହାରକୁ ଦେଲି-ସେଥିରେ ଶହେ ସଲାମ । ଏବେ ବଙ୍ଗଳା କାନ୍ଦିବାରୁ କରାପୁଟ କଳାହାଣ୍ଡିରେ ଏକ ନବରଙ୍ଗ କଲି-ସେଥିରେ ହଜାରେ ସଲାମ ଦେବାପାଇଁ ଯେଉଁ ଜାତି ତିଆର ତା ଛାତିକୁ ଧନ୍ୟ କହିବା ।” (‘ଡଗର’ ୧୨/୭-୧.୧.୯୫)

 

ପଣ୍ଡିତ ନେହେରୁଙ୍କୁ ଓଡ଼ିଶା ସରକାର ପ୍ରଟୋକଲ୍‌ ଅନୁସାରେ ଭବ୍ୟ ସମ୍ବର୍ଦ୍ଧନା ଦେଲେ କିନ୍ତୁ ସେଇ ଦିନ ପ୍ରାଣକୃଷ୍ଣ ସାମଲଙ୍କ ଦେହାନ୍ତ ହୋଇ ଯାଇଥିଲେ ମଧ୍ୟ କୌଣସି ରାଜନେତା ସଭା ସମିତିରେ ତାଙ୍କ ପାଇଁ ଶୋକ ପ୍ରକାଶ କରି ନ ଥିଲେ । ନିତ୍ୟାନନ୍ଦ ଲେଖିଛନ୍ତି ‘‘କବି, ଔପନ୍ୟାସିକ, ସମାଲୋଚକ ଏବଂ ଗାଳ୍ପିକ ପ୍ରାଣକୃଷ୍ଣ ଶୂନ୍ୟରୁ କହିଲେ, “ମୁଁ ମରି ନାହିଁ, ମୁଁ ମରି ନାହିଁ ।” ‘ଶ୍ରଦ୍ଧା ଓ ଶ୍ରାଦ୍ଧ ଶିରୋନାମାରେ ବିଲୁଆ ବିଚାର ସ୍ତମ୍ଭରେ ନିତ୍ୟାନନ୍ଦ ସରକାରୀ ଉଦାସୀନତାକୁ ସମାଲୋଚନା କରିଥିଲେ ‘ବିଲୁଆ ବିଚାର’ ଲେଡ଼ି ମାଉଣ୍ଟବେଟେନ୍‌ଙ୍କ ବିଦାୟ ସଭାରେ ପଣ୍ଡିତ ନେହରୁଙ୍କ ଅଭିଭାଷଣକୁ ମଜାଳିଆ ଭାଷାରେ ଉପସ୍ଥାପନ କରିଥିଲା । ଯଥା-

 

‘‘କୌଣସି ପରୀ ରାଇଜର ଦେବତା ଆପଣଙ୍କୁ ସୌନ୍ଦର୍ଯ୍ୟ ଦେଇଥିଲେ । ସୁମତି ଦେଇଥିଲେ । ଗାମ୍ଭୀର୍ଯ୍ୟ, ସୌନ୍ଦର୍ଯ୍ୟ ଓ ବୀର୍ଯ୍ୟ ଦେଇଥିଲେ । ହେ ମହତୀ ନାରୀ, ତୁମ୍ଭେ ଯେଉଁଠିକି ଯିବ, ସେ ମହତ୍‌ ହେବ । ଏ ସବୁଠାରୁ ବଡ଼ ଗୁଣ- ତମର ମାନବିକ ସ୍ପର୍ଶ, ମୂର୍ଚ୍ଛନା, ମନୁଷ୍ୟ ପ୍ରତି ତମର ପ୍ରେମ । ତମେ ଆଶା ଓ ସାହସ ଦେଇଛ । ଅଭିମନ୍ୟୁ ଥିଲେ ଏମନ୍ତ ପ୍ରକାଶ କରିଥାଆନ୍ତେ-

 

ବିଶ୍ଵକାନ୍ତି ସାର ପୀୟୂଷେ ବୋଳି

ବିଧି ବନାଇଛ ଶୋଭା ପିତୁଳି

ବର ଦୀପ୍ତି ଗୋଲ୍‌ଡ଼ ପ୍ଲେଟେଡ଼୍‌ କଲା

ବିଚିତ୍ର ହେମ ରସାଣେ ରସାଣିଲା

ବିଗ୍ରହ ଲାବଣ୍ୟ ନୀରେ ଯେ

ବୁଡ଼ାଇ ଥୋଇ ଜୀବନ୍ୟାସ କରିଛ ପରା ମୋହନ ମନ୍ତ୍ରରେ ।'

(ଡଗର୧୧/୪୪(୫/୬/୪୮)

 

ନିର୍ବାଚନ ଫଳ ପ୍ରକାଶ ପାଇବା ପରେ ‘ହରିଆ କାଞ୍ଜି’ଙ୍କ ସମ୍ପର୍କରେ କାଞ୍ଜି ଲୋକଗୀତର ଆଙ୍ଗିକରେ ବିଲୁଆ ବିଚାର ସ୍ତମ୍ଭରେ ପ୍ରକାଶ ପାଇଲା ନିମ୍ନ ପ୍ୟାରେଡ଼ୀ । ‘‘ଅଗିରାକୁ ବାଇଗଣ ଫିଙ୍ଗି ପିଲାଏ ଗାଇଲେ-

 

ଏଣୁ ହରିଆ ଗଲା ଖରେ, ଯାଇ ପହଞ୍ଚିଲା କେଁ ଝୁରୀରେ

ଏଣୁ ରାଜେନ୍ଦ୍ର ତେଣୁ କଣ୍ଠ, କାଞ୍ଜିକି କଲେ ପାଚଲ ଘଣ୍ଟ ।

ପୁଣି ହରିଆ ଗଲା ଖରେ, ଖଞ୍ଜରେ ଭଞ୍ଜ ମୟୂର ପୁରେ ।

ତେଣୁ ମାଝି ଏଣୁ ସୁଶୀଳ, କାଞ୍ଜିକୁ କଲେ ବାସୀ ଆମ୍ବିଳ ।

(ଡଗର୧୬/୧୩ (୧୬।୨।୪୯)

 

।।୫।।

 

‘ବର୍ଷ ପଞ୍ଜକା’ ସ୍ତମ୍ଭରେ, ପାଞ୍ଜିର ଫଳାଫଳ ଯେପରି ଭାବେ ପାଞ୍ଜିକାରମାନେ ଉପସ୍ଥାପନ କରନ୍ତି, ସେଇ ଶୈଳୀର ଏକ ପ୍ୟାରେଡ଼ୀ ଡଗରରେ ଅନେକ ସମୟରେ ପ୍ରକାଶ ପାଇଛି । ଏଠାରେ ଡଗର ‘ବର୍ଷ ପଞ୍ଜିକା’ କିପରି ଭାବେ ପ୍ରକାଶ କରିଛନ୍ତି ତାର ଏକ ନମୁନା ଦିଆଯାଉଛି । ‘ନୂତନ ବିଷୁବ ପଞ୍ଜିକା’ ଶୀର୍ଷକରେ ପ୍ରକାଶିତ ପାଞ୍ଜିର ଆରମ୍ଭ ଏହିପରି-

 

ବିଜୟାନନ୍ଦ କନ୍ଦାୟ ନବସ୍ୟାର୍ତ୍ତ ହରାୟ ଚ

ଇନ୍ଦ୍ରପ୍ରସ୍ଥ ନିବାସାୟ ହରେକୃଷ୍ଣାୟତେ ନମଃ ।

ଏକାମ୍ର କାନନାସୀନଂ ଗୌରୀ ପୃଚ୍ଛତି ଶଙ୍କରଂ

ଅଧୁନା ବୃହି ମେ ନାଥ ନବରାଜ୍ୟ ଶୁଭାଶୁଭଂ ।

 

ଶ୍ରୀ ଶଙ୍କର ଉବାଚ-

ଶୃଣୁ ଦେବ ପ୍ରବକ୍ଷାମି ନବରାଜ୍ୟ ଶୁଭାଶୁଭଂ

ଯସ୍ୟ ଶ୍ରବଣ ମାତ୍ରେଣ କୀଳାପୋତା ଭବେନ୍ନରଃ ।

 

ଏ ସମ୍ବତ୍ସରରେ ଡଗରଃ-

ଡଗରସ୍ୟ ସହସ୍ରାଂଶୋ ରାଜାନଂ ସୁସ୍ଥତାଂ ନହି

ଗୃହେଗୃହେ ଝାଡ଼ୁଘାତୋ ବାମଂ ଦୃଷ୍ଟିଶ୍ଚ ଜୟତେ ।

 

(ଅନ୍ତର୍ନିହିତ ଅର୍ଥ ଡଗରର ପ୍ରଚଣ୍ଡ ଉତ୍ତାପରେ ଶାସନକଳ ଅସୁସ୍ଥତା ଅନୁଭବ କରିବ । ‘ବାମ’ (ବାମପନ୍ଥୀ କବି, ମାନ୍ଦାକଂଗ୍ରେସ ନେତା) ପନ୍ଥୀମାନେ ଜୟଲାଭ କରିବେ । ୧୯୪୯ ବେଳକୁ ଅନନ୍ତ ପଟ୍ଟନାୟକ ଓ ସଚ୍ଚିଦାନନ୍ଦ ରାଉତରାୟ ବାମପନ୍ଥୀ ଚେତନାକୁ କବିତାରେ ରୂପଦାନ କରୁଥିଲେ ।)

 

ଚାଷ-

ମିତ୍ରେ ଅଗାଡ଼ି ଧାନ୍ୟାଦି ଚାନ୍ୟଧାନାନି ବା କ୍ୱଚିତ୍‌

ଅକାଳ କୁଷ୍ମାଣ୍ଡ ଲାଭ କାନ୍ଦୁଡ଼ି ଫଳତେ ମହୀ

ଶିମୁଳି ପଳାଶଚାନ୍ଦ ନିର୍ଗନ୍ଧାଇବ ପୁଷ୍ପାଣି

କଦଳୀ ବେଲକପିତ୍‌ଥ ମହାକାଳଂ ଫଳଂ ତଥା ।

ମହୁରାଳି କରାଣ୍ଡି ଚ ସଫରୀ ଫର୍ଫରାୟତେ

ବାଳିଆ ବୋମିତୋଡିଶ୍ଚ କୋଚିଆ ଲଭ୍ୟ ସର୍ବଦା ।

ଏ ସମ୍ବତ୍ସରେ କଂଗ୍ରେସର ଆୟ ୧୦-ବ୍ୟୟ ୨

ସ୍ୱାଧୀନ ସଭ୍ୟ-ଆୟ ୦-ବ୍ୟୟ ୦ ।

(ଡଗର -୧୬/୨/୪୯ ସଂଖ୍ୟା)

x                  x                  x

 

ପାଞ୍ଜି ସ୍ତମ୍ଭରେ ଲଘୁ ଆମୋଦ ସହିତ କିଛି ବ୍ୟଙ୍ଗାତ୍ମକ ସାରସ୍ଵତ ଭୋଜ୍ୟ ପାଠକମାନଙ୍କୁ ପରିବେଷିତ ହୋଇଥାଏ ।

 

।। ୬ ॥

 

ନିତ୍ୟାନନ୍ଦ ମହାପାତ୍ର ‘‘ମୁଁ କାହିଁକି ଲେଖେ’’ ସ୍ତମ୍ଭ ଡଗର କେଉଁ ସଂଖ୍ୟାଠାରୁ ଆରମ୍ଭ କରିଥିଲେ ଓ ପ୍ରଥମ ବ୍ୟକ୍ତି ଏହି ସ୍ତମ୍ଭରେ କିଏ ଆତ୍ମପକ୍ଷ ବିବୃତି ପ୍ରଦାନ କରିଥିଲେ ତାହା ମୁଁ ଜାଣେ ନାହଁ । ଡଗର ପ୍ରତ୍ୟେକ ସଂଖ୍ୟା ବିଶ୍ଵତାରା ଗବେଷଣା ପାଠାଗାରରେ ମିଳୁ ନ ଥିବାରୁ ମୁଁ ଏ ସମ୍ପର୍କରେ କିଛି ମନ୍ତବ୍ୟ ଦେଉନାହିଁ । ଏହି ସ୍ତମ୍ଭରେ ENEM (ନିତ୍ୟାନନ୍ଦ ମହାପାତ୍ରଙ୍କ ଚିତ୍ରକର ନାମ) ଜଣେ ମୂର୍ଦ୍ଧନ୍ୟ ସ୍ତରର ଲେଖକଙ୍କ ଚିତ୍ର ଡଗର ପ୍ରଥମ ପୃଷ୍ଠାରେ ଥୋଇ, ତାଙ୍କ ସମ୍ପର୍କରେ ନିଜସ୍ଵ ଅଭିମତ ଲେଖନ୍ତି । ଖୁବ୍‌ ସମ୍ଭବ ଏହି ସ୍ତମ୍ଭରେ ୧୯୫୦ରୁ ଲେଖକମାନେ ‘ମୁଁ କାହିଁକି ଲେଖେ’ ଶିରୋନାମାରେ ଲେଖି ଆସିଛନ୍ତି । ଡ. ବିଜୟାନନ୍ଦ ସିଂହ ଡଗର ପୃଷ୍ଠାରୁ ‘ମୁଁ କାହିଁକି ଲେଖେ’ ଲେଖାମାନ ସଂଗ୍ରହ କରି ଗୋଟିଏ ଗ୍ରନ୍ଥ ପ୍ରକାଶ କରିଛନ୍ତି । ମାତ୍ର ସେଥିରେ ଡଗରର ପ୍ରକାଶିତ ସମସ୍ତ ଲେଖକଙ୍କୁ ସ୍ଥାନିତ କରାଯାଇ ନାହିଁ । ଶ୍ରୀମତୀ ଦେବହୁତି ଦେବୀ, ନାଟ୍ୟ ଭାରତୀ ଅଶ୍ଵିନୀ କୁମାର ଘୋଷ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ପ୍ରାଣକୃଷ୍ଣ ସାମଲ, ସରଳା ଦେବୀ, ରାଜକିଶୋର ପଟ୍ଟନାୟକ, ରାଜକିଶୋର ରାୟ, ପଦ୍ମଶ୍ରୀ ଲକ୍ଷ୍ମୀ ନାରାୟଣ ସାହୁ, ଲକ୍ଷ୍ମୀନାରାୟଣ ମହାନ୍ତି, କାହ୍ନୁଚରଣ ମହାନ୍ତି, ଗୋପୀନାଥ ମହାନ୍ତି, ରାଧାମୋହନ ଗଡ଼ନାୟକ, ସୁରେନ୍ଦ୍ର ମହାନ୍ତି, କୃଷ୍ଣପ୍ରସାଦ ବସୁ, ଚନ୍ଦ୍ରମଣି ଦାସ, କାଳିନ୍ଦୀଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ଡ. ମାୟାଧର ମାନସିଂ ଆଦି ବହୁ ବିଶିଷ୍ଠ ଲେଖକ, ସେମାନେ କାହଁକି ଲେଖନ୍ତି, ତାହା ପ୍ରକାଶ କରିଛନ୍ତି । ଏହି ପରମ୍ପରା ଓଡ଼ିଶାର ପୁରାତନ ପତ୍ରିକା ‘‘ଉତ୍କଳ ସାହିତ୍ୟ’ରେ ବା ଅନ୍ୟ କୌଣସି ସାହିତ୍ୟ ପତ୍ରିକାରେ ଦେଖିବାକୁ ମିଳେ ନାହିଁ । ‘ଡଗର’ ପ୍ରଥମ ବର୍ଷ ପ୍ରଥମ ସଂଖ୍ୟାରେ କଭର ପେଜରେ କାନ୍ତକବିଙ୍କ ପ୍ରିୟ ବନ୍ଧୁ ଉତ୍କଳ ଗନ୍ଧର୍ବ କବିମଞ୍ଜୁଳ କୃଷ୍ଣ ପ୍ରସାଦ ବସୁଙ୍କ ଫଟୋ ପ୍ରକାଶ ପାଇଛି ଏବଂ ପ୍ରଥମ ପୃଷ୍ଠାରେ ‘ଡଗର’ ତାଙ୍କୁ ‘ନାଟୁଆ ନଟବର’ ଉପାଧି ପ୍ରଦାନ କରିଛି । ପରବର୍ତ୍ତୀ କାଳରେ ‘ମୁଁ କାହିଁକି ଲେଖେ’ର ଲେଖକମାନଙ୍କର ଏ‘ଏନ୍‌ଏମ୍‌’ଙ୍କ ଦ୍ୱାରା ଚିତ୍ର ପ୍ରଥମ ପୃଷ୍ଠାରେ ପ୍ରକାଶ କରାଯାଇ ତାଙ୍କ ସମ୍ପର୍କରେ ‘ଏନ୍‌ଏମ’ଙ୍କ ମନ୍ତବ୍ୟ ଲିପିବଦ୍ଧ ହୋଇଛି । କୌଣସି ଜଣେ ଲେଖକଙ୍କୁ ସମୀକ୍ଷା କଲାବେଳେ ତାଙ୍କ ନିଜ ତୁଣ୍ଡର କଥାକୁ ପ୍ରଥମେ ଜାଣିବା ଉଚିତ ।

 

ଡଗରର କଭର ପୃଷ୍ଠାରେ ତଳ ଆଡ଼େ ଲେଖାଯାଇଥାଏ, ‘‘ଏଥର ଅମୁକ (ଲେଖକଙ୍କ ନାମ)’’ ପରବର୍ତ୍ତୀ ପୃଷ୍ଠାରେ ଚିତ୍ର ଓ ନିତ୍ୟାନନ୍ଦଙ୍କ ନିଜସ୍ଵ ମତ ପ୍ରକାଶ ପାଇଥାଏ । ଏଠାରେ ଗୋଟାଏ ଦୁଇଟି ଦୃଷ୍ଟାନ୍ତ ଦେଉଛି ।

 

୧ । ସମ୍ବର୍ଦ୍ଧନା

‘‘ସବ୍ୟସାଚୀ ସୁରେନ୍ଦ୍ର’’ - ତା ତଳକୁ ସୁରେନ୍ଦ୍ରଙ୍କ ଚିତ୍ର (ବ୍ୟଙ୍ଗ ଚିତ୍ର ମଧ୍ୟ ହୋଇପାରେ) ତା’ ପରେ ଲେଖାଯାଇଛି, ‘‘ଆପଣ ମନୁଷ୍ୟ ସମାଜରେ ଥାଇ ସୁରେନ୍ଦ୍ର, ସାଧାରଣ ଭିତରେ ଅସାଧାରଣ ଜୀବନ ଯାପନ କରନ୍ତି । ଦରିଦ୍ର ହୋଇ ରାଜକୁମାର ଭଳି ଅଭିମାନ ସମ୍ମାନ ଦାବି କରନ୍ତି । ଦାରିଦ୍ର୍ୟ ଆପଣଙ୍କ ଗତିକୁ ବକ୍ର କରି ଥାଇପାରେ, କିନ୍ତୁ ଅହଂକୁ ନମିତ କରି ପାରି ନାହିଁ । ଆପଣଙ୍କ ସାହିତ୍ୟ କର୍ମଠ ପରିଧିର ଏବଂ ନିଶ୍ଚିତ ।’’ XXX ଡଗର ତାଙ୍କୁ ସଦିଚ୍ଛା ଜଣାଇ ତାଙ୍କୁ ସମ୍ମାନ ଅର୍ପଣ କରିଛି ।

(ଡଗର ୧୪/୯-୧.୧୧.୫୦)

୨ । ସମ୍ବର୍ଦ୍ଧନା

ତରୁଣ କବି ରାଧାମୋହନ ବନ୍ଧୁ, କବି ହେବା ପାଇଁ ଆପଣଙ୍କର ଅସୀମ ବାସନା ଆପଣଙ୍କୁ ଦେହରେ ବାହାରେ ଅଦେହୀ କରି ଦେଇଛି । ଆପଣଙ୍କ ଦେହକୁ ଛାଡ଼ି ଆପଣଙ୍କ କବିତାରେ ଅଦେହ ଆତ୍ମା ଆଜି କେତେକ ଦେହୀଙ୍କ ମରମକୁ ଘାଏଲା କରୁଛି । ଅସଂଖ୍ୟ । ହେ କବି, ସାଧକ, ଗୁରୁ, ନିର୍ଯାତିତ, ନିପୀଡ଼ିତ, ଅପାଙକ୍ତେୟ, ଆହତ, ଅନସୂୟ, ଅଖ୍ୟାତ- ତଥାପି ସୁନ୍ଦର, ତଥାପି ସତ୍ୟ, ତଥାପି ମଙ୍ଗଳମୟ, ଉତ୍ତର ଧ୍ରୁବତାରା, ପୂର୍ବର ପ୍ରଭାତୀ, ମଙ୍ଗଳଗ୍ରହ । (ଡଗର ୧୪/୮-୧୬।୧୦।୫୦)

 

ନିତ୍ୟାନନ୍ଦଙ୍କ ଆକଳନରେ ବିଶେଷଣଗୁଡ଼ିକୁ ନିର୍ବିଚାରରେ ଗଡ଼ନାୟକଙ୍କ ବ୍ୟକ୍ତିତ୍ଵ ଉପରେ କଚାଡ଼ି ଦିଆଯାଇଛି ବୋଲି ମୋର ନିଜସ୍ଵ ମତ । ୧୯୫୦ ବେଳକୁ ସେ କ’ଣ ‘ଅଖ୍ୟାତ’ ଥିଲେ ? ଏକଥା ନିତ୍ୟାନନ୍ଦ କାହିଁକି ଲେଖିଲେ ତାର ତାତ୍ପର୍ଯ୍ୟ ଅବବୋଧ ମଧ୍ୟକୁ ଆସେ ନାହିଁ । ରାଧାମୋହନଙ୍କ କବିତାରେ ‘‘ଆଦେହ ଆତ୍ମା’କୁ ପ୍ରସଙ୍ଗୀଭୂତ କଲାବେଳେ କବିଙ୍କ କେଉଁ କବିତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରାଗଲା ତାହା ମଧ୍ୟ ସହଜବୋଧ୍ୟ ନୁହେଁ । ହୁଏତ ଉତ୍କଳରତ୍ନ ଗଡ଼ନାୟକ ‘ଉପଗୁପ୍ତ’ ଛଦ୍ମ ନାମରେ ଲେଖିଥବା କେତୋଟି ତରଳ କବିତା ପ୍ରତି ନିତ୍ୟାନନ୍ଦ ତିର୍ଯ୍ୟକ୍ ଦୃଷ୍ଟି ପ୍ରଦାନ କରିଥିବେ । ଅନେକେ ଜାଣିଛନ୍ତି, ଉପଗୁପ୍ତ ଲେଖିଥିଲେ, ‘‘ସ୍ତନ ଉତ୍ତରୀ ଖୋଲି ଦିଅ ପ୍ରିୟା ଦିଅ ଖୋଲି । ଭାବୁଛ କି କେବେ ଚପଳତା ମୋର ହେବ ବୋଲି ?’’ ଏ କବିତା ଝଙ୍କାରରେ ପ୍ରକାଶ ପାଇବା ପରେ ଉପଗୁପ୍ତଙ୍କୁ ଠାବ କରିବା ପାଇଁ ପ୍ରଚେଷ୍ଟା ଚାଲିଲା ଏବଂ କବିଙ୍କୁ ବେଶ୍‌ ସମାଲୋଚନା କରାଗଲା । ନିତ୍ୟାନନ୍ଦଙ୍କ ‘‘ବିଦେହ’’ କଥାଟା ଉପଗୁପ୍ତଙ୍କୁ ସ୍ମରଣ କରି ଲେଖାଯାଇଥିବ । ପ୍ରୌଢ଼ ଶିକ୍ଷା ବିଭାଗରେ ପ୍ରଡ଼କ୍‌ସନ୍‌ ଅଫିସର ଥିବା ବେଳେ ଗଡ଼ନାୟକଙ୍କୁ ନିନ୍ଦାର ମୁକୁଟ ପିନ୍ଧାଇ ଦିଆଗଲା । ତା’ର ସଙ୍କେତ ହୁଏତ ନିତ୍ୟାନନ୍ଦଙ୍କ ବକ୍ତବ୍ୟରେ ଥାଇପାରେ ।

 

୩। ସମ୍ବର୍ଦ୍ଧନା

ଅମୃତର ସନ୍ତାନ ଗୋପୀନାଥ ମହାନ୍ତି । ଏନ୍‌ଏମ୍‌ଙ୍କ ଚିତ୍ରରେ ଗୋପୀନାଥ ଏକ ଭାର କାନ୍ଧେଇଛନ୍ତି, ଆଦିବାସୀ ବସ୍ତ୍ର ପରିହିତ ଗୋପୀନାଥ ବଣର ନିର୍ଜନ ପଥରେ ଚାଲିଛନ୍ତି । ତା ତଳକୁ ନିତ୍ୟାନନ୍ଦଙ୍କ ମନ୍ତବ୍ୟ-

ଆପଣ ଧନାତ୍ମକ ଓ ରଣାତ୍ମକ, (Positive and Negative) ଦୁଇ ବିପରୀତ ଅଣୁର ସଂଘର୍ଷ, ଏକ ପ୍ରକାର ବୈଦ୍ୟୁତିକ ଶକ୍ତି । xxx ଆପଣ ଯାହା ନୁହନ୍ତି ତାହା ଏବଂ ଯାହା ହେଉଛନ୍ତି ତାହା ନୁହନ୍ତି । ଆପଣଙ୍କ ଏଇ ବିରୋଧ ଏକ ଗୋଲକ ଧନ୍ଦା । ଏ ବ୍ୟୂହ ଭେଦ କରି ଜାଣିଥିବା କେହି କେହି ଆପଣଙ୍କ ଲେଖା ପଢ଼ିଯାଆନ୍ତି କିନ୍ତୁ ସପ୍ତରଥୀ ମୁହଁରୁ ଫେରି ପାରନ୍ତି ନାହିଁ । ଆପଣ ମହନୀୟ ହୁଅନ୍ତୁ । ଡଗରର ଏହା ହିଁ କାମନା । (ଡଗର ୧୪/୪- ୧୬.୮.୧୯୫୦)

 

୪ । ସମ୍ବର୍ଦ୍ଧନା

ଭୁଲ କାହାର ଚନ୍ଦ୍ରମଣି ବାବୁ ? ଚନ୍ଦ୍ରମଣି ଦାସଙ୍କ ଚିତ୍ର ତଳେ ଏନୁଏମ୍‌ ଲେଖିଛନ୍ତି, ‘‘ଭୁଲ ଆପଣଙ୍କର ନୁହେଁ କି ତାଙ୍କର ନୁହେଁ । ଭୁଲ ସେଇ ଅଦେହର । ଯାହାର ଦେହ ନାହିଁ, ଅଥଚ ସେ ଦେହକୁ ଦେହରେ ଭୁଲାଏ । xxxଘରେ ଘରେ, ଘରେ କୋଣରେ ଶେଯମଣ୍ଡା ମାଣ୍ଡିତଳେ କେତେ ଗଣ୍ଡର କୋମଳ ସ୍ପର୍ଶ ପାଇଛି ଆପଣଙ୍କ ଶ୍ରୀନାମ ଅଙ୍କିତ ପୁସ୍ତକାବଳୀ ।’’ (ଡଗର ୧୪/୫- ୧/୯/୧୯୫୦)

 

୫ । ସମ୍ବର୍ଦ୍ଧନା- ଉତ୍କଳ ସାରଳା ଶ୍ରୀମତୀ ସରଳା

ଏହାପରେ ହାତକଟା ବ୍ଲାଉସ୍‌ ପରିହିତା ସରଳା ଦେବୀଙ୍କ ବ୍ୟଙ୍ଗଚିତ୍ର । ନିତ୍ୟାନନ୍ଦ ଲେଖଛନ୍ତି, ‘‘ଆପଣ ଏକ ନୁହନ୍ତି, ଦୁଇ । ଆପଣ କେବଳ ପ୍ରକୃତି ନୁହନ୍ତି, ପୁରୁଷ ମଧ୍ୟ । ଆପଣ ନାରୀ ହୋଇ ମଧ୍ୟ ବୀର-‘ବୀରନାରୀ’ର ଲେଖିକା । ଆପଣ ଶାରଳା ବା ସରସ୍ୱତୀ ହୋଇ ମଧ୍ୟ ବର ଦିଅନ୍ତି, ପୁଣି ମହାଭାରତର ଦୁର୍ଗାରୂପେ ସଂହାର କରନ୍ତି । ଆପଣ ସାହିତ୍ୟ ସୃଷ୍ଟିକରି କଉଡ଼ି ଝରାନ୍ତି, ପୁଣି ରାଜନୀତି ସମରାଙ୍ଗନରେ ସୁଭଦ୍ରା, କୌଶଲ୍ୟା ଲକ୍ଷ୍ମୀବାଈଙ୍କର ପରମ୍ପରା ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ପୁରୁଷଙ୍କ ସହ ପାଦ ମିଳାଇ ଆଗୁସାର ହୁଅନ୍ତି । xxx ଆପଣ ଗଙ୍ଗା ଓ ଯମୁନା, ଶିବ ଓ ପାର୍ବତୀ-ଅର୍ଧ ନାରୀଶ୍ୱର । ଡଗର ଆଜି ଆପଣଙ୍କ ବନ୍ଦନା ଗାଉଛି-

 

ଉଜ୍ଵଳ ସଜ୍ଜଳ ଲୋଚନ ଭାଲେ

ବକ୍ଷ ବିଶୋଭିତ ସ୍ୱର୍ଧିତ ହାରେ

ପୁସ୍ତକ ମାର୍ଜନୀ ମଣ୍ଡିତ ହସ୍ତେ

ଉତ୍କଳ ଶାରଳେ ଦେବୀ ନମସ୍ତେ ।

(ଡଗର ୧୪/୬-୧୬/୯/୧୯୫୦)

 

୬ । ସମ୍ବର୍ଦ୍ଧନା - ଏଇ ସହକାର ତଳେ

(ENEMଙ୍କର ତୂଳୀର ଡ. ମାନସିଂଙ୍କ ବ୍ୟଙ୍ଗ ଚିତ୍ର ତଳେ ଏହା ରହିଛି ।)

ଆପଣ ଏଯୁଗର କବି ସମ୍ରାଟ୍‌ ଆଖ୍ୟା ପାଇଛନ୍ତି । xxx ଆପଣ କେବଳ କଳ୍ପନାକୁ ବାସ୍ତବ କରି ନାହାନ୍ତି, ବାସ୍ତବ ସୁଖର ଚରମ ଅନୁଭୂତି ପାଇଁ ଆପଣ ପୁଣି କଳ୍ପନାର ପଥ ଦେଖାଇ ଏବେ ଚରିତ୍ର ଗଠନ ବା ଯୋଗ ସାଧିବା ପାଇଁ ନିର୍ଦ୍ଦେଶ ଦେଲେଣି । ଅତୀତ ସହିତରେ ହିସାବ ନ କରି ବର୍ତ୍ତମାନ ସହିତ ଦରଦସ୍ତୁର ଚଳାଇବା ସଙ୍ଗେସଙ୍ଗେ ଭବିଷ୍ୟତରେ ଗଛ ମେ କାଁଠାଲ୍‌ ଓଠ୍‌ ମେ ତେଲ୍‌ ଦେଇ ବସିବାର ଧୈର୍ଯ୍ୟ ଆପଣଙ୍କର ଅଛି । ଆପଣ ରସି ରସାଇ ପାରନ୍ତି, ଖସି ଖସାଇ ପାରନ୍ତି- ଧସି ଧସାଇ ପାରନ୍ତି, କିନ୍ତୁ ଭୂଷି ଭୂଷାଇ ପାରନ୍ତି ନାହିଁ । ହାତରେ ନିରୀହ ଗୋ ବିଚାରୀ କବି, ଆପଣଙ୍କୁ ନମସ୍ତେ । ଆପଣଙ୍କୁ ଆଜି ଡଗର ପ୍ରତ୍ୟୁତ୍ତର ଦେଉଛି, ‘‘ଏହି ସହକାର ତଳେ/ପ୍ରିୟାର ପୟରେ କୟୋର ହେବି ମୁଁ ଯୋଗସାଧନାର ବଳେ ।’’ (ଡଗର ୧୪/୧-୧/୭/୫୦) ନିତ୍ୟାନନ୍ଦ ଡ. ମାନସିଂହଙ୍କ ସମ୍ପର୍କରେ ଦୁର୍ବୋଧ୍ୟ ଅସ୍ପଷ୍ଟତା ଭିତରେ କଣ କହିଲେ, ତାହା ମୋର ମୋଟା ବୁଦ୍ଧି ଗ୍ରହଣ କରି ପାରୁ ନାହିଁ ।

 

।। ୭ ।।

 

ନିତ୍ୟାନନ୍ଦ ମହାପାତ୍ର ଜଣେ ଚିତ୍ରକର । ସେ ଡଗର ପୃଷ୍ଠାରେ ENEM ଏବଂ ‘ନିମ’ ସଂକେତ ଦେଇ ବ୍ୟଙ୍ଗ ଚିତ୍ରମାନ ଥୋଇଛନ୍ତି । ଡଗର କଭର ପୃଷ୍ଠାରେ ଚିତ୍ର ଏବଂ ତା ତଳେ କିଛି ଲେଖା ଭିତରେ ନିତ୍ୟାନନ୍ଦଙ୍କ ମେଧା ପ୍ରସୂତ ବକ୍ରୋକ୍ତି ପ୍ରକାଶ ପାଇଛି । ତରୁଣ ପୀଢ଼ିର ପାଠକ ଓ ପତ୍ରିକା ସମ୍ପାଦକଙ୍କ ଅବଗତି ନିମନ୍ତେ ଏଠାରେ କେତୋଟି ଏନ୍‌ଏମ୍‌ଙ୍କ ଅଙ୍କିତ ଚିତ୍ର ସମ୍ପର୍କରେ ସୂଚନା ଦିଆଯାଉଛି ।

 

ସ୍ଵାଧୀନତା ପୂର୍ବବବର୍ତ୍ତୀ କାଳରେ ଅଙ୍କିତ ଚିତ୍ର-

 

୧)

୧.୯.୩୯ ଡଗର ୩/୭ ଚିତ୍ରଟିର ଶୀର୍ଷକ- ‘‘ଶ୍ରୀକୃଷ୍ଣ, ଅର୍ଜୁନ ଓ ଦୁର୍ଯୋଧନ’’

 

 

ଶ୍ରୀକୃଷ୍ଣ ଚିତ୍ର ତଳେ ଲେଖାଅଛି ଷ୍ଟାଲିନ୍‌, ଅର୍ଜୁନ ହେଲେ- ହିଟ୍‌ଲର୍‌ ଏବଂ ଦୁର୍ଯୋଧନ ହେଲେ ଚେମ୍ବରଲେନ୍‌ । ଷ୍ଟାଲିନ୍‌ ରୁଷିଆର ନେତା, ହିଟ୍‌ଲର ଜର୍ମାନୀର ଏକଛତ୍ର ଶାସକ ଏବଂ ଚେମ୍ବରଲେନ୍‌ ହେଲେ ଇଂଲଣ୍ଡର ନେତା । ଚିତ୍ର ତଳେ ENEM ଲେଖିଛନ୍ତି-

 

ହିଟ୍‌ଲର

ଉଠବନ୍ଧୁ ନିଦ୍ରା ପରିହରି ।

ଷ୍ଟାଲିନ

ସୁପ୍ରଭାତ ବନ୍ଧୁ

 

 

ତୁମ୍ଭେ ଯେଣୁ ଆସିଛ ପ୍ରଥମେ

 

 

ଭାବୀରଣେ ସନ୍ଧି ମୋର ହେବ ତୁମ୍ଭ ସହ ।

ଚେମ୍ବରଲେନ୍‌

ବହୁ ପୂର୍ବରୁ ଆସି ମୁହଁ ବସିଛି ଏଠାରେ

 

 

ନୀରବରେ କରିଛି ଅପେକ୍ଷା

 

 

ତୁମ୍ଭନିଦ୍ରା ଭଙ୍ଗ ହେବା ଭୟେ/ ତେଣୁ ସନ୍ଧି ଉଚିତ ମୋ ସନେ ।

ଷ୍ଟାଲିନ୍‌

ଦୁଃଖିତ ମୁଁ ଅତି/ ନ ପାରିଲି ଲକ୍ଷ୍ୟ କରି ତବ ଅନୁଯୋଗ

 

 

ଯେହେତୁ ଦେଖିଛି ମୁହଁ ଅର୍ଜୁନେ ପ୍ରଥମେ

 

ଦ୍ୱିତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ କାଳର ରାଜନୈତିକ ପ୍ରେକ୍ଷାପଟରେ ଏହି ଚିତ୍ର ଅଙ୍କିତ ।

 

୨)

୧୬୮।୩୯ରେ ENEMଙ୍କ ଚିତ୍ରରେ ବଡ଼ଲାଟ ଆସୀନ, ତାଙ୍କ ପାଦ ପାଖରେ ବିଶ୍ଵନାଥ ଦାସ ।

ସେ କହୁଛନ୍ତି,

ସତ୍ୟ ଯଦି ଦୈତ୍ୟ ହୋଇଥିବ

 

୧)

ଏହି ମୁହୂର୍ତ୍ତରେ ଓଡ଼ିଶା ଧନଧାନ୍ୟ ଭରା ହୋଇଯାଉ ।

୨)

ବନ୍ୟା ବିଦୂରିତ ହୋଇ ମହାନଦୀ କାଠଯୋଡ଼ି ଶୁଖି ଯାଆନ୍ତୁ ।

୩)

କଟକର ରାଜଧାନୀରେ ତୁଙ୍ଗ ପ୍ରାସାଦରାଜିରେ ପରିଶୋଭିତ ହେଉ ।

୪)

ଗଡ଼ଜାତ ରାଜାମାନେ ଧ୍ଵସ୍ତ ବିଧ୍ଵସ୍ତ ହୋଇ ଗଡ଼ଜାତ ମୋ ଶାସନ ତଳକୁ ଆସୁ ।

 

୩)

୧୯୩୯ରେ ଅନ୍ୟ ଏକ ଚିତ୍ର ଏନ୍‌ଏମ୍‌ ଅଙ୍କନ କରିଛନ୍ତି । ଏହି ଚିତ୍ରରେ ଦୁଇଟି ଶିଶୁ ଅସ୍ଥିଚର୍ମସାର, ଅନ୍ୟ ଏକ ଶିଶୁ ସୁସ୍ଥ । ପ୍ରଥମ ଶିଶୁର ବିଛଣା ତଳେ ଲେଖାଯାଇଛି, ‘‘ନାନା ବାଇ ତାନା ବାଇ/ଶୋଇପଡ଼ ତୁନି ହୋଇ/ନ ଖାଇବୁ ତୁ କିଛି/ ଖାଇ କେଟ ଫାମ୍ପୁଛି ।’’ ଏ ଶିଶୁର ନାମ ‘ଶିକ୍ଷା’ । ଦ୍ୱିତୀୟ ଶିଶୁ ତଳେ ଲେଖାଯାଇଛି, ‘‘ନାନାବାଇ ତାନବାଇ/ ଶୋଇପଡ଼ ତୁନି ହୋଇ/ ବେଶି କରି ଖାଇଲେ ସ୍ଵାସ୍ଥ୍ୟ ହାନୀ ଘଟଇ ।’’ ଏ ଶିଶୁର ନାମ ସ୍ଵାସ୍ଥ୍ୟ । ତୃତୀୟ ଶିଶୁ ତଳେ ଲେଖାଯାଇଛି ‘‘ନାନାବାଇ ତାନା ବାଇ/ ଯେତେ ଇଚ୍ଛା ସେତେ ଖାଇ/ସଉତୁଣୀ ମରିଛି, ଦକ ମୋଟ ତୁଟିଛି ।’’

 

ସରକାର ପୁଲିସ ବିଭାଗ ପ୍ରତି ଉଦାର, ଅଥଚ ଶିକ୍ଷା ଓ ସ୍ଵାସ୍ଥ୍ୟ ବ୍ୟବସ୍ଥା ଦୟନୀୟ ।

 

୧)

ସ୍ଵାଧୀନତା ପରବର୍ତ୍ତୀ କାଳ : ବାକ୍‌ ସ୍ଵାଧୀନତା ଆସିବା ପରେ ପତ୍ରିକାର ସମ୍ପାଦକ ଶାସକଙ୍କ ବିରୋଧରେ କହିବାର ସୁଯୋଗ ପାଇଥିଲେ । ENEMଙ୍କ ଚିତ୍ରରେ ମହତାବ ବେଙ୍ଗ ରୂପରେ ସାରୁ ବୁଦାମୂଳରେ ବସିଛନ୍ତି । ଷଢ଼େଇକଳା (ନେତାରୂପ ଧରି) ଏବଂ ଖରସୁଆଁ (ଶ୍ରମିକରୂପ ଧରି) ମହତାବଙ୍କଠାରୁ ପଳାଇ ଯାଉଛନ୍ତି । ଚିତ୍ର ତଳେ ଲେଖାଯାଇଛି,

 

ବିହାରିଏ ନେଲେ ଗଡ଼ଜାତ ଦୁଇ

ଉଡ଼ାଇ ବିଜୟ ଧ୍ଵଜା

ସାରୁଗଛ ମୂଳେ ବେଙ୍ଗଟିଏ ବସି

ଆପେ ବୋଲୋଉଛି ରଜା ।

(ଡଗର ୧୨/୨ କଭରପୃଷ୍ଠା )

 

୨)

‘୧୯୪୫’ ତା ତଳେ ମହତାବ । ସେ କହୁଛନ୍ତି, “ମୋ ହାତରେ କ୍ଷମତା ଥିଲେ ମୁଁ କଳାବଜାରୀ ଘୁଷ୍‌ଖୋରଙ୍କୁ ବେତ ପିଟନ୍ତି ।

 

‘୧୯୪୮’ ତଳେ ଠିଆ ହୋଇ ମହତାବ କହୁଛନ୍ତି, ‘‘ମୁଁ ଚୋରା ବଜାର ଲୋପ କରିବି ।’’ ପୂର୍ବର ପ୍ରତିଶ୍ରୁତି ଓ ଚୌକି ପାଇବା ପରେ କରୁଥିବା କାର୍ଯ୍ୟ ମଧ୍ୟରେ ଥିବା ପାର୍ଥକ୍ୟ ନେତା ବୁଝେନି, ସେଥିପାଇଁ ଲଜ୍ଜିତ ମଧ୍ୟ ହୁଏନି ।

 

୩)

ଚିତ୍ରରେ କଭର ପୃଷ୍ଠାରେ ଜଣେ ନାରୀ ଛିଡ଼ା ହୋଇଛନ୍ତି, ତାଙ୍କ ନାମ ‘ଗଣତନ୍ତ୍ର’ । ଗଣତନ୍ତ୍ର - ନାରୀକୁ ମୁକୁଟ ପିନ୍ଧାଉଛନ୍ତି ରାଜେନ୍ଦ୍ର ନାରାୟଣ ସିଂଦେଓ । ସର୍ଦ୍ଦାର ପଟେଲ ରାଗ ତମତମ ହୋଇ ତାଙ୍କୁ ତର୍ଜନୀ ନିର୍ଦ୍ଦେଶ କରୁଛନ୍ତି । ତଳେ କବିତା

 

ଗଣତନ୍ତ୍ରରେ ବିପଦ ଆସୁଛି ପଟେଲର ଦଣ୍ଡ ନୀତି

ତେଣୁ ଆଜି ମୁହଁ ରାଜଚତି ଛାଡ଼ି କରୁଅଛି ରାଜନୀତି ।

(ଡଗର ୧୪/୮-୧୬.୧୦.୧୯୫୦)

 

ସର୍ଦ୍ଦାର ପଟେଲ ସ୍ୱାଧୀନ ଗଡ଼ଜାତ ରାଜାଙ୍କୁ ଭାରତ ଡୋମିନିଅନ୍‌ରେ ମିଶାଇବା ପରେ ସେମାନଙ୍କ ଭତ୍ତାକାଟ ବ୍ୟବସ୍ଥା କଲେ । ତେଣୁ ରାଜାମାନେ ଗଣତନ୍ତ୍ର ପରିଷଦ ଗଢ଼ି ଭୋଟ ଲଢ଼େଇରେ ମାତିଲେ । ଓଡ଼ିଶାରେ ରାଜେନ୍ଦ୍ର ନାରାୟଣ ସିଂଦେଓ ‘ଗଣତନ୍ତ୍ର ପରିଷଦ’ର ଅଧ୍ୟକ୍ଷ ହୋଇଥିଲେ ।

 

୪)

ଚିତ୍ରର ଶୀର୍ଷକ ହେଲା ସମ୍ବର୍ଦ୍ଧନା ।

ବିଖଣ୍ଡିତ ଉତ୍କଳ ଜନନୀଙ୍କ ହାତ ଓ ଗୋଡ଼ କଟାଇଛି ଖଣ୍ଡାରେ । ପାଖରେ ମହତାବ । ଉତ୍କଳ ଜନନୀ ତାଙ୍କ କଟା ହାତରେ ମହତାବଙ୍କୁ ଫୁଲମାଳ ପିନ୍ଧାଉଛନ୍ତି । ତଳେ କବିତା

 

ବିଶାଳୋତ୍‌କଳ ନିର୍ମାତା ଆହେ ଜୟ ମହତାବ ଜୟ

ତୁମରି ଯୋଗରୁ ଦେଶମାତା ଆଜି ହୋଇଅଛି ନିର୍ଭୟ

ଯାଇଅଛି ପଦ ଯାଇ ଅଛି ହାତ ଯାଇଅଛି ନାକ କଟି ।

ଦୟାଳୁ ହେ ତୁମେ ଦେଇଅଛ ତହିଁ ତମ ସୁନାମର ପଟି ।

(ଡଗର ୧୪/୯-୧-୧୧-୫୦)

 

୫)

ଚିତ୍ରର ଶୀର୍ଷକ ‘‘ମୟୂରଭଞ୍ଜ ମିଶ୍ରଣ’’ ।

ଛାଟ ହସ୍ତେ ସର୍ଦ୍ଦାର ପଟେଲ । ଏକ ବିରାଟ ପିଞ୍ଜର ଭିତରେ ମୟୂରଭଞ୍ଜ ସିଂହ । ପିଞ୍ଜର ଉପରି ଭାଗରେ ଭିକେ କୃଷ୍ଣମେନନ୍ । ଚିତ୍ର ତଳେ କିଛି ଲେଖା ଯାଇନାହିଁ ।

 

୬)

ଶିବ ରୂପରେ ବିଶ୍ଵନାଥ ଦାସ ଧାବମାନ, ହାତରେ ତ୍ରିଶୂଳ, ମୁଖରେ କ୍ରୋଧର ମୁଦ୍ରା । ତଳେ ଏନ୍‍ଏମ୍‌ଙ୍କ କବିତା-

 

ଉତ୍କଳ କୈଳାସ ଭୁବନେ

ରୁଦ୍ର ଯେ ବିଶ୍ଵନାଥ ଦିନେ

ହୋଇ ଉଠିଲେ ମହାକୋପ

ଦେକାଇ ଆପଣା ପ୍ରତାପ

ସାକ୍ଷାତେ ହରି ପଡ଼ି ଦାତା

ପବିତ୍ର ନବ କୃଷ୍ଣ ଭ୍ରାତା

ରୁଦ୍ର କୋପରେ ସାରା ମହୀ

ଭୂକମ୍ପେ ଅଥବା ଥରଇ

(ଡଗର ୧୫/୧-୧-୭-୧୯୫୧)

 

୭)

ଚିତ୍ରରେ କୃପାଳିନୀ ପଳାଉଛି, ପଛେ ପଛେ ତାଙ୍କ ସ୍ତ୍ରୀ ସୁଚେତା । ତଳେ ରହିଛି କବିତା-

 

ଚେତି ସଚେତା ଚାହିଁଲେ ନିଶିନାଶେ ପାଶେ ନାହାନ୍ତି କୃପାଳିନୀ

ମାରି ଭାଲେ ହାତ ହା ନାଥ ହା ନାଥ ବୋଲି କଲେ ଭାଳେଣି ।

ବୋଲେ ଅଧୀରେ । କଂଗ୍ରେସ ଛାଡ଼ିଲେ ବିଧିରେ ।

(ଡଗର ୧୪/୨୧-୧୬/୫/୧୯୫୧)

 

ଖାଲିତୋରାଣୀ (ଡଗର ୨୧/୪), ସଂଘର୍ଷ (ଡଗର ୨୦/୩), କାପାଳିକ ଓ ରାଜକୁମାର (ଡଗର ୩/୪), ତିନି ଜଣିଆ ମନ୍ତ୍ରୀମଣ୍ଡଳ (ଡଗର ୨୦/୧୨) ପଙ୍ଗପାଳ (ଡଗର ୧୫/୨) ଆଜି ଅନେକ ଚିତ୍ରରେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଘଟଣାକୁ ବିବୃତ କରାଯାଇଛି । ଅତୀତକୁ ଚିତ୍ରରୁ କିପରି ଅଧ୍ୟୟନ କରାଯାଏ ଏବଂ ତାହା ଇତିହାସ ରଚନା ପାଇଁ କେତେ ଉପଯୋଗୀ ତାହା ଐତିହାସିକ ଓ ସମାଜତତ୍ତ୍ୱବିଦ୍‌ମାନେ ଜାଣନ୍ତି । ଶହ ଶହ ବର୍ଷ ପରେ ଡଗର ଏବଂ ନିଆଁଖୁଣ୍ଟାରେ ପ୍ରକାଶିତ ଚିତ୍ର ଦେଖି ଓଡ଼ିଶାର ଜାତୀୟ ଜୀବନକୁ ଅଧ୍ୟୟନ କରାଯାଇପାରିବ ।

 

॥ ୮ ॥

 

‘‘ମଜା କବିତା’’ ସ୍ତମ୍ଭରେ ଡଗରରେ ଅନେକ କବି ନିଜ ନିଜ କବିତାମାନ ପ୍ରକାଶ କରିବାକୁ ଚାହୁଁଛନ୍ତି । କେତେକ କବିତା ଛଦ୍ମନାମରେ ରଚିତ ହୋଇଛି । ନିତ୍ୟାନନ୍ଦ ମହାପାତ୍ରଙ୍କ ଉଦ୍ୟମ ହେତୁ ସଚ୍ଚି ରାଉତରାୟ, କାଳିନ୍ଦୀଚରଣ ପାଣିଗ୍ରାହୀ, ଅଖିଳ ମୋହନ ପଟ୍ଟନାୟକ, ଯୁଗଳ କିଶୋର ଦତ୍ତ, ଜୀବନାନନ୍ଦ ପାଣି, ପୁଲିକ ବିହାରୀ ରାୟ, ବିଦ୍ୟୁତ ପ୍ରଭା ଦେବୀ, ଗୋପୀନାଥ ମହାନ୍ତି, ଡ. ଗୋପାଳ ଚନ୍ଦ୍ର ମିଶ୍ର, ମୁରାରି ମୋହନ ଜେନା, ଉଦୟ ନାରାୟଣ ପାଢ଼ୀ, କବିଚନ୍ଦ କାଳୀଚରଣ ଏବଂ ଅଧୁନା ବିସ୍ମୃତ ଅନେକ ପ୍ରତିଭାବାନ କବି ଡଗର ପୃଷ୍ଠାରେ ଉଦିତ ହୋଇଛନ୍ତି । ଡ. ନଟବର ସାମନ୍ତରାୟଙ୍କ କବିତା ମଧ୍ୟ ଡଗରରେ ପ୍ରକାଶ ପାଇଛି । ବିନୋଦ ନାୟକ ଯେ ଦିନେ ହାସ୍ୟରସାତ୍ମକ କବିତା ଲେଖୁଥିଲେ ଏହା କେବଳ ଡଗର ପାଠକମାନେ ଜାଣନ୍ତି । ନିତ୍ୟାନନ୍ଦ ମହାପାତ୍ରଙ୍କର ଏହାହିଁ ଏକ ବିରାଟ ସିଦ୍ଧ ଯେ ସେ ମଜା କବିତା, ମଜାକାହାଣୀ ବିଭାଗକୁ ଅନେକ ଲୋକଙ୍କୁ ଆଣି ସେମାନଙ୍କ କଲମକୁ ବଳିଷ୍ଠ କରିଛନ୍ତି ।

 

।। ୯ ॥

 

ଜଣେ ସମ୍ପାଦକ ଭାବେ ନିତ୍ୟାନନ୍ଦ ହିଁ ପ୍ରଥମେ ଡଗରର ବିଶେଷାଙ୍କମାନ ପ୍ରସ୍ତୁତ କରିଛନ୍ତି ଯାହା ୧୯୫୮ ପର୍ଯ୍ୟନ୍ତ ଅନ୍ୟ କୌଣସି ପତ୍ରିକା କରି ନ ଥିଲେ । ସମାଲୋଚନା ବିଶେଷାଙ୍କ, ଗଳ୍ପ ବିଶେଷାଙ୍କ, ଆଧୁନିକ କବିତା ବିଶେଷାଙ୍କ, ରଜତଜୟନ୍ତୀ ବିଶେଷାଙ୍କ, ଗଙ୍ଗାଧର ମେହେର ବିଶେଷାଙ୍କ, ରାଧାନାଥ ବିଶେଷାଙ୍କ ଆଦି ଡଗରର ଓଡ଼ିଆ ସାହିତ୍ୟ କ୍ଷେତ୍ରକୁ ଅମୂଲ୍ୟ ଅବଦାନ । ମହାତ୍ମାଗାନ୍ଧୀଙ୍କ ମୃତ୍ୟୁପରେ ଡଗରର ଗୋଟିଏ ସଂଖ୍ୟାରେ କେବଳ ମହାତ୍ମାଙ୍କ ସମ୍ପର୍କରେ ଲେଖା ପ୍ରକାଶ ପାଇଛି । କାନ୍ତକବିଙ୍କ ମୃତ୍ୟୁପରେ କାନ୍ତକବିଙ୍କ ସମ୍ପର୍କରେ ଲେଖାମାନ ପ୍ରକାଶ ପାଇଛି । ଏଠାରେ ବିଶେଷାଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ଦେବାର ଆବଶ୍ୟକତା ନାହିଁ । କେବଳ ସମାଲୋଚନା ବିଶେଷାଙ୍କରେ ଅର୍ଥାତ ଡଗର ୨୨/୬ (ଡିସେମ୍ବର ୧୯୫୮)ରେ କେଉଁମାନେ ସ୍ଥାନିତ ହୋଇଛନ୍ତି ତାର ଏକ ଧାରଣା ଦିଆଯାଉଛି । ଏଥିରେ କେବଳ ନିର୍ବାଚିତ ଗ୍ରନ୍ଥମାନ ସମୀକ୍ଷିତ ହୋଇଛି । ଯଥା -

 

ଓଡ଼ିଶାରେ ଜୈନଧର୍ମ (ଲ.ନା.ସାହୁ) ଡ. ନବୀନକୁମାର ସାହୁ

ସ୍ଵଦେଶ ଓ ସଂସ୍କୃତି (ବିମଳକୃଷ୍ଣ ପାଳ) ଡ. ଜଗନ୍ନାଥ ପ୍ରସାଦ ଦାସ ।

ଉପେନ୍ଦ୍ର ସାହିତ୍ୟ ସମାଲୋଚନା (ବିଷ୍ଣୁମୋହନ ମହାନ୍ତି) ଡ. ଅସିତ କବି ।

ଧରିତ୍ରୀ (ଯ. ଦାସ ମହାପାତ୍ର, ବ୍ର. ରଥ, ଚିତ୍ତରଞ୍ଜନ ଦାସ ) ଡ. ଯତୀନ୍ଦ୍ର ମୋହନ ମହାନ୍ତି ।

ଶିଳା ଓ ଶାଳଗ୍ରାମ (ଚିତ୍ତରଞ୍ଜନ ଦାସ) ଦେବାର୍ଚ୍ଚନ ଭୋଇ, ଡ. ପ୍ରଫୁଲ୍ଲ ପତି ।

ଓଡ଼ିଆ ଲୋକଗୀତ ଓ କାହାଣୀ (ଡ. କୁ.ବି. ଦାଶ) ଡ. କୃଷ୍ଣଚରଣ ବେହେରା ।

ରାଧାମାଧବ ବିଳାସ (ରଘୁନାଥ ପରିଡ଼ା) ଡ. ନ. ସାମନ୍ତରାୟ ।

ନୂତନ କବିତା (ଗୁରୁପ୍ରସାଦ ମହାନ୍ତି) ଭାନୁଜୀ ରାଓ ।

ଶର୍ବରୀ (କା.ଚ. ମହାନ୍ତି) ନବକିଶୋର ମିଶ୍ର ।

୧୦

ଅମଡ଼ା ବାଟ (ବ.କୁ.ପଟ୍ଟନାୟକ) ଗୋପୀନାଥ ମହାନ୍ତି ।

୧୧

କଣ୍ଠା ଓ ଫୁଲ (ଗୋ. ମହାପାତ୍ର) ପ୍ର.ବିଧୂଭୂଷଣ ଦାସ ।

୧୨

ଗୌତମ ବୁଦ୍ଧ (ନକୁଞ୍ଜ କିଶୋର ଦାସ ) ମନୋରଞ୍ଜନ ଦାସ ।

୧୩

ସ୍ୱଗତ (ସ. ରାଉତରାୟ) ମୁରାରି ମୋହନ ଜେନା ।

୧୪

ପରାଗ (ବୀ.ଚ.ମିତ୍ର) ଡ. ଶ୍ୟାମସୁନ୍ଦର ମିଶ୍ର ।

୧୫

ମଣିଷର ଭାଷା (ପ୍ର.ଗୋ.ବି.ଧଳ) ପ୍ର. ପହଲ୍ଲାଦ ପ୍ରଧାନ ।

୧୬

କ୍ରୁଶ (ଡ. ମା. ମାନସିଂହ) ପ୍ର. ହରେନ୍ଦ୍ର ମହାନ୍ତି ।

୧୭

ପରଜା (ଗୋ. ମହାନ୍ତି) ପ୍ର. ପ୍ରଭାତ ନଳିନୀ ଦାସ ।

୧୮

ଶାଳଗ୍ରାମ (ରା. କି. ପଟ୍ଟନାୟକ ) ରବୀନ୍ଦ୍ର ପ୍ରସାଦ ପଣ୍ଡା ।

୧୯

ସବୁଜ ପତ୍ର ଓ ଧୂସର ଗୋଲାପ (ସୁ. ମହାନ୍ତି) ଦେବ ପ୍ରସାଦ ପଟ୍ଟନାୟକ ।

୨୦

ଅବରୋଧ (ମନୋରଞ୍ଜନ ଦାସ) ପ୍ର. ଚିନ୍ତାମଣି ବେହେରା ।

 

ସମାଲୋଚନା ବିଶେଷାଙ୍କ ଡଗର ୨୨/୬ ସଂଖ୍ୟାଠାରୁ ଧାରାବାହିକ ଭାବେ ଡଗର ୨୨/୧୨ ସଂଖ୍ୟା ପର୍ଯ୍ୟନ୍ତ ପ୍ରକାଶ ପାଇଛି । ନିତ୍ୟାନନ୍ଦ ‘ସ୍ଵାଗତ ସମ୍ବର୍ଦ୍ଧନା’ରେ ଡଗର ୨୨/୧୨ ସଂଖ୍ୟାରେ ଲେଖିଛନ୍ତି, ‘‘ଅତୀତର ଟୀକା ଏବଂ ଭାଷ୍ୟ ଥିଲା ମୂଳ ଲେଖାକୁ ପାଠକମାନଙ୍କ ନିକଟକୁ ନେଇ ଯିବାର ଏକ ପରିଚିତ ରାଜମାର୍ଗ । ଆଧୁନିକ ଯୁଗରେ ସମାଲୋଚନାଦ୍ଵାରା ସତ୍‌ ସାହିତ୍ୟ ଏବଂ ଅପସାହିତ୍ୟର ନିର୍ଣ୍ଣୟ ଦେଉଛନ୍ତି ସମାଲୋଚକ ।’’

 

ଡଗରର ବିଶେଷାଙ୍କଗୁଡ଼ିକ ବହୁ ମହତ୍ତ୍ୱପୂର୍ଣ୍ଣ ଲେଖାରେ ପରିପୂର୍ଣ୍ଣ ।

 

କାନ୍ତକବି ବିଶେଷାଙ୍କ ପାଠ ନ କଲେ କାନ୍ତକବିଙ୍କୁ ସମୁଚିତ ଭାବେ ଆକଳନ କରିବା, ମୋ ବିଚାରରେ, ସମ୍ଭବ ନୁହେଁ । ଗାନ୍ଧିଜୀଙ୍କ ମୃତ୍ୟୁ ପରେ ଡଗର ବହୁ ଉପାଦେୟ ଲେଖା ପ୍ରକାଶ କରିଛନ୍ତି ଏବଂ ଗାନ୍ଧୀ ବିଚାରଧାରା ନାମକ ଏକ ସ୍ଵତନ୍ତ୍ର ସ୍ତମ୍ଭ ଦୀର୍ଘଦିନ ଧରି ପ୍ରକାଶ କରିଛନ୍ତି ।

 

॥ ୧୦ ।।

 

ନିତ୍ୟାନନ୍ଦ ମହାପାତ୍ରଙ୍କ ସମ୍ପାଦକୀୟ ସ୍ତମ୍ଭରେ ପ୍ରଥମେ ରାଜନୀତି/ସମାଜନୀତି ସମ୍ପର୍କରେ କିଛି ବିକ୍ଷିପ୍ତ ଚିନ୍ତାରେ ପ୍ରତିଫଳନ ଘଟିଛି । କ୍ରମେ ସେ ସମ୍ପାଦକୀୟରେ ସାହିତ୍ୟ ସମ୍ପର୍କିତ ଲେଖାମାନ ପ୍ରକାଶ କରିଛନ୍ତି । ଆଜି କେନ୍ଦ୍ର ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବନ୍ଧରେ ଅନେକ କଥା ଖବର କାଗଜରେ ପ୍ରକାଶ ପାଉଛି । ଅତୀତରେ ନିତ୍ୟାନନ୍ଦ ତାଙ୍କ ସମ୍ପାଦକୀୟରେ ଡଗର ୨୫/୫ ସଂଖ୍ୟାରେ ଓ.ସା.ଏ.ର ଇତିହାସ ପର୍ଯ୍ୟାଲୋଚନା କରିଛନ୍ତି । ପ୍ରଥମେ ସଭାପତିଙ୍କ କାର୍ଯ୍ୟକାଳ ଥିଲା ପାଞ୍ଚବର୍ଷ । ୧୯୫୮ରେ ତାହା ସଂଶୋଧିତ ହୋଇ ସଭାପତି ନିଯୁକ୍ତି ପାଇଲେ ବର୍ଷକ ପାଇଁ । ଏହା ନିତ୍ୟାନନ୍ଦଙ୍କ ମତରେ, ଓଡ଼ିଶା ସରକାରଙ୍କର ପ୍ରଚାର ବିଭାଗ ପାଲଟି ଗଲା । ସରକାରଙ୍କ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ଏକାଡେମୀ ରହିଲା । ସଭାପତି ଓ ସମ୍ପାଦକଙ୍କ ନିଯୁକ୍ତି ପ୍ରକ୍ରିୟା ମୁଖ୍ୟତଃ ସ୍ଵେଚ୍ଛାଚାରିତା ଦ୍ଵାରା ନିୟନ୍ତ୍ରିତ ହେଲା । ନିତ୍ୟାନନ୍ଦ ପୁନଶ୍ଚ ଲେଖିଛନ୍ତି ଯେ ଫରାସୀ ସାହିତ୍ୟ ଏକାଡେମୀ ଲେଖକକମାନଙ୍କୁ ସରକାରଙ୍କ ଚାଟୁକାର ବନାଇଥିଲେ । ନିତ୍ୟାନନ୍ଦ ଲେଖିଛନ୍ତି, ‘ଯେଉଁମାନେ ଓଡ଼ିଆ ସାହିତ୍ୟକୁ ଜଣାଏ ହେଲେ ଦାନ ନାହିଁ ସେହି ସରକାରୀ ଅଫିସରମାନେ ସାହିତ୍ୟ ଓ ସାହିତ୍ୟିକଙ୍କୁ ନିୟନ୍ତ୍ରଣ କରିବାର ଲଜ୍ଜାକର ଇତିହାସ ଉପରେ ଏ ଦେଶର ଭବିଷ୍ୟତ ଦିନେ ଦୀର୍ଘଶ୍ୱାସ ତ୍ୟାଗ କରି ନିଷ୍ଠାବାନ ନିକ୍ଷେପ କରିବ - ଏହା ନିଶ୍ଚିତ’’ (ଡଗର ୨୨/୫ ନଭେମ୍ବର ୫୮)

 

ଡଗର ୨୨/ ୪ ଅକ୍ଟୋବର ୧୯୫୮ ସଂଖ୍ୟାରେ ଆଧୁନିକ କବିତା ସମ୍ପର୍କରେ ନିତ୍ୟାନନ୍ଦ ମହାପାତ୍ର ଏକ ନିଜସ୍ଵ ମତ ଉପସ୍ଥାପନ କରି ଆଧୁନିକ କବିତାର ନିନ୍ଦା ନ କରିବାକୁ ନିବେଦନ କରିଛନ୍ତି । ଏହା ଏକ ଦୀର୍ଘ ଆଲୋଚନା ଯେଉଁଠି ନୂତନ କବିତା ପ୍ରତି ନିତ୍ୟାନନ୍ଦଙ୍କ ସ୍ଵୀକୃତି ପ୍ରକାଶିତ ।

 

।। ୧୧ ॥

 

ଡଗରରେ ନିତ୍ୟାନନ୍ଦଙ୍କ ଲଘୁଚେତନା ଛୋଟ ଛୋଟ ଉକ୍ତି ମଧ୍ୟରେ ପ୍ରତିଫଳିତ ହୋଇଛି ଯାହାର ଉଦ୍ଦେଶ୍ୟ ପାଠକମାନଙ୍କୁ କିଞ୍ଚିତ୍‌ ଲଘୁ ଓ କିଞ୍ଚିତ୍‌ ବୌଦ୍ଧିକ ଆନନ୍ଦ ପ୍ରଦାନ କରିବା । ଯଦିଓ କାହିଁକି, ଚଢ଼ାକୁ ଉତାର, ଡାରେ ଡାରେ ଇତ୍ୟାଦି ସ୍ତମ୍ଭରେ ବହୁ ହାସ୍ୟର ପ୍ରତ୍ୟୁତ୍ତର ପ୍ରସ୍ତାବିତ ।

 

ଯଦି ଆର୍ତ୍ତବଲ୍ଲଭ ଭାଇସ୍‌ ଚାନ୍‌ସେଲାର ହୁଅନ୍ତେ –

କଲେଜ ପିଲାମାନେ ଅନ୍ତର୍ଲିପି ବହିର୍ଲିପିରେ ଚିଟାଉ ଲେଖନ୍ତେ ।

ଯଦି ଗୋଦାବରୀଶ ମିଶ୍ର ଭାଇସ୍‌ଚାନ୍‌ସେଲର୍‌ ହୁଅନ୍ତେ-

ସବୁ ଟେକ୍‌ସଟ ବୁକ୍‌ର ଅଭାବ ପଡ଼ନ୍ତା ନାହିଁ ।

ଯଦି ରାଜୁ ପଟ୍ଟନାୟକ କର୍ତ୍ତା ହୁଅନ୍ତେ-

ବିଶ୍ୱବିଦ୍ୟାଳୟ ଯାକ ଗୋଟାଏ ଉପନ୍ୟାସ ହୋଇ ଉଠନ୍ତା ।

ଯଦି ସାହୁଜୀ ଭାଇସ୍‌ ଚାନ୍‌ସେଲାର୍‌ ହୁଅନ୍ତେ-

ସ୍କ୍‌ଲ କଲେଜ ପିଲାଏ ହ୍ୱାଟ୍‌ନଟ୍‌ ହୁଅନ୍ତେ ।

ଓଡ଼ିଶାର ସାହିତ୍ୟ ସଭାଯାକ ଚିଆଁଇ ଉଠିଲା କାହିଁକି ?

ଓଡ଼ିଶାର ପ୍ରଧାନ କର୍ତ୍ତା ଜଣେ ସାହିତ୍ୟିକ ବୋଲି ।

ସାହିତ୍ୟ ସମାଜ ଭୋଟ ଲଢ଼େଇରେ ନାରୀ ସରଳା ଦେବୀ ଜିଣିଲେ କାହଁକି ?

ନର ସାହିତ୍ୟିକମାନେ ଅରସିକ ବୋଲି ।

ସରଳା କୁଳପତି ପଦ ପାଇଁ ଛିଡ଼ା ନୋହିଲେ କାହିଁକି ?

ଲାଜେ ।

(ଡଗର/ ୧୨/ ୩-୧୬.୯.୪୮)

 

‘ଡାରେ ଡାରେ’ ସ୍ତମ୍ଭରେ ବିଜ୍ଞପ୍ତି ପ୍ରକାଶ ପାଇଲା ‘‘ଅଖୋଳ ଭାରତୀୟ ଆପ୍‌କା ବାସ୍ତେ ଦଳ’’ ଗଠିତ ହେବ, ଯାହାର ‘ମଟୋ’ ହେଲା, ‘‘ଆତ୍ମାନଂ ସତତଂ ରକ୍ଷେତ୍‌’’ । କାରଣ ‘‘ଆତ୍ମା କୁଶଳେ ସର୍ବସିଦ୍ଧି/ଜାଣିବ ଏହୁ ମହାବିଧି । ମନେରଖିବେ, ଆପେ ବଞ୍ଚିଲେ ବାପର ନାମ । ଭୁଲନ୍ତୁ ନାହିଁ, ଧନ ଅର୍ଜନେ ଧର୍ମ କରି ଧନ ପ୍ରାପତ କୃଷ୍ଣ ହରି । xxx ଏ ଦେଶର ଡିମ୍ବକ୍ରେସୀ ରକ୍ଷା ନିମନ୍ତେ ଡଗର ବିଲୁଆ ସଭାର ଆନୁକୂଲ୍ୟରେ ଏକ ନୂଆଦଳ ଗଠିତ ହେବ ।

 

କିଏ ସଭ୍ୟ ହେବେ- ଚୋରି ନାରୀ ଧପ୍ପା ବାଜି କିଳାପୋତେଇ ଆଜି କିପରି ହୁଏ ତହିଁରେ

ବିଶେଷ ଅଭିଜ୍ଞତା ଲାଭ କରିଥିବେ । xxx (ଡଗର ୧୬/୫-୧୬-୯-୫୧)

 

ଚଢ଼ାକୁ ଉତାର ସ୍ତମ୍ଭ

ପ୍ରଶ୍ନ

ପୁରୁଷ ସିଗାରେଟ୍‌ ଖାଇ ଓଠକୁ କଳା କରେ, ନାରୀ ଲିପ୍‌ଷ୍ଟିକ୍‌ ଲଗାଇ ଲାଲ୍‌ କରେ କାହଁକି ?

ଉତ୍ତର

ପୁରୁଷର ଦାଗ ଲିଭେ ନାହଁ, ମାତ୍ର ନାରୀର ଦାଗ ସହଜରେ ଲିଭେ । ତଥାପି ନାରୀର ପ୍ରେମ

ସୁନ୍ଦର, ପୁରୁଷର କୁତ୍ସିତ ।

ପ୍ରଶ୍ନ

ଆଜିକାଲି ଅଫିସରମାନେ ଗସ୍ତରେ ଗଲେ ସାଙ୍ଗରେ ସ୍ତ୍ରୀଙ୍କୁ ନିଅନ୍ତି ନାହଁ କାହଁକି ?

ଉତ୍ତର

ଗସ୍ତରେ ଉପୁରି ମିଳେ ବୋଲି ।

ପ୍ରଶ୍ନ

ପ୍ରେମ ବିବାହରେ ପ୍ରେମିକ ପ୍ରେମିକାଙ୍କ ପୁଣି ବିଚ୍ଛେଦ ହୁଏ କାହିଁକି ?

ଉତ୍ତର

ପ୍ରେମ ସାଙ୍ଗରେ ବିବାହ ହୋଇଥାଏ, ମଣିଷ ସାଙ୍ଗରେ ନୁହେଁ ବୋଲି ।

ପ୍ରଶ୍ନ

ଆପଣ ଅବିବାହିତ ଜାଣି ମଧ୍ୟ ଅନେକେ ଆପଣଙ୍କୁ ବିବାହିତ ଜୀବନର ପ୍ରଶ୍ନ ପଚାରନ୍ତି କାହଁକି ?

ଉତ୍ତର

ମୁଁ ଏବେ ବି ଅବିବାହିତ ବୋଲି କାହାରି ଧାରଣା ହୁଏ, ତେବେ ଅନେକ ଝିଅ ମୋତେ ମନେ ମନେ ବାହା ହେଉଥିବେ । ସେ ସବୁର ଅଭିଜ୍ଞତା ବିବାହିତ ଜୀବନ ଅଭିଜ୍ଞତାଠାରୁ ଢେର ଉଚ୍ଚରେ । ବାହା ନ ହୋଇ ବରଯାତ୍ରୀରେ ବି ଯାଇଥା’ନ୍ତି ଲୋକେ ।

ପ୍ରଶ୍ନ

ପ୍ରେମ ଓ ସାହିତ୍ୟ ମଧ୍ୟରେ ତଫାତ୍ କ’ଣ ?

ଉତ୍ତର

ପ୍ରେମ ପତ୍ରିକାର ଲେଖକ ଜଣେ, ପାଠକ ଜଣେ । ଏହାର ସମ୍ପାଦକ ‘ମଦନ’ । ସାହିତ୍ୟ ପତ୍ର କଥା ତ ଦେଖୁଛନ୍ତି ।

ପ୍ରଶ୍ନ

ଆପଣ ଓଡ଼ିଶାର ଭବିଷ୍ୟତ ଘଟଣା ଜାଣିଛନ୍ତି ବୋଲି ମୁଁ ଶୁଣି ପାରୁଛି- କହିବେକି ଦୟା କରି ?

ଉତ୍ତର

(ଭବିଷ୍ୟତରେ) ଦିନ ପରେ ରାତି, ରାତି ପରେ ଦିନ, ଗ୍ରୀଷ୍ମ ବର୍ଷା ଶରତ ଶିଶିର ହେମନ୍ତ ବସନ୍ତ ରତୁ ପରେ ରତୁ ଆସି ଚାଲିଯିବ । ଆଉ, ତୁମ୍‌ଭୀ ଯାଏଁଗେ ହମ୍‌ଭୀ ଯାଏଁଗେ, ଯାଏଗା ମଲ୍‌ମଲ୍‌ ଖାସା, ଇସ୍‌ଦୁନିଆ ଭୀ ଗୁଜର୍‌ ଯାଏଗା ଜଙ୍ଗଲ ହୋଗା ବାସା ।

 

॥ ୧୨ ॥

 

୧୯୫୧ରେ ନିତ୍ୟାନନ୍ଦ ମହାପାତ୍ର ଓଡ଼ିଶାର ପୁରପଲ୍ଲୀରେ ଉତ୍କଟ ଦାରିଦ୍ର୍ୟର ପ୍ରାଦୁର୍ଭାବକୁ ଲକ୍ଷ୍ୟ କରି ଗୋଟିଏ ଚିତ୍ରରେ କଙ୍କାଳସାର ମଣିଷ ଉର୍ଦ୍ଧ୍ଵକୁ ହାତ ବଢ଼ାଇଥିବା ଚିତ୍ରଟିଏ ଆଙ୍କି ତା ତଳେ ଯେଉଁ କବିତାଟି ଲେଖିଥିଲେ ସେଥିରୁ ତାଙ୍କ ସାରସ୍ଵତ ପୁରୁଷର ଅନ୍ତରାତ୍ମାକୁ ଲକ୍ଷ୍ୟ କରି ହୁଏ । ନିତ୍ୟାନନ୍ଦ ଲେଖିଥିଲେ-

 

ଦାନା ସ୍ଵାଧୀନତା କରିଛି ମୋହର ପିଠି ପେଟ ଦୁଇ ଏକ

କାନ ସ୍ଵାଧୀନତା ରଖିଛି ମାତର କଉପୀନ କରି ଭେକ ।

କଥା ସ୍ଵାଧୀନତା ଦେଇଅଛି ଆଣି କେତେ ଯେ ଆଇନ୍‌ ଧାରା

ଲେଖା ସ୍ୱାଧୀନତା ପାଇଁ କି ପାର୍ଲିଆମେଣ୍ଟ ଲଗାଇଛି ଚାରା ।

ସ୍ଵାଧୀନ ଭାରତ ଜୟ

ଆସ ଅଗଷ୍ଟ ପନ୍ଦର ତମେ କରି ନବ ଅଭିନୟ ।

(ଡଗର ୧୫/୫ - ୧/୯/୫୧)

 

ମହାତ୍ମାଗାନ୍ଧୀଙ୍କ ମୃତ୍ୟୁର ଏଗାର ଦିନ ପୂର୍ବରୁ ୧୯/୧/୪୮ ତାରିଖରେ ଡଗରରେ ଯେଉଁ କବିତାଟି ଲେଖିଥିଲେ ଅନେକଙ୍କ ଅବଗତି ପାଇଁ ତାହାର ପୂର୍ଣ୍ଣପାଠ ଉଦ୍ଧାର କରୁଛି ।

 

ଆତ୍ମାର ଆହୁତି

ଆହେ ଉପବାସୀ ବୀର

ଜାଣେ ମୁହିଁ ତବ ହୃଦୟ ବେଦନା ତଥାପି ଶୁଣ ମୋ ଗୀର

ଅମର ଦେବତା ଆବାହନ ପାଇଁ ଜଡ଼ ଘଟ ଥିଲ ଗଢ଼ି

ସେ ପ୍ରତିମା ଜାଣେ କୃତ୍ରିମ ହେଲା ଗଲାଣି ଲକ୍ଷ୍ମୀଛାଡ଼ି ।

ପ୍ରେମର ପୟୋଧି ପୂର୍ଣ୍ଣ କଳସୁ ଆଜି ହେ ରକ୍ତରେ

ଆଗରେ ଦୀପ୍ତ ଦୀପ ଶିଖା ଜାଗେ ଭୋଗର ଅଗ୍ନି ଧାରେ

କ୍ଷମାରେ କ୍ଷାନ୍ତ ହୃଦୟରେ ଆଜି କ୍ଷମତାର ମୋହ ଭରା

ସତ୍ୟ ସରଳ ପ୍ରାଣରେ ଗରଳ ଘୃଣ୍ୟ କୁଟିଳ ଧାରା ।

ସେଥିପାଇଁ ଆଜି ଛାଡ଼ିଯିବ କିହେ ଗଢ଼ିଥିଲ ଯେଉଁ ମହୀ

ଦୀନତାଦୀର୍ଣ୍ଣ ଜନତାର କାନେ ହତାଶାର କଥା କହି ?

ରୁହ ହେ ବାପୁଜୀ ରୁହ

ତୁମ ବିନା କେହି ନାହଁ ତ ରୋଧିକ ଆଜିଏ ରକତ ସୁଅ ।

(ଡଗର ୧୧/୨୩-୧୯/୧/୪୮)

 

ଗାନ୍ଧିଜୀଙ୍କ ମହାପ୍ରୟାଣ ପରେ ଡଗର ‘‘ଗାନ୍ଧି ବିଚାରଧାରା’’ ନାମକ ଏକ ସ୍ତମ୍ଭରେ ନିୟମିତ ଭାବେ ଲେଖିଲେ । ଗାନ୍ଧିଜୀଙ୍କ ‘‘ପ୍ରାର୍ଥନା ପଦାବଳୀ’’ ଶୀର୍ଷକରେ ସେ ପ୍ରତ୍ୟହ ଗାନ କରୁଥିବା ସଂଗୀତ ଓ ଆବଶ୍ୟକ ସ୍ଥଳେ ଓଡ଼ିଆରେ ତାର ବ୍ୟାଖ୍ୟା କରିଛନ୍ତି ନିତ୍ୟାନନ୍ଦ । ଗାନ୍ଧିଜୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି ଲେଖାଯାଇଥିବା ‘ସମ୍ପାଦକଙ୍କୁ ପତ୍ର’ ଗୁଡ଼ିକୁ ନିତ୍ୟାନନ୍ଦ ଡଗରରେ ଛାପିଛନ୍ତି । ରବୀନ୍ଦ୍ର ନାଥଙ୍କ ‘‘ମହାତ୍ମାଗାନ୍ଧୀ’’ ପ୍ରବନ୍ଧର ଓଡ଼ିଆ ଅନୁବାଦ କରି ନିତ୍ୟାନନ୍ଦ ଡଗର ୧୧/୪୨ ସଂଖ୍ୟାରେ ତାହା ପ୍ରକାଶ କରିଛନ୍ତି ।

 

॥ ୧୩ ॥

 

ନିତ୍ୟାନନ୍ଦ ମହାପାତ୍ର କାନ୍ତ ସାହିତ୍ୟମାଳା (ଗ୍ରନ୍ଥାବଳୀ,୧ମ, ୨ୟ) ସଂକଳନ କରିବା ନିମନ୍ତେ ଉଦ୍ୟମ କରି ନ ଥିଲେ ତାହା ପ୍ରକାଶ ପାଇବା ହୁଏତ ବିଳମ୍ବିତ ହୋଇଥା’ନ୍ତା । ଏହି ସଂକଳନରେ କାନ୍ତକବିଙ୍କ ଅନେକ ରଚନା ସ୍ଥାନିତ ହୋଇନାହିଁ । ମୁଁ ନିତ୍ୟାନନ୍ଦ ବାବୁଙ୍କ ସହିତ ଏ ସମ୍ପର୍କରେ ଚର୍ଚ୍ଚା କରିଛି । ସେ କହିଲେ ‘କାନ୍ତ ସାହିତ୍ୟମାଳା’ର ତୃତୀୟ ଖଣ୍ଡର ସମସ୍ତ ଉପାଦାନ ପ୍ରକାଶକ ହଜାଇ ଦେଇଛନ୍ତି । ଗ୍ରନ୍ଥାବଳୀରେ ଥିବା ‘ଚଟକ ଚନ୍ଦ୍ରହାସ ଚମ୍ପୂ’ ସମ୍ପର୍କରେ କବିଙ୍କ ‘କୈଫିୟତ୍‌’, ଯାହା ଦେବ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର, ତାହା ପ୍ରକାଶ ପାଇ ନାହିଁ । କାନ୍ତ ସାହିତ୍ୟ ସଂସଦରେ ସ୍ଥିର ହୋଇଥିଲା ଯେ ପ୍ରଥମେ ତାଙ୍କ ‘ଚମ୍ପୂ’ ସ୍ୱତନ୍ତ୍ର ଗ୍ରନ୍ଥ ଆକାରରେ ପ୍ରକାଶ ପାଇବ । ତାହା ମୁଁ ନିତ୍ୟାନନ୍ଦ ବାବୁଙ୍କୁ ମୁଖବନ୍ଧ ସହ ଦେଲି । ମାତ୍ର ନିତ୍ୟାନନ୍ଦ ବାବୁ ତାହା ପ୍ରକାଶ କରିବାକୁ ଯତ୍ନନେଲେ ନାହିଁ । କବିଙ୍କ ‘ଦୁନ୍ଦୁଭି’କୁ ‘ଜାତୀୟ ସଂଗୀତ’ ନାମ ଦେଇ ନିତ୍ୟାନନ୍ଦବାବୁ ଗ୍ରନ୍ଥାବଳୀରେ ଛାପିଲେ, ଅଥଚ ଦୁନ୍ଦୁଭିର ପ୍ରକାଶ କାଳ ଏବଂ କବି ବା ପ୍ରକାଶକଙ୍କ ମନ୍ତବ୍ୟ (ଯଦି ଥିଲା) ଛପା ଗଲା ନାହିଁ । ‘ଦୁନ୍ଦୁଭି’କୁ ବ୍ରିଟିଶ ସରକାର ବାଜ୍ୟାପ୍ତ କରିଥିଲେ । କାନ୍ତକବିଙ୍କ ‘ଜୀବନ ସଂଗୀତ’ର କେତୋଟି ଗୀତ କବି ନିଜେ ଇଂରାଜୀରେ ଅନୁବାଦ କରିଥିଲେ । ସେଗୁଡ଼ିକ ନିତ୍ୟାନନ୍ଦ ବାବୁ ଗ୍ରନ୍ଥାବଳୀରେ ସ୍ଥାନିତ କରାଯାଇ ନାହିଁ । ‘ଦେହି ପଦ ପଲବ ମୁଦାରଂ’’ କାନ୍ତକବିଙ୍କ କ୍ଷୁଦ୍ର ଗଳ୍ପର ଏକ ସଂକଳନ । ଗ୍ରନ୍ଥାବଳୀରେ ସେହି ଗ୍ରନ୍ଥରୁ ଗଳ୍ପମାନ ସଂଗୃହୀତ ହୋଇ ସ୍ଥାନିତ ହୋଇଛି, ଅଥଚ ମୂଳ ଗ୍ରନ୍ଥର ନାମ କିମ୍ବା ପ୍ରକାଶ କାଳ ଲିପିବଦ୍ଧ ହୋଇ ନାହିଁ । ମୁଁ ନିତ୍ୟାନନ୍ଦ ବାବୁଙ୍କ ସହିତ ଏ ସମ୍ପର୍କରେ କଥାବାର୍ତ୍ତା କଲାବେଳେ ସେ ଦୋଷଗୁଡ଼ିକୁ ପ୍ରକାଶକଙ୍କ ଉପରେ ଲଦିଛନ୍ତି । ରାଜନୀତିରେ ବ୍ୟସ୍ତ ଥିବା ହେତୁ, ଖିବ୍‌ ସମ୍ଭବ, ସେ ଗ୍ରନ୍ଥାବଳୀ ପ୍ରକାଶନ ପ୍ରତି ଯେତିକି ସମୟ ଦେବା କଥା ତାହା କରିପାରିନାହାନ୍ତି । ‘ଜୀବନ ସଂଗୀତ’ର ସ୍ୱରଲିପି କବି ପ୍ରସ୍ତୁତ କରିଥିଲେ । ଗ୍ରନ୍ଥାବଳୀରେ ତାର ଲେଶମାତ୍ର ଉଲ୍ଲେଖ ନାହିଁ । ଗୌରଚନ୍ଦ୍ର ମହାପାତ୍ର ହୁଏତ ଏ ସବୁର ଉଦ୍ଧାର କାର୍ଯ୍ୟ କରିବା କ୍ଷେତ୍ରରେ କିଞ୍ଚିତ୍‌ ଆଲୋକପାତ କରିପାରିବେ ।

 

॥ ୧୪ ॥

 

ଡଗରରେ ‘ଗୋବରଗାଡ଼ିଆ ଚମ୍ପୂ’ ଧାରାବାହିକ ଭାବେ ପ୍ରକାଶ ପାଇଛି । ଏହା ଅଦ୍ୟାବଧି ସମୀକ୍ଷକମାନଙ୍କ ଆଲୋଚନାର ପରିସର ମଧ୍ୟରେ ଆସିନାହିଁ । ଦଶମ ଶ୍ରେଣୀରୁ ପାଠ ପଢ଼ାଛାଡ଼ି ସେ ସାହିତ୍ୟ ସାଧନାରେ ବ୍ରତୀ ହୋଇଛନ୍ତି ଏବଂ ଓଡ଼ିଆ ସାହିତ୍ୟର ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, କବିତା, ରମ୍ୟରଚନା ଆଦି ସାହିତ୍ୟର ପ୍ରାୟ ସବୁ ବିଭାବକୁ ବିପୁଳ ଦାନ କରିଛନ୍ତି । ତାଙ୍କ ଜୀବନୀପୁସ୍ତକ ‘ନାହଂ ତିଷ୍ଠାମି ବୈକୁଣ୍ଠେ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାହେମୀ ପୁରସ୍କାର ଓ ‘ଘରଡ଼ିହ’ ଉପନ୍ୟାସ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଛନ୍ତି । ଉତ୍କଳ ସାହିତ୍ୟ ସମାଜ ତାଙ୍କ ସାହିତ୍ୟ ସାଧନା ପାଇଁ ତାଙ୍କୁ ‘ଉତ୍କଳ ରତ୍ନ’ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ସମ୍ମାନ ‘ଅତିବଡ଼ୀ ଜଗନ୍ନାଥ ଦାସ’ ସମ୍ମାନ ଅର୍ପଣ କରିଛନ୍ତି । ମାତ୍ର କେଇମାସ ତଳେ ତାଙ୍କର ଏକ କଥାଗ୍ରନ୍ଥର ‘ରାଜକନ୍ୟା’ (ଜୁନୁ ୨୦୧୧) ପ୍ରକାଶ ପାଇଛି । ‘ରାଜକନ୍ୟା’ କିଏ ଏବଂ କାହାକୁ ବରଣମାଳା ଦେବା ପାଇଁ ସେ ଦୀର୍ଘଦିନ ଯୋଗ୍ୟ ରାଜକୁମାରର ପ୍ରତୀକ୍ଷାରେ ଥିଲେ ତାହା କେବଳ ନିତ୍ୟାନନ୍ଦ ମହାପାତ୍ରଙ୍କୁ ଜଣା । ମୋର ବିଶ୍ଵାସ ଏଇ ରାଜକୁମାର ଜଣକ ସ୍ୱୟଂ କଥାକାର-

ଟୋଲଙ୍କ, ବାଲେଶ୍ୱର

***

 

Unknown

ସମ୍ପାଦନା କଳା - କୁଶଳତା ଓ ଯଶସ୍ଵୀ ସମ୍ପାଦକ ନିତ୍ୟାନନ୍ଦ

ଅପୂର୍ବ ରଞ୍ଜନ ରାୟ

 

ସମ୍ପାଦନା ଏକ କଳା, ଏପରି କଳାକୁ ଆୟତ୍ତ କରିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ-। ଜଣେ ଉଚ୍ଚକୋଟୀର ଲେଖକ ହୋଇପାରେ, ମାତ୍ର ଜଣେ ସମ୍ପାଦକ ହେବା ତା’ ପକ୍ଷେ ସମ୍ଭବପର ହୋଇନପାରେ । ସମ୍ପାଦକ ରୂପେ ସମ୍ପାଦନା କାର୍ଯ୍ୟରେ ନିଜକୁ ନିୟୋଜିତ କରିବା ଲାଗି, ଯେ କେତେକ ଗୁଣ ଓ ଜ୍ଞାନର ଆବଶ୍ୟକତା ରହିଛି, ତାହା ହୁଏତ ସବୁ ଲେଖକ ଲେଖିକାଙ୍କ ଠାରେ ନଥାଏ । ସେଥିପାଇଁ ସମସ୍ତେ ସମ୍ପାଦକ ହୋଇପାରନ୍ତି ନାହିଁ । ଅଳ୍ପ କେତେଜଣ ଏ କ୍ଷେତ୍ରରେ କୃତୀତ୍ୱ ପ୍ରଦର୍ଶନ କରିବାକୁ କ୍ଷମ ହୁଅନ୍ତି । ପୁଣି ଯଥାର୍ଥ ସମ୍ପାଦକ ସାହିତ୍ୟ କ୍ଷେତ୍ରରେ ଆହୁରି କମ୍‌ । ଆମ ଓଡ଼ିଆ ସାହିତ୍ୟରେ ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ପଣ୍ଡିତ ନୀଳକଣ୍ଠ ଦାସ, ‘ସହକାର’ର ସମ୍ପାଦକ ବାଳକୃଷ୍ଣ କରଙ୍କ ପରି ସୁନାମଧନ୍ୟ ସମ୍ପାଦକ ଆଉ ମିଳିବା କଷ୍ଟକର । ଏମାନେ ସମ୍ପାଦନା ମାଧ୍ୟମରେ, ରୁଚିପୂର୍ଣ୍ଣ ସାରସ୍ଵତ କୃତି ପାଠକମାନଙ୍କୁ ଦେବା ସହିତ, ଲେଖକ ଗଢ଼ିବା ଲାଗି ଯତ୍ନବାନ ହେଉଥିଲେ । ଜଣେ ସମ୍ପାଦକଙ୍କ ସମ୍ପାଦନା ଉପରେ ଲେଖକ ଲେଖିକାଙ୍କ ଭରସା ରହିବା ଉଚିତ୍‌ । ସେ ଦୃଷ୍ଟିରୁ ଯୋଗ୍ୟ ସମ୍ପାଦକ ହେଉଛନ୍ତି ସ୍ରଷ୍ଟାର ଉଦ୍ଧ୍ୱରେ । ଲେଖକ ଲେଖିକାଙ୍କ ସାରସ୍ଵତ କୃତି ଉପରେ ମନ୍ତବ୍ୟ ସହିତ ଲେଖନୀ ଚାଳନା କରିବାର ଶକ୍ତି ଓ ସାମର୍ଥ୍ୟ ଜଣେ ସମ୍ପାଦକଙ୍କର ରହିବା ଆବଶ୍ୟକ । କୁହାଯାଏ, କଥାସମ୍ରାଟ୍‌ ଫକୀରମୋହନଙ୍କ ଲେଖାର ସମ୍ପାଦନା, ପରିମାର୍ଜନା କରିବା ଲାଗି ସୁଯୋଗ୍ୟ ସମ୍ପାଦକ ବିଶ୍ଵନାଥ କର ଯୋଗ୍ୟ ହୋଇଥିଲେ ।

 

ବହୁ କ୍ଷେତ୍ରରେ ଅତୀତରେ ମୂଳପାଠ ନଥାଇ ସୁଦ୍ଧା, ଶୁଦ୍ଧ ସଂସ୍କରଣର ଗ୍ରନ୍ଥ ପଠନର ସୁଯୋଗ ମିଳିଥାଏ । ଅତୀତରେ କେତେକ ଉଚ୍ଚକୋଟୀର ଗ୍ରନ୍ଥର ମୂଳପାଠ ଲୋପ ହୋଇଯାଇଥିଲେ ମଧ୍ୟ, ତା’ର ପ୍ରତିଲିପିକୁ ମାଧ୍ୟମ କରି, ଶୁଦ୍ଧପାଠ ରଚନା ଲାଗି ସମ୍ପାଦକ କ୍ଷମ ହୋଇଥିବାର ଦୃଷ୍ଟାନ୍ତ ରହିଛି । ଏହା ସୁସମ୍ପାଦନ ଦ୍ଵାରା ସମ୍ଭବ ହୋଇଥାଏ । ମୂଳପାଠ ଅଭାବରେ ସୁଯୋଗ୍ୟ ସମ୍ପାଦକ ପ୍ରତିଲିପିକୁ ଆଧାର କରି ଏପରି ଗ୍ରନ୍ଥ ସୃଷ୍ଟି କରିପାରନ୍ତି ଯେ ତାହା ମୂଳ ରଚନାପରି ଉପଲବ୍‌ଧ ହୁଏ । ଏହି ସମ୍ପାଦନା, ଆପଣା ବିଚକ୍ଷଣ ବୁଦ୍ଧି, ବହୁଶାସ୍ତ୍ର ଅଧ୍ୟୟନ, ଧୀଶକ୍ତି ଓ ତର୍କ ଉପରେ ନିର୍ଭର କରିଥାଏ । ଏ କ୍ଷେତ୍ରରେ ସମ୍ପାଦକଙ୍କ କଳାତ୍ମକ ସୁଦୂର ଦୃଷ୍ଟିକୋଣ ସହାୟକ ହୋଇଥାଏ । ପାଠ-ଚୟନ କ୍ଷେତ୍ରରେ ସମ୍ପାଦକଙ୍କର ଅଭିଜ୍ଞତା, ବ୍ୟାକରଣ ଜ୍ଞାନ, ଶବ୍ଦ ସଂଯୋଜନାରେ ଦକ୍ଷତା ଓ ତଥ୍ୟ ଉପରେ ପାଣ୍ଡିତ୍ୟ ରହିଥିବା ଆବଶ୍ୟକ । ଗୋଟିଏ ସୃଷ୍ଟିକୁ ସମ୍ପାଦନା କରିବାବେଳେ, ମୂଳସୃଷ୍ଟିର ଉତ୍ସଟିକୁ ସମ୍ପାଦକ ବୁଝିପାରିବା ଉଚିତ୍‌ । ଫଳରେ ମୂଳ ରଚନାଟି ବିକୃତ ହେବାର ସମ୍ଭାବନା ରହେନାହିଁ । ମୂଳ ରଚନାକୁ ପରିବର୍ତ୍ତନ କରିବା ଳକ୍ଷ୍ୟରେ ଏହା ବିକୃତ ହେବା ଯଥାର୍ଥ ନୁହେଁ । ସେଥିପାଇଁ ଶବ୍ଦ ପରିବର୍ତ୍ତନ ସମୟରେ, ପରିବର୍ତ୍ତିତ ଶବ୍ଦ ସ୍ଥାନରେ ଉପଯୁକ୍ତ ଶବ୍ଦଟିଏ ସଂଯୋଜିତ କରିବା ଲାଗି ସମ୍ପାଦକ ସମର୍ଥ ହେଉଥିବା ଆବଶ୍ୟକ । ନଚେତ୍‌ ମୂଳ ରଚନାରେ ବ୍ୟବହୃତ ଲେଖକଙ୍କ ଶବ୍ଦଟି ବାଦ ଦିଆଯିବା ଶେଷ କଥା ହୋଇପଡ଼େ । ଏହା ସ୍ଥାନରେ ଯଥୋଚିତ ଅର୍ଥବୋଧକ ରୁଚିସମ୍ପନ୍ନ ଶବ୍ଦଟିଏ ସଂଯୋଜିତ ହୋଇପାରେ ନାହୁଁ । ସେଥିପାଇଁ ସମ୍ପାଦକ ଶବ୍ଦର ଭଣ୍ଡାର ହେବା ଉଚିତ୍‌ । ଲେଖା ସମ୍ପାଦନା ଆଳରେ ସୃଷ୍ଟି ବିକୃତ ନହେବା ପ୍ରତି ସମ୍ପାଦକ ଧ୍ୟାନ ଦେଇଥାଆନ୍ତି । ଏଥିପାଇଁ ତାଙ୍କର ଯଥେଷ୍ଟ ପାଣ୍ଡିତ୍ୟ ଥିବା ଉଚିତ୍‌ । ସ୍ରଷ୍ଟାର ଜ୍ଞାନ ଠାରୁ, ସମ୍ପାଦକଙ୍କ ଜ୍ଞାନର ଭଣ୍ଡାର ଅଧିକ ସମୃଦ୍ଧ ହୋଇଥିଲେ ଏହା ଅ୍ୟନ୍ତ ଅଭିନନ୍ଦନୀୟ । ଭାରତ ବର୍ଷର ଖ୍ୟାତନାମା ସମୀକ୍ଷକ ଡ. ଦେବେନ୍ଦ୍ର କୁମାର ଜୈନ, ଡ. ରାମମୂର୍ତ୍ତି ତ୍ରିପାଠୀ, ଡ. ବିଶ୍ୱନାଥ ପ୍ରସାଦ ମିଶ୍ର, ଡ. ରାମଗୋପାଳ ଶର୍ମା ପ୍ରମୁଖ ସମ୍ପାଦନାକୁ ଏକ କଳା ଓ ଏହା ସାଧନା ସାପେକ୍ଷ ବୋଲି ସ୍ଵୀକାର କରିଥାଆନ୍ତି । ସମ୍ପାଦନା ପରେ, ପାଠକପାଠିକା ସୃଷ୍ଟି ବୁଝିବାରେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ଏଥିପାଇଁ ସମ୍ପାଦକ ଦୃଷ୍ଟିଦେବା ଏକାନ୍ତ କର୍ତ୍ତବ୍ୟ । ଶୁଦ୍ଧ ସମ୍ପାଦନାରେ ମୂଳ ରଚନାର ସ୍ରଷ୍ଟାଙ୍କୁ ପାଠକପାଠିକା ଖୋଜିପାଇବା ଉଚିତ । ସମ୍ପାଦନା ପରେ ସ୍ରଷ୍ଟାଙ୍କ ପରିଚିତି ହଜିଯାଇଥିଲେ, ସମ୍ପାଦନାର ମୂଲ୍ୟ ରହେନାହିଁ । ପ୍ରାଚୀନ ସାହିତ୍ୟ ସମ୍ପାଦନା ସମୟରେ, ସେଦିନର ଚିନ୍ତାଚେତନା ବଜାୟ ରହିବା ଉଚିତ । ନଚେତ୍‌ ବର୍ତ୍ତମାନର ପାଠକ ସମାଜ ସେହି ସୃଷ୍ଟି ସହିତ ଯଥାର୍ଥ ଭାବରେ ପରିଚିତ ହେବା ସମ୍ଭବ ନୁହେଁ । ଆଗାମୀର ସଂସ୍କୃତି ପ୍ରେମୀମାନଙ୍କ ପାଇଁ ସମ୍ପାଦିତ ରଚନା ଅବୋଧ୍ୟ ରହିବା ଆଦୌ ସ୍ୱାଗତଯୋଗ୍ୟ ପଦକ୍ଷେପ ନୁହେଁ । ରଚନା ରୁଚିପୂର୍ଣ୍ଣ ତଥା ପଠନୀୟ କରିବାର ଦାୟିତ୍ୱ ସମ୍ପାଦନା ଉପରେ ନିର୍ଭରଶୀଳ ସତ, ସୃଷ୍ଠିଟି ସ୍ରଷ୍ଟାର- ତାହା ସମ୍ପାଦକର ନୁହେଁ, ଏତକ ସମ୍ପାଦନା କାଳରେ ସମ୍ପାଦକ ପାଶୋରା ଦେବା ଉଚିତ ନୁହେଁ । ଏହି ଦୃଷ୍ଟିରୁ ବିଚାର କଲେ, ଓଡ଼ିଶାରେ କେତେ ଜଣ ଯଥାର୍ଥ ସମ୍ପାଦକ, ସମ୍ପାଦନା କାର୍ଯ୍ୟରେ ନିଜକୁ ଉତ୍ସର୍ଗ କରିଛନ୍ତି, ତାହା ସହଜରେ ଅନୁଭବ କରିହୁଏ । ବହୁ ସଂଖ୍ୟକ ପତ୍ରିକା ଦାୟିତ୍ଵ ବାହକ ସମ୍ପାଦକ, ସେମାନେ ସଂକଳକ, ଏହା କହିବାରେ ଦ୍ୱିଧା ନାହିଁ । ବିଶିଷ୍ଟ ଲେଖକ ସୁରେନ୍ଦ୍ର ମହାନ୍ତିଙ୍କ ଭାଷାରେ, ‘‘ଓଡ଼ିଶାରେ ପତ୍ରିକା କଣ ସମ୍ପାଦିତ ହୁଏ ? ସମ୍ପାଦକ କାହାନ୍ତି ? ଅଧିକାଂଶ ସଂକଳକ- ସଂକଳନ କରି ପତ୍ରିକା ପ୍ରକାଶ କରିଥାଆନ୍ତି ।’’ ସଂପ୍ରତି ଅନେକ ପତ୍ରିକାର ସମ୍ପାଦକ ନାମକୁ ମାତ୍ର ଅଛନ୍ତି, ସେମାନଙ୍କ ପତ୍ରିକା ପାଇଁ ଅନ୍ୟ ସାହିତ୍ୟିକ କି ଶିକ୍ଷକମାନେ ଲେଖା ବାଛୁଥିବା ମୋ’ କାନକୁ ଆସିଛି ।

 

ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ସମ୍ପାଦନା କ୍ଷେତ୍ରରେ ଥିଲେ ଅତ୍ୟନ୍ତ ନିର୍ଭୀକ ଓ ସ୍ପଷ୍ଟବାଦୀ । ସେ ସମ୍ପାଦକ ରୂପେ ସମ୍ପାଦନାକୁ ଜୀବିକା କରିନଥିଲେ । ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିଷ୍ଠିତ ‘ଡଗର’ ପତ୍ରିକାର ସେ ହେଉଛନ୍ତି ସୁଯୋଗ୍ୟ ସମ୍ପାଦକ । ପିତା, ପୁତ୍ର ନିତ୍ୟାନନ୍ଦଙ୍କ ମେଧା, ସାଧନା ଓ ବିଚକ୍ଷଣ ବୁଦ୍ଧିରେ ସନ୍ତୁଷ୍ଟ ହୋଇ, ତାଙ୍କ ସମ୍ପାଦନା ଉପରେ ଭରସା ରଖି ସମ୍ପାଦକ ହେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ନିର୍ଦ୍ଦେଶାନୁସାରେ ସେ ‘ଡଗର’ର ସମ୍ପାଦନା ଦାୟିତ୍ଵ ବହନ କରିଥିଲେ । ୧୯୩୭ ମସିହାରେ ‘ଡଗର’ ଆତ୍ମପ୍ରକାଶ କଲା । ସେହି ଦିନଠାରୁ ବନ୍ଦ ହେବାଯାଏଁ ସେ ପ୍ରାୟ ୬୦ ବର୍ଷରୁ ଅଧିକ କାଳ ସମ୍ପାଦକ ହୋଇଥିଲେ । ୧୯୪୧ ମସିହାରେ ନିତ୍ୟାନନ୍ଦ କିଛି ବର୍ଷ ପାଇଁ ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇ, କାରାବରଣ କଲେ । ସେତେବେଳେ କାନ୍ତକବି ଲକ୍ଷ୍ମୀକାନ୍ତ ସମ୍ପାଦକ ହୋଇଥିଲେ । ପୁଣି ଜେଲରୁ ମୁକ୍ତି ପାଇବା ପରେ, ନିତ୍ୟାନନ୍ଦ ପୂର୍ବପରି ସମ୍ପାଦକ ରୂପେ ଦାୟିତ୍ଵ ନେଲେ ।

 

ଲକ୍ଷ୍ମୀକାନ୍ତ ଦୁରାରୋଗ୍ୟ ରୋଗରେ ଯୌବନାବସ୍ଥାରୁ ଆକ୍ରାନ୍ତ ହୋଇ ପଡ଼ିଥିଲେ । ପିତା ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର ଜଣେ ବିଶିଷ୍ଟ ଓକିଲ ଓ ନେତା ଭାବରେ ପରିଚିତ ଥିଲେ । ଦୂରଦର୍ଶୀ ପିତା ପୁତ୍ରଙ୍କର ପଙ୍ଗୁତ୍ଵ ଓ ସାହିତ୍ୟ ପ୍ରତି ଅନୁରାଗ ଦେଖି ଏବଂ ଭବିଷ୍ୟତକୁ ବିଚାର କରି ଭଦ୍ରକରେ ୧୯୨୯ ମସିହାରେ ଗୋଟିଏ ପ୍ରେସ୍‌ ପ୍ରତିଷ୍ଠା କରିଦେଇଥିଲେ । କୁଳଦେବତା ଗୋପୀନାଥଙ୍କ ନାମରେ ଏହି ଛାପାଖାନାଟିକୁ ନାମିତ କରାଯାଇଥିଲା । ହତଭାଗ୍ୟ ଲକ୍ଷ୍ମୀକାନ୍ତଙ୍କ ଜୀବନରେ ଏପରି ବ୍ୟବସ୍ଥା ଅର୍ଥାଗମର ଅନୁକୂଳ ପରିସ୍ଥିତି ସୃଷ୍ଟି କରିନଥିଲା ସତ, ମାତ୍ର ଏହି ପ୍ରେସ୍‌ ମାଧ୍ୟମରେ ସେ ଓଡ଼ିଆ ସାହିତ୍ୟ ପାଇଁ ସୃଷ୍ଟିକରି ପାରିଥିଲେ ଏକ ଉନ୍ନତ ଓ ରୁଚିସମ୍ପନ୍ନ ସାହିତ୍ୟ ପତ୍ରିକା - ‘ଡଗର’ ।

 

୧୯୩୭ ମସିହା ଜୁନ୍‌-ଜୁଲାଇ ମାସରେ ଲକ୍ଷ୍ମୀକାନ୍ତଙ୍କ ନେତୃତ୍ୱରେ ଭଦ୍ରକରୁ ଏହା ପ୍ରଥମେ ପ୍ରକାଶ ପାଇଲା । ଏହି ପତ୍ରିକାକୁ ସାପ୍ତାହିକୀ ରୂପରେ ପ୍ରକାଶ କରିବା ଉଦ୍ଦେଶ୍ୟରେ ସେ ଆରମ୍ଭ କରିଥିଲେ । କିନ୍ତୁ ସମ୍ବଳର ଅଭାବ ପାଇଁ ସେହି ଚିନ୍ତା କାର୍ଯ୍ୟକାରୀ ହୋଇପାରିଲା ନାହିଁ, ତାହା ପାକ୍ଷିକ ପତ୍ରିକା ଭାବରେ ଆତ୍ମପ୍ରକାଶ କଲା । ଏହାର ସମ୍ପାଦକ ଭାବେ ତାଙ୍କର ସୁଯୋଗ୍ୟ ଜ୍ୟେଷ୍ଠପୁତ୍ର ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ର ଦାୟିତ୍ୱ ବହନ କଲେ । ସେତେବେଳକୁ ବୟସ ତାଙ୍କର ୨୫ ବର୍ଷ । ମ୍ୟାଟ୍ରିକ୍‌ ଶ୍ରେଣୀରୁ ପାଠପଢ଼ା ବନ୍ଦକରି, ସ୍ଵାଧୀନତା ସଂଗ୍ରାମରେ ଯୋଗଦେଇଥାଆନ୍ତି । ସାହିତ୍ୟ ପ୍ରତି ପ୍ରବଳ ଆଗ୍ରହ ଥାଏ । ବିଭିନ୍ନ ପତ୍ରପତ୍ରିକାରେ ଗଳ୍ପ ଓ କବିତାମାନ ଲେଖି ଧୀରେ ଧୀରେ ନିତ୍ୟାନନ୍ଦ ପରିଚିତ ହେଉଥାଆନ୍ତି । ‘ଡଗର’ ସମ୍ପାଦନାକୁ ସେ ଏକ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କଲେ । ଓଡ଼ିଆ ଭାଷାରେ ସ୍ଵଳ୍ପ ସଂଖ୍ୟକ ପତ୍ରିକା ମୁଣ୍ଡ ଟେକିଥିଲା-। ଓଡ଼ିଆ ଭାଷା ଓ ସାହିତ୍ୟକୁ ସମୃଦ୍ଧ ତଥା ଅଧିକ ପ୍ରଚାର କରିବା ଲକ୍ଷ୍ୟରେ ଏହି ପତ୍ରିକାକୁ ପିତା ଓ ପୁତ୍ର ଉତ୍ସର୍ଗ କରିଥିଲେ । ପିତାଙ୍କର ଆଦେଶକ୍ରମେ ସାହିତ୍ୟିକ ନିତ୍ୟାନନ୍ଦ ଆରମ୍ଭରୁ ୧୯୪୧ ମସିହା ପର୍ଯ୍ୟନ୍ତ ସମ୍ପାଦକ ଦାୟିତ୍ୱ ବହନ କରିଥିଲେ । ମାତ୍ର ସ୍ଵାଧିନତା ସଂଗ୍ରାମରେ ଅଂଶ ଗ୍ରହଣ କରି ସଂଗ୍ରାମୀ ନିତ୍ୟାନନ୍ଦ ୧୯୪୧ରେ କାରାବରଣ କରିବାରୁ କବି ଲକ୍ଷ୍ମୀକାନ୍ତ ନିଜ ପ୍ରତିଷ୍ଠିତ ଆଦରର ‘ଡଗର’କୁ ଆଉ ଅନ୍ୟ କାହା ହାତକୁ ନଦେଇ ନିଜେ, ୧୯୪୫ ମସିହା ପର୍ଯ୍ୟନ୍ତ ଏହାର ସମ୍ପାଦକ ହୋଇ ସମ୍ପାଦନା ଦାୟିତ୍ଵ ବହନ କରିଥିଲେ । ଏ ଦିଗରେ ତାଙ୍କୁ ସହାୟତା କରିଥିଲେ ତାଙ୍କର ଶାଳକ ସାହିତ୍ୟପ୍ରେମୀ ଭାଇ ରାଇମୋହନ ଦାସ । ଜେଲରୁ ଫେରିଆସି, ନିତ୍ୟାନନ୍ଦ ପୂର୍ବପରି ଏହାର ସମ୍ପାଦକ ହୋଇଥିଲେ ।

 

ଆରମ୍ଭବେଳେ ‘ଡଗର’କୁ ସାପ୍ତାହିକୀ ରୂପରେ ପ୍ରକାଶ କରିବାର ପରିକଳ୍ପନାକୁ ୧୯୪୮ ମସିହାରେ ସାହିତ୍ୟ ପ୍ରାଣ ପିତା ଓ ପୁତ୍ର ସାକାର କରିବା ପାଇଁ ଅଣ୍ଟା ଭିଡ଼ିଲେ । ଏହା ସାପ୍ତାହିକୀ ଭାବରେ ମାସକୁ ୪ଟି ସଂଖ୍ୟା ପ୍ରକାଶ ପାଇଲା । ମାତ୍ର ଗୋଟିଏ ବର୍ଷ ଏପରି ପ୍ରକାଶ ପାଇବାପରେ, କେତେକ ଅସୁବିଧା ପାଇଁ ଆଉ ଏହା ସାପ୍ତାହିକୀ ରୂପରେ ପ୍ରକାଶ ପାଇବା ସମ୍ଭବ ହେଲାନାହିଁ । ୧୯୫୦ ମସିହାରେ ଏହାର ପ୍ରକାଶନ କଟକକୁ ସ୍ଥାନାନ୍ତର ହେଲା । ଏ ସଂପର୍କରେ ସମ୍ପାଦକ ନିତ୍ୟାନନ୍ଦ କହନ୍ତି- ‘‘ଗୋପୀନାଥ ପ୍ରେସ୍‌, ଭଦ୍ରକରୁ ‘ଡଗର’ ପ୍ରକାଶ ପାଇଥିଲା ମୋ ବ୍ରତଭିକ୍ଷା ପଇସାରେ । ପରେ ସେ ପ୍ରେସ୍‌ ଉପରେ ପାରିବାରିକ ଦାବି ହେବାରୁ ମୁଁ ଏକୁଟିଆ କଟକ ପଳାଇ ଆସି ‘ଡଗର ପ୍ରେସ’ ସ୍ଥାପନ କଲି ଏବଂ ‘ଡଗର’ କଟକରୁ ପ୍ରକାଶ ପାଇଲା ।’’ କଟକରୁ କେତୋଟି ସଂଖ୍ୟା ପାକ୍ଷିକ ଭାବରେ ଆତ୍ମପ୍ରକାଶ କରିବାପରେ, ଏହା ବେଶୀ ଦିନ ଲାଗି ଆର୍ଥିକ ଅନଟନ ଭିତରେ ଏହି ରୂପରେ ଗତିକରି ପାରିଲା ନାହିଁ । ୧୯୫୨ ମସିହାରୁ ଏହା ମାସିକ ରୂପରେ ଆତ୍ମପ୍ରକାଶ କଲା । କଟକରୁ ଏହା ପ୍ରକାଶିତ ହେବାବେଳେ ହାସ୍ୟରସ ଲେଖକ ଫତୁରାନନ୍ଦ ‘ଡଗର’ ସହିତ ସଂଶ୍ଳିଷ୍ଟ ହେଲେ । ସେ ସମୟରେ ‘ଡଗର’ ଛାପା ସଂଖ୍ୟା ଥିଲା ଚାରି ହଜାର । ଏହାଛଡ଼ା ଆଉ ୫ ଶହ କପି ଅଧିକ ଛାପା ହେଉଥିଲା । କପି ବଳୁ ନଥାଏ । ଏହାକୁ ଲକ୍ଷ୍ୟକରି ସହଯୋଗୀ ସମ୍ପାଦକ ଫତୁରାନନ୍ଦ କହିଥାଆନ୍ତି ‘ଡଗର’ ବଜାରକୁ ଛଡ଼ାଯିବା ଦିନ ପ୍ରାୟ ୩୦-୪୦ ହକର ‘ଡଗର’ ଦ୍ଵାର ମୁହଁରେ ଆସି ରୁଣ୍ଡହୋଇ ଯାଉଥିଲେ । ତାହା ଏକ ପ୍ରକାର ମାଛ ହାଟରେ ପରିଣତ ହୋଇ ଯାଉଥିଲା । ‘ଡଗର’ର ମୂଲ୍ୟ ସେତେବେଳେ ଚାରିଅଣା ମାତ୍ର ଥିଲା । ସମସ୍ତେ ଟଙ୍କା ଦେଇ ନିଜ ନିଜର କପି ନେଇ ଚାଲିଯାଉଥିଲେ । ଅଳ୍ପ କେତେ ଜଣ କିଛି ବାକି ରଖିଦେଇ ଯାଉଥିଲେ ।’’ ସମ୍ପାଦକ ଭାବରେ ନିତ୍ୟାନନ୍ଦବାବୁ ‘ଡଗର’ ପାଇଁ ମିଳୁଥିବା ଲେଖାଗୁଡ଼ିକ ପଢ଼ନ୍ତି- ଧୈର୍ଯ୍ୟ ହରାନ୍ତି ନାହଁ । କୌଣସି ଲେଖା, ଯେତେ ପରିଚିତ କି ପ୍ରତିଷ୍ଠିତ ଲେଖକ କି ଲେଖିକାଙ୍କ ଦ୍ଵାରା ଲିଖିତ ହେଉନା କାହିଁକି, ସେ ତାହା ନପଢ଼ି ଛାପନ୍ତି ନାହିଁ । ସ୍ଥଳବିଶେଷରେ ଆବଶ୍ୟକ ହେଲେ, କେଉଁଠି କେମିତି ପରିବର୍ତ୍ତନ କରନ୍ତି ମନକୁ ନପାଇଲେ ଲେଖା ଫେରାଇ ଦିଅନ୍ତି ରୋକ୍‌ଠୋକ୍‌ ପ୍ରକାଶ ଉପଯୋଗୀ ହୋଇନାହିଁ କହିଦିଅନ୍ତି । ଏଥିପାଇଁ ସେ କାହାର ମୁହଁକୁ ଚାହୁଁ ନଥିଲେ । ଏପରିକି ନାମଯାଦା ଲେଖକଙ୍କ ଲେଖା ପସନ୍ଦ ନହେଲେ, ଛାପନ୍ତି ନାହିଁ । ନୂତନ ଲେଖକ ଲେଖିକାଙ୍କ ଲେଖାକୁ ସେ ସଂଶୋଧନ କରି ଛାପୁଥିଲେ । ତାଙ୍କ ସମ୍ପାଦନାକୁ ଓଡ଼ିଶାର ଲେଖକଗୋଷ୍ଠୀ ପସନ୍ଦ କରୁଥିଲା । ଡଗରରେ ଲେଖାଟିଏ ପ୍ରକାଶ ପାଇବାକୁ ଲେଖକ ଭାଗ୍ୟବାନ ମନେ କରୁଥଲେ । ନପଢ଼ି କୌଣସି ଲେଖା, ଲେଖକର ପରିଚୟକୁ ଦେଖି ଛାପନ୍ତି ନାହିଁ । ଗାଳ୍ପିକ ମନୋଜ ଦାସଙ୍କୁ ସମ୍ପାଦକ ଭାବେ ପ୍ରଥମ ନିତ୍ୟାନନ୍ଦବାବୁ ଚିହ୍ନି, ସାହିତ୍ୟ ଜଗତରେ ପରିଚିତ କରିଥିଲେ । ସେତେବେଳକୁ ସେ ବାଲେଶ୍ୱର ଜିଲ୍ଲା ସ୍କୁଲର ଛାତ୍ର ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥାଆନ୍ତି । ‘ଡଗର’ ପତ୍ରିକା ପ୍ରତି ଆକୃଷ୍ଟ ହୋଇ ସେ ‘କବି’ ନାମରେ ଗୋଟିଏ ସ୍ଵରଚିତ ଗଳ୍ପ ପଠାଇଲେ । ତାହା ସମ୍ପାଦକଙ୍କୁ ଭଲ ଲାଗିଲା । ଗଳ୍ପଟି ୧୯୫୦ ମସିହା ଡିସେମ୍ବର ୧୬ ତାରିଖର ୧୪ଶ ବର୍ଷ ୧୨୧ଶ ସଂଖ୍ୟାରେ ପ୍ରକାଶ ପାଇଲା । ଏହା ହେଉଛି ମନୋଜଙ୍କ ପ୍ରଥମ ପ୍ରକାଶିତ ଗଳ୍ପ । ୧୯୫୦ ମସିହା ଅକ୍ଟୋବର ୧ ତାରିଖ ୧୫ଶ ବର୍ଷ ୭ମ ସଂଖ୍ୟାରେ ‘ଚରାଭୂଇଁ’ ନାମରେ ତାଙ୍କର ଗଳ୍ପଟି ପ୍ରକାଶ ପାଇଲା । ୧୯୫୨ ମସିହା ନଭେମ୍ବର ମାସର ୧୬ଶ ବର୍ଷ ୫ମ ସଂଖ୍ୟାରେ ତାଙ୍କ ରଚିତ ‘ଆବିଷ୍କାର’ ଗଳ୍ପ ପ୍ରକାଶିତ ହେଲା । ମନୋଜଙ୍କୁ ସମ୍ପାଦକ ନିତ୍ୟାନନ୍ଦ, ପ୍ରଫେସର ଡ. ମନ୍ମଥନାଥ ଦାସଙ୍କ ଅନୁଜ ରୂପେ ଚିହ୍ନି ଗଳ୍ପ ଛାପୁଥିଲେ, ଏହା ନୁହେଁ- ‘ଡଗର’ରେ କେତୋଟି ଲେଖା ପ୍ରକାଶ ପାଇବା ପରେ ସେ ଲେଖକଙ୍କ ପରିଚୟ ପାଇଲେ । ବୟସ ଅଳ୍ପ- ତରୁଣ କଥାକାର । ମନୋଜ ବାବୁ ବହୁ ସାହସ ନେଇ, ‘‘ଯାଯାବର ପୁତ୍ରର କାହାଣୀ’’ ନାମରେ ଗୋଟିଏ ଗଳ୍ପ ‘ଡଗର’କୁ ପଠାଇଲେ । ଅନେକ ଗଳ୍ପ, କବିତା, ପ୍ରବନ୍ଧ ତଥା ଅନ୍ୟାନ୍ୟ ରଚନା ଭିତରେ ହୁଏତ ସେ ଗଳ୍ପଟି କୁଆଡ଼େ ଲୁଚିଯାଇପାରେ ବୋଲି ଲେଖକଙ୍କର ଧାରଣା ଥାଏ । ମାତ୍ର ସେ ଗଳ୍ପଟି ସମ୍ପାଦକ ପାଠକରି, ତାହାର ମୂଲ୍ୟାଙ୍କନ ପରେ, ‘ଡଗର’ରେ ପ୍ରକାଶ କଲେ । ଏହା ଉପରେ ନିଜେ କଥାକାର ମନୋଜ ବାବୁ କହିଛନ୍ତି - ଥରେ ‘ଡଗର’ରେ ‘ଯାଯାବର ପୁତ୍ରର କାହାଣୀ ଶୀର୍ଷକ, ମୋର ଗପଟିଏ ପ୍ରକାଶିତ ହୋଇନଥାଏ-। ପରେ ପରେ କଟକ ଯାଇଥାଏ । ନିତେଇ ଭାଇ ମୋତେ କହିଲେ- ‘ମନୋଜ ! ତମ ଗଳ୍ପଟି ପଢ଼ି ମନେହେଲା, ଏହା କେବେ ଜଣେ ଅଳ୍ପବୟସ୍କ ଛାତ୍ରର ଲେଖା ହୋଇପାରେନା । କୌଣସି ବିଦେଶୀ ଗଳ୍ପରୁ ଆଣିଛ ।’’ ପୁଣି କହିଲେ- ‘‘ତମ ବୟସରେ ସେ (ଯେଉଁ ସୁନାମଧନ୍ୟ ଗାଳ୍ପିକଙ୍କ ନାମ କହିଥିଲେ) କେବେ ଏମିତି ଗଳ୍ପ ଲେଖିପାରି ନଥାନ୍ତେ ।’’ ଏମିତି ସୁପରିଚିତ ଲେଖକ ବିଭୂତି ପଟ୍ଟନାୟକ ଦିନେ ସମ୍ପାଦକ ନିତ୍ୟାନନ୍ଦଙ୍କ ଦୃଷ୍ଟିରେ ଥିଲେ ଛନ୍ଦତ୍ରୁଟିର କବି । ସେଥିପାଇଁ ତାଙ୍କ ପ୍ରଥମ କବିତା ‘ଡଗର’ରେ ପ୍ରକାଶ ପାଇପାରିଲା ନାହିଁ । ଦ୍ୱିତୀୟ କବିତାଟି ସମ୍ପାଦକଙ୍କ ଦ୍ଵାରା ସଂଶୋଧିତ ହୋଇ ପ୍ରକାଶ ପାଇଲା । ଏହି ସଂଶୋଧନ ପାଇଁ ସମ୍ପାଦକ ଦଶମ ଶ୍ରେଣୀର ଛାତ୍ର ବିଭୂତିଙ୍କ ଠାରୁ ଅନୁମତି ଚାହବା, କି ମହନୀୟତା ସତେ ! ସମ୍ପାଦକ ଆସନରେ ବସି ସ୍ରଷ୍ଟାକୁ ସେହି ସମ୍ମାନରେ ସମ୍ମାନିତ କରିବା ସମ୍ପାଦକଙ୍କ ମଣିଷ ପଣିଆ । ଏହି ମର୍ମରେ ନିଜେ ଲେଖକ ଶ୍ରୀ ପଟ୍ଟନାୟକ କହିଛନ୍ତି ‘‘(ଦଶମ ଶ୍ରେଣୀରେ ପଢ଼ିଲାବେଳେ ଗୋଟିଏ କବିତା ପଠାଇଥିଲି କଟକରୁ ପ୍ରକାଶିତ ‘ଡଗର’ ପତ୍ରିକାକୁ ପ୍ରକାଶିତ ହେବ ବୋଲି ଯେତିକି ଆଶା ନଥିଲା, ତା’ଠାରୁ ଅଧିକ ଥିଲା ଉତ୍ତର ନପାଇବାର ପ୍ରତ୍ୟାଶା । କବିତା ଛାପା ହେବ ନାହଁ ବୋଲି ଦିନେ ମତେ ଚମକାଇ ଦେଇ ଗୋଟିଏ ପୋଷ୍ଟକାର୍ଡ଼ ଚିଠି ଆସି ମୋ ପାଖରେ ପହଞ୍ଚିଥିଲା । ଲେଖାଥିଲା- ‘ତମ କବିତାର ଛନ୍ଦତ୍ରୁଟି ଯୋଗୁଁ ଡଗର’ ରେ ଛାପିବା ସମ୍ଭବ ହେଉନାହିଁ । କବିତା ଲେଖିଲାବେଳେ ଛନ୍ଦ ପ୍ରତି ଦୃଷ୍ଟି ଦିଅ ।’’ ଇତି ନି.ମ. । ସମ୍ପାଦକ ନିତ୍ୟାନନ୍ଦ ମହାପାତ୍ରଙ୍କ ଠାରୁ ଏ ଚିଠି ପାଇବା ପରେ, ସେଦିନ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଛାତ୍ର ଜଣକ କେତେ ଖୁସି ହୋଇନଥିବେ । ପୁଣି ଦ୍ୱିତୀୟ କବିତା ସେ ‘ଡଗର’କୁ ପଠେଇଲେ । ଉପଧା ମିଳନ ପାଇଁ ଦୁଇ ପଦର ଶେଷ ଶବ୍ଦ ଦୁଇଟି ସମ୍ପାଦକ ବଦଳାଇ ଦେଇଥିଲେ । ‘‘ଯଦି ଏ ଶବ୍ଦ ବଦଳରେ ଆପଣଙ୍କର ଆପତ୍ତି ଥାଏ, ଲେଖିଲେ ଆମେ କବିତାଟି ବାଦ ଦେଇ ପତ୍ରିକା ପ୍ରକାଶ କରିବୁ ।’’ ତାଙ୍କୁ ଏହା ଲେଖାଯିବା ସହିତ ତାଙ୍କ କବିତାର କମ୍ପୋଜ୍‌ ପୃଷ୍ଠାଟି ଲେଖକଙ୍କ ପାଖକୁ ଆସିଥିଲା । ଏହା ଥିଲା ଜଣେ ନୂତନ ଲେଖକ ପାଇ ଉତ୍ସାହ ଓ ପ୍ରେରଣାଦାୟକ କାର୍ଯ୍ୟ । ପୁନଶ୍ଚ ଲେଖକ ଶ୍ରୀ ପଟ୍ଟନାୟକ ସ୍ଵୀକାର କରିଛନ୍ତି- ‘‘ମୋ’ ପରି ଜଣେ ଅପରିଚିତି, ଅନଭିଜ୍ଞ କିଶୋର କବିର କବିତା ସଂଶୋଧନ କରି ପତ୍ରିକା ପ୍ରକାଶିତ ହେବା ପୂର୍ବରୁ ଛାପା ଫର୍ମାରୁ ଅଫ୍‌ପ୍ରିଣ୍ଟ୍‌ କାଢ଼ି ନିତ୍ୟାନନ୍ଦ ମହାପାତ୍ରଙ୍କ ଭଳି ଜଣେ ସଂଭ୍ରାନ୍ତ ସମ୍ପାଦକ ପଠାଇଥିଲେ, ଏକଥା ଆଜି ଅନେକଙ୍କୁ ଗାଲୁ ଗପ ଭଳି ଲାଗୁଥିବ । କିନ୍ତୁ ଅବିଶ୍ଵାସ୍ୟ ହେଲେ ମଧ୍ୟ ଏହା ସତ୍ୟ । ତାଙ୍କର ବଳିଷ୍ଠ ସମ୍ପାଦନା ଯୋଗୁଁ ମୋ’ଭଳି ଅନେକ ଛାତ୍ର- ଲେଖକ ସାହିତ୍ୟିକ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ ।’’

 

ଯଥାର୍ଥରେ ନିତ୍ୟାନନ୍ଦ ସଂକଳକ ନୁହନ୍ତି- ଉପଯୁକ୍ତ ସମ୍ପାଦକ । ଭଲ ଲେଖା ପାଇଁ ପ୍ରଶଂସାକୁ ଅପେକ୍ଷା ରଖନ୍ତି ନାହିଁ କି ଅମନୋନୀତ ଲେଖା ଲାଗି ଅପ୍ରିୟ ହେବାର ଭୟ ରଖନ୍ତି ନାହିଁ । ସମ୍ପାଦନା କ୍ଷେତ୍ରରେ ଏହି ବୈଶିଷ୍ଟ୍ୟ ରକ୍ଷାକରି ସେ ୬୦ ବର୍ଷରୁ ଉର୍ଦ୍ଧ୍ୱକାଳ ସମ୍ପାଦକ ହୋଇ ରହିଥିଲେ ! ଏଥିରେ କିଶୋର ଲେଖକ ଲେଖକାମାନଙ୍କୁ ଉତ୍ସାହିତ କରିବା ପାଇଁ ‘ନାଗବଚ୍ଚା’ ବିଭାଗ ରହିଥାଏ, ଓଡ଼ିଶାର ବହୁ ପ୍ରତିଷ୍ଠିତ ଲେଖକ ଲେଖିକା ପ୍ରଥମବସ୍ଥାରେ ଏହି ବିଭାଗରେ ଲେଖାଲେଖିକରି, ପରବର୍ତ୍ତୀ କାଳରେ ପ୍ରତିଷ୍ଠାଲାଭ କରିଛନ୍ତି । ସେ ‘ଗୁଣ ଚିହ୍ନେ ଗୁଣିଆ’ ପରି ସୁସମ୍ପାଦକ ଭାବେ ପରିଚିତ ହୋଇଛନ୍ତି । ପ୍ରଥମରୁ ଏହା ହାସ୍ୟ ଓ ବ୍ୟଙ୍ଗ ପତ୍ରିକା ରୂପେ ପରିଚିତ ହୋଇଥିଲା । ପ୍ରତିଷ୍ଠାତା କାନ୍ତକବି ଲକ୍ଷ୍ମୀକାନ୍ତ ଏହି ଲକ୍ଷ୍ୟରେ ‘ଡଗର’ ପ୍ରକାଶ କରିଥିଲେ । ସମ୍ପାଦକ ନିତ୍ୟାନନ୍ଦ ହାସ୍ୟ ଓ ବ୍ୟଙ୍ଗ ସହିତ ଗୁରୁଗମ୍ଭୀର ଗଳ୍ପ, ଆଲୋଚନା ଓ କବିତା ଆଦି ଏଥିରେ ପ୍ରକାଶ କଲେ । ଫଳରେ ଏହାର ଆଦର ଆହୁରି ବଢ଼ିଗଲା । ସମ୍ପାଦକଙ୍କୁ ଏକ୍ଷେତ୍ରରେ ଡ. କୃଷ୍ଣ ଚରଣ ବେହେରା ଓ ଡ. ଭାବଗ୍ରାହୀ ମିଶ୍ର ସହଯୋଗ କରୁଥିଲେ । ଉଚ୍ଚକୋଟୀର ସମାଲୋଚନା ଓ ପ୍ରବନ୍ଧ ପ୍ରକାଶ ପାଇଁ ‘ଆଲୋକ ଆଲୋଚନା', କଥା ସାହିତ୍ୟ ପାଇଁ ‘ଗଳ୍ପଉପନ୍ୟାସ’, କାବ୍ୟ ସାହିତ୍ୟ ପାଇଁ ‘କାବ୍ୟକବିତା’, ହାସ୍ୟରସ ପାଇଁ ‘ରଙ୍ଗରସ’ ବିଭାଗ ରଖାଯାଇଥାଏ । ଏହା ସହିତ ଅନୁବାଦ ରଚନା ପାଇଁ ‘ସାର- ସନ୍ଦର୍ଭ’, ନୂତନ ଆବିଷ୍କାରର ତଥ୍ୟ ପ୍ରକାଶ ଲାଗି ‘ଜ୍ଞାନ ବିଜ୍ଞାନ’ ଓ ପୁସ୍ତକ ସମୀକ୍ଷା ପାଇ ‘ବହିପତ୍ର’ ବିଭାଗ ନିୟମିତ, ପ୍ରକାଶ ପାଉଥାଏ । ଏହା ବ୍ୟତୀତ ‘ଜୀବନ ଓ ଯାତ୍ରା’, ‘ସାହିତ୍ୟ ସଂସ୍କୃତି’, ‘ବିଲୁଆବିଚାର’ ପ୍ରଭୃତି ପ୍ରକାଶ ପାଏ ।

 

ସମ୍ପାଦକ ନିତ୍ୟାନନ୍ଦଙ୍କ ସମ୍ପାଦନାରେ ‘ଡଗର’ର କେତୋଟି ବିଶେଷାଙ୍କ ପ୍ରକାଶ ପାଇଛି । ଏସବୁ ଅତ୍ୟନ୍ତ ଉପାଦେୟ ଓ ଉଲ୍ଲେଖନୀୟ ସଂଖ୍ୟା । ୧୯୫୩ ମସିହା ଫେବୃୟାରୀ ୨୪ ତାରିଖରେ ଏହାର ପ୍ରତିଷ୍ଠାତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଦେହାନ୍ତ ହେଲା । ତାଙ୍କ ସ୍ମୃତିରେ ସୁପୁତ୍ର ସମ୍ପାଦକ ଲକ୍ଷ୍ମୀକାନ୍ତଙ୍କ ସାରସ୍ଵତ କୃତିର ଆଲୋଚନା, ସ୍ମୃତିଚାରଣ, ସ୍ୱରଚନା ଆଦି ସ୍ଥାନ ପାଇଛି । ୧୬ଶ ବର୍ଷ ୯ମ ଓ ୧୦ମ ସଂଖ୍ୟା ମାର୍ଚ୍ଚ ଏପ୍ରେଲ୍‌ ୧୯୫୩ରେ କାନ୍ତକବି ବିଶେଷ ସଂଖ୍ୟା ‘ଡଗର’ ପ୍ରକାଶ ପାଇଥିଲା । କାନ୍ତକବିଙ୍କ ସ୍ଵକଳ୍ପନାରେ ଅଙ୍କିତ ‘କପିବର ହନୁମନ୍ତ ନକଲ ନବିସ’ ବ୍ୟଙ୍ଗଚିତ୍ର ଏହି ବିଶେଷ ସଂଖ୍ୟାର ଆକର୍ଷଣୀୟ ହାସ୍ୟ ଚିତ୍ର । କାନ୍ତକବି ଲକ୍ଷ୍ମୀକାନ୍ତ ନିଜ ଫଟୋ ରଖି ହନୁକରଣର ଚିତ୍ର ଆଙ୍କିଛନ୍ତି । କାନ୍ତକବି ପ୍ରତିଦିନ ଡାଏରି ଲେଖୁଥିଲେ । ସେହି ଡାଏରିର ଏକ ନମୁନା ଏଥିରେ ସ୍ଥାନିତ ହୋଇଛି । ସ୍ମୃତିଚିତ୍ରଗୁଡ଼ିକରେ ହାସ୍ୟରସିକ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଜୀବନର ବହୁ ମୂଲ୍ୟବାନ ଅନାଲୋଚିତ ଘଟଣା ସାଇତା ହୋଇରହିଛି । ଏସବୁର ଚିତ୍ରକାର ହେଉଛନ୍ତି ହାସ୍ୟରସ ଲେଖକ ଫତୁରାନନ୍ଦ, ଡ. କୁଞ୍ଜ ବିହାରୀ ଦାଶ, ଖ୍ୟାତାନାମା କଥାକାର ମନୋଜ ଦାସ, ଉତ୍କଳ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ଚିନ୍ତାମଣି ଆଚାର୍ଯ୍ୟ, ସମାଜସେବୀ ଲକ୍ଷ୍ମୀନାରାୟଣ ସାହୁ, ପୂର୍ବତନ ବିଧାୟିକା ସରଳା ଦେବୀ, ନାଟ୍ୟକାର କୃଷ୍ଣପ୍ରସାଦ ବସୁ ପ୍ରମୁଖ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିଗଣ । ଶ୍ରଦ୍ଧାଞ୍ଜଳି କବିତା ଲେଖିଥିଲେ, କବି କାଳୀନ୍ଦୀ ଚରଣ ପାଣିଗ୍ରାହୀ, ଅଧ୍ୟାପକ ଚିନ୍ତାମଣି ବେହେରା, କବୟିତ୍ରୀ ତୁଳସୀ ଦାସ, ବିନୋଦ ରାଉତରାୟ, ଉମାଶଙ୍କର ପଣ୍ଡା ପ୍ରମୁଖ । ଏହା ସହିତ କାନ୍ତ ସାହିତ୍ୟ ସଂପର୍କରେ କେତୋଟି ଆଲୋଚନା ପ୍ରକାଶ ପାଇଥିଲା । କବିଙ୍କ ‘ଜୀବନ ସଂଗୀତ’ ଉପରେ ପ୍ରଫେସର ଡ. ଗଙ୍ଗାଧର ବଳ (ଏହା ହେଉଛି ‘ଜୀବନ ସଂଗୀତ’ ଉପରେ ପ୍ରଥମ ପ୍ରାମାଣିକ ଆଲୋଚନା) କାନ୍ତକବିଙ୍କ ହାସ୍ୟରସର ଆଲୋଚନା ଲେଖିଥିଲେ ଅଧ୍ୟାପକ ସିଦ୍ଧେଶ୍ୱର ହୋତା ପ୍ରମୁଖ । କାନ୍ତ ସାହିତ୍ୟ ପର୍ଯ୍ୟାୟରେ କବିଙ୍କର କେତୋଟି ଉପାଦେୟ ସୃଷ୍ଟି ସ୍ଥାନ ପାଇଛି । ଏଥିରେ ପ୍ରକାଶ ପାଇଥିବା କାନ୍ତକବିଙ୍କ ରଚିତ ‘କବି - ଧର୍ମ’ ଗଦ୍ୟରଚନା ହେଉଛି ଜଣେ ନିଚ୍ଛକ କବି ଜୀବନର ବାସ୍ତବ କାହାଣୀ । ‘ଦଗ୍‌ଧ କାଞ୍ଚନର କାନ୍ତି’ରେ କାନ୍ତକବି ଲକ୍ଷ୍ମୀକାନ୍ତ ନିଜର ସଂକ୍ଷିପ୍ତ ଜୀବନୀ ସହିତ, ଜୀବନ-ଦର୍ଶନ ଉପସ୍ଥାପନ କରିଛନ୍ତି । ୧୯୫୨ ମସିହା ଅଗଷ୍ଟ ମାସରେ, ହାସ୍ୟରସ ସ୍ରଷ୍ଟା ଫତୁରାନନ୍ଦ, କାନ୍ତକବିଙ୍କୁ କେତୋଟି ପ୍ରଶ୍ନ ପଚାରିଥିଲେ । ସେହି ପ୍ରଶ୍ନାବଳୀର ଉତ୍ତର କବି ଅକୁଣ୍ଠିତ ଭାବରେ ଦେଇଥିଲେ, ସେସବୁ ଏଥିରେ ସ୍ଥାନ ପାଇଛି । କବିଙ୍କୁ ଆଲୋଚନା ପାଇଁ ଏହି ଲେଖାଟି ସହାୟତା କରିବ ମନେକରି, ସମ୍ପାଦକ ନିତ୍ୟାନନ୍ଦ, କବିଙ୍କ ମୃତ୍ୟୁ ପରେ, ଏହା ପ୍ରକାଶ କରିଛନ୍ତି । ଏଥିରୁ ଲକ୍ଷ୍ମୀକାନ୍ତଙ୍କ ଜୀବନ-ଦର୍ଶନ ସଂପର୍କରେ ଏକ ସ୍ଥୂଳ ଧାରଣା ହୋଇଯାଏ । ସମ୍ପାଦକ ଏହାକୁ ପ୍ରକାଶ କରି, ଓଡ଼ିଆ ସାହିତ୍ୟରେ ମଙ୍ଗଳକର କାର୍ଯ୍ୟ କରିଛନ୍ତି । ‘ନିବେଦନ’ ସ୍ତମ୍ଭରେ ସୁଯୋଗ୍ୟ ପୁତ୍ର ଓ ସମ୍ପାଦକ ରୂପେ ନିତ୍ୟାନନ୍ଦ, ସମ୍ପାଦକୀୟ ଲେଖିଛନ୍ତି । ଗୋଟିଏ ସ୍ଥାନରେ ସେ ଦଶାଇଛନ୍ତି- ‘‘ଡଗର ଯେଉଁଠି ତାଙ୍କର (ପ୍ରତିଷ୍ଠାତା) ଆଦର୍ଶର ସ୍ମୃତି ନହୋଇ ତାଙ୍କ ଦୃଷ୍ଟିରେ ହୀନାଶ୍ରୟୀ ହେବ, ସେ ସୁଯୋଗ ଆସିବା ପୂର୍ବରୁ ସେ ଧୂଳିସାତ ହୋଇଯାଉ- ଆଜି ମୋର ଏହାହିଁ ଏକାନ୍ତ ପ୍ରାର୍ଥନା । ନିଜର ଦୁର୍ବଳତା ପାଇଁ ଅମର ଆତ୍ମାର ସୁନାମ କାଳିମାକ୍ତ ନହେଉ ।’’ ଜଣେ ଉପଯୁକ୍ତ ସମ୍ପାଦକଙ୍କ ତୁଣ୍ଡରେ ସିନା ଏପରି ଦମ୍ଭୋକ୍ତି ପ୍ରକାଶ ପାଇପାରେ । ‘‘ଡଗର’’ ଆରମ୍ଭରୁ ନିର୍ଭୀକ ଓ ସାହସୀ ହୋଇ ଆସିଛି । କାହା ନିକଟରେ ମୁଣ୍ଡ ନୁଆଁଇ ନାହିଁ, କି କାହା ପାଖରେ ହାତ ପତାଇନାହିଁ- ଏହି ଆଦର୍ଶ ନିକଟରେ ଏହାର ପ୍ରତିଷ୍ଠାତା ସାଲିସ୍‌ କରିବାକୁ ପସନ୍ଦ କରୁନଥିଲେ । ଏହାକୁ ଆହୁରି ସ୍ପଷ୍ଟକରି ସମ୍ପାଦକ ନିତ୍ୟାନନ୍ଦ ତାଙ୍କ ସମ୍ପାଦକୀୟରେ ସୂଚାଇଛନ୍ତି - ‘‘ସତ୍ୟ ସେ କୁହାଇ ପାରିଛନ୍ତି ଯେତେ- ତାହା ହିଁ ଥିଲା ତାଙ୍କର ଦୁଃଖ- କହିଛନ୍ତି ତାଠୁ ବହୁତ ବେଶୀ- ସବୁବେଳେ, ସବୁ କ୍ଷେତ୍ରରେ, ଏଥିପାଇଁ ସେ ସହିଛନ୍ତି, ଯେତିକି, ‘‘ଡଗର’’ ତା’ଠାରୁ ବେଶୀ ଏବଂ ତାଙ୍କର ପରିବାର ବର୍ଗ ତା’ର ପ୍ରତିଫଳ ଭୋଗ କରିବାକୁ ବାଧ୍ୟ ହୋଇଛନ୍ତି ଖୁବ୍‌ କମ୍‌ ନୁହେଁ । ସମାଜର ଆଜି ଯେଉଁ ଗତି- ‘‘ଡଗର’’ ତାର ସ୍ରୋତକୁ ମୋଡ଼ିବାର ଶକ୍ତି ଧରୁ ନ ଧରୁ, କିନ୍ତୁ ସ୍ରୋତରେ ଭାସିଯିବାର ଦୁର୍ବଳତାକୁ ସେ ଯଥାସାଧ୍ୟ ଜୟ କରବାର ଚେଷ୍ଟାରେ ଅଛି । ଧନ ଆଉ ବିଦ୍ୟାର ଆଭିଜାତ୍ୟକୁ ଆଶ୍ରୟ କରି ସ୍ମୃତି ବିଭ୍ରମ ହେବାର ବାଟ ମଧ୍ୟ ଚିରଦିନ ପାଇଁ ଅବରୁଦ୍ଧ କରିଯାଇଛନ୍ତି ସେ (ପ୍ରତିଷ୍ଠାତା) । ସେଥିପାଇଁ ଡଗର’ ହୁଏତ ସତ୍ୟାଶ୍ରୟୀ ହେବାର ସମ୍ଭାବନା, ଅଧିକ ।’’ ଏହି ଆତ୍ମବିଶ୍ଵାସ ବଳରେ ସମ୍ପାଦକ ନିତ୍ୟାନନ୍ଦ ‘ଡଗର’କୁ ପ୍ରତିଷ୍ଠିତ କରିପାରିଥିଲେ- ସାଧାରଣ ଜନତା ଠାରୁ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତେ ଏହାର ପ୍ରଶଂସକ । ଏହି ବିଶେଷ ସଂଖ୍ୟାରେ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି, ଗବେଷକ ପରମାନନ୍ଦ ଆଚାର୍ଯ୍ୟ, କବି ନାରାୟଣ ମୋହନ ଦେ, କବିଚନ୍ଦ୍ର କାଳିଚରଣ ପଟ୍ଟନାୟକ, ଡ. ମାୟାଧର ମାନସିଂହ, ଔପନ୍ୟାସିକ ଗୋପୀନାଥ ମହାନ୍ତି, ସୁସାହିତ୍ୟିକ ସୁରେନ୍ଦ୍ର ମହାନ୍ତି, ପ୍ରଫେସର ଡ. ପ୍ରାଣକୃଷ୍ଣ ପରିଜା, କବି ରାଧାମୋହନ ଗଡ଼ନାୟକ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ଦାସ, କବି ମନମୋହନ ମିଶ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ, ଡ. ହରେକୃଷ୍ଣ ମହତାବ, ପୂର୍ବତନ ସାଂସଦ ସୁରେନ୍ଦ୍ରନାଥ ଦ୍ୱିବେଦୀ ପ୍ରମୁଖ ବିଶିଷ୍ଟ ବ୍ୟକ୍ତିଙ୍କ ଉଲ୍ଲେଖନୀୟ ଧାଡ଼ି ସହିତ ଶୋକବାର୍ତ୍ତା ପ୍ରକାଶ ପାଇଛି । ଏହା ଏପରି ସୁସମ୍ପାଦିତ ହୋଇଛି ଯେ, ଯଥାର୍ଥ ବିଶେଷ ସଂଖ୍ୟାର ମର୍ଯ୍ୟାଦା ରକ୍ଷା କରିଛି । ଏହି ବିଶେଷ ସଂଖ୍ୟା ‘ଡଗର’ ଅତ୍ୟନ୍ତ ଉଚ୍ଚକୋଟୀର ସ୍ମୃତି ସଂଖ୍ୟାରେ ପରିଣତ ହୋଇଛି । କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ଚିହ୍ନିବା ଓ ତାଙ୍କ ଉପରେ ଆଲୋଚନା ପାଇଁ ଏହା ହେଉଛି ଏକ ଉଲ୍ଲେଖନୀୟ ସଂକଳନ ।

 

୧୯୫୬ ମସିହା ଜୁଲାଇ ଓ ଅଗଷ୍ଟସଂଖ୍ୟା ଦୁଇଟିକୁ ମିଶାଇ ସାହିତ୍ୟ ବିଶେଷାଙ୍କ ‘ଡଗର’ ପ୍ରକାଶ ପାଇଥିଲା । ମୁଖ୍ୟତଃ ୧୯୪୭ ମସିହାଠାରୁ ୧୯୫୬ ମସିହାଯାଏ ଓଡ଼ିଆ ସାହିତ୍ୟର ଗତି ଓ ପ୍ରକୃତିର ଚିତ୍ର ଦିଆଯିବା ପାଇଁ ଏହି ବିଶେଷାଙ୍କ ପ୍ରକାଶ ପାଇଥିଲା । ସମ୍ପାଦକ ନିତ୍ୟାନନ୍ଦ ଲେଖକମାନଙ୍କୁ ଅନୁରୋଧ କରି ନିର୍ଦ୍ଦିଷ୍ଟ ବିଷୟରେ ଲେଖିବାପାଇଁ କହିଥିଲେ । ଏଥରେ ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି ‘ଆମର ସାଂସ୍କୃତିକ ବିକାଶ’, ସୁରେନ୍ଦ୍ର ମହାନ୍ତି ‘ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳରେ ଓଡ଼ିଆ ବିଜ୍ଞାନ ସାହିତ୍ୟ’ ପ୍ରଫେସର ଡ. ଗୋକୁଳାନନ୍ଦ ମହାପାତ୍ର ‘ଓଡ଼ିଆ କଥା ସାହିତ୍ୟ’ ପ୍ରଭୃତି ଲେଖାମାନ ଲେଖିଥିଲେ । ସମ୍ପାଦକ ନିତ୍ୟାନନ୍ଦ ମୂଲ୍ୟବାନ ଲେଖାମାନ ଏଥିରେ ସଂଯୋଜିତ କରିବା ସହିତ ଉଚ୍ଚମାନର ସମ୍ପାଦକୀୟ ଲେଖି, ସଂଖ୍ୟାର ମାନ ଅଧିକ ବୃଦ୍ଧି କରିଥିଲେ । ସେଥିରୁ କେତୋଟି ଧାଡ଼ି ଦିଆଯାଉଛି । ‘‘କେବଳ ମାତ୍ର ନବ ନବ ପ୍ରୟୋଗ ପରୀକ୍ଷା ବା Experiment ହିଁ ଏକ ଯୁଦ୍ଧୋତ୍ତର ଯୁଗରେ ବା ସ୍ୱାଧୀନତା ପର କାଳରେ ଓଡ଼ିଆ ସାହିତ୍ୟରେ ବିଶେଷ ଭାବରେ ଦେଖିବାକୁ ମିଳେ । ଏହା ହିଁ ଆଧୁନିକ ସାହିତ୍ୟର ବିଶେଷତ୍ଵ । ପ୍ରାଚୀନ ଓଡ଼ିଆ ସାହିତ୍ୟ ଭାଷା ଆଙ୍ଗିକରେ ବହୁଧା ନବ ପ୍ରୟୋଗ ପରୀକ୍ଷା ଯେ କରିଛି, ଏଥିରେ ସନ୍ଦେହ ନାହିଁ । ମାତ୍ର ଅନ୍ତର୍ନିହିତ ଭାବରେ ବିଶେଷ ପରୀକ୍ଷା ବା ପ୍ରୟୋଗ ବୈଷ୍ଣବ ସାହିତ୍ୟରେ ମଧ୍ୟ ପ୍ରାଞ୍ଜଳ । ତଥାପି ଆଙ୍ଗିକ ଓ ଆତ୍ମିକରେ ତଥା ଶୈଳୀ ଓ ସମ୍ବୋଧିରେ ନାନା ପ୍ରୟୋଗ, କୁଶଳତାର ସହିତ ବର୍ତ୍ତମାନ କରାଯାଉଛି । ମାତ୍ର ଏହାକୁ ପରମ୍ପରାର ବିଚ୍ୟୁତି ବୋଲିବାକୁ ଗଲେ, ସତ୍ୟର ଅପଳାପ ରହିଯିବ । ଉଦାହରଣ ସ୍ଵରୂପ- କବିତାରେ ଅମିତ୍ରାକ୍ଷର, ଗଦ୍ୟଛନ୍ଦ ଓ ମୁକ୍ତଛନ୍ଦ (Blank Verse verse Libers, verse Libers)କୁ ଅଭିନବ ପ୍ରୟୋଗ ଆଖ୍ୟା ଦିଆଯାଇନପାରେ । ସଂସ୍କୃତ ଶ୍ଳୋକ ତଥା ମୂକ୍ତାଦି ଏହି ପର୍ଯ୍ୟାଭୁକ୍ତ । ଏପରିକି ଗ୍ରାମୀଣ ବିଛା-ସାପ ଝାଡ଼ିବା ମନ୍ତ୍ରାଦି- ଠାରୁ କାନ୍ଦଣା- ବିଳାପ ତଥା ମୂଲିଆର ଉଦବୋଧନ, ସବାରି ବେହେରାଙ୍କ ଡାକ ଭିତରେ ଏହି ସମୂହର ପ୍ରାଚୁର୍ଯ୍ୟ ମିଳିଥାଏ । ସୁତରାଂ ଆଧୁନିକତମ ଗଦ୍ୟ ଶୈଳୀକୁ ଅତୀତର ପୁନରୁତ୍ଥାନ ବା ନବ ସଂସ୍କରଣ ହିଁ କହିବା ଯୁକ୍ତିସଙ୍ଗତ ।’’ ସମ୍ପାଦକ ନିତ୍ୟାନନ୍ଦ ଗଭୀର ଦୃଷ୍ଟିରେ ଆଧୁନିକତାକୁ ବିଶ୍ଳେଷଣକରି କହିଛନ୍ତି- ‘‘ଗଦ୍ୟରେ ମଧ୍ୟ ଗଳ୍ପ ଉପନ୍ୟାସ ନକ୍ସାଦି ନାନା ଆଙ୍ଗିକ ତଥା ଶୈଳୀର ପ୍ରୟୋଗ ଦେଖାଯାଉଛି । କିନ୍ତୁ ଆତ୍ମିକରେ ମାନବସାର ଉଦ୍‌ବୋଧନୀ ଯେତେ ମିଳୁନାହିଁ , ଯାନ୍ତ୍ରିକ ବିଶାଳତାରେ ହତଶ୍ଵାସ, ମାନବର ବିହ୍ୱଳ ଓ କିଂକର୍ତ୍ତବ୍ୟହୀନ ଭାବ ଅଧିକ ପ୍ରକାଶ ପାଉଛି । ଫଳରେ ନାନା ବୌଦ୍ଧିକ ଯୁକ୍ତି ଓ କଥନିକା ତଥା ଭାଷାବୈଚିତ୍ର୍ୟ ତଳେ ସଭ୍ୟମାନବର ପଳାୟନ ମନୋଭାବ ଆଶ୍ରୟ ନେବାରେ ବିଶେଷ ଚେଷ୍ଟିତ-।’’ ସାଂପ୍ରତିକ ପରିସ୍ଥିତି ତଥା ପାଠକର ମାନସିକତା ଉପରେ ସେ ତୀକ୍ଷ୍ଣଦୃଷ୍ଟି ନିକ୍ଷେପ କରିଥିଲେ । ଦିନେ ଗାଁ ଗହଳରେ ଭାଗବତ ଟୁଙ୍ଗୀ ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପାଇଁ ଅଭିପ୍ରେତ ଥିଲା । ଏବେ ଆଜି ଆଉ ତାହା ନାହିଁ । ଏହାକୁ ଲକ୍ଷ୍ୟକରି ସମ୍ପାଦକ ନିତ୍ୟାନନ୍ଦ ଲେଖିଛନ୍ତି ‘‘ଓଡ଼ିଆ ସାହିତ୍ୟର ବାହକ ଏବେ, ଆଉ ଭାଗବତ ଟୁଙ୍ଗୀ ନାହିଁ, କିମ୍ବା ତାଳପତ୍ର ଖେଦାରେ ଅବରୁଦ୍ଧ ନୁହେଁ-। ସାହିତ୍ୟର ବାହକ ବର୍ତ୍ତମାନ ପୁସ୍ତକ, ପତ୍ରିକା, ସମ୍ବାଦପତ୍ର, ଚଳଚ୍ଚିତ୍ର, ରେଡ଼ିଓ, ନାଟକ ଓ ଗ୍ରାମଫୋନ । ଏଥିମଧ୍ୟରୁ ସମ୍ବାଦପତ୍ର ହିଁ ଜୀବନ ଓ ସାହିତ୍ୟ ମଧ୍ୟରେ ସର୍ବାଧିକ ସଂଯୋଗ ସୂତ୍ର । ସହରମାନଙ୍କରେ ସିନେମା ହିଁ ସର୍ବୋତକୃଷ୍ଟ ସାହିତ୍ୟ ପରିବେଷକ । ଫଳରେ ବର୍ତ୍ତମାନ ଉତ୍କଳର ମୁଖ୍ୟ ସହରମାନଙ୍କରେ ସାହିତ୍ୟର ମାଧ୍ୟମ ଆଉ ଓଡ଼ିଆ ହୋଇରହିନାହିଁ । ଏହା ଏକ ଭୀଷଣ ପରିସ୍ଥିତି ।’’

 

ସେଦିନ ୧୯୫୬ ମସିହାରେ ଦୂରଦ୍ରଷ୍ଟା ଅଭିଜ୍ଞ ସମ୍ପାଦକ ନିତ୍ୟାନନ୍ଦ ଯାହା ଅନୁଭବ କରିଥିଲେ, ଆଜି ୨୦୧୨ ମସିହାରେ ବି ତା’ଠାରୁ ଅଧିକ ଉଗ୍ର ଓଡ଼ିଆ ଭାଷାବିରୋଧୀ ମନୋଭାବ ସୃଷ୍ଟି ହୋଇଛି । ବରଂ ସହର କେବଳ ନୁହେଁ, ଠାଏ ଠାଏ ଗ୍ରାମାଞ୍ଚଳରେ ମଧ୍ୟ ଓଡ଼ିଆ ମାଧ୍ୟମରେ ଶିକ୍ଷାଦାନ ଓ ଓଡ଼ିଆ ସାହିତ୍ୟ ବିରୋଧୀ ମନୋଭାବ ଅଧିକ ଦେଖାଯାଉଛି । ଜଣେ ସଚ୍ଚା ଓଡ଼ିଆ ଭାଷାପ୍ରେମୀ ରୂପେ ସ୍ପଷ୍ଟ ଭାବରେ ତାଙ୍କ ଅନୁଭବ ଓ ଅଭିଜ୍ଞତାକୁ ପ୍ରକାଶ କରିବାରେ କୁଣ୍ଠାପ୍ରକାଶ କରିନଥିଲେ । ଏସବୁ ମନ୍ତବ୍ୟ ଆଜି ଐତିହାସିକ ଦଲିଲ ରୂପେ ବ୍ୟବହୃତ ହେଉଛି । ନିଷ୍ଠାବାନ ସମ୍ପାଦକ ରୂପେ ସେ ସାହିତ୍ୟ ପ୍ରାଣ ଓ ଭାଷାପ୍ରାଣ ବ୍ୟକ୍ତିମାନଙ୍କ ଉଦ୍ଦେଶ୍ୟରେ ଚେତନାବନୀ ଶୁଣାଇ ଆହୁରି କହିଛନ୍ତି- ‘‘କୌଣସି ଛାଟ ଦ୍ଵାରା ଯଦି କମଠ ଗତିରୁ ଉଚ୍ଚାଟ ସୃଷ୍ଟି କରାନଯାଏ, ତେବେ ବିଶ୍ଵସାହିତ୍ୟ ସଭାରେ ସେ ଅପାଙ୍‌କ୍ତେୟ ହେଇ ରହିଯିବା ବିଚିତ୍ର ନୁହେଁ । ଯେଉଁ ଭାଷାଭାଷୀ ବିଦ୍ୟାର୍ଥୀ ପୃଥିବୀରେ ଅଦ୍ୟାବଧି ଆହରିତ ଜ୍ଞାନ ଅର୍ଜନ ନିମନ୍ତେ ମାତୃଭାଷା ବ୍ୟତିରେକେ ଅନ୍ୟ ଭାଷା ଶିକ୍ଷାର ଆବଶ୍ୟକତା ନଦେଖେ, ସେହି ଭାଷା ହିଁ ବଳିଷ୍ଠ ଓ ପୂର୍ଣ୍ଣାଙ୍ଗ ।’’ (ସାହିତ୍ୟ ବିଶେଷାଙ୍କ ‘ଡଗର’ ୧୯୫୬ର ସମ୍ପାଦକୀୟ) ଏହି କେତୋଟି ଉଲ୍ଲେଖନୀୟ ତଥା ଉପାଦେୟ ଧାଡ଼ିରୁ ସୁଯୋଗ୍ୟ ସମ୍ପାଦକଙ୍କ ବିଦ୍‌ବତ୍ତା ଉପରେ ସୁସ୍ଥ ଧାରଣା ହୋଇଥାଏ ।

 

୧୯୬୧ ମସିହାରେ ‘ଡଗର’ର ରାଧାନାଥ ବିଶେଷାଙ୍କ ସଂପାଦକ ନିତ୍ୟାନନ୍ଦଙ୍କ ସମ୍ପାଦନାରେ ପ୍ରକାଶ । ପାଇଥିଲା । ଡ. ଭାବଗ୍ରାହୀ ମିଶ୍ର (ଆଚାର୍ଯ୍ୟ ଭାବାନନ୍ଦ) ଶାନ୍ତିନିକେତନର ବିଶ୍ଵଭାରତୀ ବିଶ୍ଵବିଦ୍ୟାଳୟରୁ ଓଡ଼ିଆରେ ଏମ୍‌.ଏ.ପାଶ୍‌ କରିବା ପରେ ସମ୍ପାଦକ ନିତ୍ୟାନନ୍ଦଙ୍କ ସ୍ନେହ ଓ ଆଦର ପାଇଁ ‘ଡଗର’ର ସମ୍ପାଦନା ଓ ପରିଚାଳନା ସହିତ ସାମୟିକ ସଂପୃକ୍ତ ହୋଇଥିଲେ-। ମାତ୍ର ପାଞ୍ଚମାସ ଏହା ସହିତ ଜଡ଼ିତ ରହିବା ଭିତରେ, ତାଙ୍କ ସମୟରେ ଏହି ରାଧାନାଥ ବିଶେଷାଙ୍କ ପ୍ରକାଶ ପାଇଥିଲା, ଏଥିରେ ଡ. ମିଶ୍ର ସହଯୋଗ କରିଥିଲେ । ୧୯୬୦-୬୧ ମସିହା ଡିସେମ୍ବର -ଜାନୁୟାରୀ (୨୪ ବର୍ଷ ୬-୭ସଂଖ୍ୟା) ମାସରେ ରାଧାନାଥ ବିଶେଷାଙ୍କ, ଓଡ଼ିଆ ସାହିତ୍ୟରେ ସ୍ମରଣୀୟ ସଂଖ୍ୟା ଭାବେ ପ୍ରକାଶିତ ହୋଇଥିଲା । ସେଥିରେ ଡ. ନଟବର ସାମନ୍ତରାୟଙ୍କ ରଚିତ ରାଧାନାଥଙ୍କ ରଚନାବଳୀ ଓ ସେମାନଙ୍କ ପ୍ରକାଶ ସମୟ ନିର୍ଣ୍ଣୟ, ପ୍ରଫେସର ଡ. କୁଞ୍ଜବିହାରୀ ତ୍ରିପାଠୀଙ୍କ ଲିଖିତ ‘‘ବୟାକରଣିକ ରାଧାନାଥ’’, ଡ. ଗଙ୍ଗାଧର ବଳଙ୍କ ‘ରାଧାନାଥଙ୍କ ପ୍ରକୃତି’, ଅଧ୍ୟାପକ ବେଣୁଧର ରାଉତଙ୍କ ଲିଖିତ’’ ପାଶ୍ଚାତ୍ୟ ସାହିତ୍ୟରୁ ରାଧାନାଥଙ୍କ ଆହରଣ’’ ପ୍ରଭୃତି ପ୍ରବନ୍ଧ ପ୍ରକାଶ ପାଇଥିଲା । ଏହା ସହିତ ଗବେଷକ ପରମାନନ୍ଦ ଆଚାର୍ଯ୍ୟ ‘‘ବ୍ରିଟିଶ ରାଜତ୍ୱ କାଳରେ ନିଷିଦ୍ଧ ହୋଇଥିବା ରଚନାବଳୀ, ଅଧ୍ୟାପକ ବୁଦ୍ଧେଶ୍ଵର ଦୀକ୍ଷିତ ‘‘ରାଧାନାଥଙ୍କ ଗଦ୍ୟ ସାହିତ୍ୟ’’, ଅଧ୍ୟାପକ ପଠାଣି ପଟ୍ଟନାୟକ ‘‘କବିବର ରାଧାନାଥଙ୍କ ଜୀବନଦର୍ଶନ’’, ଅଧ୍ୟାପକ ସିଦ୍ଧେଶ୍ଵର ହୋତା’’ ରାଧାନାଥ ସାହିତ୍ୟରେ ମାନବବାଦ’’, ଅଧ୍ୟାପକ କୃଷ୍ଣରଣ ବେହେରା ‘‘ମହାଯାତ୍ରା ଉପରେ ମନ୍ମୟ ପ୍ରବନ୍ଧ’’, ଅଧ୍ୟାପକ ଦୀନବନ୍ଧୁ ରଥ ‘‘ଦେଶପ୍ରେମୀ ରାଧାନାଥ’’ ଆଲୋଚନା ଲେଖିଥିଲେ । କବିବର ରାଧାନାଥ ରାୟ ଓଡ଼ିଆ ସାହିତ୍ୟରେ ଅମିତ୍ରାକ୍ଷର ଛନ୍ଦ ପ୍ରବର୍ତ୍ତନ କଲେ । ବଙ୍ଗ ସାହିତ୍ୟରେ କବି ମାଇକେଲ ମଧୁସୂଦନ ଦତ୍ତ, ଭାରତୀୟ ସାହିତ୍ୟରେ ହେଉଛନ୍ତି ଏହି ଛନ୍ଦର ପ୍ରଥମ ସ୍ରଷ୍ଟା । ତେବେ କବିବର ରାଧାନାଥଙ୍କ ଏହି ଅମିତ୍ରାକ୍ଷର ଛନ୍ଦର ବୈଶିଷ୍ଟ୍ୟ ଓ ଓଡ଼ିଆ ସାହିତ୍ୟରେ ଏହାର ପ୍ରୟୋଗ ନେଇ ନାନା ପ୍ରକାରର ମତ ମିଳୁଥିବା ବେଳେ, କେତେକ ସନ୍ଦେହ ଥିବାବେଳେ, ସମ୍ପାଦକ ନିତ୍ୟାନନ୍ଦ ଏ ସଂପର୍କିତ ଏକ ଆଲୋଚନା ଏହି ବିଶେଷାଙ୍କରେ ସ୍ଥାନିତ କରିଛନ୍ତି । ଏଥିରେ ସମ୍ପାଦକଙ୍କ ଅନୁରୋଧ କ୍ରମେ ଅଧ୍ୟାପକ ତ୍ରିଲୋଚନ ମିଶ୍ର ଲେଖିଛନ୍ତି ‘‘ଅମିତ୍ରାକ୍ଷର ଛନ୍ଦ ଓ ରାଧାନାଥ’’ । ଡ. ଶ୍ରୀନିବାସ ମିଶ୍ରଙ୍କ ‘ରାଧାନାଥଙ୍କ ଗଦ୍ୟ ଶୈଳୀ’ ପ୍ରକାଶ ପାଇଛି । ରାଧାନାଥ କବି ଭାବରେ ଓଡ଼ିଆ ସାହିତ୍ୟରେ ପରିଚିତ- କାବ୍ୟଶୀଳ୍ପି ରୂପେ ସେ ପ୍ରତିଷ୍ଠିତ । କିନ୍ତୁ ତାଙ୍କ ଗଦ୍ୟ ରଚନା ସହିତ ପାଠକମାନେ ବିଶେଷ ପରିଚିତ ହୋଇ ନଥିବା ବେଳେ, ଅଭିଜ୍ଞ ସଂପାଦକ ନିତ୍ୟାନନ୍ଦ ରାଧାନାଥଙ୍କ ଗଦ୍ୟ ସୃଷ୍ଟିକୁ ଅଧିକ ପରିଚିତ କରିବା ଲକ୍ଷ୍ୟରେ, ବିଶେଷାଙ୍କରେ ତାଙ୍କ ଗଦ୍ୟ- ରଚନା ଉପରେ ଆଲୋଚନା ସ୍ଥାନିତ କରି, ବିଶେଷାଙ୍କକୁ ଅଧିକ ଉପାଦେୟ କରିଛନ୍ତି । ଅଧ୍ୟାପକ ବିଭୂଦତ୍ତ ମିଶ୍ର ‘ରାଧାନାଥ ସାହିତ୍ୟରେ ପ୍ରେମ’ ଡ. ନରେନ୍ଦ୍ର ନାଥ ମିଶ୍ରଙ୍କ ‘‘ଊନବିଂଶ ଶତକର ରାଜନୈତିକ ଆଦର୍ଶ ଓ ରାଧାନାଥଙ୍କ ଜାତୀୟ ଭାବ ଚେତନା’’, ଡ. ନିତ୍ୟାନନ୍ଦ ଶତପଥୀ ରାଧାନାଥଙ୍କ କାବ୍ୟରେ ରୋମାନ୍ସ ଓ ନୀତିବାଦ’’ ଡ. ଦାଶରଥି ଦାଶ ‘‘ମହାଯାତ୍ରା କାବ୍ୟାଲୋଚନାରେ ଭୂମିକା’’ ଓ ଅଧ୍ୟାପକ କୁଳମଣି ମହାପାତ୍ର ରାଧାନାଥଙ୍କ କାବ୍ୟରେ ହାସ୍ୟ ଓ ବ୍ୟଙ୍ଗ’’' ପ୍ରଭୃତି ଆଲୋଚନା ଲେଖିଛନ୍ତି । ଏପରି ଏକ ଉଚ୍ଚମାନର ସଂକଳନ (ବିଶେଷାଙ୍କ) ସମ୍ପାଦନା କରିଥିବା ସମ୍ପାଦକ ନିତ୍ୟାନନ୍ଦ ତାଙ୍କ ରାଧାନାଥ ସାହିତ୍ୟ ଅନୁଶୀଳନର ପରିଚୟ ଦେଇ ଉପାଦୟେ ସମ୍ପାଦକୀୟ ଲେଖିଛନ୍ତି - ‘‘ତଥାପି ରାଧାନାଥ ସାହିତ୍ୟ ପର ପଦାନତ ଓଡ଼ିଆ ଜାତିର ପ୍ରାଣରେ ସ୍ଵମର୍ଯ୍ୟାଦା, ଜାତୀୟ ଭାବ ଉଦ୍ଦୀପନ କରିବାରେ ପ୍ରକୃତ ସହାୟତା କରିଛି । ଓଡ଼ିଆ ସାହିତ୍ୟର ଜାତୀୟ ଯୁଗାରମ୍ଭର ପ୍ରାକ୍‌ କାଳରେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇ ଯେଉଁମାନେ ସତର୍କ ହେଲେ ହେଁ ସଫଳ ପଦକ୍ଷେପ କରିପାରିଛନ୍ତି, ସେମାନଙ୍କ ମଧ୍ୟରେ ରାଧାନାଥ ଅନ୍ୟତମ ।’’ ରାଧାନାଥ ସାହିତ୍ୟ ଗବେଷଣା ପାଇଁ ଏହି ବିଶେଷାଙ୍କ ‘ଡଗର’ ଏକ ସହାୟକ ଗ୍ରନ୍ଥରୂପେ ଗୃହୀତ ହୋଇଥାଏ । କୌଣସି ପତ୍ରପତ୍ରିକା ଏପରି ଉଚ୍ଚକୋଟୀର ବିଶେଷାଙ୍କ ପ୍ରକାଶ କରିବା ପାଇଁ ସମର୍ଥ ହୋଇନାହାନ୍ତି ।

 

୧୯୫୩ ମସିହାରେ ‘ଡଗର’ ୧୬ ବର୍ଷରେ ପଦାର୍ପଣ କଲା । ସେହି ବର୍ଷଠାରୁ ଏହାର ରୂପରେଖ ଓ ବିଷୟବସ୍ତୁ ତଥା ଅଙ୍ଗସଜ୍ଜାରେ ପରିବର୍ତ୍ତନ ହେଲା । ଏଥିରେ ଏବେ ଉଚ୍ଚକୋଟୀର ଗବେଷଣାତ୍ମକ ସମୀକ୍ଷା ପ୍ରକାଶ ପାଇଁ ବ୍ୟବସ୍ଥା କରାଗଲା । ଫଳରେ ବୁଦ୍ଧିଜୀବୀ ମହଲରେ ଏହା ଆଦୃତ ହେଲା । ହାସ୍ୟ ଓ ବ୍ୟଙ୍ଗକୁ ଅଧିକ ପ୍ରାଧାନ୍ୟ ଦିଆନଯାଇ, ନିଚ୍ଛକ ଗଠନମୂଳକ ସୃଷ୍ଟି ପ୍ରକାଶ ଲାଗି ସମ୍ପାଦକ ଗୁରୁତ୍ଵ ଦେଲେ । ଫଳରେ ବହୁ ସୁନାମଧନ୍ୟ ସାହିତ୍ୟିକ, ସମାଲୋଚକ, ଗାଳ୍ପିକ, କବି ପ୍ରମୁଖ ଏହା ସହିତ ସଂପୃକ୍ତ ହେଲେ । ନୂତନ ଲେଖକ ଲେଖିକାମାନଙ୍କର ଗଳ୍ପ, କବିତା ଓ ସମାଲୋଚନା ପ୍ରକାଶ ପାଇଲା-ସେମାନେ ଉତ୍ସାହିତ ହେଲେ । ଏଥିପାଇଁ ଆରମ୍ଭ ହେଲା ବିଶେଷାଙ୍କ ପ୍ରକାଶନ ପରିକଳ୍ପନା । ସମ୍ପାଦକ ନିତ୍ୟାନନ୍ଦ ଏହି ମର୍ମରେ ସମ୍ପାଦକୀୟ ଲେଖିଲେ- ‘‘ନିଜ ସାହିତ୍ୟ ଓ ସମାଜର ଭୁଲ୍‌ତ୍ରୁଟି ଗୁଡ଼ିକୁ କେବଳ ସ୍ଵୀକାର ନକରି ପରିହାସ ଛଳରେ ପ୍ରକାଶ କରିବା ଆଜି ପର୍ଯ୍ୟନ୍ତ ‘ଡଗର’ର ସାଧାରଣ ନୀତି ହୋଇଆସିଛି । ସମାଲୋଚନା କିମ୍ବା ହାସ୍ୟରସ ସହିତ ଅଧିକ ପରିମାଣରେ ଗଠନ ଓ ଗବେଷଣାତ୍ମକ ବିଷୟ ବସ୍ତୁର ପରିବେଷଣ କରିବା ପାଇଁ ବର୍ତ୍ତମାନ ଏହାର ନବକଳେବର ଗ୍ରହଣ । ଏହା ନୂତନ ଯାତ୍ରାକୁ ଜୟଯୁକ୍ତ କରିବା ସକାଶେ ଦୋର ସୁଧୀ ସାହିତ୍ୟିକ, ଲେଖକ ଓ ପାଠକମାନଙ୍କୁ ‘ଡଗର’ ଆଜି ସାଦର ନିମନ୍ତ୍ରଣ ଜଣାଉଛି ।’’ (୧୬ଶବର୍ଷ ୧ମ ସଂଖ୍ୟା ୧୯୫୩- ସମ୍ପାଦକୀୟ) ସମ୍ପାଦକ ନିତ୍ୟାନନ୍ଦଙ୍କ ପ୍ରତିଭା, ଅସାଧାରଣ ପାଣ୍ଡିତ୍ୟ ଓ ଭଦ୍ରୋଚିତ ବ୍ୟବହାରରେ ଆକୃଷ୍ଟ ହୋଇ ଉଚ୍ଚଶିକ୍ଷିତ ସାହିତ୍ୟ-ପ୍ରାଣ ଯୁବକମାନେ ‘ଡଗର’ର ସହଯୋଗୀ ହେଉଥିଲେ । ଶାନ୍ତିନିକେତନରୁ ଓଡ଼ିଆରେ ଏମ୍‌.ଏ.ପାଶ୍‌ କରିବା ପରେ, ଡ. ଭାବଗ୍ରାହୀ ମିଶ୍ର, ଡ. ନରେନ୍ଦ୍ରନାଥ ମିଶ୍ର, ଅଧ୍ୟାପକ ନରେନ୍ଦ୍ର ବେହେରା, ଡ. କୃଷ୍ଣଚରଣ ବେହେରା, କବି ଓ ଶିଳ୍ପୀ ଅଧ୍ୟାପକ ବିନୋଦ ରାଉତରାୟ (କଳାରେ ଉପାଧି ହାସଲ) ପ୍ରମୁଖ ସମ୍ପାଦକ ନିତ୍ୟାନନ୍ଦଙ୍କୁ ସହଯୋଗ କରିବା ପାଇଁ ଆଗ୍ରହୀ ହୋଇଥିଲେ । ‘ଡଗର’ ଏକ ସଂଭ୍ରାନ୍ତ ସାହିତ୍ୟ ପତ୍ରିକା ରୂପେ ସମ୍ପାଦିତ ହେଉଥିଲା । ଏହାର ଅଭିବୃଦ୍ଧି ଦିଗରେ ଏମାନେ ଉଦ୍ୟମ କରିଥିଲେ । ନୂଆ ନୂଆ ଚିନ୍ତାଧାରାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଦେଉଥିଲେ । ବିଶେଷାଙ୍କ ପ୍ରକାଶରେ ଏହିସବୁ ସାହିତ୍ୟ- ପ୍ରାଣ ଯୁବକମାନଙ୍କର ସହଯୋଗ ରହିଥିଲା । ସବୁ ମୂଳରେ ଥିଲେ ସମ୍ପାଦକ ନିତ୍ୟାନନ୍ଦଙ୍କ ବିଶ୍ରସ୍ତ ସହକାରୀ ସମ୍ପାଦକ ହାସ୍ୟରସିକ ଫତୁରାନନ୍ଦ । ଯେତେ ସେ ନିଜେ କଥାପ୍ରସଙ୍ଗରେ ଏକାଧିକ ଥର କହିଥିଲେ- ଯାହାହେଉ କେତୋଟି ବିଶେଷାଙ୍କ ‘ଡଗର’ର ହୋଇଗଲା । ବାକି ରହିଲା ହାସ୍ୟ ଓ ବ୍ୟଙ୍ଗ ବିଶେଷାଙ୍କ ପ୍ରକାଶନ । ଏହି କଳ୍ପନା ତାଙ୍କର କଳ୍ପନାରେ ରହିଗଲା - ସେ ଇହଧାମ ତ୍ୟାଗ କଲେ ।

 

୧୯୬୧ ମସିହାରେ ବିଶ୍ଵକବି ରବୀନ୍ଦ୍ର ନାଥ ଠାକୁରଙ୍କ ଶତବାର୍ଷିକୀ ଭାରତସାରା ପାଳିତ ହେଉଥାଏ । କେନ୍ଦ୍ର ସରକାର ପ୍ରତ୍ୟେକ ରାଜ୍ୟକୁ ଏହା ପାଳନ ପାଇଁ ଅର୍ଥ ଅନୁଦାନ ଦେଇଥିଲେ । ସରକାରୀ ସ୍ତରରେ କେତେ କାର୍ଯ୍ୟକ୍ରମ କରାଗଲା । ବେସରକାରୀ ଭାବେ ‘ଡଗର’ର ରବୀନ୍ଦ୍ର ବିଶେଷାଙ୍କ ପ୍ରକାଶ ପାଇଥିଲା । ଏହି ରବୀନ୍ଦ୍ର ସ୍ମୃତି ସଂଖ୍ୟା’ ୧୯୬୧ ମସିହା (୨୪ଶ ବର୍ଷ ୧୧ସଂଖ୍ୟା) ମଇ ମାସରେ ପ୍ରକାଶ ପାଇଲା । ପ୍ରାବନ୍ଧିକ ଚିତ୍ତରଂଜନ ଦାସ, ପ୍ରଫେସର ଡ. କୁଞ୍ଜବିହାରୀ ଦାଶ ପ୍ରମୁଖ ରବୀନ୍ଦ୍ରନାଥଙ୍କ ସଂପର୍କିତ ଉଚ୍ଚମାନର ଲେଖା ଅନୁଦିତ ହୋଇ ଏଥିରେ ସ୍ଥାନ ପାଇଥିଲା । ଡ. ଭାବଗ୍ରାହୀ ମିଶ୍ର ଏହି ବିଶେଷାଙ୍କ ସମ୍ପାଦନାରେ ସମ୍ପାଦକ ନିତ୍ୟାନନ୍ଦଙ୍କୁ ସହଯୋଗ କରିଥିଲେ ।

 

୧୯୬୨ ମସିହାରେ ‘ଡଗର’ ୨୫ ବର୍ଷରେ ପଦାର୍ପଣ କରିଥିଲା । ଏହି ଅବସରରେ ‘ଡଗର’ର ରଜତ ଜୟନ୍ତୀ ବିଶେଷାଙ୍କ ପ୍ରକାଶ ପାଇଥିଲା । ବିରାଟ କଳେବର ନେଇ ଏହା ଆତ୍ମପ୍ରକାଶ କରିଥିଲା । ଓଡ଼ିଶାର ପ୍ରତିଷ୍ଠିତ କବି, ସାହିତ୍ୟିକ ରାଜନୀତିଜ୍ଞ, ଗବେଷକମାନଙ୍କ ଦ୍ଵାରା ଲିଖିତ ବିଭିନ୍ନ ପ୍ରକାର ରଚନାରେ ଏହା ହୋଇଥିଲା ସମୃଦ୍ଧ । ଓଡ଼ିଆ ସାହିତ୍ୟରେ ଏହାର ଦାନ ଅତୁଳନୀୟ । ଏଥିରେ ପ୍ରଫେସର ଡ. ଶ୍ରୀରାମଚନ୍ଦ୍ର ଦାଶ ‘‘ଓଡ଼ିଶାରେ ରାଜନୈତିକ ପରିଘୂର୍ଣ୍ଣନ’’ ଉପରେ ଆଲୋଚନା ଲେଖିବାବେଳେ, ଗବେଷକ ଡ. ଗଙ୍ଗାଧର ବଳ ଲେଖିଥିଲେ ‘‘ଓଡ଼ିଆ ସାହିତ୍ୟକୁ ସଂସ୍କୃତ ସାହିତ୍ୟର ଦାନ । କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ‘ଆମ ସଂଗୀତର ଧାରା’ ଉପରେ ଆଲୋଚନା ଲେଖିଥିବା ବେଳେ, ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ, ଡ. ଭାବଗ୍ରାହୀ ମିଶ୍ର ଓ ଡ. କୁଞାବିହାରୀ ଦାଶ ପ୍ରମୁଖ ଉଚ୍ଚକୋଟୀର ଆଲୋଚନା ଲେଖିଥିଲେ । କବି ଗୋଦାବରୀଶ ମହାପାତ୍ର, ଡ. ମାୟାଧର ମାନସିଂହ ପ୍ରମୁଖ କବିତା ରଚନା କରିଥିବା ବେଳେ ଖ୍ୟାତନାମା ଗାଳ୍ପିକମାନେ ଗଳ୍ପ ରଚନା କରିଥିଲେ । ୧୯୬୨ ମସିହା ପର୍ଯ୍ୟନ୍ତ ପ୍ରକାଶିତ ଓଡ଼ିଆ ଲେଖକ ଲେଖିକାମାନଙ୍କ ପୁସ୍ତକଗୁଡ଼ିକର ତାଲିକା ଦିଆଯାଇଥିଲା । ‘ଏହା ଅତ୍ୟନ୍ତ ତଥ୍ୟଗର୍ଭକ ଉପାଦେୟ ରଚନାରେ ସମୃଦ୍ଧ ।

 

‘ଡଗର’ ପତ୍ରିକାରେ କାନ୍ତକବି ଲକ୍ଷ୍ମୀକାନ୍ତ ଓ ନିତ୍ୟାନନ୍ଦ ମହାପାତ୍ରଙ୍କ ଅନେକ ହାସ୍ୟବ୍ୟଙ୍ଗ, ଗଳ୍ପ, କବିତା ତଥା ପ୍ରବନ୍ଧ ପ୍ରକାଶ ପାଇଥିଲା । ନିତ୍ୟାନନ୍ଦ ଛଦ୍ମ ନାମ ‘ଅନାମ’, ‘ଅବଧୂତ’ ନାମରେ ଅନେକ ଲେଖା ଲେଖିଛନ୍ତି । ତାଙ୍କ ସମ୍ପାଦକୀୟ, ଖୁବ୍‌ ଉଚ୍ଚ ଧରଣର । ସେଥିରେ ରାଜନୀତି, ସାହିତ୍ୟ, ସଂସ୍କୃତି, ସମସ୍ୟା ପ୍ରଭୃତି ଉପରେ ସମ୍ପାଦକ ଆଲୋକପାତ କରିଥାଆନ୍ତି । ଚିନ୍ତାଗର୍ଭକ ସମ୍ପାଦକୀୟ ‘ଡଗର’ରେ ସ୍ଥାନିତ ହୋଇଥାଏ । ଗୋଟିଏ ଉଦାହରଣ ‘‘ଐତିହାସିକମାନେ କହିପାରିବେ ଓଡ଼ିଶା ଶବ୍ଦ ଆସିଲା କେଉଁଠୁ ? ସମ୍ଭବତଃ ଓଡ଼ିଆ ଭାଷାରୁ ଓଡ଼ିଆ ଶବ୍ଦ ସୃଷ୍ଟି । କିନ୍ତୁ ଯେତେବେଳେ ଉତ୍କଳ ସମ୍ମିଳନୀର ଆରମ୍ଭ ହେଲା, ସେତେବେଳେ ସମଗ୍ର ଉତ୍କଳ ଖଣ୍ଡ ମଧ୍ୟରେ ‘କଳିଙ୍ଗ’, ‘କୋଶଳ’ ଶବ୍ଦର ମଧ୍ୟ ବିଲୋପ ହୋଇଗଲା ପରି ମନେହେଲା । ଉତ୍କଳ ସମ୍ମିଳନୀର ଅଧିବାସ ସମୟରେ ‘ଓଡ଼ିଶା’, ‘କଳିଙ୍ଗ’ ଓ ‘କୋଶଳ’ ମଧ୍ୟରେ ଭେଦ ଦେଖାଯାଇ ନଥିଲା । ଓଡ଼ିଶାରେ ସର୍ବପ୍ରଥମ ବିଶ୍ଵବିଦ୍ୟାଳୟର ନାମକରଣ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟ ବୋଲି କରାଯାଇଥିଲା । କିନ୍ତୁ ଏ ରାଜ୍ୟର ସର୍ବଶ୍ରେଷ୍ଠ ବିଚାରାଳୟକୁ ଭାରତର ଅନ୍ୟାନ୍ୟ ଶ୍ରେଷ୍ଠ ବିଚାରାଳୟମାନଙ୍କ ପରି ରାଜଧାନୀର ନାମ ଅନୁସାରେ ନାମିତ ନକରି ଓଡ଼ିଶାର ହାଇକୋର୍ଟ ବୋଲି କାହିଁକି କରାଗଲା ଏବଂ ତାହା ଓଡ଼ିଆମାନଙ୍କର, ଓଡ଼ିଶାର ଅଧିବାସୀମାନଙ୍କର କେଉଁ ମନୋବୃତ୍ତିରୁ ଉପଜାତ ହୋଇଥିଲା ତାହା କହିବା କଠିନ । ଉତ୍କଳ ବିଶ୍ଵବିଦ୍ୟାଳୟ ବ୍ୟତୀତ ଦକ୍ଷିଣରେ ଏବଂ ପଶ୍ଚିମରେ ଯେଉଁ ଦୁଇଟି ବିଶ୍ଵବିଦ୍ୟାଳୟ ଗଠିତ ହେଲା, ତାହାର ନାମକରଣ ସମ୍ୱନ୍ଧରେ ଓଡ଼ିଶା ବିଧାନସଭାରେ ଆଲୋଚନା ଚାଲିଥିଲା ବେଳେ ପ୍ରସ୍ତାବ ଉଠିଥିଲା ଯେ, ସମ୍ବଲପୁର ଓ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ନକହି କୋଶଳ ଓ କଳିଙ୍ଗ ନାମରେ ଅଭିହିତ କରାଯାଉ । ଏଥରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ତତ୍‌କାଳୀନ ବିଧାନସଭାର ଶିକ୍ଷିତ ସଭ୍ୟମାନଙ୍କ ମଧ୍ୟରେ ଉତ୍କଳୀୟ ହେବାର ଭାବ ନଥଲା କିମ୍ବା ନିଜକୁ ଓଡ଼ିଆ ବୋଲାଇବାର ସ୍ପର୍ଦ୍ଧା ମଧ୍ୟ ନଥିଲା ।’’ ନିତ୍ୟାନନ୍ଦ କେବଳ ଜଣେ ସମ୍ପାଦକ ନଥିଲେ କି ସାହିତ୍ୟିକ ଭାବରେ ପରିଚିତ ହୋଇନଥିଲେ । ସେ ହେଉଛନ୍ତି ଓଡ଼ିଆପ୍ରେମୀ- ଓଡ଼ିଆ ଭାଷା ସାହିତ୍ୟର ଗୁଣମୁଗ୍ଧ ବ୍ୟକ୍ତି । ଏହାର ଯଶଗାନରେ ସେ ଧନ୍ୟ ମନେକରନ୍ତି । ଶୁଦ୍ଧ ଓଡ଼ିଆ କହିବା ଲାଗି ସେ ସଦାସର୍ବଦା ଯତ୍ନଶୀଳ ଥାଆନ୍ତି । ସେଥିପାଇଁ କହିଛନ୍ତି- ଆଜି ଅର୍ଦ୍ଧ ଶତାବ୍ଦୀ ପରେ ଓଡ଼ିଆ ମନୋବୃତ୍ତିର ଯେଉଁ ଅବକ୍ଷୟ ଘଟିଛି, ତାହାର ଭବିଷ୍ୟତ କ’ଣ ହେବ ତାହା ସ୍ପଷ୍ଟ ପ୍ରତୀୟମାନ ହୁଏ । ଆଜି ମଧ୍ୟ ଶିକ୍ଷିତ ଓଡ଼ିଆମାନଙ୍କ ମଧ୍ୟରେ ଓଡ଼ିଆ ପୁସ୍ତକ କିମ୍ବା, ଓଡ଼ିଆ ପତ୍ରପତ୍ରିକା ପଢ଼ିବାର ମନୋବୃତ୍ତି ଦେଖାଯାଉ ନାହିଁ । ପଚାଶ ବର୍ଷ ପୂର୍ବେ ଯେଉଁ ଗ୍ରନ୍ଥର ପ୍ରକାଶନ ସଂଖ୍ୟା ଏକ ହଜାରରୁ ଊଣା ନଥିଲା, ଆଜି ସେହି ସଂଖ୍ୟା ପାଞ୍ଚଶହରୁ ସାତଶହ ମଧ୍ୟରେ ସୀମିତ ରହିଯାଇଛି । ଓଡ଼ିଆ ପତ୍ରପତ୍ରିକାମାନଙ୍କ ମଧ୍ୟରେ ଅଧିକାଂଶ କ୍ଷୟକ୍ଷତିର ସମ୍ମୁଖୀନ । କେବଳ ଦୈନିକ ସମ୍ବାଦପତ୍ରମାନଙ୍କର ପ୍ରକାଶନ ସଂଖ୍ୟା ଅଧିକ ଦେଖାଯାଉଥିଲେ ମଧ୍ୟ ସରକାରଙ୍କ ବିଜ୍ଞାପନ ବ୍ୟତିରେକ ସେମାନଙ୍କର ତିଷ୍ଠି ରହିବା କଠିନ । ଓଡ଼ିଶା ସରକାରଙ୍କ ଦପ୍ତରରେ ବ୍ୟବହୃତ ଭାଷା ଓଡ଼ିଆ ହେବ ବୋଲି ଆଜିକୁ ପ୍ରାୟ ପଇଁଚାଳିଶ ବର୍ଷ ତଳର ସରକାରୀ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଏ ଦେଶର ଅଧିକାଂଶ ମୁସଲମାନ ଏକଦା ଓଡ଼ିଆଭାଷୀ ଥିଲେ ମଧ୍ୟ ଇସ୍‌ଲାମ ଧର୍ମ ଗ୍ରହଣ କଲାପରେ ଖଣ୍ଡିତ ଉର୍ଦ୍ଧୁଭାଷା କହିବାରେ ଅଭ୍ୟସ୍ତ । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଇସଲାମ ଧର୍ମ ଅନୁଗତ ରାଷ୍ଟ୍ର ପୂର୍ବବଙ୍ଗରେ ବଙ୍ଗଳାକୁ ରାଷ୍ଟ୍ରୀୟ ଭାଷା ରୂପେ ଗ୍ରହଣ କରାଯାଇପାରିଛି । ସେଠାରେ ଅଧିବାସୀମାନେ ଉର୍ଦ୍ଦୁକୁ ମାତୃଭାଷା ରୂପେ ଗ୍ରହଣ କରାଯାଇପାରିଛି । ସେଠାରେ ଅଧିବାସୀମାନେ ଉର୍ଦ୍ଦୁକୁ ମାତୃଭାଷା ରୂପେ ଗ୍ରହଣ ନକରି ବଙ୍ଗଳାକୁ ହିଁ ଜାତୀୟ ଭାଷା ରୂପେ ସ୍ଵୀକୃତି ଦେଇଛନ୍ତି । ଏହି ପରିସ୍ଥିତିରେ ଓଡ଼ିଆ ଭାଷାର କ୍ଷୟପ୍ରାପ୍ତି ଆସନ୍ତା ଶତାବ୍ଦୀ ମଧ୍ୟରେ ସମ୍ପୂର୍ଣ୍ଣ ହୋଇଯିବ, ତାହା ଅବଶ୍ୟ ଅନୁମାନ କରିବା କଠିନ ।’’ ନଭେମ୍ବର ୧୯୯୨ (ଏକ ପଞ୍ଚଶତ ବର୍ଷ, ଷଷ୍ଠସଂଖ୍ୟା) ‘ଡଗର’ର ସମ୍ପାଦକୀୟ ସ୍ତମ୍ଭ- ‘ଓଡ଼ିଶା ଓ ଓଡ଼ିଆ’) ଏପରି ଚିନ୍ତାଦ୍ୟୋତକ ସାଂପ୍ରତିକ ସମସ୍ୟା ସମ୍ବଳିତ ସମ୍ପାଦକୀୟ କ୍ୱଚିତ୍‌ ସମ୍ପାଦକଙ୍କଠାରୁ ମିଳିଥାଏ । ତାଙ୍କ ‘ଡଗର’ରେ ରମ୍ୟରଚନା, ବ୍ୟଙ୍ଗଗଳ୍ପ, ଆଲୋଚନା, କବିତା ଓ କାହାଣୀ, ଲେଖକ ନିତ୍ୟାନନ୍ଦ ଲେଖିଛନ୍ତି । ନିଜ ନାମରେ ଅବା କେବେ ଛଦ୍ମନାମ ‘ଶ୍ରୀଅବଧୂତ’, ‘ଶ୍ରୀ ଅନାମ’, ହେବେ ମନ୍ତ୍ରୀ, ‘କଲେଜଛାତ୍ରୀ’, ‘ନକଲ ନବିସ’, ‘ନଟବର’ ଓ ଚୁଟିଆମୂଷା’, ନାମରେ ଲେଖି ବେଶ୍‌ ଲୋକପ୍ରିୟତା ଲାଭ କରିଛନ୍ତି ।

 

୧୯୬୮ ମସିହାରେ ଫେବୃୟାରୀ ମାସରେ ‘ଡଗର’ର ଗଙ୍ଗାଧର ବିଶେଷାଙ୍କ ସମ୍ପାଦକ ନିତ୍ୟାନନ୍ଦଙ୍କ ସମ୍ପାଦନାରେ ପ୍ରକାଶ ପାଇଥିଲା । ଗଙ୍ଗାଧର ସାହିତ୍ୟ ସଂପର୍କରେ ଏହି ବିଶେଷାଙ୍କରେ ମୂଲ୍ୟବାନ ସମୀକ୍ଷାମାନ ସ୍ଥାନିତ ହୋଇଥିଲା । ଡ. ନରେନ୍ଦ୍ରନାଥ ମିଶ୍ର ‘‘ପରମ୍ପରା ଓ ପୁରୋଦୃଷ୍ଟିରେ କବି ଗଙ୍ଗାଧର,’’ ଡ. କୃଷ୍ଣଚରଣ ବେହେରା ‘‘ମେହେର ସାହିତ୍ୟରେ ଜାତୀୟ ସଂଗଠନ’’, ଡ. ଗଙ୍ଗାଧର ବଳ ମେହେରଙ୍କ କିଚକ ବଧ: ଏକ ଅଧ୍ୟୟନ’’, ଅପୂର୍ବ ରଂଜନ ରାୟ ମେହେର ସାହିତ୍ୟରେ ପ୍ରକୃତି, କେଶବ ଚନ୍ଦ୍ର ମେହେରଙ୍କ ‘‘କୃଷକ ସଙ୍ଗୀତର କବି ଗଙ୍ଗାଧର’’ ପ୍ରଭୃତି ସାହିତ୍ୟ ସମାଲୋଚନା ପ୍ରକାଶ ପାଇଥିଲା । ସମ୍ପାଦକଙ୍କ ସଂପାଦକୀୟ ଅତ୍ୟନ୍ତ ଭାବଗର୍ଭକ ହୋଇଛି । ୧୯୬୯ ମସିହାରେ ଆଧୁନିକ କବିତା ବିଶେଷାଙ୍କ ‘ଡଗର’ ମୁକ୍ତିଲାଭ କରିଥଲା । ଏଥିରେ କେତେଜଣ ସମାଲୋଚକଙ୍କ ଆଧୁନିକ କବିତା ଉପରେ ଆଲୋଚନା ପ୍ରକାଶ ପାଇବା ସଙ୍ଗେ ସଙ୍ଗେ ଆଧୁନିକ ସ୍ରଷ୍ଟାମାନଙ୍କର ଆଧୁନିକ କବିତାମାନ ପ୍ରକାଶିତ ହୋଇଥିଲା । ୧୯୫୮ର ସମାଲୋଚନା ବିଶେଷାଙ୍କ, ୧୯୫୬ ମସିହାରେ ଗଳ୍ପବିଶେଷାଙ୍କ ‘ଡଗର’ ସୁସଂପାଦିତ ହୋଇ ପ୍ରକାଶ ପାଇଥିଲା । ପ୍ରତିଷ୍ଠାତା କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ମୃତ୍ୟୁ ପୂର୍ବରୁ କବିଶେଖର ଚିନ୍ତାମଣି ମହାନ୍ତିଙ୍କ ଦେହାନ୍ତ ହେଲା ୧୯୪୩ ମସିହା ଡିସେମ୍ବର ୧୭ ତାରିଖରେ । ୧୯୪୪ ମସିହା ୭ମ ବର୍ଷ ୧୧ସଂଖ୍ୟା ‘ଡଗର’ର ଚିନ୍ତାମଣି ସ୍ମୃତି ସଂଖ୍ୟା ରୂପେ ପ୍ରକାଶ ପାଇଥିଲା । ଅନ୍ୟମାନଙ୍କ ରଚନା ସହିତ କାନ୍ତକବି ଲକ୍ଷ୍ମୀକାନ୍ତ ଯେଉଁ ‘ଭକ୍ତିଅର୍ଘ୍ୟ’ ନାମରେ ଏକ ଶ୍ରଦ୍ଧାଞ୍ଜଳି କବିତା ଲେଖିଥିଲେ, ତାହା ଉଲ୍ଲେଖନୀୟ । ସେ ଲେଖିଥିବା କବିତାର କେତୋଟି ଧାଡ଼ି-

 

‘ହେ କବି ! ଯାଇଛ ଗାଇ ଯେ ଅମୀୟ ଗୀତ,

ହେ ଗୁଣୀ ! ଯାଇଛ ବାଇ ଯେ ମଧୁର ରାଗ,

ଅମର ଝଙ୍କାର ତା’ର ପବନେ ନିହିତ

ଡାକେ ଏ ଜାତିକୁ ଉଚ୍ଚେ ଜାଗ, ଜାଗ, ଜାଗ ।

କେ କହେ ମରିଛ ?- ମରଇ କି କବି !

ଗଲ ଆମ ଆଖି ଆଗେ ଅମରତ୍ୱ ଲଭି ?’’

 

‘ଡଗର’ ସବୁ ସମୟରେ ଏପରି ପୂଜ୍ୟପୂଜାର ଆଦର୍ଶ ବଜାୟ ରଖି, ବରପୁତ୍ରଙ୍କ ଉଦ୍ଦେଶ୍ୟରେ ସ୍ମୃତି ସଂଖ୍ୟା ପ୍ରକାଶ କରିଆସିଛି । ପ୍ରତି ସଂଖ୍ୟା ‘ଡଗର’ରେ ମହାପୁରୁଷଙ୍କ ସଂକ୍ଷିପ୍ତ ଜୀବନୀ ସହିତ ଫଟୋ ପ୍ରକାଶ ପାଉଥିଲା । ପ୍ରଥମ ସଂଖ୍ୟାରୁ ଏହି ସ୍ତମ୍ଭ ଆରମ୍ଭ ହୋଇଥିଲା । କୃଷ୍ଣ ପ୍ରସାଦ ବସୁ (୧ମ ସଂଖ୍ୟା) ପଣ୍ଡିତ ନୀଳକଣ୍ଠ ଦାସ (୨ୟସଂଖ୍ୟା) ପ୍ରତିମା ରାୟଚୌଧୁରୀ (୩ୟସଂଖ୍ୟା), ଅଶ୍ଵିନୀ କୁମାର ଘୋଷ (୪ର୍ଥ ସଂଖ୍ୟା) ପ୍ରମୁଖଙ୍କ ଫଟୋ ଓ ପରିଚୟ ପ୍ରକାଶ ପାଇଥିଲା । ପତ୍ରିକାକୁ ଲୋକପ୍ରିୟ କରିବା ଲକ୍ଷ୍ୟରେ ସଂପାଦକ ନିତ୍ୟାନନ୍ଦ ଓ ଏହାର ପ୍ରତିଷ୍ଠାତା କାନ୍ତକବି ଲକ୍ଷ୍ମୀକାନ୍ତ ଆପ୍ରାଣ ଉଦ୍ୟମ କରିଥିଲେ । ସେ ସମ୍ପାଦନାରେ ଯେପରି ରସବ୍ୟଙ୍ଗର ଲେଖାମାନ ସ୍ଥାନିତ କରନ୍ତି, ସମ୍ପାଦକୀୟରେ ମଧ୍ୟ ନିଜ ଅନୁଧ୍ୟାନାତ୍ମକ ବକ୍ତବ୍ୟ ପ୍ରକାଶ କରିଥାଆନ୍ତି-। ଏପରିକି ୧୯୩୭ ମସିହା ଓଡ଼ିଆ ୧୩୪୪ ସାଲ ଜ୍ୟେଷ୍ଠ ୧ ତାରିଖରେ ପ୍ରଥମ ସଂଖ୍ୟା ପ୍ରକାଶ ପାଇଲାବେଳେ, ସମ୍ପାଦକ ଲେଖିଥିଲେ- ‘‘ଡଗରର ଉଦ୍ଦେଶ୍ୟ ରସ ସୃଷ୍ଟି । ପ୍ରତ୍ୟେକ ବିଷୟକୁ ଲଘୁ ଦୃଷ୍ଟିରେ ଦେଖି ଦଳଗତ କିମ୍ବା ବ୍ୟକ୍ତିଗତ ଦ୍ଵେଷ ରହିତ ବିଦ୍ରୂପରେ ଆନନ୍ଦର ସଞ୍ଚାର କରିବା, ତା’ର, ଉଦ୍ଦେଶ୍ୟ ।’’ (୧ମ ବର୍ଷ, ୧ମ ସଂଖ୍ୟା ସମ୍ପାଦକୀୟ) ବିଲୁଆ ବିଚାର’ ଥିଲା ‘ଡଗର’ର ଏକ ବ୍ୟଙ୍ଗ-ରସ ସ୍ତମ୍ଭ । ଆରମ୍ଭରୁ ସାଂପ୍ରତିକ ନୀତିନିୟମକୁ ଗଠନମୂଳକ ଢଙ୍ଗରେ ବ୍ୟଙ୍ଗକରି ‘ଡଗର’ ଲୋକପ୍ରିୟ ହୋଇଆସିଛି । ଏହା ପଢ଼ିବା ପାଇଁ ଯେପରି ସୁଖପାଠ, ଏଥିରେ ଅନ୍ତର୍ନିହିତ ଭାବାବେଗ ମଧ୍ୟ ସେପରି ଅର୍ଥପୂର୍ଣ୍ଣ । ଗଭୀର ଚିନ୍ତାଦ୍ୟୋତକ ଭାଷା ଓ ଭାବରେ ଏହା ଲେଖା ହେଇଥାଏ । ୬୦ବର୍ଷରୁ ଉର୍ଦ୍ଧ୍ୱକାଳ ଏହି ସ୍ତମ୍ଭ ବ୍ୟଙ୍ଗ-ରସ ଭିତରେ ଅନେକ ଦିଗ୍‌ଦର୍ଶନ ବି ଦେଇଆସିଛି । ଯୌନଶିକ୍ଷା ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଦିଆଯିବାର ବ୍ୟବସ୍ଥା ହେବାଲାଗି ସରକାର ସିଦ୍ଧାନ୍ତ କଲେ । ସେହି ପରିଳ୍ପିତ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ପଦକ୍ଷେପ ନେବାକୁ ଯାଉଥିବାବେଳେ, ‘ଡଗର’ ସେହି ପଦକ୍ଷେପ ଉପରେ ମନ୍ତବ୍ୟ ଦେଇ କହିଥିଲେ- ‘‘ଓଡ଼ିଶାର ଶିକ୍ଷାବିତ୍‌ମାନେ ମଧ୍ୟ ବିଚଳିତ ହୋଇ ପଡ଼ିଛନ୍ତି । ଗତ କେତେ ମାସ ତଳେ ଶିକ୍ଷାବିତ୍‌ମାନଙ୍କର ଏକ ସମ୍ପାଦନରେ ଆମ ନାରୀଶିକ୍ଷାର ସର୍ବୋଚ୍ଚ କର୍ତୀ (ଏବେ ଭୂତ) ‘ଶ୍ରୀମତୀ ସିନ୍‌ହା (ଏକଦା କୁମାରୀ ଖାନ) ତାଙ୍କର ଏ ବୟସରେ ସୌନ୍ଦର୍ଯ୍ୟବୋଧର ସମୁଜ୍ଜଳ ଦୃଷ୍ଟାନ୍ତ ଦେବା ସଙ୍ଗେ ସଙ୍ଗେ ସୁଦୃଢ଼ ମତ ବ୍ୟକ୍ତ କଲେ ଯେ, ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନଙ୍କ sex education ବା ଯୌନଶିକ୍ଷା ଦେବା ବିଧେୟ । ବିଲୁଆମାନଙ୍କ ସଭାରେ ଏହାର ଆଲୋଚନା ହୋଇ ଏହି ସାର ହେଲା ଯେ ସରକାର ଏହି ପ୍ରସ୍ତାବ କାର୍ଯ୍ୟକାରୀ କରିବା ପାଇଁ ସତ୍ଵର ବ୍ୟବସ୍ଥା କରିବାକୁ ବିଲୁଆ ସଭା ସୁପାରିଶ କରୁଛି । ଏଥିପାଇଁ ଏକ ନୂତନ ଶିକ୍ଷା ବିଭାଗ ଖୋଲାଯାଇ ଶ୍ରୀମତୀ ସିହ୍ନାଙ୍କୁ ଡାଇରେକ୍ଟର କରି ଦିଆଯାଉ । ତତ୍‌ସଙ୍ଗେ ସଙ୍ଗେ ପରିବାର ନିୟନ୍ତ୍ରଣ ବିଭାଗକୁ ମଧ୍ୟ ସେହି ଡିରେକ୍ଟରରେଟ୍‌ ଅଧୀନରେ ରଖି ଦିଆଯାଉ ।’’ (‘ବିଲୁଆ ବିଚାର’ - ୩୧ଶ ବର୍ଷ ୩ୟସଂଖ୍ୟା-୧୯୬୬)

 

‘ଡଗର’ ପ୍ରକାଶ ପାଇବା ସମ୍ବାଦରେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିମାନେ ତା’ର ପ୍ରକାଶନକୁ ସ୍ଵାଗତ ଜଣାଇଥିଲେ । କାରଣ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରତିଷ୍ଠିତ ‘ଡଗର’ ଓ ତା’ର ସମ୍ପାଦକ ସାହିତ୍ୟିକ ନିତ୍ୟାନନ୍ଦଙ୍କ ପ୍ରତି ସବୁଶ୍ରେଣୀର ସାହିତ୍ୟିକ ଓ ସାହିତ୍ୟପାଠକଙ୍କ ଶ୍ରଦ୍ଧା ରହିଥିଲା । ନିତ୍ୟାନନ୍ଦ ନିଜ ସାଧନା ଓ ପ୍ରତିଭା ବଳରେ ଜଣେ ଜଣାଶୁଣା ସାହିତ୍ୟକର ସମ୍ମାନ ପାଇପାରିଛନ୍ତି-। ପତ୍ରିକା ସମ୍ପାଦନା ସହଜ ବ୍ୟାପାର ନୁହେଁ, ଏହା ସଂକଳନ ନୁହେଁ - ସମ୍ପାଦନା । ସଂକଳକର ଆସନରେ ସଂପାଦକ ବସିବା ଠିକ୍‌ ନୁହେଁ । ଏହି ପଦବୀର ଦାୟିତ୍ଵ ଯଥେଷ୍ଟ । ଏହା ଜାତି, ଦେଶ, ସଂସ୍କୃତି, ଓ ସାହିତ୍ୟ ଗଠନରେ ବଳିଷ୍ଠ ଭୂମିକା ନେଇଥାଏ । ନିତ୍ୟାନନ୍ଦ ସମ୍ପାଦକ ଭାବରେ ଏହି ଦାୟିତ୍ୱ ସୁଚାରୁ ରୂପେ ସମ୍ପାଦନ କରି ଯଶସ୍ଵୀ ହୋଇଛନ୍ତି । ଏହି ଆଶା ଓ ଭରସା ରଖି ‘ଡଗର’ ପ୍ରକାଶନରେ ପ୍ରୀତ ହୋଇ କବିଶେଖର ଚିନ୍ତାମଣି ମହାନ୍ତି ଶୁଭେଚ୍ଛା ଜଣାଇଥିଲେ -

 

‘‘ସ୍ଵାଗତ ନବୀନ ବନ୍ଧୁ ହେ ଶିଶୁ ଡଗର,

ଅର୍ପ ନବୋତ୍କଳ କର୍ଣ୍ଣେ ମଙ୍ଗଳ ମନ୍ତର ।

ରାଜାଙ୍କର ହୁଅ ଦୂତ, ପ୍ରଜାଙ୍କର ମିତ୍ର ।

ଦେଖାଅ ଉନ୍ନତ ନବ ସାହିତ୍ୟର ଚିତ୍ର ।

ହୁଅ ତୁମେ ଦୀର୍ଘଜୀବୀ ସିଦ୍ଧ ମନୋରଥ,

ପୁଷ୍ପାସ୍ତୃତ ହେଉତବ ପୁଣ୍ୟ ଗତିପଥ ।

ଲଭ ଶିଶୁ ସମାଜର ପ୍ରାସାଦେ କୁଟୀର,

ବିଶ୍ୱବାଣୀ ଆଶୀର୍ବାଦ ବର୍ଷୁତବ, ଶିରେ ।’

      (ପ୍ରଥମବର୍ଷ ୧ମ ସଂଖ୍ୟା ‘ଡଗର’)

 

ସମ୍ପାଦକ ନିତ୍ୟାନନ୍ଦଙ୍କ ଦୂରଦୃଷ୍ଟି ଅଭିନନ୍ଦନୀୟ । ପତ୍ରିକା ପ୍ରକାଶ ମୂଳରେ ଜାତି ଓ ଦେଶର ଅଭିବୃଦ୍ଧି ଲକ୍ଷ୍ୟ ରହିବା ଏକାନ୍ତ ଜରୁରୀ । ଆଜିର ଶିଶୁ ଆସନ୍ତା କାଲିର ଦାୟିତ୍ୱବାହକ ନାଗରିକ । ସେହିପରି ଶିଶୁ କି କିଶୋରବସ୍ଥାରୁ ପ୍ରତିଭାବାନକୁ ଚିହ୍ନି, ସେହି ପ୍ରତିଭାର ବିକାଶରେ ଧ୍ୟାନ ଦେବା ଗୁରୁଜନଙ୍କ କର୍ତ୍ତବ୍ୟ । ନଚେତ୍‌ ଏମିତି ବଣମଲ୍ଲୀ ବଣରେ ଫୁଟି ଲୋକଲୋଚନ ଅଗୋଚରରେ ଝଡ଼ିଯିବାର ସମ୍ଭାବନା ଯଥେଷ୍ଟ । ଏହାକୁ ଦୃଷ୍ଟିରେ ରଖି, କିଶୋର ଓ ଶିଶୁ ପ୍ରତିଭାକୁ ପରିଚିତ କରିବା ଓ ସେମାନଙ୍କୁ ସାହିତ୍ୟ ସୃଷ୍ଟିରେ ଉତ୍ସାହିତ କରିବା ହେଉଛି ସମ୍ପାଦକଙ୍କ ଦାୟିତ୍ଵ । ‘ଡଗର’ରେ ‘ନାଗବଚାଦଳ’ ପ୍ରକାଶ କରି ସମ୍ପାଦକ ଶିଶୁ-କିଶୋର ଲେଖକ ଲେଖିକାମାନଙ୍କୁ ଉତ୍ସାହିତ କରିବାରୁ ଯୋଜନା କରିଥିଲେ । ପୂର୍ବରୁ ୧୮୯୭ ମସିହାରେ ବିଶ୍ଵନାଥ କରଙ୍କ ସମ୍ପାଦନାରେ ପ୍ରକାଶିତ ‘ଉତ୍କଳ ସାହିତ୍ୟ’, ୧୯୦୫ ମସିହାରେ ବ୍ରଜସୁନ୍ଦର ଦାସଙ୍କ ଦ୍ୱାରା ସମ୍ପାଦିତ ‘ମୁକୁର’, ପ୍ରଭୃତି ପତ୍ରିକାରେ ଶିଶୁମାନଙ୍କ ପାଇଁ ଲେଖା ପ୍ରକାଶ ପାଉଥିଲେ ହେ, ନିର୍ଦ୍ଦିଷ୍ଟ ବିଭାଗ କିଛି ନଥିଲା । ୧୯୨୪ ମସିହାରେ ପ୍ରକାଶ ପାଇଲା ରାଜକିଶୋର ଦାସଙ୍କ ସମ୍ପାଦନାରେ ‘ବାରୁଣୀ’ । ଏଥିରେ ସର୍ବପ୍ରଥମ ଶିଶୁ ସାହିତ୍ୟ ପ୍ରକାଶ ପାଇଁ ନିର୍ଦ୍ଦିଷ୍ଟ ବିଭାଗ ଭାବରେ ‘ଶିଶୁସଂସାର’ ସଂଯୋଜିତ ହେଲା । ୧୯୩୭ ମସିହାରେ ଦ୍ଵିତୀୟ ଓଡ଼ିଆ ପତ୍ରିକା ‘ଡଗର’ରେ ନିର୍ଦ୍ଦିଷ୍ଟ ଶିଶୁ ବିଭାଗ ‘ନାଗବଚ୍ଚାଦଳ’ ସଂଯୋଜିତ, କରାଯାଇଥିଲା । ୧୯୦୯ ମସିହାରେ ପ୍ରଥମ ଓଡ଼ିଆ ଶିଶୁ ପତ୍ରିକା ‘ପ୍ରଭାତ’ ପ୍ରକାଶ ପାଇଥିଲା । ଏହାର ସମ୍ପାଦିକା ଥିଲେ ରେବା ରାୟ । ୧୯୨୦ ମସିହାରେ ଦ୍ୱିତୀୟ ଶିଶୁପତ୍ରିକା ‘ପଞ୍ଚାମୃତ’ ପ୍ରକାଶ ପାଇଲା । ଏହାକୁ ଚିନ୍ତାମଣି ଆଚାର୍ଯ୍ୟ ଓ ଅଗଣି ଦାସ ସମ୍ପାଦନା କରୁଥିଲେ । ୧୯୩୨ ମସିହାରେ ତୃତୀୟ ଶିଶୁପତ୍ରିକା ‘ଜହ୍ନମାମୁଁ’ ପ୍ରକାଶ ପାଇଥିଲା । ଏହାର ସମ୍ପାଦକ ଥିଲେ ବାଳକୃଷ୍ଣ କର । ଏମିତି ଏକ ପରିବେଶ ଭିତରେ ‘ଡଗର’ରେ ସ୍ଥାନ ପାଇଥିବା ‘ନାଗବଚ୍ଚା’ ଦଳ ବିଭାଗ ଆଦୃତ ହେବା ସ୍ଵାଭାବିକ । ଓଡ଼ିଶାରେ ଆଜି ପ୍ରତିଷ୍ଠା ଅର୍ଜନ କରିଥିବା ଲେଖକ ଲେଖିକାମାନେ ଦିନେ ଏହି ବିଭାଗରେ ଲେଖା ଆରମ୍ଭ କରିଥିଲେ । ଲେଖାଲେଖି ପାଇଁ ଉତ୍ସାହିତ ହୋଇଥିଲେ । କବି ବ୍ରଜନାଥ ରଥ ଓ ଆହୁରି ଅନେକ ଆଦିର ପରିଚିତ ଲେଖକଙ୍କ ଆଦ୍ୟ ପରିଚୟ ସ୍ତମ୍ଭ ଥିଲା ଏହି ‘ନାଗବଚ୍ଚାଦଳ’ ବିଭାଗ । ଦିନେ ମୋ' ଠାରୁ ସମ୍ପାଦକ ନିତ୍ୟାନନ୍ଦ ଏହି ବିଭାଗ ପାଇଁ ଲେଖା ମତାଇନେଇ, ଲେଖିବା ପାଇଁ ଯେଉଁ ଉତ୍ସାହ ଦେଇଥିଲେ, ତାହା ସ୍ମରଣୀୟ ହୋଇ ରହିଛି । ଏହି ବିଭାଗ ପାଇଁ ଆସୁଥିବା ଲେଖାଗୁଡ଼ିକୁ ଚୟନ କରି, ସଂଶୋଧନ ପରେ ସମ୍ପାଦକ ‘ଡଗର’ରେ ଛାପନ୍ତି । ଫଳରେ ଲେଖା ମାର୍ଜିତ ହୋଇ ପ୍ରକାଶ ପାଇବା ସହିତ, ଲେଖକ କି ଲେଖିକା ନିଜକୁ ସୁଧାରି ନିଅନ୍ତି । ପ୍ରଥମ ସଂଖ୍ୟାରେ ଏହି ବିଭାଗର ଗୁରୁତ୍ଵ ପ୍ରଦର୍ଶନ କରି ସମ୍ପାଦକ ସୂଚନା ଦେଇଥିଲେ - ଆପଣଙ୍କ ପିଲାଏ ମନଲଗାଇ ପାଠ ପଢ଼ୁନାହାନ୍ତି ‘ଡଗର’ର ‘ନାଗବଚ୍ଚା’ ବିଭାଗ ତାଙ୍କୁ ବାଟକୁ ନେଇ ଆସିବ-।’’ ‘ଶବ୍ଦଧନ୍ଦା’ ପ୍ରତିଯୋଗିତାରେ କୃତୀତ୍ୱ ଲାଭ କରିଥିବା ପ୍ରତିଯୋଗୀଙ୍କୁ ୨୫ଟଙ୍କା ପୁରସ୍କାର ଦିଆଯାଇଥାଏ । ଏଥିରେ ଭାଗ ନେଇ, ଆପଣା ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବା ଲକ୍ଷ୍ୟରେ ଏପରି ବ୍ୟବସ୍ଥା ସମ୍ପାଦକ କରିଥାଆନ୍ତି । କିଶୋର କିଶୋରୀମାନେ ନୂଆ ନୂଆ ଶବ୍ଦ ପ୍ରତି ଆକୃଷ୍ଠ ହେବେ, ଜ୍ଞାନର ପରିସୀମା ପ୍ରସାରିତ ହେବ ଏହି ଉଦ୍ଦେଶ୍ୟରେ ଏହା କରାଯାଇଥାଏ-। ଶବ୍ଦଧନ୍ଦା ସମ୍ପାଦକ ନିତ୍ୟାନନ୍ଦ ପରିଚାଳନା କରୁଥିଲେ । ଏଥିରେ ତାଙ୍କ ପାଣ୍ଡିତ୍ୟର ସୂଚନା ମିଳିଥାଏ । ପିଲାମାନଙ୍କ ସୁପ୍ତ ପ୍ରତିଭାକୁ ଜାଗ୍ରତ କରିବା- ଲେଖାଲେଖି ପାଇଁ ଆଗ୍ରହୀ କରାଇବା- ମାତୃଭାଷାକୁ ଭଲ ପାଇବା ଆଦି ଆଭିମୁଖ୍ୟ ରଖାଯାଇଥାଏ । ୧୬ ବର୍ଷରୁ ଅଳ୍ପ ପିଲାମାନଙ୍କୁ ନାଗବଚ୍ଚା ଦଳରେ ଗ୍ରହଣ କରାଯାଉଥାଏ ।

 

‘ଡଗର’ କେବଳ ନିର୍ଦ୍ଦିଷ୍ଟ ପାଠକଙ୍କ ପାଇଁ ଉଦ୍ଦିଷ୍ଟ ନହୋଇ, ଏହା ସବୁ ଶ୍ରେଣୀର ପାଠକଙ୍କ ଦ୍ଵାରା ଆଦୃତ ହେଉ, ଏହା ଥାଏ ସମ୍ପାଦକଙ୍କ ଇଚ୍ଛା । ସେ ତାଙ୍କ ମନକଥାରେ ପ୍ରକାଶକରି ଲେଖିଥିଲେ- ‘‘ଯଦି ଆପଣଙ୍କ ମନ ଭଲ ନାହିଁ, ତେବେ ମଜାକଥା, ‘ହସଖୁସ’ ବିଭାଗ ‘ଡଗର’ ଆପଣଙ୍କୁ ହସାଇ ହସାଇ ଭୁଲାଇ ଦେବ ।’’

 

‘ଡଗର’ ଗଳ୍ପ ବିଭାଗ, ପାଠକମାନଙ୍କ ସହିତ ଏପରି ମିଶିଯିବାର ସମ୍ପାଦକ ଲକ୍ଷ୍ୟ ରଖିଥାନ୍ତି, ଯେପରି କୌଣସି ବ୍ୟକ୍ତି କର୍ମହୀନ ହୋଇ ବସିଥିଲେ ତାଙ୍କୁ ଏହା ଅନ୍ୟଜଗତକୁ ନେଇଯିବ । ‘କାହାଣୀ’ ବିଭାଗ ସଂପର୍କରେ ସମ୍ପାଦକ କହିଥିଲେ- ‘‘ଆପଣଙ୍କ ସମୟ କଟୁ ନାହିଁ - ‘‘ଡଗର କଥା ଛଳରେ ଆପଣଙ୍କୁ ବହଲାଇ ଦେବ ।’’

 

‘ଡଗର’ ଭବିଷ୍ୟତ ଜୀବନର କେତେ ଆଶାର ଆଲୋକ ଜାଳିଦେଇ ପାରେ- ଏହାକୁ ଲକ୍ଷ୍ୟ କରି ସମ୍ପାଦକ ‘ଭାଗ୍ୟଫଳ ବିଭାଗ’ ସମ୍ପର୍କରେ ସୂଚନା ଦେଇଥିଲେ- ‘‘ଆପଣ ଜୀବନ ସଂଗ୍ରାମରେ ହତାଶ ହୋଇ ପଡ଼ିଛନ୍ତି- ଡଗର ଆପଣଙ୍କର ଉଜ୍ଜ୍ୱଳ ଭବିଷ୍ୟତର ରଶ୍ମିରେଖା ଦେଖାଇ ଉଦ୍‌ଜୀବିତ କରିବ ।’’

 

‘ଡଗର’ ସାମାଜିକ ଅର୍ଥନୀତିକ ଦିଗ ପ୍ରତି ଧ୍ୟାନ ଦେଇଥାଏ । ଅର୍ଥନୀତି ସମୃଦ୍ଧ ହେଲେ ସାହିତ୍ୟ ଓ ସଂସ୍କୃତିର ଅଭିବୃଦ୍ଧି ସମ୍ଭବ ଏହା ସମ୍ପାଦକ ଅନୁଭବ କରି, ‘ଶବ୍ଦଧନ୍ଦା ବିଭାଗ’ର ଆଭିମୁଖ୍ୟ ଦର୍ଶାଇ ଲେଖିଥିଲେ- ‘‘ଆପଣ ବେକାର ହେଇ ବସିଛନ୍ତି- ‘ଡଗର’ ଆପଣଙ୍କୁ ଦାନା ଯୋଗାଇ ଦେବ ।’’

 

ଶରୀର ଯେଉଁଠି ରୋଗ ସେଇଠି । ଯୌନ ଜୀବନ ମଣିଷ ପାଇଁ ଆବଶ୍ୟକ ହୁଏତ ହୋଇପାରେ, ତେବେ ଯୌବନକାଳୀନ ଯୌନର ଆବଶ୍ୟକତାକୁ ‘ଡଗର’ ଚେତାଇ ଦିଏ । ସୁସ୍ଥ ସୁନ୍ଦର ଶରୀର ପାଇଁ ଏହାର ‘ଯୌନ ଓ ଯୌବନ’ ବିଭାଗ କିପରି ଉତ୍ସର୍ଗକୃତ, ତା’ର ସୂଚନା ଦେବାକୁ ଯାଇ ସମ୍ପାଦକ କହିଥାଆନ୍ତି- ଆପଣଙ୍କ ଦେହ ଭଲ ନାହିଁ- ‘ଡଗର’ ଆପଣଙ୍କୁ ସୁପଥ୍ୟ ଦେଇ ସୁସ୍ଥ କରିଦେବ ।’’ ସମ୍ପାଦକ କେବଳ ସଂକଳକ ନୁହେଁ - କି କେବଳ ସମ୍ପାଦନା କରେନାହିଁ । ଏହା ସହିତ ଦେଶ ଦୁନିଆଁର ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ମଧ୍ୟ ଦୃଷ୍ଟି ରଖିଥାଏ । ‘ଡଗର’ର ସମ୍ପାଦକୀୟ କେବଳ ସାହିତ୍ୟ, ସଂସ୍କୃତି, ଭାଷା ଉପରେ ଲେଖା ହେଉନଥିଲା । ଏଥରେ ରାଜନୀତି, ଅର୍ଥନୀତି, ପ୍ରଶାସନ ଓ ସାଂପ୍ରତିକ ସମାଜ ଉପରେ ଆଲୋକପାତ କରାଯାଉଥାଏ । ‘ଡଗର’ର ସମ୍ପାଦକୀୟ ଆକର୍ଷଣୀୟ - ସମ୍ପାଦକ ନିଜର ପାଣ୍ଡିତ୍ୟ ସମୀକ୍ଷା ମନୋଭାବ ଓ ବିଶ୍ଳେଷଣ ପ୍ରବୃତ୍ତିର ପରିଚୟ ଦେଇଥାଆନ୍ତି । -‘‘ଦେଶର ଉତ୍କଟ ରାଜନୀତି ଆପଣଙ୍କ ଜୀର୍ଣ୍ଣ ହେଉନାହିଁ - ଡଗର ସମ୍ପାଦକୀୟ ଆପଣଙ୍କ ପାଇଁ ଖାଣ୍ଟି ସନ୍ଧୈବ ଲବଣର ବ୍ୟବସ୍ଥା କରିବ ।’’ ଏହି ସମସ୍ତ ଜ୍ଞାତବ୍ୟ ତଥ୍ୟରୁ ‘ଡଗର’ର ପରିଚୟ ମିଳିଥାଏ ।

 

ସ୍ଵାଧୀନତା ପରେ ଯେଉଁ ପତ୍ରପତ୍ରିକାଗୁଡ଼ିକ ପ୍ରକାଶ ପାଇଛି, ବା ପୂର୍ବରୁ ‘ଉତ୍କଳଦୀପିକା’, ‘ସମ୍ବାଦ ବାହିକା’ ‘ଉତ୍କଳ ସାହିତ୍ୟ’ ଆଦିର ସମ୍ପାଦକମାନେ ନାନା ବିଷୟ ଉପରେ ଧ୍ୟାନ ରଖିଥିଲେ-। ଦେଶ ଗଠନ ଏମାନଙ୍କର ଲକ୍ଷ୍ୟ ଥିଲା । ସମ୍ପାଦକ ନିତ୍ୟାନନ୍ଦ ଏମାନଙ୍କ ଯଥାର୍ଥ ଦାୟାଦ ରୂପେ ପତ୍ରିକା ସମ୍ପାଦନାକରି ଯଥାର୍ଥ କର୍ତ୍ତବ୍ୟ ସମ୍ପାଦନ କରିଥିଲେ । ସ୍ପଷ୍ଟ ଓ ନିର୍ଭୀକ ଭାବରେ ସମ୍ପାଦକୀୟ ପୃଷ୍ଠାରେ, ଆକଣ୍ଠ ଉଚ୍ଚାରଣ ଲାଗି ନିତ୍ୟାନନ୍ଦ ଦ୍ୱିଧା ପ୍ରକାଶ କରନ୍ତି ନାହିଁ । ସେ ଲେଖିଥିଲେ- ‘‘ଭାରତରେ ଗଣତନ୍ତ୍ର କ୍ରମାଗତ ଭାବରେ ଗଣତନ୍ତ୍ରର ରକ୍ଷାକର୍ତ୍ତାମାନଙ୍କ ଦ୍ଵାରା ହିଁ କ୍ଷୟ ସାଧିତ ହୋଇ ଆସୁଛି । କେବଳ ଯେ ଲୋକସଭା ବା ବିଧାନସଭାର ସଭ୍ୟମାନଙ୍କ କିଣାବିକା ଦ୍ୱାରା ଗଣତନ୍ତ୍ର ବିପର୍ଯ୍ୟସ୍ତ ହେଉଛି ତା ନୁହେଁ, ଏ କିଣାବିକା, ବ୍ୟାଧିର ସାମାନ୍ୟ ଗୋଟାଏ ଉପସର୍ଗ ମାତ୍ର । ତାହାର ନିଦାନ ଅନ୍ୟତ୍ର । ବର୍ତ୍ତମାନ କ୍ଷମତାଲିପ୍‌ସା ସମସ୍ତଙ୍କୁ ଗ୍ରାସ କରିଛି । କୌଣସି ଗୋଟିଏ ଦଳ ଏ ବ୍ୟାଧିର ମୁକ୍ତ ନୁହେଁ ବା କୌଣସି ନୂତନ ଦଳ ଏ ବ୍ୟାଧିର ପ୍ରତିଷେଧକ ଘେନି ଜନ୍ମଲାଭ କରିନାହିଁ । ଦୁର୍ନୀତି ଏହି ବ୍ୟାଧିର ପ୍ରତିଷେଧକ ଘେନି ଜନ୍ମଲାଭ କରିନାହିଁ । ଦୁର୍ନୀତି ଏହି ବ୍ୟାଧିର ଉତ୍କଟାବସ୍ଥା । ଶାସକଦଳ ଅଧିକ ଜୀବାଣୁ ସଂକ୍ରମଣର ହତଭାଗ୍ୟ କ୍ଷେତ୍ର, ତେଣୁ ଅଧିକ ବ୍ୟାଧିଗ୍ରସ୍ତ । ପୁନଶ୍ଚ ଅମଲାମାନଙ୍କ ଚରିତ୍ର ଓ ସ୍ଵଭାବକୁ ଜନଜୀବନର ପ୍ରତିନିଧି ରୂପେ ସମ୍ପାଦକ ନିତ୍ୟାନନ୍ଦ ଠିକ୍‌ ବୁଝିଥିଲେ । ସେ ଏହି ମର୍ମରେ କହିଥାଆନ୍ତି- ‘‘ଶାସକ କଳର ଅମଲାମାନଙ୍କୁ ଅନ୍ୟାୟ ନିଯୁକ୍ତି ଓ ପ୍ରମୋଶନ ଦ୍ଵାରା ଭ୍ରଷ୍ଟ କରାଯାଉଛି ଓ ଯାଇଛି । ପ୍ରମୋଶନ ପାଇବା ବା ମନ୍ତ୍ରୀମାନଙ୍କ ପ୍ରିୟପାତ୍ର ହେବା ଆଶାରେ ସେମାନେ ଆଇନକୁ ନଚାହିଁ ମନ୍ତ୍ରୀଙ୍କ ମୁହିଁକୁ ଚାହିଁ ବସିଛନ୍ତି । ଫଳରେ ଶାସନ ଦଣ୍ଡର ବାରଣ (Check) ଓ ନ୍ୟାୟଦଣ୍ଡର ଧାରଣ (Balance) ଆଉ ଫଳପ୍ରଦ ହେଉନାହିଁ । ଯେକୌଣସି ସୁପଦ୍ଧତି ସଂପନ୍ନ ଶାସନରେ ଯେତେବେଳେ ଶାସକ ନିଜକୁ ପ୍ରବଞ୍ଚନା କରିବାକୁ ବାଧ୍ୟ ହୁଏ, ଅନ୍ୟକୁ ପ୍ରବଞ୍ଚିତ କରିବାର ଚରମ ଦୁର୍ଗତିର ପରିଣାମ ସ୍ଵରୂପ, ସେତେବେଳେ ସେ ଭ୍ରଷ୍ଟ ହୋଇଯାଏ, ଶାସନ ମଧ୍ୟ ଭ୍ରଷ୍ଟ ହୁଏ । ଆଜି ବାସ୍ତବିକ ଭାରତରେ ଗଣତନ୍ତ୍ର ଅତି ବିପନ୍ନ ।’’ (ନିର୍ବାଣୋନ୍ମଖ ଗଣତନ୍ତ୍ର, - ସମ୍ପାଦକୀୟ ୩୦ ବର୍ଷ ୩ୟ ସଂଖ୍ୟା- ସେପ୍ଟେମ୍ବର ୧୯୬୬) । ସମ୍ପାଦକ ଜଣେ ଦୂରଦୃଷ୍ଟି ସଂପନ୍ନ ଚିନ୍ତାନାୟକ- ରାଜନୀତିଜ୍ଞ, ପ୍ରତିଭାସଂପନ୍ନ ସାହିତ୍ୟିକ ତଥା ବହୁ ଶାସ୍ତ୍ରଦର୍ଶୀ ହୋଇଥିବାରୁ, ସମ୍ବାଦ ସାହିତ୍ୟ ସୃଷ୍ଟିରେ ନିପୁଣତା ପ୍ରଦର୍ଶନ କରିଛନ୍ତି । ତାଙ୍କର ବହୁ ସମ୍ପାଦକୀୟ ଯଥାର୍ଥରେ ଉଚ୍ଚମାନର ‘ସମ୍ବାଦ - ସାହିତ୍ୟ’ ପଦବାଚ୍ୟ । ‘ଡଗର’ରେ ପ୍ରକାଶ ପାଉଥିବା ବିଭିନ୍ନ ବିଭାଗ ପାଇଁ ଏକଦା ଗଠିତ ସମ୍ପାଦନା ମଣ୍ଡଳୀର ସଦସ୍ୟଙ୍କ ନାମ ଘୋଷିତ ହୋଇଥିଲା । ବସ୍ତୁତଃ ସମ୍ପାଦକ ନିତ୍ୟାନନ୍ଦ ପତ୍ରିକାର ସମସ୍ତ ବିଭାଗର ତତ୍ତ୍ୱାବଧାରକ ଥିଲେ । ସମ୍ପାଦନା ଦାୟିତ୍ୱବାହକମାନଙ୍କ ନାମ ହାସ୍ୟଦ୍ଦୀପକ ହୋଇଥିଲା । ‘ସମ୍ପାଦକୀୟ’ ଲିଖନ ଓ ସମ୍ପାଦନ ଦାୟିତ୍ୱ ନେଇଥିଲେ ଦୀର୍ଘଗ୍ରୀବ । ଶୁକଦେବଙ୍କୁ ‘କାହାଣୀ’ ବିଭାଗ ଦାୟିତ୍ୱ ଦିଆଯାଇଥିବାବେଳେ, କୁହାଳିଆ ନେଇଥିଲେ ‘ମଜାକଥା’ ଦାୟିତ୍ଵ । ‘କଳାକୌତୁକ’ ଚିତ୍ରରଥ ସମ୍ପାଦନା କରୁଥିଲେ । ପ୍ରିୟ ଅଜାଙ୍କୁ ‘ନାଗବଚ୍ଚା ଦଳ’ ଦାୟିତ୍ୱରେ ରଖାଯାଇଥିଲା । କପିବର ‘ଲାଳିକା’ ପରଷିବା ସମ୍ପାଦନ କରୁଥିବାବେଳେ, ନକଲ ନବିସ ‘ହସଖୁସି’ ସଜାଡ଼ୁଥିଲେ । ‘ଯୌନ ଓ ଯୌବନ’କୁ ନିଜ ହାତରେ ରଖିଥିଲେ ପୁଷ୍ପଧନୁ । ବୃହସ୍ପତିଙ୍କ ଦ୍ଵାରା ‘ଭାଗ୍ୟଫଳ’ ଗଣନା କରାଯାଉଥିଲା । ‘ବହିପତ୍ର’ର ସମୀକ୍ଷା ତନଖିଥିଲେ ଶୁକ୍ରାଚାର୍ଯ୍ୟ । ଏହା ସହିତ ନାଗରାଜା ‘ଶବ୍ଦଧନ୍ଦା’, ଗଣପତି ‘ଚିଟାଉ’, ଚାର ‘ଖବର ଅନ୍ତର’ ବିଭାଗ ନିଜ ହାତରେ ରଖିଥିଲେ । (ପ୍ରଥମ ବର୍ଷ ଚତୁର୍ଥ ସଂଖ୍ୟା- ‘ଡଗର’)

 

‘ଡଗର’କୁ ସମ୍ପାଦକ ଆକର୍ଷଣୀୟ କରିବାରେ ମନପ୍ରାଣ ଢାଳି ଦେଇଥିଲେ । ସୁସମ୍ପାଦନା ଏହାକୁ କରିଥିଲା ପ୍ରାଣବନ୍ତ । ‘ନବ ରାମାୟଣ’ କାବ୍ୟ ଏହାର ଥିଲା ଉଲ୍ଲେଖନୀୟ ଅନ୍ୟ ଏକ ବ୍ୟଙ୍ଗ ରଚନା । ଏହା ଅମିତ୍ରାକ୍ଷରରେ ଲିଖିତ ହୋଇଥାଏ ପାଠକକୁ ବାନ୍ଧି ରଖିବାର ପ୍ରାଣଶକ୍ତି ଅତ୍ୟନ୍ତ ସୁଦୃଢ଼-ଏପରି ରଚନା ଏହା ପୂର୍ବରୁ ଓଡ଼ିଆ ପତ୍ରିକାରେ ସ୍ଥାନିତ ହୋଇ ନ ଥିଲା । ଏହା ସମ୍ପାଦକଙ୍କ ନୂତନ ସଂଯୋଜନା ଓ ସର୍ଜନା । କାବ୍ୟର ମଙ୍ଗଳା ଚରଣକୁ ‘ବେଙ୍ଗଳା ଚରଣ’ ଏବଂ କାଣ୍ଡକୁ ‘ଦୋମୁନାକାଣ୍ଡ’ ଅବା ‘ତେଶିରା କାଣ୍ଡ’ ପ୍ରଭୃତି ନାମକରଣ କରାଯାଇଛି । ଏହି ସ୍ତମ୍ଭରେ ପ୍ରକାଶ ପାଇଥିଲା-

 

‘‘ଉତ୍କଳ ଭାରତୀ ମାଗୋ, ଝଙ୍କଡ଼ ବାସିନୀ

ପୂଜିବାକୁ ତୋରପଦ ବଳାଇଛି ମନ

ମଡ଼ର୍ଣ୍ଣ ଫେଶନେ, ମାତ୍ର ପୂଜା ଆୟୋଜନ

କରୁଁ କରୁଁ ପାଇଲିଣି ବହୁ ତକଲିଫ୍‌

ମୁଣ୍ଡର ବରଫ ତଳ ହେଲାଣି ବରଫ

x      x       x

କୁନା ମୋ କଲମ ମୁନ ଓକାଳୁ ନିରତେ

ନିପଟ, ନିରୋଳା, ଛଙ୍କା, ବ୍ୟଙ୍ଗ ରସାବଳୀ

ଯାହା ଗିଳି ସଡ଼ସଡ଼ ରସିକ ଉତ୍କଳୀ

ଦଣ୍ଡେ ହେଲେ ପେଟଜ୍ୱାଳା ପିଠିଜ୍ଵାଳା ଭୁଲି

ହାସ୍ୟଲାସ୍ୟ- ରସାମୋଦେ ଉଠନ୍ତୁ ଉଲ୍ଲସି ।’’

(‘ନବରାମାୟଣ’ - ବେଙ୍ଗଳା ଚରଣ-ପ୍ରଥମବର୍ଷ, ୫ମ ସଂଖ୍ୟା- ‘ଡଗର’)

 

‘ଡଗର’ର ଜନ୍ମ ୧୯୩୭ରେ ଗୋପୀନାଥ ପ୍ରେସ ଭଦ୍ରକ-‘ଡଗର’ କଟକର ପୀଠାପୁରସ୍ଥ ଡଗର ପ୍ରେସକୁ ସ୍ଥାନାନ୍ତର ହୁଏ ୧୯୫୦ ମସିହାରେ । ତ୍ରୟୋଦଶ ବର୍ଷର ପ୍ରଥମ ସଂଖ୍ୟା କଟକରୁ ପ୍ରକାଶ ପାଇଲା । ୧୯୫୨ ମସିହା ପର୍ଯ୍ୟନ୍ତ ୧୫ ବର୍ଷ କାଳ ଏଥରେ ହାସ୍ୟରସାତ୍କମ ଓ ବ୍ୟଙ୍ଗାତ୍ମକ ରଚନାକୁ ଗୁରୁତ୍ଵ ଦିଆଯାଇଥିଲା । ୧୯୫୩ ମସିହାଠାରୁ ଏହାର ୧୬ ବର୍ଷ ବେଳେ, ସମ୍ପାଦକ ନିତ୍ୟାନନ୍ଦ ପତ୍ରିକାରେ ଗବେଷଣାଧର୍ମୀ ସମୀକ୍ଷା ପ୍ରକାଶ କରିବା ଲାଗି ସିଦ୍ଧାନ୍ତ ନେଲେ । ଏଥିରେ ସ୍ଥାନ ପାଇଲା ଡ. ନଟବର ସାମନ୍ତରାୟ, ଡ. ଦେବୀପ୍ରସନ୍ନ ପଟ୍ଟନାୟକ, ଅଧ୍ୟାପକ ଚିନ୍ତାମଣି ବେହେରା, ଡ. ଗଙ୍ଗାଧର ବଳ, ପ୍ରଫେସର ଡ. କୁଞ୍ଜବିହାରୀ ଦାଶ, ଅଧ୍ୟାପକ ପଠାଣି ପଟ୍ଟନାୟକ, ଗବେଷକ ପରମାନନ୍ଦ ଆଚାର୍ଯ୍ୟ ପ୍ରମୁଖ ବିଶିଷ୍ଟ ସମାଲୋଚକଙ୍କ ଉଚ୍ଚକୋଟୀର ସମାଲୋଚନାମାନ । ଗଳ୍ପ କ୍ଷେତ୍ରରେ ଖ୍ୟାତିସମ୍ପନ୍ନ କଥାକାର ସୁରେନ୍ଦ୍ର ମହାନ୍ତି, ଗୋପୀନାଥ ମହାନ୍ତି, ମନୋଜ ଦାସ, ମହାପାତ୍ର ନୀଳମଣି ସାହୁ, ବୀଣାପାଣି ମହାନ୍ତି ପ୍ରମୁଖ ଗାଳ୍ପିକଙ୍କୁ ଅଗ୍ରାଧିକାର ଦିଆଗଲା । ଯୁଗରୁଚିକୁ ଚାହିଁ ଆଧୁନିକ କବିଙ୍କ କବିତାକୁ ଅଧିକ ସ୍ଥାନିତ କରାଗଲା । ତେବେ ଫତୁରାନନ୍ଦ, ଚୌଧୁରୀ ହେମକାନ୍ତ ମିଶ୍ର, କୁଳମଣି ମହାପାତ୍ର, ବଟବିହାରୀ ଦାସ, ପୁଲିନ୍‌ ବିହାରୀ ରାୟ, ସୁନୀଲ ମିଶ୍ର ପ୍ରମୁଖଙ୍କ ହାସ୍ୟ- ବ୍ୟଙ୍ଗ ରଚନା ପ୍ରକାଶିତ ହେଲା ନାହିଁ ନୁହେଁ, ଏମାନଙ୍କ ରଚନାକୁ ମଧ୍ୟ ପ୍ରକାଶ କରାଗଲା । ସମ୍ପାଦକ ନିତ୍ୟାନନ୍ଦ ସ୍ଵରଚିତ ଗଳ୍ପ, କବିତା ଓ ହାସ୍ୟରଚନା ବି ପ୍ରକାଶ କରିବା ଅବ୍ୟାହତ ରଖିଲେ । ସେ ‘ଶସ୍ତା ସୁନ୍ଦର ମଜଭୁତ’ ପରି ଗଳ୍ପ (ରଜତ ଜୟନ୍ତୀ ବିଶେଷାଙ୍କ- ‘ଡଗର’ - ୧୯୬୨), ‘କନ୍ୟାକୁମାରୀ’, ପରି ଆଧୁନିକ ଗଦ୍ୟ କବିତା (ସେପ୍ଟେମ୍ବର- ୧୯୬୬) ଆଦି ଲେଖିଥିଲେ । ଯୁଗରୁଚିକୁ ଆଖିରେ ରଖି, ସମ୍ପାଦକ ନୂଆ ଧରଣର ଲେଖାମାନ ପ୍ରକାଶ କରିବାକୁ ଧ୍ୟାନ ଦେଲେ ।

 

୧୯୮୨ ମସିହାରେ ଏହା ଭୁବନେଶ୍ୱରରୁ ପ୍ରକାଶ ପାଇଲା । ସେଦିନ ୪ ପଇସା ମୂଲ୍ୟରେ ପ୍ରକାଶ ପାଉଥିବା ପାକ୍ଷିକ (ପ୍ରଥମ ‘ଡଗର’ର) ମୂଲ୍ୟ ଆଜି ୫ଟଙ୍କା ମାସିକ ରୂପରେ । କଟକରେ ଏହାର ମୁଖ୍ୟ ପରିଚାଳକ ହାସ୍ୟରସ ଲେଖକ ଫତୁରାନନ୍ଦ ତାଙ୍କ ଶାରୀରିକ ଅସୁସ୍ଥତା ପାଇଁ ‘ଡଗର’ ବୁଝାବୁଝି ପରିପାରିଲେ ନାହିଁ । ସେଥିପାଇଁ ନିଜେ ସମ୍ପାଦକ ଓ ସତ୍ତ୍ଵାଧିକାରୀ ନିତ୍ୟାନନ୍ଦ ନିଜ ବାସଭବନକୁ ଭୁବନେଶ୍ଵର ନେଇ ଆସିଲେ । କାନ୍ତକୁଟୀର ଡି/୪, ଖାରବେଳ ନଗର, ଭୁବନେଶ୍ୱର-୭୫୧୦୦୧ ଡଗର ପ୍ରେସରୁ ଏହା ମୁଦ୍ରିତ ହେଲା । ମହାଭାବ ପ୍ରକାଶ ମହାପାତ୍ର ଏହାର ପ୍ରକାଶକ ହେଲେ । ୧୯୯୨ ମସିହା ଜାନୁୟାରୀ ମାସରେ ଏହି ନୂତନ ପ୍ରସ୍ଥର ପ୍ରଥମ ସଂଖ୍ୟା ପ୍ରକାଶ ପାଇଲା । ସମ୍ପାଦକ ନିତ୍ୟାନନ୍ଦ ଲେଖିଥିଲେ- ‘‘ଅର୍ଦ୍ଧ ଶତାବ୍ଦୀ କାଳ ‘ଡଗର’ ଓଡ଼ିଆ ଜାତିର ସେବା କରି କ୍ଳାନ୍ତ ହୋଇ ପଡ଼ିଲା ପାଞ୍ଚବର୍ଷ ତଳେ । ଜୀବନଯାତ୍ରାର ଦୁର୍ଘଟଣା ମଧ୍ୟରେ ଗତିକରି ‘ଡଗର’ଯେ ଓଡ଼ିଶାରେ ପ୍ରକାଶିତ ସମସ୍ତ ପ୍ରତିକାଠାରୁ ଓଡ଼ିଶା ଦେଶ ଓ ଓଡ଼ିଆ ଭାଷାର ଅଧିକା କାଳ ସେବା କରିଆସିଛି ଏହା ଅଳ୍ପ ଗର୍ବ ଓ ଗୌରବର କଥା ନୁହେଁ ।’’ ବାପା, ମାଆ, ସେମାନଙ୍କ ପୁଅ, ଝିଅକୁ ନେଇ ଗର୍ବ କରିବା ପରି, ସମ୍ପାଦକ ତଥା ପରିବାରର ସମ୍ପତ୍ତି ‘ଡଗର’କୁ ନେଇ ନିତ୍ୟାନନ୍ଦ ଗର୍ବିତ ହେବା ସ୍ଵାଭାବିକ । ରଜତ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଥିଲା । ସୁବର୍ଣ୍ଣଜୟନ୍ତୀ ପାଳିତ ହେବା ସମ୍ଭବ ହେଲା ନାହିଁ । ନିତ୍ୟାନନ୍ଦଙ୍କ ସହିତ ଆରମ୍ଭରୁ ‘ଡଗର’ ସହିତ ସଂପୃକ୍ତ ଥିଲେ ତାଙ୍କ ମାତୁଳ ରାଈମୋହନ ଦାସ । ଯେତେବେଳେ ଭଦ୍ରକରୁ ଏହା ପ୍ରକାଶ ପାଏ, ସେତେବେଳେ ଷୋଳ ପୃଷ୍ଠା ଡିମାଇ ଛାପା କାଗଜକୁ ଭାଙ୍ଗି ଚାରି ପୃଷ୍ଠା ଆକାରରେ ‘ଡଗର’ ପ୍ରକାଶିତ ହୁଏ । ସମ୍ପାଦକ ନିତ୍ୟାନନ୍ଦ ସ୍ଵୀକାର କରିଛନ୍ତି- ‘‘ସେତେବେଳକୁ ସ୍ଵର୍ଗତ ଲକ୍ଷ୍ମୀନାରାୟଣ ସାହୁଙ୍କ ‘ସହକାର’ ବୋଧହୁଏ ଆସି ନ ଥିଲା ସାରସ୍ଵତ ପ୍ରେସର (କଟକ) ଦ୍ଧ ବାଳକୃଷ୍ଣ କରଙ୍କ, ହାତକୁ । ମାସିକ ‘ଉତ୍କଳ ସାହିତ୍ୟ’ ବନ୍ଦ ହୋଇଯାଇଥିଲା- ମାସିକ ‘ମୁକୁର’ ମଧ୍ୟ । ଦ୍ଧ ପଣ୍ଡିତ ନୀଳକଣ୍ଠ ଦାସଙ୍କ ନବଭାରତ ଜନ୍ମଲାଭ କରି ନ ଥିଲା । ଓଡ଼ିଆ ସାହିତ୍ୟ ଏହିପରି ଦୁର୍ଦ୍ଦଶାଗ୍ରସ୍ତ ଥିଲାବେଳେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପ୍ରେରଣାରେ ‘ଡଗର’ ପ୍ରକାଶିତ ହେଲା ଗୋଟିଏ ଦୁର୍ବଳ ମୁଦ୍ରାଯନ୍ତ୍ର ସାହାଯ୍ୟରେ-ଅତି ପୁରାତନ ହେଣ୍ଡ ପ୍ରେସ୍‌ରେ । ଗୌରବର କଥା ଯେ ଉଲ୍ଲିଖିତ ହେଣ୍ଡ-ପ୍ରେସରେ ଦିନେ ସ୍ୱର୍ଗତ ଫକୀରମୋହନଙ୍କର ‘ସମ୍ବାଦ ବାହିକା’ ପ୍ରକାଶ ପାଉଥିଲା । (ସଂପାଦକୀୟ-ନୂତନନପ୍ରସ୍ଥ-ପ୍ରଥମବର୍ଷ-ଜାନୁୟାରୀ, ୧୯୯୨) ୫୫ ବର୍ଷରେ ‘ଡଗର’ ପଦାର୍ପଣ କଲାବେଳେ, ଭୁବନେଶ୍ଵର ମାଟିରୁ ଏହା ଆତ୍ମପ୍ରକାଶ କଲା । କେତୋଟି ସଂଖ୍ୟା ନୂତନ କଳେବର ନେଇ ପ୍ରକାଶ ପାଇଥିଲା । ସମ୍ପାଦକ ନିତ୍ୟାନନ୍ଦଙ୍କୁ ପରିଚାଳନା ସମ୍ପାଦକ ମହାଭାବ ପ୍ରକାଶ ମହାପାତ୍ର ଓ ସହକାରୀ ସମ୍ପାଦକ ପ୍ରଦୀପ କୁମାର ବେଉରିଆ ସହଯୋଗ କରୁଥିଲେ । ମାନ ରକ୍ଷା କରି ପ୍ରକାଶ ପାଉଥିଲେ ହେଁ, ଏହା ନିୟମିତତା ରକ୍ଷା କରି ପାରିଲା ନାହିଁ । ଯାହା ଦିନେ କଟକରେ ‘ଡଗର’ ଭାଗ୍ୟରେ ଘଟିଥିଲା, ତାହା ପୁଣି ଭୁବନେଶ୍ଵରରେ ପୁନରାବୃତ୍ତି.ହେଲା । ଏହି ମର୍ମରେ ସମ୍ପାଦକ ସୂଚନା ଦେଇ ଲେଖିଥିଲେ- ‘ଡଗର’ ପ୍ରକାଶନର ସମସ୍ତ ଦାୟିତ୍ୱ ଫତୁରାନନ୍ଦ ଗ୍ରହଣ କରିଥିବାରୁ ମୁଁ ସେ କ୍ଷେତ୍ରରେ ନିଶ୍ଚେଷ୍ଟ ହୋଇ ରହିଗଲି । କ୍ରମଶଃ ‘ଡଗର’ ପ୍ରକାଶନ ଅନୀୟମିତ ହେବାକୁ ଲାଗିଲା । ଫତୁରାନନ୍ଦ ଦୃଷ୍ଟିହୀନ ହୋଇପଡ଼ିବାରୁ ଅକ୍ଷମତା ପ୍ରକାଶ କଲେ । ବାଧ୍ୟ ହୋଇ ମୁଁ ‘ଡଗର’ ପ୍ରେସକୁ କଟକରୁ ଭୁବନେଶ୍ୱର ନେଇଆସିଲି ୧୯୮୭ରେ । ଦୁଃଖର କଥା, ‘ଡଗର’ର ସୁବର୍ଣ୍ଣ ଜୁବୁଲି ପାଳିତ ହେବା ସମୟରେ ‘ଡଗର’ ପ୍ରକାଶନ ବନ୍ଦ ହୋଇଗଲା ।’’ ନୂତନ ପ୍ରସ୍ଥ ‘ଡଗର’ର ପ୍ରଥମ ସଂଖ୍ୟା (୫୫ ବର୍ଷର ପ୍ରଥମ ସଂଖ୍ୟା), ଭୁବନେଶ୍ୱର ସ୍ଥାନାନ୍ତର ହେବାର ୪ ବର୍ଷ ପରେ ପ୍ରକାଶ ପାଇଲା । ସଂପାଦନାରେ ସମ୍ପାଦକ ଏହାର ଗୌରବ ରକ୍ଷା ପାଇଁ ଉଦ୍ୟମ ଅବ୍ୟାହତ ରଖିଥିଲେ । ‘ଆଲୋକ- ଆଲୋଚନା’ରେ ଅଧ୍ୟାପକ ସୁଧାଂଶୁଶେଖର ରାୟ କୋକିଳା ଦେବୀ’ ଆଲୋଚନା ଲେଖିଥିବା କାବ୍ୟକବିତାରେ କବି ଦୁର୍ଗାଚରଣ ପରିଡ଼ା, ରବି ସିଂ, ଗଳ୍ପ-ଉପନ୍ୟାସରେ ଗାଳ୍ପିକ ଅନ୍ନଦା ପ୍ରସାଦ ରକ୍ଷିତଙ୍କ ‘ନରକଙ୍କାଳ’ ଗଳ୍ପ ପ୍ରଭୃତି ପ୍ରକାଶ ପାଇଥିଲା । ଆହୁରି ନିୟମିତ ବିଭାଗଗୁଡ଼ିକୁ ସମ୍ପାଦକ ଉପାଦେୟ ତଥ୍ୟ ସମ୍ବଳିତ କରି ଏଥିରେ ସଂଯୋଜିତ କରିଥିଲେ । ଏହାକୁ ପୁନଃ ନିୟମିତ କରିବା ଲକ୍ଷ୍ୟରେ ଭୁବନେଶ୍ୱରରୁ ପ୍ରକାଶ କରାଯାଇଥିଲେ ହେଁ, କେତୋଟି ସଂଖ୍ୟା ଭିତରେ ଏହାର ପ୍ରକାଶନ ସୀମିତ ରହିଥିଲା-ସଂପ୍ରତି ଏହା ବନ୍ଦ ହୋଇଯିବା, ଓଡ଼ିଆ ଭାଷା ସାହିତ୍ୟ ପାଇଁ ଦୁର୍ଭାଗ୍ୟର ଘଟଣା । ତେବେ ଏହା କୁହାଯାଇପାରେ ଯେ, ସମ୍ପାଦକ ନିତ୍ୟାନନ୍ଦ ‘ଡଗର’କୁ ନିଜ ପ୍ରଚାରର ମାଧ୍ୟମ କରି ନ ଥିଲେ । ଅନ୍ୟ କାହାର ଦୟାରେ ବଞ୍ଚିବାକୁ ପସନ୍ଦ କରିନାହାନ୍ତି । ଏହି ମର୍ମରେ ମନେପଡ଼େ ଅଭାବ ଅନଟନ ମୁଣ୍ଡ ଟେକିଥିବାବେଳେ, ପ୍ରତିଷ୍ଠାତାଙ୍କ ଜୀବଦ୍ଦଶାରେ ମଧ୍ୟ ସମ୍ପାଦକ ନିତ୍ୟାନନ୍ଦ, କାହାର ଦୟା ଗ୍ରହଣ କରିବାକୁ ପସନ୍ଦ କରି ନ ଥିଲେ । ଏପରି ସ୍ୱାଭିମାନୀ ସମ୍ପାଦକ କ୍ୱଚିତ ଦେଖାଯାଆନ୍ତି । କଥାଟିଏ ସ୍ମରଣ ହୁଏ, ନେତ୍ରୀ ଓ ଲେଖିକା ସରଳା ଦେବୀ କହନ୍ତି- ‘ଦିନେ ଜଣେ ରଜା ଶ୍ରୀମାନ ନିତ୍ୟାନନ୍ଦଙ୍କୁ ତାଙ୍କର ଜଣେ କର୍ମଚାରୀଙ୍କ ଜରିଆରେ କହିଲେ ‘ଡଗର’ରେ ତାଙ୍କ ଦେଶ ଶାସନ ସମ୍ୱନ୍ଧରେ ଯେପରି କୌଣସି ସମାଲୋଚନା ବା ମନ୍ତବ୍ୟ ନ ବାହାରିବ । ରଜାଙ୍କର ପ୍ରଚାର ଲୋଡ଼ା ନ ଥିଲା, ମାତ୍ର କଟୁ ମନ୍ତବ୍ୟ ତାଙ୍କ ଶାସନ ଉପରେ ଆଣିଥିବା, ଲୋକଙ୍କର ଅସମ୍ମାନ, ଅଶ୍ରଦ୍ଧା, ସେଥିପାଇଁ ଭୟ ଥିଲା । ତେଣୁ ‘ଡଗର’ ପାଇଁ ଏକକାଳୀନ ଛଅହଜାର ଟଙ୍କା ଉତ୍କୋଚ ଦେବାକୁ ଶ୍ରୀମାନ୍‌ ନିତ୍ୟାନନ୍ଦଙ୍କ ନିକଟରେ ପ୍ରସ୍ତାବ କରିଥିଲେ । ପୁତ୍ର, ପିତାଙ୍କର ପରାମର୍ଶ ଲୋଡ଼ିବାରୁ ପିତା କହିଲେ- ‘‘ଭଲ ହେବ, ଟଙ୍କା ପଇସା ଆମର କାଗଜ ପାଇଁ ନାହିଁ- ଛାପିବାକୁ କଷ୍ଟ ପଡ଼ୁଛି । ‘ଡଗର’ କିଛିଦିନ ସୁବିଧାରେ ଚଳିବ ।’’ ପୁତ୍ର ଏ ପ୍ରସ୍ତାବରେ କୁଣ୍ଠିତ ହୋଇ ‘ଡଗର’ ନୀତି ପ୍ରତି ଅନ୍ୟାୟ ହେବ, କହିବାରୁ ପିତା ହସିକରି କହିଲେ- ‘‘ମୋର ମତ ନୁହେଁ, ଅନ୍ୟାୟ ଦୁର୍ନୀତିକୁ ବଞ୍ଚାଇବା ପାଇଁ ଟଙ୍କା ଘୁଷ ନେଇ ‘ଡଗର’କୁ ପ୍ରକାଶ କରିବା, ତାଠୁ ମାରିଦେବା ଭଲ । ମୁଁ କେବଳ ତୋର ମନ ବିଡ଼ୁଥିଲି ।’’ (ସ୍ମୃତିତର୍ପଣ-କାନ୍ତକବି ବିଶେଷ ସଂଖ୍ୟା-ଡଗର ମାର୍ଚ୍ଚ-ଅପ୍ରେଲ-୧୯୫୩)

 

ସମ୍ପାଦକ ନିତ୍ୟାନନ୍ଦ ସ୍ଵାଭିମାନୀ ଓ ଆଦର୍ଶବାଦୀ । ବହୁଭାଷାର ପାଣ୍ଡିତ୍ୟ ଲାଭ କରିଥିବା ଗୁଣୀବ୍ୟକ୍ତି ଭାବେ, ସମ୍ପାଦନାକୁ ରୁଚିପୂର୍ଣ୍ଣ କରିପାରୁଥିଲେ । ନିତ୍ୟାନନ୍ଦ ଜଣେ ସାମ୍ବାଦିକ ଥିଲେ । ସ୍ଵର୍ଗତ ଶଶିଭୂଷଣ ରଥଙ୍କ ଦ୍ୱାରା ପ୍ରତିଷ୍ଠିତ ‘ଦୈନିକ ଆଶା’ର ସେ ସମ୍ପାଦକ ଥିଲେ । ‘ନିଉ ଓରିଶା’ ଇଂରାଜୀ ସମ୍ବାଦପତ୍ରର ସେ ସମ୍ପାଦକ ହୋଇଥିଲେ । ସେଠାରେ ନିତ୍ୟାନନ୍ଦ ତାଙ୍କ ନିଷ୍ଠା ଓ ଆଗ୍ରହ ଲାଗି ପ୍ରଶଂସିତ ହୋଇଥିଲେ । ସମ୍ପାଦକ କେବଳ ଲେଖକଲେଖିକାଙ୍କ ଲେଖାଗୁଡ଼ିକ ସଂଗ୍ରହ କରି ପତ୍ରିକାରେ ଛାପନ୍ତି ନାହିଁ । ଏହା ସହିତ ଆପଣା ନୂତନ ପରିକଳ୍ପନାକୁ ସାକାରକରିବା ଲାଗି ଚେଷ୍ଚିତ ହୁଅନ୍ତି । ‘ଡଗର’ ସମ୍ପାଦନା କାଳରେ ନିତ୍ୟାନନ୍ଦ ଅନେକ ନୂଆ ନୂଆ ଚିନ୍ତାଧାରାକୁ ଏଥିରେ ସଂଯୋଜିତ କରିଥିଲେ । ସେପରି ‘ମୁଁ କାହିଁକି ଲେଖେ ?’ ହେଉଛି ଅନ୍ୟତମ ଉପାଦେୟ ବିଭାଗ । ସ୍ରଷ୍ଟାର ସୃଷ୍ଟି ଅଧ୍ୟୟନ କରି ପାଠକ ମୁଗ୍‍ଧଚକିତ ହୁଏ । ମାତ୍ର ସୃଷ୍ଟି ଅନ୍ତରାଳରେ ଯେଉଁ ଆବେଗ, ଉତ୍‌କଣ୍ଠା ଓ ଆତୁରତା ରହିଥାଏ, ତାହା କଣ ବୁଝିହୁଏ । ସେଥିପାଇଁ ସ୍ରଷ୍ଟାର ସ୍ଵଉକ୍ତିକୁ ଅପେକ୍ଷା କରାଯାଏ । ବହୁ ତଥ୍ୟ ସମ୍ବଳିତ ଉକ୍ତି ସେ ପ୍ରକାଶ କରନ୍ତି । ସେଥିରୁ ପାଠକ ନାନାକଥା ଜାଣିବା ପାଇଁ ସମର୍ଥ ହୁଏ । ଏହି ପର୍ଯ୍ୟାୟରେ ପଣ୍ଡିତ ଗୋଦାବରୀଶ ମିଶ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ସୁଲେଖକ ନିତ୍ୟାନନ୍ଦ ମହାପାତ୍ର, ଔପନ୍ୟାସିକ ରାଜକିଶୋର ପଟ୍ଟନାୟକ ପ୍ରମୁଖ ସେମାନଙ୍କ ମନକଥା ଶୁଣାଇଛନ୍ତି । ପଣ୍ଡିତ ଗୋଦାବରୀଶଙ୍କଠାରୁ ବାସ୍ତବ ସ୍ଵର ଶୁଣିବାକୁ ମିଳିଥିଲା- ‘‘ମୋର ଲେଖନୀ ଧାରଣ କରିବାର ଦୁଇଟି କାରଣ ଅଛି । ଗୋଟିଏ ପେଟ ପୋଷିବାର ପ୍ରୟାସ । ଅପରଟି କର୍ତ୍ତବ୍ୟର ଅନୁରୋଧ । ପେଟ ପୋଷିବାର ପ୍ରୟାସ, ପାଠ୍ୟପୁସ୍ତକ ଲେଖିବାକୁ ବୁଝାଯାଉଛି ।’’ ସୁଲେଖକ ନିତ୍ୟାନନ୍ଦ ଲେଖିଥିଲେ- ‘‘ମୋର ଅପହୃତ ଚିତ୍ତକୁ ଅପାଣାର କରିବାରେ, ଦୁଃଖରେ ସୁଖରେ, ରାଗରେ, ଅହଙ୍କାରରେ, ଶାନ୍ତିରେ ଶୃଙ୍ଗାରରେ ଏଇ ଲେଖନୀ ଛଡ଼ା ଏକାନ୍ତ ସହାୟକ ବନ୍ଧୁ ମୋର ଆଉ କେହି ନାହିଁ । ନିଃସଙ୍ଗ ଜୀବନର ସେଇ ମୋର ଏକମାତ୍ର ଭରସା । ସେଇ ମୋର ସାଧନାର ସାକ୍ଷୀ ।’’ (‘ଡଗର’- ୧୯୫୧) । ଔପନ୍ୟାସିକ ରାଜକିଶୋର ପଟ୍ଟନାୟକ କହିଛନ୍ତି - ‘‘ପତ୍ରିକାରେ ଗଳ୍ପ ରହିବା ଦରକାର ହେଉଥିଲା ବୋଲି ଗଳ୍ପ ଲେଖୁଥିଲି । ପ୍ରବନ୍ଧ, ପଦ୍ୟ ଆଦି ମୋତେ ଜଣା ନାହିଁ । ତଥାପି ପାଠକମାନେ ବୋଧହୁଏ ମନେ କରୁଥିବେ ମୁଁ ଲେଖିଛି । କିନ୍ତୁ ଝାଡ଼ୁଦାର ସାହିତ୍ୟିକ ହିସାବରେ ମୋର କର୍ତ୍ତବ୍ୟ ମୁଁ ଶେଷ କରିଛି କହିଲେ ଚଳେ । ଖାଲି ମୁଁ ଯେ ଲେଖିଥିଲି ଓ ଲେଖି ପାରିବି ବୋଲି ପ୍ରମାଣ କରିବାକୁ ବେଳେବେଳେ କେମିତି ଲେଖିଦିଏ ।’’ (‘ଡଗର’-୧୯୫୧) କାନ୍ତକବି ଲକ୍ଷ୍ମୀକାନ୍ତ କହିଥିଲେ-କହିଲ ଭଲା-ପ୍ରସୂତୀ କାହିଁକି ପିଲା ଜନ୍ମ କରେ । ସେହିପରି ଯେତେବେଳେ ଗୋଟିଏ ଭାବ, ଯେତେବେଳେ ପେଟ ଭିତରେ ମୁଣ୍ଡିଆ ମାରି ମନ୍ଥିପକାଏ ତାକୁ ଖଲାସ ନ କରି ରହିହେବ କି ? ଗୋଟାଏ ରୂପରେଖ ଦେଇ ପ୍ରକାଶ ନ କରିବା ଯାକେ ଛାତି ଭିତର ଇମିତି ଆଉଟି ହୁଏ ଯେ ଆହାର ନିଦ୍ରା ବି ବିଷ ହୋଇଯାଏ । କୌଣସି ମତେ କାଢ଼ି ନ ପକାଇ ନିସ୍ତାର ନାହିଁ । ତା’ପରେ କି ଉଶ୍ୱାସ-କି ଆରାମ ! ସେତକ ପାଇଁ ଏତେ ଘାଣ୍ଟି ଚକଟି ହେବା-ଏତେ ଦୁଃଖ ସହିବା । ଏତିକି ବେଳେ ମନେପଡ଼େ ‘‘There is a pleasure in poetic pains which none but poets know.’’ (୧୪ ବର୍ଷ ୧୬ଶ ସଂଖା ‘ଡଗର’ ୧୯୫୧) ହାସ୍ୟରସ ଲେଖକ ଫତୁରାନନ୍ଦ ‘ମୁଁ କାହିଁକି ଲେଖେ ?’ ସ୍ତମ୍ଭରେ ଲେଖିଥିଲେ- ‘‘ଯେଉଁ ପଇସା ପାଇଁ କଲମ ଧରିଥିଲି ତାର ସନ୍ଧାନ ଏ ପର୍ଯ୍ୟନ୍ତ ପାଇ ନାହିଁ । ଲେଖା ଦ୍ଵାରା କିଛି ହେଲେ ଗରଜ ମୁଁ ମେଣ୍ଟାଇ ପାରିନି । ଶୁଖିଲା ସମ୍ମାନ ମୁଁ କେତେଦିନ ଧରି ଚାଟିବି ? ପେଟ ପୁରୁନି । ଶୁଖିଲା ପ୍ରଶଂସା କୋକେନ୍‌ ପରି ପେଟରେ ଭୋକକୁ ଅବଶ୍ୟ କିଛି ସମୟ ପାଇଁ ମାରି ଦଉଛି । ଲେଖିଥିଲି କାହିଁକି, ପାଇଲି କ’ଣ, ମୁଁ ଧନ ପାଇଁ ଲେଖିଛି, ପାଇନି ।’’ ଏହିପରି ଅନେକ ମୂଲ୍ୟବାନ୍‌ ମନ୍ତବ୍ୟ ଶୁଣିବାକୁ ମିଳିଥାଏ, ଏହି ସ୍ତମ୍ଭରେ ।

 

କଟକରେ ‘ଡଗର’ ପ୍ରକାଶ ବେଳେ, ୧୯୮୨ ମସିହା ଅକ୍ଟୋବର ମାସରେ ଗୀତି ନାଟ୍ୟକାର ‘ବୈଷ୍ଣବ ପାଣି ବିଶେଷାଙ୍କ’ ପ୍ରକାଶ ପାଇଥିଲା । ଏଥିରେ ଡ. ବିଜୟାନନ୍ଦ ସିଂହ, ପୂର୍ବତନ ମନ୍ତ୍ରୀ ସେଖ୍‌ ମତଲୁବ ଅଲ୍ଲୀ, ଅପୂର୍ବ ରଞ୍ଜନ ରାୟ ପ୍ରମୁଖ ନାଟ୍ୟକାର ବୈଷ୍ଣବ ପାଣିଙ୍କ ରଚନା ଶୈଳୀ ଓ ବୈଶିଷ୍ଟ୍ୟ ଉପରେ ଉପାଦେୟ ଲେଖାମାନ ଲେଖି‌ଥିଲେ । ଅଧ୍ୟାପକ ଡ. ବିଜୟାନନ୍ଦ ସିଂହ ଏହାର ସହ ସମ୍ପାଦକ ଓ ପରେ ଯୁଗ୍ମ ସମ୍ପାଦକ ଭାବେ ‘ଡଗର’ ସମ୍ପାଦନରେ ସହାୟତା କରିଥିଲେ । ୧୯୮୨ରୁ ୧୯୮୬ ପର୍ଯ୍ୟନ୍ତ ଡ. ସିଂହ ସମ୍ପାଦନା ସହିତ ଜଡ଼ିତ ଥିଲେ । ପରିଚାଳନା ସମ୍ପାଦକ ରାମଚନ୍ଦ୍ର ମିଶ୍ର (ଫତୁରାନନ୍ଦ) ଓ ରାଇମୋହନ ଦାସ ରହିଥିଲେ । ଭୁବନେଶ୍ଵର ଏହା ସ୍ଥାନାନ୍ତର ହେବା ପରେ ଯେଉଁ କେତୋଟି ସଂଖ୍ୟା ପ୍ରକାଶ ପାଇଥିଲା, ‘ଡଗର’ ତା’ର ମର୍ଯ୍ୟାଦା ବଜାୟ ରଖିଥିଲେ । ସମ୍ପାଦକୀୟ ସ୍ତମ୍ଭରେ ସମ୍ପାଦକଙ୍କ ବିଚାର ବିଶ୍ଳେଷଣ ଅତ୍ୟନ୍ତ ଗଭୀର ଓ ଯୁଗୋପଯୋଗୀ ହେଉଥିଲା । ଉଦାହରଣଟିଏ-ଅର୍ଥନୈତିକ ସଂସ୍କାରର ଉଦାରବାଦୀ ଦୃଷ୍ଟିକୋଣର ପ୍ରଥମ ଲକ୍ଷ୍ୟ ହେଲା ଜନସାଧାରଣ, ବ୍ୟବସାୟ ସାମଗ୍ରୀ ଓ ସେବା କ୍ଷେତ୍ରରେ ଅଯଥା (service) ନୀତିନିୟନ୍ତ୍ରଣ ଓ କର/ରାଜସ୍ଵ ଟ୍ୟାକ୍‌ସ ଆଦାୟର ପନ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଆଣିବା । ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି, ପ୍ରଶାସନିକ ବ୍ୟବସ୍ଥା ଓ ସଂସ୍କୃତିରେ ଆମୂଳ ପରିବର୍ତ୍ତନ ଲୋଡ଼ା । ବ୍ୟକ୍ତିର ଆବଶ୍ୟକତା ଓ ରୁଚି ଅନୁଯାୟୀ କାର୍ଯ୍ୟ କରିବାକୁ ସ୍ଵାଧୀନତା ମିଳିବା ଆବଶ୍ୟକ । ସରକାର ଲୋକଙ୍କ ପାଖକୁ ଯିବେ, ଲୋକେ ଅଭିଯୋଗ, ନିବେଦନର ଫର୍ଦ୍ଦ ଧରି ସରକାରୀ କର୍ମଚାରୀଙ୍କ ପାଖରେ ପହଞ୍ଚିବେ ନାହିଁ ।’’ ‘ଉଦାରବାଦୀ ଅର୍ଥନୀତି ଓ ପ୍ରଶାସନିକ ସଂସ୍କାର ଏକ ପଞ୍ଚାଶତ୍‌ ବର୍ଷ-ନବମ ସଂଖ୍ୟା, ସେପ୍ଟେମ୍ବର-୧୯୯୨-ସଂପାଦକୀୟ) ସ୍ଵାଧୀନତା ପରେ ଅସାଧୁ ଉପାୟରେ ନିର୍ବାଚନ - ବୈତରଣୀ ପାର ହେବାର ଯେଉଁ ପରିକଳ୍ପନା ରହିଛି, ତାହା ଦେଶ ପାଇଁ ଘୋର କ୍ଷତିକାରକ, ଏହା କେବଳ ଜଣେ ସମ୍ପାଦକ ଭାବରେ ନୁହେଁ- ଜଣେ ବୁଦ୍ଧିଜୀବୀ ଭାବରେ ନିତ୍ୟାନନ୍ଦ ଅନୁଭବ କରିଥିଲେ । ସେଥିପାଇଁ ସେ ଲେଖିଥିଲେ- ‘‘ଭାରତବାସୀ ସମ୍ବିଧାନରେ ଯେଉଁ ପ୍ରତିନିଧିମାନଙ୍କର ନିର୍ବାଚନ ପରିକଳ୍ପନା କଲେ, ସେଥିପାଇଁ ଯେଉଁ ବ୍ୟବସ୍ଥା ରଖିଲେ, ତାହା କେବଳ ପରିପୁଟ ଧନୀକ ଶ୍ରେଣୀର ଲୋକମାନଙ୍କର ଅନୁକୂଳ ହୋଇ ରହିଗଲା । ଜନୈକ ପ୍ରାର୍ଥୀ କେଉଁ ସୂତ୍ରରୁ ଅର୍ଥ ଆଣି ନିର୍ବାଚନରେ ବ୍ୟୟ କଲା, ତାହା ପ୍ରକାଶ ନ କରିବାର ଅଧିକାର ପ୍ରାର୍ଥୀମାନଙ୍କର ରଖି ଦିଆଗଲା । ଏହା ଫଳରେ ଏକ ପରାଙ୍ଗପୁଷ୍ଟ ଧନୀକ ବା ଧନୀ-ବର୍ଗଙ୍କୁ ନିର୍ବାଚନ ଲଢ଼ିବାର ଅଧିକାର ଦିଆଗଲା । ପ୍ରତି ନିର୍ବାଚନରେ ଯେଉଁ ଅସାଧୁ ଉପାୟରେ ଅର୍ଜିତ ଧନର ଅପବ୍ୟବହାର କରାଯିବାର ସୁଯୋଗ ଦିଆଗଲା, ତାହା ଫଳରେ ସାଧୁ ଉପାୟରେ ନିର୍ବାଚନ ଲଢ଼ିବାର ସୁଯୋଗରୁ ପ୍ରାର୍ଥୀମାନେ ବଞ୍ଚିତ ହେଲେ ।’’ (ଡିସେମ୍ବର- ୧୯୯୨ ସଂଖ୍ୟା- ‘ଭାରତୀୟ ସମ୍ବିଧାନ’ - ସମ୍ପାଦକୀୟ) ଓଡ଼ିଆ ଭାଷାର ଅବକ୍ଷୟ ଦେଖି ଓଡ଼ିଆପ୍ରେମୀ ଭାବେ ସମ୍ପାଦକ ନିତ୍ୟାନନ୍ଦ ବିଚଳିତ ହୋଇପଡ଼ିଥିଲେ । ଏକଦା ତାଙ୍କ ‘ଡଗର’ରେ ସେ ଲେଖିଥିଲେ- ‘‘ଓଡ଼ିଶା ସରକାରଙ୍କ ଦପ୍ତରରେ ବ୍ୟବହୃତ ଭାଷା ଓଡ଼ିଆ ହେବ ବୋଲି ଆଜିକୁ ପ୍ରାୟ ପଇଁଚାଳିଶ ବର୍ଷତଳର ସରକାରୀ ନିର୍ଦ୍ଦେଶନାମା ଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରି ନାହିଁ । ଶିକ୍ଷା କ୍ଷେତ୍ରରେ ଦେଖିବାକୁ ଗଲେ ଓଡ଼ିଆ ଭାଷାର ବ୍ୟାପ୍ତି ଅବାଞ୍ଛିତ ଭାବରେ ବାଧାପ୍ରାପ୍ତ ହୋଇଛି । ସ୍କୁଲମାନଙ୍କର ଛାତ୍ରସଂଖ୍ୟା ଏବେ ଅତି ଅଳ୍ପ ହୋଇ ଯାଇଥିବାର ଦେଖାଯାଏ । କାରଣ ଇଂରାଜୀ ଓ ହିନ୍ଦୀ ମାଧ୍ୟମରେ ନୂଆ ପ୍ରାଥମିକ ବିଦ୍ୟାଳୟମାନ ବହୁ ସଂଖ୍ୟାରେ ପ୍ରତିଷ୍ଠିତ ହୋଇଯାଉଛି ଏବଂ ଅଧିକାଂଶ ଓଡ଼ିଆ ଅଭିଭାବକମାନଙ୍କର ସନ୍ତାନ କ୍ରମାନ୍ଵୟରେ ଇଂରାଜୀ କିମ୍ବା ହିନ୍ଦୀ ଭାଷାର ଅନୁଗତ ହୋଇଯାଉଛନ୍ତି ।’’ (ନଭେମ୍ବର ୧୯୧୨-ଏକ ପଞ୍ଚାଶତ ବର୍ଷ- ‘ଓଡ଼ିଶା ଓ ଓଡ଼ିଆ’ ସମ୍ପାଦକୀୟ) ବାଗ୍ମୀ ବିଶ୍ଵନାଥ କରଙ୍କ ପରବର୍ତ୍ତୀ ପର୍ଯ୍ୟାୟରେ ଜଣେ ବିଜ୍ଞ ଓଡ଼ିଆ ସମ୍ପାଦକ ହେଉଛନ୍ତି ନିତ୍ୟାନନ୍ଦ, ଏହା ନିଶ୍ଚିତ ସ୍ଵୀକାର କରିବାକୁ ହୋଇଥାଏ । ଅଧ୍ୟାପିକା ହରପ୍ରିୟା ମହାପାତ୍ର, ନିତ୍ୟାନନ୍ଦଙ୍କ ବିବାହ କରିବା ପରଠାରୁ ‘ଡଗର’କୁ ଦୃଷ୍ଟିରେ ରଖିଥିଲେ । ସେ ଏଥିରେ ଅନେକ ସାହିତ୍ୟ ସମାଲୋଚନା ଲେଖିବା ସହିତ, ସମ୍ପାଦନାରେ ମଧ୍ୟ ସହଯୋଗ କରୁଥିଲେ ।

 

‘ଡଗର’ର ବିଶେଷତ୍ୱ କାନ୍ତକବି ଲକ୍ଷ୍ମୀକାନ୍ତଙ୍କୁ ଏହି ପତ୍ରିକା ଅଧିକ ଚିହ୍ନାଇଛି । ତାଙ୍କ ‘କଣାମାମୁ’ ନିୟମିତ କ୍ରମାନ୍ୱୟରେ ଏଇ ପତ୍ରିକାରେ ପ୍ରକାଶ ପାଇଛି । ତାଙ୍କ ଲାଳିକା ଓ ଅନ୍ୟାନ୍ୟ ରଚନା ପାଠକମାନେ ଏଥିରୁ ପଢ଼ିବାର ସୁଯୋଗ ପାଇଛନ୍ତି । ପ୍ରତିଭାବାନ ସାହିତ୍ୟସ୍ରଷ୍ଟା ନିତ୍ୟାନନ୍ଦଙ୍କୁ ପାଠକମାନେ ବିଭିନ୍ନ ଭାବରେ ‘ଡଗର’ ପୃଷ୍ଠାରୁ ଚିହ୍ନଛନ୍ତି । ଡଗର ଓଡ଼ିଆ ସାହିତ୍ୟରେ ଏକ ଆନ୍ଦୋଳନ ନବ ଜାଗରଣର ଉନ୍ମେଷ ଓ ପ୍ରତିଷ୍ଠାରେ ଏହାର ବଳିଷ୍ଠ ଭୂମିକା ଅତୁଳନୀୟ । ସମ୍ପାଦନା କ୍ଷେତ୍ରରେ ସାହିତ୍ୟିକ ସମ୍ପାଦକ ନିତ୍ୟାନନ୍ଦଙ୍କ ଦୂରଦୃଷ୍ଟି ଓ ପାଣ୍ଡିତ୍ୟ ଓଡ଼ିଆ ପତ୍ରିକା କ୍ଷେତ୍ରରେ ଉଲ୍ଲେଖନୀୟ । ଏଥିରେ ନୂତନ ଲେଖକ ଲେଖିକାମାନେ ଯେପରି ନିଜକୁ ପରିଚିତ କରିଛନ୍ତି, ସେପରି ମଧ୍ୟ ପ୍ରତିଷ୍ଠିତ ଲେଖକ ଲେଖିକାମାନେ ସୃଷ୍ଟି ଅବ୍ୟାହତ ରଖିବା ପାଇଁ ପ୍ରେରଣାରେ ଉଦ୍‌ବୁଦ୍ଧ ହୋଇଛନ୍ତି । ନିଜେ ପ୍ରତିଷ୍ଠିତ ହେବାଠାରୁ ‘ଡଗର’ ଅନେକଙ୍କୁ ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠିତ କରିପାରିଛି । ଓଡ଼ିଆ ସାହିତ୍ୟରେ ଲାଳିକାର ପ୍ରଚାର ଓ ପ୍ରସାରରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ପତ୍ରପତ୍ରିକା କ୍ଷେତ୍ରରେ ସୁସାହିତ୍ୟିକ ନିତ୍ୟାନନ୍ଦଙ୍କ ସମ୍ପାଦନାରେ ପ୍ରକାଶିତ ‘ଡଗର’ ସାହିତ୍ୟରେ ଏକ ଆନ୍ଦୋଳନ-ଏକ ବିସ୍ମୟ ତଥା ବୌଦ୍ଧିକତାର ଉଦ୍‌ଗାତା । ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧିରେ ତାଙ୍କ ବଳିଷ୍ଠ ଭୂମିକା ଅତୁଳନୀୟ- ସମ୍ପାଦନାକୁ ଆପଣା ରୁଚି ଓ ବିଚାରରେ ଗ୍ରହଣ କରି, ସେ ହୋଇଛନ୍ତି ସ୍ଵତନ୍ତ୍ର ଆସନର ଅଧିକାରୀ । ବିଶେଷତଃ ବିଶେଷାଙ୍କ ପରିକଳ୍ପନା ହେଉଛି ନିତ୍ୟାନନ୍ଦଙ୍କ ନୂତନ ଚିନ୍ତାଧାରା । କବିବର ରାଧାନାଥଙ୍କ ବିୟୋଗ ହେଲା ୧୯୦୮ ମସିହା ଅପ୍ରେଲ ୧୭ ତାରିଖରେ । ‘ଉତ୍କଳ ସାହିତ୍ୟ’ର ସମ୍ପାଦକ କବି ରାଧାନାଥଙ୍କ ବିୟୋଗରେ ତାଙ୍କ ପତ୍ରିକାରେ କେତୋଟି ପ୍ରବନ୍ଧ ପ୍ରକାଶ କରିଥିଲେ । ସେହି ପ୍ରବନ୍ଧଗୁଡ଼ିକରେ ରାଧାନାଥଙ୍କ କୃତି ଓ କୀର୍ତ୍ତି ଆଲୋଚିତ ହୋଇଥିଲା । ତାଙ୍କ ବିୟୋଗରେ ‘ଉତ୍କଳ ସାହିତ୍ୟ’ର ବିଶେଷାଙ୍କ ପ୍ରକାଶ ପାଇ ନ ଥିଲା । ବ୍ୟାସକବି ଫକୀରମୋହନ ସେନାପତିଙ୍କ ବିୟୋଗ ହେଲା ୧୯୧୮ ମସିହା ଜୁନ ୧୪ ତାରିଖ ରଜ ସଂକ୍ରାନ୍ତି । ସମ୍ପାଦକ ବିଶ୍ଵନାଥ କର, କଥାସମ୍ରାଟ୍ ଫକୀର ମୋହନଙ୍କ ସ୍ମୃତିରେ ‘ଉତ୍କଳ ସାହିତ୍ୟ’ର ଦୁଇଟି ବିଶେଷାଙ୍କ ପ୍ରକାଶ କରୁଥିଲେ । ସେହି ଦୁଇଟି ସ୍ଵତନ୍ତ୍ର ସ୍ମୃତି ବିଶେଷାଙ୍କ କଥାସମ୍ରାଟଙ୍କ ସମ୍ପର୍କିତ ମୂଲ୍ୟବାନ ଆଲୋଚନା ଓ ସ୍ମୃତିଚିତ୍ରରେ ସମୃଦ୍ଧ ହୋଇଥିଲା । ଏବେବି ସେ ଦୁଇଟି ସଂଖ୍ୟା ଗବେଷକମାନଙ୍କୁ ସହାୟତା କରିଥାଏ । ପଣ୍ଡିତ ନୀଳକଣ୍ଠ ଦାସଙ୍କ ସମ୍ପାଦନାରେ ମାସିକ ସାହିତ୍ୟ ପତ୍ରିକା ‘ନବଭାରତ’ର ଏକ ବିଶେଷାଙ୍କ ପ୍ରକାଶ ପାଇଥିଲା । ୧୯୩୬ ମସିହାରେ ସାହିତ୍ୟରେ ନୂତନ ଦିଗ୍‌ଦର୍ଶନ ଦେବା ଲକ୍ଷ୍ୟରେ ଗଠିତ ‘ନବଯୁଗ ସାହିତ୍ୟ ସଂସଦ’ର ପ୍ରଥମ ଅଧିବେଶନ ଅନୁଷ୍ଠିତ ହେଲା । ଏହି ଉପଲକ୍ଷେ ‘ନବଭାରତ’ ସାହିତ୍ୟ ପତ୍ରିକାର ଗୋଟିଏ ବିଶେଷ ସଂଖ୍ୟା ପ୍ରକାଶ ପାଇଥିଲା । ଏହା ବ୍ୟତୀତ ପତ୍ରିକାର ବିଶେଷାଙ୍କ ପ୍ରକାଶ ପାଇବାର ପରିକଳ୍ପନା କୌଣସି ସମ୍ପାଦକ କରି ନ ଥିଲେ । ଏ କ୍ଷେତ୍ରରେ ‘ଡଗର’ ଅଗ୍ରଦୂତ ଭାବରେ ବିଭିନ୍ନ ବିଶେଷାଙ୍କ ପ୍ରକାଶର ପଦକ୍ଷେପ ନେଇ, ସାହିତ୍ୟର ପ୍ରଭୂତ ବିକାଶ ଘଟାଇଥିଲା । ସାମ୍ବାଦିକ ରୂପେ ନିତ୍ୟାନନ୍ଦ କିଛି ଦିନ ସାମ୍ବାଦିକତା କରିଥିଲେ । ‘ଡଗର’ ସମ୍ପାଦନା ପୂର୍ବରୁ ଶଶିଭୂଷଣ ରଥଙ୍କ ପ୍ରତିଷ୍ଠିତ ‘ଦୈନିକ ଆଶା’ର ସେ ସମ୍ପାଦନା କରୁଥିଲେ । ସେତେବେଳେ ସେ ମାସିକ ୧୫୦ ଟଙ୍କା ଦରମା ପାଉଥିଲେ ‘ଦୈନିକ ଆଶା’ କାର୍ଯ୍ୟାଳୟରୁ ‘ନିଉ ଓରିଶା’ (New orissa) ନାମରେ ଏକ ଇଂରାଜୀ ସମ୍ବାଦପତ୍ର ପ୍ରକାଶ ପାଉଥିଲା । ସେହି ସମ୍ବାଦପତ୍ର ସମ୍ପାଦକ ଚାକିରି ଛାଡ଼ି ଚାଲିଗଲା ପରେ, ନିତ୍ୟାନନ୍ଦ ସେହି ଇଂରାଜୀ ସମ୍ବାଦପତ୍ରର ସମ୍ପାଦକ ହୋଇଥିଲେ । ମାତ୍ର ସ୍ଵାଭିମାନକୁ ବଜାୟ ରଖି, ସ୍ଵାଧୀନ ସମ୍ପାଦକର ପରିଚୟ ଦେଇ, ସେ ସେଠାରୁ ସ୍ଵଇଚ୍ଛାରେ ବିଦାୟ ନେଲେ । ଏ ପ୍ରସଙ୍ଗରେ ସମ୍ପାଦକ ନିତ୍ୟାନନ୍ଦ ଲେଖୁଛନ୍ତି ‘ଡଗର’କୁ କଟକ ଆଣିବା ପୂର୍ବରୁ ମୁଁ ସାମ୍ବାଦିକ ଥିଲି । ଶିଳ୍ପପତି ମଦନଲାଲ ଯାକୋଡ଼ିଆ ‘ଦୈନିକ ଆଶା’ କିଣି କଟକରୁ ପ୍ରକାଶ କରାଇଲେ, ମୁଁ ତା’ର ସମ୍ପାଦକ ଥିଲି, ମୋ’ ସାଙ୍ଗରେ ତାଙ୍କର କଥା ହୋଇଥି‌ଲା ଯେ ମୋ ସମ୍ପାଦକତ୍ୱରେ ସେ ହସ୍ତକ୍ଷେପ କରିବେ ନାହିଁ । କିନ୍ତୁ କିଛି ଦିନ ପରେ ତାଙ୍କ ଝୋଟକଳରେ ମତେ ଡାଇରେକ୍ଟର କରିବେ ବୋଲି ସେ କହିଲେ । ଝୋଟକଳ ବା ସୂତାକଳ-ଯାହାର ଉତ୍ପାଦନ ହାତରେ ହୋଇପାରିବ, ତାକୁ ଯନ୍ତ୍ର ଦ୍ଵାରା ଉତ୍ପାଦନ କରିବା ସଂସ୍ଥାର ଦାୟିତ୍ୱ ମୁଁ ନେଇପାରିବି ନାହିଁ ବୋଲି ତାଙ୍କୁ ସିଧା ମନା କରିଦେଲି । ସେଇଠୁ ଯାକୋଡ଼ିଆ ମହାଶୟ ମତେ ହିନ୍ଦୀରେ କହିଲେ-‘ଆପ୍‌ ନେହିଁ କରନେ ସେ କ୍ୟା ହୁଆ- ରୁପିଆ ପେଁକ୍‌ନେସେ ୟୈସା ଲାଖୋ ଦସ୍ତଖତ ହମ୍‌ ଦେ ସକତେ ହେ ।’ ମୁଁ ଏହାର ପ୍ରତିବାଦ କରି ଦିନିକ ଆଶା’ର ସମ୍ପାଦକତ୍ୱ ତ୍ୟାଗ କଲି ।’’- (‘ମୋ କଥା’- ନିତ୍ୟାନନ୍ଦ ମହାପାତ୍ର- ନିତ୍ୟାନନ୍ଦ ପରିକ୍ରମା )

 

ପତ୍ରିକାଟିଏ ପ୍ରକାଶ କରିବା ପାଇଁ ସାହିତ୍ୟିକ ନିତ୍ୟାନନ୍ଦଙ୍କର ଆଗ୍ରହ ଥଲା । ସେତେବେଳେ ପତ୍ରିକା ଓଡ଼ିଆ ଭାଷାରେ ବିଶେଷ ନ ଥାଏ । ତାଙ୍କ ବ୍ରତ ଭିକ୍ଷାରୁ ଯାହା ମିଳିଥିଲା, ସେହି ଟଙ୍କା ‘ଡଗର’ ପ୍ରକାଶରେ ପ୍ରଥମେ ଖର୍ଚ୍ଚ ହୋଇଥିଲା । ଏ ସମ୍ପର୍କରେ ସେ କହନ୍ତି- ‘ଆରମ୍ଭରୁ ମୁଁ ‘ଡଗର’ ପତ୍ରିକାର ସମ୍ପାଦକ ଥିଲି । ପତ୍ରିକାଟିଏ ବାହାର କରିବାକୁ ମୋର ଇଚ୍ଛା ଥିଲା । ବାପା କହିଲେ, ତା’ ନା ‘ଡଗର’ ଦେ । ଅସଲରେ ବାପା ତା’ର ପ୍ରାଣ ପ୍ରତିଷ୍ଠାତା । ବାହାରକୁ କେବଳ ମୋ’ ସମ୍ପାଦକତ୍ୱରେ ତାହା ପ୍ରକାଶ ପାଉଥିଲା । ୧୯୩୭ ମସିହାରେ ‘ଡଗର’ ଆରମ୍ଭ ହୋଇଥିଲା କିନ୍ତୁ ବାପାଙ୍କର ବିଶ୍ଵାସ ନ ଥିଲା ଯେ ପତ୍ରିକାଟିକୁ ମୁଁ ଅଧିକ ଦିନ ଚଳାଇ ପାରିବି । ଏଥିପାଇଁ ବୋଧହୁଏ ସମ୍ପାଦକ ହିସାବରେ ତାଙ୍କ ନାଁ ଦେବାକୁ ସେ କୁଣ୍ଠାବୋଧ କରିଥିଲେ । କିନ୍ତୁ ଅଧିକାଂଶ ଲେଖା ତାଙ୍କରି । ୧୯୪୧ ମସିହାରେ ମୁଁ ଜେଲ ଗଲାରୁ ସେ ସମ୍ପାଦକ ହୋଇଥିଲେ । ଜେଲରୁ ଫେରିବା ପରେ, ମୁଁ ପୁଣି ସମ୍ପାଦକ ହେଲି ।’’ ଏହି ‘ଡଗର’କୁ ସ୍ମରଣ କଲାବେଳେ, ଏହା ପଛରେ ରହିଥିବା ଆଉ ଏକ ଇତିହାସକୁ ଭୁଲି ଯାଇ ହେବ ନାହିଁ । କାନ୍ତକବି ଲକ୍ଷ୍ମୀକାନ୍ତ ତାଙ୍କ ତାଳପଦାର କୁଳ ଦେବତା ଗୋପୀନାଥଙ୍କ ନାମରେ ଭଦ୍ରକରେ ‘ଗୋପୀନାଥ ପ୍ରେସ’ ପ୍ରତିଷ୍ଠା କରିଥିଲେ । ଏଇଠୁ ‘ଡଗର’ ପ୍ରକାଶ ପାଇଲା । ଏ ସମ୍ପର୍କିତ କିଛି ତଥ୍ୟ ‘ଡଗର’ର ସମ୍ପାଦକ ନିତ୍ୟାନନ୍ଦ ପ୍ରକାଶ କରି କହନ୍ତି ‘‘ଫକୀର ମୋହନ ସେନାପତି କଲିକତାରୁ ଆଣି ବାଲେଶ୍ଵରଠାରେ ପ୍ରଥମେ ଯେଉଁ ‘ଉତ୍କଳ ପ୍ରେସ’ ପକାଇଥିଲେ, ଏବଂ ଯେଉଁଠୁ ‘ବୋଧଦାୟିନୀ’ ଏବଂ ‘ବାଲେଶ୍ଵର ସମ୍ୱାଦ ବାହିକା’ ପ୍ରକାଶ ପାଇଥିଲା, ସେହି ହାତ ଛାପା ମେସିନଟିକୁ କଟକର କେହି ଜଣେ କିଣିଥିଲେଁ । ତାଙ୍କଠାରୁ ସାଆନ୍ତ ବାପା ସେଇଟିକୁ ଆଣି ଭଦ୍ରକର ‘ଗୋପୀନାଥ ପ୍ରେସ’ ନାମରେ ପକାଇଲେ । ପ୍ରେସର ଏହି ନାମକରଣ କରାଯାଇଥିଲା ଆମ ବଂଶର କୁଳଦେବତା ରାଧାରାଣୀ-ଗୋପୀନାଥଙ୍କ ନାମ ଅନୁସାରେ । ସେଇ ପ୍ରେସରୁ ‘ଡଗର’ ପ୍ରକାଶ ପାଇଥିଲା-ମୋ ବ୍ରତଭିକ୍ଷା ପଇସାରେ । ପରେ ସେ ପ୍ରେସ ଉପରେ ପାରିବାରିକ ଦାବି ହେବାରୁ ମୁଁ ଏକୁଟିଆ କଟକ ପଳାଇ ଆସି ‘ଡଗର’ ପ୍ରେସ ସ୍ଥାପନ କଲି ଏବଂ ‘ଡଗର’ କଟକରୁ ପ୍ରକାଶ ପାଇଲା ।’’ (‘ମୋ କଥା’- ଅଧୁନା- ନିତ୍ୟାନନ୍ଦ ମହାପାତ୍ର)

 

ସମ୍ପାଦକ ନିତ୍ୟାନନ୍ଦ ହେଉଛନ୍ତି ଜଣେ ବ୍ୟଙ୍ଗଚିତ୍ରକର । ସେତେବେଳେ ଓଡ଼ିଆ ପତ୍ରିକାରେ ସମ୍ପାଦକ ବ୍ୟଙ୍ଗଚିତ୍ର (Cartoon) ଦେବା ଏକ ଅଭିନବ ପରିକଳ୍ପନା । ‘ଡଗର’ରେ ନିତ୍ୟାନନ୍ଦ ହାସ୍ୟୋଦ୍ଦୀପକ ଚିତ୍ର ସଂଯୋଜିତ କରୁଥିଲେ । ବିଭିନ୍ନ ସମୟରେ ବିଶିଷ୍ଟ ବ୍ୟକ୍ତିମାନଙ୍କର ବ୍ୟଙ୍ଗଚିତ୍ର ଅଙ୍କନ ଓ ପତ୍ରିକାରେ ସଂଯୋଜନା କରି ସେ ପାଠକଙ୍କ ଦୃଷ୍ଟି ଆକର୍ଷ କରିଥିଲେ । ଏକଦା ସମ୍ପାଦକ ନିଜକୁ ବ୍ୟଙ୍ଗକରି ‘ଡଗର’ରେ ନିଜର ସ୍ଵଅଙ୍କିତ ଚିତ୍ର ସହିତ ଲେଖିଥିଲେ- ‘‘ଆପଣ ଜଣେ ବ୍ୟର୍ଥ ପ୍ରେମିକ, ବ୍ୟର୍ଥ ରାଜନୈତିକ, ବ୍ୟର୍ଥ ଲେଖକ, ବ୍ୟର୍ଥ ସାହିତ୍ୟିକ, ବ୍ୟର୍ଥ ମନୁଷ୍ୟ ବୋଧହୁଏ ବ୍ୟର୍ଥ ପଶୁ ମଧ୍ୟ । ବ୍ୟର୍ଥତାର ବେଦନା କେତେବେଳେ ଆପଣଙ୍କର ସଂବେଦନଶୀଳ ମରମରେ କେତେବେଳେ ବା ଆଗ୍ନେୟଗିରର ଭୀମ ଉଦ୍‌ଗାରୀ ପାଞ୍ଚଜନ୍ୟରେ ତଜ୍ଜନିତ ନୈରାଶ୍ୟ ଓ ସଂଗ୍ରାମ ମଝିରେ ଆପଣଙ୍କର ଏକ ଅଦ୍ଭୁତ ସାଲିସି ‘ଡଗର’ । ଆପଣ ମଧ୍ୟବିତ୍ତ ପରିବାର ଭିତରେ ଜୀଅନ୍ତା ମଣିଷର ଭୂତ ଆବିଷ୍କାର କରିଛନ୍ତି । ତେଣେ ଚାଷୀ ମୂଲିଆର ସମାଧି ହିଡ଼ମାଟିରୁ ବାହାର କରିଛନ୍ତି ମହାଦେବ-ଶିବ ଶଙ୍କର । ଏ ଦୁଇଟିର ସାଲିସ ଆପଣଙ୍କ ଜୀବନର ଲକ୍ଷ୍ୟ ହେଉ ନ ହେଉ ଆପଣ କେଉଁ କ୍ଷଣିକାର ପଥ ଚାହିଁ ଚାହିଁ ଜୀବନର ଏଗାରଟା ବାଜିଗଲା ପରି ମନେହୁଏ । ସାହିତ୍ୟ ଓ ରାଜନୀତି ଭିତରେ, ଧର୍ମ ଓ ପ୍ରେମ ଭିତରେ, ଧନୀ ଓ ଦରିଦ୍ର ଭିତରେ, ଜଡ଼ ଓ ଅଧ୍ୟାତ୍ମ ଭିତରେ, ଦ୍ୱନ୍ଦ୍ୱ ଓ ସାଲିସ୍‌ ବା ସାଲିସର ଅକ୍ଷମତା ହିଁ ଆପଣଙ୍କୁ ନିତ୍ୟ ଆନନ୍ଦ ଦେଇଛି ।- ଆପଣଙ୍କର ଜଣେ ବନ୍ଧୁ’’ (୧୪ଶ ବର୍ଷ ୨୪ଶ ସଂଖ୍ୟା, ‘ଡଗର’- ୧୯୫୧) ଜଣେ ସମ୍ପାଦକ ଅନ୍ୟର ଲେଖା ମୂଲ୍ୟାୟନ କରିବା ଭିତରେ ନିଜକୁ ନିଜେ ଆତ୍ମସମୀକ୍ଷା ବା ବିଶ୍ଳେଷଣ କରିବା ଲାଗି ପ୍ରଚେଷ୍ଟା ଚଳାଇ ଥିଲେ । ୧୯୫୧ ମସିହା ଜୁନ୍‌ ୧୬ ତାରିଖ, ୧୪ଶ ବର୍ଷ ୨୪ଶ ସଂଖ୍ୟା ଜ୍ୟେଷ୍ଠ ଦ୍ୱିତୀୟାର୍ଦ୍ଧ ‘ଡଗର’ ହେଉଛି ତା’ର ଜ୍ୱଳନ୍ତ ସାକ୍ଷ୍ୟ । ତାଙ୍କ ରଚିତ ‘ହିଡ଼ମାଟି’, ‘ଜୀଅନ୍ତା ମଣିଷ’, ‘ପାଞ୍ଚଜନ୍ୟ’, ‘ଜୀବନର ଲକ୍ଷ୍ୟ’, ‘କ୍ଷଣିକା’, ‘ଏଗାରଟା’ ପ୍ରଭୃତି ଗ୍ରନ୍ଥଗୁଡ଼ିକୁ ସେ ଆକଳନ କରିଛନ୍ତି । ଜଣେ ସମ୍ପାଦକ, ସାହିତ୍ୟିକ ପ୍ରତିଭା ନେଇ ପତ୍ରିକା ସମ୍ପାଦନା କରି ଯଶସ୍ଵୀ ହେବାରେ ସୁସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ରଙ୍କ ସୁନାମ ଅତୁଳନୀୟ । ଜଣେ ଯୋଗ୍ୟ ସମ୍ପାଦକ, ରଚନାରେ ଭ୍ରମପ୍ରମାଦ କେଉଁଠି ଓ କିଭଳି ରହିଛି, ସେଥିପ୍ରତି ଅବହିତ ହୋଇପାରିବା, ଯଥାର୍ଥ ସମ୍ପାଦନା ପାଇଁ ସହାୟତା କରିଥାଏ । ରଚନାରୁ ହୁଏତ କିଛି ଅଂଶ ବାଦ ଦିଆଯିବା ସହଜ ହୋଇପାରେ, କିନ୍ତୁ ପ୍ରସଙ୍ଗ ରକ୍ଷାକରି ଯଥାର୍ଥ ତଥ୍ୟ ଉପସ୍ଥାପନ ସମସ୍ତଙ୍କ ପକ୍ଷେ ସହଜସାପେକ୍ଷ ହୁଏ ନାହିଁ । ବିଚାର - ବିଶ୍ଳେଷଣ କରିପାରିଲେ, ଲେଖା ସୁସଂପାଦିତ ହୁଏ, ଏହା ସୁଯୋଗ୍ୟ ସମ୍ପାଦକ ନିତ୍ୟାନନ୍ଦଙ୍କୁ ଜଣାଥାଏ । ସମ୍ପାଦକ ସମ୍ପାଦନା କ୍ଷେତ୍ରରେ ବୈଜ୍ଞାନିକ ପ୍ରବିଧିକୁ ଗ୍ରହଣ କରି ପାରିଲେ, ରଚନାକୁ ସୁସମ୍ପାଦିତ କରିବା ଲାଗି ଯୋଗ୍ୟ ହୋଇଥାଆନ୍ତି । ସୁସମ୍ପାଦକ ଭାବେ ନିତ୍ୟାନନ୍ଦ ଯଥାର୍ଥ ଅନୁଧ୍ୟାନ ଓ ଗଭୀର ଅନୁଶୀଳନକୁ ଗୁରୁତ୍ୱ ଦେଇ ସମ୍ପାଦନା ଜଗତରେ ଯଶସ୍ୱୀ ହୋଇଛନ୍ତି । ତାଙ୍କ ପାଣ୍ଡିତ୍ୟ ନିକଟରେ ଉଚ୍ଚଶିକ୍ଷିତମାନେ, ସମ୍ପାଦନା ଲାଗି ନମ୍ରତା ପ୍ରକାଶ କରିଥାଆନ୍ତି ।

 

 

ସମ୍ପାଦକ, ‘ସାଳନ୍ଦୀ ସମାଚାର’,

ମଠସାହି, ଭଦ୍ରକ

 

ସହାୟକ ଗ୍ରନ୍ଥରାଜି

୧.

Introduction to Indian Texual Criticism : S.M. Kare

୨.

ଶୋଧ ପ୍ରବିଧି : ବିନୟ ମୋହନ ଶର୍ମା ।

୩.

ଭାରତ ମେ ଭାଷାବୈଜ୍ଞାନିକ ଅଧ୍ୟୟନ- ଅନୁସନ୍ଧାନ କୀ ପ୍ରକ୍ରିୟା : ଏ ଚନ୍ଦ୍ରଶେଖର ।

୪.

‘ଡଗର’, କାନ୍ତକବି ସ୍ମୃତି ସଂଖ୍ୟା ।

୫.

‘ଡଗର’, ରଜତ ଜୟନ୍ତୀ ସଂଖ୍ୟା ।

୬.

‘ଡଗର’, ରାଧାନାଥ ବିଶେଷାଙ୍କ ।

୭.

‘ଡଗର’, ଗଙ୍ଗାଧର ବିଶେଷାଙ୍କ ।

୮.

‘ଡଗର’ ଚିନ୍ତାମଣି ସ୍ମୃତି ସଂଖ୍ୟା ।

୯.

‘ଡଗର’ ବୈଷ୍ଣବପାଣି ବିଶେଷାଙ୍କ ।

୧୦.

ଭଦ୍ରକର ସାରସ୍ୱତ ସାଧକ : ଭଦ୍ରକ ପୂଜ୍ୟପୂଜା ସଂସଦ

୧୧.

ସାହିତ୍ୟିକ ନିତ୍ୟାନନ୍ଦ ମହାପାତ୍ରଙ୍କ ସହିତ ସାକ୍ଷାତ୍‌କାର ।

୧୨.

‘ନିତ୍ୟାନନ୍ଦ ପରିକରମା’ : ସମ୍ପାଦନା କମଳଲୋଚନ ମହାନ୍ତି, ଏକାମ୍ର ଥିଏଟର୍ସ, ଭୁବନେଶ୍ୱର- ୧୯୮୫ ।

 

***

 

ନିତ୍ୟାନନ୍ଦଙ୍କ ବୈଶିଷ୍ଟ୍ୟ : ସୃଷ୍ଟି ଓ ଦୃଷ୍ଟିରେ

ଗୁରୁକଲ୍ୟାଣ ମହାପାତ୍ର

 

ଓଡ଼ିଆ ସାହିତ୍ୟର ଆଧୁନିକ କାଳ । ଏକାଧାରରେ କବିତା, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ ଜୀବନୀ, ରମ୍ୟରଚନା ଓ ଶିଶୁ ସାହିତ୍ୟ ତଥା ଅନୁସୃଜନ ସୃଷ୍ଟିରେ ପାରଦର୍ଶିତା ପ୍ରତିପାଦିତ କରିଥିବା ସାହିତ୍ୟିକ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର ଏବେ ଏକଶତ ବର୍ଷରେ ପଦାର୍ପଣ କରିଛନ୍ତି । ତାଙ୍କର ମୌଳିକତା ଓ ନିଜସ୍ଵ ଶୈଳୀ କେବଳ ସୃଷ୍ଟିରେ ପରିଲକ୍ଷିତ ହୁଏ ନାହିଁ, ତାହା ତାଙ୍କ ଦୃଷ୍ଟିରୁ ମଧ୍ୟ ସ୍ପଷ୍ଟ ଜଣା ପଡ଼ିଥାଏ । ତାଙ୍କର ସମଗ୍ର ସୃଷ୍ଟି, ଦୃଷ୍ଟି ଓ ବକ୍ତୃତା ଯେ ଆନନ୍ଦଦାୟକ, ଏହା ଯେ କୌଣସି ସଚେତନ ଓ ଶିକ୍ଷିତ ଓଡ଼ିଆ ସ୍ଵୀକାର କରିବ ହିଁ କରିବ ।

 

ସ୍ଵର୍ଗୀୟ କବି ଓ ପ୍ରାବନ୍ଧିକ ଡ. ମାୟାଧର ମାନସିଂ, ତାଙ୍କ ରଚିତ ‘ଓଡ଼ିଆ ସାହିତ୍ୟର ଇତିହାସ’ ଗ୍ରନ୍ଥରେ ତେଣୁ ସ୍ପଷ୍ଟ ଭାବେ ‘ଚିନ୍ତାନନ୍ଦ ନିତ୍ୟାନନ୍ଦ’ ବୋଲି ଯଥାର୍ଥରେ ଉଲ୍ଲେଖ କରିଛନ୍ତି ଓ ନିତ୍ୟାନନ୍ଦଙ୍କ ଚିନ୍ତାପ୍ରସୂତ ରଚନାଗୁଡ଼ିକର ବୈଶିଷ୍ଟ୍ୟ ପ୍ରତିପାଦନ ସେ କରିବା ସଙ୍ଗେ ସଙ୍ଗେ ତତ୍‌କାଳୀନ ତରୁଣ ପ୍ରାବନ୍ଧିକ ଚିତ୍ତରଞ୍ଜନ ଦାସ (ଏବେ ସ୍ୱର୍ଗରେ) ପ୍ରବନ୍ଧରେ ଥିବା ମୌଳିକତା ଓ ମନନଶୀଳତାକୁ ଏକ ସଙ୍ଗେ ବର୍ଣ୍ଣନା କରିଛନ୍ତି ।

 

ନିତ୍ୟାନନ୍ଦଙ୍କ ସମଗ୍ର ସୃଷ୍ଟି ଏତେ ବ୍ୟାପକ ଯେ ତାଙ୍କ ସମଗ୍ର ରଚନାକୁ ପାଠ କରି ମୂଲ୍ୟାୟନ କରିବା ଆୟସସାଧ୍ୟ ନୁହେ । ମାତ୍ର ତାଙ୍କର ଦୃଷ୍ଟି ଓ ସୃଷ୍ଟିର ଅନାବିଷ୍କୃତ ଦିଗଟି ଉପରେ ସାମାନ୍ୟ ସୂଚନା ଦେବା ଏ ଲେଖକର ଉଦ୍ଦେଶ୍ୟ । ଏଥିପାଇଁ ବିଶିଷ୍ଟ ଓଡ଼ିଆ କବି ଓ ପ୍ରଶାସକ ଶ୍ରୀ ରବିନାରାୟଣ ସେନାପତିଙ୍କ ସମେତ ତରୁଣ କଥାକାର, ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଶ୍ରୀ ବିଜୟ ନାୟକ ଏ ଲେଖକକୁ ଏ ବିଷୟରେ ଲେଖିବା ପାଇଁ ଏକପ୍ରକାର ତାଗିଦା କରିଛନ୍ତି । ତେବେ ଏ ଲେଖକ ଗବେଷକ ନୁହେଁ । ସାହିତ୍ୟ ସମାଲୋଚନା ଦୃଷ୍ଟିରୁ ମଧ୍ୟ ଏହା ଲେଖୁ ନାହିଁ । ମାତ୍ର ନିତ୍ୟାନନ୍ଦଙ୍କ ସୃଷ୍ଟି ଉପରେ ଭବିଷ୍ୟତରେ ଯେଉଁମାନେ ଗବେଷଣା କରିବେ, ସେମାନଙ୍କୁ ଏହା ନିଶ୍ଚିତ ଭାବରେ ସହାୟକ ହୋଇ ପାରିବ, ଏଥିରେ ସନ୍ଦେହ ନାହିଁ ।

 

ବିଶିଷ୍ଟ ସାହିତ୍ୟିକ, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଗଦ୍ୟଶିଳ୍ପୀ ଶ୍ରୀ ମନୋଜ ଦାସ ଏକଦା ‘ଝଙ୍କାର’ ସାହିତ୍ୟ ପତ୍ରିକାରେ ଓଡ଼ିଆ କଥା ସାହିତ୍ୟର ଧାରା ସମ୍ପର୍କରେ ନାତିଦୀର୍ଘ ଏକ ପ୍ରବନ୍ଧ ଲେଖିଥିଲେ । ପ୍ରକୃତରେ ତାହା ଥିଲା ତାଙ୍କ ବକ୍ତୃତାର କିୟଦଂଶ । ସେଥିରେ ମନୋଜ ବାବୁ ଉଲ୍ଲେଖ କରିଥିଲେ ଯେ ଯୌବନରେ ଜଣେ ଶକ୍ତିଶାଳୀ କବି ନିତ୍ୟାନନ୍ଦଙ୍କ ସୃଷ୍ଟି ପରବର୍ତ୍ତୀ କାଳରେ ଗଦ୍ୟକୁ ରୂପାନ୍ତରିତ ହୋଇଥିଲା । ବିଶ୍ୱ କଥା ସାହିତ୍ୟ ଧାରାରେ ଜୀବନ ଜିଜ୍ଞାସାର ଧାରାରେ ନିତ୍ୟାନନ୍ଦ ଅନନ୍ୟ ପ୍ରତିନିଧି ବୋଲି ଉଲ୍ଲେଖ କରି ତାଙ୍କ ରଚନାଗୁଡ଼ିକ ଦୁଷ୍ପ୍ରାପ୍ୟ ହୋଇଥିବାରୁ ସମାଲୋଚକମାନେ ସେ ସବୁର ଯଥାର୍ଥ ମୂଲ୍ୟାୟନ କରିନାହାଁନ୍ତି ବୋଲି ଶ୍ରୀ ଦାସ କ୍ଷୋଭ ପ୍ରକାଶ କରିଥିଲେ ।

 

ନିତ୍ୟାନନ୍ଦ ସୃଷ୍ଟିର ବୈଶିଷ୍ଟ୍ୟ ରହିଛି ବିଭିନ୍ନ କ୍ଷେତ୍ରରେ । ବ୍ୟାସକବି ଫକୀର ମୋହନଙ୍କ ପରି ତାଙ୍କ ଉପନ୍ୟାସଗୁଡ଼ିକର ନାମକରଣ ହୋଇଛି ଖାଣ୍ଟି ଓଡ଼ିଆ ଭାଷାରେ । ତାଙ୍କ ରଚିତ ଚରିତ ଉପନ୍ୟାସର ନାମକରଣ ‘ନାହଂ ତିଷ୍ଠାମି ବୈକୁଣ୍ଠେ’ ଅବଶ୍ୟ ସଂସ୍କୃତ ଭାଷାରେ । ଓଡ଼ିଆ ଭାଷାର ଜନନୀ ସଂସ୍କୃତ । ତେଣୁ ଖାଣ୍ଟି ଓଡ଼ିଆ ଭାଷାରେ ଏହି ଉପନ୍ୟାସର ନାମକରଣ କରାଯାଇ ନ ଥିଲେ ବି ଏହି ଉପନ୍ୟାସର ନାମକରଣ ବେଶ୍‌ ହୃଦୟସ୍ପର୍ଶୀ । ଭକ୍ତମାନଙ୍କ ନିକଟରେ ପୁସ୍ତକଟି ବେଶ୍‌ ଆଦୃତ । ସୌଭାଗ୍ୟବଶତଃ ଏହି ପୁସ୍ତକଟି ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଛି । ଯବନ ହରିଦାସ ଓ ଚୈତନ୍ୟ ମହାପ୍ରଭୁଙ୍କ ସମ୍ପର୍କ ଓ ଶ୍ରୀ ଜଗନ୍ନାଥଙ୍କ ଭକ୍ତିତତ୍ତ୍ୱକୁ ନେଇ ଏ ଉପନ୍ୟାସଟି କାବ୍ୟିକ ଢଙ୍ଗରେ ଓ ଅଭିନବ ଭାଷାରେ ଯେପରି ନିତ୍ୟାନନ୍ଦ ଲେଖିଛନ୍ତି; ତାହା ପ୍ରତିପାଦିତ କରିଥାଏ ଯେ ନିତ୍ୟାନନ୍ଦ ଏକାଧାରରେ ଜଣେ ଭକ୍ତ ଓ କବି । ଏ ପୁସ୍ତକଟି ଏତେ ଆଦୃତ ଯେ ଏହାର ଏକାଧିକ ସଂସ୍କରଣ ହେବା ପରେ ବି ପୁସ୍ତକଟିର ଚାହିଦା ରହିଛି । ଏହି ପୁସ୍ତକ ପ୍ରକାଶନ ପାଇଁ ଅର୍ଥାଭାବ ଦେଖା ଯାଇଥିଲା । ମାତ୍ର ପୁରୀସ୍ଥିତ ତତ୍‌କାଳୀନ ହରିଦାସ ମଠର ମହନ୍ତ ସ୍ଵର୍ଗୀୟ ନିତାଇପଦ ଦାସ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳିଥିବା ଆର୍ଥିକ ସହାୟତା ଯୋଗୁ ପୁସ୍ତକଟି ପ୍ରକାଶ ପାଇଥିଲା । ଏହି ପୁସ୍ତକର କଳେବର ମଧ୍ୟ ବଡ଼ ଥଲା । ଓଡ଼ିଶା ସାହିତ୍ୟ ଏକାଡ଼େମୀର ଭୂତପୂର୍ବ ଉପ-ସଭାପତି ଓ ବିଶିଷ୍ଟ ଓଡ଼ିଆ କବି ସ୍ୱର୍ଗୀୟ ରାଧାମୋହନ ଗଡ଼ନାୟକ ଏ ଲେଖକକୁ ଏହି ପୁସ୍ତକ ସଂକ୍ରାନ୍ତରେ କହିଥିବା କଥା ମନେ ପଡ଼ିଯାଉଛି । ସେ କହିଥିଲେ- ‘‘ନିତ୍ୟାନନ୍ଦ ଯେହେତୁ ଅତୀତରେ ସଂସ୍କୃତି ବିଭାଗର ମନ୍ତ୍ରୀ ଥିଲେ; ଓଡ଼ିଶା ସାହିତ୍ୟ ଏକାଡେମୀର କେତେକ ସଦସ୍ୟ ଏହାର ପାଣ୍ଡୁଲିପିକୁ ଆର୍ଥିକ ସହାୟତା ନ ଦେଇ ତାହା ସମୀକ୍ଷକ- କମିଟିକୁ ପଠାଯିବାକୁ ଚାହିଁଥିଲେ । ମାତ୍ର ନିତ୍ୟାନନ୍ଦଙ୍କର ଘନିଷ୍ଠ ବନ୍ଧୁ ରାଧାମୋହନ ଗଡ଼ନାୟକ ଏହାର ପ୍ରତିବାଦ କରି କହିଲେ ନିତ୍ୟାନନ୍ଦ ମହାପାତ୍ରର ପାଣ୍ଡୁଲିପିର ମୂଲ୍ୟାୟନ ପାଇଁ ସମୀକ୍ଷା କମିଟିକୁ ପଠାଯିବା, ଓଡ଼ିଆ ସାହିତ୍ୟ ପାଇଁ କଳଙ୍କ, ତେଣୁ ‘ନାହଂ ତିଷ୍ଠାମି ବୈକୁଣ୍ଠେ’ର ପାଣ୍ଡୁଲିପି ଉପରେ ତାହାର ବୈଶିଷ୍ଟ୍ୟ ପ୍ରତିପାଦନ କରି ସ୍ଵର୍ଗୀୟ ଗଡ଼ନାୟକ ମନ୍ତବ୍ୟ ଦେବାରୁ ଏହାର ପ୍ରକାଶନ ପାଇଁ ସଂସ୍କୃତି ବିଭାଗରୁ ଆର୍ଥକ ସହାୟତା ମିଳିପାରିଥିଲା ।

 

ଏହି ପୁସ୍ତକର ପ୍ରଚ୍ଛଦପଟ ଅଙ୍କନ କରିଥଲେ ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ଵର୍ଗୀୟ ଲକ୍ଷ୍ମୀଧର ଦାସ । ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ଓ ଲେଖକ ସ୍ଵର୍ଗୀୟ ଅକ୍ଷୟ ମହାନ୍ତି ଏକମାତ୍ର ରଙ୍ଗିନ୍‌ ଓଡ଼ିଆ ଚଳଚ୍ଚିତ୍ରରେ ନାୟକ ଭୂମିକାରେ ଅଭିନୟ କରିଥିଲେ । ସେ ଚଳଚ୍ଚିତ୍ରର ନାମ ଥଲା ‘କିଏ ଜିତେ କିଏ ହାରେ’ । ନାୟକ ଅକ୍ଷୟ ମହାନ୍ତି ଚେଆରରେ ବସି ଏହି ‘ନାହଂ ତିଷ୍ଠାମି ବୈକୁଣ୍ଠେ’ ପୁସ୍ତକଟି ପଢ଼ୁଥିବାର ଦୃଶ୍ୟ ରହିଥିଲା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଥିଲେ ସ୍ଵର୍ଗୀୟ ନତାଇ ପାଲିତ । ତେଣୁ ଏ ପୁସ୍ତକଟି ବିଭିନ୍ନ ଦିଗରୁ ବୈଶିଷ୍ଟ୍ୟ ଦାବି କରେ ।

 

ନିତ୍ୟାନନ୍ଦଙ୍କର କ୍ଲାସିକ ବା ଶାସ୍ତ୍ରୀୟ ଶ୍ରେଣୀୟ ଉପନ୍ୟାସ ଭାବେ ‘ହିଡ଼ମାଟି’କୁ ଧରାଯାଏ-। ଏହାର ଦ୍ୱିତୀୟ ଭାଗ ‘ଭଙ୍ଗାହାଡ଼’ ଓ ତୃତୀୟ ଭାଗ ‘ଘରଡ଼ିହ’ । ‘ହିଡ଼ମାଟି’ ପୁସ୍ତକଟି ଏକଦା ଜ୍ଞାନପୀଠ ପୁରସ୍କାର ଲାଗି ଷାଠିଏ ଦଶକରେ ଅନ୍ତିମ ପର୍ଯ୍ୟାୟକୁ ଯାଇଥଲା । ମାତ୍ର ରହସ୍ୟଜନକ ଭାବେ ଶେଷ ମୁହୂର୍ତ୍ତରେ ଏ ପୁସ୍ତକ ପୁରସ୍କାର ନ ପାଇ ବଙ୍ଗଳାର ତାରାଶଙ୍କର ବନ୍ଦୋପାଧ୍ୟାୟଙ୍କ ରଚିତ ‘ଗଣଦେବତା’ ପୁରସ୍କୃତ ହୋଇଥିଲା । ମାତ୍ର ବିଳମ୍ବରେ ହେଲେ ମଧ୍ୟ ୧୯୮୭ରେ ‘ଘରଡ଼ିହ’ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲା । ୧୯୮୮ରେ ନିତ୍ୟାନନ୍ଦଙ୍କ ପିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ଶତବର୍ଷରେ ନିତ୍ୟାନନ୍ଦ ନୂଆଦିଲ୍ଲୀ ଯାଇ ଏହି ପୁରସ୍କାର ଗ୍ରହଣ କରିଥିଲେ । ଏହା ଥିଲା ଏକ ଅଦଭୁତ ସାମଞ୍ଜସ୍ୟ ।

 

ବଡ଼ ବିଚିତ୍ର କଥା ଯେ ‘ହିଡ଼ମାଟି’ ଉପନ୍ୟାସ ରଚନା ହେବାର ବହୁ ବର୍ଷ ପରେ ଷାଠିଏ ଦଶକରେ ‘ହିଡ଼ମାଟି’ ପରି ଅନ୍ୟ ଏକ ଉପନ୍ୟାସ ନୋବେଲ ପୁରସ୍କାର ପାଇ ପାରିଥିଲା । ସେ ଉପନ୍ୟାସଟି ଥିଲା ‘ଏ ବ୍ରିଜ୍‌ ଅନ୍‌ ରିଭର ଡ୍ରାଇନା’ (ଡ୍ରାଇନା ନଦୀର ସେତୁ) ଏହାର ଲେଖକ ଥିଲେ ଚେକୋସ୍ଲୋଭାକିଆ ଦେଶର ଆଇତଭ୍ରା ଆନ୍ଦ୍ରିଜ । ଇତି ମଧ୍ୟରେ ଚେକୋସ୍ଲୋଭାକିଆ ରାଷ୍ଟ୍ର ଦ୍ୱିଧା ବିଭକ୍ତ ହୋଇ ଚେକ୍‌ ଓ ସୋଲଭାକିଆ ଏହିପରି ଦୁଇଟି ରାଷ୍ଟ୍ରରେ ପରିଣତ ହୋଇଛି ୧୯୯୩ ଜାନୁୟାରୀରୁ । ଭାରତରେ ମଧ୍ୟ ଭୌଗୋଳିକ, ରାଜନୀତିକ ଓ ସାମାଜିକ ସ୍ତରରେ ପରିବର୍ତ୍ତନ ଘଟିଛି । ଓଡ଼ିଶାର ୧୩ଟି ଜିଲ୍ଲା ୧୯୯୨ରୁ ୩୦ଟି ଜିଲ୍ଲାରେ ପରିଣତ ହୋଇଛି । ତତ୍‌କାଳୀନ ସାମାଜିକ ସ୍ଥିତିକୁ ନେଇ ଇତିହାସର ପୃଷ୍ଠଭୂମିରେ ‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ପ୍ରଭୃତି ଉପନ୍ୟାସ ଯାହା ଲେଖାଯାଇଛି; ଓଡ଼ିଶାରେ ସେପରି ଉପନ୍ୟାସ ଲେଖା ଯାଇ ନାହିଁ । ବିଶିଷ୍ଟ ସାହିତ୍ୟିକ ଡକ୍ଟର କୃଷ୍ଣଚରଣ ବେହେରା ‘‘ହିଡ଼ମାଟି” ଓ ଚେକୋସ୍ଲୋଭିଆ ଲେଖକଙ୍କର ‘ଡ୍ରାଇନା ନଦୀର ସେତୁ’ ଉପନ୍ୟାସ ମଧ୍ୟରେ ତୁଳନା କରି ଏକ ସୁନ୍ଦର ପ୍ରବନ୍ଧ ଷାଠିଏ ଦଶକରେ ‘ଡଗର’, ପତ୍ରିକାରେ ଲେଖିଥିଲେ । ‘ହିଡ଼ମାଟି’ର ଲେଖକ ଓ ସେ ପୁସ୍ତକର ଲେଖକଙ୍କ ମଧ୍ୟରେ ସାମଞ୍ଜସ୍ୟ ଥିବା କଥା ଦର୍ଶାଇ ସେ ଲେଖିଥିଲେ ଯେ ଉଭୟ ସ୍ୱାଧୀନତା ସଂଗ୍ରାମୀ ଓ ବିଧାୟକ ଥିଲେ । ଉଭୟ ଏକା ପରି ଉପନ୍ୟାସ ଲେଖିଛନ୍ତି, ଯେଉଁଥିରେ କୌଣସି ମଣିଷ ନାୟକ ବା ନାୟିକା ନୁହନ୍ତି-

 

ବାସ୍ତବରେ ଯେ କୌଣସି ଉପନ୍ୟାସରେ ଜଣେ ନାୟକ ବା ନାୟିକା ଥାଆନ୍ତି । ମାତ୍ର ବ୍ୟତିକ୍ରମ ଘଟିଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘କଣାମାମୁ’ ଉପନ୍ୟାସରେ । ‘କଣାମାମୁ’ର ନାୟକ ନିଜେ କଣାମାମୁ । କୌଣସି ନାୟିକା ନ ଥାଇ ବି ଉପନ୍ୟାସଟି ବେଶ୍‌ ଲୋକପ୍ରିୟ । ସେହିପରି ନିତ୍ୟାନନ୍ଦଙ୍କ ଉପନ୍ୟାସଗୁଡ଼ିକର ବୈଶିଷ୍ଟ୍ୟ ହେଉଛି ଯେ ତାଙ୍କ ଉପନ୍ୟାସରେ କେହି ବ୍ୟକ୍ତି ନାୟକ ନୁହନ୍ତି । ସେ ନିଜେ ତାଙ୍କ ରଚିତ ‘ପତ୍ର ଓ ପ୍ରତିମା’ ରମ୍ୟରଚନା ପୁସ୍ତକରେ (ଯେଉଁ ପୁସ୍ତକ ବିଶ୍ୱଭାରତୀର ଓଡ଼ିଆ ଏମ୍‌.ଏ.ପାଠ୍ୟକ୍ରମରେ ଅନେକ ଦିନ ଧରି ପାଠ୍ୟପୁସ୍ତକ ଥିଲା) ଏକଥା ସ୍ଵୀକାର କରିଛନ୍ତି । ତାହା ହେଲା ମୁଁ ଲେଖିଲି-ଉପନ୍ୟାସ । ସ୍ଥାନ ଓ କାଳକୁ କଲି ନାୟକ । ‘ହିଡ଼ମାଟି’ରେ ଗଢ଼ି ଉଠିଲା ବୁଡ଼ିମଲା ପୋଡ଼ିଗଲା ଗୋଟିଏ ଗାଁ- ୧୯୩୦ରୁ ୪୩ ମଧ୍ୟରେ । ‘ହିଡ଼ମାଟି’ର ନାୟକ ତେଣୁ କୌଣସି ବ୍ୟକ୍ତି ନୁହେଁ, ନିବୈକ୍ତିକ କାଳ ଓ ସ୍ଥାନ । x x x ଦେଶ-କାଳ ଆଉ ମୋର ନାୟକ ହୋଇପାରିଲେ ନାହିଁ । ମୋ’ଉପନ୍ୟାସରେ ନାୟକ କେହି ନାହାନ୍ତି । ‘ପୀରତି ପଥ ଖସଡ଼ା’ରେ (ପରିବର୍ତ୍ତିତ ନାମ ‘ଖସଡ଼ା ବାଟ’) ନାୟକ କେହି ନୁହେଁ । କେହି ନାୟିକା ମଧ୍ୟ ନାହିଁ । ସୁମିତ୍ରା କେବଳ ଜଣେ ନାୟିକା । ଆଧୁନିକ ଆଧୁନିକାଙ୍କ ଭଳି ସେ ସ୍ଵକୀୟା ନୁହେଁ, ପରକୀୟା ନୁହେଁ, ସାଧାରଣା ନୁହେଁ, ସେ ଏକଧାରାରେ ସବୁ, ଅଥଚ କିଛି ନୁହେଁ । ସେ ଗୋଟାଏ ବିରାଟ ପ୍ରବଞ୍ଚନାର ପ୍ରତୀକ । x x x ସେଥିପାଇଁ ଦୂବଠାରୁ ଦାରୁଯାଏଁ ସମସ୍ତଙ୍କ ସାର୍ଥକତା ମୁଁ ଦେଖେ । କାହାକୁ ବୀର (Hero) କରି ବା କାହାକୁ ଭୀରୁ କରି ପାରୁ ନାହିଁ ଆଜିକାଲି । ‘ପୀରତି ପଥ ଖସଡ଼ା’ରେ ସେଥିପାଇଁ ପ୍ରତ୍ୟେକ ନିଜେ ନିଜେ ଜୀଇଁବାର ସାର୍ଥକତା ହେଉ ନ ହେଉ- ଯଥାର୍ଥତା ଦେଖେଇଛନ୍ତି । ଏହାହିଁ ‘ପୀରତି ପଥ ଖସଡ଼ା’ର ମୋର ନୂଆ କଥା । ଅର୍ଥାତ୍‌ ସେଥିରେ ସ୍ଥାନ, କାଳ, ପାତ୍ର ବା ଚରିତ୍ର, କେହି ନାୟକ ବା ନାୟିକା ନୁହେଁ, ନାୟକ ନାୟିକା ନିଜେ ପାଠକ ଓ ପାଠିକା । x x x (ନାୟକ, ପତ୍ର ଓ ପ୍ରତିମା)

 

‘ହିଡ଼ମାଟି’, ‘ଭଙ୍ଗାହାଡ଼’ ଓ ‘ଘରଡ଼ିହ’ ଏହି ତିନୋଟି ଉପନ୍ୟାସର ବୈଶିଷ୍ଟ୍ୟ ହେଉଛି ଯେ ସେଥିରେ ଥିବା ଦୁଃଖୀ ଦାଶ ଚରିତ୍ର ମଧ୍ୟରେ ନିଜେ ଲେଖକ ନିତ୍ୟାନନ୍ଦଙ୍କର ପ୍ରତିଫଳନ ହୋଇଛି କେତେକାଂଶରେ । ଅନେକ ସାକ୍ଷାତ୍‌କାରରେ ନିତ୍ୟାନନ୍ଦ ଏହା ସ୍ଵୀକାର କରିଛନ୍ତି । ଅତୀତର ନିତ୍ୟାନନ୍ଦଙ୍କ ଜୀବନ ଦୁଃଖ ଓ ସଂଘର୍ଷମୟ ଥିଲା ।

 

ବିଶିଷ୍ଟ ଲେଖକ ଓ ପରିବେଶବିତ୍‌ ଶ୍ରୀ ଅଭୟ ସିଂ ମୋତେ ଥରେ କହୁଥିଲେ, ଏକଦା କେନ୍ଦ୍ରାପଡ଼ା କଲେଜକୁ ନିତ୍ୟାନନ୍ଦଙ୍କୁ କୌଣସି ଏକ ଉତ୍ସବରେ ମୁଖ୍ୟଅତଥି କରି ଡକାଯାଇଥିଲା । ସେଠାରେ, ସଭା ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଜଣେ ପଚାରିଲେ ‘ଜୀବନର ଲକ୍ଷ୍ୟ’ ଉପନ୍ୟାସ ଆପଣ ଲେଖିଛନ୍ତି । ଆପଣଙ୍କ ଜୀବନର ଲକ୍ଷ୍ୟ କ’ଣ ? ତାହାର ଉତ୍ତରରେ ନିତ୍ୟାନନ୍ଦ କୁଆଡ଼େ କହିଥିଲେ, ସେହି ଉପନ୍ୟାସର ଶେଷରେ ଉତ୍ତର ରହିଛି । ଜୀବନରେ ଜଣେ ସବୁ କିଛି ହେବାକୁ ଚାହିଁଛି । ହେଇଛି ମଧ୍ୟ । ତଥାପି ସେ ସନ୍ତୁଷ୍ଟ ହୋଇ ପାରି ନାହିଁ । ତେଣୁ ଜୀବନର ପ୍ରକୃତ ଲକ୍ଷ୍ୟ କ’ଣ ତାହା ଲେଖକ ଦର୍ଶାଇଛନ୍ତି ଉପନ୍ୟାସଟିରେ ଏହି ଉପନ୍ୟାସଟି ବି.ଏ. ପାଠ୍ୟକ୍ରମରେ ଏକଦା ପାଠ୍ୟପୁସ୍ତକ ହୋଇଥିଲା ! ମନସ୍ତତ୍ତ୍ୱ, ଦର୍ଶନ ପ୍ରଭୃତି ଥାଇ ଚମତ୍କାର କାହାଣୀ ଶୈଳୀରେ ରଚିତ ଏ ଉପନ୍ୟାସକୁ ଆଧୁନିକତାର ମାନଦଣ୍ଡରେ ଚେତନା ପ୍ରବାହ (Stream of consciousness) ଉପନ୍ୟାସ ଶ୍ରେଣୀଭୁକ୍ତ କରାଯାଇପାରେ ।

 

ନିତ୍ୟାନନ୍ଦଙ୍କ ରଚିତ ‘କବି ପ୍ରିୟାସୁ’ ଏକ ଅନନ୍ୟ ସୃଷ୍ଟି । ଷାଠିଏ ଦଶକରେ ରାଷ୍ଟ୍ରଭାଷା ପ୍ରକାଶନୀ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ କବି, କବିତା ଓ କବିପ୍ରିୟା ଉପରେ ହୃଦୟସ୍ପର୍ଶୀ ଭାଷା ଓ ଭାବର ଏ ହେଉଛି କ୍ଷୁଦ୍ର ଆଧୁନିକ କାବ୍ୟ । ଏହା ଆଧୁନିକ ଓଡ଼ିଆ ସାହିତ୍ୟର ଏକ ବିସ୍ମୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସ୍ଵର୍ଗୀୟା ସାମ୍ବାଦିକ ଓ ସାହିତ୍ୟିକା ପଦ୍ମାଳୟା ଦାଶ ଏକଦା ଇଣ୍ଡିଆନ ଲିଟରେଚରରେ ତାଙ୍କର ଏକ ଇଂରାଜୀ ପ୍ରବନ୍ଧରେ ଏହି ପୁସ୍ତକଟି ଗଦ୍ୟ ନୁହେଁ କି ପଦ୍ୟ ନୁହେଁ ଓ ଅଭିନବ ଶୈଳୀରେ ଲିଖିତ ଏକ ପୁସ୍ତକ ବୋଲି ଦର୍ଶାଇଥିଲେ । ବୈଷ୍ଣବ ତତ୍ତ୍ୱର ଯେଉଁ ବର୍ଣ୍ଣନା ଏଥ୍‌ରେ ରହିଛି ତାହା ମଧ୍ୟ ଅଦ୍ୱିତୀୟ ବୋଲି ମନେ ହୋଇଥାଏ ।

 

ଗଜପତି ନଗର, ଭୁବନେଶ୍ୱର

***

 

କଳାର କୌଶିକ ଓ କଳ୍ପନାର କାରିଗର

ନାରାୟଣ ପଣ୍ଡା

 

The Novel is an attempt to create a mirror, in which the novelist will be able to see his own face. It is faundamentally an attempt of at self-creation :- Colin Wilson

 

ମାନବ ଜୀବନକୁ ଲେଖନୀର ସ୍ନିଗ୍‌ଧ ସ୍ପର୍ଶରେ ମହତ୍ତର କରିବା ଉଦ୍ଦେଶ୍ୟରେ ଯେଉଁ କେତେଜଣ ସାରସ୍ଵତ ସାର୍ଥକ ସ୍ରଷ୍ଟା କର୍ଣ୍ଣିକାଚାଳନା କରି ସାହିତ୍ୟକୁ ବିବିଧ ବର୍ଣ୍ଣବିଭାରେ, ଅକ୍ଷୟ ପ୍ରେରଣାର ଶେଷହୀନ ଉତ୍ସରେ ଉପନୀତ କରିଛନ୍ତି, ସେମାନଙ୍କ ମଧ୍ୟରେ ନିତ୍ୟାନନ୍ଦ ମହାପାତ୍ର ସର୍ବବାଦୀ-ସମ୍ମତ । ଉପନ୍ୟାସ ଯେଉଁଠାରେ ଅନୁରକ୍ତ ଅନୁଭବ ଆଧାରିତ ସେଠାରେ ତାହା ପ୍ରାଣସ୍ପର୍ଶୀ । ସ୍ରଷ୍ଟାର ପ୍ରତୀତି ଅନ୍ତର୍ଦୃଷ୍ଟି ସଂଜାତ ହେଲେ ତାହା ନବୀନତାର ଶାଶ୍ୱତ ସ୍ପର୍ଶ ଲାଭକରେ । ଉପନ୍ୟାସ ଗୁଡ଼ିକରେ ଗ୍ରାମୀଣଚିତ୍ର ଯେପରି ପ୍ରତିଫଳିତ ସହରୀ ଜୀବନର ଚିତ୍ରପଟ ସେପରି ପ୍ରତିକୀତ ।

 

ଭୁଲ (୧୯୪୫) ଜୀବନର ଲକ୍ଷ୍ୟ-(୧୯୪୬) ଜୀଅନ୍ତା ମଣିଷ (୧୯୪୬) ହିଡ଼ମାଟି (୧୯୪୭) ପୀରତିର ପଥ ଖସଡ଼ା (୧୯୫୧) ଖସଡ଼ା ବାଟ (୧୯୫୨) ଭଙ୍ଗାହାଡ଼ (୧୯୫୬) ସୁଖର ସନ୍ଧାନେ (୧୯୫୬) ଜଳନ୍ତାନିଆଁ (୧୯୭୩) ଘରଡ଼ିହ (୧୯୮୭) ପ୍ରଭୃତି ଉପନ୍ୟାସ ଔପନ୍ୟାସିକଙ୍କ ନାନ୍ଦନିକ ଜୀବନପୁଷ୍ପର ମହନୀୟ ସୌରଭ ଓ କଳ୍ପନାର କାରୁକାର୍ଯ୍ୟ । ‘ପତ୍ର ଓ ପ୍ରତିମା’ ପ୍ରବନ୍ଧ ସଂକଳନ ନିତ୍ୟାନନ୍ଦଙ୍କ ଅନନ୍ତଅଧ୍ୟୟନ ଓ ଚିନ୍ମୟ ଚିନ୍ତନର ଶାବ୍ଦିକ ସ୍ଥାପତ୍ୟ । ସଂକଳନସ୍ଥ ପ୍ରବନ୍ଧଗୁଡ଼ିକ ସ୍ଵତନ୍ତ୍ର ଓ ଗଦ୍ୟଶୈଳୀ ସରସ ସୁନ୍ଦର ସୁଖପାଠ୍ୟ ।

 

ଅନ୍ଧାର ଓ ଆଲୋକର ଦ୍ୱନ୍ଦ୍ୱଭିତରୁ ନୂତନର ଜନ୍ମ । ସମାଜ ଓ ବ୍ୟକ୍ତିର ସଂଗ୍ରାମ, ସାଧନାଭୂମିରୁ ନୂତନ ବିଭୂତିର ଆତ୍ମପ୍ରସାଦ ଆଣିଦିଏ ଉପନ୍ୟାସ । ଉପନ୍ୟାସ ଏକ ପ୍ରବହମାନ ଜୀବନଧର୍ମୀ କଳା । ଯାହାର ସୃଷ୍ଟି ଯେପରି ତା’ର ସୃଷ୍ଟି ସେପରି ।

 

ଆଧୁନିକ ଓଡ଼ିଆ ସାହିତ୍ୟରେ ଜଣେ ବହୁମୁଖୀ ପ୍ରତିଭାଧର ଶିଳ୍ପୀ ନିତ୍ୟାନନ୍ଦ ମହାପାତ୍ର । ସେ ଏକାଧାରରେ କବି, ଔପନ୍ୟାସିକ, ଗାଳ୍ପିକ, ପ୍ରାବନ୍ଧିକ, ସମାଲୋଚକ, ସମ୍ବାଦିକ, ରାଜନୀତିକ ନେତା ଓ ସମାଜସେବୀ । ତାଙ୍କ ଜୀବନର ଦୁଇଟି ବିଭବ- ରାଜନୀତି ଓ ସାହିତ୍ୟ ପାରିବାରିକ ପରମ୍ପରାରୁ ଲବ୍‌ଧ ଓ ସ୍ଵକୀୟ ସାଧନାରେ ସ୍ଵତନ୍ତ୍ର ରୀତିରେ ବିକଶିତ ।୧।

 

କିଶୋର ବୟସରୁ ରୁଢ଼ ବାସ୍ତବତା ମଧ୍ୟରେ ତାଙ୍କ ଜୀବନର ଗତି । ତେଣୁ ସେ ସୌଖୀନ ରାଜନୀତିଜ୍ଞ ନଥିଲେ ବା ରୋମାଣ୍ଟିକ୍‌ ଭାବବିଳାସ ତାଙ୍କର ଧର୍ମ ନ ଥିଲା । ସ୍ଵାଧୀନତା ସଂଗ୍ରାମରେ ଯୋଗେଦେଇ ସାତବର୍ଷ କାରାବରଣ କରିଥିଲେ । କାରାଗାର ଥିଲା ତାଙ୍କର ଜୀବନବିଦ୍ୟାଳୟ । ଆତ୍ମ ପ୍ରଚେଷ୍ଟାରେ ତାଙ୍କ ଶିକ୍ଷାର ଦିଗନ୍ତ ବିସ୍ତାରିତ । ପିତା ଲକ୍ଷ୍ମୀକାନ୍ତ କୁଷ୍ଠରୋଗାକ୍ରାନ୍ତ । ଅତିକ୍ରାନ୍ତ ବୟସରେ ସେ କଲେ ବିବାହ । ଲବଣ ସତ୍ୟାଗ୍ରହ ସମୟରୁ ପ୍ରତ୍ୟକ୍ଷ ରାଜନୀତି ସହିତ ସଂପୃକ୍ତ । ସ୍ଵରାଜ-ସ୍ଵାଭିମାନରେ ତାଙ୍କର ଅନ୍ତର ସମୃଦ୍ଧ । ଗାନ୍ଧିବାଦର ଅମୃତମୟଭାବରେ ହୃଦୟ ପରିପ୍ଲୁତ । ସାଧାରଣ ମଣିଷ ପ୍ରତି ତାଙ୍କ ପ୍ରାଣର ମୁଗ୍ଧ ଅଭିନନ୍ଦନ । ସ୍ଵାଧୀନତା ପରେ ରାଜନୀତି ଓ ସମାଜରେ ପ୍ରତାରଣା ଓ ପ୍ରବଞ୍ଚନା । ଏ ସମସ୍ତ ଭାବଧାରାକୁ ସେ ଉପଲବ୍‌ଧ କରିଛନ୍ତି ଗଭୀର ଭାବରେ । ତାକୁ ସେ ରୂପ ପ୍ରଦାନ କରିଛନ୍ତି ବିଭିନ୍ନ ସାରସ୍ଵତ କୃତିରେ ।୧।

 

ଏଗାରଟା, କ୍ଷଣିକା, ଧଳାଗାର ଓ କଳାଗାର, ଆଖିନାହିଁ କାନ ନାହିଁ, ପ୍ରଭୃତି ଗଳ୍ପ ସଂକଳନ ତାଙ୍କ ପ୍ରତିଭାର ପରିଚୟ । ପ୍ରତ୍ୟେକ ଗନ୍ଧ ମଣିଷ ମନର ସୂକ୍ଷ୍ମ ଅବବୋଧର କମନୀୟ ମାନଚିତ୍ର । ତାଙ୍କ ଗଳ୍ପରେ ଅଛି ନାଟକୀୟ ଉତ୍କଣ୍ଠା ଓ ଚରିତ୍ର ଚିତ୍ରଣରେ ଚମକ । କଥନ ଶୈଳୀରେ ଗାଳ୍ପିକଙ୍କ ଦୃଷ୍ଟିଭଙ୍ଗୀ ବେଶ୍‌ ପରିଚ୍ଛନ୍ନ । ଉପସ୍ଥାପନାରେ ବ୍ୟଞ୍ଜନା ପାଠକକୁ ଏକ ଭିନ୍ନ ଜଗତକୁ ନେଇଯାଏ । ପ୍ରତ୍ୟେକ ଗଳ୍ପ ଭିତରେ ସ୍ରଷ୍ଟାର ଅଶରୀରୀ ବ୍ୟକ୍ତିସତ୍ତା ଯେପରି ଚରିତ୍ରମାନଙ୍କ ମଧ୍ୟରେ ଆତ୍ମପ୍ରକାଶ କରିଛି । ପ୍ରଥମ ତିନୋଟି ଗଳ୍ପସଂକଳନର ଗଳ୍ପଗୁଡ଼ିକ କାରାଗାର ରହଣୀ କାଳରେ ରଚିତ । ୧୯୩୦ ମସିହା ଲବଣ ସତ୍ୟାଗ୍ରହଠାରୁ ଭାରତୀୟ ତଥା ଉତ୍କଳୀୟ ଜନଜୀବନରେ ଯେଉଁ ରାଜନୀତିକ, ସାମାଜିକ, ସାଂସ୍କୃତିକ ବିବର୍ତ୍ତନ ଦେଖା ଦେଇଥିଲା ସେହି ଭାବଧାରାକୁ ଗାଳ୍ପିକ ତାଙ୍କର କ୍ଷୁଦ୍ରଗଳ୍ପମାନଙ୍କରେ ପ୍ରକାଶ କରିଛନ୍ତି । ସ୍ଥୂଳ ବସ୍ତୁସତ୍ତା ମଧ୍ୟଦେଇ ସୂକ୍ଷ୍ମ ମାନସିକ ଭାବାବେଗର ରସ ରୂପାୟନ ତାଙ୍କ ଗଳ୍ପର ବୈଶିଷ୍ଟ୍ୟ ।୩।

 

ନିତ୍ୟାନନ୍ଦ ମହାପାତ୍ର ସ୍ଥୂଳତଃ ରୋମାଣ୍ଟିକ୍‌ ଶିଳ୍ପୀ ଓ ଭାବପ୍ରବଣତାର ଉପାସକ । ମନସ୍ତାତ୍ତ୍ୱିକ ବ୍ୟଞ୍ଜନାର ସ୍ପର୍ଶ ଦେବାରେ ତାଙ୍କର ତୂଳି ଅଧକ ନିପୁଣତାର ପରିଚାୟକ । କେତେକ ଆଧୁନିକ ଗଳ୍ପରେ ଯୁଗର ସଂଘର୍ଷମୟ ବାତାବରଣ ଚିତ୍ର ପରିଲକ୍ଷିତ । କିନ୍ତୁ ସେଗୁଡ଼ିକରେ ତାଙ୍କର ରୋମାଣ୍ଟିକ୍‌ ଦୃଷ୍ଟିଭଙ୍ଗୀ ଉପଭୋଗ୍ୟ ଏବଂ ତାଙ୍କର ଶିଳ୍ପସିଦ୍ଧି ଭାବଧର୍ମୀ ଗଳ୍ପଗୁଡ଼ିକରେ ହିଁ ସୁଦୃଶ୍ୟ ।୪।

 

ନିତ୍ୟାନନ୍ଦଙ୍କ ଗଳ୍ପରେ ଅଛି ଏକ ରୋମାଣ୍ଟିକ୍‌ ଅନ୍ଵେଷା । ଏହା ନିଚ୍ଛକ କଳ୍ପନାବିଳାସ ନୁହେଁ, ପ୍ରେମ-ପ୍ରଣୟ ଯନ୍ତ୍ରଣାର କରୁଣ ମୂର୍ଚ୍ଛନା ନୁହେଁ; ସମାଜ ସଚେତନତାର ମାର୍ମିକ ଅଭିବ୍ୟକ୍ତ ।

 

କଥାକାରା ନିତ୍ୟାନନ୍ଦ ମହାପାତ୍ର ସ୍ରଷ୍ଟାଜୀବନର ଆଦ୍ୟଭାଗରେ ରୋମାଣ୍ଟିକ୍‌ ଭାବାକୁଳତାକୁ ପ୍ରକାଶ କରୁଥିଲେ ହେଁ କ୍ରମେ ସେ ଭାବ ପ୍ରବଣତାକୁ ପରିତ୍ୟାଗ କରି ସମାଜ-ଚେତନାକୁ ପ୍ରକାଶ କରିଛନ୍ତି । ଗାଳ୍ପିକଙ୍କ ଗଳ୍ପ ସଂପର୍କରେ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି, ଯଥାର୍ଥରେ ପ୍ରକାଶ କରିଛନ୍ତି- ‘‘କ୍ଷୁଦ୍ରଗଳ୍ପ ରଚନାରେ ନିତ୍ୟାନନ୍ଦଙ୍କ ସିଦ୍ଧି ଓ କୁଶଳତାର ପରିମାଣ ଉପନ୍ୟାସ ରଚନାରେ ନାହିଁ । ନିଚ୍ଛକ ଭାବପ୍ରବଣତାକୁ ବର୍ଜନ କରି ସମାଜ ଚେତନାର ସ୍ପର୍ଶ ଏବେ ତାଙ୍କ କଥା ସାହିତ୍ୟରେ ପ୍ରକାଶ ପାଇଥିବା ଆଶା ଓ ଆନନ୍ଦର ବିଷୟ ।୫।

 

ବାସ୍ତବିକ୍‌ ଗାଳ୍ପିକ କ୍ରମେ ଭାବପ୍ରବଣତାକୁ ପରିତ୍ୟାଗ କରି ବାସ୍ତବ ଜୀବନର ଅନ୍ତଃସ୍ଵରକୁ କ୍ଷୁଦ୍ରଗଳ୍ପମାନଙ୍କରେ ପ୍ରକାଶ କରି ସାମାଜିକ ଦାୟିତ୍ୱବୋଧର ପରିଚୟ ପ୍ରଦାନ କରିଛନ୍ତି । ‘ଏଗାରଟା’ ଖୁଡ଼ୀ, ‘ପରିବର୍ତ୍ତନ’ ‘ରୁକ୍‌’, ‘ଗରିବର ଦେବତା’ ଦୂର ଓ ନିକଟ’ ବସଷ୍ଟାଷ୍ଟାଣ୍ଡ’ ଆଦି ଗଳ୍ପଗୁଡ଼ିକରୁ ଗାଳ୍ପିକଙ୍କର ସାମାଜିକ ସଚେତନତା ପରିଦୃଷ୍ଟି ।

 

‘ଖୁଡ଼ି’ ଗଳ୍ପରେ ବାପା ମାଆ ଛେଉଣ୍ଡ ପିଲା ପ୍ରତି ଅନ୍ୟମାନଙ୍କର ସମବେଦନା କପରି ପ୍ରକାଶ ପାଏନାହିଁ ସେହିକଥାକୁ ଗାଳ୍ପିକ ସୁନ୍ଦର ଭାବରେ ପ୍ରକାଶ କରିଛନ୍ତି । ‘ରୁକ୍‌’ ଗଳ୍ପରେ ନାରୀ ନିର୍ଯ୍ୟାତନାର ବାସ୍ତବିକଚିତ୍ର ପ୍ରକାଶିତ ହେବା ସଙ୍ଗେ ସଙ୍ଗେ ପୁଅଝିଅ ମଧ୍ୟରେ ସମାଜରେ ଥିବା ତାରତମ୍ୟକୁ ଗାଳ୍ପିକ ଉପସ୍ଥାପନ କରିଛନ୍ତି ।

 

‘ଅନ୍ୱେଷଣ’ ‘ସଉଦାଗର’ ‘ଚକ୍ଷୁଦାନ’ ଜୀବନର ମାନଦଣ୍ଡ’ ପ୍ରଭୃତି ଗଳ୍ପଗୁଡ଼ିକ ରାଜତନ୍ତ୍ର ପୃଷ୍ଠଭୂମି ଉପରେ ଆଧାରିତ ରୋମାଣ୍ଟିକ ପ୍ରେମର ଅଭିବ୍ୟକ୍ତି ।

 

ତତ୍‌କାଳୀନ ସାମାଜିକ ବ୍ୟବସ୍ଥା ବିଧିବିଧାନ ଗଳ୍ପଗୁଡ଼ିକରେ ସ୍ଥାନୀତ । ‘ବସଷ୍ଟାଣ୍ଡ’ ଗଳ୍ପରେ ଆଧୁନିକ ଜୀବନର କର୍ମବ୍ୟସ୍ତତା ପ୍ରତିଫଳିତ । ଅନ୍ଧର ଅହମିକା’ ଗଳ୍ପରେ ଗ୍ରାମ୍ୟ ଜୀବନର ଚିତ୍ର ପ୍ରକାଶ ପାଇବା ସହିତ ନଦୀ ବଢ଼ିର ଭୟାବହତା ବର୍ଣ୍ଣିତ । ‘ଅପୂର୍ଣ୍ଣ’ ‘ସେଇପୁରୁଣା କଲମଟା’ ‘ଶୁଆଶାରୀ’ ‘ଭିକ୍ଷା’ ରାଜାଝିଅ’ ‘ବିଦାୟ’ ‘ପଳାତକ’ ନୂଆବୋଉ’ ପ୍ରଭୃତି ଗଳ୍ପରେ ସମାଜ ଜୀବନର କାରୁଣ୍ୟେଦୀପ୍ତ ଚିତ୍ର ପ୍ରଦର୍ଶିତ । ନରନାରୀମାନଙ୍କର ମନ ଗହନର ଅବ୍ୟକ୍ତଭାବରୂପ ଗଳ୍ପରେ ଚିତ୍ରିତ, ପରିଶୋଭିତ । ରାଜନୀତି, ଜାତୀୟତା, ନାରୀଯାତନା, ଦାରିଦ୍ର୍ୟ, କ୍ଷମତାଦୃପ୍ତ ବ୍ୟକ୍ତିର ଛଳନା ପ୍ରବଞ୍ଚନା, ଗ୍ରାମ୍ୟଜୀବନର ଅସହାୟତା, ଆଧୁନିକ ଜୀବନର ଜଟିଳତା ନିତ୍ୟାନନ୍ଦ ମହାପାତ୍ରଙ୍କ ଗଳ୍ପର କାନ୍‌ଭାସ୍‌ ।

 

ଗଳ୍ପରେ ନରନାରୀମାନଙ୍କର ଅବଚେତନର ଅବୋଧ୍ୟ ରହସ୍ୟକୁ ଗାଳ୍ପିକ ଉନ୍ମୋଚନ କରିବା ସଙ୍ଗେ ସଙ୍ଗେ ପଶୁପକ୍ଷୀ ସହିତ ମଣିଷର ସଂପର୍କକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ବିଚାର କରିଛନ୍ତି । ସମାଲୋଚକ ତାରିଣୀଚରଣ ଦାସ ତାଙ୍କ ଗଳ୍ପ ସଂପର୍କରେ ପ୍ରକାଶ କରିଛନ୍ତି : ନିତ୍ୟାନନ୍ଦ ମହାପାତ୍ର ନିଜ ମନୋବୈଜ୍ଞାନିକ କାହାଣୀ ସକାଶେ ଓଡ଼ିଆ କଥା ସାହିତ୍ୟରେ ଅଦ୍ୱିତୀୟ କହିଲେ ଚଳେ । ସେ ପଶୁପକ୍ଷୀ ଓ ମନୁଷ୍ୟର ପାରସ୍ପରିକ ସଂପର୍କ, ଆସକ୍ତି, ସ୍ନେହ ଓ ବିଷମ ମନୋବୈଜ୍ଞାନିକ ସ୍ଥିତିର ଅଧ୍ୟୟନରେ ବିଶେଷ ଦକ୍ଷତା ପ୍ରତିପାଦନ କରିଛନ୍ତି ।୬।

 

ଗାଳ୍ପିକଙ୍କ ଲେଖନୀସୃତ ‘ଅଦ୍ଭୁତବ୍ୟାଧି’ ଓ ‘ମାରାତ୍ମକ ହୃଦୟ’ ଗଳ୍ପଦୁଇଟି ମନସ୍ତାତ୍ତ୍ୱିକ ଭାବଧାରାରେ ଆଧାରିତ । ପ୍ରେମ ପ୍ରଣୟର ପଶାଖେଳ ଭିତରେ ‘ଅନ୍ୱେଷଣ’ ଗଳ୍ପ ରସୋତ୍ତୀର୍ଣ୍ଣ । ‘ଚକ୍ଷୁଦାନ’ ଗଳ୍ପରେ ରୋମାଣ୍ଟିକ ଭାବାବେଗ ଓ ମାନସିକ ବିକୃତି ପ୍ରକାଶିତ । ‘ମାନସିକବ୍ୟାଧି’ ମାନସିକବ୍ୟାଧିର ଏକ କଳାତ୍ମକ ରୂପ । ‘ପରିବର୍ତ୍ତନ’ ଓ ‘ଦୋକାନଦାର’ ଦୁଇଟି କ୍ଷୁଦ୍ର ଗଳ୍ପରେ ଗଭୀର ବାତ୍ସଲ୍ୟବୋଧକୁ ଗାଳ୍ପିକ ପ୍ରକାଶ କରିଛନ୍ତି । ସୂକ୍ଷ୍ମ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଲେଖକ ମାନବିକ ପ୍ରବୃତ୍ତିକୁ ବିଚାର କରିଛନ୍ତି । ରବୀନ୍ଦ୍ରନାଥ ଠାକୁରଙ୍କର ‘କାବୁଲିୱାଲା’ ଗଳ୍ପ ଓ କାନ୍ତକବି ଲକ୍ଷ୍ମୀକାନ୍ତଙ୍କର ‘ବୁଢ଼ାଶଙ୍ଖାରି’ ଗଳ୍ପର ମର୍ମ ‘ଦୋକାନଦାର’ ଗଳ୍ପରେ ପରିଦୃଷ୍ଟ ।

 

‘ଏଗାରଟା’ ଗଳ୍ପରେ ରହିମର ଫାତିମା ସହିତ ପ୍ରେମ ଓ ତା’ର ଜୀବନ ବିପର୍ଯ୍ୟୟପରେ ଫାତିମାର ଅନ୍ୟତ୍ର ବିବାହ ଏବଂ ରହିମ ପ୍ରତି ସମସ୍ତଙ୍କର ଚରମ ଅବହେଳା, ‘ଖୁଡ଼ୀ’ ଗଳ୍ପରେ କୀଣୁ କୋଠାରୁ ଖସିପଡ଼ିବା ପରେ ଖୁଡ଼ୀର ସମାଜରେ ମାନସିକ ସଂଘର୍ଷ, ‘ପରିବର୍ତ୍ତନ’ ଗଳ୍ପରେ ପୁଅର ମୃତ୍ୟୁପରେ ରାଧୁରାମର -ମାନସିକ ଯନ୍ତ୍ରଣା, ‘ରୁକ’ ଗଳ୍ପରେ ବିଧବା ନାରୀର ମାନସିକ ଅବସ୍ଥା, ଜୀବନ୍ତ ପାଷାଣ ଗଳ୍ପରେ ପ୍ରିୟତମାର ବିୟୋଗରେ ପ୍ରିୟତମର ଗଭୀର ଅନୁତାପ, ‘ଅଦିନବଉଦ’ ଗଳ୍ପରେ ଦାରିଦ୍ର୍ୟ ଭିତରେ ପ୍ରେମର ପହିଲିପରଶ, ‘ଗରିବର ଦେବତା’ ଗଳ୍ପରେ ଅର୍ଥନୀତିକ ଅସହାୟତାଭିତରେ ମାନସିକ ଯନ୍ତ୍ରଣା, ଗ୍ଲାନି, ପ୍ରଭୃତି ସମାଜର ବିଭିନ୍ନ ଦୃଶ୍ୟକୁ ଗାଳ୍ପିକ ଚମତ୍କାର ଭାବରେ ଗଳ୍ପରେ ବର୍ଣ୍ଣନା କରିଛନ୍ତି ।

 

‘ମାଙ୍କଡ଼ ଦିଆସି’ ଗଳ୍ପରେ ମାନବେତର ଚରିତ୍ର ସହିତ ସର୍କସ ଦଳରେ ‘ଜୋକର’ କାମ କରୁଥିବା ବ୍ୟକ୍ତିର ସଂପର୍କକୁ ମନସ୍ତାତ୍ତ୍ୱିକ ଦୃଷ୍ଟିକୋଣରୁ ଯେପରି ବର୍ଣ୍ଣନା କରାଯାଇଛି ତାହା ଏକାନ୍ତ ହୃଦ୍ୟ । ‘ପ୍ରେମଓପ୍ରିୟା’ ‘ପ୍ରେମର ପରିମାପକ’ ଆଦି ଗଳ୍ପରେ ନରନାରୀଙ୍କ ମାନସିକ ଅବସ୍ଥାର ବର୍ଣ୍ଣନା କରାଯାଇଛି ।୭।

 

ନିଜର ଲେଖା ସମ୍ପର୍କରେ ‘ମୁଁ କାହିଁକି ଲେଖେ’ ଶୀର୍ଷକରେ ନିତ୍ୟାନନ୍ଦ ମହାପାତ୍ର ‘ଡଗର’ରେ ଲେଖିଥିଲେ- ‘‘ସବୁକଥା କହିଲେ କେତେବେଳେ ପରସ୍ପର ବିରୋଧୀ ସତ୍ୟ ଆପଣଙ୍କ ଆଗରେ ଆସି ଠିଆହେବ । ତା’ର କାରଣ ମୁଁ ତ ଗୋଟିଏ ନୁହେଁ ସହସ୍ର । ମୋ’ ଭିତରର କବି, କଥାକାର, ସମାଲୋଚକ ସମସ୍ତେ ଅଲଗା ଅଲଗା । ମୁଁ କାନ୍ଦିଛି ଆଉ ହସିଛି । କିନ୍ତୁ ଏତିକି କହିବି ମୁଁ ଯେତିକି କାନ୍ଦିଛି କେବଳ ମୋତେଇ କନ୍ଦାଇବା ପାଇଁ, କନ୍ଦାଇ ସୁଖ ପାଇବା ପାଇଁ । ଆପଣଙ୍କୁ କନ୍ଦାଇବାର ଆଶଙ୍କା ମୁଁ କରିନାହିଁ-କରୁଥିଲେ ବୋଧହୁଏ ମୁଁ କିଛି ଲେଖିପାରନ୍ତି ନାହିଁ । କିନ୍ତୁ ଯେତିକି ହସିଚି-ସେ କେବଳ ଆପଣଙ୍କୁ ହସାଇବା ପାଇଁ । ମୋ’ଭିତରେ ହସିଚି ଖୁବ୍‌କମ୍‌ । ପ୍ରାୟ ହସିନାହିଁ କହିଲେ ଚଳେ ।

 

ସାହିତ୍ୟର ବିଭିନ୍ନ ବିଭାଗରେ ନିତ୍ୟାନନ୍ଦଙ୍କ ସ୍ଵର ଅନୁରଣିତ । ଜୀବନକୁ ଯେପରି ଭାବରେ ସମାଜରେ ସମ୍ମୁଖୀନ ହୋଇଛନ୍ତି, ସେପରି ଭାବରେ ସୃଷ୍ଟି ସଂପଦ ସୌରଭ ବିତରଣ କରିଛି । ଶିଶିର ଶୀର୍ଷର ସୂର୍ଯ୍ୟ ପରି ଗଳ୍ପରେ ନିଜକୁ ପ୍ରକାଶ କରି ଥିଲାବେଳେ, ଉପନ୍ୟାସରେ ବୃହତ୍ତର ଜୀବନସତ୍ତାକୁ ଉପସ୍ଥାପନ କରିଛନ୍ତି । ନିତ୍ୟାନନ୍ଦ ଦୃଷ୍ଟି, ସୃଷ୍ଟିରେ ପ୍ରତିଫଳିତ ହୋଇଛି ।

 

କାଳଜୟୀ ଶିଳ୍ପୀ ଜୀବନଶିଳ୍ପ ନିର୍ମାଣରେ କର୍ମରତ । ଉପନ୍ୟାସ କଥାର କଥାନୁହେଁ, ଜୀବନର କଥା । କେବଳ ବିଷୟବସ୍ତୁର ପରିଚର୍ଚ୍ଚା ପାଇଁ ଉପନ୍ୟାସ ସୃଷ୍ଟି ନକରି ଶିଳ୍ପୀ ଜୀବନର ମୂଳସୂତ୍ର ଓ ଧାରାର ପରିଚର୍ଚ୍ଚା ଉଦ୍ଦେଶ୍ୟରେ ସାହିତ୍ୟ ସୃଷ୍ଟିକରେ । ମଣିଷର ସରଳଜୀବନ ପ୍ରବାହର ଅନ୍ତରାଳରେ କେତେ ଅଜଣା ମଣିମାଣିକର ଖଣି ରହିଚି ତା’ର ସନ୍ଧାନ ସ୍ରଷ୍ଟା ଦିଏ । କେବଳ ଗଳ୍ପର ଚମତ୍କାରିତା ଯେଉ ସୃଷ୍ଟିର ସର୍ବଶେଷ ବିସ୍ମୟ, ତାହା କେବଳ ସାହିତ୍ୟର ଶବ, ଜୀବନର ଅଶେଷ ଉତ୍ସବ ସେଠାରେ ନାହିଁ । ଘଟଣା କେବଳ ଉପନ୍ୟାସର ଅଙ୍ଗମାତ୍ର, ସ୍ରଷ୍ଟାର ଜୀବନ ଜିଜ୍ଞାସା ଉପନ୍ୟାସର ଆତ୍ମା ।।୮।।

 

ଆଙ୍କିକ ସର୍ବସ୍ଵ ସାହିତ୍ୟ ସୃଷ୍ଟିନୁହେଁ- ରମ୍ୟରଚନା । ପ୍ରକୃତ ଫୁଲ ଓ କାଗଜଫୁଲ ମଧ୍ୟରେ ଯେଉଁ ପ୍ରକାର ପାର୍ଥକ୍ୟ ପରିଦୃଷ୍ଟ, ପ୍ରକୃତ ସାହିତ୍ୟ ଓ ରମ୍ୟରଚନା ଭିତରେ ତାଦୃଶ୍ୟ ପାର୍ଥକ୍ୟ । ପ୍ରକୃତ ଫୁଲରେ ଜୀବନର ରୂପରସ ଗନ୍ଧ ଉପସ୍ଥିତ, କାଗଜଫୁଲରେ ସବୁଅଛି, କେବଳ ଜୀବନର ଉତ୍ତାପ ନାହଁ । ପ୍ରକୃତ ଔପନ୍ୟାସିକ ଜୀବନର ଉତ୍ତାପ ଖୋଜେ । ଘଟଣାର ବିସ୍ମୟବୋଧ ସାମୟିକଭାବେ ପାଠକକୁ ଅଭିଭୂତ କରିପାରେ କିନ୍ତୁ ଜୀବନ- ଉତ୍ତାପର ବିସ୍ମୟ ଚିରକାଳର ପାଠକ ପାଇଁ ମାନବ-ଜିଜ୍ଞାସାର ଅଭିନବତ୍ୱ ଆଣିଦିଏ । ଯଥାର୍ଥରେ ମୋପାଁସା ପ୍ରକାଶ କରିଛନ୍ତି ...."the novelist who undertakes to give us an exact image of life must carefully avoid all ploting of evevnts which appear to him exceptional. His goal is not to tell us a story, amuse us, or affect our emotions, but to make us think, to take us understand the deep seated and hidden meaning of events. ।୯।

 

ଜୀବନର ଛୋଟ ଛୋଟ ଅବସ୍ଥାକୁ ଓ ଚିତ୍ରକୁ ବୃହତ୍ତର ଜୀବନବୋଧ ସହିତ ଔପନ୍ୟାସିକ ମିଶାଇ ଦିଅନ୍ତି । mathew Arnold ଙ୍କ କହିବା ଅନୁଯାୟୀ ଉପନ୍ୟାସ କେବଳ ଜୀବନର ସମାଲୋଚନା ନୁହେଁ ବରଂ ଏହା ଜୀବନର ନୂତନ ସୃଷ୍ଟି । ସୃଷ୍ଟିରେ ଜୀବନର ସମସ୍ତ ମୂଲ୍ୟବୋଧକୁ ସମ୍ମାନ ଦିଆଯାଏ । ଆଲୋଚକଙ୍କ ଭାଷାରେ :- ‘The novel is not a criticism of life in Arnold’s sense of the term, but a recreation of life in which all its values are given due place. ।୧୦।

 

ନିତ୍ୟାନନ୍ଦଙ୍କ ପ୍ରଥମ ପ୍ରକାଶିତ ‘ଭୁଲ’ ଉପନ୍ୟାସ ‘ନବଭାରତ’ ପନିକାରେ ପ୍ରକାଶ ପାଇ ବହୁ ପାଠକୀୟ ସ୍ୱୀକୃତି ଲାଭ କରିଥି‌ଲା । ସେ ଜୀବନର ଜଟିଳ ଭଗ୍ନାଂଶକୁ ସରଳ ଭାବରେ ‘ଭୁଲ’ ଉପନ୍ୟାସରେ ସ୍ଥାନୀତ କରି ପ୍ରଚୁର ଖ୍ୟାତି ଓ ପ୍ରଶଂସାର ପାତ୍ର ହୋଇଥିଲେ । ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ପାଠପଢ଼ା ଛାଡ଼ିଥିଲେ, ପାରିବାରିକ ସଂପର୍କ ଭୁଲିଥିଲେ । ସ୍ୱାଧୀନଚେତା ନାଗରିକ ଭାବରେ ମାତୃଭୂମି ପ୍ରତି କର୍ତ୍ତବ୍ୟ ଓ ଅନ୍ୟ ଦିଗରେ ଅନିଶ୍ଚିତ ଭବିଷ୍ୟତ, ଉଭୟ ମଧ୍ୟରେ ମାନସିକ ସନ୍ତୁଳନ ଦ୍ୱନ୍ଦ୍ୱ ସଂଘର୍ଷର ଚିତ୍ର ‘ଭୁଲ’ ଉପନ୍ୟାସରେ ପ୍ରତିଫଳିତ ।୧୧।

 

କଥକ ଆତ୍ମକଥନ ଶୈଳୀରେ ‘ଭୁଲ’ ଉପନ୍ୟାସ ରଚନା କରିଛନ୍ତି । ଅନୁଭବର ଗଭୀରତମ ପ୍ରଦେଶକୁ ପ୍ରବେଶ କରିଛନ୍ତି ଔପନ୍ୟାସିକ । ନିଜର ଧୀଷଣାବଳରେ ଜୀବନ, ଜଗତ ପାଇଁ ଯାହା ସମୀଚୀନ ତାହାକୁ ଚରିତ୍ର ମାଧ୍ୟମରେ ଉପସ୍ଥାପନ କରିଛନ୍ତି । ସମୟ-ସଂପର୍କ-ସ୍ଵୀକାରୋକ୍ତର ସରଳାର୍ଥ ‘ଭୁଲ’ । ନାରୀମନ-ଗହନର ଚିତ୍ର ଔପନ୍ୟାସିକ ଅଙ୍କନ କରିବା ସଙ୍ଗେ ସଙ୍ଗେ ପରକୀୟା ପ୍ରେମ ମଧ୍ୟରେ ସମାଜରେ ସଂସ୍କାର ଆଣିବାକୁ ପ୍ରୟାସ କରିଛନ୍ତି । ସ୍ୱାମୀର ଅଗୋଚରରେ ନାରୀ କିପରି ପରପୁରୁଷ ସହିତ ଦୈହିକ ସଂପର୍କ ରଖିଛି ଓ ଚିଠିପତ୍ର ଆଦାନପ୍ରଦାନ କରିଛି ତାହାର ଏକ ମାର୍ମିକ ଚିତ୍ର ଔପନ୍ୟାସିକ ଉପନ୍ୟାସରେ ପ୍ରଦାନ କରିଛନ୍ତି ।

 

ନିତ୍ୟାନନ୍ଦ ଏକନଦୀ ବହୁଧାର । ସେବା ମମତାର ସେ ଏକ ମୂର୍ତ୍ତିମନ୍ତବିଗ୍ରହ । ସାହିତ୍ୟସାଧନା, ଦେଶ ସେବାରେ ସେ ନିଜକୁ ଉତ୍ସର୍ଗ କରିଥିଲେ । ନୀତି ନାମରେ ଯାହା ଅନୀତି, ନ୍ୟାୟ ନାମରେ ଯାହା ଅନ୍ୟାୟ, ସତ୍ୟ ନାମରେ ଯାହା ଅସତ୍ୟ, ପ୍ରେମ ନାମରେ ଯାହା ପ୍ରତାରଣା, ଶିକ୍ଷା ନାମରେ ଯାହା ଅଶିକ୍ଷା, ବିଶ୍ୱାସ ନାମରେ ଯାହା ଛଳନା । ତାହାଠାରୁ ବହୁଦୂରରେ ରହି ସ୍ରଷ୍ଟା ସାଧନାରେ ମନୋନିବେଶ କରିଛନ୍ତି ଯୁଗଯୁଗରୁ ସମାଜରେ ପ୍ରଚଳିତ କୁସଂସ୍କାର ବିରୁଦ୍ଧରେ ଲେଖକ ଲେଖନୀରେ ସ୍ଵରଉତ୍ତୋଳନ କରିଛନ୍ତି । ଯଥାର୍ଥରେ ଔପନ୍ୟାସିକ ଉପନ୍ୟାସର ଚରିତ୍ର ମାଧ୍ୟମରେ ପ୍ରକାଶ କରିଛନ୍ତି - ‘‘ସମାଜ ଆଉ କୁସଂସ୍କାର । ସେ ପୁଣି ବାଧାଦେବେ ! ଅର୍ଥ ? ଏଡ଼େ ସହଜ କଥାଟାକୁ ମୁଁ କାହଁକି କେଜାଣି ଗୋଟାଏ ବିଚିତ୍ର ଅନୁମାନରେ ଜଟିଳ କରି ପକାଇଲି-। ତା’ର ପ୍ରକୃତ ଅର୍ଥ କ’ଣ ? ମୋ’ ମନରେ ବାରମ୍ବାର ଏ ପ୍ରଶ୍ନ ଉଠିଲା । ମଣିଷ ଯେମିତି ମନକୁ ଗୋଟାଏ କିଛି ସ୍ଥିର କରିନିଏ ମୁଁ ସେହିପରି ଭାବିଲି- କିଛି ନାହିଁ, ବୋଧହୁଏ ଯାହାକୁ ସେ ମନଲାଖି‌ କନିଆ ବାଛିଛନ୍ତି, ସେ ବିଧବାଟିଏ ବୋଲି କ’ଣ ସମାଜ ଆଉ ସଂସ୍କାର ଏତେ ବାଧା ଦେଇଛନ୍ତି । ତେବେ ସମାଜରେ ତ ବିଧବା ବିବାହ ଚଳିଲାଣି ଆଜିକାଲି, ଆଉ ପୁଣି ଭାଳେଣି କାହଁକି ସେଥିପାଇଁ ? ସଂସ୍କାର ତ ନିଜ ମନର କଥା । ମନରେ ଜୋରଥିଲେ ସଂସ୍କାରକୁ ଏଡ଼ିଦେବା କେତେ ମାତର” ? (ଭୁଲ୍‌)

 

ଔପନ୍ୟାସିକ ନିତ୍ୟାନନ୍ଦ ଦୃଢ଼ ସ୍ଵରରେ ଉପନ୍ୟାସରେ ବିଧବାବିବାହ ସପକ୍ଷରେ ସ୍ଵରଉତ୍ତୋଳନ କରିଛନ୍ତି । ଓଡ଼ିଶାରେ ପ୍ରଚଳିତ ସଂସ୍କାରକୁ ସେ ଭାଙ୍ଗିବା ସଙ୍ଗେ ସଙ୍ଗେ ନୂତନ ସଂସ୍କାରର ଭିତ୍ତିଭୂମି ସ୍ଥାପନ କରିଛନ୍ତି । ସମସାମୟିକ ସମୟର ସଦୃଶ୍ୟଚିତ୍ରପଟ ନିତ୍ୟାନନ୍ଦଙ୍କ ଉପନ୍ୟାସ । ଜୀବନ ଓ ଜଗତପ୍ରତି ବ୍ୟକ୍ତିଗତ ଅନୁଭୂତି ତାଙ୍କ ସୃଷ୍ଟିର ସ୍ଵାକ୍ଷର ।

 

ଔପନ୍ୟାସିକ ସମାଜର ଜାଗ୍ରତପ୍ରହରୀ । ସମସ୍ତ ପ୍ରକାର ଘଟଣା ଅଘଟଣା ଭିତରେ ସେ ନିରପେକ୍ଷ ଜୀବନ ଯାପନ କରେ । ଜୀବନଧାରଣର ଅନୁଭବକୁ କାୟମନବାକ୍ୟରେ ସେ ଉପନ୍ୟାସରେ ଚରିତ୍ର ମାଧ୍ୟମରେ ପ୍ରକାଶ କରେ ଔପନ୍ୟାସିକଙ୍କ ଭାଷାରେ:- ‘‘ଭୁଲ ବାଟଟା ବଡ଼ ସହଜ । ସେଥିପାଇଁ ସବୁବେଳେ ମୋତେ ଅମଡ଼ା ଅରଣାବାଟରେ ଚାଲିବାକୁ ଭଲ ଲାଗେ, ଭାବେ ଏ ଚଲାରେ ଭୁଲ୍‌ ନ ଥିବ । କିନ୍ତୁ ତର୍କତାକୁ ସମର୍ଥନ କରେନାହିଁ । ଠିକ୍‌ ବୋଲି ଭାବୁ ଭାବୁ ଅନେକ ଭୁଲ ହୋଇଯାଏ । ‘ଭୁଲ’ ଉପନ୍ୟାସରେ ଔପନ୍ୟାସିକ ଯେପରି ଭାବରେ ନିଜର ଭାବକୁ ପ୍ରକାଶ କରିଛନ୍ତି ତାହା ବେଶ୍‌ ହୃଦ୍ୟ ।

 

‘ହିଡ଼ମାଟି’ ଓ ‘ଭଙ୍ଗାହାଡ଼’ ଉପନ୍ୟାସ ଗ୍ରାମ୍ୟ ଜୀବନ ଓ ସେହି ସମୟର ପରିବେଶ ଭିତ୍ତିଭୂମି ଉପରେ ରଚିତ । ମଧ୍ୟବିତ ଜୀବନର ଦୁଃଖଦ କାହାଣୀ ଉପନ୍ୟାସରେ ବର୍ଣ୍ଣିତ । ରତନୀ ଓ ଶୁକୁରା ଜୀବନର ଅଧଃପତନ ଚିତ୍ର ଉପନ୍ୟାସର ବିଷୟବସ୍ତୁ । ଏ ଦୁଇଟି ଉପନ୍ୟାସରେ ଗ୍ରାମୀଣ ଦୁଃଖ ଦୁର୍ଦ୍ଦଶା, ପ୍ରଣୟ କାହାଣୀ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ଦରିଦ୍ର ଓ ଧନୀକ ସମ୍ଭ୍ରାନ୍ତ ଜୀବନର ଏକ ତୁଳନାତ୍ମକ ଚିତ୍ର ଔପନ୍ୟାସିକ ପ୍ରଦାନ କରିଛନ୍ତି । ଥିଲାବାଲା, ନଥିଲାବାଲା ଭିତରେ ଯେଉଁ ସଂଘର୍ଷ ଯୁଗଯୁଗ ଧରି ସମାଜରେ ଲାଗି ରହିଚି, ତା’ର ଅବସାନ ଘଟିବା ନିମନ୍ତେ ସ୍ରଷ୍ଟାଙ୍କ ଲେଖନୀ ତତ୍ପର । ଅର୍ଥଗତ ଓ ଜାତିଗତ ବୈଷମ୍ୟ, ଅବିଚାର, ଧର୍ଷଣ ବିରୁଦ୍ଧରେ ଲେଖକଙ୍କ ସ୍ଵର ଉପନ୍ୟାସରେ ତୀବ୍ର । ନିତ୍ୟାନନ୍ଦ ମହାପାତ୍ରଙ୍କ ଦୃଷ୍ଟିରେ: - ମଣିଷର ମନ ଭିତରେ ଜାତି, ମଣିଷର ଅର୍ଥନିକଟରେ ଜାତି, ପରିବେଶ ନିକଟରେ ଜାତିଭେଦର ମାନେ, ଜାତିଭେଦ ଏକ ଘୃଣା, ନୀଚ୍ଚ ଅନ୍ଧବିଶ୍ଵାସ । ଇଚ୍ଛା ସୁବିଧା ନେଇ ଏ ଚିନ୍ତାଧାରା ଆସେ ପୁଣି ବିଲୁପ୍ତ ହୋଇଯାଏ । ଯଥାର୍ଥରେ ଲେଖକଙ୍କ ଭାଷାରେ- ‘ଜାତି ? ଜାତି ଅଛି ପୁରୁଷ ପୁଅର ଅଣ୍ଟିଭିତରେ । ପୁରୁଷ ପୁଅ ଇଚ୍ଛାକଲେ ଏ ଜାତିଭେଦକୁ ଅନାୟାସରେ ଦୂର କରିପାରେ । ପୁଣି ଏହି ଜାତି ଭେଦ ବଡ଼ ଲୋକଙ୍କ ପାଖରେ ମଧ୍ୟ ହାରମାନେ । ଦରିଦ୍ର ଦୁଃଖୀଙ୍କ ନିକଟରେ କେବଳ ଜାତିଭେଦ ଆସନ ପାତି ବସେ ।’’ ଔପନ୍ୟାସିକ ଉପନ୍ୟାସ ମଧ୍ୟରେ ସଂସ୍କାରର ମୁଖାପିନ୍ଧି ପ୍ରତିଷ୍ଠିତ ଜାତିପ୍ରଥାକୁ ଭାଙ୍ଗିଦେବାକୁ ପ୍ରୟାସ କରିଛନ୍ତି ।

 

ଥିଲାବାଲା, ପୁଞ୍ଜପତି ଓ ସାହୁକାରମାନଙ୍କ ବିପକ୍ଷରେ ଅଛି ଉପନ୍ୟାସରେ ବିଦ୍ରୋହ ଓ ସାମ୍ୟବାଦ ପାଇଁ ଆହ୍ୱାନ । ସମାଜରେ ଗାନ୍ଧୀବାଦକୁ ପ୍ରତିଷ୍ଠା କରିବା ସହିତ ଲେଖକ ଶ୍ରେଣୀ ବୈଷମ୍ୟକୁ ଦୂର କରିବାପାଇଁ ଚେଷ୍ଟିତ । ଚରିତ୍ର ଓ ବିଷୟବସ୍ତୁ, ଦୃଷ୍ଟିରୁ ଉପନ୍ୟାସ ଦୁଇଟିର ସ୍ଥିତି, ବିକାଶ ସମଧର୍ମୀ । ହିଡ଼ମାଟିକୁ ହିଡ଼ରେ ଲଦି ଯେଉଁ ମଣିଷ ସମାଜ ତଥା ସଭ୍ୟତାର ମୂଳଦୁଆ ସ୍ଥାପନ କରିଛନ୍ତି, ସେହି ସଭ୍ୟତାର ପ୍ରଳୟ ଯଜ୍ଞପୀଠରେ ରକ୍ତ, ମାଂସକୁ ଆହୁତି ଦେଇରହିଛି ସେମାନଙ୍କର ହାଡ଼ମାତ୍ର । ଏ ହାଡ଼ ମଧ୍ୟ ଶକ୍ତ ନୁହେଁ ? ଈଶ୍ଵର, ଭଙ୍ଗୁର କ୍ଷଣସ୍ଥାୟୀ । ‘ଭଙ୍ଗାହାଡ଼’ ଉପନ୍ୟାସ ମଧ୍ୟରେ ଲେଖକ ସ୍ୱାଧୀନତାର ସ୍ୱପ୍ନ ଦେଖିଛନ୍ତି । ପଞ୍ଜୁରୀବଦ୍ଧ ପକ୍ଷୀପରି ପରାଧୀନତାର ଆତ୍ମଗ୍ଲାନି ମଧ୍ୟରେ ନିଜକୁ ହଜାଇ ନଦେଇ ଜଣେ ସଚେତନଶୀଳ ନାଗରିକଭାବେ ଭାରତର ସ୍ୱାଧୀନତା କାମନା କରିଛନ୍ତି ।

 

ଔପନ୍ୟାସିକ ‘ହିଡ଼ମାଟି’ ଉପନ୍ୟାସରେ ପଲ୍ଲୀର ଅନାଭରଣ ସୌନ୍ଦର୍ଯ୍ୟକୁ ପ୍ରକାଶ କରିଛନ୍ତି । ଲେଖକ ସହରର ସାହାଯ୍ୟକୁ ହାତଟେକା ଅଇଁଠା କହି ଗାଁର ମହତ୍ତ୍ୱକୁ ସୂଚାଇଛନ୍ତି- ଏଇ ଗାଁ_ଏଇ ଗାଁ_ଏଇ ଗାଁ- କେଡ଼େ ସୁନ୍ଦର- କେଡ଼େ ମିଠା ! ସତେ ଏଇଗାଁର ପ୍ରତି ଧୂଳି ବାଲିରେ ଯେମିତି, କେତେ ପାଠ ଲେଖାଯାଇଛି ତାକୁ ପଢ଼ୁଛି କିଏ ? କାହାର ଧୈର୍ଯ୍ୟ ଅଛି” । ନିତ୍ୟାନନ୍ଦ ପଲ୍ଲୀ ଜୀବନର ମହତ୍ତ୍ୱକୁ ଯେପରି ରୂପାୟନ କରିଛନ୍ତି ସେହିପରି କାହ୍ନୁଚରଣ ମଧ୍ୟ ତାଙ୍କର ବିଭିନ୍ନ ଉପନ୍ୟାସରେ ପଲ୍ଲୀଜୀବନର ଭାବଧାରାକୁ ରୂପାୟନ କରିଛନ୍ତି ।

 

‘ଜୀଅନ୍ତା ମଣିଷ’ ଏକ କାଳ୍ପନିକ ଘଟଣା ପ୍ରଧାନ ଉପନ୍ୟାସ । ଔପନ୍ୟାସିକ ଜୀବନର କରୁଣ କାହାଣୀ ଉପନ୍ୟାସରେ ଅଙ୍କନ କରିବା ସଙ୍ଗେ ସଙ୍ଗେ ତାତ୍ତ୍ୱିକ ବିଚାର ଓ ସାମାଜିକ ବୈଚିତ୍ର୍ୟକୁ ପ୍ରକାଶ କରିଛନ୍ତି । ମଣିଷର ଜୀବନ ପରିବର୍ତ୍ତନଶୀଳ । ପଦେ ପଦେ ବିପଦର ସମ୍ମୁଖୀନ ହୁଏ ମଣିଷ । ଜୀବନ ଗୋଲାପର ଶେଯ ନୁହେଁ, କଣ୍ଟକିତ । ପ୍ରତିପଦକ୍ଷେପରେ ମହାକାଳର ତାଣ୍ଡବନୃତ୍ୟ । ଶୈଶବ, ଯୌବନ, ଜରା, ଦେଇ ମୃତ୍ୟୁ ପଥରେ ଅଗ୍ରସର ହୁଏ ମଣିଷ-। ଔପନ୍ୟାସିକ ‘ଜୀଅନ୍ତାମଣିଷ’ ଉପନ୍ୟାସରେ ପ୍ରକାଶ କରିଛନ୍ତି :- ‘‘ମଣିଷ ନିଜକୁ ଜୀଇଁଛି ବୋଲି ଛଳୁଥାଏ- ସେଇ ଛଳନାଇ ଜୀବନ- ସେଇ ଛଳନାକୁ ନେଇ-ସେଇ ମଲା ଜୀବନଟାକୁ ନେଇ ମଣିଷ-ଜୀଅନ୍ତା ମଣିଷ । ନିଜକୁ ମଲା ବୋଲି କହିବାକୁ, ସତକୁ ସତ ବୋଲି କହିବାକୁ ଯାଇ ସାହସ ନାହିଁ, ସେଇ-ତାରି ନା- ଜୀଅନ୍ତା ମଣିଷ ।’’ ଜୀବନ ଉପରେ ଔପନ୍ୟାସିକଙ୍କ ଅଭିବ୍ୟକ୍ତି ବେଶ୍‌ ପ୍ରଣିଧାନଯୋଗ୍ୟ ।

 

କାରାଗାରରେ ଅନେକ ସମୟ ଔପନ୍ୟାସିକ କାଳାତିପାତ କରିଥିବାରୁ, ସାମାଜିକ ଜୀବନର ବାସ୍ତବ ଉଦ୍ଦେଶ୍ୟ ସଂପର୍କରେ ସଚେତନ ହୋଇଛନ୍ତି ଓ ମଣିଷର ଦାବୀକୁ ଅନୁଭବ କରିଛନ୍ତି । ‘ଜୀବନର ଲକ୍ଷ’ ଓ ‘ସୁଖର ସନ୍ଧାନେ’ ଦୁଇଟି ଉପନ୍ୟାସ ବାସ୍ତବ ଜୀବନର ମର୍ମିଳ ପରିପ୍ରକାଶ । ଔପନ୍ୟାସିକଙ୍କ ଭାଷାରେ, ‘‘ଜୀବନର ଲକ୍ଷ୍ୟ କେବଳ ଗୌରବ ପ୍ରାପ୍ତି ନୁହେଁ । ଏହି ଗୌରବଲିପ୍‌ସା ମନୁଷ୍ୟକୁ ପ୍ରକୃତ ଆନନ୍ଦ ଓ ତୃପ୍ତି ଦେଇପାରେନି । ତେଣୁ ମନୁଷ୍ୟ ବିଫଳତାରେ ନିରାଶ ହୁଏ । ଲେଖକ ଉପନ୍ୟାସରେ ମନୁଷ୍ୟ ଜୀବନର ନୈରାଶ୍ୟର କାରଣ ଆବିଷ୍କାର କରିବା ସହିତ ଏକ ସାମାଜିକ ଆଦର୍ଶର ପ୍ରତିଷ୍ଠା କରିଛନ୍ତି ।

 

ଜୀବନର ଲକ୍ଷ୍ୟ କେବଳ ଜୀବନ ବଞ୍ଚିବା ନୁହେଁ । ସୁଖଦୁଃଖ ଜୀବନର ଅସଲ ଉଦ୍ଦେଶ୍ୟ ନୁହେଁ । କର୍ମର କ୍ରୁମିତନ୍ତୁଜାଲରେ ପଡ଼ି ମନୁଷ୍ୟ ହାତ ଉଠିଲେ ହତ୍ୟା, ପବନ ବହି ବାତ୍ୟାର ଶିକାର ହୁଏ । ସୁଖର ଇନ୍ଦ୍ରଧନୁ ତା’ ସମ୍ମୁଖରୁ ଅପସରିଯାଏ । ଦୁଃଖର ସାହାନାଇ ତା’ କାନପାଖରେ ତୁହାଇ ତୁହାଇ ବାଜୁଥାଏ । ୠତୁଚକ୍ରର ଖେଳପରି ମଣିଷର ସୁଖଦୁଃଖ ଚିରସହଚର-। ଆନନ୍ଦ ଓ ବିଷାଦ ଜୀବନ ମୁଦ୍ରାର ଦୁଇଟି ପାର୍ଶ୍ଵ । ମଣିଷ କେଉଁଥିରେ ସନ୍ତୁଷ୍ଟ ନୁହେଁ । ଗୋଟାପଣେ ଜୀବନକୁ ଆବୋରି ବସିଲେ ଯଥେଷ୍ଟ ହୁଏ ନାହଁ କେବଳ ମାତ୍ର ଆଦର୍ଶବାଦୀ ହୋଇ ସମସ୍ତ ତ୍ୟାଗ କଲେ ସୁଖର ସନ୍ଧାନ ମିଳେନାହିଁ ‘ସୁଖର ସନ୍ଧାନେ’ ଉପନ୍ୟାସରେ ଔପନ୍ୟାସିକ ଜୀବନର ତାତ୍ତ୍ୱିକ ଦିଗକୁ ବିଶ୍ନେଷଣ କରିବା ସହିତ ସୁଖର ଉତ୍ସକୁ ଅନୁସନ୍ଧାନ କରିଛନ୍ତି ।

 

ପ୍ରେମ, ପ୍ରତ୍ୟୟ, ପ୍ରତାରଣାର ଅନନ୍ୟ କଳାକୃତି ‘ପୀରତିପଥ ଖସଡ଼ା’ ଉପନ୍ୟାସ । ଶଠତା ଓ ଛଳନା କିପରି ପ୍ରେମର ପରିଭାଷା ପାଲଟିଯାଇଛି ତାହାର ଏକ ସୁନ୍ଦର ଚିତ୍ର ଲେଖକ ଉପନ୍ୟାସରେ ଉପସ୍ଥାପନ କରିଛନ୍ତି । ଉପନ୍ୟାସର ଉତ୍ସର୍ଗପତ୍ରରେ ଔପନ୍ୟାସିକ ଯଥାର୍ଥରେ ପ୍ରକାଶ କରିଛନ୍ତି:- ‘‘ଏ ଯୁଗର ଯୁବକ ଯୁବତୀଙ୍କର ଭଲ ପାଇବା ଆଉ ଆତ୍ମା ଚିହ୍ନେ ନାହଁ ? ଦେହତ ଗୋଟାଏ ନୁହେଁ ଅନେକ । ଗୋଟିଏ କେହି ଭଲ ପାଇବା ବାଟରୁ ହଟିଗଲେ ଆଉ ଗୋଟିଏ ବା ଅନେକ ଦେହ ତା’ ବାଟରେ ହାଟରେ ହାବୁଡ଼ନ୍ତି ।’’ ହୃଦୟହୀନ ପ୍ରେମ କପଟତା, ଛଳନାର ବ୍ୟୁହ ଭିତରେ ଯୁବସମାଜ କିପରି ଚଳଚଞ୍ଚଳ ତାହାର ଏକ କମନୀୟ ଚିତ୍ର ଔପନ୍ୟାସିକ ଉପନ୍ୟାସରେ ପ୍ରଦାନ କରିଛନ୍ତି ।

 

ସଫଳ କବି ଭାବରେ ନିତ୍ୟାନନ୍ଦ ସ୍ଵନାମଧନ୍ୟ । ତାଙ୍କ କବିତାରେ ପ୍ରେମର ପରାକାଷ୍ଠା ଯେପରି ଚିତ୍ରିତ ସେପରି ବିପ୍ଲବର ଶଙ୍ଖଧ୍ଵନୀ ଉଚ୍ଚାରିତ । ପ୍ରଣୟର ପଶାଖେଳ ଭିତରେ କେତେବେଳେ ନିତ୍ୟାନନ୍ଦ ଆତ୍ମବିଭୋରତ ଆଉ କେତେବେଳେ ଜନନୀର ଦୁଃଖରେ ମ୍ରିୟମାଣ ।

 

ସାହିତ୍ୟର ବିଭିନ୍ନ ବିଭାଗରେ ସେ ଜଣେ କଳାର କୌଶିକ ଓ କଳ୍ପନାର କାରିଗର । ରମ୍ୟରଚନାରେ ସେ ଅନନ୍ୟ ସ୍ଥପତି । ସାଧନା ହିଁ ତାଙ୍କ ଜୀବନ, ଜୀବନ ହିଁ ତାଙ୍କ ସାଧନା । ସାରସ୍ଵତ ଜଗତର ଧୂରୀଣ ସବ୍ୟସାଚୀ ନିତ୍ୟାନନ୍ଦ କାଳର କପାଳରେ ଚିରଦିନ ଅକ୍ଷୟ ହୋଇ ରହିବେ ଏଥିରେ ତିଳେ ହେଲେ ସନ୍ଦେହର ଅବକାଶ ନାହିଁ ।

 

 

ପ୍ରମୁଖ ସଚିବ

ସିସୋର ସାହିତ୍ୟ ଏକାଡେମୀ

 

ସଙ୍କେତସୂଚୀ :

୧.

କବି କାହାଣୀ : ପୃଷ୍ଠା : ୮୯ ପ୍ରଥମ ପ୍ରକାଶ । ୧୯୮୪, ଲେଖକ: ଡକ୍ଟର କୁଞ୍ଜବିହାରୀ ଦାଶ ପ୍ରକାଶକ: ଫ୍ରେଣ୍ଡସ୍‌ ପବ୍ଲିସର୍ଶ, ବିନୋଦବିହାରୀ : କଟକ-୨ ।

୨.

ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ : ଦ୍ୱିତୀୟଭାଗ : ପୃଷ୍ଠା : ୨୧୨, ପ୍ରଥମ ପ୍ରକାଶ : ୧୯୯୦, ଲେଖକ : ଡକ୍ଟର ବୈଷ୍ଣବଚରଣ ସାମଲ, ପ୍ରକାଶକ : ବୁକ୍‌ସ ଏଣ୍ଡ ବୁକ୍‌ସ : ବିନୋଦବିହାରୀ : କଟକ-୨ ।

୩.

ତତ୍ରୈବ : ୨୧୩ ।

୪.

ଓଡ଼ିଆ କ୍ଷୁଦ୍ରଗଳ୍ପ : ଏକ ସଂକ୍ଷିପ୍ତ ଅଧ୍ୟୟନ: ଅଧ୍ୟାପକ ଚିନ୍ତାମଣି ବେହେରା, ଡଗର: ୨୦ଶ ବର୍ଷ, ପଞ୍ଚମସଂଖ୍ୟା ।

୫.

ଦ୍ୱିତୀୟ ମହାଯୁଦ୍ଧୋତ୍ତର କାଳର ଓଡ଼ିଆ କଥା ସାହିତ୍ୟ :- ଲେଖକ ସୁରେନ୍ଦ୍ର ମହାନ୍ତି: ଡଗର: ବିଂଶବର୍ଷ: ପ୍ରଥମସଂଖ୍ୟା ।

୬.

ବର୍ତ୍ତମାନର ଓଡ଼ିଆ କାହାଣୀ: ତାରିଣୀ ଚରଣ ଦାସ: ଡଗର ବିଂଶବର୍ଷ: ପ୍ରଥମ ସଂଖ୍ୟା ।

୭.

ଓଡ଼ିଆଗଳ୍ପ: ସ୍ରଷ୍ଟାମାନସ : ପ୍ରଥମଭାଗ: ପୃଷ୍ଠା ୨୮୩ ଲେଖକ : ଡକ୍ଟର ବୈଷ୍ଣବଚରଣ ସାହୁ, ପ୍ରକାଶକ: ବୁକ୍‌ସ୍‌ ଏଣ୍ଡ୍‌ ବୁକ୍ସ୍‌: ବିନୋଦବିହାରୀ, କଟକ-୨ ।

୮.

ଗୋପୀନାଥ ମହାନ୍ତିଙ୍କ ଉପନ୍ୟାସରେ ଶିଳ୍ପକଳା : ପୃଷ୍ଠା : ୭, ପ୍ରଥମପ୍ରକାଶ : ୧୯୯୨, ଲେଖକ : ଡକ୍ଟର କାର୍ତ୍ତିକେଶ୍ଵର ସାହୁ ପ୍ରକାଶକ : ଫ୍ରେଣ୍ଡସ ପବ୍ଲିଶର୍ସ : ବିନୋଦବିହାରୀ : କଟକ : ୨।

୯.

Guy de Maupassant: The Lower Elements in Documents of Modern literary Realism, Edited by George J. Becker : 2nd Printing Princetor prenceton University Press: 1973, Page:247.

୧୦.

N. Elizabeth Monroe- The Novel and Society Page: 15, The University of North corolina Press: 1941.

୧୧.

ଓଡ଼ିଆ ଉପନ୍ୟାସର ଇତିବୃତ୍ତ : ପୃଷ୍ଠା: ୨୭୫, ପ୍ରଥମ ପ୍ରକାଶ : ୧୯୯୦, ଲେଖିକା : ଡକ୍ଟର ରଂଜିତା ନାୟକ, ପ୍ରକାଶକ : ଓଡ଼ିଶା ବୁକ୍‌ଷ୍ଟୋର : ବିନୋଦବିହାରୀ : କଟକ-୨ ।

 

***

 

Unknown

ନିତ୍ୟାନନ୍ଦ ମହାପାତ୍ରଙ୍କ କବିତା : ନିରପେକ୍ଷ ଦୃଷ୍ଟିପାତ

ନିତ୍ୟାନନ୍ଦ ଶତପଥି

 

ଓଡ଼ିଆ କଥା ସାହିତ୍ୟ ଓ ରମ୍ୟରଚନା କ୍ଷେତ୍ରରେ ପ୍ରଭୂତ ସିଦ୍ଧିର ଅଧିକାରୀ ଶ୍ରୀ ନିତ୍ୟାନନ୍ଦ ମହାପାତ୍ର (୧୯୧୨) କବିତା କ୍ଷେତ୍ରରେ ସେହି ସିଦ୍ଧିର ଅଧିକାର ହୋଇ ପାରି ନାହାନ୍ତି । ପ୍ରାୟ ୧୯୩୫ରୁ ୧୯୬୦ ମଧ୍ୟରେ ସେ ରଚନା କରିଥିବା କବିତାର ସଂଖ୍ୟା ସତୁରୀ ମଧ୍ୟରେ ସୀମାବଦ୍ଧ । ଏହି ସମୟ ସୀମା ମଧ୍ୟରେ ମଧ୍ୟ ତାଙ୍କ କବିତାର ଉନ୍‌ମେଷ, ବିକାଶ ଓ କ୍ଷୟମାଣ ପର୍ବ ସଂଘଟିତ ହୋଇଛି । ଆଧୁନିକ କାବ୍ୟଚେତନାରେ ସେ କୌଣସି ଶଙ୍କୁ ପ୍ରତିଷ୍ଠା କରି ନ ଥଲେ ମଧ୍ୟ ସ୍ଵାଧୀନତା ସଂଗ୍ରାମର ବହୁ ଜାତୀୟବାଦୀ ସ୍ମୃତିକୁ କବିତାରେ ଉଜ୍ଜୀବିତ କରି ତାଙ୍କ ବଳିଷ୍ଠ ଦେଶପ୍ରାଣତାର ପରିଚୟ ଦେଇ ପାରିଛନ୍ତି । ଏହି ଚେତନାର ସ୍ୱାକ୍ଷର ତାଙ୍କର ‘ପାଞ୍ଚଜନ୍ୟ’ (୧୯୪୭) ଓ ‘କାଳରଡ଼ି’ (୧୯୫୪) ବହନ କରେ । ‘ପାଞ୍ଚଜନ୍ୟ’ ଯେପରି ପ୍ରାକ୍‌-ସ୍ଵାଧୀନତା ସଂଗ୍ରାମର ଆଶା, ଆକାଙ୍‌କ୍ଷା, ଆଶଙ୍କା ଓ ସ୍ୱାଧୀନତାକାମୀ ସଂଗ୍ରାମୀମାନଙ୍କ ପ୍ରତି ନିର୍ମମ ଅତ୍ୟାଚାରର ଚିତ୍ର ବହନ କରେ ‘କାଳରଡ଼ି’ ସେହିପରି ସ୍ଵାଧୀନତା ପରବର୍ତ୍ତୀ ସ୍ୱପ୍ନଭଙ୍ଗ, ଦୁର୍ଗତି ଶୋଷଣ ଓ ଅନାଟନର ନୈରାଶ୍ୟଜନକ ଚିତ୍ର ଉପସ୍ଥାପନ କରେ । ଏ ଦୁଇଟି ସଂକଳନ ପୂର୍ବରୁ ତାଙ୍କ ରଚିତ ‘ମରମ’ (୧୯୩୯)ରେ ତାଙ୍କ ଆଦ୍ୟ କାବ୍ୟଜୀବନର ପ୍ରେମ ଓ ପ୍ରଣୟାବେଗର ଚିତ୍ର ଉପଲବ୍‌ଧ ହୁଏ । କିନ୍ତୁ ‘ମରମ’ର କାବ୍ୟସ୍ଵରରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ (ତାଙ୍କ ପିତା) ପ୍ରଭାବ ସ୍ପଷ୍ଟ ଅନୁଭବ କରିହୁଏ । ଗୋଟିଏ ଉଦାହରଣ ହିଁ ଯଥେଷ୍ଟ ।

 

‘‘ଯେ ଗୀତ ଯାଇଛି ସରି ସେ ଗୀତର ଗୁଂଜରଣ ଉଠେ

ଯେ ଫୁଲ ପଡ଼ିଛି ଝଡ଼ି ସେ ଛବି ମୋ ମରମରେ ଫୁଟେ ।

(‘ଅତୀତ ଓ ଭବିଷ୍ୟତ’)

 

ଲକ୍ଷ୍ୟ କରିବାର କଥା କାନ୍ତକବିଙ୍କ ‘‘ଜୀବନ ସଂଗୀତ’ର କାବ୍ୟସ୍ଵର ସହିତ ନିତ୍ୟାନନ୍ଦଙ୍କ ଏ କବିତା କେତେକାଂଶରେ ସ୍ଵରସାମ୍ୟ ରକ୍ଷା କଲେ ମଧ୍ୟ ତାଙ୍କ କବିତାର ଗଭୀର କାରୁଣ୍ୟକୁ ଛୁଇଁ ପାରିନାହିଁ । କାନ୍ତକବିଙ୍କ କବିତାକୁ ପ୍ରେମର ବିଫଳତା ନୁହେଁ ଶାରୀରିକ ବ୍ୟାଧିଜନିତ ଅକ୍ଷମତା ହିଁ ଆକ୍ରାନ୍ତ କରିଛି । ତେଣୁ ପ୍ରାଣର, ନୈବେଦ୍ୟ, ଅଶ୍ରୁ, ଅଭିଳାଷକୁ ସେ ଅଭିମାନ ଓ କାରୁଣ୍ୟର ସହିତ ଅସୀମଠାରେ ସମର୍ପଣ କରି ଦେଇଛନ୍ତି । ନିତ୍ୟାନନ୍ଦଙ୍କ କବିତାକୁ ଏପରି ଶାରୀରିକ ଅସଂଗତି ନିୟନ୍ତ୍ରିତ କରିନାହିଁ । ତେଣୁ ଆପାତତଃ ଯୁବସୁଲଭ ପ୍ରଣୟ ଉଚ୍ଛ୍ଵାସ ଓ ଅପ୍ରାପ୍ତିର ବ୍ୟଥାୟିତ ଭାବନାରେ ତାଙ୍କ ଆଦ୍ୟ କାବ୍ୟ ଚେତନା ନିର୍ଜିତ । କବିର ହୃଦୟ ପରଦାରେ କେତେ ଛବି ଫୁଟି ଉଠି ଅବଲୀଳାକ୍ରମେ ମିଳେଇ ଯାଇଛି । ଦେହରେ କେତେ ସ୍ପର୍ଶ ଅଧରରେ ଚୁମ୍ବନର ଦାଗ, କାନରେ ନୂପୁରର ନିକ୍ୱଣ କବିର ସ୍ମୃତିକୁ ଆଲୋଡ଼ିତ କରିଛି । ତେଣୁ ‘ମରମ’ର ସମସ୍ତ କବିତା ତାଙ୍କ ତାରୁଣ୍ୟ ଉଚ୍ଛଳ ପ୍ରେମଭରା ହୃଦୟର କୌଣସି ନଷ୍ଟସ୍ମୃତିକୁ କେନ୍ଦ୍ର କରି ଗଢ଼ି ଉଠିଥିଲା ପରି ମନେହୁଏ । ତଥାପି କହିବାକୁ ହେବ ଯେ ଦୁଇଟି କାରଣରୁ ଏ ପ୍ରେମ କବିତା ପ୍ରଭାବଶାଳୀ ହୋଇ ପାରି ନାହିଁ । ପ୍ରଥମ କାରଣଟି ହେଲା ତିରିଶ ଦଶକରେ ମାନସିଂହଙ୍କ ଉତ୍କଟ ଇନ୍ଦ୍ରିୟଗ୍ରାହୀ ‘ଧୂପ’ର ପ୍ରେମ କବିତା ଖୁବୁ ଆଲୋଡ଼ନ ସୃଷ୍ଟି କରିଥିଲା । ଦ୍ୱିତୀୟରେ କବି ସଚ୍ଚିଦାନନ୍ଦ ରାଉତରାୟ ୧୯୩୫-୩୬ ବେଳକୁ ଏକ ପ୍ରଗତିବାଦୀ ଭାବ ଚେତନାକୁ ଅନୁସରଣ କରି କବିତାରୁ ପ୍ରେମକୁ ପ୍ରତ୍ୟାଖ୍ୟାନ କରି ବସିଥି‌ଲେ (‘ପ୍ରେମ ଓ ଜୀବନ’- ପାଣ୍ଡୁଲିପି) । ଶ୍ରୀ ମହାପାତ୍ର ଏ ଦୁଇଟି ଆହ୍ୱାନକୁ ଅତିକ୍ରମ କରିଯିବା ସମ୍ଭବ ନ ଥିଲା । ଫଳରେ ‘ମରମ’ (୧୯୩୮)ର ପ୍ରେମ ସମ୍ବଳିତ କବିତାଗୁଡ଼ିକ ଓଡ଼ିଆ ସାହିତ୍ୟରେ ପାଙ୍‌କ୍ତେୟ ହୋଇ ପାରିଲା ନାହିଁ-

 

୧୯୩୭ ମସିହାରେ ‘ଡଗର’ ପରି ଏକ ବ୍ୟଙ୍ଗ ପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରି ନିତ୍ୟାନନ୍ଦ ‘ମରମ’ଧର୍ମୀ କବିତାର ସରଣୀ ଛାଡ଼ି ଦେଇଛନ୍ତି । ପ୍ରେମ କବିତାର ଲଘୁ କାବ୍ୟ ଉଚ୍ଛ୍ୱାସଠାରୁ ଜାତୀୟ ଜାଗୃତିର ଗୁରୁତ୍ଵପୂର୍ଣ୍ଣ ଐତିହାସିକ ଉପଯୋଗିତା ଆଡ଼କୁ ତାଙ୍କ କବିତାର ଦିଗ ଓ ଦର୍ଶନ ମୁହାଁଇ ଯାଇଛି । ଏହି ସମୟରୁ ହିଁ ତାଙ୍କ କାବ୍ୟଚେତନାକୁ ଅନେକ ସମାଜ-ରାଜନୈତିକ ସମସ୍ୟା, ଭାରତୀୟ ସ୍ଵାଧୀନତା ସଂଗ୍ରାମ, ମହାତ୍ମାଗାନ୍ଧୀଙ୍କ ନୀତି ଓ ସ୍ଵାଧୀନତା ସଂଗ୍ରାମରେ ଆତ୍ମାହୁତି ଦେଇଥିବା ବହୁ ବ୍ୟକ୍ତିଙ୍କ ଅସାଧାରଣ ବଳିଦାନର ଚିତ୍ର ଆଚ୍ଛନ୍ନ କରିଛି । ଏହି ସମୟରେ (୧୯୪୨-୪୭) ରଚିତ କେତେକ କବିତା ତାଙ୍କ କାବ୍ୟଚେତନାର ଉତ୍ତରଣ ଭାବେ ସ୍ୱୀକୃତି ପାଇବ ଯାହା ‘ପାଞ୍ଚଜନ୍ୟ’ରେ ସଂକଳିତ ହୋଇଛି ।

 

‘ମରମ’ରୁ ‘ପାଞ୍ଚଜନ୍ୟ’କୁ ଆସିଲାବେଳେ ପାଠକ ଯେପରି ସମ୍ପୂର୍ଣ୍ଣ ଏକ ବିଛିନ୍ନ ଇଲାକାରେ ପହଞ୍ଚିଯାଏ, ଯେଉଁଠି ବ୍ୟକ୍ତିଗତ ପ୍ରେମଭାବନା ସମ୍ପୂର୍ଣ୍ଣ ନିର୍ବାସିତ ଅଥଚ ତାହା ଅଗଣିତ ସଂଗ୍ରାମୀ ଜନତାର ସାଧନାଦୀପ୍ତ ଆତ୍ମବଳିଦାନରେ ଏକ ପ୍ରଚଣ୍ଡ ଜାତି ପ୍ରେମରେ ରୂପାନ୍ତରିତ ଓ ବିଶ୍ଵାସର ଅଗ୍ନିଶିଖାରେ ଦେଦୀପ୍ୟମାନ । ଏହି ପର୍ଯ୍ୟାୟରେ ୧୯୩୦ ମସିହାର ଲବଣ ଆନ୍ଦୋଳନ ଓ ୧୯୪୨ ମସିହାର ‘ଭାରତଛାଡ଼’ ଆନ୍ଦୋଳନର ସ୍ମୃତି ବହୁ କବିତାରେ ଉଜ୍ଜୀବିତ । ଯେଉଁ ସାଧାରଣ ବ୍ୟକ୍ତିମାନେ ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ଜାତୀୟ ସଂଗ୍ରାମରେ ଝାସ ଦେଇ ଶହିଦ ହୋଇଛନ୍ତି ସେମାନଙ୍କ ମଧ୍ୟରେ ନିଧିମାହାଳିକ, ପରିଆ, ଲକ୍ଷ୍ମଣ ନାୟକ, ମୂଷା, ମାଷ୍ଟର ସାନାୟା, ଚାରୁ, ରାମେଶ୍ଵର ଓ ସ୍ଵାଧୀନତାର ବିଭିନ୍ନ ପର୍ଯ୍ୟାୟରେ ସଂଗ୍ରାମର ନେତୃତ୍ଵ ନେଇଥିବା ନେତାମାନଙ୍କ ମଧ୍ୟରେ ଗାନ୍ଧୀ ଗୋପବନ୍ଧୁ, କସ୍ତୁରବା, ନେତାଜୀ ସୁଭାଷଙ୍କ ସମ୍ପର୍କରେ କେତୋଟି ଐତିହାସିକ ଗୁରୁତ୍ୱପୂର୍ଣ୍ଣ କବିତା ସନ୍ନିବେଶିତ ହୋଇଛି । ଏ ସବୁ କବିତାରେ ଅତି ସାଧାରଣ ଜୀବନ ପ୍ରବାହ ମଧ୍ୟରେ କିଛି ଅସାଧାରଣ ଓ ଚିରନ୍ତନତାର ସନ୍ଧାନରେ ଶ୍ରୀ ମହାପାତ୍ରଙ୍କ ଦୃଷ୍ଟିଭଙ୍ଗୀର ସ୍ଵତନ୍ତ୍ରତା ଉପଲବ୍‌ଧି କରାଯାଇପାରେ । ନିଧି ମାହାଳିକ ଲବଣ ଆନ୍ଦୋଳନ ସମୟର ଶହୀଦ । ମରିବା ପୂର୍ବରୁ ସେ ସମସ୍ତଙ୍କୁ ଆଶ୍ଵାସନା ଦେଇ କହିଯାଏ - ‘‘ମୋ ପାଇଁ କାନ୍ଦ ନାହିଁ, ମୁଁ ପୁଣି ସ୍ୱାଧୀନ ଭାରତରେ ଜନ୍ମ ନେବି ।’’ ସେଇ ନିଧି ଅପାଠୁଆ ଅଶିକ୍ଷିତ ହେଲେ ବି ସମାଜର ଉଚ୍ଚବର୍ଗର ବ୍ୟକ୍ତିମାନଙ୍କୁ ଓ ଇଂରେଜ ସରକାରଙ୍କ ପୋଲିସବାହିନୀକୁ ଯେପରି ଉପହାସ କରି କହିଯାଇଛି-

‘‘ଆରେ ଡକେଇତ ପରଧନ ଚଖାରେ ବଡ଼ ଜାତି

ଶେଷଥର ପାଇଁ ଠିଆହୁଅ ଏଠି, ଏ ରଣ ମାଟି

ଦେଖିବି ତୁମର କେତେ ମଜଭୂତ୍‌, ମାରଣ କଳ

ତମେରେ ଦେଖିବ ଆମ ଦେହେ କେତେ ମରିବା ବଳ ।’’

(‘ନିଧି ମହାଳିକ’)

 

‘ପରୀ’ କବିତାର ଭାବଧାରା ମଧ୍ୟ ଏଇ ଲବଣ ଆନ୍ଦୋଳନ ଉପରେ ପ୍ରତିଷ୍ଠିତ । ଇରମ୍‌ ଗୁଳିକାଣ୍ଡ ସମୟର ଘଟଣା । ଜନତାର ଅଣ ଲେଉଟା ପଣ-ମରିବେ ପଛେ ଫେରିବେ ନାହିଁ । ଅତ୍ୟାଚାରର ଶାସନକୁ । ଅତି ନ୍ୟାୟସଙ୍ଗତ ଭାବେ ଜନତା ଅମାନ୍ୟ କଲେ । ବ୍ରିଟିଶ ଶାସନର ନୌକର ସାଜି, ତାର ଜବାବ୍‌ ଦେଲା ବନ୍ଧୁକର ଗୁଳିରେ । ସେହି ବେଦନାଦାୟକ ପରିସ୍ଥିତିରେ ଗୁଳିଚୋଟରେ ଟଳି ପଡ଼ିଲେ ସଂଗ୍ରାମୀ ପରିଆ (ଶ୍ରଦ୍ଧାନାମ ପରି) । ତା’ର ଅମର ଆତ୍ମା ଯେପରି ଅବଶିଷ୍ଟ ଜନ ସାଧାରଣଙ୍କ କହୁଥିଲା - ‘‘ମୋ କବରରେ ଫୁଲମାଳ ଦେବା ଦରକାର ନାହିଁ, ବରଂ ନିଜର ପ୍ରତିଟି ରକ୍ତ ବିନ୍ଦୁ ଦେଇ ଭାରତକୁ ଏ ଅପମାନରୁ ରକ୍ଷା କରିବାରେ ଲାଗିପଡ଼”(ପାଞ୍ଚଜନ୍ୟ ପୃ-୨୦) । ସେହିପରି ବ୍ରହ୍ମପୁର ଜେଲରେ କୋରାପୁଟର ଲକ୍ଷ୍ମଣନାୟକକୁ ଫାଶୀ ହୁଏ । ସେ ହସି ହସି ଫାଶୀଖୁଣ୍ଟକୁ ଚଢ଼ି ବେକ ଦେଖାଇ ଦେଇଥିଲେ ସତେ ଯେପରି ଭାରତର ସ୍ଵାଧୀନତା ପୂର୍ବରୁ ତାଙ୍କ ଅତ୍ୟାଚାରିତ ଆତ୍ମା ମୁକ୍ତିର ସ୍ୱପ୍ନରେ ହୋଇ ଉଠୁଥିଲା ଆତ୍ମହରା ।’’ କବି ମହାପାତ୍ର ସେଇ ପରିସ୍ଥିତିର ଚିତ୍ର ଆଙ୍କିଛନ୍ତି ପାଞ୍ଚନନ୍ୟର ‘ଲକ୍ଷ୍ମଣ ନାୟକ’ କବିତାରେ-

 

‘‘ତମ ସ୍ୱାଧୀନତା ମିଳିବା ଆଗରୁ ହେବ ତା’ର ସ୍ଵାଧୀନତା

ତମ ପାଟି ଯହୁଁ ଫିଟିବ ନାହିଁରେ ସେଠି ସେ କହିବ କଥା

ଦେଖିଚକି କେହି ହସି ହସି କେବେ ଗଳାରେ ଦେବାର ଫାଶୀ

ମାଗେ ନାହିଁ ପୁଣି ତ୍ୟାଗ ପାଇଁ ତାର ଫୁଲହାର ରାଶି ରାଶି

ତମ ପାଇଁ ଯିଏ ଦେଇଗଲା ଏଠି ଫୁଟିଲା ରକତ ଧାର

ଜାଣେ ମୁହଁ ଜାଣେ ପଢ଼ିବ ନାହିଁରେ ତାହା କୀରତିର ଗାର ।’’

 

ଲକ୍ଷ୍ମଣର ଫାଶୀପରେ କବି ମହାପାତ୍ରଙ୍କ ମନରେ ଯେଉଁ କାବ୍ୟିକ ପ୍ରତିକ୍ରିୟା ସୃଷ୍ଟି ହୋଇଛି, ତାହା ଏକାନ୍ତ ଉପାଦେୟ ଓ ଉଦ୍‌ବୋଧଧର୍ମୀ ।

 

ସେହିପରି ତାଙ୍କର ଆଉ ଏକ କବିତା ଅନାମଧ୍ୟେୟ ମୂଷାର ଅତ୍ୟାଚାରିତ କାହାଣୀ ଉପସ୍ଥାପନ କରେ । ଲେଖକ ପ୍ରାକ୍‌-ଭାଷାରେ କହିଛନ୍ତି- ‘‘ମୂଷା ତାର ଡାକ ନାମ । ତା’ ଦେହରେ ଥିଲା ସିଂହ ଶିଶୁର ସାହସ ଓ ପରାକ୍ରମ । ଏ ଦେଶର ଉଚ୍ଚବର୍ଗର ବ୍ୟକ୍ତିମାନେ କେହିହେଲେ ସନ୍ଧାନ ନେଲେ ନାହିଁ ମୂଷା ଫାଶୀ କାଠରେ କିପରି ଝୁଲିଲା । ଖାଲି ଖବର କାଗଜରେ ସମ୍ବାଦ ପ୍ରକାଶ ପାଇଲା । ‘ମୂଷାକୁ ଫାଶୀ ହୁକୁମ୍‌’ । ତାଳଚେରର ଅତ୍ୟାଚାରୀ ରାଜ-ଶାସନ ବିରୁଦ୍ଧରେ ପ୍ରତିବାଦ କରି ସେ ଅତି ଗୋପନରେ ରୁଦ୍ଧ କାରାଗାରର ଫାଶୀଖୁଣ୍ଟରେ ଚିରଦିନ ପାଇଁ ଆଖି ବୁଜିଲା । ସମୟ ୧୯୪୨ ମସିହା । ସେଇ କରୁଣ ମୃତ୍ୟୁର କାହାଣୀ ଯେପରି ମା’ ଓ ମାତୃଭୂମିକୁ ତାର ଶେଷ ବଚନିକାରେ ଆର୍ଥିକ ଓ ସାମାଜିକ ବୈଷମ୍ୟ ସମ୍ପର୍କରେ ସତର୍କ କରାଇଦେଇଛି ।

 

ରାଇଜର ରାଜାଲୋ ଏ କହୁପରା ସାକ୍ଷାତ‍୍ ଈଶ୍ଵର

ଚାହୁଁ ଦେଖ ଆଉ ଥରେ ସ୍ଵର୍ଗର ସେ ଅବା ନରକର

ଏଇ ପାଣି ପବନତ ଏଇ ମାଟି ଏ ଆକାଶ ମହୀ

ମଣିଷର ଆତ୍ମାଗୋଟି ଉଧାଇ ମା’ନ ପାରୁଛି ଯହିଁ

ଦେବତାର କାତି ତଳେ ସେଠି ଲାଗେ ଦାନବର ଭିଡ଼

ମାନବର ରକ୍ତ ନେଇ ପୂଜା ହୁଏ ତା’ର ପୂଜା ପୀଢ଼ି

 

କାହିଁ ରଜା, କାହିଁଲୋ ଈଶ୍ୱର ?/ ନାମଗନ୍ଧ ଆଜି ତାର ଭୁଲି ଯାଉ ବିଶ୍ଵ ଚରାଚର-।’’(‘ମୂଷା’)

 

ଏ ଦେଶର ଦେଶୀଆ ରାଜାମାନେ ସେତେବେଳେ ବିଦେଶୀ ସରକାରର ପଦ ଲେହନରେ ବ୍ୟସ୍ତ । ନିଜର ଗାଦି ରକ୍ଷା କରିବା ପାଇଁ ଶାସକଙ୍କୁ ତୋଷଣ କରିବାକୁ ଯାଇ ମୂଷା ପରି ବିପ୍ଳବୀମାନଙ୍କୁ ଅନ୍ଧକାର କାରାଗାରରେ କେତେ ନିର୍ଯାତନା ଦେଉଥିଲେ- ତାହା ଆଜି ଇତିହାସ ଓ କିମ୍ବଦନ୍ତୀରେ ପରିଣତ ହୋଇଛି । କବି ଇଂରେଜ ଶାସନକାଳୀନ ଏଇ ଦାସାନୁଦାସ ରାଜାମାନଙ୍କୁ ବିଦ୍ରୂପ କରିଛନ୍ତି ଏ କବିତାରେ । ମାଷ୍ଟର ସାନାୟାର ଜେଲଖାନାର ଶହୀଦତ୍ୱ ବରଣ କରିବା ପଛରେ ଜାତୀୟ ଜାଗୃତିର ସେଇ ଉଦ୍ଧତ ଘୋଷଣା ପ୍ରତିଫଳିତ ହୋଇଛି । କବିଙ୍କ ମତରେ ‘‘ମାଷ୍ଟର ସାନାୟା ଶହୀଦ ହେବାର ସମ୍ମାନ କାମନା କରି ଆସିଥିଲା । ଜେଲଖାନାରେ ତାର ମୃତ୍ୟୁ ହେଲେ ମଧ୍ୟ ତାର ମୃତ୍ୟୁ ନାହିଁ, ସେ ଅମରାତ୍ମା । ସେ ମୃତ୍ୟୁ ତା’ ପାଇଁ ଜନ୍ମ ଜନ୍ମାନ୍ତରର ପୁରସ୍କାର ସଦୃଶ । ତା’ରି ମୃତ୍ୟୁରେ ଏ ଦେଶରେ କେତେ ରକ୍ତବୀର୍ଯ୍ୟ ଜନ୍ମନେବେ ଓ ସ୍ଵାଧୀନତା ପାଇଁ ସଂଗ୍ରାମ ଚଳାଇ ରଖିବେ । ଏହିପରି ଗୋଟିଏ ଜୀବନଦାନରେ କୋଟିଏ ଇନ୍ଦ୍ରପଦବି ପାଦତଳେ ଲୋଟିଯିବ । ତା’ର ସ୍ଵେଚ୍ଛାମୃତ୍ୟୁରେ ଜଗତରେ ଅପୂର୍ବ ବିଜୟର ବୈଜୟନ୍ତୀ ଉଡ଼େ । ଅସଂଖ୍ୟ ଅସାଡ଼ ଜଡ଼କୋଷରେ ଏହିପରି ମୃତ୍ୟୁ ଜୀବନର ବିଦ୍ୟୁତ ସ୍ଫୁରଣ ଦେଇଯାଏ ।

 

ଦେଶର ସ୍ୱାଧୀନତା ସଂଗ୍ରାମୀ ନେତାମାନଙ୍କ ଉଦ୍ଦେଶ୍ୟରେ ସେ ‘ପାଞ୍ଚଜନ୍ୟ’ରେ କେତୋଟି କବିତା ସଂକଳିତ କରିଛନ୍ତି । କବିତାଗୁଡ଼ିକର ଶୀର୍ଷକ ହେଲା- ‘ନେତାଜୀ’, ‘ଗୋପବନ୍ଧୁ’, ‘ବା’, ‘ନିରଜନ ଆଶ୍ରା-ପ୍ରସାଦ ତଳେ’ । ଗାନ୍ଧି ପ୍ରବର୍ତ୍ତିତ ଅହିଂସା ସଂଗ୍ରାମ ଓ ଭାରତୀୟ ସ୍ଵାଧୀନତାର ସ୍ଵପ୍ନ ବହୁକବିତାରେ ପ୍ରତିଫଳିତ । କେଉଁଠି ସେହି ମହାମାନବର ଆଦର୍ଶ ସଂଗ୍ରାମର ଜୟଗାନ ତ କେଉେଠି ତାଙ୍କ ଜନ୍ମଜୟନ୍ତୀ ଉଦ୍ଦେଶ୍ୟରେ କବିଙ୍କ ଉଚ୍ଛ୍ଵସିତ ଶ୍ରଦ୍ଧାଞ୍ଜଳି ଅର୍ପଣ । ପୁଣି ‘ବା’ କବିତାରେ ଚରିତ୍ରିତ ଗାନ୍ଧିପତ୍ନୀ କସ୍ତୁରବା ବନ୍ଦୀ ଅବସ୍ଥାରେ ଆଗାଖାଁ ପ୍ରାସାଦରେ ପ୍ରାଣତ୍ୟାଗ କରନ୍ତି । ଏହାର କିଞ୍ଚିତ୍‌ ପୂର୍ବରୁ ତାଙ୍କର ଗୋଟିଏ ପୁଅର ମୃତ୍ୟୁ ଘଟିଥାଏ । ଗାନ୍ଧିଙ୍କ କୋଳରେ କସ୍ତୁରବାଙ୍କ ପ୍ରାଣପ୍ରଦୀପ ସବୁଦିନ ପାଇଁ ଲିଭିଗଲା । ତଥାପି ଚିର ଅବିଚଳିତ ସନ୍ନ୍ୟାସୀ ମହାତ୍ମାଗାନ୍ଧୀ ଗୋଟିଏ ପରେ ଗୋଟିଏ ଦୁଃଖକୁ ଆତ୍ମସାତ୍‌ କରି ସ୍ଵାଧୀନ ଭାରତର ସ୍ୱପ୍ନରେ ଏଇ କାରାଗାରରେ ଦିନ କାଟୁଥାନ୍ତି । ପୁଣି ସେଇଠି ତାଙ୍କର ଏକୋଇଶି ଦିନର କଠୋର ଓ ଅବିଚଳିତ ଅନଶନ ରୁକ୍ଷ ବିଦେଶୀ ସରକାରଙ୍କ ମନରେ ମଧ୍ୟ ଆତଙ୍କ ଆଣିଥିଲା । ସେ ଏକ କଠୋର ପରୀକ୍ଷାର ସମ୍ମୁଖୀନ ହେଲେ ଓ ସେଥିରୁ ବିଜୟ ଦର୍ପରେ ମୁକୁଳି ଆସିଲେ ମଧ୍ୟ । ଶ୍ରୀ ମହାପାତ୍ର ଏସବୁ ଘଟଣାକୁ ଚମତ୍କାର ଭାବବିଭୋର ଭାଷାରେ ଉପସ୍ଥାପନ କରିଛନ୍ତି ।

 

ଅନ୍ୟ ଦୁଇଟି କବିତାରେ ମୁକ୍ତି- ସଂଗ୍ରାମର ଅମର ସୈନିକ ନେତାଜୀ ସୁଭାଷ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତାଙ୍କର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ନିବେଦିତ । ତାଙ୍କ ଚିନ୍ତାରେ ନେତାଜୀ ସୁଭାଷ ପରାଧୀନ ଏଇ ଭାରତର ଗାରଦ ଭିତରେ ନିଃଶ୍ୱାସ ମାରି ନ ପାରି ସତେ ଅବା ସ୍ଵାଧୀନତା ପରେ ଫେରିବା ପାଇଁ ସେଦିନ ବର୍ମା ସୀମାନ୍ତରେ ଅଜ୍ଞାତବାସ ବରିନେଲେ । ସେ ଥିଲେ ତତ୍‌କାଳୀନ ଚାଳିଶକୋଟି ଭାରତୀୟଙ୍କ ମୁକ୍ତିଦାତା । ତାଙ୍କର ବଳିଦାନରେ ପରାଧୀନ ଭାରତର ଅପମାନ ଦୂର ହୋଇ ଯାଇନିକି ? ସେହିପରି, ଗୋପବନ୍ଧୁଙ୍କ ଆଦର୍ଶକୁ ଭୁଲି ଆମେ ଯେ ତାଙ୍କ ପ୍ରତିମୂର୍ତ୍ତିରେ/ପ୍ରତିକୃତିରେ ମାଲ୍ୟାର୍ପଣ କରୁଛେ ତାର କିଛି ମୂଲ୍ୟ ନାହିଁ । ବରଂ ଏହା ଏକ ମହାନ୍‌ ଆତ୍ମା ପ୍ରତି ଅପମାନ ବୋଲି ସେ ତାଙ୍କ କବିତାରେ ବ୍ୟଞ୍ଜନା ଛଳରେ ପ୍ରକାଶ କରିଛନ୍ତି । ଯେଉଁ ଉତ୍କଳମଣିଙ୍କ ଅନ୍ତର ପର ଦୁଃଖରେ ଅଶ୍ରୁରୂପେ ବିଗଳିତ ହୋଇ ଯାଉଥିଲା ସେଥିରେ ଆଜିପରି, ହୀନସ୍ଵାର୍ଥୀ ଓ କ୍ଷମତାଭିଳାଷୀ ନେତାଙ୍କର ମତଲବ ନ ଥିଲା । ଆମେ ତାଙ୍କ ଆଦର୍ଶକୁ ଭୁଲି ବାହ୍ୟାଚାରରେ ଅଧିକ ଆମୋଦିତ ହେଉଛେ । ଶ୍ରୀ ମହାପାତ୍ର ଏ କବିତାରେ ଉତ୍କଳର ଐତିହ୍ୟକୁ ସ୍ମରଣ କରିବା ସାଙ୍ଗେ ସାଙ୍ଗେ ଗଭୀର ହତାଶାରେ ନିମଜ୍ଜିତ ହୋଇଛନ୍ତି । (କବିତା-‘ଗୋପବନ୍ଧୁ’ - ପାଞ୍ଚଜନ୍ୟ ପୃ-୧୩)

 

ମୋଟ ଉପରେ ଏହାହିଁ ତାଙ୍କ କାବ୍ୟଚେତନାର ବିକାଶ ପର୍ବରେ ‘ପାଞ୍ଚଜନ୍ୟ’ର ଆତ୍ମିକ ସନନ୍ଦ । ଏଥିରେ ସେ କେଉଁଠାରେ ସାମାଜିକ ବିପର୍ଯ୍ୟସ୍ତ ଓ ଅବମୂଲ୍ୟାୟନ ସହିତ ସାଲିସ କରି ନାହାନ୍ତି । ସବୁ ସ୍ଥାନରେ ସ୍ପଷ୍ଟ ଭାବରେ ସେ ‘ପାଞ୍ଚଜନ୍ୟ’ର ନିର୍ଦ୍ଦୋଷ ସମାଜକୁ ଶୁଣାଇଛନ୍ତି ଓ ପରାଧୀନତାର ଜଡ଼ତାର ଅନୁକମ୍ପନ ସୃଷ୍ଟି କରିଛନ୍ତି । ଏ ‘ପାଞ୍ଚଜନ୍ୟ’ କବିଙ୍କ ଦୃଷ୍ଟିରେ ଅନ୍ତରର ସ୍ପନ୍ଦନ ଓ ପ୍ରେମର ଆହ୍ୱାନ । ତେଣୁ ସେ କହିଛନ୍ତି- ‘ସବୁବେଳେ ଏ ଧାରା ବୀର ଓ ସବଳର ଭୋଗ୍ୟା ନୁହେଁ । ମାନବର ମନ ଯୁଗେ ଯୁଗେ ପ୍ରେମର ଅଧୀନ ହୋଇ ରହିଛି । ସେଠି ଶକ୍ତିଶାଳୀ ମାରଣାସ୍ତ୍ର ମଧ୍ୟ ହାରମାନେ ।’’ ସମ୍ଭବତଃ ଦ୍ୱିତୀୟ ପୃଥିବୀ ମହାଯୁଦ୍ଧର ସର୍ବଗ୍ରାସୀ ଅଗ୍ନିଶିକ୍ଷାକୁ ଲକ୍ଷ୍ୟ କରି ସେ କହିଛନ୍ତି- ‘‘ଏଇ ରଣ ଧନ୍ଦୋଳ ଉନ୍ନତିର ବା କୃଷ୍ଟିର ଲକ୍ଷଣ ନୁହେଁ ।’’ ତେଣୁ ତାଙ୍କର ଅଙ୍ଗୀକାର ଓ ଦର୍ଶନ ଏଇ କବିତାପୁସ୍ତକର ସର୍ବମୋଟ ୨୧ଟି କବିତା ମଧ୍ୟରେ ସ୍ପଷ୍ଟ ଉଚ୍ଚାରିତ ହୋଇଛି । ତଥାପି କହିବାକୁ ହେଉଛି ଯେ ଏହି ସମୟରେ ରଚିତ ସଚ୍ଚିଦାନନ୍ଦଙ୍କ ‘ବାଜିରାଉତ’ କାବ୍ୟର ଉଦ୍‌ବୋଧନ ଓ କଳାସ୍ଥାପତ୍ୟ ‘ପାଞ୍ଚଜନ୍ୟ’ର ଗୋଟିଏ କବିତାର ମଧ୍ୟ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇନାହିଁ । କବି ଅବଶ୍ୟ କହି ରଖିଛନ୍ତି-

 

‘‘ଉଡ଼ାଅରେ ଚିର ଶାନ୍ତି ଚିରାଳ/ଏ ଜାତି ହୋଇବ ଧନ୍ୟ

ଏଇ ଶୁଣ ଶୁଭେ ନବ ଇଂଗିତେ/ମୁକତି ପାଞ୍ଚଜନ୍ୟ ।’’

(‘ପାଞ୍ଚଜନ୍ୟ)

 

ତାଙ୍କ କବିତାର ଏ ପାଞ୍ଚଜନ୍ୟର ସଂଜ୍ଞା ଓ ସ୍ୱରୂପ ଲକ୍ଷ୍ୟନିଷ୍ଠ ହୋଇ ପାରିନାହିଁ । ସମସାମୟିକ ଭାବେ କବି ବାଞ୍ଛାନିଧି ମହାନ୍ତି ଓ ବୀର କିଶୋର ଦାସ ଏଇପରି ଭାବନାକୁ କୁକ୍ଷୀଗତ କରି ଅଧିକ କାବ୍ୟିକ ପ୍ରସିଦ୍ଧି ହାସଲ କରିପାରିଛନ୍ତି । ତଥାପି ମୁକ୍ତି ସଂଗ୍ରାମକୁ ଦିଶା ଦେଖେଇବାରେ ଶ୍ରୀ ମହାପାତ୍ରଙ୍କ କବିତାର ଯେ ଐତିହାସିକ ଉପଯୋଗିତା ରହିଛି- ତାହା ସ୍ୱୀକାର କରିବାକୁ ହେବ ।

 

ସମସାମୟିକ ଭାବେ ତାଙ୍କ ରଚିତ ‘ସ୍ଵରାଜ୍ୟ ସଂହିତା’ ନାମକ କବିତା ସଂକଳନ ଇଂରେଜ ଶାସନ କାଳରେ ବାଜ୍ୟାପ୍ତ ହୋଇଥିବାରୁ ତାହା ଉପଲବ୍‌ଧ ନ ହେବା ଶୋଚନାର ବିଷୟ-

 

କିନ୍ତୁ ଶ୍ରୀ ମହାପାତ୍ରଙ୍କ ସ୍ଵାଧୀନତା ପରବର୍ତ୍ତୀ କାବ୍ୟ ଚେତନାରେ ଆଦିଅନ୍ତ ନୈରାଶ୍ୟ ଓ ମାନସିକ ଅଶ୍ଵସ୍ତି ପ୍ରକାଶ ପାଇଛି । ସମାଜ ଓ ଶାସନନୀତିର ତୀବ୍ର ସମାଲୋଚନାରେ ଏସବୁ କବିତା ଅନ୍ତର୍ଗର୍ଭା । ଗାନ୍ଧିଜୀଙ୍କ ସ୍ମୃତିପ୍ରତି କବି ପ୍ରାଣର ନିରାଜନା ଏକାଧିକ କବିତାରେ ପ୍ରତିଫଳିତ-। ଯେଉଁ ମହାପୁରୁଷ ବିଦେଶୀ ଶାସନର ଶୃଙ୍ଖଳକୁ ଛିନ୍ନ କରି ଦେଶ ପାଇଁ ସ୍ଵାଧୀନତା ଆଣିଲେ, ତାଙ୍କରି ମୃତ୍ୟୁରେ ସମଗ୍ର ଦେଶରେ ଅମାବାସ୍ୟାର ଅନ୍ଧକାର ଘୋଟିଗଲା । ପୁଣି ତ୍ୟାଗର ଓ ସେବାର ସମସ୍ତ ମହାନ ଆଦର୍ଶକୁ ଭୁଲି ଦେଶସେବୀ ନେତାଗଣ କ୍ରମେ ଭୋଗ ପ୍ରମତଃ ହୋଇ ଉଠିଲେ । ମହାଭାରତ ଯୁଦ୍ଧକୁ ପ୍ରତୀକ କରି ଶ୍ରୀ ମହାପାତ୍ର କହିଛନ୍ତି- ‘‘ଏବେ ମଧ୍ୟ ଦ୍ରୌପଦୀର କେଶ ଉନ୍ମୁକ୍ତ । ଦୁର୍ଯ୍ୟୋଧନ ଲକ୍ଷ୍ମୀଙ୍କ କ୍ରୋଡ଼ରେ ଆଶ୍ରୟ ନେଇଛି । ବିଦେଶୀ ଶାସନର ଅଭିସନ୍ଧି ଫଳରେ ଦେଶରେ ବହୁ ବିଭେଦମୂଳକ ଶକ୍ତି ସକ୍ରିୟ ହୋଇ ଉଠିଛନ୍ତି । ସେମାନଙ୍କୁ ଗଦା ଆଘାତରେ ଧ୍ୱଂସ କରିବା ପାଇଁ ଭୀମର କାଳରଡ଼ିକୁ ଅପେକ୍ଷା କରିବାକୁ ହେବ (ଧୀରେ ପାନ୍ଥ ଧୀରେ-କାଳରଡ଼ି) । ‘ଚିମିନି ଡାକୁଛି ଶୁଣ’ କବିତାରେ ଏଇ ସାମାଜିକ ବିପର୍ଯ୍ୟୟର ସ୍ଵର ଆହୁରି ତୀକ୍ଷ‍୍ଣ । ଶିଳ୍ପୀକରଣର ପ୍ରତିଘାତରେ ଗ୍ରାମ୍ୟ କୃଷି ସଭ୍ୟତା ଭାଙ୍ଗି ପଡ଼ୁଥିବାର ଚିତ୍ର ଏ କବିତା ବହନ କରେ । ସ୍ଵାଧୀନତା ପରେ କାରଖାନା ମାଲିକ ହିଁ ପୁଞ୍ଜିକୁ ହାତ ମୁଠାରେ ରଖି ଶାସନକୁ ନିୟନ୍ତ୍ରଣ କରୁଛି, ଏହାହିଁ ତାଙ୍କର ବକ୍ତବ୍ୟ ଓ ବଦ୍ଧମୂଳ ଧାରଣା । ତେଣୁ ସେ କହିଛନ୍ତି - ‘‘ବାସ୍ତବରେ ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼୍‌ସେ ନୁହେଁ, ବରଂ ତାଙ୍କରି ପଟ୍ଟଶିଷ୍ୟଗଣ, ଯେଉଁମାନେ କଥାକଥାକେ ଗାନ୍ଧିଙ୍କ ନାମ ଧରି, ତାଙ୍କ ଜୟଗାନ କରି କୋଟି କୋଟି ନିରୀହ ଭାରତୀୟଙ୍କୁ ଭୁଲେଇ ଭୋଟ ନେଇ ଶାସନ ଗାଦି ଦଖଲ କଲେ । ସେହିମାନେ ହିଁ ଗାନ୍ଧିତ୍ୱର କୃତଘ୍ନ ଘାତକ । ଗାନ୍ଧି କୁଟୀର ଶିଳ୍ପ କଥା କହିଥିଲାବେଳେ ଭାରତର ଆକାଶରେ କ୍ରମେ ଚିମିନୀର କଳାଧୁଆଁ ହିଁ ତାଙ୍କୁ ଉପହାସ କରି ଖେଳିବୁଲୁଛି ।’’ (ଚିମିନି ଡାକୁଚି ଶୁଣ କାଳରଡ଼ି) ଏହି ବିରୋଧାଭାସର ଚିତ୍ର ‘କାଳରଡ଼ି’ର ପ୍ରତ୍ୟେକ କବିତା ବହନ କରେ । ଏହି କବିତାଗୁଡ଼ିକ ନିଛକ ଭାବେ ଗାନ୍ଧିବାଦର ବ୍ୟାଖ୍ୟା ଓ ସମର୍ଥନ ଭାବେ ଗୃହୀତ ହେବ । ତେଣୁ ‘କାଳରଡ଼ି’ରେ ତତ୍‌କଳିକତାର ମାତ୍ରା ଅଧିକ- ଏଠାରେ ଚିରନ୍ତନ କାବ୍ୟଚେତନାର ଉତ୍ସ ଖୋଜିଲେ ବିଫଳ ହେବାକୁ ହେବ । ଅଧିକାଂଶ କବିତା ଅତିରିକ୍ତ ପ୍ରଚାରବାଦୀ ଓ ଆବେଗ ବିବର୍ଜିତ । କେତେକ ମୌଳିକ ତଥ୍ୟ ଓ ତତ୍ତ୍ୱକୁ ଆଶ୍ରୟ କରି ଏ କବିତାଗୁଡ଼ିକ ରଚିତ ହୋଇଥିବାରୁ ଭାବପ୍ରକାଶରେ ସ୍ଵାଭାବିକ ଅଭାବ ଅନୁଭବ କରିହୁଏ । ଶ୍ରୀ ମହାପାତ୍ର କବିତାରେ ଯାହା କହି ନ ପାରିଛନ୍ତି ତାକୁ ଗଦ୍ୟର ବ୍ୟାଖ୍ୟା ଭାଷ୍ୟ ଓ ବକ୍ତବ୍ୟ ଭିତରେ ପୂରଣ କରିଛନ୍ତି । ତେଣୁ ଏ କବିତାଗୁଡ଼ିକ ଅତିରିକ୍ତ ଶୁଷ୍କ ଓ ତାତ୍କାଳିକ ବରଂ ଅନେକ ପରିମାଣରେ ପ୍ରବନ୍ଧ ଉପଯୋଗୀ । ‘ପାଞ୍ଚଜନ୍ୟ’ରୁ ‘କାଳରଡ଼ି’ ତେଣୁ ତାଙ୍କ କାବ୍ୟ ଚେତନାର କ୍ରମକ୍ଷୟଶୀଳତାକୁ ହିଁ ଚିହ୍ନିତ କରେ । ତାଙ୍କ ନିଜସ୍ଵ ବିବୃତି ଏ ଦିଗରୁ ତାତ୍ପର୍ଯ୍ୟ ପୂର୍ଣ୍ଣ ମନେ ହେବ । ‘ମୁଁ କାହିଁକି ଲେଖେ’ ଶୀର୍ଷକ ପ୍ରସଙ୍ଗରେ ସେ ‘ଡଗର’ର ୧୪ ବର୍ଷ/୨୩ଶ ସଂଖ୍ୟାରେ କହନ୍ତି- ‘‘ଜୀବନରେ ଗୋଟାଏ ଗୋଟାଏ ସନ୍ଧିକ୍ଷଣ ଆସେ । ବିଗତ ଯୌବନରେ ଯେଉଁ ରାଜନୀତିକ ବିପ୍ଳବ ମୋତେ ସହଜ ଜୀବନ ପଥରୁ ଦୂରକୁ ଫିଙ୍ଗ ଦେଇଥିଲା, ତା’ର ଅତି ସାମୟିକ ଅବସାନ ପରେ ଶାନ୍ତିର ସାମାନ୍ୟ ସ୍ଵପନ ବିଳାସ ଆଉ ଏକ ଅଶ୍ଵସ୍ତିକର ପରିସ୍ଥିତି ଭିତରେ ଭାଙ୍ଗି ଯାଇଛି । ନୂଆ ଏକ ଭୌତିକ ବିପ୍ଳବର ପ୍ରଳୟ ଝଞ୍ଜାର ଆଗମନୀ ମୋ ହାତରୁ କଲମ ଛଡ଼ାଇ ଫିଙ୍ଗି ଦେଇଛି । ସେ ପାଞ୍ଚଜନ୍ୟର ନିନାଦ ମୋ ଦେହକୁ ତପ୍ତ ଓ ଉତ୍ତେଜିତ କଲାବେଳେ ଅଦଭୁତ । ଏକ ଅଶ୍ରୁତ ଆହ୍ୱାନ ମୋର ଅନ୍ତରାତ୍ମାକୁ ଅସ୍ଥିର ଓ ଚଞ୍ଚଳ କରିଦେଇଛି । ଲକ୍ଷ୍ମୀଙ୍କ କୋଳରେ ଦୁର୍ଯ୍ୟୋଧନର ନିଦ୍ରାଭଙ୍ଗ ହେଲାପରି ମୁଁ ଅସମ୍ଭାଳ ହେଉଛି ସେ ଧ୍ଵନି ଶୁଣି । କହି ପାରିବିନି ସେ କି ଧ୍ଵନି ! ଧ୍ଵନି ନୁହେଁ, ସେ ଏକ ଡାକ, ଆହ୍ୱାନ । ସଂଗ୍ରାମର ଆହ୍ୱାନ, କିନ୍ତୁ ସେ ଆହ୍ୱାନ ବଡ଼ କାତର-।’’

 

ଶ୍ରୀ ମହାପାତ୍ର ‘ଡଗର’ ପରି ଏକ ବ୍ୟଙ୍ଗ ଓ ସମାଲୋଚନାମୂଳକ ପତ୍ରିକାର ସମ୍ପାଦକ ଭାବରେ ‘କାଳରଡ଼ି’ର କବିତାଗୁଡ଼ିକରେ ସାମ୍ବାଦିକତାର ବିବୃତି ସର୍ବସ୍ଵତାକୁ ପରିହାର କରି ପାରିନାହାନ୍ତି । ତେଣୁ ସମାଜରେ ଘଟୁଥିବା ଘଟଣାଗୁଡ଼ିକୁ କବିତାର ନିର୍ଯାସ ଭାବେ ଗ୍ରହଣ କରି ସେସବୁକୁ କାବ୍ୟ ରସରେ କରି ପାରିନାହାନ୍ତି । ‘ନିଆଁଖୁଣ୍ଟା’ର ସମ୍ପାଦକ ଶ୍ରୀ ଗୋଦାବରୀଶ ମହାପାତ୍ରଙ୍କ କବିତାର ଆଭିମୁଖ୍ୟଗତ ସାମ୍ୟ ନିତ୍ୟାନନ୍ଦଙ୍କ କବିତାରେ ଥିଲେ ବି ‘ନିଆଁଖୁଣ୍ଟା’ ସେସବୁକୁ କଳାଗତ ମର୍ଯ୍ୟାଦାରେ ରସଦୀପ୍ତ କରି ପାରିଥିଲାବେଳେ ‘ଡଗର’ ଅଧିକ ମାତ୍ରାରେ ସାମ୍ବାଦିକ ସୁଲଭତା ଭିତରେ ଅଟକି ଯାଇଛନ୍ତି । ତେଣୁ ପାଠକର ଅନ୍ତରକୁ ଦୋହଲେଇ ଦେଇ ପାରିନାହାନ୍ତି । ନିଆଁଖୁଣ୍ଟା ସାମାନ୍ୟ ସାମାନ୍ୟ ପ୍ରସଙ୍ଗକୁ ଅସାଧାରଣ ନିଜତ୍ୱ ପ୍ରଦାନ କରି ଥିଲାବେଳେ ‘ଡଗର’ ସେସବୁକୁ କାବ୍ୟୋତୀର୍ଣ୍ଣ କରି ପାରି ନାହାନ୍ତି । ତଥାପି ସ୍ଵାଧୀନତାର ଉତ୍ତରକାଳରେ ତାଙ୍କ କବିତାର ତାତ୍କାଳୀକ ଭୂମିକା ମଳିନ ହେବାର ନୁହେଁ ।

 

କବିତା ଅପେକ୍ଷା କଥା ସାହିତ୍ୟରେ ଶ୍ରୀ ମହାପାତ୍ରଙ୍କ କୃତିତ୍ୱ ସମଧିକ, ବରଂ ତାଙ୍କ ସିଦ୍ଧି ଅଧିକମାତ୍ରାରେ ପ୍ରତିଷ୍ଠା ଲୋଡ଼ିଛି । ତେଣୁ ତାଙ୍କ କାବ୍ୟ ସାଧନା ବ୍ୟାହତ ହୋଇଛି ବୋଲି କୁହାଯାଇପାରେ । ଆଧୁନିକ ଓଡ଼ିଆ କବିତାର ପ୍ରୟୋଗବାଦୀ କାଳରେ ବିଭିନ୍ନ କବିଙ୍କ ଦ୍ୱାରା ଯେଉଁସବୁ ପରୀକ୍ଷା କରାଯାଉଥିଲା ଶ୍ରୀ ମହାପାତ୍ର ଉଭୟ ଆଙ୍ଗିକ ଓ ଆତ୍ମିକ ଦୃଷ୍ଟିରୁ ସେଥିରୁ ଦୂରବର୍ତ୍ତୀ ଥିଲେ । ତଥାପି ‘କାଳରଡ଼ି’ର ପ୍ରକାଶନ ପରେ ସେ ଗଦ୍ୟ କବିତାର ଆଙ୍ଗକିକକୁ କେତୋଟି କବିତାରେ ଆବେରି ବସିଥିଲେ । କିନ୍ତୁ ସେପରି ଶୈଳୀରେ ଆବେଗ ଓ ପ୍ରଜ୍ଞାର ମନୋଜ୍ଞତା ନ ଥିଲା, ଥିଲା ମନନଶୀଳତା । ଏ ପର୍ଯ୍ୟାୟର କବିତା ଏକ ନିଶ୍ଚିତ ଅବକ୍ଷୟ ମଧ୍ୟରୁ ଆତ୍ମୋଦ୍ଧାରର ନିଷ୍ଫଳ ପ୍ରୟାସ ଭାବେ ନିର୍ଣ୍ଣିତ ହୋଇପାରେ । ଏହି ଶୈଳୀ ସହିତ ପାଠକେ ପରିଚିତ ହେବା ପାଇଁ ଦୁଇଟି କବିତାର କିଛି କିଛି ଅଂଶ ଉଦ୍ଧାର କରୁଛି ।

 

(୧) ‘କବିତା’ ନାମକ ପତ୍ରିକାର ୧ମ ବର୍ଷ ୨ୟ ସଂଖ୍ୟାରେ (୧୯୫୪) ପ୍ରକାଶିତ ତାଙ୍କ କବିତାର ଶୀର୍ଷକ ଥିଲା ‘କବିତା’ ।

 

‘‘ସୁଖ ଆଉ ଦୁଃଖ/ ଗୋଟିଏ ଚକତିର ଏ ପାଖ ସେପାଖ

ସୁଖ ଆଉ ଦୁଃଖ /ଗୋଟିଏ ନିକିତିର ଦୁଇଟି ତରାଜୁ

ପାଖେ ଉଠିଲେ ପାଖେ ପଡ଼େ/ଫରକ ନାହିଁ ।

ସୁଖ ଆଉ ଦୁଃଖ /ଉଭୟଙ୍କୁ ମୁଁ ସ୍ଵାଗତ କରୁଛି/କାରଣ ମୁଁ ବାଧ୍ୟ ।

ସୁଖ ଆସେ ଜୀବନରେ/ତାକୁ ଛାଡ଼ି ଯିବାକୁ ପଡ଼େ ।

ଦୁଃଖ କିନ୍ତୁ ପଡ଼େ/ତାକୁ ମାଡ଼ିଯିବାକୁ ହୁଏ

ସୁଖ ଆସୁ, ଦୁଃଖ ଆସୁ /ମୁଁ ପ୍ରସ୍ତୁତ ।”(ଶାନ୍ତିନିକେତନରୁ ପ୍ରକାଶିତ)

 

ଏ କବିତାଟିରେ ସେ ଯେଉଁ ଚିତ୍ରକଳ୍ପ ପ୍ରୟୋଗ କରିଛନ୍ତି ତାହାର ନୂତନତା ନ ଥିବାରୁ ତାହା ପାଠକମାନଙ୍କୁ ଉଦ୍‌ବୁଦ୍ଧ କରି ପାରେ ନାହିଁ । ପୁଣି ବକ୍ତବ୍ୟମୁଖୀ ଏ ଶୈଳୀ ଏତେ ମୁକ୍ତ ଓ ନିରାଭରଣ ଯେ ପାଠକ ପାଇଁ ଆଉ କୌଣସି ବ୍ୟଞ୍ଜନାତ୍ମକ ପ୍ରଚ୍ଛନ୍ନତା ରଖେ ନାହିଁ ।

 

ତାଙ୍କର ଅନ୍ୟ କବିତାଟିର ଶୀର୍ଷକ ହେଉଛି -‘ସମ୍ବନ୍ଧ ବନ୍ଧନ’ । ଏ କବିତାଟି ‘ଡଗର’ର ୨୨ତମବର୍ଷ/୨ୟ ୩ୟ ମିଳିତ ସଂଖ୍ୟାରେ ଅଗଷ୍ଟ-ସେପ୍ଟମ୍ବର ୧୯୫୮ରେ ପ୍ରକାଶ ପାଇଥିଲା ।

 

‘‘ମୁଁ ତୁମର ଦେହକୁ ଖୋଜିଛି ସହସ୍ର ନାରୀ ମାଂସପେଶୀରେ

ଭଜିଛି କେବଳ ବିଦେହର ଶରାଘାତ

ମୁଁ ତମର ଆତ୍ମାକୁ ଚାହିଁଛି ଅସଂଖ୍ୟ ମନ୍ଦିରର ମୂର୍ତ୍ତି ମଧ୍ୟରେ

ପାଇଛି କେବଳ ସ୍ଵାର୍ଥାନ୍ଧତାର ଆର୍ତ୍ତନାଦ ।

ମୁଁ ତମର ପ୍ରେମକୁ ଜଗିଛି ଆପଣାର ଅଭ୍ୟନ୍ତରରେ

ଭୋଗିଛି କେବଳ ସମ୍ଭୋଗର ଅହଂକାର ।

ମୁଁ ଯେତେ ତମକୁ ଜଳ୍ପିଛି ଆଖିମୁଦା ଅନ୍ଧାର ଭିତରେ

ତମେ ମୋର କଳ୍ପନାର କର ନିଅ ।’’

 

ଏ କବିତାଟିରେ ଆବେଗ ଅଛି ନିଶ୍ଚୟ- କିନ୍ତୁ ଶବ୍ଦଡମ୍ବରରୁ କବିତାଟି ମୁକ୍ତ ନୁହେଁ । କବି ଦେହଜ ପ୍ରେମର ଉତ୍‌କଣ୍ଠାକୁ ପ୍ରକାଶ କରିଛନ୍ତି ନିଶ୍ଚୟ କିନ୍ତୁ ଆର୍ତ୍ତନାଦ କାହିଁକି ? ‘‘ତୁମେ ମୋର କଳ୍ପନାର କର ନିଅ’’ କେଉଁ ଅର୍ଥକୁ ପ୍ରକାଶ କରୁଛି ତାହା ସ୍ପଷ୍ଟ ହେଉ ନାହିଁ । ବରଂ ‘‘କରି ଦିଅ’’ ହୋଇଥିଲେ ‘‘ସ୍ୱାର୍ଥାନ୍ଧତାର ଆର୍ତ୍ତନାଦ’’ ସହିତ ସମନ୍ଵିତ ହୋଇ ପାରିଥାନ୍ତା । ତେଣୁ କବିତାର ଲକ୍ଷ୍ୟ ଓ ପରିଣତି ବିପନ୍ନ ହୋଇ ପଡୁଛି । ୧୯୫୪ ଠାରୁ ୧୯୬୦ ମଧ୍ୟରେ ତାଙ୍କ ରଚିତ ଅନେକ କବିତାର ପ୍ରତିନିଧି ଭାବେ ଏ କବିତା ଦୁଇଟିକୁ ନିଆଯାଇପାରେ ଯାହା ସାମ୍ବାଦିକତାର ବିବୃତିସର୍ବସ୍ଵତାକୁ ଅତିକ୍ରମ କରିପାରିଛି ବୋଲି ମନେ ହେଉନାହିଁ । ମୋର ଯେପରି ମନେହୁଏ ସାମାଜିକ ଓ ରାଜନୀତିକ ଜୀବନରେ ବହୁଧା ବିଭକ୍ତ ଓ ବିଚଳିତ ଏ କବି କବିତା ପରି ଏକ ସୁକୁମାର କଳାର ଲାଳନାରେ ଘୋର ଅବହେଳା ପ୍ରକାଶ କରିଛନ୍ତି ଓ ତାର କ୍ଷତିପୂରଣ କରିଛନ୍ତି ‘ପ୍ରିୟତମାସୁ’ ଓ ‘ପତ୍ର ଓ ପ୍ରତିମା’ ପରି ଦୁଇଟି ରମ୍ୟରଚନା ପୁସ୍ତକରେ ଓ ‘ଘରଡ଼ିହ’ ତଥା ‘ଜୀଅନ୍ତା ମଣିଷ’ ପରି ଉପନ୍ୟାସରେ । ତାଙ୍କର ‘ନାହଂ ତିଷ୍ଠାମି ବୈକୁଣ୍ଠେ’ ପୁସ୍ତକଟି କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଥିଲାବେଳେ ସାମଗ୍ରିକ ସୃଷ୍ଟି ପାଇଁ ସେ ଯେ ‘ଶୂଦ୍ରମୁନି ପୁରସ୍କାର’ (ସିସୋର ସାହିତ୍ୟ ଏକାଡେମୀ ପ୍ରତିଷ୍ଠିତ) ପାଇଛନ୍ତି- ଏହା ଏକାନ୍ତ ଗୌରବର କଥା ହୋଇ ରହିବ ।

 

 

ଡ୍ୟୁପ୍ଳେକ୍ସ - ୯, ଶୈଳଶ୍ରୀ ବିହାର

ଭୁବନେଶ୍ୱର - ୨୧

 

***

 

କବି ପ୍ରିୟାସୁ ଓ ପ୍ରେମର ନିୟତି - ଏକନିଷ୍ଠ ପରିକ୍ରମା

ପ୍ରମୋଦ କୁମାର ମହାନ୍ତି

 

ଶତାୟୁ ସାରସ୍ଵତ ସାଧକ ଶ୍ରୀଯୁକ୍ତ ନିତ୍ୟାନନ୍ଦ ମହାପାତ୍ରଙ୍କର ‘‘କବି ପ୍ରିୟାସୁ’’ଟି (ପ୍ରଥମ ମୁଦ୍ରଣ :୧୯୬୪) ନିଜସ୍ଵ ସାହିତ୍ୟକୃତି ହୋଇଥିବାବେଳେ ‘‘ପ୍ରେମର ନିୟତି’’ରେ (ପ୍ରଥମ ମୁଦ୍ରଣ : ୧୯୪୭) ଲେଖକ ତ୍ରୟୀଙ୍କ ମଧ୍ୟରୁ ସେ ହେଉଛନ୍ତି ଅନ୍ୟତମ । ଏହାର ଅନ୍ୟ ଲେଖକଦ୍ୱୟ ହେଉଛନ୍ତି ସ୍ଵର୍ଗତ ରାଜକିଶୋର ପଟ୍ଟନାୟକ ଓ ସ୍ୱର୍ଗତ ଗୋପୀନାଥ ମହାନ୍ତି ।

 

‘‘କବି ପ୍ରିୟାସୁ‘‘ ଯେକୌଣସି ସଂବେଦନଶୀଳ ପାଠକଙ୍କୁ ହତବାକ୍‌ କଲାଭଳି ଏକ ଗଦ୍ୟ ଶୈଳୀର ପ୍ରେମ କାବ୍ୟ । ଏହା ଏକ ଗଦ୍ୟ ରଚନା ହେଲେ ଏହାର ପ୍ରତିଟି ଧାଡ଼ି ହେଉଛି ଯେ କୌଣସି ସଚ୍ଚା ପ୍ରେମିକର କାଳୋତ୍ତୀର୍ଣ୍ଣ ସ୍ଵର୍ଣ୍ଣିମ ସ୍ଵଗତୋକ୍ତି । ଆମ ସମୟର ଯଶସ୍ୱୀ କବି ଶ୍ରୀ ରମାକାନ୍ତ ରଥଙ୍କର ‘‘ଶ୍ରୀରାଧା’’ କାବ୍ୟ ଯଦି ହୁଏ ଶ୍ରୀରାଧାଙ୍କର ପ୍ରବାହମାନା ସ୍ଵଗତୋକ୍ତି ତେବେ ଶ୍ରୀ ନିତ୍ୟାନନ୍ଦଙ୍କର ‘‘କବି ପ୍ରିୟାସୁ’’ ହେଉଛି ନିଖିଳ ପ୍ରେମିକର ବୁଦ୍ଧିଦୀପ୍ତ, ରସମୟ, ଭାବମୟ ଓ ସର୍ବୋପରି ପ୍ରେମ ଦର୍ଶନର ମରମୀ ସ୍ଵକଥନ । ଲେଖକ ଶ୍ରୀ ମହାପାତ୍ରଙ୍କୁ ୫୪ ବର୍ଷ ବୟସ ହୋଇଥିଲାବେଳେ ରାଷ୍ଟ୍ରଭାଷା ପୁସ୍ତକ ଭଣ୍ଡାର, କଟକ ୧୯୬୪ରେ ମାତ୍ର ଟ ୫/ - ଙ୍କା ମୂଲ୍ୟରେ ଏହି ଛପନ ପୃଷ୍ଠାର ଅନନ୍ୟ ବହିଟିକୁ ପ୍ରକାଶ କରିଥିଲେ ।

 

ଏହି ଲେଖକର ପରମ ସୌଭାଗ୍ୟ ଯେ ଏହି ବହିଟିକୁ ପଢ଼ିବାର ସୁଯୋଗ ତାକୁ ବହୁ ବିଳମ୍ବରେ ମିଳିଛି- ବହିଟି ଦୁଷ୍ପ୍ରାପ୍ୟ ହେତୁ । ଏଥରେ ପ୍ରେମ ଓ ପ୍ରେମିକାର ସାବଲୀଳ ବର୍ଣ୍ଣନା, ବ୍ୟାଖ୍ୟା ଓ ବିଶ୍ଳେଷଣ ଉତ୍କର୍ଷର ତୁଙ୍ଗିମା ସ୍ପର୍ଶ କରିଛି । ପ୍ରେମ ହିଁ ଏ ବହିଟିର ଆମୂଳଚୂଳ ନିର୍ଯ୍ୟାସ-

 

ପ୍ରେମ କ’ଣ ? ଏକଥା ଜର୍ମାନ ଅଧୀନସ୍ଥ ଅଷ୍ଟ୍ରିୟାରେ ମନୋସମୀକ୍ଷକ ଡାକ୍ତର ସିଗ୍‌ମଣ୍ଡ ଫ୍ରଏଡ଼୍‌ଙ୍କର ବର୍ଷ ବର୍ଷ ଧରି ମାନସିକ ରୋଗୀମାନଙ୍କର ଚିକିତ୍ସା ଓ ସେମାନଙ୍କ ଆଚରଣର ଅନୁଶୀଳନ ପରେ ମନ ସମ୍ପର୍କରେ ସେ ଯେଉଁ ସିଦ୍ଧାନ୍ତମୂଳକ ତଥ୍ୟ ପ୍ରଦାନ କରିଛନ୍ତି ତାହା ହେଲା ମନୁଷ୍ୟର ସାମଗ୍ରିକ ଜୈବ ଶକ୍ତି (Biological) କୁ ଦୁଇଭାଗର ବିଭକ୍ତ କରାଯାଇପାରେ, ଯଥା : ଏରସ (Eros) ଯାହାର ଅର୍ଥ ଚିରସ୍ଥାୟୀ ଜୀବନଚେତନା ବା ଜୀବନାନୁରକ୍ତି ଓ ଥାନାଟେସ୍‌ (Thanatos) ବା ମୃତ୍ୟୁଚେତନା । ଏରସ ଶକ୍ତିକୁ ଗୋଟିଏ ପକ୍ଷରେ ‘‘ଲିବିଡ଼ୋ’’ ପ୍ରେରଣା କୁହାଯାଇଛି । ଲିବିଡୋ ପ୍ରଥମତଃ ହେଉଛି ଯୌନଇଚ୍ଛା ସହିତ ସଂଯୁକ୍ତ ମାନସିକ ପ୍ରେରଣା । ଲିବିଡୋର ଦ୍ୱିତୀୟ ବିଭାବ ହେଲା ଅହଂସତ୍ତା ବା ଇଗୋ (Ego) ଜନିତ ପ୍ରେରଣା ଯାହା, ବାସ୍ତବତା ଧର୍ମମାନି ଚଳିଥାଏ ସାମାଜିକ ସ୍ୱୀକୃତମୂଳକ ଆଚରଣରେ ପ୍ରକାଶ କରିଥାଏ ଓ ବ୍ୟକ୍ତିର ପ୍ରବୃତ୍ତିଗୁଡ଼ିକୁ ସମାଜ ସ୍ଵୀକୃତ ଉପାୟଭେ ତୃପ୍ତ କରିଥାଏ ଓ ସୃଜନଧର୍ମୀ ହୋଇଥାଏ । ଯୌନାବେଗର ସୁରୂଚିପୂର୍ଣ୍ଣ କଳାତ୍ମକ ରୂପାନ୍ତର ହିଁ ସୃଜନ । କିଏ ଶବ୍ଦ- ବ୍ରହ୍ମାଶୟୀ ହୁଏତ ଅନ୍ୟ କେହି ଧୂନି-ବ୍ରହ୍ମାଶ୍ରୟୀ ଓ ଅନ୍ୟକେହି ରୂପ ରଙ୍ଗବ୍ରହ୍ମଙ୍କୁ ଆଶ୍ରୟ କରନ୍ତି ।

 

ପ୍ରେମ ଏକ ବିମ୍ବ ବା ରୂପକଳ୍ପ ନୁହେଁ । ଏହା ଅଙ୍ଗେ ନିଭାଉଥିବା ପ୍ରତି ମଣିଷର ଦୈନନ୍ଦିନ ଫଳପ୍ରସୂ ଧାରା । ଏହା ନିଜକୁ ଭଲପାଇବା ତଥା ଅନ୍ୟକୁ ଭଲ ପାଇବାରେ ପ୍ରକାଶିତ ହୋଇଥାଏ । ପୁଅ ଝିଅ ଅଥବା ପୁରୁଷ ଓ ନାରୀ- ଏହି ଦୁଇ ପରସ୍ପର ବିପରୀତ ଲିଙ୍ଗଧାରୀମାନଙ୍କ ମଧ୍ୟରେ ନୈକଟ୍ୟ ମିଳାମିଶା କରିବା ଭାବାବେଗକୁ ରୋମାଣ୍ଟିକ ପ୍ରେମ ବୋଲି ମନୋବିଜ୍ଞାନରେ କୁହାଯାଇଛି ।

 

ପ୍ରେମର ସଂଜ୍ଞାଦେବାକୁ ଯାଇ ପଣ୍ଡିଚେରୀ ଶ୍ରୀ ଅରବିନ୍ଦ ଆଶ୍ରମରେ ଶ୍ରୀମା’ ଯାହା ଉଲ୍ଲେଖ କରିଛନ୍ତି ତାହାକୁ ଏଠାରେ ଉଦ୍ଧାର କରିବା ସଙ୍ଗତ ହେବ : ‘‘ବିଶ୍ୱସୃଷ୍ଠି ଆରମ୍ଭରେ ଥିଲା ପ୍ରେମ ଏବଂ ପ୍ରେମ ହିଁ ଭଗବାନ୍‌ ।... ପ୍ରେମ ହିଁ କେବଳ ପୃଥିବୀର ଦୁଃଖ ଯନ୍ତ୍ରଣା ଉପଶମ କରିବା ପାଇଁ ସମର୍ଥ । ଏ ବିଶ୍ଵରେ ଯେତେ ପ୍ରକାର ବ୍ୟକ୍ତି କାର୍ଯ୍ୟ କରୁଛନ୍ତି ସେମାନଙ୍କ ଭିତରେ ପ୍ରେମ ହିଁ ସବୁଠାରୁ ଅପ୍ରତିରୋଧ୍ୟ ଓ ସବୁଠାରୁ କ୍ଷମତାଶାଳୀ ।’’

 

ଯେଉଁ ମାନବୀୟ ପ୍ରେମ ହେଉଛି ଏକ ଚିରସ୍ରୋତା ଜୀବନ-ଚେତନା ତାହା ହିଁ ମନୁଷ୍ୟର ଚିନ୍ତା, ଚେତନା, କର୍ମ ଓ କଳ୍ପନାର ମୂଳଉତ୍ସ । ଜୀବନର ବର୍ଗମୂଳ ହେଉଛି ପ୍ରେମ । ପ୍ରେମ କରିବା ବା ଆଉ କାହାକୁ ଭଲ ପାଇବା ହେଉଛି ଏକ ଗଭୀର ଓ ଏକନିଷ୍ଠ ଜୀବନାନୁରକ୍ତି । ଏହା ଏକ ପୂର୍ଣ୍ଣ ଓ ପ୍ରଭୁତ ବାସ୍ତବତା । ଏହି ବାସ୍ତବତାରେ ତିନୋଟି ଉପାଦାନ ନିହିତ, ଯଥା : ୧) ପ୍ରେମିକ ୨) ପ୍ରେମିକା ଓ ୩) ଦୁଇଜଣଙ୍କ ମଧ୍ୟରେ ଥିବା ପାରସ୍ପରିକ ମାନସିକ ଓ କାୟିକ ସମ୍ପର୍କ । ନିତ୍ୟାନନ୍ଦଙ୍କର ‘କବି ପ୍ରିୟାସୁ’ ମଧ୍ୟ ତିନିଭାଗରେ ବିଭକ୍ତ । ଯଥା ‘କବି’, ‘କବି ପ୍ରିୟା’ ଓ ଶେଷୋକ ଭାଗ ହେଉଛି ‘କବିତା’ ।

 

ଏ ପୁସ୍ତକରେ ଉତ୍ସର୍ଗ ପତ୍ର ହିଁ ଏକ ଗଭୀର ଭାବାଶ୍ରୟୀ କବିତା ଯେପରି : ଇନ୍ଦ୍ରିୟାନୁରାଗ ଓ ଇନ୍ଦ୍ରିୟାତୀତ ଅନୁଭୂତି ମଧ୍ୟରେ ଯେତିକି ପାର୍ଥକ୍ୟ ଏବଂ ତତ୍ତୁଲ୍ୟ ପାର୍ଥକ୍ୟ ବା ସଞ୍ଜ ଓ ସକାଳ ସନ୍ଧିସ୍ଥଳରେ, ଏ ବହିରେ ଅଛନ୍ତି, ସେ ଓ ତାଙ୍କର ପ୍ରେମିକା । ସ୍ଵାର୍ଥର ଆବରଣ ନ ରହିଲେ ଅନ୍ଧାର ଆଲୁଅ ହୋଇଯାଆନ୍ତା । ଆଲୁଅକୁ ଅନ୍ଧାର ଭିତରକୁ ଟାଣି ଆଣିବା ତଥା ଶ୍ରେୟକୁ ପ୍ରେମ କରିବାର ନିରବଚ୍ଛିନ୍ନ ଅକ୍ଷର ସାଧନା ହେଉଛି ଏହି ‘କବିପ୍ରିୟାସୁ’ ।

 

ସେ ଲେଖିଛନ୍ତି ମତେ ଭଲ ପାଇ କେହି ନାରୀ ଯଦି ଆଶାନୁରୂପ ଆନନ୍ଦ ପାଇ ନାହିଁ ସେ ହେଉଛି ତାଙ୍କର ଅକ୍ଷମତା - ଚରିତ୍ରହୀନତା ନୁହେଁ । କାହାକୁ ଯଦି ସେ ସନ୍ତାପରୁ ବାରଣ କରିପାରିନାହାନ୍ତି ତାହା ତାଙ୍କର ଅପାରଗତା ହୋଇପାରେ- ପ୍ରତାରଣା ନୁହେଁ ।

 

ତାଙ୍କ ମତରେ ପ୍ରେମ ହେଉଛି ଅମାପ । ଚରିତ୍ରର ମାପ କାଠିରେ ତାକୁ ମାପି ହୁଏ ନାହିଁ-। ପ୍ରେମର ପ୍ରତାରଣା ହିଁ ପାପ- ଚରିତ୍ରହୀନତା । ପ୍ରେମ କେବେ, ପ୍ରତାରକ ନୁହେଁ-ସଦା ସର୍ବଦା ତାରକ ।

 

ଠାଏ ସେ ଏ ବହିଟିରେ ନିଜ ପ୍ରେମିକା ଉଦ୍ଦେଶ୍ୟରେ ଲେଖିଛନ୍ତି

 

ଶିଷ୍ୟର ମହତ୍ୱ ଗୁରୁଠାରୁ ଅଧିକ ଭକ୍ତର ବିଭୂତି ଭଗବାନଙ୍କ ଅପେକ୍ଷା ସମଧିକ । ସେଥିପାଇଁ ତମେ ବଡ଼- । ମୁଁ- ସାନ, ଛୋଟ ।

 

କବି କିଏ ? କବିର ଯେଉଁ ଚିର୍ତ୍ତାକର୍ଷକ ସଂଜ୍ଞା ସେ ‘କବି ପ୍ରିୟାସୁ’ର ପ୍ରଥମ ଭାଗରେ ପ୍ରଦାନ କରିଛନ୍ତି କିପରି ରସଘନ ହୋଇଛି ଦେଖାଯାଉ :

 

*

କବିକୁ କାହାରି ଲଗା ନାହିଁ । ସେ ଲାଗିହୁଏ ସମସ୍ତଙ୍କଠି । ସେ ଜଣଙ୍କର ଉଚ୍ଛିଷ୍ଟ ନୁହେଁ- ଜଣକ ପାଇଁ ଉତ୍ସୃଷ୍ଟ ନୁହେଁ ।

*

ସେ ଜଣକର ମାଲ୍ୟ ନୁହେଁ-ଅଗଣନର ନିର୍ମାଲ୍ୟ ।

*

ସେ ଜଣକଠାରେ ଧରାଦିଏ ନାହିଁ-ସହସ୍ର ଅଧରରେ ସେ ଅଧରାମୃତ-ଅଧରପଣା ।

*

ତା’ର ଚରିତ୍ର ବିଚିତ୍ର । ବାନ୍ଧି ନୋହେ କିନ୍ତୁ ବନ୍ଧା ପଡ଼େ । ଅଳପକେ ।

*

କ୍ଷଣକେ ସେ ଅଭିଭୂତ । ପରକ୍ଷଣରେ ସେ ପୁଣି ଅଭିମୁକ୍ତ । ସେ ଯେତିକି ସମର୍ଥ ଆରାଧକ- ସେତିକି ଅସମର୍ଥ ସାଧକ ।

*

କବି ଜୀବନରେ ଦୁଇ ଶ୍ରେଷ୍ଠ ରସର ସଂଯୋଗ- ସଙ୍ଗମ ଓ ସମାହାର ।

*

ମୁଁ ଜଣେ ଯୋଗୀ ଓ ଭୋଗୀ । ଯୋଗରେ ହିଁ ମୋର ଭୋଗ, ଭୋଗ ହିଁ ମୋର ଯୋଗ । ମୁଁ କବି । ହଁ, ବୋଧହୁଏ ମୁଁ କବି । କବି ତ୍ୟାଗୀ ନୁହେଁ । କିନ୍ତୁ ତା’ର ଜୀବନର ପ୍ରତିଛତ୍ରରେ ତ୍ୟାଗର ଗୀତା ସଂହିତାର ଚରମପତ୍ର । (ନିତ୍ୟାନନ୍ଦ ମହାପାତ୍ର ମୂଳତଃ ଜଣେ କବି ଓ ତାଙ୍କର ଶତାୟୁଜୀବନ ପ୍ରକୃତରେ ଗୀତା- ଭାଗବତ- ସଂହିତାର ନିବେଦିତ ପବିତ୍ର ପ୍ରବାହ ।)

*

ଜୀବନ କେବଳ ଜୀବନ ନୁହେଁ । ଏହା ଏକ ଉତ୍ସର୍ଗ : ଜୀବନୋତ୍ସର୍ଗ । ସେ ଜୀବନକୁ ପରପାଇଁ ଉତ୍ସର୍ଗ କରିବାକୁ ଯାଏ, ମାତ୍ର ଶେଷରେ ଦାତା ଓ ଗ୍ରହୀତା ଉଭୟେ ଏକାକାର ହୋଇ ଉଭାଇଯାଆନ୍ତି । ରହିଯାଏ କେବଳ ଉତ୍ସର୍ଗ ଉତ୍ସର୍ଗର ମନ୍ତ୍ର ପାଠ । ଏକ ଉଚ୍ଚତର ଜୀବନଯାପନରେ ସେ ଉତ୍ସଗୀକୃତ- ଆଜୀବନ )

*

ସେ ଉପାସ୍ୟ । ଉପାସକ ନୁହେଁ । ମହାଜାଗରର ମହାଦୀପ ସେ । ସେ ନିଜକୁ ନିଜେ ପ୍ରଣିପାତ କରି କହେ ‘‘ପ୍ରଣମାମି ଶିବଂ ଶିବ କଳ୍ପତରୁମ୍‌’’ । ସେହି କଳ୍ପତରୁ ତଳେ କେତେ କଳ୍ପନା, କେତେ ସୁଖ ଦୁଃଖ ସ୍ୱାହା ସ୍ଵଧା, ବାହାବା ଓ ହାହାକାର- ସବୁ ପ୍ରତିଫଳିତ ହୋଇଯାଏ ତା’ରି ଜୀବନରେ । ପର ପାଇଁ ସେ କାନ୍ଦେ । ପର ପାଇଁ ହସେ ସେ । ପୁଣି ଅକାରଣରେ ।

*

କବି ବାକ୍‌ ସିଦ୍ଧ । ଯାହା କଳିଯାଏ ତାହା ଫଳିଯାଏ ।

*

କବି ଦୂରଦ୍ରଷ୍ଟା-କ୍ରାନ୍ତଦର୍ଶୀ । ସର୍ବଜ୍ଞ ଜ୍ଞାନରେ ହିଁ ତା’ର ଦୃଷ୍ଟି । ଦୃଷ୍ଟିରେ ହିଁ ତା’ର ସୃଷ୍ଟି । ସେହି ସୃଷ୍ଟି ପୁଣି ସତତ ରସାନ୍ଵିତ । (ନିଜେ ନିତ୍ୟାନନ୍ଦ ହିଁ ତା’ର ସମୁଜ୍ଜଳ ଦୃଷ୍ଟାନ୍ତ)

*

ଜ୍ଞାନ, କର୍ମ ଓ ଅନୁରକ୍ତିର ସମନ୍ଵୟ ତ୍ରିମୂର୍ତ୍ତି ହିଁ କବିର, ପ୍ରକୃତ, ପ୍ରତିକୃତି ।

*

କବି ସାଧକ-କବି ପ୍ରିୟା ହେଉଛି ସାଧନା-ତା’ର କାବ୍ୟସିଦ୍ଧି ।’’

 

ଉଦ୍ଧୃତି ଦେଲେ ତ ପୂରାବହିଟିର ସମସ୍ତ ପୃଷ୍ଠାଗୁଡ଼ିକୁ ଲେଖିବାକୁ ହେବ । ଗୋଟିଏ ବାକ୍ୟରେ କହିଲେ ‘କବି ପ୍ରିୟାସୁ’ ହେଉଛି ଏକ ସାର୍ଥକ ପ୍ରେମଗ୍ରନ୍ଥ । ମାନସିଂହଙ୍କର ‘ଧୂପ’ଠାରୁ ଏହା ପ୍ରେମ ବହୁ ଗଭୀର ଦର୍ଶନମୟ ଓ ଆକାଶସ୍ପର୍ଶୀ ।

 

ନିତ୍ୟାନନ୍ଦ ବାବୁଙ୍କ ମତରେ ‘‘କବି ପ୍ରିୟା ହେବାର ଗୌରବଠାରୁ କବି-କଳକିନୀ- କାବ୍ୟ- ଅପବାଦନୀ ହେବାର ଗର୍ବ ଯେପରି ଅଧିକ ଭୋଗ୍ୟ ।’’

 

‘କବି ପ୍ରିୟାସୁ’ର ବ୍ୟାପ୍ତି ସୁଉଚ୍ଚ ଓ ସୁଗଭୀର । ଏହାକୁ ପଢ଼ିଲେ ମନେହୁଏ ପ୍ରେମ ଆଦୌ ଶୃଙ୍ଗାର ଶୂନ୍ୟତା ନୁହେଁ, ଏପରିକି ଯୌନ-ଶୂନ୍ୟତା ବି ନୁହେଁ । ବରଂ ସମଗ୍ର ଜୀବନ ଏକ ଉଚ୍ଚାଙ୍ଗ ଆଳଙ୍କାରିକ ଶୃଙ୍ଗାରିକ ରାଗମାଳା ପ୍ରଧାନ ନୃତ୍ୟ ରାସ ।

 

ପ୍ରେମକୁ ବ୍ୟାଖ୍ୟାକାରମାନେ ‘‘ଅନିୟନ୍ତ୍ରିତ ପ୍ରେମ’’ (Pathological) ଓ ‘‘କର୍ମୋପଯୋଗୀ ପ୍ରେମ’’ (Practical love) ଆକାରରେ ଆଲୋଚନା କରନ୍ତି । ଅନିୟନ୍ତ୍ରିତ ପ୍ରେମରେ ଅଯୌକ୍ତିକ ଅପରିଣାମଦର୍ଶୀ ଅସଂଗଲଗ୍ନମନା ରୋମାଣ୍ଟିକ୍‌ ପ୍ରେମ ଦେଖାଦେଲାବେଳେ କର୍ମୋପଯୋଗୀ ପ୍ରେମ ଅଧିକ ବାସ୍ତବଧର୍ମୀ, ଦୀର୍ଘସ୍ଥାୟୀ, ଉଚ୍ଚ ମାନବିକ ମାନସିକତାରେ ସୃଜନଶୀଳ ଓ ନୈତିକତାର ନିକଟବର୍ତ୍ତୀ । କହିବାକୁ ଦ୍ଵିଧା ନାହିଁ ‘କବି ପ୍ରିୟାସୁ’ର ନିତ୍ୟାନନ୍ଦଙ୍କ ପ୍ରେମ ଦ୍ୱିତୀୟ ପର୍ଯ୍ୟାୟର ।

 

୫୬ ପୃଷ୍ଠାର ଏ ଗୀତଗୋବିନ୍ଦ ତୁଲ୍ୟ ବହିଟିକୁ ଅନ୍ୟୁନ ୫୦ ପୃଷ୍ଠାର ପାଠୋଦ୍ଧାର କରି ଉଦ୍ଧୃତି ଦେବାକୁ ଲୋଭ ହେଉଛି କେବଳ ପ୍ରେମର ଅନବଦ୍ୟ ପରିଚୟରେ-କୃତିଯୋଗୁଁ ।

 

ଦରଦୀ ମରମୀ ଲେଖକ ନିତ୍ୟାନନ୍ଦଙ୍କର ଆଲୋଚ୍ୟ ‘‘ପ୍ରେମର ନିୟତି’’ ରେ ଦୁଇଟି ଚିଠି ଆକାରରେ ନିବନ୍ଧ ରହିଚି । ଏଗୁଡ଼ିକ ତାଙ୍କର ୨୮/୨୯ ପର୍ଷ ବୟସରେ ଲିଖିତ । ତାଙ୍କର Belles letter ବା ଆଳଙ୍କାରିକ ରମ୍ୟରଚନା ‘‘ପତ୍ର ଓ ପ୍ରତିମା’’ ର ଲେଖା ସଦୃଶ ବହୁ ଗଭୀର ଅର୍ଥଦ୍ୟୋତଃ ବାକ୍ୟରେ ଚିଠି ଆକାରରେ ଏ ରଚନା- ନିବନ୍ଧ ଦୁଇଟି ପରିପୂର୍ଣ୍ଣ ।

 

ଦୃଷ୍ଟାନ୍ତ : ‘‘ଭଲ ପାଇବାକୁ ହୁଏ । ଭଲ ନ ପାଇ ରହିହୁଏ ନାହିଁ । ତେଣୁ ମଣିଷ ଭଲ ପାଏ । ×× ତୁମେ ଭଲ ନ ପାଇବାକୁ ଚେଷ୍ଟା କଲେ ‘‘ଭଲପାଇବା’’ ତୁମକୁ ଛାଡ଼ିଦେବ ନାହିଁ । କାରଣ ମଣିଷ ଉପରେ ଭଲ ପାଇବାର ବଡ଼ ଅହନ୍ତ ।’’

 

ଆନ୍ୟ ଏକ ସ୍ଥାନରେ ପରକୀୟା ପ୍ରେମର ଯଥାର୍ଥତା ବିଷୟରେ ସେ ଲେଖିଛନ୍ତି !

 

‘‘ପାତ୍ରର ପରିବର୍ତ୍ତନ ହୋଇପାରେ । ନିଜକୁ ପ୍ରତିବିମ୍ବିତ କରିବା ପାଇଁ ବିଭିନ୍ନ ଦର୍ପଣର ଆବଶ୍ୟକତା ହୋଇପାରେ । କିନ୍ତୁ ଦର୍ପଣଠାରୁ ଦୂର ହୋଇଗଲେ ବା ଦର୍ପଣ ଭାଙ୍ଗିଗଲେ ମନୁଷ୍ୟର ଭଲପାଇବା ଶେଷ ହୋଇଯାଏ ନାହିଁ ।’’ ଏ ଉକ୍ତିର ତାତ୍ପର୍ଯ୍ୟ ବହୁମୁଖୀ ।

 

ଏ ଲେଖକ ମତରେ ପ୍ରେମ ହେଉଛି ଏକ ସଂଗୁପ୍ତ ରତ୍ନ ଭଣ୍ଡାର-ନୋତା ପୋତା ଧନ-ବିଖ୍ୟାତ ନିଧି । ଏ ଦୁଇଟି ଯାକ ପୁସ୍ତକକୁ ଆପାତତଃ ଗଦ୍ୟ ବୋଲି ମନେ କରାଗଲେ ହେଁ ପ୍ରକୃତରେ ପ୍ରଥମଟି କବିତା ବା କାବ୍ୟ ଏବଂ ଦ୍ୱିତୀୟଟି ଗଦ୍ୟ-କାବ୍ୟ । ଯେଉଁ ରସ (ଲିବିଡ଼ୋ) ହେଉଛି ଆନନ୍ଦର ଉତ୍ସ, ସେହି ସବୁ ରାଗ, ଅନୁରାଗ, ପ୍ରୀତି, ସ୍ନେହ, ରଙ୍ଗ, କୌତୁକ, ଆନନ୍ଦ, ଯୌବନର ଗଭୀର ରସ ରସିକତା, ପ୍ରୀତିସୁଖ ଓ ରସାଳତା ପ୍ରତି ଅନୁରକ୍ତି ପ୍ରଭୃତି ଅତି ଚମତ୍କାର ଭାବରେ ଏଥିରେ ଖଞ୍ଜା ହୋଇଛନ୍ତି । ଠାଏ ଠାଏ ଜ୍ଞାନ ଓ ଗଭୀର ଦାର୍ଶନିକତାରେ ତାଙ୍କ ଏ ଦୁଇଟି ଲେଖା ଉଚ୍ଚ ମାନସିକତାକୁ ଆଚ୍ଛନ୍ନ କରେ ।

 

ହୃଦୟ ଖୋଲି କହିବାକୁ ଇଚ୍ଛା ହୁଏ; ଯଦି କେହି ସାହିତ୍ୟ-ସମ୍ବେଦନଶୀଳ ବ୍ୟକ୍ତି ଶିକ୍ଷାମନ୍ତ୍ରୀ ହୁଅନ୍ତି, ତେବେ ପ୍ରତି କଳା ଓ ବିଜ୍ଞାନ ଯୁକ୍ତ ଦୁଇ ଶ୍ରେଣୀରେ ବାଧ୍ୟତାମୂଳକ ମାତୃଭାଷା (M.I.L) ବିଷୟରେ ପରୀକ୍ଷା ପାଇଁ ଅନ୍ୟାନ୍ୟ ପ୍ରବନ୍ଧ ସହିତ ୫୬ ପୃଷ୍ଠାର ‘‘କବି ପ୍ରିୟାସୁ'କୁ ପ୍ରଚଳନ କରାନ୍ତେ । ଅନ୍ୟାନ୍ୟ ପ୍ରଦେଶରେ ଭାଷା ବିଶେଷରେ ଅନୁବାଦ କରି ପ୍ରଚଳନ କରିବା ବାଧ୍ୟତାମୂଳକ ହୁଅନ୍ତା । କାରଣ ଠିକଣା ଯୌବନାବସ୍ଥାରେ ପୁଅଝିଅ ନିବିଶେଷରେ ଜୀବନାନୁରକ୍ତି - ପ୍ରେମର ସଂଭ୍ରାନ୍ତ ଦ୍ୟୁତି, ଦୀପ୍ତି, ବ୍ୟାପ୍ତି ଓ ପ୍ରସାରଣ ରୀତିତାକୁ ଏହି ବହିରୁ ସେମାନେ ମନଭରି ଧରିପାରନ୍ତେ । ଯଦି ଏ ବହି ଦୁଇଟି ପୁର୍ନମୁଦ୍ରିତ ହୁଏ ତେବେ ଏହାର ଆୟୁ ସହସ୍ରାଧିକ ବର୍ଷ ।

 

 

ପ୍ଲଟ ନଂ. ୭/ ୧୪୦୨

ଆଚାର୍ଯ୍ୟ ବିହାର, ଭୁବନେଶ୍ୱର-୭୫୧୦୧୩

 

***

 

କବି ନିତ୍ୟାନନ୍ଦ ମହାପାତ୍ର

ମନୋରମା ବିଶ୍ୱାଳମହାପାତ୍ର

 

ଓଡ଼ିଶାର ୧୯୨୧ ପରବର୍ତ୍ତୀ ଜାତୀୟ ଜୀବନକୁ ଭାରତୀୟ ମୁକ୍ତି ସଂଗ୍ରାମର ପଟ୍ଟଭୂମିରେ ଯେଉଁ । କେତେଜଣ କବିଙ୍କ ବିଦ୍ରୋହ ବାଣୀ ଉଦ୍ଦୀପିତ କରିଛି ସେମାନଙ୍କ ମଧ୍ୟରେ କବି ନିତ୍ୟାନନ୍ଦ ମହାପାତ୍ର ନିଶ୍ଚିତ ଭାବରେ ଅନ୍ୟତମ । ଶ୍ରୀ ଅରବିନ୍ଦ ତାଙ୍କ ସଂଗ୍ରାମ ଜୀବନରେ ସମସ୍ତତ୍ୱନୁଭୂତକୁ ନେଇ କହିଥିଲେ କବିତା । କେବଳ କବିଙ୍କ ଉପରେ ନିର୍ଭର କରେ ନାହିଁ । ଜାତୀୟ ମାନସ ଓ ଏହି ଜାତୀୟ ମାନସ ସୃଷ୍ଟି ଆଧ୍ୟାତ୍ମିକ ବୌଦ୍ଧିକ ତଥା ନାନ୍ଦନିକ ପରମ୍ପରା ଓ ପରିବେଶ ଉପରେ ମଧ୍ୟ ନିର୍ଭର କରେ ।

 

୧୯୨୧ ପରେ ଭାରତୀୟ ଜାତୀୟ ଜୀବନରେ ଯେଉଁ ପ୍ରାଣପ୍ରବାହ ଆଶଙ୍କା ଓ ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାହା ଜାତୀୟତା ମୂଳକ କାବ୍ୟ, କବିତାର ସୃଷ୍ଟି ନିମନ୍ତେ ସଚେତନ କାବ୍ୟମାନସକୁ ସ୍ପନ୍ଦିତ କରିବା ସ୍ଵାଭାବିକ । ୧୯୨୧ ମସିହା ପରି ୧୯୩୦ ମଧ୍ୟ ସେହିପରି ଜାତୀୟ ଜୀବନକୁ ବହୁଭାବରେ ପ୍ରଭାବିତ କରିଥିବାର ଦେଖାଯାଏ । ଇତିହାସରେ ଏହା ଲବଣସତ୍ୟାଗ୍ରହ (Salt Movement) ନାମରେ ପରିଚିତ । ଏହି ସବୁର ପ୍ରଭାବ ସମସାମୟିକ ବହୁ କବିଙ୍କ କାବ୍ୟ ଚେତନାକୁ ଆଲୋଡ଼ିତ କରିଛି । ଭାରତ ଇତିହାସରେ ଅଗଷ୍ଟ ବିପ୍ଳବ ଓ ଦ୍ୱିତୀୟ ବିଶ୍ଵଯୁଦ୍ଧ ସମୟରେ ଦେଶ ସ୍ୱାଧୀନତା ଆଶାରେ ମହାତ୍ମାଗାନ୍ଧୀଙ୍କର କର ବା ମରର ବଜ୍ର ନିର୍ଘୋଷ ସମଗ୍ର ଦେଶରେ ବିଦ୍ରୋହର ବିପୁଳ ଉଦ୍ଦୀପନା ଖେଳାଇ ଦେଲା । ବ୍ରିଟିଶ୍‌ ସରକାର ଏହି ଅଭୂତ ପୂର୍ବ ଜାଗରଣକୁ ଅବଦମିତ କରିବା ପାଇଁ ଜନନେତାମାନଙ୍କୁ କାରାରୁଦ୍ଧ କଲେ । ୧୯୩୪ରେ ଗୋଲଟେବୁଲ ବୈଠକର ବିଫଳତା ଭାରତୀୟମାନଙ୍କ ମନରେ ଗଭୀର ନୈରାଶ୍ୟ ଆଣି ଦେଲା । ସୁବାଷ ବୋଷଙ୍କ ପରି ଉଗ୍ର ଜାତିପ୍ରାଣ ଜନନେତା ଇଂରେଜ ସରକାରଙ୍କ ସହିତ ମୁହାଁମୁହିଁ ହେବା ପାଇଁ ଦେଶ ଭିତରେ ଆଜାଦ ହିନ୍ଦୁ ଫୌଜ ନାମରେ ଏକ ସେନାବାହିନୀ ମଧ୍ୟ ଗଠନ କଲେ ।

 

ଏହି ସବୁ ଘଟଣାର ଏତିହାସିକ ପୃଷ୍ଠଭୂମିକୁ ଉପେକ୍ଷା କରିବା ଭାରତୀୟ କବିପକ୍ଷରେ ସମ୍ଭବ ନ ଥିଲା । ଏପରିକି ୧୯୪୨ ମସିହାର ଆହ୍ଵାନ ବହୁ ସ୍ଵପ୍ନ ପ୍ରବଣ କବିକୁ ମଧ୍ୟ ଉଦ୍‌ବେଳିତ କରିଥିଲା । ତେଣୁ ଏହି ପରିପ୍ରେକ୍ଷିରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ଉପଯୁକ୍ତ ସାରସ୍ଵତ ଉତ୍ତରାଧିକାରୀ କବି ନିତ୍ୟାନନ୍ଦ ମହାପାତ୍ର ଏହି ମୁକ୍ତି ସଂଗ୍ରାମର ବାର୍ତ୍ତାକୁ ଅଧିକ ଭାବରେ ପ୍ରସାରିତ କରିଥିଲେ । (ତାଙ୍କର ଏହି ଆହ୍ୱାନ ପାଞ୍ଚଜନ୍ୟ ୧୯୪୭) କାଳରଡ଼ି (୧୯୫୪)ରେ ଅଧିକ ଉଦ୍ଦାତ୍ତ ହୋଇଛି । ‘ପାଞ୍ଚଜନ୍ୟ’ ଯେପରି ପ୍ରାକ୍‌ ସ୍ଵାଧୀନତା ସଂଗ୍ରାମର ବହୁଆଶା ଆକାଂକ୍ଷା, ଜୟପରାଜୟର ଘଟଣାରେ ଉଦୀପ୍ତ କାଳରଡ଼ି ସେହିପରି ସ୍ଵାଧୀନତା ପରବର୍ତ୍ତୀ ସ୍ଵପ୍ନଭଙ୍ଗ, ଜାତୀୟ ଦୁର୍ଗତି, ଅଭାବ, ଅନାଟନ ଭିତରେ ଶ୍ୱାସରୁଦ୍ଧ ।

 

ଜାତୀୟ ଭାବନାରେ ଉଦ୍‌ବୁଦ୍ଧ ପାଞ୍ଚଜନ୍ୟ

ପ୍ରତ୍ୟେକ ସଫଳ କବିତାରେ ଏକ ଉତ୍ତରିତ ମୂଲ୍ୟବୋଧର ସଞ୍ଚାର ଘଟିଥାଏ । କବି ନିତ୍ୟାନନ୍ଦ ମହାପାତ୍ର ପାଞ୍ଚଜନ୍ୟ କବିତା ଗ୍ରନ୍ଥଟିରେ ଜୀବନକୁ ଜଗତକୁ, ସାମାଜିକ, ରାଜନୈତିକ ଏବଂ ଆନ୍ତର୍ଜାତିକ ସତ୍ତାକୁ ଏକ ନୂତନ ବ୍ୟାପ୍ତିରେ ଉଜ୍ଜ୍ଵଳ କରିଛନ୍ତି । ଏହାରି ଭିତରେ ଦେଶକୁ ଭଲପାଇବା, ମଣିଷକୁ ଭଲ ପାଇବା ଏବଂ ସେମାନଙ୍କ ସହିତ କବିଚେତନା ଏକାତ୍ମ ହୋଇଯାଇଛି-। ଏଠାରେ କୌଣସି ରୋମାଣ୍ଟିକ ପ୍ରବଣତା ନାହିଁ । ଯାନ୍ତ୍ରିକତା ମଧ୍ୟ ନାହିଁ । ଏହା ଯେମିତି ବାସ୍ତବ ଜୀବନ, ଦେଶମାତୃକାର ଜୀବନକୁ ନିଜ ଭିତରେ ଆପଣେଇ ନେବା ଏହାହିଁ ତାଙ୍କର ବିଶେଷତ୍ଵ । ସ୍ଵପ୍ନବିଳାସ ନୁହେଁ, ସ୍ଵପ୍ନ ଆଉ ବାସ୍ତବତାର ନୂଆ ପ୍ରକାର ସମନ୍ୱୟ । ସେ ଏକ ନିଛକ ଓଡ଼ିଆ କବି-। ତାଙ୍କ କବିତାରେ ଓଡ଼ିଆ ଜୀବନ ଓ ମଣିଷର ସ୍ପର୍ଶ ।

 

କବି ନିତ୍ୟାନନ୍ଦ ମହାପାତ୍ର ‘‘ମୁଁ କାହିଁକି ଲେଖେ’’ ଡଗର ୧୪ ବର୍ଷ ୨୩ ସଂଖ୍ୟା ୧/୬/୫୧ରେ ଲେଖିଥିଲେ ‘‘ଜୀବନରେ ଗୋଟିଏ ଗୋଟିଏ ସନ୍ଧି କ୍ଷଣ ଆସେ ବିଗତ ଯୌବନରେ ଯେଉଁ ରାଜନୈତିକ ବିପ୍ଳବମାନେ ସହଜ ଜୀବନ ପଥରୁ ଦୂରକୁ ଫିଙ୍ଗି ଦେଇଥିଲା, ତାର ଅତି ସାମୟିକ ଅବସାନ ପରେ ଶାନ୍ତିର ସାମାନ୍ୟ ସ୍ଵପ୍ନବିଳାସ ଆଉ ଏକ ଅସ୍ଵସ୍ତିକର ପରିସ୍ଥିତି ଭିତରେ ଭାଙ୍ଗି ଯାଇଛି । ନୂଆ ଏକ ଭୌତିକ ବିପ୍ଳବ ପ୍ରଳୟ ଝଞ୍ଜାର ଆଗମନ । ମୋହାତରୁ କଲମ ଛଡ଼ାଇ ଫିଙ୍ଗି ଦେଇଛି, ଲକ୍ଷ୍ମୀ କୋଳରେ ଦୁର୍ଯ୍ୟୋଧନର ନିଦ୍ରାଭଙ୍ଗ ହେଲା ପରି ମୁଁ ଅସମ୍ଭାଳ ହେଉଛି ସେ ଧ୍ୱନିଶୁଣି, କହିପାରିବିନି ସେ କି ଧ୍ଵନି । ଧ୍ଵନି ନୁହେଁ ସେ ଏକ ଡାକ, ଆହ୍ୱାନ ସଂଗ୍ରାମର ଆହ୍ୱାନ, କିନ୍ତୁ ସେ ଆହ୍ୱାନ ବଡ଼କାତର ।’’

 

କବିଙ୍କର ଏହି ଜୀବନ ଜିଜ୍ଞାସା, ଏହି ବ୍ୟାକୁଳତା, ଏକ ମହାସମର ନିମନ୍ତେ ନିଜର ପ୍ରସ୍ତୁତି ସର୍ବୋପରି ଏକ ଦୁର୍ଦ୍ଦମନୀୟ ଆହ୍ଵାନ, ଏହାହିଁ ବୋଧହୁଏ ତାଙ୍କର ଜୀବନବୋଧର ନିର୍ଯ୍ୟାସ-

 

ପ୍ରତ୍ୟେକ ମହତ୍‌କବି ମାତ୍ରେ ବିଦ୍ରୋହୀ, ବିପ୍ଲବୀ, ଏହି ବିଦ୍ରୋହ ‘ନିଧି ମହାଳିକ’ ଏବଂ ‘ଲକ୍ଷ୍ମଣ ନାୟକ’ ପରି ସାଧାରଣ ମଣିଷର ଅତ୍ୟାଚାର ବିରୁଦ୍ଧରେ ବିଦ୍ରୋହ । ବ୍ରିଟିଶମାନଙ୍କ ପଶୁତ୍ଵ ବିରୁଦ୍ଧରେ ବିଦ୍ରୋହ । କବିଙ୍କର ‘ପାଞ୍ଚଜନ୍ୟ’ କବିତାରେ ଏହି ପ୍ରଗତିବାଦୀ ଭାବନା ଅଧିକ ମୂର୍ତ୍ତି ହୋଇଉଠିଛି ।

 

‘‘ତମ ସ୍ୱାଧୀନତା ମିଳିବା ଆଗରୁ ହେବତାର ସ୍ଵାଧୀନତା

ତମ ପାଟି ଯହିଁ ଫିଟିବ ନାହିଁରେ ସେଠି ସେ କହିବ କଥା ।

ଦେଖିଛ କି କେହି ହସି ହସି କେବେ ଗଳାରେ ନେବାର ଫାଶି

ମାଗେ ନାହିଁ ପୁଣି ତ୍ୟାଗ ପାଇଁ ତାର, ଫୁଲହାର ରାଶିରାଶି

ତମପାଇଁ ଯିଏ ଦେଇଗଲା ଏଠି ଫୁଟିଲା ରକତ ଧାର,

ଜାଣେ ମୁହିଁ ଜାଣେ ପଡ଼ିବ ନାହିଁରେ ତାହା କୀରତିର ଗାର

(ଲକ୍ଷ୍ମଣ ନାୟକ - ପାଞ୍ଚଜନ୍ୟ - ପୃ ୨୭)

 

କବିଙ୍କ ଜୀବନୀ ଏବଂ ଜୀବନ

କବି ନିତ୍ୟାନନ୍ଦଙ୍କ ମାତା ଲବଙ୍ଗଲତାଙ୍କୁ ଜଣେ ବିଶିଷ୍ଟବ୍ୟକ୍ତି ପ୍ରଶ୍ନ କରିଥଲେ ଯେତେବେଳେ ସେ ଏବଂ ତାଙ୍କ ସାନଭାଇ ଗୌରଚନ୍ଦ୍ର ମହାପାତ୍ର ଦେଶବ୍ୟାପୀ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇ କାରା ବରଣ କରିଥିଲେ- ଆପଣଙ୍କର ଦୁଇ ପୁତ୍ର ଜେଲ ଗଲେ, ମନଦୁଃଖ ହେଉ ନାହିଁ । ଲବଙ୍ଗଲତା ତା’ର ଉତ୍ତରରେ କହିଥିଲେ- ‘‘ଦେଶକାମରେ ସେମାନେ ଜେଲ ଯାଇଛନ୍ତି ଚୋରି କରି ଜେଲ ଯାଇଥିଲେ ମନଦୁଃଖ ହୋଇଥାଆନ୍ତା ।

 

କାନ୍ତକବିଙ୍କ ପିତା ଭାଗବତ ପ୍ରସାଦରାୟ ମହାପାତ୍ର ୧୯୨୯ ମସିହାରେ ଭଦ୍ରକର ଭାଗବତ ଭବନଠାରେ ଏକ ମୁଦ୍ରାଯନ୍ତ୍ର ସ୍ଥାପନ କଲେ । ଏହାର ନାମକରଣ ହେଲା ‘‘ଗୋପୀନାଥ ପ୍ରେସ’’ ନିଜର କୁଳ ଦେବତାଙ୍କ ନାମାନୁସାରେ ।

 

ଏହି ମୁଦ୍ରାଯନ୍ତ୍ରଟିର ଗୋଟାଏ ବିରାଟ ଐତିହ୍ୟ ଥିଲା । କାନ୍ତକବି ଲକ୍ଷ୍ମୀକାନ୍ତ ତାଙ୍କ ଆତ୍ମଜୀବନୀରେ ଏ ସମ୍ପର୍କରେ ଲେଖିଛନ୍ତି ‘‘ବିଚିତ୍ର ସଂଯୋଗ ଏହି ଯେ ଯେଉଁ ଛପାଖାନାଟି କଟକରୁ କିଣା ହୋଇଆସିଲା ତାହା ଏକଦା ଫକୀର ମୋହନ ସେନାପତି, ସାମନ୍ତ ରାଜନାରାୟଣ ଦାସ ଓ ରାଜା ବୈକୁଣ୍ଠନାଥ ଦେଙ୍କ ପିତା ରାଜା ଶ୍ୟାମାନନ୍ଦ ଦେ ପ୍ରଭୃତିଙ୍କ ପୃଷ୍ଠପୋଷକତାରେ ବାଲେଶ୍ୱରକୁ ଆସିଥିବା ପ୍ରଥମ ମୁଦ୍ରାଯନ୍ତ୍ର । ଏହି ଯନ୍ତ୍ରର ନିର୍ମାଣ କାଳ ୧୮୩୫ ମସିହା’’ । ଲେଖକ ଅତି ଆବେଗ ପୂର୍ଣ୍ଣ ଭାବରେ କହନ୍ତି ଗୋପୀନାଥ ପ୍ରେସରୁ ଡଗର ପ୍ରକାଶ ପାଉଥିଲା ମୋ ବ୍ରତ ଭିକ୍ଷା ପଇସାରେ । ଫକୀର ମୋହନଙ୍କ ସେହି ପ୍ରେସ୍‌ଟି ଦୀର୍ଘଦିନ ଆମ ଘରେ ଥିଲା । ତାହାକୁ ରାଜ୍ୟ ସଂଗ୍ରାହଳୟରେ ରଖାଗଲେ ଭଲ ହୁଅନ୍ତା ବୋଲି ମୁଁ ଭାବୁଥିଲି ମାତ୍ର ଭଦ୍ରଖରୁ ପ୍ରେସ୍‌ଟି ଚୋରି ହୋଇଗଲା ।

 

ମୁଦ୍ରାଯନ୍ତ୍ରଟିଏ ପ୍ରତିଷ୍ଠିତ ହେବା ମାତ୍ରେ ପତ୍ରିକା ପ୍ରକାଶନର ଇଚ୍ଛା ଜାଗ୍ରତ ହେଲା । ୧୯୩୭ ମସିହାରେ ‘ଡଗର’ ଜନ୍ମଲାଭ କଲା । ଏହା ପ୍ରଥମେ ପାକ୍ଷିକ ଥିଲା । ଏହାର ନାମକରଣ କରିଥିଲେ ନିଜେ କାନ୍ତକବି । ଏହାର ପ୍ରଥମ ସମ୍ପାଦକ ଭାବରେ ପ୍ରଥମ ପୁତ୍ର ନିତ୍ୟାନନ୍ଦ ମହାପାତ୍ର ଦାୟିତ୍ୱ ବହନ କଲେ । ବିଭିନ୍ନ ପ୍ରକାର ଅସୁବିଧା ହେତୁ ୧୯୫୦ ମସିହାରେ ସମ୍ପାଦକ ନିତ୍ୟାନନ୍ଦ ମହାପାତ୍ର କଟକଠାରେ ଡଗର ପ୍ରେସ ନାମରେ ଏକ ସ୍ୱତନ୍ତ୍ରପ୍ରେସ ସ୍ଥାପନ କଲେ । ୧୯୫୦ ପରଠାରୁ ନିତ୍ୟାନନ୍ଦ ବାବୁ ରାଜନୀତିରେ ଅଂଶ ଗ୍ରହଣ କରିବାଦ୍ୱାରା ଶ୍ରୀ ରାମଚନ୍ଦ୍ର ମିଶ୍ର ଓରଫ ଫତୁରା ନନ୍ଦ ଡଗରକୁ ବହୁ ବର୍ଷ ଧରି ବଞ୍ଚାଇ ରଖିଥିଲେ ।

 

ତାଙ୍କ ସମ୍ପାଦକ ଜୀବନ ସମ୍ପର୍କରେ ସେ କହନ୍ତି, ଶଶୀଭୂଷଣ ରଥଙ୍କ ପ୍ରତିଷ୍ଠିତ ‘‘ଦୈନିକ ଆଶା’’ ଯାହାକୁ ଶିଳ୍ପପତି ମଦନଲାଲ ଯାଜୋଡ଼ିଆ କିଣି କଟକରୁ ପ୍ରକାଶ କରାଇଲେ, ମୁଁ ତାର ସମ୍ପାଦକ ଥିଲି । ମୋ ସାଙ୍ଗରେ ତାଙ୍କର କଥା ହୋଇଥିଲା ଯେ ମୋ ସମ୍ପାଦକତ୍ୱରେ ସେ ହସ୍ତକ୍ଷେପ କରିବେ ନାହିଁ । ମୁଁ ମାସିକ ୧୫୦ ଟଙ୍କା ଦରମାରେ କାମ କଲି । କିନ୍ତୁ କିଛିଦିନ ପରେ ତାଙ୍କ ଝୋଟ କଳରେ ମୋତେ ଡାଇରେକ୍ଟର କରିବେ ବୋଲି ସେ କହିଲେ । ଝୋଟକଳ ବା ସୂତାକଳ ଯାହାର ଉତ୍ପାଦନ ହାତରେ ହୋଇପାରିବ ତାକୁ ଯନ୍ତ୍ରଦ୍ଵାରା ଉତ୍ପାଦନ କରିବା ସଂସ୍ଥାର ଦାୟତ୍ୱ ମୁଁ ନେଇ ପାରିବି ନାହିଁ ବୋଲି ତାଙ୍କୁ ସିଧା ମନା କରିଦେଲି ।

 

ମୁଁ ଏହାର ପ୍ରତିବାଦକରି ଦୈନିକ ଆଶାର ସମ୍ପାଦକତ୍ୱ ତ୍ୟାଗକଲି । ‘ନ୍ୟୁ ଓରିଶା’ ନାମରେ ଗୋଟିଏ ଇଂରାଜୀ ସମ୍ବାଦ ପତ୍ରରେ ମଧ୍ୟ କିଛି ଦିନ ସମ୍ପାଦକ ଦାୟିତ୍ୱରେ ଲେଖକ ଥିଲେ ବୋଲି ଜଣାଯାଏ ।

 

୧୯୨୦ରୁ ୧୯୩୬ ଦୀର୍ଘ ୧୫ ବର୍ଷ କାଳ ଭାରତୀୟ ଜାତୀୟ ଆନ୍ଦୋଳନ ଓ ଉଜ୍ଜ୍ୱଳ ପ୍ରଦେଶ ଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସମୟ । ୧୯୩୦ରେ କାନ୍ତକବିଙ୍କ ଦ୍ଵାରା ପ୍ରଭାବିତ ହୋଇ ଦୁଇ ପୁତ୍ର ନିତ୍ୟାନନ୍ଦ ଏବଂ ଗୌରଚନ୍ଦ୍ର, ଅନୁଜା କୋକିଳା ଦେବୀ, ଜାହ୍ନବୀ ଦେବୀ ଏବଂ ଅନୁଜ କମଳାକାନ୍ତ ଏକାଧିକ ବାର କାରାବରଣ କରିଛନ୍ତି । ପିତା ଭାଗବତ ପ୍ରସାଦ ମଧ୍ୟ ସରକାରୀ ସତ୍ୟନ୍ୟାୟର ପ୍ରତିବାଦ କରି ବିହାର ଓ ଓଡ଼ିଶା କାଉନସିଲର ସଭ୍ୟପଦରୁ ଇସ୍ତଫା ଦେଲେ । କାନ୍ତକବି ଜାତୀୟତାବାଦୀ ଲେଖାଗୁଡ଼ିକ ଦ୍ୱାରା ପୁତ୍ର ନିତ୍ୟାନନ୍ଦ ମଧ୍ୟ ବହୁ ଭାବରେ ପ୍ରଭାବିତ ହୋଇ ପାଞ୍ଚଜନ୍ୟ ଏବଂ କାଳରଡ଼ି ରଚନା କଲେ ।

 

କାନ୍ତକବିଙ୍କର ଜାତୀୟବାଦୀ ଲେଖାଗୁଡ଼ିକ କୌଣସି ସ୍ୱକ୍ଷର ଭିଭିଭୂମି ଉପରେ ପ୍ରତିଷ୍ଠିତ ନ ଥିଲା । ନିର୍ମଳ ଦେଶପ୍ରେମର ଉଦ୍‌ଗାତା ସେ ଥିଲେ ।

 

ଏ ସମ୍ପର୍କରେ କବି ନିଜେ କହନ୍ତି ‘‘ବାପାଙ୍କ ସବୁଗୁଣକୁ ଅଳ୍ପେ ବହୁତେ ମୁଁ ଆଦରି ନେଇଛି ହେଲେ ତାଙ୍କର ବିଶେଷ ଗୁଣ ସଂଖ୍ୟାତଳେ ଲେଖା ବେଳୁ ସୁଲେଖକ ନିତ୍ୟାନନ୍ଦ ମହାପାତ୍ର ଉତ୍ତରାଧିକାର ସୂତ୍ରରେ ନିଜ ପିତାଙ୍କଠାରୁ ଯାହା ପାଇଛନ୍ତି ସେଥିମଧ୍ୟରୁ ତାଙ୍କର କବିପ୍ରତି ସର୍ବଶ୍ରେଷ୍ଠ ସହଯୋଗ ଆନ୍ଦୋଳନରେ ଯୋଗଦେଇ କିଶୋର ବୟସକୁ କାରାବରଣ କରିବା ହେତୁ କବି ନିତ୍ୟାନନ୍ଦ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଲେ ମଧ୍ୟ ତାଙ୍କ ବଂଶର କୌଳିନ୍ୟ ଏବଂ ପିତୃ ପରମ୍ପରା ଦ୍ଵାରା ଓଡ଼ିଆ ସାହିତ୍ୟର ଜଣେ ବରେଣ୍ୟ କବି ଏବଂ କଥାକାର ଭାବରେ ବହୁ ସମ୍ମାନର ସେ ଅଧିକାରୀ । ତାଙ୍କର ‘ମରମ’ କବିତା ଗ୍ରନ୍ଥଟିର ସାରଲ୍ୟ ଏବଂ ଶୈଳୀ ଓ ଆଧ୍ୟାତ୍ମିକ ଭାବ ‘ଜୀବନ ସଂଗୀତ’ ସହ ଅନେକାଂଶରେ ସାମଞ୍ଜସ୍ୟ ରକ୍ଷା କରିଛି । କାନ୍ତକବିଙ୍କର ଜୀବନ ସଂଗୀତର ସାଙ୍ଗାତିକ ବୈଶିଷ୍ଟ୍ୟ ମରମ କାବ୍ୟରେ ଅନୁଭୂତ ନ ହେଲେ ମଧ୍ୟ ଜୀବନ ସଂଗୀତର ଆତ୍ମିକ ବୈଭବ ଏଥିରେ ଅବ୍ୟାହତ ରହିଛି । ହାସ୍ୟରସାତ୍ମକ ରଚନାରେ ସଂପୂର୍ଣ୍ଣ ସଫଳତା ହାସଲ କରି ପାରି ନଥିଲେ ମଧ୍ୟ ଅନେକ ସ୍ଥଳରେ ପିତାଙ୍କର ପଦାଙ୍କ ଅନୁସରଣ କରିବାରେ ଚେଷ୍ଟା କରିଛନ୍ତି । ନିତ୍ୟାନନ୍ଦ ବାବୁଙ୍କର ରଚନାଗୁଡ଼ିକ ବିଶ୍ଳେଷଣଧର୍ମୀ ହୋଇଥିଲାବେଳେ ପିତା କାନ୍ତକବିଙ୍କ ଲେଖା ବର୍ଣ୍ଣନା ଏବଂ ଚରିତ୍ରଭିତ୍ତିକ । ‘ପ୍ରଥମେ’ କବିତା ଗପ ଓ ତାପରେ ଉପନ୍ୟାସ ରଚନାର ପ୍ରୟାସ କରି ମୁଁ ସାତବର୍ଷ ବୟସରେ ପ୍ରଥମେ ଯେଉଁ ‘ସାବିତ୍ରୀ’ କବିତା ଲେଖିଥିଲି ତାହା କୁଆଡ଼େ ହଜି ଯାଇଛି ଛପା ମଧ୍ୟ ହୋଇନି । ମୋତେ ଗପ ଉପନ୍ୟାସ ଭଲ ଲାଗିଲା, ସେଥିରେ ବେଶୀ ମାତିଲି । କବିତା ଆଉ ହେଲାନି ଅନେକ କବିତା ଏଯାଏ ଅପ୍ରକାଶିତ ରହିଛି ।’’

 

ଗାଳ୍ପିକ ଭାବରେ ନିତ୍ୟାନନ୍ଦ ବାବୁଙ୍କ ପ୍ରତିଭା ଅସ୍ଵୀକାର କରିହେବ ନାହିଁ । ତାଙ୍କର ‘ଦୋକାନଦାର’ ଗଳ୍ପର ବିଷୟ ବସ୍ତୁରେ ବାତ୍ସଲ୍ୟ ଏବଂ କାରୁଣ୍ୟ ମିଶା ମିଶି ହୋଇ ରହିଛି କାନ୍ତକବିଙ୍କର ‘ବୁଢ଼ାଶଙ୍ଖାରୀ’ ଗଳ୍ପର ପ୍ରଭାବରେ ପ୍ରଭାବିତ କହିଲେ ଭୁଲ ହେବ ନାହିଁ ।

 

ଭଦ୍ରକ ତାଳପଦାର ସାମନ୍ତ ପରିବାରଟି ବଂଶ ପରମ୍ପରା କ୍ରମେ ଶ୍ରୀ ଚୈତନ୍ୟଙ୍କର ବୈଷ୍ଣବ ମାର୍ଗର ଅନୁସାରୀ । କାନ୍ତକବିଙ୍କର ଜୀବନ ସଂଗୀତରେ ଏବଂ ଅନ୍ୟ କେତୋଟି ରଚନାରେ ବୈଷ୍ଣବୀୟତ୍ୟାଗ ସମର୍ପଣ ଭାବ ଅଧିକ ସ୍ପଷ୍ଟ । ଲେଖକ ନିତ୍ୟାନନ୍ଦ ମହାପାତ୍ରଙ୍କ ରଚିତ ପତ୍ର ଓ ପ୍ରତିମାରେ ସ୍ଥାନୀତ ଉକ୍ତ ବିଶ୍ଵାସ ଏବଂ ‘ସମନ୍ୱୟ’ ପ୍ରଭୃତି ରଚନାମାନଙ୍କରେ ବୈଷ୍ଣବୀୟ ଦର୍ଶନକୁ ବହୁଭାବରେ ବିଶ୍ଳେଷଣ କରାଯାଇଛି । କାନ୍ତକବିଙ୍କର ଚୈତନ୍ୟ ଚରଣାମୃତର ବିଷୟବସ୍ତୁ ଦ୍ୱାରା ଲେଖକଙ୍କର ‘‘ନା ଅହଂ ତିଷ୍ଠାମି ବୈକୁଣ୍ଠେ’’ ଉପନ୍ୟାସଟି ବହୁଭାବରେ ଅନୁପ୍ରାଣିତ ହୋଇଛି । ଏହା ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଛି-। ପିତାଙ୍କର ରାଜନୈତିକ ଭାବନା ଯୁବକ ନିତ୍ୟାନନ୍ଦଙ୍କୁ ବହୁ ଭାବରେ ଆକୃଷ୍ଟ କରିଥିଲା-। ସ୍ଵାଧୀନତା ଆନ୍ଦୋଳନ ସମୟରେ କାନ୍ତକବିଙ୍କର ରାଜନୈତିକ ବିଦୃପାତ୍ମକ ଲେଖାରେ ଅନୁପ୍ରାଣିତ ହୋଇ ଲେଖକ ନିତ୍ୟାନନ୍ଦ ଯେଉଁ କେତୋଟି ଲେଖା ଲେଖିଛନ୍ତି ସେଗୁଡ଼ିକ ମଧ୍ୟରୁ ‘‘ସ୍ଵରାଜ୍ୟ ସଂହିତା’’ ଏକ ପୂର୍ଣ୍ଣାଙ୍ଗ କାବ୍ୟ । ଏହାର ଶୈଳୀ କାନ୍ତକବିଙ୍କର ନବରାମାୟଣ କିମ୍ବା ଭବିଷ୍ୟ ଭାରତ ପରି ପୁରାଣ ଶୈଳୀକୁ ଅନୁସରଣ କରିଛନ୍ତି । ‘ଘରଡ଼ିହ’ ଉପନ୍ୟାସ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ହୋଇଥିଲା ।

 

ଜାତୀୟ ଆନ୍ଦୋଳନର ସାରସ୍ଵତ ସ୍ରଷ୍ଟା

‘ପାଞ୍ଚଜନ୍ୟ’ରେ ଗାନ୍ଧିଜୀଙ୍କ ଦ୍ଵାରା ଅନୁପ୍ରାଣିତ ଅହିଂସା ସଂଗ୍ରାମ ଓ ଭାରତୀୟ ସଂଗ୍ରାମର ଚିତ୍ର ଅଧିକ ଗରିମାମୟ ହୋଇଛି । ସେହି ମହାନାୟକଙ୍କ ଉଦ୍ଦେଶ୍ୟରେ ଉଚ୍ଛ୍ୱସିତ ଶ୍ରଦ୍ଧାଞ୍ଜଳି କବି ଜ୍ଞାପନ କରିଛନ୍ତି । ଭାରତର ମୁକ୍ତି ସଂଗ୍ରାମର କର୍ଣ୍ଣଧାର ସୁଭାଷ ଏବଂ ଉତ୍କଳମଣି ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ମଧ୍ୟ କବିତା ‘ପାଞ୍ଚଜନ୍ୟ’ରେ ସ୍ଥାନୀତ ହୋଇଥିଲା । ଏଥିରେ ସମାଜର ଅବମୂଲ୍ୟାୟନ କରାଯାଇନାହିଁ । କେବଳ ବଜ୍ରନିଘୋଷ ଶବ୍ଦରେ ପରାଧୀନତାର ଜନତାକୁ ଆପେକ୍ଷ କରିଛନ୍ତି । ହିଂସାର ବିଲୋପ ନିମନ୍ତେ କବି ଯଥାର୍ଥରେ ପାଞ୍ଚଜନ୍ୟ ବାଦନ କରି ସମାଜକୁ ଆହ୍ଵାନ ଦେଇଛନ୍ତି -

 

‘‘ଉଡ଼ାଅରେ ଚିର କାନ୍ତ ଚିରାଳ ଏ ଜାତି ହୋଇବ ଧନ୍ୟ

ଏଇ ଗୁଣ ଶୁଭେ ନବ ଇଙ୍ଗିତେ, ମୁକତି ପାଞ୍ଚଜନ୍ୟ ।’’

(ପାଞ୍ଚଜନ୍ୟ-ପୃ- ୮୪)

 

ସ୍ଵାଧୀନତା ପରବର୍ତ୍ତୀ କାବ୍ୟ ଚେତନାରେ କବିଙ୍କର ଶାଣିତ ବିଦ୍ରୂପର କଟାକ୍ଷ ଲକ୍ଷ୍ୟ କରାଯାଏ ପାଞ୍ଚଜନ୍ୟ କବିତା ଗ୍ରନ୍ଥରେ । ଯେପରି ଗାନ୍ଧିଜୀଙ୍କ ପ୍ରତି ଅସଂଖ୍ୟ ଶ୍ରଦ୍ଧାଞ୍ଜଳି ପ୍ରକାଶିତ ହୋଇଛି ଠିକ୍‌ ସେହି ପରି ‘କାଳରଡ଼ି’ କବିତା ପୁସ୍ତକରେ ମଧ୍ୟ ଗାନ୍ଧିଜୀଙ୍କ ସ୍ମୃତିର ନିରାଜନା କରାଯାଇଛି । ସ୍ଵାଧୀନତା ପରବର୍ତ୍ତୀ ଜୀବନରେ ଅବକ୍ଷୟ ଦେଖାଦେଇଛି । ବିଦେଶୀ ଶାସନର ଚକ୍ରାନ୍ତ ଫଳରେ ବହୁ ଅପଶକ୍ତି ସୃଷ୍ଟି ହୋଇଛନ୍ତି । ସେମାନଙ୍କୁ ଗଦା ଆଘାତରେ ଧ୍ଵଂସ କରିବାକୁ ଭୀମସେନର କାଳରଡ଼ିକୁ ଅପେକ୍ଷା କରିବାକୁ ପଡ଼ିବ । ପୃ-୧୮ କାଳରଡ଼ି ।

 

ଲେଖକ ଡଗର (୧୪ ବର୍ଷ, ୨୩ ସଂଖ୍ୟା ୧/୬/୧୯୫୧ରେ ‘‘ମୁଁ କାହିଁକି ଲେଖେ’’ ପ୍ରସଙ୍ଗରେ ଲେଖିଥିଲେ ‘‘ଜୀବନରେ ଗୋଟିଏ ଗୋଟିଏ ସନ୍ଧିକ୍ଷଣ ଆସେ, ବିଗତ ଯୌବନରେ ଯେଉଁ ରାଜନୈତିକ ବିପ୍ଳବ ମୋତେ ସହଜ ଜୀବନ ପଥରୁ ଦୂରକୁ ଫିଙ୍ଗି ଦେଇଥିଲା, ତାରି ସାମୟିକ ଅବସାନ ପରେ ଶାନ୍ତିର ସାମାନ୍ୟ ସ୍ଵପ୍ନ ବିଳାସ ଆଉ ଏକ ଅସ୍ଵସ୍ତିକର ପରିସ୍ଥିତି ଭିତରେ ଭାଙ୍ଗି ଯାଇଛି । ନୂଆ ଏକ ଭୌତିକ ବିପ୍ଳବ ପ୍ରଳୟ ଝଞ୍ଜାର ଆଗମନୀ ମୋ ହାତରୁ କଲମ ଛଡ଼ାଇ ଫିଙ୍ଗି ଦେଇଛି । ସେ ପାଞ୍ଚଜନ୍ୟର ନିନାଦ ମୋ ଦେହକୁ ତପ୍ତ ଉତ୍ତେଜିତ କଲାବେଳେ ଅଦ୍‌ଭୂତ ଏକ ଅଶୁତ ଆହ୍ଵାନ ମୋର ଅନ୍ତରାତ୍ମାକୁ ଅସ୍ଥିର କରି ଦେଇଛି । ଲକ୍ଷ୍ମୀ କୋଳରେ ଦୁର୍ଯ୍ୟୋଧନର ନିଦ୍ରାଭଙ୍ଗ ହେଲା ପରି ମୁଁ ଅସମ୍ଭାଳ ହୋଇଛି ସେ ଧ୍ଵନୀ ଶୁଣି କହି ପାରିବିନି ସେ କି ଧ୍ଵନି । ଧ୍ଵନି ନୁହେଁ ସେ ଏକ ଡାକ, ଆହ୍ୱାନ, ସଂଗ୍ରାମର ଆହ୍ୱାନ, କିନ୍ତୁ ସେ ଆହ୍ୱାନ ବଡ଼କାତର ।

 

ଲେଖକଙ୍କର ଏହି ଆତ୍ମକଥନ ବିଶେଷ ତାତ୍ପର୍ଯ୍ୟ ପୂର୍ଣ୍ଣ ମନେହୁଏ କାଳରଡ଼ିର ପ୍ରକାଶ ପରେ କବି ତାଙ୍କ । କବିତାର ଆଙ୍ଗୀକର ପରିବର୍ତ୍ତନ କରିଛନ୍ତି । ଲେଖକ ତାଙ୍କ ଆତ୍ମ କଥନରେ ଲେଖିଥିଲେ ମୁଁ ଲେଖିଲି ଉପନ୍ୟାସ । ସ୍ଥାନ ଓ କାଳକୁ କଲି ନାୟକ । ‘‘ହିଡ଼ମାଟିରେ ଗଢ଼ି ଉଠିଲା, ବୁଡ଼ିମଲା, ପୋଡ଼ିଗଲା ଗୋଟିଏ ଗାଁ, ୧୯୩୦ରୁ ୪୩ ମଧ୍ୟରେ ହିଡ଼ମାଟିର ନାୟକ ତେଣୁ କୌଣସି ବ୍ୟକ୍ତି ନୁହେଁ ।’’

 

ନିବୈକ୍ତିକ କାଳ ଓ ସ୍ଥାନ । ଦେଶକାଳ ମୋର ନାୟକ ହୋଇପାରିଲେ ନାହିଁ । ‘ପୀରତି ପଥ ଖସଡ଼ା’ରେ ନାୟକ କେହି ନାହାନ୍ତି, କେହି ନାୟିକା ମଧ୍ୟ ନାହିଁ, ସୁମିତ୍ରା କେବଳ ଜଣେ ନାୟିକା । ଆଧୁନିକ, ଅତ୍ୟାଧୁନିକ ଭଳି ସେ ସ୍ଵକୀୟ ନୁହେଁ, ପରକୀୟା ନୁହେଁ, ସାଧାରଣ ନୁହେଁ ସେ ଏକ ଧାରାରେ ସବୁ, ଅଥଚ କିଛି ନୁହେଁ ସେ ଗୋଟିଏ ବିରାଟ ପ୍ରବଞ୍ଚନାର ପ୍ରତୀକ ।

 

ସେଥିପାଇଁ ଦୂବଠାରୁ ଦାରୁଯାଏ ସମସ୍ତଙ୍କର ସାର୍ଥକତା ମୁଁ ଦେଖେ । କାହାକୁ ବୀର କରି ବା କାହାକୁ ଭୀରୁ କରିପାରୁ ନାହିଁ ଆଜିକାଲି, ‘‘ପୀରତି ପଥ ଖସଡ଼ାରେ ସେଥିପାଇଁ ପ୍ରତ୍ୟେକ ନିଜେ ନିଜେ ଜୀଇବାର ସାର୍ଥକତା ନ ହୋଇ, ଯଥାର୍ଥତା ଦେଖାଇଛନ୍ତି । ଏହା ହିଁ ‘ପୀରତି ପଥ ଖସଡ଼ା’ରେ ମୋର ନୂଆ କଥା, ଅର୍ଥାତ୍‌ ସେଥିରେ ସ୍ଥାନକାଳ ପାତ୍ର ବା ଚରିତ୍ର କେହି ନାୟିକା ନୁହେଁ, ନାୟକ ନାୟିକା ନିଜେ ପାଠକ ଓ ପାଠିକା ।’’

 

‘‘ଆଖପାଖ ଅଞ୍ଚଳରେ ସଭାମାନ ଆୟୋଜନ କରୁଥିଲି । ସେଥିରେ ଭାଷଣ ବି ଦେଉଥିଲି । ମୋ ଭାଷଣ ଶୁଣି ଲୋକେ ଉଦ୍‌ବୁଦ୍ଧ ହେଉଥିଲେ ।

 

ମହାତ୍ମାଗାନ୍ଧୀଙ୍କ ଲେଖା ଓ ଭାଷଣରୁ ମୁଁ ଯେତିକି ବୁଝୁଥିଲି ମୋ ଭାଷଣରେ ଲୋକଙ୍କୁ ତାହା ବୁଝାଉଥିଲି । ମୋର ଅନ୍ତରାତ୍ମା ଗଭୀର ଦେଶାତ୍ମବୋଧ ଭାବନାରେ ସତତ ଉଦ୍‌ବୋଧିତ ହେଉଥିଲା । ସେଥିପାଇଁ ସେ ଦିନ ‘ଇଞ୍ଚୁଡ଼ି’ ସଭାରେ ମୋ ଭାଷଣ ନନ୍ଦ କିଶୋର ଦାସ ଓ ଜୀବରାଜୀଙ୍କୁ ମୁଗ୍ଧ କରିଥିଲା । ସେଦିନର ସଭାପରେ ମୋତେ ଗିରଫ କରି ଜେଲକୁ ପଠାଇ ଦିଆଗଲା । ତାପରେ ବାଲେଶ୍ଵର ଜେଲରୁ କଟକ ନିଆଗଲା । ସେତେବେଳକୁ ମୋତେ ଅଠର ବର୍ଷ ବୟସ । ସେଥିର ମୁଁ ବର୍ଷେ ଜେଲ୍‌ ଦଣ୍ଡପାଇଥିଲି । ପ୍ରଥମଥର ଜେଲ ଯାଇ ଫେରିବାର ବର୍ଷକ ପରେ ମୁଁ ପୁଣି ଗିରଫ ହେଲି ଏଥର ମୋତେ ପାଟନା କ୍ୟାମ୍ପ ଜେଲରେ ରଖାଗଲା ।

 

ବାଲେଶ୍ଵର, କଟକ, ବ୍ରହ୍ମପୁର ଓ କୋରାପୁଟରେ ବିଭିନ୍ନ ସମୟରେ ମୁଁ ଜେଲ ଜୀବନ କାଟିଛି । ୧୯୩୦ରୁ ୧୯୪୬ ଭିତରେ ମୁଁ ସର୍ବମୋଟ ସାତଥର ଜେଲ ଯାଇଛି । ମୋ ପାଇଁ ଜେଲ ଥିଲା ଦ୍ୱିତୀୟ ଘର । ମୋ ଯୌବନର ବହୁ ମୂଲ୍ୟବାନ ସମୟ ସେଇଠି ବିତିଛି । ସେହି ଜେଲ୍‌ ଜୀବନ ବି ମୋତେ ଅନେକ କିଛି ଦେଇଛି । ଜେଲ ଭିତରେ ଥିଲାବେଳେ ମୁଁ ସଂସ୍କୃତ ପଢ଼ିଲି । କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଉପନ୍ୟାସ ‘ମାଟିର ମଣିଷ’ର ହିନ୍ଦୀ ଅନୁବାଦ ବି କରିଥିଲେ-। ୧୯୪୨ - ୪୩ରେ ‘ସ୍ୱରାଜ ପାଲା’ ଜେଲରେ ଥିଲାବେଳେ ଲେଖା ଯାଇଥିଲା ! ତାହା ଥିଲା ଇଂରେଜ ସରକାରଙ୍କ ବିରୋଧରେ ଆକ୍ରମଣ । ବହିଟିର ପ୍ରକାଶକ ଥିଲେ ହରେକୃଷ୍ଣ ମହତାବ । ଇଂରେଜ ସରକାରଙ୍କ ଦ୍ୱାରା ତାହା ବାଜ୍ୟାପ୍ତ ହୋଇଯାଇଥିଲା । ସଂକ୍ଷେପରେ କହିଲେ, ଏହି ଜେଲ ଜୀବନ କାଳରେ ହିଁ ମୋ ସାହିତ୍ୟ ସୃଷ୍ଟିର ଅୟମାରମ୍ଭ ।

 

ମୋର ସବୁଲେଖା ଦେଶାତ୍ମବୋଧ ନଥିଲା । ପ୍ରଥମେ ପଦ୍ୟ ଲେଖିଥିଲି । ସେଥିରେ ସନ୍ତୁଷ୍ଟ ନ ହେବାରୁ ଗଳ୍ପ ଉପନ୍ୟାସ ଲେଖିଲି । ମୋର ପ୍ରତି ଗଳ୍ପ ଉପନ୍ୟାସ ପାଇଁ କଥାବସ୍ତୁ ମୋ ପରିବାରରୁ ସଂଗ୍ରହ କରିଛି । ପ୍ରତିଟି ଲେଖା ମୋର ଅଙ୍ଗେ- ନିଭା କଥା, ମୋ ନିଜସ୍ୱ ଶୈଳୀରେ ମୁଁ ଲେଖେ । ଏଇଠି ଗୋଟିଏ କଥା କହିବି । ମୋ ‘ପତ୍ର ଓ ପ୍ରତିମା’ର ଜୀବନ୍ତ ଚରିତ୍ର ମୋ ଶାଳୀ । ତାଙ୍କ ବିବାହ ପୂର୍ବରୁ ତାଙ୍କୁ ସେହି ଚିଠିଗୁଡ଼ିକ ଲେଖୁଥିଲି’’ ‘‘ମୋ କଥା’’ - (ଶହେଟି ଶରତ) ।

 

ଲେଖକ ନିତ୍ୟାନନ୍ଦ ମହାପାତ୍ର ନିଜେ କହିଛନ୍ତି ଯେ ୧୯୩୫ - ୩୬ରେ ସେ ‘ହରିଜନ ମନ୍ଦିର ପ୍ରବେଶ’ ବୋଲି ଏକ ନାଟକ ଲେଖିଥିଲେ । ତାପରେ ମହାଭାରତର କର୍ଣ୍ଣଙ୍କ ଉପରେ ଏବଂ ଅନ୍ୟ ଏକ ନାଟକ ଓଡ଼ିଶା ଇତିହାସର କଳା ପାହାଡ଼ ଚରିତ୍ର ଉପରେ ପର୍ଯ୍ୟବସିତ ଥିଲା । ଏହି ନାଟକ ଦୁଇଟି ପାଣ୍ଡୁଲିପି ଆକାରରେ ପଡ଼ିରହିଛି ବୋଲି ଲେଖକ କ୍ଷୋଭ ପ୍ରକାଶ କରିଛନ୍ତି ।

 

ଲେଖକ ନିତ୍ୟାନନ୍ଦ ମହାପାତ୍ର ଜୀବନର ସାୟାନ୍ନରେ ଉପନୀତ ହୋଇଛନ୍ତି । ସ୍ଵପ୍ନଭିତରୁ, ଅତୀତ ଭିତରକୁ ଆଖି ଫେରାଇ ଦେଖିଛନ୍ତି । ଅତୀତରେ ସ୍ଵାଧୀନତା ସଂଗ୍ରାମ କଥା ତାଙ୍କର ମନେ ପଡ଼ୁଛି । ସେ କହନ୍ତି ‘‘ସ୍ଵାଧୀନତା ସଂଗ୍ରାମ ବେଳେ ଗାନ୍ଧିଜୀଙ୍କୁ କେତେଥର ଖୁବ୍‌ ପାଖରୁ ଦେଖିଛି । ତାଙ୍କ ଦ୍ୱାରା ପ୍ରଭାବିତ ଅନୁପ୍ରାଣିତ ହୋଇଛି । ଏବେ ଆମର ଯେଉଁ ସ୍ୱାଧୀନତା ତାହା ଗାନ୍ଧିଜୀଙ୍କ ସ୍ଵାଧୀନତା ନୁହେଁ, ମୋର ଏଇ ଦୀର୍ଘ ରାଜନୈତିକ ଜୀବନରେ ଏକଥା ହୃଦୟଙ୍ଗମ କରିଛି ଯେ ନିଷ୍ଠୁରତା ଓ କ୍ଵଚ କପଟ ଏ ଦୁଇଟା ଗୁଣ ଯା’ଠି ନ ଥିବ ସେ ରାଜନୀତିରେ ସିଦ୍ଧିଲାଭ କରିପାରିବନି ଏଇଟା ମୋର ତିକ୍ତ ଅନୁଭୂତି ।’’ ଏହି ଦିବ୍ୟ ସାରସ୍ୱତ ପୁରୁଷ କବି ନିତ୍ୟାନନ୍ଦ ମହାପାତ୍ରଙ୍କୁ ଏ ଜାତି ଚିରଦିନ ପ୍ରଣତି ଜଣାଇବ, ଏହା ନିଃସନ୍ଦେହ ।

 

 

ପ୍ରୀତମ୍‌ପୁରୀ,

ଆଚାର୍ଯ୍ୟ ବିହାର, ଭୁବନେଶ୍ୱର

 

***